ବର୍ତ୍ତମାନ ମୁଖ୍ୟସ୍ରୋତ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାର ଲାଭ କରି ଦେଶବ୍ୟାପୀ ରୋଚକ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଥିବା ଓଡ଼ିଶା ସରକାରଙ୍କର କେତେକ ଯୁବ ପ୍ରଶାସକ ଦମ୍ପତିମାନଙ୍କର ପୁନଃପୌନିକ ବିବାହ-ବିବାହ ବିଚ୍ଛେଦ-ପୁନର୍ବିବାହ ଖବର ଏପରି ଏକ ସମୟରେ ଆତ୍ମପ୍ରକାଶ କରିଛି, ଯେଉଁ ସମୟରେ ଭାରତର ସୁପ୍ରିମ୍ କୋର୍ଟ ଏକ ବିଫଳ ବିବାହରେ ଅନ୍ତ ଘଟାଇବାର ଆବଶ୍ୟକତାର ଜରୁରିତ୍ବକୁ ସ୍ବୀକୃତି ପ୍ରଦାନ କରି ଆଉ କୌଣସି ପ୍ରକାର କାଳ କ୍ଷେପଣ ନ କରି ନିଜେ (ସୁପ୍ରିମ୍ କୋର୍ଟ) ତୁରନ୍ତ ବିବାହ ବିଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇପାରିବେ ବୋଲି ରାୟ ଦେଇଛନ୍ତି। ଏ ଦୁଇ ଘଟଣା ମଧ୍ୟରେ ସମ୍ପର୍କ କାକତାଳିକ ହୋଇଥିଲେ ହେଁ, ତାହା ଯେ ଅନୁପୂରକ ଶ୍ରେଣୀର, କୌଣସି ଯତ୍ନଶୀଳ ପର୍ଯ୍ୟବେକ୍ଷକ ଏଥିରେ ଦ୍ବିମତ ହେବେ ନାହିଁ।
ଉପରୋକ୍ତ ଦମ୍ପତିମାନେ ହେଉଛନ୍ତି ଭାରତୀୟ ସମାଜର ଏପରି ଏକ ଗୋଷ୍ଠୀର ଅଂଶ, ଯେଉଁମାନଙ୍କୁ ସମାଜର ସର୍ବାଧିକ ଶୃଙ୍ଖଳିତ, ଶିକ୍ଷିତ, ସୁଯୋଗ୍ୟ ସଦସ୍ୟ ରୂପେ ବିଚାର କରାଯାଇଥାଏ। ସେମାନଙ୍କର ଆଚରଣ ତେଣୁ ବିବାହ, ବିବାହ ବିଚ୍ଛେଦ ଆଦି ବ୍ୟାପାରରେ ସାମ୍ପ୍ରତିକ ପରିବର୍ତ୍ତିତ ସାମାଜିକ ଆଭିମୁଖ୍ୟର ପ୍ରତିନିଧିତ୍ବ କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିବାହ ବିଚ୍ଛେଦକୁ ସୁଗମ କରି ସୁପ୍ରିମ୍ କୋର୍ଟ ଏହି ବିବର୍ତ୍ତନଶୀଳ ସାମାଜିକ ଆଭିମୁଖ୍ୟକୁ ସ୍ବୀକୃତି ପ୍ରଦାନ କରିଛନ୍ତି ବୋଲି କୁହାଯାଇପାରେ।
ବାସ୍ତବରେ ବିବାହ ନାମକ ଅନୁଷ୍ଠାନ ପ୍ରତି ଯଦି ଏକ ବିବର୍ତ୍ତନବାଦୀ ଦୃଷ୍ଟିଭଙ୍ଗୀ ଗ୍ରହଣ କରାଯାଏ, ତେବେ ଏକ ବିବାହ ସଫଳ ହେବାର ସମ୍ଭାବନା କିମ୍ବା ବିଫଳ ହେବାର ସମ୍ଭାବନା କିଭଳି ହୋଇପାରେ ଦେଖାଯାଉ। ବିବର୍ତ୍ତନବାଦୀ ମନୋବୈଜ୍ଞାନିକମାନେ ମନୁଷ୍ୟ ତଥା ମାନବ ସମାଜର ପ୍ରତ୍ୟେକ ଆଚରଣ କେବଳ ମାତ୍ର ଗୋଟିଏ ଲକ୍ଷ୍ୟ ସାଧନ ଦିଗରେ ଅଭିପ୍ରେତ ବୋଲି ବିଶ୍ବାସ କରିଥାନ୍ତି: ପରପିଢ଼ିକୁ ନିଜର ଜିନ୍ ସଫଳ ଭାବରେ ହସ୍ତାନ୍ତରିତ କରି ପୃଥିବୀ ପୃଷ୍ଠରେ ମାନବ ଜାତି ତିଷ୍ଠି ରହିବା ନିଶ୍ଚିତ କରିବା। ବିବାହ ନାମକ ଅନୁଷ୍ଠାନର ଉଦ୍ଭାବନର ଉଦ୍ଦେଶ୍ୟ ହେଉଛି ତାହା ଏହି ଲକ୍ଷ୍ୟ ସାଧନର ମାଧ୍ୟମ ରୂପେ କାର୍ଯ୍ୟ କରିବା। ଏକ ବିବାହ ଯଦି ଅକାଳରେ ଭୁଶୁଡ଼ି ପଡ଼େ, ତେବେ ଏହି ବିବର୍ତ୍ତନୀୟ ଲକ୍ଷ୍ୟ ସାଧନ ବାଧାପ୍ରାପ୍ତ ହୋଇଥାଏ।
ତା’ହେଲେ ଏକ ସଫଳ ବିବାହର ଉପାଦାନମାନ କ’ଣ? କେତେକ ବିବର୍ତ୍ତନୀୟ ମନସ୍ତତ୍ତ୍ବବିତ୍ମାନେ ଏ ପ୍ରଶ୍ନର ଉତ୍ତର ପାଇବା ନିମିତ୍ତ ବିବର୍ତ୍ତନବାଦ ତତ୍ତ୍ବ ଉପରେ ଦୃଷ୍ଟି ନିବଦ୍ଧ ନ କରି, ଏହି ତତ୍ତ୍ବର ଜନକ ଖୋଦ୍ ଚାର୍ଲ୍ସ ଡାର୍ୱିନ୍ଙ୍କର ଅତ୍ୟନ୍ତ ସଫଳ ବିବାହର ଅନୁଶୀଳନ କରିଥାନ୍ତି। ଏଭଳି ଦୃଷ୍ଟିଭଙ୍ଗୀ ସାମାନ୍ୟ ଚଟୁଳତାପୂର୍ଣ୍ଣ ହୋଇଥିଲେ ହେଁ ଏଥିରୁ ଉପଲବ୍ଧ ଉତ୍ତର କିନ୍ତୁ ବେଶ୍ ଶିକ୍ଷଣୀୟ ହୋଇଥାଏ। ସେମାନେ ବିବାହରେ ସଫଳତା ହାସଲ ନିମିତ୍ତ ଡାର୍ୱିନ୍ ଯେଉଁ ସୁବିଧାଜନକ ସ୍ଥିତିରେ ଥିଲେ, ତାହାର ନିମ୍ନମତେ ବର୍ଣ୍ଣନା କରିଛନ୍ତି। ପ୍ରଥମ ହେଉଛି, ଡାର୍ୱିନ୍ଙ୍କର ଆଜୀବନ ଭଗ୍ନ ସ୍ବାସ୍ଥ୍ୟ, ଯେଉଁଥିପାଇଁ ସେ ବିବାହ ପରେ ସମ୍ପୂର୍ଣ୍ଣ ରୂପେ ପତ୍ନୀ ଏମାଙ୍କର ସେବା ଯତ୍ନ ଉପରେ ନିର୍ଭରଶୀଳ ହୋଇ ପଡ଼ିଥିଲେ। ଏହା ସେମାନଙ୍କର ବନ୍ଧନକୁ କିପରି ସୁଦୃଢ଼ କରିଥିଲା, ବିବାହର ତିନି ଦଶନ୍ଧି ପରେ ଏମାଙ୍କର ଏହି ମନ୍ତବ୍ୟ ତାହା ସାବ୍ୟସ୍ତ କରିଥାଏ: ‘‘ଅସୁସ୍ଥତା ଭଳି ଅାଉ କିଛି ନାହିଁ ଯିଏ ତୁମକୁ ଏଭଳି ସମ୍ପୂର୍ଣ୍ଣତାର ସହିତ ବିବାହ ବନ୍ଧନରେ ଆବଦ୍ଧ କରି ଦେଇଥାଏ।’’ ଅବଶ୍ୟ ବିବାହ ପର ଠାରୁ ସାରାଜୀବନ ଅସୁସ୍ଥ ସ୍ବାମୀଙ୍କର ସେବା ବୋଝ ବହନ କରି ଚାଲିବା ବେଳେ ଏମା କେବେ ଅତିଷ୍ଠ ହୋଇପଡ଼ି ଡାର୍ୱିନ୍ଙ୍କୁ ଛାଡ଼ି ଚାଲିଯିବା କଥା ଚିନ୍ତା କରିଥିବେ କି ନାହିଁ, ତାହା କାହାକୁ ଜଣା ନାହିଁ; କିନ୍ତୁ ଯେଉଁଥିରେ କିଛି ହେଲେ ସନ୍ଦେହ ନାହିଁ, ତାହା ହେଲା ଅନ୍ୟ ସମସ୍ତ ନାରୀମାନଙ୍କ ପାଇଁ ଏକ ଚିରରୁଗ୍ଣ ଡାର୍ୱିନ୍ ସର୍ବଦା ଏକ ଅତ୍ୟନ୍ତ ଅନାକର୍ଷଣୀୟ ବସ୍ତୁ ଥିଲେ। ଏବଂ ଏକ ବିବାହରେ ଏଭଳି ଏକ ଅନାକର୍ଷଣୀୟ ବ୍ୟକ୍ତିକୁ ନିଜର ସମସ୍ତ ସମ୍ଭାବ୍ୟ ଯୌନ ଅସ୍ଥିରତା ପରିହାର କରି କେବଳ ନିଜର ପାର୍ଟନର୍ଙ୍କ ସହିତ ହିଁ ସନ୍ତୋଷରେ କାଳାତିପାତ କରିବାକୁ ପଡ଼ିଥାଏ।
ଡାର୍ୱିନ୍ଙ୍କ ଦ୍ବିତୀୟ ସୌଭାଗ୍ୟ ହେଲା, ସେ ବିବାହ ପୂର୍ବରୁ ତାଙ୍କର ଭାବୀ ପତ୍ନୀଙ୍କୁ ଯେଉଁଭଳି ପବିତ୍ର ଦେବୀ ରୂପେ କଳ୍ପନା କରିଥିଲେ, ଏମା ସେଇ କଳ୍ପନା ସହିତ ସମ୍ପୂର୍ଣ୍ଣ ଖାପ୍ ଖାଇଗଲେ। ସେଥିପାଇଁ ଡାର୍ୱିନ୍ ନିଜ ଜୀବନର ଶେଷ ବେଳକୁ ଲେଖିଥିଲେ: ‘‘ମୁଁ ମୋର ସୌଭାଗ୍ୟ ନେଇ ଆଶ୍ଚର୍ଯ୍ୟାନ୍ବିତ ଯେ ମୋ ଠାରୁ ଅସୀମ ଭାବରେ ଉଚ୍ଚତର ନୈତିକ ଗୁଣମାନଙ୍କର ଅଧିକାରିଣୀ ହୋଇଥିଲେ ହେଁ, ସେ (ଏମା) ମୋର ପତ୍ନୀ ହେବାକୁ ରାଜି ହୋଇଥିଲେ।’’
ଡାର୍ୱିନ୍ଙ୍କର ତୃତୀୟ ସୁବିଧାଜନକ ସ୍ଥିତି ଥିଲା ତାଙ୍କର ଭୌଗୋଳିକ ସ୍ଥିତି। ସେ ଏକ ଗ୍ରାମ୍ୟ ପରିବେଶରେ ୧୮ ଏକର ପରିମିତ ଏକ ନିକାଞ୍ଚନ ହତା ମଧ୍ୟରେ ବାସ କରୁଥିଲେ, ଯେଉଁଠାରୁ ଘୋଡ଼ା ଗାଡ଼ିରେ ଲଣ୍ଡନ ଆସି ଅନ୍ୟ ତରୁଣୀମାନଙ୍କର ସାନ୍ନିଧ୍ୟ ଲାଭ କରିବାକୁ ଅନ୍ୟୂନ ଦୁଇ ଘଣ୍ଟା ସମୟ ଲାଗନ୍ତା, ଯାହା ଏହି ମନସ୍ତତ୍ତ୍ବବିିତ୍ମାନଙ୍କ ଅନୁସାରେ ଡାର୍ୱିନ୍ଙ୍କ ପାଇଁ ଏକ ‘ଆଖିରୁ ଅନ୍ତର, ମନରୁ ଅନ୍ତର’ ପରିବେଶ ସୃଷ୍ଟି କରି ତାଙ୍କ ବିବାହକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥିଲା।
ଶେଷରେ, ଡାର୍ୱିନ୍ ଦମ୍ପତି ଦଶଟି ସନ୍ତାନ ସନ୍ତତିଙ୍କୁ ଜନ୍ମ ଦେଇଥିଲେ। ସେଇ ମନସ୍ତତ୍ତ୍ବବିତ୍ମାନେ କହନ୍ତି ଯେ ବିବର୍ତ୍ତନ ଆମକୁ ଏପରି ଗଢ଼ିଛି ଯେ ସନ୍ତାନ ସନ୍ତତିଙ୍କର ଆଭିର୍ବାବ ପତି-ପତ୍ନୀଙ୍କ ମଧ୍ୟରେ ସ୍ନେହକୁ ଅଧିକ ପ୍ରଗାଢ଼ କରିଥାଏ। ଦଶଟି ପିଲାଙ୍କର ଆବିର୍ଭାବ ଓ ଲାଳନପାଳନର ଚାପ ଚାର୍ଲ୍ସ ଓ ଏମାଙ୍କ ଦାମ୍ପତ୍ୟ ଜୀବନର ଢଳେଇରେ ଏପରି ଏକ କଡ଼ା ସିମେଣ୍ଟ ଭଳି କାର୍ଯ୍ୟ କରିଥିବ, ଯାହା ସେଥିରେ ସାମାନ୍ୟତମ ଫାଟ ମଧ୍ୟ ସୃଷ୍ଟି କରାଇ ଦେଇନଥିବ।
ଏକ ସଫଳ ବିବାହର ଡାର୍ୱିନୀୟ ଫର୍ମୁଲା ତା’ହେଲେ ହେଉଛି ଏଇଭଳି: ପବିତ୍ର ପ୍ରେମ ପରେ ଜଣେ ଦେବୀଙ୍କୁ ବିବାହ କର; ପରେ ପରେ ସହର ଛାଡ଼ି ଏକ ନିକାଞ୍ଚନ ଗ୍ରାମ୍ୟ ପରିବେଶରେ ବାସ କର; ଅସଂଖ୍ୟ ସନ୍ତାନ ସନ୍ତତିଙ୍କୁ ଭୂମିଷ୍ଠ କର; ସାରା ଜୀବନ ଗୁରୁତର ବ୍ୟାଧିଗ୍ରସ୍ତ ଅବସ୍ଥାରେ ବିତାଅ- ଏଥିସହିତ ନିଜ କାର୍ଯ୍ୟ (ବିବର୍ତ୍ତନ ତତ୍ତ୍ବ ରଚନା)ରେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ନିମଜ୍ଜିତ ରୁହ। ଆଜିର ସମାଜରେ ବିବାହକୁ ସୁରକ୍ଷିତ ରଖିବା ପାଇଁ କେହି ଏହି ଫର୍ମୁଲା ପ୍ରୟୋଗ କରିବାର ସମ୍ଭାବନା ହେଉଛି ସେଇଭଳି ବିରଳ, ଯେଉଁଭଳି କୌଣସି ବିଲୁପ୍ତ ପ୍ରାଣୀର ପୁନଃ ଆବିର୍ଭାବ। ଅତଏବ କ୍ରମେ ସମାଜରେ ବିବାହ ଭଳି ବିବାହ ବିେଚ୍ଛଦ ଓ ପୁନର୍ବିବାହ (ଯାହାକୁ ଭାଷାବିତ୍ ସାମୁଏଲ୍ ଜନ୍ସନ୍ କହିଥିଲେ: ‘‘ଅନୁଭୂତି ଉପରେ ଆଶାର ବିଜୟ।’’) ଅଧିକରୁ ଅଧିକ ଏକ ସାଧାରଣ ଦୃଶ୍ୟରେ ପରିଣତ ହେବାକୁ ଯାଉଛି।
ଏ ପର୍ଯ୍ୟନ୍ତ ୧୯୫୫ର ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ପତି, ପତ୍ନୀଙ୍କ ମଧ୍ୟରୁ କେହି ବି ଏକ ବୈବାହିକ ଅପରାଧ ଘଟାଇଥିଲେ ହିଁ ଯାଇ ତାହା ବିବାହ ବିଚ୍ଛେଦର କାରଣ ରୂପେ ବିବେଚିତ ହେଉଥିଲା। ଫାମିଲି କୋର୍ଟ ବିବାହରେ ବିଚ୍ଛେଦ ଘଟାଇବା ପୂର୍ବରୁ ସେମାନଙ୍କୁ ମିଳାମିଶା ପାଇଁ ୬-୧୮ ମାସ ଅପେକ୍ଷାର ସୁଯୋଗ ଦେଉଥିଲା। ଏବେ କିନ୍ତୁ ସୁପ୍ରିମ୍ କୋର୍ଟର ଏକ ପାଞ୍ଚଜଣିଆ ବେଞ୍ଚ୍ ରାୟ ଦେଇଛନ୍ତି ଯେ କୌଣସି ବୈବାହିକ ଅପରାଧ ଘଟି ନ ଥିଲେ ହେଁ, ଯେଉଁଠି ମିଳାମିଶାର ଆଉ କୌଣସି ହେଲେ ସମ୍ଭାବନା ନ ଥିବ, ସେଭଳି କେତେକ ଘଟଣାରେ ମାମଲାକୁ ଫାମିଲି କୋର୍ଟକୁ ନ ପଠାଇ, କିମ୍ବା ୬-୧୮ ମାସ ପର୍ଯ୍ୟନ୍ତ ଅପେକ୍ଷା ନ କରି ସଂବିଧାନର ଧାରା-୧୪୨ ବଳେର ସୁପ୍ରିମ୍ କୋର୍ଟ ତତ୍କ୍ଷଣାତ୍ ବିବାହ ବିଚ୍ଛେଦ ଘଟାଇ ଦେଇପାରିବେ। ଏଥିରେ ସନ୍ଦେହ ନାହିଁ ଯେ ଏହି ଯୁଗାନ୍ତକାରୀ ରାୟର ଫଳ ସ୍ବରୂପ ବର୍ତ୍ତମାନ ଯେଉଁ ଉପରବର୍ଣ୍ଣିତ ଘଟଣାମାନ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହା ଅଦୂର ଭବିଷ୍ୟତରେ ଏକ ସାଧାରଣ ଦୃଶ୍ୟରେ ପରିଣତ ହେବ। ଡାର୍ୱିନ୍-ଏମାଙ୍କ ପରି ଦମ୍ପତି ‘ଡୋଡୋ’ ପକ୍ଷୀ ପରି ବିଲୁପ୍ତ ହୋଇଯିବ। ସେତେବେଳେ ଦାମ୍ପତ୍ୟ ଜଗତର ଚିତ୍ର ଏପରି ବଦଳି ଯାଇଥିବ ଯେ ‘‘କିଏ କାହାର?’’ ପ୍ରଶ୍ନର ଉତ୍ତର ସର୍ବଦା ଅନିଶ୍ଚିତ ହୋଇଯିବ, ଯେପରି ଉପରୋକ୍ତ ଘଟଣାମାନଙ୍କରେ ଦେଖିବାକୁ ମିଳିଛି।