ବିଦ୍ବାନ ଓ ପ୍ରଶ୍ନ

କଥାଟିଏ - ଯାଯାବର

ଜଣେ ଅପୂର୍ବ ଧୀ ଶକ୍ତି ସ˚ପନ୍ନ ବାଳକ ଅଜସ୍ର ପଢ଼ାପଢ଼ି କରି ଜଣେ ବିଦ୍ବାନ ଓ ସର୍ବଜ୍ଞ ତରୁଣରେ ପରିଣତ ହେଲା। ସେ ଏତେ ବଡ଼ ବିଦ୍ବାନ ହୋଇଗଲା ଯେ ସେ ଉତ୍ତର ଦେଇ ପାରୁ ନ ଥିବା ଭଳି ପ୍ରଶ୍ନ ନ ଥିଲା। ଗୁରୁମାନେ ଦେଖିଲେ ଯେ ତାକୁ ପଢ଼ାଇବା ଲାଗି କିଛି ନାହିଁ। କାରଣ ଯେତେ କଠିନ ପ୍ରଶ୍ନ ହେଲେ ବି ପ୍ରଶ୍ନକର୍ତ୍ତା ପ୍ରଶ୍ନ ପଚାରି ସାରିବା ପୂର୍ବରୁ ତା ମୁହଁରୁ ଉତ୍ତର ବାହାରି ଆସୁଥିଲା। ଏଥିରେ ପିଲାଟିର ମନରେ ଗର୍ବ ଜାତ ହେଲା।

ଦିନେ ଜଣେ ଗୁରୁ ତାକୁ କହିଲେ- ବାବୁ, ତୁମକୁ ଅଧିକ ଜ୍ଞାନ ଦେବାର ସାମର୍ଥ୍ୟ ଏଠି କାହାର ହେଲେ ନାହିଁ। ମୋ ଜାଣିବାରେ ଆମ ରାଜ୍ୟର ଯେ ସବୁଠାରୁ ବିଦ୍ବାନ୍‌ ଗୁରୁ ତୁମେ ତାଙ୍କ ପାଖକୁ ଯାଅ। ସେ ତୁମକୁ ଗ୍ରହଣ କରିବେ।

ତରୁଣ ଏହା ଶୁଣି ସେଇ ଗୁରୁଙ୍କ ପାଖକୁ ଗଲା। ଗୁରୁଙ୍କୁ ନିଜ ବିଦ୍‌ବତ୍ତାରେ ଚମତ୍କୃତ କରିଦେବ ବୋଲି ମନେ ମନେ ଭାବିଲା।

ଗୁରୁ ତାକୁ ଡାକି ପାଖରେ ବସାଇଲେ ଏବ˚ ତାର ପରୀକ୍ଷା ନେବା ଲାଗି ପ୍ରଶ୍ନଟିଏ ପଚାରିଲେ। ପ୍ରଶ୍ନ ସରିବା ଆଗରୁ ପିଲାଟି ଉତ୍ତର ଦେଇସାରି ଗର୍ବର ସହିତ ଗୁରୁଙ୍କ ମୁହଁକୁ ଚାହିଁଥିଲା।
ଗୁରୁ କହିଲେ- ତୁମେ ଅଯୋଗ୍ୟ ବୋଲି ପ୍ରମାଣିତ ହେଲ। ତେଣୁ ଏଠାରୁ ଯାଅ।

ଯୁବକ ବିସ୍ମିତ ହୋଇ କାରଣ ଜାଣିବାକୁ ଚାହିଁବାରୁ ଗୁରୁ କହିଲେ- ତୁମେ ସିନା ପାଠଗୁଡ଼ିଏ ପଢ଼ିଛ, ଅସଲ ଶିକ୍ଷା ପାଇନାହଁ। ପ୍ରଶ୍ନଟିଏ ଅଧା ଶୁଣି ଉତ୍ତର ଦେବା ଅର୍ଥ ତୁମେ ଚାରି ଜଣକୁ ଅସମ୍ମାନ କଲ। ପ୍ରଥମ ଅସମ୍ମାନ ହେଲା ପ୍ରଶ୍ନକୁ। ଦ୍ବିତୀୟ ଅସମ୍ମାନ ପ୍ରଶ୍ନକର୍ତ୍ତାକୁ। ଅଧା ଶୁଣା ପ୍ରଶ୍ନର ଉତ୍ତର ଦେଇ ତୁମେ ତୁମ ନିଜର ଉତ୍ତରର ବି ଅସମ୍ମାନ ଜଣାଇଲ। ଉତ୍ତର ଦେବାର ସାମର୍ଥ୍ୟ ସତ୍ତ୍ବେ ଏଭଳି ତରବରିଆ ଭାବେ ଉତ୍ତର ଦେଇ ନିଜକୁ ବି ଅସମ୍ମାନିତ କଲ। ଏଣୁ ତୁମେ ଯାଅ।

ତରୁଣ ଗୁରୁଙ୍କ ପାଦ ତଳେ ପଡ଼ି କହିଲା- ସତରେ ମୁଁ ମୂର୍ଖ। ମୋର ବହୁତ କିଛି ଶିକ୍ଷା ଲାଭ କରିବାର ଅଛି। ମୋତେ ଦୟା କରି ଗ୍ରହଣ କରନ୍ତୁ।
ଏହା ଦେଖି ଅବଶ୍ୟ ଗୁରୁ ତାକୁ ଆପଣାଇଲେ।

ସମ୍ବନ୍ଧିତ ଖବର