ଗତ ନଭେମ୍ବର ମାସରେ ନୂଆଦିଲ୍ଲୀ ଠାରେ ଏକ ଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଦ୍ବାନମାନଙ୍କୁ ଯଥାର୍ଥ ଓ ଗୌରବମୟ ଢଙ୍ଗରେ ଦେଶର ଇତିହାସକୁ ଉପସ୍ଥାପନ କରିବାକୁ କହିଲେ। ଦେଶରେ ୧୫୦ ବର୍ଷରୁ ଅଧିକ ସମୟ ଧରି ଶାସନ କରିଥିବା ୩୦ ରାଜବଂଶ ଓ ସ୍ବାଧୀନତା ପାଇଁ ସଂଗ୍ରାମ କରିଥିବା ୩୦୦ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ଉପରେ ଗବେଷଣା କରିବାକୁ ସେ ଆହ୍ବାନ ଦେଇଥିଲେ।
ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଏହି ଆଗ୍ରହର ତୁରନ୍ତ ଉତ୍ତର ମିଳିଥିଲା କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନପ୍ରାପ୍ତ ତଥା ନିର୍ଦ୍ଦେଶିତ ସଂସ୍ଥା ‘ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ’ (ଆଇ.ସି.ଏଚ୍.ଆର୍.) ପକ୍ଷରୁ। ଫେବ୍ରୁଆରି ଶେଷ ଭାଗରେ ଡିଜିଟାଲ୍ ମଞ୍ଚ ‘ଦି ପ୍ରିଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ‘ଆଇ.ସି.ଏଚ୍.ଆର୍.’ ଦ୍ବାରା ରେକର୍ଡ ତିନି ସପ୍ତାହର ଅବଧି ମଧ୍ୟରେ ‘ମଧ୍ୟଯୁଗୀୟ ଭାରତର ଗୌରବ: ଅଷ୍ଟମ-ଅଷ୍ଟାଦଶ ଶତାବ୍ଦୀର ଅନାଲୋଚିତ ଭାରତୀୟ ରାଜବଂଶଗୁଡ଼ିକର ନିର୍ଦ୍ଧାରଣ’ ଶୀର୍ଷକ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଦର୍ଶିତ ରାଜବଂଶଗୁଡ଼ିକ ମଧ୍ୟରେ ଚୋଳ, କାକତୀୟ, ମରାଠା ଏବଂ ବିଜୟ ନଗର ସାମ୍ରାଜ୍ୟର ଶାସକମାନେ ସାମିଲ ଥିଲେ। ତେବେ, ସେଥିରେ ମୁସଲମାନ ନାମ ବହନ କରିଥିବା କୌଣସି ଶାସକ ବା ରାଜବଂଶ ସ୍ଥାନ ପାଇ ନଥିଲେ।
ଏକ ସରକାରୀ ସଂସ୍ଥା ଭାବରେ ‘ଆଇ.ସି.ଏଚ୍.ଆର୍.’ ସର୍ବଦା ସରକାର ଓ ଶାସକ ଦଳର ରାଜନୈତିକ ପ୍ରାଥମିକତାକୁ ଗୁରୁତ୍ବ ଦେଇ ଆସିଛି। ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା, ସେତେବେଳେ ଏହା ବାମପନ୍ଥୀ-ଜାତୀୟତାବାଦୀଙ୍କ ଦ୍ବାରା ପରିଚାଳିତ ହେଉଥିଲା, ଯେଉଁମାନେ ଇତିହାସର ଏକ ମାର୍କସବାଦୀ ସଂସ୍କରଣକୁ ସମର୍ଥନ କରିଥିଲେ। ଏହି ଅତୀତକୁ ଦର୍ଶାଇ ଏବର ସରକାରଙ୍କ ସମର୍ଥକମାନେ ବର୍ତ୍ତମାନର କାର୍ଯ୍ୟକୁ ଯଥାର୍ଥ ବୋଲି ଅଭିହିତ କରୁଛନ୍ତି।
ଏହି ସମାଲୋଚନା ମଧ୍ୟ ଯଥାର୍ଥ, ଯଦିଓ ଶ୍ରେଷ୍ଠ ମାର୍କସବାଦୀ ଐତିହାସିକମାନଙ୍କ କାର୍ଯ୍ୟରେ ଏକ ବିଶ୍ଳେଷଣାତ୍ମକ କଠୋରତା ଥିଲା ଏବଂ ସେମାନେ ପ୍ରାଥମିକ ଉତ୍ସର ଗଭୀରତାକୁ ଯାଇ ତଥ୍ୟ ଆହରଣ କରୁଥିଲେ, ଯାହା ହିନ୍ଦୁ ଦକ୍ଷିଣପନ୍ଥୀଙ୍କ ଦ୍ବାରା ବର୍ତ୍ତମାନର ଇତିହାସ-ଲିଖନ (ବା ପୁନର୍ଲିଖନ)ରେ ଦେଖିବାକୁ ମିଳୁନାହିଁ। ତେବେ ଅଧିକ ଗୁରୁତ୍ବପୂର୍ଣ୍ଣ ହେଲା, ଆମର ସର୍ବୋତ୍ତମ ଐତିହାସିକମାନେ କ୍ବଚିତ୍ ‘ଆଇ.ସି.ଏଚ୍.ଆର୍.’ର ଛତ୍ରଛାୟା ତଳେ ଆଶ୍ରୟ ନେଇଛନ୍ତି। ସେମାନେ ବିଶ୍ବବିଦ୍ୟାଳୟ ବ୍ୟବସ୍ଥାରେ କାର୍ଯ୍ୟ କରିଛନ୍ତି, ଯେଉଁଠାରେ ସେମାନେ ଗବେଷକ ବିଦ୍ୟାର୍ଥୀମାନଙ୍କୁ ଦିଗ୍ଦର୍ଶନ ଦେବା ସହିତ ନିଜର ପୁସ୍ତକ ଓ ପ୍ରବନ୍ଧ ଲେଖିଛନ୍ତି। ଏଗୁଡ଼ିକ ବିଭିନ୍ନ ବିଷୟ ଉପରେ ଆଧାରିତ ଯହିଁରେ ପ୍ରାଥମିକ ଉତ୍ସର ବ୍ୟାପକ ବ୍ୟବହାର କରାଯାଇଛି ଏବଂ କ୍ବଚିତ୍ ଦଳୀୟ ରାଜନୈତିକ ‘ଏଜେଣ୍ଡା’ର ପ୍ରସାରକାରୀ ହୋଇଛି। ଏହି ଐତିହାସିକମାନେ ବିଦ୍ବାନ୍ ଥିଲେ, ବେତନଭୋଗୀ ଲେଖକ ନ ଥିଲେ। ସେମାନଙ୍କ ଭିତରୁ ଅଳ୍ପ କେତେ ଜଣ ମାର୍କସବାଦୀ ଥିଲେ।
ଏବେ ବର୍ତ୍ତମାନର ଶାସକଙ୍କ ଦ୍ବାରା ପ୍ରୋତ୍ସାହିତ ଇତିହାସର ପୁନର୍ଲିଖନ ବାବଦରେ ଆଲୋଚନା କରିବା। ଯେଉଁମାନେ ଅତୀତ ବିଷୟରେ ଅଧ୍ୟୟନ କରନ୍ତି କିମ୍ବା ଲେଖନ୍ତି, ସେମାନଙ୍କ ଠାରୁ ବିଜେପି ବିଚାରଧାରା ସଂପନ୍ନ ଲୋକେ କ’ଣ ଆଶା କରନ୍ତି? ମୁଦ୍ରିତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ଦ୍ବାରା କୁହାଯାଇଥିବା ବିଷୟକୁ ଆଧାର କରି ଏହା ସ୍ପଷ୍ଟ ଯେ ଆମେ ଯାହାକୁ ‘ହିନ୍ଦୁତ୍ବ ଇତିହାସ’ ବୋଲି କହିପାରିବା, ତାହାର ନିମ୍ନ ପ୍ରଦତ୍ତ ତିନିଟି କେନ୍ଦ୍ରୀୟ ସିଦ୍ଧାନ୍ତ ରହିଛି।
ପ୍ରାଚୀନ କାଳ କଥା ଉଠିଲେ, ଦର୍ଶନ, ଭାଷା, ସାହିତ୍ୟ, ରାଷ୍ଟ୍ରନୀତି, ଚିକିତ୍ସା, ଜ୍ୟୋତିର୍ବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ଭାରତ ପୃଥିବୀର ସମସ୍ତଙ୍କ ଠାରୁ ଏବଂ ବିଶେଷ କରି ୟୁରୋପ ଓ ଆମେରିକା ଠାରୁ ଆଗରେ ଥିବାର ଚିତ୍ର ପ୍ରସ୍ତୁତ କରିବାକୁ ‘ହିନ୍ଦୁତ୍ବ ଇତିହାସ’ ଐତିହାସିକମାନଙ୍କୁ କହିଥାଏ। ଏହାକୁ ଦର୍ଶାଇ ଭାରତ ଖୁବ୍ ଶୀଘ୍ର ପୁଣି ଥରେ ଅବଶିଷ୍ଟ ବିଶ୍ବର ନେତୃତ୍ବ ନେବ ବୋଲି ବ୍ୟାଖ୍ୟାନ ସୃଷ୍ଟି କରାଯାଉଛି।
ମଧ୍ୟଯୁଗୀୟ କଥା ଆସିଲେ, ମୁସଲମାନ ନାମ ଥିବା ଯୋଦ୍ଧା ବା ଶାସକମାନଙ୍କୁ ଦୁଷ୍ଟ ତଥା ବିଶ୍ବାସଘାତକ ଭାବେ ଚିତ୍ରଣ କରିବା ଲାଗି ‘ହିନ୍ଦୁତ୍ବ ଇତିହାସ’ କହିଥାଏ। ଅପରପକ୍ଷେ ହିନ୍ଦୁ ନାମଧାରୀ ଯୋଦ୍ଧା ଓ ଶାସକମାନେ ମହାନ ତଥା ଧର୍ମପରାୟଣ ବୋଲି ବର୍ଣ୍ଣନା କରାଯାଇଥାଏ।
ସେହିପରି ଆଧୁନିକ ସମୟ କଥା ଉଠିଲେ ଐତିହାସିକମାନଙ୍କୁ ସ୍ବାଧୀନତା ସଂଗ୍ରାମରେ ଭାରତୀୟ ଜାତୀୟ କଂଗ୍ରେସର ଭୂମିକାକୁ ହ୍ରାସ କରିବାକୁ ତଥା କଂଗ୍ରେସ ବାହାରେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ କାର୍ଯ୍ୟ କରିଥିବା ଧାରାକୁ ପ୍ରଶଂସା କରିବାକୁ ‘ହିନ୍ଦୁତ୍ବ ଇତିହାସ’ କହିଥାଏ। ବ୍ୟକ୍ତିତ୍ବ ରୂପେ ବିଶେଷ କରି ଗାନ୍ଧୀଜୀ ଓ ନେହରୁଙ୍କୁ ଦୁର୍ବଳ ତଥା ଅସ୍ଥିର-ଚିତ୍ତ ଏବଂ ସାବରକର ଓ ନେତାଜୀଙ୍କୁ ବୀର ତଥା ଅନମନୀୟ ଭାବେ ଉପସ୍ଥାପନ କରିବାକୁ ଏହି ନୀତି ଦାବି କରେ।
କିନ୍ତୁ, ‘ହିନ୍ଦୁତ୍ବ ଇତିହାସ’ ଅସଂଗତି ଓ ତଥ୍ୟଗତ ତ୍ରୁଟିରେ ପରିପୂର୍ଣ୍ଣ। ଭାରତକୁ ଗଣତନ୍ତ୍ରର ଜନନୀ ବୋଲି ଦାବି କରାଯାଇ ପାରିବ ନାହିଁ ଏବଂ ମଧ୍ୟଯୁଗୀୟ କିମ୍ବା ପ୍ରାଚୀନ ଶାସକମାନଙ୍କୁ ମଧ୍ୟ ଗୌରବାନ୍ବିତ କରାଯାଇ ପାରିବ ନାହିଁ। ଦେଶର ଯେ କୌଣସି ସ୍ଥାନରେ ୧୫୦ ବର୍ଷରୁ ଅଧିକ ସମୟ ଧରି ଶାସନ କରିଥିବା ରାଜବଂଶକୁ ମହିମାନ୍ବିତ କରାଯାଇ ପାରିବ ନାହିଁ; କାରଣ ପରିବାରବାଦ ରାଜନୀତି ପାଇଁ କଂଗ୍ରେସ ଉପରେ ଏବେ ଆକ୍ରମଣ ହେଉଛି। ସେହିପରି ରାଜନୈତିକ ଦୃଷ୍ଟିରୁ ଅଲଗା ହୋଇଯାଇଥିଲେ ହେଁ ବୋଷ ଗାନ୍ଧୀଜୀଙ୍କୁ ଖୁବ୍ ପ୍ରଶଂସା କରୁଥିଲେ। ସେ ତାଙ୍କୁ ଜାତିର ପିତା ବୋଲି ସମ୍ବୋଧନ କରିବା ସହ ଗାନ୍ଧୀ, ନେହରୁ ଓ ମୌଲାନା ଆଜାଦଙ୍କ ଦ୍ବାରା ନାମିତ ଏକ ସେନାର ନେତୃତ୍ବ ନେଉଥିଲେ। ହିନ୍ଦୁତ୍ବ ଐତିହାସିକମାନେ ମୁଖ୍ୟତଃ ପ୍ରସିଦ୍ଧ, ଶକ୍ତିଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତି ଏବଂ ସୂକ୍ଷ୍ମତା ଉପରେ ସେମାନଙ୍କ ଧ୍ୟାନ ନ ଥାଏ; ସୁତରାଂ, ସେହି ସ୍ଥୂଳ ଦୃଷ୍ଟିରେ ହିଁ ସେମାନଙ୍କୁ ଭଲ କିମ୍ବା ମନ୍ଦ ଭାବରେ ଉପସ୍ଥାପନ କରନ୍ତି। ସେମାନଙ୍କ ଉପରେ ପଡ଼ିଥିବା ସାମାଜିକ ବା ସାଂସ୍କୃତିକ ପ୍ରଭାବ, ସେମାନଙ୍କ କାର୍ଯ୍ୟ ପଛରେ ଥିବା ମନୋବୈଜ୍ଞାନିକ ପ୍ରେରଣା, ସେମାନେ କରିଥିବା ବୁଝାମଣା ଏବଂ ସେମାନେ ପଛରେ ଛାଡ଼ି ଯାଇଥିବା ଜଟିଳ ଉତ୍ତରାଧିକାର ଆଦି ବାବଦରେ ଆମେ ଅଳ୍ପ କିଛି ଜାଣି ପାରୁ।
ସତ କହିଲେ କେବଳ ପ୍ରସିଦ୍ଧ କିମ୍ବା ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ଜୀବନ ଓ କାର୍ଯ୍ୟ ଠାରୁ ଇତିହାସର ସମ୍ଭାବନା କାହିଁ କେତେ ଅଧିକ ସୁଦୂରବିସ୍ତାରୀ। ‘ନିମ୍ନରୁ ଇତିହାସ’ ବୋଲି ଯେଉଁ ଇତିହାସ ଲିଖନ ଧାରା ଅଛି, ତହିଁରେ କୃଷକ, ଶ୍ରମିକ, ଆଦିବାସୀ ଓ ଅନ୍ୟାନ୍ୟ ବଞ୍ଚିତ ଗୋଷ୍ଠୀର ଜୀବନ ଓ ସଂଗ୍ରାମର ଅଧ୍ୟୟନ ରହିଥାଏ। ମାନବ ଜାତିର ଅର୍ଦ୍ଧେକ ମହିଳାମାନଙ୍କ କାହାଣୀକୁ ଗୁରୁତ୍ବ ଦେଇଥାଏ, ଯେଉଁମାନଙ୍କୁ ପାରମ୍ପରିକ ପୁରୁଷ-ପ୍ରଧାନ ଦୃଷ୍ଟିକୋଣ ପ୍ରାୟତଃ ଅଦୃଶ୍ୟ କରିଦେଇଛି। ସେମିତି ପରିବେଶ ଇତିହାସରେ ପ୍ରକୃତି ଓ ମନୁଷ୍ୟ ମଧ୍ୟରେ ସଂପର୍କର ଗତି ଓ ପ୍ରକୃତି ବିଷୟରେ ଅନୁଧ୍ୟାନ କରାଯାଇଥାଏ ତ ସାଂସ୍କୃତିକ ଇତିହାସ ସଂଗୀତ, କଳା, ବିଜ୍ଞାନ ଏବଂ ସ୍ଥାପତ୍ୟରେ ସର୍ଜନଶୀଳତାର କ୍ରମ ବିକାଶର ବିଭିନ୍ନ ଦିଗକୁ ଅନୁସନ୍ଧାନ କରାଯାଏ।
ଏହି ତାଲିକା ଐତିହାସିକ ଅଧ୍ୟୟନର କେତେକ ଦୃଷ୍ଟାନ୍ତ ମାତ୍ର, ଏହା ସଂପୂର୍ଣ୍ଣ ନୁହେଁ। ତଥାପି ଏହା ପାଠକମାନଙ୍କୁ ଏକ ବ୍ୟାପକ କ୍ଷେତ୍ରରେ ମାନବ ଜୀବନ ଓ ଅନୁଭବର ସେହି ଧାରଣାମାନ ଦେଇଥାଏ, ଯାହାକୁ ହିନ୍ଦୁତ୍ବ ଐତିହାସିକମାନେ ଅଣଦେଖା କରନ୍ତି। ମାତ୍ର ଅତୀତକୁ ନେଇ ପ୍ରକୃତ ଜିଜ୍ଞାସା ରଖିଥିବା ଶିକ୍ଷିତ ଭାରତୀୟମାନେ ଏହି ବିଷୟରେ ଜାଣିବାକୁ ଇଚ୍ଛା କରିପାରନ୍ତି। ସୌଭାଗ୍ୟବଶତଃ, ପେସାଦାର ଐତିହାସିକମାନେ ଏହି ସବୁ ବିଷୟରେ ଅନେକ ଭାବଗମ୍ଭୀର ଲେଖା ‘ଇଣ୍ଡିଆନ ଇକୋନୋମିକ୍ ଆଣ୍ଡ୍ ସୋସିଆଲ ହିଷ୍ଟ୍ରି ରିଭ୍ୟୁ’ରେ ଳେଖିଛନ୍ତି। ଏହି ପତ୍ରିକାର ଯଶ ଓ ପ୍ରତିଷ୍ଠାର ଶ୍ରେୟ ଯିବ ସ୍ବର୍ଗତ ପ୍ରାଧ୍ୟାପକ ଧର୍ମକୁମାରଙ୍କ ନିକଟକୁ, ଯିଏ ଦୀର୍ଘ ତିନି ଦଶନ୍ଧି ଧରି ଏହାର ସମ୍ପାଦନା କରିଥିଲେ। ପ୍ରାଧ୍ୟାପକ କୁମାର ଜଣେ ସୈଦ୍ଧାନ୍ତିକ ଉଦାରବାଦୀ ଥିଲେ, ଯିଏ ଉଭୟ ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ବିଚାରଧାରାକୁ ଘୃଣା କରୁଥିଲେ (ମାର୍କସବାଦୀମାନେ ମଧ୍ୟ ତାଙ୍କୁ ଭଲ ପାଉ ନ ଥିଲେ), ଏବଂ ଐତିହାସିକ ଅନୁସନ୍ଧାନର ପରିସରକୁ ବ୍ୟାପକ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ। ସାମାଜିକ ଓ ସାଂସ୍କୃତିକ ସମେତ ଅର୍ଥନୈତିକ ଓ ରାଜନୈତିକ ଇତିହାସରେ ତାଙ୍କର ଗଭୀର ରୁଚି ଥିଲା। ଏଥି ସହିତ ଯୁବ ବିଦ୍ବାନମାନଙ୍କୁ ପ୍ରୋତ୍ସାହିତ କରିବାର ଏକ ବିଶେଷ ଗୁଣ ତାଙ୍କର ଥିଲା। ସେହି ଗବେଷଣାଧର୍ମୀ ପତ୍ରିକା ବ୍ୟତୀତ ଉଭୟ ବିଶେଷଜ୍ଞ ଓ ଅଣବିଶେଷଜ୍ଞ ପାଠକମାନଙ୍କୁ ଦୃଷ୍ଟିରେ ରଖି ସେ ପୁସ୍ତକ ମଧ୍ୟ ପ୍ରକାଶନ କରିଛନ୍ତି, ସେଥି ମଧ୍ୟରୁ ଅନେକ ଏବେ ମଧ୍ୟ ଛପାଯାଉଛି।
ଐତିହାସିକମାନେ ମାନବ ଅନୁଭୂତିର ସମସ୍ତ ଦିଗକୁ ଅନୁଧ୍ୟାନ କରିଥା’ନ୍ତି; ଯେମିତି କି ପୂର୍ବ ପିଢ଼ିର ଘର ସବୁ କେଉଁ ସାମଗ୍ରୀରେ ନିର୍ମିତ ହେଉଥିଲା, ସେମାନେ କେଉଁ ଫସଲ କରୁଥିଲେ ଓ କ’ଣ ଖାଉଥିଲେ, କି ପୋଷାକ ପିନ୍ଧୁଥିଲେ, କେଉଁ ଗୀତ ଗାଉଥିଲେ, କେଉଁ ନୂତନ ଜ୍ଞାନକୌଶଳକୁ ଗ୍ରହଣ କରୁଥିଲେ ବା କେଉଁ ପୁରାତନତାକୁ ତ୍ୟାଗ କରୁଥିଲେ, କେଉଁ ରାଜନୈତିକ ବ୍ୟବସ୍ଥାର ଆବିର୍ଭାବ ଘଟିଥିଲା ଏବଂ କେଉଁ ଆଇନଗତ ଓ ପ୍ରାଶାସନିକ ଢାଞ୍ଚା ତାହାକୁ ସମର୍ଥନ କରୁଥିଲା, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନରେ ଜଙ୍ଗଲ, ଜଳ, ଜଳବାୟୁ ଓ ଭୂମିର ଭୂମିକା କ’ଣ ଥିଲା ଇତ୍ୟାଦି ଇତ୍ୟାଦି। ପ୍ରାଗୈତିହାସିକ କାଳରୁ ଆଜି ଯାଏ ଏସବୁ ବିଷୟ ଉପରେ ଭାରତୀୟ ଓ ବିଦେଶୀ ବିଦ୍ବାନମାନଙ୍କ କାର୍ଯ୍ୟର ଏକ ବିଶାଳ ପାଠାଗାର ରହିଛି। ଅତ୍ୟନ୍ତ ଚିତ୍ତାକର୍ଷକ ଏଭଳି ଐତିହାସିକ ପ୍ରସଙ୍ଗଗୁଡ଼ିକ ପ୍ରତି ‘ହିନ୍ଦୁତ୍ବ ଇତିହାସ’ର ପ୍ରବକ୍ତାମାନେ ସ୍ବଳ୍ପ ଆଗ୍ରହ ରଖିଥା’ନ୍ତି, ଯେଉଁମାନେ କେବଳ ହିନ୍ଦୁ ‘ନାୟକ’ ଓ ହିନ୍ଦୁ ‘ସଭ୍ୟତା’ ଏବଂ ମୁସଲମାନ (ଏବଂ ବେଳେ ବେଳେ ଖ୍ରୀଷ୍ଟିଆନ) ଖଳନାୟକଙ୍କ ଚରିତ୍ର ଚିତ୍ରଣ କରି ତଦ୍ଦ୍ବାରା ନିଜର ବୈଚାରିକ ପକ୍ଷପାତିତାକୁ ନିଶ୍ଚିତ କରିବାକୁ ଚାହିଁଥା’ନ୍ତି।
ନେଦରଲାଣ୍ଡର ମହାନ୍ ବିଦ୍ବାନ ପିଟର ଗେଲ ଏକଦା ମନ୍ତବ୍ୟ ଦେଇଥିଲେ ଯେ ଇତିହାସ ଏକ ଅନ୍ତହୀନ ଯୁକ୍ତି। ଭାରତର ଅତୀତ ଅଧ୍ୟୟନ ବିବିଧ ଢାଞ୍ଚା, ବିବିଧ ପଦ୍ଧତି, ବିଭିନ୍ନ ବର୍ଣ୍ଣନା କୌଶଳ ସହିତ ବିଦ୍ବାନମାନଙ୍କ ପାଇଁ ଉନ୍ମୁକ୍ତ ରହିଲେ ଇତିହାସ ସମୃଦ୍ଧ ହୋଇପାରିବ। କିନ୍ତୁ ଯଦି କ୍ଷମତାରେ ଥିବା ଜଣେ ରାଜନେତା ବିଦ୍ବାନମାନଙ୍କୁ କ’ଣ ଦବାଇ ରଖିବା ଓ କ’ଣ ପ୍ରକାଶ ରଖିବା; ସେ ନେଇ ନିର୍ଦ୍ଦେଶ ଦିଅନ୍ତି, ତେବେ ଉପରେ କୁହାଯାଇଥିବା ଭଳି ସମୃଦ୍ଧ ଇତିହାସ ସମ୍ଭବ ହୋଇପାରିବ ନାହିଁ। ଏକଦା ବିଦ୍ବାନମାନେ ‘ଇତିହାସର ଷ୍ଟାଲିନୀୟ ମିଥ୍ୟା’ ବାବଦରେ କହିଥିଲେ; ସେହି ବିଶେଷ ସମସ୍ୟା ଅବଶ୍ୟ ଆଉ ନାହିଁ। ଆମକୁ ବର୍ତ୍ତମାନ ନଗ୍ନ ବହୁସଂଖ୍ୟକବାଦ ଓ ଉଗ୍ର ଦେଶପ୍ରେମର ଧ୍ବଜାଧାରୀଙ୍କ ଏଜେଣ୍ଡାକୁ ପୂରଣ କରିବା ଲାଗି ଉଦ୍ଦିଷ୍ଟ ଇତିହାସ ମିଳିବାକୁ ଯାଉଛି, ଯାହା ଅତୀତର ଭ୍ରାନ୍ତ ବା ମିଥ୍ୟା ଐତିହାସିକ ଉପସ୍ଥାପନା ସହିତ ପ୍ରତିଦ୍ବନ୍ଦ୍ବିତା କରିବ।