କେତେକ କୀଟପତଙ୍ଗ ଓ ପଶୁ ପକ୍ଷୀ ପ୍ରାକୃତିକ ଦୁର୍ବିପାକର ପ୍ରାକ୍ ସୂଚନା ପାଇଥାଆନ୍ତି। କୁକୁର ବା ଘୋଡ଼ା ଅବା ଗାଈ ଅଥବା ବିଲେଇ ଭଳି ପ୍ରାଣୀ ଶହ ଶହ ବର୍ଷ ଧରି ଗୃହପାଳିତ ହେବା ଭିତରେ ସେମାନଙ୍କ ଅନେକ ପ୍ରକୃତି-ପ୍ରଦତ୍ତ ସ୍ବଭାବ ହରାଇଥିଲେ ମଧ୍ୟ କେତେକ ଭବିଷ୍ୟତ୍ ସୂଚନା ଲାଭ କରିବାର ସାମର୍ଥ୍ୟ ରଖିଛନ୍ତି। ଉଦାହରଣ ସ୍ବରୂପ ଭୂମିକଂପ ପୂର୍ବରୁ ଘୋଡ଼ା ବା ଗାଈଗୋରୁମାନେ ସେମାନଙ୍କ ଅସ୍ତାବଲ ଓ ଗୁହାଳ ଭିତରେ ଅସ୍ତବ୍ୟସ୍ତ େହଉଥିବା ଦେଖାଯାଏ।
କୁହାଯାଏ କୌଣସି ଜାହାଜ ବୁଡ଼ିବାର ଥିଲେ ପୂର୍ବ ବନ୍ଦରରେ ହିଁ ଜାହାଜରେ ଥିବା ମୂଷାମାନେ ତାକୁ ପରିତ୍ୟାଗ କରି ପଳାନ୍ତି। ପିମ୍ପୁଡ଼ି, ମହୁମାଛି, ଉଇ ଭଳି କୀଟପତଙ୍ଗଙ୍କ ଗତିବିଧିରୁ ଭୂମିକମ୍ପ, ସୁନାମି ବା ଝଡ଼ତୋଫାନ ଆଦିର ଆଭାସ ମିଳି ପାରିଥାଏ। ପୂର୍ବରୁ କୁଆଡ଼େ ମନୁଷ୍ୟ ମଧ୍ୟ ସ୍ବଭାବଗତ ଭାବେ ଏହି କ୍ଷମତାର ଅଧିକାରୀ ଥିଲା, ଯାହା ବିଜ୍ଞାନ ଓ ହେତୁବାଦଭିତ୍ତିକ ଚିନ୍ତାଧାରାର ବିକାଶ ପରେ ମନୁଷ୍ୟ ହାତରୁ ଖସିଗଲା ବୋଲି କେତେକ ମତ ପ୍ରକାଶ ପାଇଥାଏ। ତେବେ, କଥା ହେଲା ଯେ ଆମ ଭିତରେ ଅନେକ ସମୟରେ ଭବିଷ୍ୟଦ୍ରଷ୍ଟାମାନଙ୍କୁ ଦେଖିବାକୁ ମିଳିଥାଏ। ଆମ ରାଜ୍ୟରେ ଭକ୍ତକବି ଅଚ୍ୟୁତାନନ୍ଦ ଦାସଙ୍କ ‘ମାଳିକା’କୁ ଏହି ପର୍ଯ୍ୟାୟଭୁକ୍ତ କରାଯାଏ, ଯହିଁରେ ଏବେ ଘଟୁଥିବା ଅନେକ ଘଟଣାର ବର୍ଣ୍ଣନା ରହିଥିବା ସହିତ ଆଗକୁ କ’ଣ ଘଟିବ ତାହାର ମଧ୍ୟ ସୂଚନା ଅଛି ବୋଲି କୁହାଯାଏ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ୍. କେନେଡିଙ୍କୁ ୧୯୬୩ ମସିହା ନଭେମ୍ବର ୨୨ ତାରିଖରେ ଗୁଳି କରି ହତ୍ୟା କରାଗଲା। ଷୋଡ଼ଶ ଶତାବ୍ଦୀର ପୃଥିବୀ ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟା ନଷ୍ଟ୍ରଡାମସ ତାଙ୍କ ପୁସ୍ତକ ‘ଲେସ୍ ପ୍ରଫେଟିଜ୍’ରେ ଏହାର ଇଙ୍ଗିତ ଦେଇଥିବା ଦେଖିବାକୁ ମିଳିଥାଏ। ତାଙ୍କ ଭବିଷ୍ୟବାଣୀରେ ୧୬୬୬ ମସିହାର ଭୟାବହ ଲଣ୍ଡନ ଅଗ୍ନିକାଣ୍ଡ, ୧୭୮୯ ମସିହାର ଯୁଗାନ୍ତକାରୀ ଫରାସୀ ବିପ୍ଲବ ଆଦିରୁ ଆରମ୍ଭ କରି ୧୯୯୭ ମସିହାରେ ରାଜକୁମାରୀ ଡାଏନାଙ୍କ ଅକାଳ ମୃତ୍ୟୁ ଏବଂ ଆତଙ୍କବାଦୀ ଆକ୍ରମଣରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ‘ଟୁଇନ ଟାୱାର’ର ଧ୍ବଂସ କାଣ୍ଡ ଆଦି ନେଇ ସୂଚନା ରହିଥିବାର ଦେଖାଯାଏ। ଆମେରିକାରେ ଦୁଇଟି ବିମାନ ଧକ୍କାରେ ‘ଟୁଇନ୍ ଟାୱାର’ ପାଉଁଶ ଗଦାରେ ପରିଣତ ହେଲା। ତାହା ନଷ୍ଟ୍ରଡାମସଙ୍କ ପୁସ୍ତକରେ ‘ଇସ୍ପାତୀ ବିହଙ୍ଗର ଆଘାତରେ ଯମଜ ଭ୍ରାତାଙ୍କ ପତନ’ ଭାବେ ବର୍ଣ୍ଣିତ ଅଛି।
୧୮୭୦ ମସିହାରେ ଜୁଲ ଭର୍ନଙ୍କ ଉପନ୍ୟାସ ‘ଫ୍ରମ ଆର୍ଥ ଟୁ ମୁନ’ ପ୍ରକାଶିତ ହୋଇଥିଲା, ଯାହାର ଏକ ଶହ ବର୍ଷ ପରେ ଯାଇ ବାସ୍ତବରେ ଭୂପୃଷ୍ଠରୁ ଚନ୍ଦ୍ର ଅଭିଯାନ ଘଟିଲା, ଯାହା ଅନେକାଂଶରେ ଭର୍ନଙ୍କ ବର୍ଣ୍ଣନା ସହିତ ମିଶି ଯାଇଥିଲା। ସେମିତି ଜିନ ଡିକସନ ନାମକ ଜଣେ ଆମେରିକୀୟ ସାମ୍ବାଦିକା ଜନ ଏଫ୍. କେନେଡିଙ୍କ ମୃତ୍ୟୁ ସଂପର୍କରେ ସତର୍କ କରାଇ ଦେଇଥିଲେ ଏବଂ ଆମେରିକୀୟ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ୱାଟରଗେଟ୍ ସ୍କାଣ୍ଡାଲ ଭଳି କୁଖ୍ୟାତ ଘଟଣାରେ ଜଡ଼ିତ ହେବାର ଭବିଷ୍ୟବାଣୀ ମଧ୍ୟ କରିଥିଲେ। ବୁଲଗେରିଆର ବାବା ଭେଙ୍ଗା ନାମକ ଜଣେ ମହିଳା ଏକ ଘୂର୍ଣ୍ଣିଝଡ଼ କବଳରେ ପଡ଼ି ମୁଣ୍ଡରେ ଆଘାତ ପାଇବା ପରେ ଦୃଷ୍ଟି ଶକ୍ତି ହରାଇଲେ ସିନା, କିନ୍ତୁ ହଠାତ୍ ଭବିଷ୍ୟତ ଜାଣି ପାରିବର ଏକ କ୍ଷମତା ହାସଲ କଲେ। ସେ ୯/୧୧ର ଆତଙ୍କବାଦୀ ଆକ୍ରମଣ, ୨୦୦୪ ମସିହାର ଥାଇଲାଣ୍ଡ ସୁନାମି ଇତ୍ୟାଦି ସଂପର୍କରେ ଭବିଷ୍ୟବାଣୀ ମଧ୍ୟ କରିଥିଲେ।
ଉପରେ କେତେକ ଉଦାହରଣ ମାତ୍ର ଦିଆଯାଇଛି। ପୃଥିବୀର ସବୁ ଦେଶରେ ଏଭଳି ଭବିଷ୍ୟଦ୍ରଷ୍ଟାମାନେ ଅଛନ୍ତି ଯେଉଁମେନ ଏକ ପ୍ରକାର ଅଲୌକିକ କ୍ଷମତାରୁ ଏଭଳି କରି ପାରୁଥିବାର ଦାବି କରନ୍ତି। ଏମାନେ ଜ୍ୟୋତିଷ ବିଦ୍ୟାର ଆଶ୍ରୟ ନିଅନ୍ତି ନାହିଁ; ସେମାନଙ୍କୁ ଅପୂର୍ବ ଝଲକ ରୂେପ କିଛି ଦୃଶ୍ୟ ଦିଶିଯାଏ ବୋଲି ସେମାନେ କହନ୍ତି, ଯହିଁରୁ ସେମାନେ ପୂର୍ବାନୁମାନ କରନ୍ତି। ଏହାକୁ ଇଂରେଜୀରେ ’କ୍ଲେରଭୟାନ୍ସ’ ବୋଲି କୁହାଯାଏ।
ପୃଥିବୀ ପ୍ରସିଦ୍ଧ ସ୍ବିଜରଲାଣ୍ଡ ମନୋଚିକିତ୍ସକ ଏବଂ ଅତୁଳନୀୟ ବୈଜ୍ଞାନିକ କାର୍ଲ ଗୁଷ୍ଟାଭ ୟୁଙ୍ଗ ପ୍ରଥମେ ଆବିଷ୍କାର କରିଥିଲେ ଯେ ପ୍ରତ୍ୟେକ ମନୁଷ୍ୟର ମନର ବୃହତ୍ତମ ଭାଗଟି ହେଉଛି ଅଚେତନ ବା ‘ଅନକନସସ୍’, ଯାହାର ଅତଳ ଗର୍ଭରେ ମାନବ ଜାତିର ସଂପୂର୍ଣ୍ଣ ଇତିହାସ ଲୁଚି ରହିଛି।
ଏହି ଅଚେତନରୁ ସ୍ବପ୍ନ ସୃଷ୍ଟି ହୁଏ ଏପରିକି ସମୟେ ସମୟେ ଭବିଷ୍ୟତ୍ର ଆଭାସ ମଧ୍ୟ ମିଳିପାରେ। ଚିକିତ୍ସକମାନେ କହନ୍ତି ଯେ ମନୁଷ୍ୟ ମସ୍ତିଷ୍କାର ଏକ କ୍ଷୁଦ୍ର ଭାଗ ସକ୍ରିୟ ରହି ମନୁଷ୍ୟର ସଚେତନ ମନର ପରିଚାଳନା କରିଥାଏ ସିନା, ଏକ ବୃହତ୍ ଭାଗ ପ୍ରାୟତଃ ଜୀବନ ତମାମ ନିଷ୍କ୍ରିୟ ହୋଇ ରହେ ଯହିଁରେ ଲୁଚି ରହିଥାଏ ତ୍ରିକାଳଦର୍ଶୀ ହେବାର କ୍ଷମତା। ଅନେକ ସମୟରେ ଦୁର୍ଘଟଣାରେ ମସ୍ତକ ଆଘାତରୁ ଏହି ଭାଗର କିୟଦଂଶ ସକ୍ରିୟ ହୋଇଉଠେ ଏବଂ ମନୁଷ୍ୟ ହଠାତ୍ କେତେକ ଅଲୌକିକ ଶକ୍ତିର ଅଧିକାରୀ ହୋଇଯାଏ। ଏପରି କି ଆମେରିକାର ଲରେନ୍ସ କିମ ପିକ୍ ଏକ ଜନ୍ମଗତ ମସ୍ତିଷ୍କ ବିକୃତିରୁ ଅସାଧାରଣ ସ୍ମରଣ ଶକ୍ତି ଏବଂ ଭବିଷ୍ୟତ୍ର ଯେ କୌଣସି ଦିନର ବାର ଓ ତାରିଖ ତତ୍କ୍ଷଣାତ୍ କହି ପାରିବାର କ୍ଷମତା ଲାଭ କରିଥିଲେ। ଏହା ତାଙ୍କୁ ବହୁତ ପ୍ରସିଦ୍ଧି ଦେଇଥିଲା। ଆମ ଦେଶରେ ସାଧକମାନେ ସାଧନା ମାଧ୍ୟମରେ ତ୍ରିକାଳଦ୍ରଷ୍ଟା ସିଦ୍ଧ ପୁରୁଷରେ ପରିଣତ ହେଉଥିଲେ। ସାଧନା ବଳରେ ସେମାନେ ସମ୍ଭବତଃ ମସ୍ତିଷ୍କର ସେହି ନିଷ୍କ୍ରିୟ ଅଂଶକୁ ସକ୍ରିୟ କରି ପାରୁଥିଲେ। ଆମେମାନେ ଏବେ ଦୂରଦର୍ଶୀ ହେବାର ସେ କ୍ଷମତା ଓ ଶକ୍ତି ହରାଇଛୁ।
ମୋ: ୯୯୩୭୮୬୩୫୨୮