ବିଗତ କିଛି ବର୍ଷ ଭିତରେ ଆମ ରାଜ୍ୟର ବରଗଡ଼, ନୟାଗଡ଼, ବଡ଼ମ୍ବା, ଯାଜପୁର ବରୀ-କୃଷ୍ଣନଗର ଏବଂ ବଲାଙ୍ଗୀର-ବିଜୟାନନ୍ଦ ଭଳି ପାଞ୍ଚଟି ବଡ଼ ଚିନିକଳ ବନ୍ଦ ହୋଇ ଗଲାଣି। ସେଥି ଲାଗି ରାଜ୍ୟରେ ଆଖୁ ଚାଷ ମଧ୍ୟ ଏକ ନିରାଶାଜନକ ସ୍ଥିତିରେ। ବଲାଙ୍ଗୀର ଚିନି କଳଟି ବ୍ୟବସାୟରେ କ୍ରମାଗତ ବିପୁଳ କ୍ଷତି ସହିବା ପରେ ୨୦୧୪ ମସିହାରେ ବନ୍ଦ ହୋଇଗଲା। ଭୁବନେଶ୍ୱର ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କରୁ ଆଣିଥିବା ୫୨.୨୩ କୋଟି ଟଙ୍କାର ଋଣ ଫେରସ୍ତ ଦେଇ ନ ପାରିବାରୁ ଏହି ଚିନି କଳର ସମ୍ପତ୍ତି ବ୍ୟାଙ୍କ ଦ୍ୱାରା ନିଲାମ ହେବାକୁ ବସିଲା। ସେହିପରି ଆର୍ଥିକ ଦୁଃସ୍ଥିତି କାରଣରୁ ବରଗଡ଼ ଚିନି କଳ ୨୦୧୭-୧୮ ପର ଠାରୁ ବନ୍ଦ ହୋଇ ଯାଇଛି। ଉତ୍ତର ପ୍ରଦେଶର କାନପୁରରେ ଥିବା ‘ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ସୁଗାର’ ଦ୍ବାରା କରାଯାଇଥିବା ଏକ ଅନୁଶୀଳନ ରିପୋର୍ଟର ପ୍ରସ୍ତାବ ମୁତାବକ ରାଜ୍ୟ ସରକାର ୪୦ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ, ଅଥଚ ଚିନି କଳ ଚାଲି ପାରିଲା ନାହିଁ।
୧୯୭୫ ମସିହାରେ ସ୍ଥାପିତ ବରୀ ଚିନି କଳ ସ୍ଥାନୀୟ ଚାଷୀମାନଙ୍କୁ ଆଖୁ ଚାଷ କରିବାକୁ ଉତ୍ସାହିତ କରିଥିଲା। କିନ୍ତୁ କ୍ରମାଗତ ଆର୍ଥିକ କ୍ଷତି ଯୋଗୁଁ ୧୯୮୮ ମସିହାରେ ଏହି ଚିନି କଳ ବନ୍ଦ ହୋଇଗଲା। ଓଡ଼ିଶା ସରକାରଙ୍କର ତଥ୍ୟ ମୁତାବକ ରାଜ୍ୟରେ ଚିନିର ଆବଶ୍ୟକତା ପ୍ରାୟ ୧୦ ଲକ୍ଷ ମେଟ୍ରିକ ଟନ୍; ଅଥଚ, ଓଡ଼ିଶା ହାରାହାରି ମାତ୍ର ୧୫ ହଜାର ମେଟ୍ରିକ ଟନ୍ ଚିନି ଉତ୍ପାଦନ କରିଥାଏ। ତେଣୁ ଚିନି ଚାହିଦା ପୂରଣ କରିବା ଲାଗି ବାହାର ରାଜ୍ୟ ଉପରେ ଆମେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ବେଳେ ଆଖୁ ଚାଷ ଲାଗି ପ୍ରକୃଷ୍ଟ ଆମ ରାଜ୍ୟରେ ଚିନି ଶିଳ୍ପର ଏଭଳି ଦୁରବସ୍ଥା କାହିଁକି? ଉଲ୍ଲେଖଯୋଗ୍ୟ ଯେ ଆଖୁ ଚାଷ ହେଉଥିବା ଅନ୍ୟ ରାଜ୍ୟରେ ଉଭୟ ଚିନି କଳ ତଥା ଆଖୁ ଚାଷୀ ଲାଭନ୍ୱିତ ହେଉଥିବା ବେଳେ ଆମେ ପଛରେ ପଡ଼ିଗଲୁ କାହିଁକି? ଓଡ଼ିଶାରେ ଚିନିର ଆବଶ୍ୟକତା ଅଛି; ଜଳବାୟୁ ଏବଂ ମୃତ୍ତିକା ଦୃଷ୍ଟିରୁ ମଧ୍ୟ ସ୍ଥିତି ଅନୁକୂଳ। ତେବେ ସମସ୍ୟା ରହୁଛି କେଉଁଠି?
ଆଖୁ ଚାଷ ତଥା ଚିନି ବ୍ୟବସାୟରେ ବ୍ରାଜିଲ ପୃଥିବୀର ଏକ ନମ୍ବର ଦେଶ ହୋଇଥିବା ବେଳେ ଭାରତ ଦ୍ବିତୀୟ। ଚିନି ରପ୍ତାନିରେ ମଧ୍ୟ ଭାରତ ପୃଥିବୀରେ ଦ୍ବିତୀୟ। ଉଲ୍ଲେଖ ଥାଉ କି ଗତ ବର୍ଷ ଭାରତ ୧୧୦ ଲକ୍ଷ ମେଟ୍ରିକ ଟନ୍ ଚିନି ବିଦେଶକୁ ରପ୍ତାନି କରି ୪୦ ହଜାର କୋଟି ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ଉପାର୍ଜନ କରିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ହରିଆଣା, କର୍ଣ୍ଣାଟକ, ଅବିଭକ୍ତ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଇତ୍ୟାଦି ରାଜ୍ୟ ଆଖୁ ଚାଷ ଏବଂ ଚିନି ଶିଳ୍ପରେ ଆଗୁଆ। ଗତ ଆଖୁ ଚାଷ ଋତୁରେ ମହାରାଷ୍ଟ୍ର ୧୩୨.୦୬ ଲକ୍ଷ ମେଟ୍ରିକ ଟନ୍ ଚିନି ଉତ୍ପାଦନ କରିଥିଲା। ସେହି କ୍ରମରେ ଉତ୍ତରପ୍ରଦେଶ ୯୯ ଲକ୍ଷ ମେଟ୍ରିକ ଟନ୍, ତାମିଲନାଡୁ ୮.୪୦ ଲକ୍ଷ ମେଟ୍ରିକ ଟନ୍ ଏବଂ କର୍ଣ୍ଣାଟକ ୬୦ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦନ କରିଥିଲେ।
ପାର୍ଲିଆମେଣ୍ଟର ଏକ ଆଲୋଚନାରୁ ଜଣାଯାଏ ଯେ ବିଗତ ୮ ବର୍ଷ ଭିତରେ ଗୁଜରାଟ, ହରିଆଣା, ପଞ୍ଜାବ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରେ ଆଖୁ ଚାଷର ପରିମାଣ ବିପୁଳ ମାତ୍ରାରେ ବୃଦ୍ଧି ପାଇଛି। କିନ୍ତୁ ଆମ ଲାଗି ଯାହା ଚିନ୍ତାକର, ତାହା ହେଲା ଓଡ଼ିଶାରେ ସ୍ଥିତି ଏଭଳି ଖରାପ କାହିଁକି? ପାର୍ଲିଆମେଣ୍ଟରେ ଆଲୋଚିତ ପ୍ରଶ୍ନୋତ୍ତରରୁ ବିଗତ କିଛି ବର୍ଷର ତଥ୍ୟ ବାବଦରେ ଯାହା ଜଣାପଡ଼େ, ତାହା ହେଲା ୨୦୧୫-୧୬ ଆର୍ଥିକ ବର୍ଷରେ ଆମ ରାଜ୍ୟରେ ୯ ହଜାର ହେକ୍ଟର ଜମିରେ ଆଖୁ ଚାଷ ହେଉଥିଲା ବେଳେ ୨୦୧୬-୧୭ ତାହା ଖସି ଆସି ୫.୫ ହଜାର ହେକ୍ଟରରେ ପହଞ୍ଚିଲା ଏବଂ ୨୦୧୭-୧୮ ବେଳକୁ ମାତ୍ର ୩.୭ ହଜାର ହେକ୍ଟର ଜମିରେ ଆଖୁ ଚାଷ ହେଉଥିଲା। ୨୦୨୨ ସୁଦ୍ଧା ଓଡ଼ିଶାରେ ଆଖୁ ଚାଷ ହେଉଥିବା ଜମିର ପରିମାଣ ହେଉଛି ମାତ୍ର ୨.୮ ହଜାର ହେକ୍ଟର। ଏହାର ଅର୍ଥ ଆମ ରାଜ୍ୟରେ ଆଖୁ ଚାଷ କ୍ରମେ କମିବାରେ ଲାଗିଛି। ତେଣୁ ମନେ ହୁଏ, ଯେହେତୁ ରାଜ୍ୟର ବଡ଼ ବଡ଼ ଚିନି କଳ ସବୁ ବନ୍ଦ ପଡ଼ିଛନ୍ତି, ଚାଷୀମାନେ ଆଖୁ ଚାଷ କରିବା ଧୀରେ ଧୀରେ ଛାଡ଼ି ଦେଲେଣି। ବିଗତ ୧୦ ବର୍ଷରେ ଅନ୍ୟ ରାଜ୍ୟମାନଙ୍କରେ ଆଖୁ ଚାଷ ବଢ଼ିବା ସହ ଅନେକ ନୂଆ ଚିନି କଳ ମଧ୍ୟ ଖୋଲିଛି। କିନ୍ତୁ ଓଡ଼ିଶାରେ ବିଗତ କିଛି ବର୍ଷ ଭିତରେ ଗୋଟିଏ ବି ନୂଆ ଚିନି କଳ ଖୋଲିବା ତ ଦୂରର କଥା, ବରଂ ଚିନି କଳମାନ ବନ୍ଦ ହୋଇ ସାରିଛି। ଏବଂ କାର୍ଯ୍ୟକ୍ଷମ ଥିବା ଗଞ୍ଜାମର ଆସିକା ଚିନି କଳ ବା ଢେଙ୍କାନାଳର ଚିନି କଳ ସମ୍ପୂର୍ଣ୍ଣ କ୍ଷମତା ମୁତାବକ ଉତ୍ପାଦନ କରୁ ନାହାନ୍ତି। ଏମାନଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଖୁବ୍ ଦୟନୀୟ।
ଆଖୁ ଉତ୍ପାଦନରେ ଅଗ୍ରଣୀ ରାଜ୍ୟମାନଙ୍କରେ ହାତଗଣତି କିଛି ସରକାରୀ କିମ୍ବା ସମବାୟ ଚିନି କଳକୁ ଛାଡ଼ିଦେଲେ ବାକି ସବୁ ଘରୋଇ ଉଦ୍ୟୋଗ, ଯାହା ବହୁତ ଲାଭ କରିବା ସହିତ ଆଖୁ ଚାଷୀମାନଙ୍କୁ ବିଭିନ୍ନ ପ୍ରୋତ୍ସାହନମୂଳକ ସୁଯୋଗ ଓ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି। ଉତ୍ତରପ୍ରଦେଶର ବିଖ୍ୟାତ ବଳରାମପୁର କଂପାନି ଲକ୍ଷାଧିକ ଆଖୁ ଚାଷୀଙ୍କ ସହ ସମ୍ପୃକ୍ତ ରହି ୧୦ଟି ଚିନିକଳ ଚଳାଇଛି ଏବଂ ୨୦୨୨ ସୁଦ୍ଧା ବାର୍ଷିକ ୪,୮୪୬ କୋଟି ଟଙ୍କା ଆୟ କରିବା ସହ ପ୍ରାୟ ୧୫% ନଗଦ ଲାଭ କରିଛି। ତା’ ସହିତ ବିଗତ ୫ ବର୍ଷରେ ହାରାହାରି ବାର୍ଷିକ ୫% ହାରରେ ବ୍ୟବସାୟ ବୃଦ୍ଧି କରିବାରେ ଲାଗିଛି। ସେମିତି ୨୦୧୫ରେ ଉତ୍ତରପ୍ରଦେଶରେ ସ୍ଥାପିତ ‘ଅବଧ ସୁଗାର କମ୍ପାନି’ ବା ‘ବିରଳା ସୁଗାର୍ସ୍’ ବିଗତ ୮ ବର୍ଷ ଭିତରେ ୪ଟି ଚିନି କଳ ସ୍ଥାପନ କରି ହାରାହାରି ୮% ହାରରେ ବ୍ୟବସାୟ ବୃଦ୍ଧି କରି ଚାଲିଛି। ଏହା ଆଜି ସୁଦ୍ଧା ସମୁଦାୟ ୧୦ ହଜାର ଆଖୁ ଚାଷୀଙ୍କ ସହ ସମ୍ପୃକ୍ତ ରହିଛି। ୨୦୨୨ ସୁଦ୍ଧା ଏହି କଂପାନି ବାର୍ଷିକ ୨,୭୪୫ କୋଟି ଟଙ୍କା ଆୟ ଓ ପାଖାପାଖି ୫-୭% ନଗଦ ଲାଭ କରିପାରୁଛି। ସେହିଭଳି ମହାରାଷ୍ଟ୍ରର ସୋଲାପୁରଠାରେ ୨୦୦୧ରେ ସ୍ଥାପିତ ‘ବିଠଲ ରାଓ ସିନ୍ଧେ କମ୍ପାନି’ ବିଗତ ୮ ବର୍ଷ ଭିତରେ ହାରାହାରି ୮% ହାରରେ ବ୍ୟବସାୟ ବୃଦ୍ଧି କରିବା ସହ ୨୦୨୨ ସୁଦ୍ଧା ବାର୍ଷିକ ୫୦୦ କୋଟି ଟଙ୍କା ଆୟ ଓ ପ୍ରାୟ ୫% ନଗଦ ଲାଭ କରିପାରୁଛି। ସେଇ ରାଜ୍ୟମାନଙ୍କରେ ଏମାନଙ୍କ ପରି ଆହୁରି ଅନେକ ସ୍ଥାନୀୟ କମ୍ପାନି ଖୁବ୍ ସଫଳ ହୋଇଛନ୍ତି।
ଏବେ ଜାଣିବା ଏହା ପଛରେ ଥିବା ନିର୍ଦ୍ଦିଷ୍ଟ କାରଣମାନ କ’ଣ ଏବଂ ବୁଝିବାକୁ ଚେଷ୍ଟା କରିବା ଓଡ଼ିଶାରେ ଚିନି କଳ ବିଫଳ କାହିଁକି?
ଚିନି ବେପାର ସେତେବେଳେ ଲାଭବାନ ହେବ, ଯେତେବେଳେ କଞ୍ଚାମାଲ ରୂପେ ବ୍ୟବହୃତ ଆଖୁ ମୋଟା ଏବଂ ପରିପୁଷ୍ଟ ହୋଇ ଟନ୍ ପିଛା ଅଧିକ ରସ ସୃଷ୍ଟିର ସମ୍ଭାବନା ରଖିବେ। ଏଥିପାଇଁ ଆଧୁନିକ ବୈଜ୍ଞାନିକ ଉପାୟରେ ଚାଷ କରିବାକୁ ହେବ, ଯାହା ଉତ୍ତରପ୍ରଦେଶ ବା ମହାରାଷ୍ଟ୍ର ବା ହରିଆଣା ଇତ୍ୟାଦି ରାଜ୍ୟମାନଙ୍କରେ ଦେଖିବାକୁ ମିଳେ। ଦ୍ବିତୀୟରେ, ଚାଷୀଙ୍କୁ ଏଥି ନେଇ ଠିକ୍ ସମୟରେ ଠିକଣା ଜ୍ଞାନ, ବିହନ ଓ ଅନ୍ୟାନ୍ୟ ସାଧନ ଯୋଗାଇ ଦିଆଯିବା ଦରକାର, ଯାହା ଅଗ୍ରଣୀ ରାଜ୍ୟର ଚିନି କଂପାନିଗୁଡ଼ିକ କରନ୍ତି। ଚିନି କଳରୁ ଯେ ଖାଲି ଚିନି ଉତ୍ପାଦିତ ହୁଏ, ତାହା ନୁହେଁ; ଚିନି କଳରୁ ଇଥାନଲ, ମଦ ଏବଂ ବିଦ୍ୟୁତ୍ ମଧ୍ୟ ଉତ୍ପାଦିତ ହୋଇଥାଏ, ଯାହାକୁ ବଜାରରେ ବିକ୍ରି କରାଯାଏ ଏବଂ ଯଦ୍ଦ୍ବାରା ଚିନି କଳଗୁଡ଼ିକ ଲାଭବାନ ହୁଅନ୍ତି। ତୃତୀୟତଃ, ଚିନି କଳରେ ନୂତନ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଅନିବାର୍ଯ୍ୟ।
ଚତୁର୍ଥ କଥା ହେଲା, ଚିନି କଂପାନିଗୁଡ଼ିକ ଦେଶର ବଜାର ମୂଲ୍ୟ, ବିଦେଶରେ ଚିନିର ଚାହିଦା ଏବଂ ମୂଲ୍ୟ ଇତ୍ୟାଦି ଉପରେ ନଜର ରଖି କେଉଁ ଅନୁପାତରେ ଚିନି ବା ମଦ ବା ଇଥନାଲ କିମ୍ବା ବିଦ୍ୟୁତ୍ ଆଦିର ଉତ୍ପାଦନ ଓ ବିକ୍ରି କରାଯିବ, ତାହାର ଉପଯୁକ୍ତ ଆକଳନ କରନ୍ତି ଓ ତଦନୁସାରେ କାର୍ଯ୍ୟ କରନ୍ତି। ସେଥି ଲାଗି ବଡ଼ ବଡ଼ ଚିନି କଳଗୁଡ଼ିକ ପ୍ରତିଭା ସଂପନ୍ନ ମ୍ୟାନେଜମେଣ୍ଟ ସ୍ନାତକମାନଙ୍କୁ ମୋଟା ଦରମାରେ ନିଯୁକ୍ତ କରିଛନ୍ତି। ପଞ୍ଚମରେ ଉପଯୁକ୍ତ ଆର୍ଥିକ ପରିଚାଳନା ଏବଂ ବଜାରରେ ଚାହିଦା ମୁତାବକ ବିକ୍ରୟ ପରିଚାଳନା। ଆଉ ଏକ ମୁଖ୍ୟ କଥା ହେଲା ଚିନି କଳଗୁଡ଼ିକ ଦୀର୍ଘ କାଳ ଧରି ନିରନ୍ତର କଞ୍ଚାମାଲ ପାଇବା ଲାଗି ଆଖୁ ଚାଷୀମାନଙ୍କ ସହିତ ଦୀର୍ଘକାଳୀନ ଚୁକ୍ତି କରନ୍ତି। ଯାହା ଫଳରେ କଞ୍ଚାମାଲ ଯୋଗାଣ ଅବ୍ୟାହତ ରହେ। ଆଖୁ ଚାଷୀମାନେ ମଧ୍ୟ ସେମାନଙ୍କ ଉତ୍ପାଦ ବିକ୍ରି ଲାଗି ଅଯଥା ହଇରାଣ ହୁଅନ୍ତି ନାହିଁ। ଥରେ ଆଖୁ ଫସଲ କଲେ ତିନି ବର୍ଷ ଯାଏ ଅମଳ ହୋଇଥାଏ। ସୁତରାଂ, ଚାଷୀମାନେ ଅମଳ ବିକ୍ରି କରିବାର ଝିଂଜଟରୁ ମୁକ୍ତ ରହନ୍ତି। ଅପର ପକ୍ଷେ ଓଡ଼ିଶାର ଅଧିକାଂଶ ଚିନି କଳ ସରକାରୀ କିମ୍ବା ସମବାୟ ମାଲିକାନାଭୁକ୍ତ। ଏଣୁ ଉତ୍ପାଦନ, ମାର୍କେଟିଂ ଏବଂ ଚାଷୀଙ୍କ ସହ ସମ୍ପୃକ୍ତିର ଉଦାସୀନତା ଦେଖାଦିଏ, ଯାହା ସେମାନେ ରୁଗ୍ଣ ହୋଇପଡ଼ିବାର କାରଣ ହୋଇଛି।
ଦେଶରେ ଏବେ ସମୁଦାୟ ୫୨୨ଟି ଚିନି କଳ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି; ଯହିଁରୁ ୩୧୭ଟି ଘରୋଇ ଉଦ୍ୟୋଗ, ୧୯୭ଟି ସମବାୟ ଏବଂ ମାତ୍ର ୮ଟି ସରକାରୀ। ଉଲ୍ଲେଖ ଥାଉ କି ୨୦୧୭-୧୮ରେ ଦେଶରେ ୨୯୩ଟି ଘରୋଇ ଚିନି କମ୍ପାନି, ୨୨୧ଟି ସମବାୟ ଚିନି କଳ ଏବଂ ୧୦ଟି ସରକାରୀ ଚିନି କଳ ଥିଲା। ଅର୍ଥାତ ବିଗତ ୫ ବର୍ଷ ଭିତରେ ଘରୋଇ ଚିନି କଳର ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ବୃଦ୍ଧି ପାଇଛି। ଏହାର ଅର୍ଥ ଚିନି ଉତ୍ପାଦନ ଓ ବ୍ୟବସାୟ ଖୁବ୍ ଲାଭଜନକ ହୋଇ ରହିଛି। କିନ୍ତୁ ମୂଳ ପ୍ରସଙ୍ଗ ହେଲା ପରିଚାଳନା। ଆଖୁ ଚାଷ ଏବଂ ଚିନି କଳ ଉଭୟେ ଏକ ପରସ୍ପରାଶ୍ରୟୀ ଜୀବନ ଜିଅନ୍ତି ଓ ପରସ୍ପରକୁ ସମୃଦ୍ଧ କରନ୍ତି। ତେଣୁ ଯଦି ଗୋଟିଏ ପକ୍ଷ କେବଳ ନିଜ ଲାଭ କଥା ବିଚାର କରି ଅପର ପକ୍ଷକୁ ଅଣଦେଖା କରିବ, ତେବେ ଉଭୟେ କ୍ଷତିଗ୍ରସ୍ତ ହେବେ। ଓଡ଼ିଶାରେ ତାହା ହୋଇଛି ସତ, କିନ୍ତୁ ପେସାଦାର ଢଙ୍ଗରେ ପରିଚାଳନା କଲେ ଆମ ରାଜ୍ୟରେ ଉଭୟ ଚିନି ଶିଳ୍ପ ଏବଂ ଆଖୁ ଚାଷ ଯେ ହସି ଉଠିବ, ତାହା ଆଶା କରିବା ଅମୂଳକ ହେବ ନାହିଁ।
ମୋ: ୦୯୭୯୧୧୨୧୦୬୮