ବ୍ରିଟିଶ ଅମଳରେ ଜିଲ୍ଲା ଗେଜେଟିଅର୍ ନିୟମିତ ବ୍ୟବଧାନରେ ପ୍ରକାଶ ପାଉଥିଲା। ଗେଜେଟିଅର୍ ଗୋଟେ ଜିଲ୍ଲାର ଦର୍ପଣ ସଦୃଶ। ନିର୍ଦ୍ଦିଷ୍ଟ ଏକ ଜିଲ୍ଲାର ଭୂଗୋଳ, ଇତିହାସ, ଲୋକଚରିତ୍ର, ଭାଷା-ସାହିତ୍ୟ, ରାଜସ୍ୱ ଆୟ-ବ୍ୟୟ, ଜନସ୍ୱାସ୍ଥ୍ୟ ଓ ଆଇନଶୃଙ୍ଖଳା ଆଦି ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣିତ ହୋଇଥାଏ ଗେଜେଟିଅର୍ରେ। କେବଳ ପ୍ରଶାସନ ପାଇଁ ନୁହେଁ, ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ। ସ୍ୱାଧୀନ ଭାରତରେ ଗେଜେଟିଅର୍ ପ୍ରକାଶ ପାଉଥିଲେ ମଧ୍ୟ ତା’ର ଗୁରୁତ୍ୱ ଅନେକାଂଶରେ ହ୍ରାସ ପାଇଛି।
ଏଲ୍.ଏସ୍.ଏସ୍. ଓ’ମାଲି ନାମକ ଜଣେ ବ୍ରିଟିଶ ଆଇ.ସି.ଏସ୍. ଅଫିସର ବଙ୍ଗ-ବିହାର-ଓଡ଼ିଶା ଅନ୍ତର୍ଗତ ଅନେକ ଜିଲ୍ଲାର ଗେଜେଟିଅର୍ ପ୍ରସ୍ତୁତ କରିଛନ୍ତି। ବଙ୍ଗ ପ୍ରଦେଶର ହୁଗୁଳି, ଖୁଲଣା ଓ ଦାର୍ଜିଲିଂ, ବିହାରର ପାଟଣା ଓ ଦରଭଙ୍ଗା ଏବଂ ଓଡ଼ିଶାର କଟକ, ବାଲେଶ୍ୱର, ସମ୍ବଲପୁର ଓ ଅନୁଗୋଳର ଗେଜେଟିଅର୍ ଓ’ମାଲି ହିଁ ଲେଖିଛନ୍ତି। ପ୍ରଶାସକ ଭାବରେ ଏ ଲେଖକ ବାଲେଶ୍ୱର ଜିଲ୍ଲା ଗେଜେଟିଅର୍ (୧୯୦୬-୧୯୦୭) ପାଠ କରିବାର ସୁଯୋଗ ପାଇଛି। ଓଡ଼ିଆ ଭାଷା ବିଷୟରେ ଓ’ମାଲି ମହାଶୟଙ୍କ ମତ ଓ ମନ୍ତବ୍ୟ ଏଠାରେ ଉଲ୍ଲେଖନୀୟ।
ଦେଶୀମାନଙ୍କ ଅପେକ୍ଷା ବିଦେଶୀମାନଙ୍କ ଆଖି ଅଧିକ ତୀକ୍ଷ୍ଣ କାରଣ ଆଗନ୍ତୁକର ଆଖିରେ ଗୋଟେ ଜାତିର ଗୁଣ ଓ ଖୁଣ ସହଜରେ ଧରାପଡ଼ିଯାଏ। ଓଡ଼ିଆ, ବଙ୍ଗଳା ଓ ଅହମିୟା ଭାଷାର ଉତ୍ପତ୍ତି ସ୍ଥଳ ଗୋଟିଏ ବୋଲି ଓ’ମାଲି ସାହେବ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ବଙ୍ଗଳା ଭାଷା ସହିତ ଓଡ଼ିଆ ଭାଷାର ଏକ ତୁଳନାତ୍ମକ ପ୍ରସଙ୍ଗ ସେଠାରେ ଅବତାରଣା କରିଛନ୍ତି। ତାଙ୍କ ମତରେ ଓଡ଼ିଆ ଓ ବଙ୍ଗଳା ବ୍ୟାକରଣ ପ୍ରାୟ ଏକା ପରି। କିନ୍ତୁ ଉଚ୍ଚାରଣ ଦୃଷ୍ଟିରୁ ସେ ବଙ୍ଗଳା ଭାଷା ଠାରୁ ଓଡ଼ିଆ ଭାଷାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଉଭୟ ଭାଷାକୁ ଅଦୂରରୁ ଲକ୍ଷ୍ୟ କରି ସେ ଲେଖିଛନ୍ତି ଯେ ଓଡ଼ିଆ ଭାଷା ଯେପରି ଲେଖାଯାଏ, ସେପରି କୁହାଯାଏ। ଓଡ଼ିଆ ଶବ୍ଦର ପ୍ରତି ଅକ୍ଷର ସ୍ପଷ୍ଟ ଭାବରେ ଉଚ୍ଚାରିତ ହୁଏ। ପ୍ରାୟ କୌଣସି ଅକ୍ଷର ଉହ୍ୟ ରହେ ନାହିଁ। କିନ୍ତୁ ଆମ ପଡ଼ୋଶୀ ବଙ୍ଗଳା ଭାଷାରେ ସେପରି ହୁଏ ନାହିଁ। ତେଣୁ ବିଦେଶୀମାନେ ବଙ୍ଗଳା ଭାଷା ଭଲରେ ବୁଝିପାରନ୍ତି ନାହିଁ। ଏହାର କାରଣ ବଙ୍ଗଳାରେ କେତେକ ବ୍ୟଞ୍ଜନ ବର୍ଣ୍ଣ ଅସ୍ପଷ୍ଟ ଭାବରେ ଉଚ୍ଚାରିତ ହୁଏ ଏବଂ କେତେକ ସ୍ୱରବର୍ଣ୍ଣ ଭାଙ୍ଗି ଭାଙ୍ଗି ଯାଏ। ଓ’ମାଲିଙ୍କ ଭାଷାରେ ତାହା ‘ସ୍ଲର୍ଡ କନ୍ସୋନାଣ୍ଟ’ ଓ ‘ବ୍ରୋକନ୍ ଭାୱେଲ୍’। ଏହି ଯେମିତି ବଙ୍ଗଳା ଭାଷାରେ ‘ପଦ୍ମଚରଣ’ ଲେଖାଯାଏ, ‘ପଦଚରଣ’ କୁହାଯାଏ। କିନ୍ତୁ ‘ପଦ୍ମ’ ଓ ‘ପଦ’ର ଅର୍ଥ ଯେ ଭିନ୍ନ। ତେବେ ପ୍ରତି ଭାଷା ନିଜ ଶୈଳୀରେ ସରସ-ସୁନ୍ଦର ଏବଂ ନିଜ ବାସ୍ନାରେ ଅନନ୍ୟ। ଭାରତୀୟ ଭାଷାଗୁଡ଼ିକର ମାଧୁର୍ଯ୍ୟର କ’ଣ ତୁଳନା ଅଛି?
ଏ ଦିଗରେ ଆଉ ପାଦେ ଆଗକୁ ଯାଇ ଓଡ଼ିଆ ଭାଷାର ଲାଳିତ୍ୟ ଓ ସ୍ପଷ୍ଟତା ବିଷୟରେ ସେ ଯାହା କହିଛନ୍ତି ତାହା ଅବଶ୍ୟ ପ୍ରଣିଧାନଯୋଗ୍ୟ। ଓଡ଼ିଆ ଭାଷା ତାଙ୍କ ଦୃଷ୍ଟିରେ ‘କଂପ୍ରିହେନ୍ସିଭ’ ଓ ‘ପଏଟିକାଲ୍’। ପୁଣି ‘ପ୍ଲିଜାଣ୍ଟ ସାଉଣ୍ଡିଂ’ ଓ ‘ମ୍ୟୁଜିକାଲ ଇଣ୍ଟୋନେସନ୍’ ମଧ୍ୟ ଓଡ଼ିଆ ଭାଷା ସହିତ ଜଡ଼ିତ। ଅର୍ଥାତ୍ ଓଡ଼ିଆ ଭାଷା ବ୍ୟାପକ, କାବ୍ୟିକ, ସୁମଧୁର ଓ ସୁସଙ୍ଗତ। ଆମ୍ଭ ଦୁଇ ପ୍ରତିବେଶୀ (ବଙ୍ଗଳା ଓ ତେଲୁଗୁ) ଭାଷାକୁ ମିଠା ବୋଲି କୁହାଯାଏ। ଭଲ କଥା। ଆହୁରି ଭଲ ଯେ, ବିଦେଶୀମାନଙ୍କ କାନକୁ ଆମ ଭାଷା ଭାରି ମିଠା ମିଠା ଶୁଭେ, ଯାହା ଆମେ ଜାଣିପାରୁନା। ଏହା ନିଃସନ୍ଦେହ ଯେ ଓଡ଼ିଆ ଭାଷା ମଧ୍ୟ ମଧୁସିକ୍ତ ଓ ସଙ୍ଗୀତମୟ। ପୁନଶ୍ଚ ଓଡ଼ିଆ କ୍ରିୟାପଦ ସରଳ ଓ ସଂପୂର୍ଣ୍ଣ ତଥା ଓଡ଼ିଆ ଭାଷାର କାଳ (ଟେନ୍ସ) ବିବେଚନା ଏପରି ବ୍ୟବସ୍ଥିତ ଯେ ତାହା ସ୍ୱତଃ ମନେ ରହିଯାଏ। ଓଡ଼ିଆ ଭାଷା ସମ୍ପର୍କରେ ଓ’ମାଲିଙ୍କ ଏମନ୍ତ ମନ୍ତବ୍ୟ ଅତ୍ୟନ୍ତ ମାର୍ମିକ। ଓଡ଼ିଆ ଭାଷାରେ ବିଦେଶୀ ଶବ୍ଦ ସଂଖ୍ୟା ନଗଣ୍ୟ ବୋଲି ମଧ୍ୟ ସେ କହନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଆ ଶବ୍ଦଭଣ୍ଡାର ବିପୁଳ। ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସମ୍ପର୍କିତ ଅନେକ ଶବ୍ଦ ଓଡ଼ିଆ ଭାଷା ଭଣ୍ଡାରକୁ ବିପୁଳତର କରିଛି। କିଛି ଜନଜାତୀୟ ଶବ୍ଦ ମଧ୍ୟ ଓଡ଼ିଆ ଭାଷାକୋଷ ଅନ୍ତର୍ଭୁକ୍ତ।
ଓଡ଼ିଆ ଭାଷାର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି ଗେଜେଟିଅର୍ ପ୍ରଣେତା ଓ’ମାଲି। ଦଶ କିଲୋମିଟର ବ୍ୟବଧାନ ଭିତରେ ଭାଷା ବଦଳିଯାଏ ବୋଲି ଅନେକ ଭାଷାବିତ୍ଙ୍କ ମତ। ଓ’ମାଲି ଲେଖଛନ୍ତି ଯେ ଉତ୍ତର ଭାରତରେ ସେପରି ଘଟେ। ଦଶ କିଲୋମିଟର ପରିଧି ଡେଇଁଲେ ଭାଷା ବଦଳି ଯାଉଥିବା ସେଠାରେ ପରିଲକ୍ଷିତ ହୁଏ। ହିନ୍ଦୀରେ ଗୋଟେ କହାବତ ଅଛି- “କୋଷ କୋଷ ପର ପାନି ବଦ୍ଲେ, ଚାର କୋଷ ମେଁ ବାଣୀ।” କିନ୍ତୁ ଓଡ଼ିଆ ଭାଷା କ୍ଷେତ୍ରରେ ସେପରି ଘଟେ ନାହିଁ। ଏ ସଂକ୍ରାନ୍ତରେ ଓ’ମାଲିଙ୍କ ଲେଖା ଏହିପରି: ଓଡ଼ିଆ ଇଜ୍ ରିମାର୍କେବ୍ଲି ଫ୍ରି ଫ୍ରମ୍ ଡାଏଲେକ୍ଟିକ୍ ଭେରିଏସନ୍। ଭାଷାଗତ ଭିନ୍ନତା ନୁହେଁ, ସମାନତା ହିଁ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପରିଚୟ। ଓ’ମାଲିଙ୍କ ମତାନୁଯାୟୀ ତଦାନୀନ୍ତନ ଓଡ଼ିଶା ପ୍ରପର୍ ଅର୍ଥାତ୍ ଅବିଭକ୍ତ ପୁରୀ, କଟକ ଓ ବାଲେଶ୍ୱର ଜିଲ୍ଲାର ଭାଷା ସମାନ। କେଉଁଠି କେମିତି କହିବାରେ ସାମାନ୍ୟ ଭିନ୍ନତା ଥାଇପାରେ କିନ୍ତୁ ବିଶେଷ ପାର୍ଥକ୍ୟ ସ୍ଥାନ ବିଶେଷରେ ଦେଖାଯାଏ ନାହିଁ। ତେବେ ଉତ୍ତର ବାଲେଶ୍ୱରରେ ଓଡ଼ିଆ ସହିତ କିଛି ବଙ୍ଗଳା ଶବ୍ଦ ମିଶିଥିବା ସେ ଲକ୍ଷ୍ୟ କରିଥିବା ବେଳେ ମେଦିନୀପୁରର ବିଚିତ୍ର ସ୍ଥିତି ବର୍ଣ୍ଣନା କରିବାକୁ ଭୁଲି ନାହାନ୍ତି। ମେଦିନୀପୁରରେ ଅଧିକାଂଶ ଲୋକ ବଙ୍ଗଳାରେ କଥା କହିବା ଆରମ୍ଭ କରନ୍ତି, ମଝିରେ ଓଡ଼ିଆ ଭାଷାରେ କଥା କୁହନ୍ତି ଏବଂ କଥା କହିବା ଶେଷ କରନ୍ତି ବଙ୍ଗଳା ଭାଷାରେ। ସେଠାରେ ମିଶ୍ରିତ ଭାଷା କୁହାଯାଉଥିଲେ ବି ଭାଷାର ସାରାଂଶ ଓଡ଼ିଆ ବୋଲି ଓ’ମାଲି ସ୍ପଷ୍ଟ କରିଛନ୍ତି।
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଶହେ ବର୍ଷ ପୂର୍ବରୁ ଏହି ଭାଷାର ମହାନୀୟତା ପ୍ରତିପାଦନ କରିଛନ୍ତି ଜଣେ ବିଦେଶୀ ଅଧିକାରୀ। ତେବେ ନିଜ ଭୂମି ଓ ଭାଷାର ମହନୀୟତାକୁ ଆମେ କେତେ ବା ଜାଣୁ?
ମୋ: ୯୪୩୭୧୪୩୮୯୬