େଯଉଁ ସମୟରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ରାଜନୈତିକ କ୍ଷେତ୍ରରେ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ପାଇଁ ଘୋର ନୈରାଶ୍ୟ ସୃଷ୍ଟି କରିଛି, ସେତିକି ବେଳେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ବନ୍ଧରେ ଏମିତି ଏକ ସୂଚନା ପ୍ରକାଶ ପାଇଛି, ଯାହା ସେମାନଙ୍କ ପାଇଁ ଝଲକାଏ ଆଶାର ଆଲୋକ ଭଳି ମନେ ହୋଇପାରେ। ସୂଚନାଟି ହେଉଛି ଦେଶରେ ଦୀର୍ଘ କାଳ ଧରି ରାଜୁତି କରି ଆସୁଥିବା ମୁଦ୍ରାସ୍ଫୀତି ଅର୍ଥାତ୍ ଦରଦାମ ବୃଦ୍ଧି ସମ୍ପର୍କିତ। ୨୦୨୩ ଏପ୍ରିଲ ମାସ ପାଇଁ ପ୍ରକାଶିତ ସୂଚନା ଅନୁସାରେ ପୂର୍ବମାସ ପରି ଏ ମାସରେ ମଧ୍ୟ ମୁଦ୍ରାସ୍ଫୀତି ହାର ଦୀର୍ଘକାଳ ପରେ ପୁଣି ଯେ ସର୍ବୋଚ୍ଚ ନିର୍ଦ୍ଧାରିତ ସହନ ସୀମା ୬.୦ ଶତାଂଶ ତଳେ ରହିଛି, ତାହା ନୁହେଁ, ଏଥିରେ ହ୍ରାସ ଘଟି ଏହା ମାର୍ଚ୍ଚ ମାସର ହାର ଠାରୁ ମଧ୍ୟ କମ୍ ହୋଇଛି।
ମୁଦ୍ରାସ୍ଫୀତିର ଏହି ସଦ୍ୟ ପ୍ରକାଶିତ ଆଚରଣ ଉପରେ ଅଧିକ ଦୃଷ୍ଟି ନିବଦ୍ଧ କରିବା ପୂର୍ବରୁ ରାଜନୈତିକ ଦୃଷ୍ଟିରୁ ଏହା କିପରି ଅତିଶୟ ଗୁରୁତ୍ବପୂର୍ଣ୍ଣ ସେଥିପ୍ରତି ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇପାରେ। ୨୦୦୪ରେ ଅଟଳ ବିହାରି ବାଜପେୟୀଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ମଇ ମାସରେ ଅନୁଷ୍ଠିତ ନିର୍ବାଚନରେ ପରାସ୍ତ ହୋଇ କ୍ଷମତାଚ୍ୟୁତ ହେବା ଅନେକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା, ଯାହା ଏବେ ଲୋକକଥାରେ ପରିଣତ ହୋଇଛି। ଆଶ୍ଚର୍ଯ୍ୟ ହେବାର କାରଣ ହେଲା, ଏହାର ଠିକ୍ ପୂର୍ବବର୍ତ୍ତୀ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଅଭିବୃଦ୍ଧି ହାର ଚମକପ୍ରଦ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ- ୮.୪ ଶତାଂଶ। ତଥାପି ଭାରତୀୟ ମତଦାତାମାନେ ଭାଜପା ସରକାର ପ୍ରତି ବିମୁଖ ହେବାର ଏକମାତ୍ର କାରଣ ଥିଲା ଏକ ଉଚ୍ଚ ମୁଦ୍ରାସ୍ଫୀତି ହାର ବୋଲି ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ବିଶ୍ବାସ କରିଥାନ୍ତି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏପରି ଧାରଣା କେବଳ ବୈଠକଖାନାର ହାଲୁକା ଆଲୋଚନାମାନଙ୍କରେ ସୀମିତ ନୁହେଁ; କେତେକ ଗବେଷକମାନେ ବିଧିବଦ୍ଧ ଭାବରେ ଏହାର ପୁଷ୍ଟୀକରଣ କରିଛନ୍ତି ମଧ୍ୟ। ଏଥିପାଇଁ ‘ବିଶ୍ବବ୍ୟାଙ୍କ୍’ର ଅର୍ଥନୀତିଜ୍ଞା ସ୍ତୁତି ଖେମାନିଙ୍କ ଦ୍ବାରା ୨୦୦୧ରେ ପ୍ରକାଶିତ ଏକ ଗବେଷଣା ପ୍ରସୂତ ସନ୍ଦର୍ଭକୁ ଉଦାହରଣ ରୂପେ ନିଆଯାଇପାରେ। ସେ ତାଙ୍କର ଗବେଷଣା ପାଇଁ ୧୯୬୦ରୁ ୧୯୯୨ ମଧ୍ୟରେ ଅନୁଷ୍ଠିତ ନିର୍ବାଚନମାନଙ୍କୁ ବ୍ୟବହାର କରିଥିଲେ। ସେ ତାଙ୍କର ଅନୁଶୀଳନରୁ ଆବିଷ୍କାର କରିଥିଲେ ଯେ ଦରଦାମ ବୃଦ୍ଧି ନିଶ୍ଚିତ ରୂପେ ରାଜନୈତିକ କ୍ଷତି ଘଟାଇଥାଏ: ସାଧାରଣ ନିର୍ବାଚନର ପୂର୍ବ ବର୍ଷ ଯଦି ମୁଦ୍ରାସ୍ଫୀତିରେ ୧ ଶତାଂଶ ବୃଦ୍ଧି ଘଟିଥାଏ, ସେଥିଯୋଗୁଁ କ୍ଷମତାସୀନ ଦଳର ମତଦାତା ସମର୍ଥନ (ଭୋଟ୍ ସେଆର୍)ରେ ୦.୬ ଶତାଂଶ ହ୍ରାସ ଘଟିଥାଏ।
ତେବେ ସୁଶ୍ରୀ ଖେମାନିଙ୍କ ଗବେଷଣା ସାବ୍ୟସ୍ତ କରିନଥାଏ ଯେ ଏକ କ୍ଷମତାସୀନ ସରକାର ଅର୍ଥନୈତିକ ଅଭିବୃଦ୍ଧି ନିମିତ୍ତ ସମସ୍ତ ଉଦ୍ୟମ ବନ୍ଦ କରିଦେଇ ନିର୍ବାଚନ ପୂର୍ବରୁ କେବଳ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ କଲେ ନିର୍ବାଚନରେ ସଫଳତା ପ୍ରାପ୍ତି ଅଧିକ ନିଶ୍ଚିତ ହେବ। କାରଣ ସେ ମଧ୍ୟ ଏହା ଆବିଷ୍କାର କରିଥିଲେ ଯେ ନିର୍ବାଚନର ଠିକ୍ ପୂର୍ବରୁ ଯଦି ଅର୍ଥନୈତିକ ଅଭିବୃଦ୍ଧି ହାରରେ ୧ ଶତାଂଶ ବୃଦ୍ଧି ଘଟିଥାଏ, ସେଥିଯୋଗୁଁ କ୍ଷମତାସୀନ ଦଳର ଭୋଟ୍ ସେଆର୍ରେ ୧.୬୬ ଶତାଂଶ ବୃଦ୍ଧି ଘଟିଥାଏ। ସ୍ତୁତି ଖେମାନିଙ୍କର ଏହି ଆବିଷ୍କାରର ରାଜନୈତିକ ତାତ୍ପର୍ଯ୍ୟ ସ୍ପଷ୍ଟ। ତାହା ହେଲା: ଅର୍ଥନୈତିକ ଅଭିବୃଦ୍ଧି ଶାସନ କ୍ଷମତାରେ ଥିବା ଦଳ ପାଇଁ ନିର୍ବାଚନ ଜିତିବାରେ ସହାୟକ ହୋଇଥାଏ, କିନ୍ତୁ ମୁଦ୍ରାସ୍ଫୀତିରେ ବୃଦ୍ଧି ହାର ଯଦି ଅଭିବୃଦ୍ଧିରେ ବୃଦ୍ଧି ହାର ଠାରୁ ଯଥେଷ୍ଟ ଅଧିକ ହୋଇଥାଏ, ତେବେ ନିଟ୍ ଫଳ ସ୍ବରୂପ ତାହା ଶାସକ ଦଳର ଭୋଟ୍ ସେଆର୍ରେ ହାନି ଘଟାଇଥାଏ, ଯେଉଁଥିପାଇଁ ତାକୁ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିପାରେ।
ସୂଚନାଯୋଗ୍ୟ, ମୁଦ୍ରାସ୍ଫୀତି ଦମନ ନିମିତ୍ତ ଯେଉଁ ମୁଖ୍ୟ କୌଶଳ ଅବଲମ୍ବନ କରାଯାଇଥାଏ, ତାହା ହେଉଛି ରେପୋ ରେଟ୍ (ସୁଧ ହାର)ରେ ବୃଦ୍ଧି। କିନ୍ତୁ ସୁଧ ହାରରେ ବୃଦ୍ଧି ଘଟିବା ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ତେଣୁ ସୁଧ ହାରରେ ବୃଦ୍ଧି ମାଧ୍ୟମରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦ୍ବାରା ସରକାରୀ ଦଳକୁ ଯେଉଁ ନିର୍ବାଚନୀ ଲାଭ ମିଳିପାରେ, ସେଥିଯୋଗୁଁ ଅଭିବୃଦ୍ଧି ବାଧାପ୍ରାପ୍ତ ହେବା ଦ୍ବାରା ଯେଉଁ ନିର୍ବାଚନୀ କ୍ଷତି ଘଟିବ, ତାହା ସେ ଲାଭ ଠାରୁ ଅଧିକ ହୋଇପାରେ। ଅର୍ଥାତ୍, ମୁଦ୍ରାସ୍ଫୀତିରେ ହ୍ରାସ ଘଟାଇବା ଉଭୟ ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ଉତ୍ତମ, କିନ୍ତୁ ସେଥି ପାଇଁ କିଛି ଅଭିବୃଦ୍ଧି ତ୍ୟାଗ କରିବାକୁ ପଡ଼ିଥାଏ ଯାହା ଉଭୟ ଦୃଷ୍ଟିରୁ ଅସୁବିଧାଜନକ। ଅନୁଶୀଳନରୁ ଜଣାପଡ଼ିଥାଏ ଯେ ଭାରତ ପାଇଁ ପ୍ରଯୁଜ୍ୟ ହେଉଥିବା ଏହି ‘ତ୍ୟାଗ ଅନୁପାତ’ (‘ସାକ୍ରିଫାଇସ୍ ରେସିଓ’) ହେଉଛି ପ୍ରାୟ ୨ ପାଖାପାଖି। ଏହାର ଅର୍ଥ, ମୁଦ୍ରାସ୍ଫୀତିରେ ୧ ଶତାଂଶ ହ୍ରାସ ଘଟାଇବା ନିମିତ୍ତ ଆମକୁ ୨ ଶତାଂଶ ଜାତୀୟ ଉତ୍ପାଦ ହରାଇବାକୁ ପଡ଼ିଥାଏ।
ଅତଏବ ଖେମାନିଙ୍କ ଆବିଷ୍କାରରୁ ଯେଉଁ ଶିକ୍ଷା ମିଳିଥାଏ, ତାହା ହେଲା ଏଇଭଳି: ନିର୍ବାଚନ ସମୟରେ ମୁଦ୍ରାସ୍ଫୀତି କ୍ଷମତାସୀନ ଦଳ ପାଇଁ କ୍ଷତିକାରକ ହୋଇଥାଏ; କିନ୍ତୁ ମୁଦ୍ରାସ୍ଫୀତିକୁ ଦମନ କରିବା ନିମିତ୍ତ ସୁଧ ହାରରେ ଘଟା ଯାଉଥିବା ବୃଦ୍ଧି ଯୋଗୁଁ ଅଭିବୃଦ୍ଧି ପ୍ରତି ସୃଷ୍ଟି ହେଉଥିବା ବ୍ୟାଘାତ ତା’ଠାରୁ ଅଧିକ ନିର୍ବାଚନୀ କ୍ଷତି ଘଟାଇପାରେ। ନିର୍ବାଚନ ଆସନ୍ନ ଥିବା ସମୟରେ ତେଣୁ କ୍ଷମତାସୀନ ଦଳ ପାଇଁ ମୁଦ୍ରାସ୍ଫୀତିର ଉପସ୍ଥିତି ଯେତିକି ବିପଜ୍ଜନକ, ମୁଦ୍ରାସ୍ଫୀତିକୁ ତଡ଼ିବାକୁ ଚେଷ୍ଟା କରିବା ତତୋଽଧିକ ବିପଜ୍ଜନକ ହୋଇପାରେ।
ଏହି ପରିପ୍ରେକ୍ଷୀରେ ବିଚାର କଲେ ୨୦୨୪ର ସାଧାରଣ ନିର୍ବାଚନ ଯେତେବେଳେ କବାଟ ଠକ୍ ଠକ୍ କରିବାକୁ ଆରମ୍ଭ କଲାଣି, ସେଇ ସମୟରେ ମୁଦ୍ରାସ୍ଫୀତି ଆମର ଅର୍ଥନୈତିକ ଦୃଶ୍ୟପଟରୁ ଅପସରି ଯିବାକୁ ଆରମ୍ଭ କରିବାର ସୂଚନା ଠାରୁ ଶାସକ ଦଳ ପାଇଁ ଅଧିକ ଆଶ୍ବସ୍ତିଦାୟକ ଖବର ଆଉ କ’ଣ ହୋଇପାରେ? ୨୦୨୨ ଜାନୁଆରି ଠାରୁ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ଲଗାତର ସର୍ବୋଚ୍ଚ ସହନ ସୀମା ୬ ଶତାଂଶ ଉପରେ ରହିଆସିଥିବାରୁ ତାହାକୁ କାବୁ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ୨୦୨୨ ମଇ ଠାରୁ ୨୦୨୩ ଫେବ୍ରୁଆରି ପର୍ଯ୍ୟନ୍ତ ତା’ର ପ୍ରତ୍ୟେକ ଦ୍ବିମାସିକ ନୀତି ନିର୍ଦ୍ଧାରଣ ବୈଠକରେ ନିରବଚ୍ଛିନ୍ନ ଭାବରେ ସୁଧ ହାରରେ ବୃଦ୍ଧି ଘଟାଇ ଚାଲିଥିଲା। ୨୦୨୩ ମାର୍ଚ୍ଚରେ ଖାଉଟି ମୁଦ୍ରାସ୍ଫୀତି ହାର ଏତେ ଦିନ ପରେ ଯେତେବେଳେ ୬ ଶତାଂଶ ତଳକୁ ଖସି ଆସି ୫.୬୬ ଶତାଂଶ ଛୁଇଁବା ଦେଖାଗଲା, ରିଜର୍ଭ ବ୍ୟାଙ୍କ୍ ସେତେବେଳେ ଯାଇ ତା’ର ଏପ୍ରିଲ ବୈଠକରେ ରେପୋ ରେଟ୍ରେ ଆଉ ବୃଦ୍ଧି ନ ଘଟାଇ ବିରତି ନେଇ ପରିସ୍ଥିତି ଉପରେ ନଜର ରଖିବାକୁ ନିଷ୍ପତ୍ତି ନେଇଥିଲା। ଉଦ୍ଦେଶ୍ୟ, ଯଦି ମୁଦ୍ରାସ୍ଫୀତି ପୁଣି ଉପରମୁହାଁ ହୁଏ, ତେବେ ପୁଣି େରପୋ ରେଟ୍ରେ ବୃଦ୍ଧି ଘଟାଇବା ବିକଳ୍ପ ଉନ୍ମୁକ୍ତ ରଖିବା।
ବର୍ତ୍ତମାନ ଦେଖାଯାଇଛି ଏପ୍ରିଲ୍ର ଖାଉଟି ମୁଦ୍ରାସ୍ଫୀତି ହାରରେ ଆହୁରି ସ୍ଖଳନ ଘଟି ହୋଇଛି ୪.୭ ଶତାଂଶ। ଏଥିରୁ ମନେ ହେଉଛି ଯେ ରିଜର୍ଭ ବ୍ୟାଙ୍କ୍ ତା’ର ଆଗାମୀ ଜୁନ୍ ବୈଠକରେ ଏଥର ରେପୋ ରେଟ୍ରେ ସାମାନ୍ୟ ହ୍ରାସ ଘଟାଇବା ଆରମ୍ଭ କରିବା ଅବଶ୍ୟମ୍ଭାବୀ, ଯାହା ଅଭିବୃଦ୍ଧି ପାଇଁ ଇନ୍ଧନ ରୂପେ କାର୍ଯ୍ୟ କରିବ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନିମିତ୍ତ ତାକୁ ଆଉ କିଛି ଅଭିବୃଦ୍ଧି ତ୍ୟାଗ କରିବାକୁ ପଡ଼ିବ ନାହିଁ। ନିର୍ବାଚନମୁହାଁ କ୍ଷମତାସୀନ ଦଳ ପାଇଁ ଏହାଠାରୁ ଅଧିକ ସ୍ବାଗତଯୋଗ୍ୟ ସୂଚନା ଆଉ କ’ଣ ହୋଇପାରେ?