ମହାଭାରତ ଯୁଦ୍ଧରେ କୌରବ ପକ୍ଷର ଦ୍ବିତୀୟ ସେନାପତି ଭାବେ ମହାପରାକ୍ରମୀ ଦ୍ରୋଣାଚାର୍ଯ୍ୟ ପାଣ୍ଡବମାନଙ୍କର ଆତଙ୍କର କାରଣ ହୋଇପଡ଼ିଥିଲେ। ତାଙ୍କୁ ରାସ୍ତାରୁ ହଟା ନ ଗଲେ ବିଜୟ ସମ୍ଭବ ନୁହେଁ ବୋଲି ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ କହିଲେ। ମାତ୍ର ଦ୍ରୋଣାଚାର୍ଯ୍ୟଙ୍କୁ ହଟାଇବା ବା ହରାଇବା କାର୍ଯ୍ୟ ଏତେ ସହଜ ନ ଥିଲା। ଶେଷକୁ ଶ୍ରୀକୃଷ୍ଣ ପରାମର୍ଶ ଦେଲେ, ଯୁଧିଷ୍ଠିର ଯାଇ ଦ୍ରୋଣାଚାର୍ଯ୍ୟଙ୍କୁ ଖବର ଦିଅନ୍ତୁ ଯେ ଆଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍‌ଥାମାଙ୍କର ନିଧନ ହୋଇଯାଇଛି। ପୁତ୍ରକୁ ପ୍ରାଣାଧିକ ଆଦର କରୁଥିବା ଦ୍ରୋଣ ଏ ଶୋକାବହ ଖବର ଶୁଣି ବରଦାସ୍ତ କରିପାରିବେ ନାହିଁ। ଦୁଃଖରେ ଭାଙ୍ଗିପଡ଼ି ସେ ନିଶ୍ଚୟ ଅସ୍ତ୍ରତ୍ୟାଗ କରିବେ। ତେବେ ଶ୍ରୀକୃଷ୍ଣଙ୍କର ଏ ପ୍ରସ୍ତାବକୁ ଗ୍ରହଣ କରି ମିଛ କହିବାଲାଗି ସତ୍ୟବାଦୀ ରାଜା ଯୁଧିଷ୍ଠିର ରାଜି ହେଲେ ନାହିଁ। ତହୁଁ ଭୀମସେନ ଯାଇ ଅଶ୍ୱତ୍‌ଥାମା ନାମକ ହାତୀକୁ ହତ୍ୟା କରି ‘ଅଶ୍ୱତ୍‌ଥାମା ନିହତ’ ବୋଲି ଚିତ୍କାର କଲେ। ଏକଥା ଶୁଣି ପ୍ରକୃତ ସତ୍ୟ କ’ଣ ଜାଣିବାଲାଗି ଦ୍ରୋଣାଚାର୍ଯ୍ୟ ଆସି ଯୁଧିଷ୍ଠିରଙ୍କୁ ପଚାରିଲେ, କାରଣ ତାଙ୍କର ବିଶ୍ୱାସ ଥିଲା ଯେ ପୃଥିବୀର ଆଉ ଯିଏ ଯେଉଁଠି ମିଛ କହିଲେ ସୁଦ୍ଧା ଧର୍ମରାଜ ଯୁଧିଷ୍ଠିର କେବେ ମିଛ କହିବେ ନାହିଁ। ମାତ୍ର ଦ୍ରୋଣାଚାର୍ଯ୍ୟ ଜାଣି ନ ଥିଲେ ଯେ ସେତେବେଳକୁ ରାଜନୀତିର ପଶାପାଲିରେ ଯୁଧିଷ୍ଠିର ମଧ୍ୟ ଛନ୍ଦିହୋଇସାରିଥିଲେ। ତେଣୁ ଯୁଧିଷ୍ଠିର ସ୍ପଷ୍ଟ ଉତ୍ତର ନ ଦେଇ ଉଚ୍ଚସ୍ୱରରେ କହିଥିଲେ, ‘ଅଶ୍ୱତ୍‌ଥାମା ହତଃ’ ଓ ତା’ପରେ ଅସ୍ପଷ୍ଟ ସ୍ୱରରେ ‘ଇତି ନରୋ ବା କୁଂଜରୋବା।’ ଯୁଧିଷ୍ଠିର ଉଚ୍ଚ ସ୍ୱରରେ କହିଥିବା କଥାତକ ଶୁଣି ପୁତ୍ର ଅଶ୍ୱତ୍‌ଥାମା ମରିଯାଇଛନ୍ତି ବୋଲି ପିତା ଦ୍ରୋଣାଚାର୍ଯ୍ୟ ଗ୍ରହଣ କରିନେଲେ ଏବଂ ଅସ୍ତ୍ରତ୍ୟାଗ କରିଦେଲେ। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରି ସେ ଧ୍ୟାନସ୍ଥ ଥିବାବେଳେ ଧୃଷ୍ଟଦ୍ୟୁମ୍ନ ଦ୍ରୋଣାଚାର୍ଯ୍ୟଙ୍କର ଶିରଚ୍ଛେଦ କରିଥିଲେ।

Advertisment

ଏ ପ୍ରସଙ୍ଗ ଏଠାରେ ଉଲ୍ଲେଖ କରିବାର କାରଣ ହେଲା ଦ୍ରୋଣାଚାର୍ଯ୍ୟଙ୍କର ଯେମିତି ଯୁଧିଷ୍ଠିରଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥିଲା ଆମ ସମାଜର ସଂଖ୍ୟାଗରିଷ୍ଠ ଲୋକଙ୍କର କିଛି କିଛି ଲୋକଙ୍କ କଥା ଉପରେ ସେମିତି ଭରସା ଥାଏ। ସେମାନଙ୍କ ମଧ୍ୟରେ କିଛି ବୁଦ୍ଧିଜୀବୀ, ସାମ୍ବାଦିକ ଓ ସ୍ତମ୍ଭକାର ମଧ୍ୟ ଅନ୍ତର୍ଭୁକ୍ତ। ପାଠକମାନେ ଭାବନ୍ତି, ଆଉ ଯିଏ ଯାହା ଲେଖନ୍ତୁ ନା କାହିଁକି ଏଇ ବୁଦ୍ଧିଜୀବୀ-ସ୍ତମ୍ଭକାରମାନେ କେବେ କିଛି ଭୁଲ୍ ଲେଖିବେ ନାହିଁ। ସେମାନଙ୍କ କଥା ସବୁବେଳେ ସତ୍ୟ। ମାତ୍ର ଲୋକଙ୍କର ଏ ଧାରଣା ଦ୍ରୋଣାଚାର୍ଯ୍ୟଙ୍କର ଧାରଣା ପରି ଭୁଲ୍! ସଦ୍ୟ ସମାପ୍ତ କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଜଣାପଡ଼ିବା ପରେ ଏକଥା ପୁନଶ୍ଚ ଆଲୋଚନା ପ୍ରସଙ୍ଗକୁ ଆସିଛି। ଏହି ନିର୍ବାଚନର ପରିଣତିକୁ ପ୍ରଭାବିତ କରିବା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ଦଳ ଉଦ୍ୟମ କରିଥିବା ସ୍ୱାଭାବିକ କଥା; ମାତ୍ର ନିର୍ବାଚନର ଠିକ୍ ଦିନେ ଦି ଦିନ ଆଗରୁ ଭାରତର କିଛି ବିଶିଷ୍ଟ ସ୍ତମ୍ଭକାର ଯେଉଁଭଳି ଭାବେ ଅର୍ଦ୍ଧସତ୍ୟକୁ ସତ୍ୟ ଭାବେ ପ୍ରମାଣିତ କରି କ୍ଷମତାସୀନ ଦଳର ସମର୍ଥକ ସାଜିଲେ ତାହା ଭାରତୀୟ ଗଣମାଧ୍ୟମର ସ୍ୱାସ୍ଥ୍ୟ ସଂପର୍କରେ ଭଲ ସୂଚନା ଦେଉନାହିଁ। ଏହାଦ୍ୱାରା ସେମାନଙ୍କର ହୁଏତ କିଛି ତାତ୍କାଳିକ ଲାଭ ହୋଇଥାଇପାରେ, ମାତ୍ର ସାମଗ୍ରିକ ଭାବରେ ଗଣମାଧ୍ୟମର ବିଶ୍ୱସନୀୟତା କ୍ଷତିଗ୍ରସ୍ତ ହୋଇଛି।

ପ୍ରଥମେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କିଏ କେତେ ଆସନ ପାଇଲା ସେ କଥା ଉଲ୍ଲେଖ କରାଯାଉ। ୨୨୪ ଆସନ ବିଶିଷ୍ଟ ଏହି ବିଧାନସଭାରେ କଂଗ୍ରେସକୁ ୧୩୫, ଭାରତୀୟ ଜନତା ପାର୍ଟିକୁ ୬୬, ଜନତା ଦଳ (ଏସ୍)କୁ ୧୯ ଆସନ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ଅବଶିଷ୍ଟ ଆସନ ଦଖଲ କରିଛନ୍ତି। କଂଗ୍ରେସର ଏହି ବିଜୟକୁ ଯେମିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି, ସେମିତି କର୍ଣ୍ଣାଟକରେ ହାରିବା ଦ୍ୱାରା ଭାରତୀୟ ଜନତା ପାର୍ଟି ଦକ୍ଷିଣରେ ତା’ର ଏକମାତ୍ର ଦୁର୍ଗ ହରେଇଛି ବୋଲି ମଧ୍ୟ କୁହାଯାଉଛି। ତେବେ ନିର୍ବାଚନ ପରିଣାମର ଅନୁଶୀଳନ ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। ଏହାର ଉଦ୍ଦେଶ୍ୟ ମଧ୍ୟ ନୁହେଁ ଯେ ‘ଜନ୍‌ କୀ ବାତ୍‌’ ଓ ‘ନ୍ୟୁଜ ନେସନ୍‌’ ପରି ଏକାଧିକ ‘ଏକ୍‌ଜିଟ ପୋଲ୍’ର ମତ କିଭଳି ସତ୍ୟଠାରୁ ଯଥେଷ୍ଟ ଦୂରବର୍ତ୍ତୀ ଥିଲା ତାହା ଦେଖାଇବା ବା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଭାବେ ବର୍ଣ୍ଣିତ ଅମିତ ଶାହ କିପରି ଫଳ ପ୍ରକାଶ ପାଇବାର ୪୮ ଘଣ୍ଟା ପୂର୍ବରୁ କହିଥିଲେ ଯେ ଏଥର ଗତାନୁଗତିକ ଢାଞ୍ଚାରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ହେବନାହିଁ, ତାଙ୍କ ଦଳ ନିଶ୍ଚୟ ନିର୍ବାଚନ ଜିଣିବ। ଏଭଳି ପୂର୍ବାନୁମାନ ଦ୍ୱାରା ଅମିତ ଶାହଙ୍କୁ ନେଇ ରହିଥିବା ମିଥ୍ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି। ନିର୍ବାଚନର ଦୁଇଦିନ ଆଗରୁ ଅମିତ ଶାହଙ୍କର ଏକ ପୂରା ପୃଷ୍ଠା ସାକ୍ଷାତକାର ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ପ୍ରକାଶିତ ହୋଇଥିଲା।

ସେହି ସାକ୍ଷାତକାରରେ ସେ ଦୃଢ଼ସ୍ୱରରେ ଏକଥା କହିଥିଲେ ଯେ ତାଙ୍କ ଦଳ କର୍ଣ୍ଣାଟକରେ ଜିତିବ। ସମ୍ଭବତଃ ଅମିତ ଶାହ ନିଜେ ହିସାବ କରିଥିଲେ ଯେ ତାଙ୍କର ଦଳ କର୍ଣ୍ଣାଟକରେ ବିଜୟୀ ହେବ, କାରଣ ସେଭଳି ଅନୁଭବ ହୋଇ ନ ଥିଲେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏତେଗୁଡ଼ିଏ ରୢାଲିକୁ କଦାପି ସମର୍ଥନ କରି ନ ଥାନ୍ତେ। କେତେକ କହୁଛନ୍ତି ଯେ କର୍ଣ୍ଣାଟକ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଏକ ସତର୍କ ଘଣ୍ଟି। କାରଣ ସିଏ ହିଁ ଥିଲେ ନିର୍ବାଚନର ପ୍ରଥମ ପ୍ରସଙ୍ଗ। ଆଉ କେହି କହୁଛନ୍ତି ଯେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଯେମିତି ତରବରିଆ ଭାବରେ ପ୍ରଥମେ ପାର୍ଲାମେଣ୍ଟ ସଭ୍ୟପଦ ଓ ପରେ ସରକାରୀ ବାସଭବନରୁ ଉଚ୍ଛେଦ କରାଯାଇଥିଲା ତାହାକୁ ସଂଖ୍ୟାଗରିଷ୍ଠ ଉଦାରବାଦୀ କର୍ଣ୍ଣାଟକବାସୀ ଗ୍ରହଣ କରିପାରି ନ ଥିଲେ। ତେବେ ଏହି ଲେଖାର ଉଦ୍ଦେଶ୍ୟ ସେସବୁର ଆଲୋଚନା ନୁହେଁ, ନାମୀଦାମୀ ସ୍ତମ୍ଭକାରମାନେ କିଭଳି ନିଜର ବିଶ୍ୱସନୀୟତାକୁ ବିବାଦୀୟ କରିଥାନ୍ତି ସେହି କଥା ଆଲୋଚନା କରିବା। ଆମ ଦେଶର ରାଜନୈତିକ ନେତାମାନେ ଯାହାହେଲେ ବି ପକ୍ଷଭୁକ୍ତ। ସେମାନଙ୍କ ଠାରୁ ସଂପୂର୍ଣ୍ଣ ନିରପେକ୍ଷତା ବା ତଥ୍ୟ ଆଶା କରିବା ଠିକ୍ ନୁହେଁ। ଜିତିଲେ କହନ୍ତି ସେମାନେ ଜିତିଲେ। ହାରିଲେ କହନ୍ତି, ଆମେ ହାରିଲେ କ’ଣ ହେଲା ଆମ ପ୍ରସଙ୍ଗ ଜିତିଛି ବା ଭୋଟ୍‌ ହାର ବଢ଼ିଛି। ମାତ୍ର ଗଣମାଧ୍ୟମର ସାମ୍ବାଦିକ ବା ସ୍ତମ୍ଭକାରମାନଙ୍କ ଦାୟିତ୍ୱ ହେଉଛି ସତ୍ୟ ପ୍ରକାଶ।

ମଇ ୧୦ ତାରିଖ ବୁଧବାର ଦିନ କର୍ଣ୍ଣାଟକରେ ନିର୍ବାଚନ ହେଲା। ଶ୍ରୀକାନ୍ତ ସମ୍ବରାନୀ ଲେଖିଥିବା ଏକ ପ୍ରବନ୍ଧ ଅନୁସାରେ, ଠିକ୍ ତା’ର ଗୋଟିଏ ଦିନ ଆଗରୁ ଅର୍ଥାତ୍ ୯ ତାରିଖ ଦିନ ଭାରତର ଅନ୍ୟତମ ବଡ଼ ସମ୍ବାଦପତ୍ର ‘ଟାଇମ୍‌ସ ଅଫ୍ ଇଣ୍ଡିଆ’ରେ ଖ୍ୟାତିସଂପନ୍ନ ସ୍ତମ୍ଭକାର ରୁଚିର ଶର୍ମାଙ୍କର ଗୋଟିଏ ଲେଖା ବାହାରିଥିଲା। ସେହିପରି ନିର୍ବାଚନ ଦିନ ସେହି ସମ୍ବାଦପତ୍ରରେ ବିଖ୍ୟାତ ଅର୍ଥନୀତିଜ୍ଞ ସୁରଜିତ ଭାଲାଙ୍କର ଆଉ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା। ସେହିଦିନ ମଧ୍ୟ ଅନ୍ୟ ଏକ ବିଖ୍ୟାତ ସମ୍ବାଦପତ୍ର ଉଦିତ ମିଶ୍ରଙ୍କର ଏକ ଲେଖା ପ୍ରକାଶ କରିଥିଲା। ଏହି ଲେଖକମାନେ ଖୁବ୍ ବିଖ୍ୟାତ ଲୋକ ଏବଂ ସାରା ଦେଶରେ ଏମାନଙ୍କର ପ୍ରସିଦ୍ଧି ରହିଛି। ସେଥିପାଇଁ ବଡ଼ ବଡ଼ ସମ୍ବାଦପତ୍ର ସେମାନଙ୍କର ଲେଖାଗୁଡ଼ିକୁ ଅଗ୍ରପ୍ରାଧାନ୍ୟ ଦେଇ ପ୍ରକାଶ କରିଥାନ୍ତି। ଏହି ପ୍ରବନ୍ଧଗୁଡ଼ିକୁ ପଢ଼ିଥିବା ପାଠକ ଅବଶ୍ୟ ଜାଣିପାରିଥିବେ ଯେ ଏଗୁଡ଼ିକର ପ୍ରାବନ୍ଧିକମାନେ ଶୀତଳ ପରିସଂଖ୍ୟାନ ମାଧ୍ୟମରେ ଯାହା କହିବାକୁ ଚାହିଁଛନ୍ତି ତାହାର ଉଦ୍ଦେଶ୍ୟ ମହାଭାରତର ଯୁଧିଷ୍ଠିରଙ୍କ ଅର୍ଦ୍ଧସତ୍ୟ ପରି କ୍ଷମତାସୀନ ଦଳ ସପକ୍ଷରେ ପ୍ରଚାର, ସତ୍ୟ ପ୍ରକାଶ ନୁହେଁ। ନିର୍ବାଚନ ଫଳାଫଳ ପ୍ରକାଶନ ପରେ ଏମାନଙ୍କର ବିଶ୍ୱସନୀୟତା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଏହାଛଡ଼ା ପ୍ରମାଣିତ ହୋଇଛି ଯେ ସାଧାରଣ ନାଗରିକ ବା ଭୋଟରମାନଙ୍କ ମନ ଜାଣିବାରେ ଏମାନେ ଅସମର୍ଥ। ତାହାଛଡ଼ା କ୍ଷମତାସୀନ ଦଳ ପାଖରେ ମଧ୍ୟ ଏମାନଙ୍କର ଓଜନ କମିଥିବା ସ୍ବାଭାବିକ। ଏହି ସ୍ତମ୍ଭକାରମାନଙ୍କ ପ୍ରବନ୍ଧର ଉଦ୍ଦେଶ୍ୟ ଥିଲା ଏକଥା କହିବା ଯେ କର୍ଣ୍ଣାଟକ ନାଗରିକଙ୍କ ଆୟ, ବ୍ୟୟ, ବିକାଶ ଓ ପୁଞ୍ଜି ବିନିଯୋଗ ଭଳି ପ୍ରତ୍ୟେକ କ୍ଷେତ୍ରରେ ବିସ୍ମୟ ରାଜ୍ୟ ବା ଭାରତୀୟ ଅର୍ଥନୀତିର ବିସ୍ମୟ ଭୂଗୋଳ ପ୍ରତିଷ୍ଠା ପାଇଥିବାରୁ ନିର୍ବାଚନରେ କ୍ଷମତାସୀନ ସରକାରର ପରିବର୍ତ୍ତନ ଦୀର୍ଘଯାତ୍ରାରେ ଯାଉଥିବା ସମର୍ଥ ଘୋଡ଼ାକୁ ବଦଳେଇଦେବା ପରି ଏକ ଅନୁଚିତ କାର୍ଯ୍ୟ ହେବ। ବସ୍ତୁତଃ କର୍ଣ୍ଣାଟକ ପାଇଁ କେବେ ବି ଏହାଠାରୁ ଭଲ ସମୟ ଆସି ନ ଥିଲା ବୋଲି ଜଣେ ବିଖ୍ୟାତ ଅର୍ଥଶାସ୍ତ୍ରୀ ନିଜ ସ୍ତମ୍ଭରେ କହିଥିଲେ। ମାତ୍ର ବାସ୍ତବ ସତ୍ୟ ଏହାଠାରୁ ଯଥେଷ୍ଟ ଦୂରବର୍ତ୍ତୀ ବୋଲି ସ୍ଥାନୀୟ ଭୋଟର ଜଣା‌ଇଦେଲେ। କୋଭିଡ୍ ପରବର୍ତ୍ତୀ ସମୟରେ ଲୋକଙ୍କ ଅର୍ଥନୈତିକ ମାନ ଯଥେଷ୍ଟ ହ୍ରାସ ପାଇଥିବା ଭୋଟରମାନେ କହିଛନ୍ତି। ସ୍ତମ୍ଭକାରମାନେ ଏଭଳି ଏକପାଖିଆ କଥା ଲେଖିବା ଉଚିତ ହୋଇନାହିଁ। ଏ ପ୍ରସଙ୍ଗରେ ସବୁଠୁ ବିସ୍ମୟଜନକ କଥା ହେଉଛି ମେ ୧୦ ତାରିଖରେ, ଯୋଉଦିନ ନିର୍ବାଚନ ହେଉଥିଲା, ସେହିଦିନ ସକାଳର ‘ଟାଇମ୍‌ସ ଅଫ୍ ଇଣ୍ଡିଆ’ରେ ସୁରଜିତ୍ ଏସ୍ ଭାଲା ନିଧାର୍ଯ୍ୟ ସତ୍ୟ କହିବା ପରି ଲେଖିଥିଲେ- ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏଥର ଭାରତୀୟ ଜନତା ପାର୍ଟି ୧୦୩ଟି ଏବଂ କଂଗ୍ରେସ ୯୭ଟି ଆସନ ଲାଭ କରିବ!

କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ସରକାର କିଛି ଭଲ କାମ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସର ଭିତ୍ତିଭୂମି ଓ ଏକତା ଏବେ ବି ଦୃଢ଼ ହୋଇନାହିଁ। ସେସବୁର ମୂଲ୍ୟାୟନ କରିବାର ଅବକାଶ ଏହା ନୁହେଁ। ଅବକାଶ ହେଉଛି ଏଇଆ ଆଲୋଚନା କରିବା ଯେ, ଗଣମାଧ୍ୟମ କାହିଁକି ଏଭଳି ଏକପାଖିଆ ଚିତ୍ର ଦିଏ ଯାହା ମାତ୍ର କେଇ ଘଣ୍ଟା ପରେ ମିଛ ବୋଲି ଆପେ ଜଣାପଡ଼ିଯିବ। ଏକଥା ସତ ଯେ ଅନେକ ବଡ଼ ବଡ଼ ଲୋକ ଭାବନ୍ତି, ଥରେ ନିର୍ବାଚନ ସରିଗଲେ ଲୋକେ ସଫଳତା-ବିଫଳତା ନେଇ ଚର୍ଚ୍ଚାରେ ବ୍ୟସ୍ତ ରହିବେ; ଆଗରୁ ସେମାନେ କ’ଣ କହିଥିଲେ ସେକଥା ନେଇ କେହି ପ୍ରତିବାଦ କରିବେ ନାହିଁ। କିଛି ବର୍ଷ ହେଲା ଭାରତବର୍ଷର ଗଣମାଧ୍ୟମ- ସମ୍ବାଦପତ୍ର, ଟେଲିଭିଜନ୍ ଚାନେଲ୍ ସମସ୍ତେ ଅଦ୍ଭୁତ ପ୍ରକାର ପରିସ୍ଥିତି ଦେଇ ଗତି କରୁଛନ୍ତି। ଗୋଟିଏ ପଟେ ଗଣମାଧ୍ୟମ ଅପରିହାର୍ଯ୍ୟ ନୁହେଁ ବୋଲି ଧାରଣା ପ୍ରସାରିତ ହେଉଥିବାବେଳେ ଆଉ ଗୋଟେ ପଟେ ଗଣମାଧ୍ୟମଗୁଡ଼ିକୁ ‘ମ୍ୟାନେଜ’ କରି ହେବ ବୋଲି ଧାରଣା ପ୍ରତିଷ୍ଠିତ ହେଉଛି। ମନେ ହେଉଛି ଯେପରି ଆମ ଦେଶର ସମସ୍ତଙ୍କୁ ଗୋଟିଏ ସ୍ୱରରେ ଗୀତ ଗାଇବା ପାଇଁ ବାଧ୍ୟ କରାଯାଉଛି ଏବଂ ଗୋଟିଏ ପ୍ରକାର ତଥ୍ୟ ପରିବେଷଣ କରିବା ପାଇଁ କୁହାଯାଉଛି। ଏପରି ସ୍ଥଳେ ଯେଉଁ ବ୍ୟକ୍ତିମାନଙ୍କର ସାମାଜିକ ଗ୍ରହଣଶୀଳତା ଅଛି ସେମାନଙ୍କର ଦାୟିତ୍ୱ ଅଧିକ। କାରଣ ଲୋକେ ତାଙ୍କ କଥା ଶୁଣିବାଲାଗି ବ୍ୟଗ୍ର ଥାଆନ୍ତି। ଦୀର୍ଘ ବର୍ଷ ଧରି ସେମାନେ ଯେଉଁ ସୁନାମ ଅର୍ଜନ କରିଥାନ୍ତି ତାହାକୁ ଏଭଳି ବାଜିରେ ଲଗେଇବା ଅନାବଶ୍ୟକ। ଆଜି ଭାରତର ଗଣମାଧ୍ୟମର ସ୍ଥିତିକୁ ଦେଖି ବ୍ୟଙ୍ଗକବି ସଂପତ ସରଳଙ୍କ କଥା ମନେପଡୁଛି। ସେ କହିଥିଲେ, “ବାସ୍ତବରେ ଗଣମାଧ୍ୟମର କାମ ହେଲା ଜନତାଙ୍କ ପାଇଁ ମହମବତି ସାଜି ବାଟ ଦେଖାଇବା; ମାତ୍ର ସେଗୁଡ଼ିକ ଆଜି ସତ୍ତା ବା ଶାସନ ଆଗରେ ଅଗରବତି ସାଜି ତାଙ୍କର ପୂଜା ଅର୍ଚ୍ଚନା କରୁଛନ୍ତି।’’ ଏହା ଠିକ୍‌ ନୁହେଁ। ତଥ୍ୟ ପ୍ରକାଶ ଓ ସତ୍ୟ ପ୍ରତିଷ୍ଠା ଦ୍ବାରା ହିଁ ଆମର ଗଣତନ୍ତ୍ର ଦୃଢ଼ ହେବ।
ମୋ: ୯୪୩୭୦୭୭୨୮୮