ଜାଗାଟିଏ ମିଳିଯାଇଛି ଯଦି ଲୋକାଲ୍‌ ଟ୍ରେନ୍‌ର ଯାତ୍ରା ଅନୁଭୂତି ଖୁବ୍‌ ରୁଚିକର ଏବଂ ଜ୍ଞାନପ୍ରଦ ହୁଏ। ସୌଭାଗ୍ୟକୁ ସେଦିନ ମତେ ଝରକା କଡ଼କୁ ଜାଗାଟିଏ ମିଳିଥିଲା। ବଗିରେ ବସିବା ଲୋକଙ୍କ ତୁଳନାରେ ଠିଆ ହେବା ଯାତ୍ରୀଙ୍କ ସଂଖ୍ୟା ଅଧିକ। ମୋ ଆଗରେ ବୃଦ୍ଧ ଜଣେ। ପିଠିରେ ତାଙ୍କର ବିରାଟକାୟ ‘ସିତାର’ଟିଏ। ତାଙ୍କ ପରିଧାନରୁ ଦାରିଦ୍ର୍ୟ ଏବଂ ଦାରିଦ୍ର୍ୟ ଯୋଗୁଁ ବୃଦ୍ଧତ୍ବ ଅଧିକ ଉତ୍କଟ ରୂପରେ ଅନାବୃତ ହେଉଥାଏ। ଲମ୍ବା ଦାଢ଼ି, ବେକ ଯାଏ ଓହଳୁଥିବା ବାଳ ଏବଂ କୁର୍ତ୍ତା-ପଞ୍ଜାବୀରୁ ସ୍ପଷ୍ଟ ଯେ ସେ ନିଜେ ହିଁ ସିତାର ବାଦକ। ହେଲେ ‘ସିତାର ବାଦକ’ ଅପେକ୍ଷା ‘ସିତାରଧାରୀ’ର ବିଶେଷଣ ତାଙ୍କ ପାଇଁ ଅଧିକ ‘ଫିଟ’ ‌ମନେ ହେଉଥାଏ। ବାଦ୍ୟଯନ୍ତ୍ରଟି ତାଙ୍କ ପିଠିରେ ସବାର; ଏବଂ ତା’ ପାଇଁ ସିଟ୍‌ ଉପରର ‌ବ୍ୟାଗ୍‌ ରଖା ଥାକରେ ଜାଗା ଟିକେ ସୁଦ୍ଧା ମାଗିବାର ସାହସ ଯେମିତି ତାଙ୍କର ନାହିଁ!

Advertisment

‌େବାଧହୁଏ ସିତାର ହେଉଛି ବୃଦ୍ଧଙ୍କର ବୃତ୍ତି ଓ ପ୍ରବୃତ୍ତିର ମାଧ୍ୟମ; ତାଙ୍କ ଅସ୍ମିତାର ପ୍ରତୀକ! ମାତ୍ର ଉପସ୍ଥିତ ସ୍ଥିତିରେ ତାହା ହିଁ ତାଙ୍କ ଯାତ୍ରା-ଯାତନାର ପ୍ରମୁଖ କାରଣ ହୋଇଥାଏ। ଟ୍ରେନର ଭିଡ଼ ଭିତରେ ବିରାଟକାୟ ବାଦ୍ୟଯନ୍ତ୍ରଟି ସମସ୍ତଙ୍କ ଯାତାୟାତରେ ବାଧକ ସାଜିଥାଏ। ଫଳତଃ ଆଖପାଖରେ ଛିଡ଼ା ହୋଇଥିବା ଏମିତି ଜଣେ ବି ଯାତ୍ରୀ ନ ଥିଲେ ଯିଏ ତାଙ୍କ ଉପରେ ଟାହିଟାପରା କରୁନଥିଲେ। ସିଟ୍ ପାଇଥିବା ଯାତ୍ରୀ ବି ସେମାନଙ୍କ ସମର୍ଥନରେ। ‘‘ମିଆଁ ସାହେବ, ପୁରା ବଗିଟାକୁ ଯଦି ତୁମେ ମାଡ଼ି ବସିବ ବାକିିମାନେ ଯିବେ-ଆସିବେ କେମିତି?’’ ଉଚ୍ଚାରଣର କଟୂତା ଯୋଗୁଁ ‘ସାହେବ’ର ସମ୍ବୋଧନ ବୃଦ୍ଧ ମିଆଁଙ୍କ ପାଇଁ କେବଳ ବିଦ୍ରୂପର ଏକ ପ୍ରତିଶବ୍ଦ ପ୍ରତୀତ ହେଉଥାଏ। ‘‘ବାଦ୍ୟଯନ୍ତ୍ରଟିକୁ ମୁଣ୍ଡ ଉପରେ ହେଲେ ଟେକି ରଖନ୍ତ।’’

ଆଉ ଜଣେ କହିଲେ, ‘‘ବଗିର ଅଧା ଜାଗା ତ ତୁମେ ନେବ, ଆମେ କ’ଣ ଝରକା ବାହାରେ ଝୁଲି ହୋଇଯିବୁ।’’ ସୁଯୋଗକୁ ହାତଛଡ଼ା ନ କରି ଜଣେ ପରାମର୍ଶ ଦେଲେ, ‘‘ତୁମେ ବସ୍‌ରେ ଯିବା କଥା। ଯନ୍ତ୍ରଟିକୁ ଉପରେ ଲୋଡ୍‌ କରିପାରିଥାନ୍ତ।’’ ଦୟା‌ବାନ ଜଣେ କହିଲେ, ‘‘ସଂଗୀତ ଆସରର ଆୟୋଜକଙ୍କୁ କହିଥାନ୍ତ ତୁମ ଯାତ୍ରାର ସ୍ବତନ୍ତ୍ର ବ୍ୟବସ୍ଥା କରିଥାନ୍ତେ। ଏହି ବୟସରେ ଏତେ ବଡ଼ ଯନ୍ତ୍ରଟିକୁ ଲୋକାଲ୍‌ ଟ୍ରେନ୍‌ରେ ନେବାର ଫଳ ଓଲଟା ନ ହେଉ।’’ କଥାଟିକୁ ତାଙ୍କ ମର୍ମ ସ୍ଥଳରେ ବିନ୍ଧିବା ଲାଗି ଆଉ ଜଣେ କହିଲେ, ‘‘ତାଙ୍କ ସିତାର ବାଦନ ଯେହେତୁ ବିଶ୍ବ ସ୍ତରର, ମିଆଁ ସାହେବଙ୍କୁ ତ ସ୍ବତନ୍ତ୍ର ଗାଡ଼ି କରି ନେବା କଥା।’’ ଏତେବେଳକୁ ଜଣେ ଏକ ନୂତନ ତର୍କ ଦେଲେ, ‘‘ଟ୍ରେନରେ ବିସ୍ଫୋରକ ଦ୍ରବ୍ୟ ଯଦି ମନା, ଏଭଳି ପୃଥୁଳ ଯନ୍ତ୍ର ବି କାହିଁକି ନିଷିଦ୍ଧ ହେବ ନାହିଁ?’’

ସବୁ ଶୁଣି ସିତାରଧାରୀ ବୃଦ୍ଧ ଥରଟିଏ ବି ପାଟି ଖୋଲିଲେନି। ସ୍ବ-ସିତାର ବାଦନର ଉତ୍କର୍ଷ ସିଦ୍ଧ କରିବାକୁ ସମ୍ଭବତଃ ତାଙ୍କ ପାଖରେ କୌଣସି ‘ଉପାଧି’, ‘ପ୍ରମାଣ-ପତ୍ର’ ବି ନ ଥିଲା! ଏଯାଏଁ କେହି ତାଙ୍କୁ ଯାହାହେଉ ‘ତୁ’ ‘ତା’ କରିନାହାନ୍ତି; ସେତିକିରେ ଯେମିତି ସେ ସନ୍ତୁଷ୍ଟ।

ତାଙ୍କ ମୌନତାର କ’ଣ ସବୁ କାରଣ ହୋଇପାରେ? ମୁଁ ଚିନ୍ତା କଲି। ଆକ୍ଷେପକାରୀଙ୍କୁ ସେ ଅବୋଧ ମନେ କରୁଥିବେ? ନା, ତାଙ୍କର ସାମାନ୍ୟତମ ପ୍ରତିକ୍ରିୟା ସୁଦ୍ଧା ସେମାନଙ୍କୁ ଏକ ଉନ୍ମାଦଗ୍ରସ୍ତ ଭିଡ଼‌େର ରୂପାନ୍ତରିତ ‌କରିଦେବାର ଆଶଙ୍କା ସେ ଦେଖୁଥିଲେ? ସେହି ଦୁଃସ୍ଥିତିରେ ନିଶ୍ଚିତ ରୂପେ ତାଙ୍କ ପୂର୍ବରୁ ପ୍ରିୟତମ ବାଦ୍ୟଯନ୍ତ୍ରଟି ପାମ୍ପଡ଼ ଭଳି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯିବ? ଅନେକାନେକ ଆଶଙ୍କା ଭିତରେ ସେ କେବଳ ପ୍ରକାଣ୍ଡ ବାଦ୍ୟଯନ୍ତ୍ରଟିକୁ ନିଜ ଶରୀରର ସୁରକ୍ଷା ବଳୟ ମଧ୍ୟରେ ସୁରକ୍ଷା ଦେବାକୁ ଚେଷ୍ଟା କରୁଥାନ୍ତି ଏବଂ ପ୍ରତିବଦଳରେ ଅସଂଖ୍ୟ ଯାତ୍ରୀଙ୍କର ପାଦ, କହୁଣି ଏବଂ ହାତର ବାରମ୍ବାର ଆଘାତକୁ ଆତ୍ମସାତ କରୁଥାନ୍ତି। ବାଦ୍ୟ ଯନ୍ତ୍ରଟିକୁ ସୁରକ୍ଷା ଦେବା ଉପରେ ତାଙ୍କର ଧ୍ୟାନ ସେଠାରେ ଥିବା ଅନ୍ୟମାନଙ୍କୁ ଅହେତୁକ ମନେ ହେଉଥାଏ, ଯାହା ତାଙ୍କୁ ଅଧିକ ନିଃସଙ୍ଗ କରି ଦେଉଥାଏ! ଲାଗୁଥାଏ, ଲୋକଙ୍କର ରାଗ କେବଳ ସିତାର ଉପରେ! ମାତ୍ର ସମ୍ମୁଖରେ ଶତ୍ରୁକୁ ନ ପାଇ ବୃଦ୍ଧଙ୍କ ଉପରେ ରାଗ କଚାଡୁଛନ୍ତି।

ଲୋକାଲ୍‌ ଟ୍ରେନ୍‌। ସାନରୁ ସାନ ଷ୍ଟେସନରେ ମଧ୍ୟ ତା’ର ପ୍ରତି ଦୁଇ-ଚାରି ମିନିଟର ଅନ୍ତରାଳରେ ରହଣିର ନିୟମ। ନୂଆ କରି ଲୋକ ଆସିବେ-ଯ‌ିବେ। ଫଳରେ ବୃଦ୍ଧ ନିରନ୍ତର ନୂଆ ଟାହିଟାପରାର ଶରବ୍ୟ ହେଉଥାନ୍ତି। ଲାଗୁଥାଏ ନିଃସଙ୍ଗ ବୃଦ୍ଧ ଓ ତାଙ୍କ ସିତାର ଏକ ଚକ୍ରବ୍ୟୂହ ଭିତରେ ବନ୍ଦୀ ହୋଇଯାଇଛନ୍ତି!

ଠିକ୍‌ ଏତିକିବେଳକୁ ଏକ ନୂଆ କଥା ଘଟିଲା। ସାମନାରେ ବସିଥିବା କୋଡ଼ିଏ-ବାଇଶ ବର୍ଷର ଜଣେ ଯୁବକ ଚୁପ୍‌ଚାପ୍‌ ବୃଦ୍ଧଙ୍କ କାନ୍ଧରୁ ସିତାରଟିକୁ ନେଇ ଆସି ନିଜ କୋଳରେ ରଖିଲେ। ବୃଦ୍ଧ ମଧ୍ୟ ଯୁବକଟିର ଆଖିରେ କ’ଣ ଦେଖିଲେ କେଜାଣି, ବିନା ପ୍ରତିବାଦରେ ବାଦ୍ୟଯନ୍ତ୍ରଟିକୁ ବଢ଼େଇ ଦେଲେ। ଯନ୍ତ୍ରଟି ତାଙ୍କର ଦେହ ଛଡ଼ା ହେବାରେ ଯେମିତି ତାଙ୍କର କୌଣସି ଆପତ୍ତି ନ ଥିଲା। ସତେ ଯେମିତି ବାଦ୍ୟଯନ୍ତ୍ରଟି ଏବେ ଆବଶ୍ୟକ ସୁରକ୍ଷା ବଳୟରେ ରହିଛି। ଏହା ପରେ ସହଯାତ୍ରୀଙ୍କ ଟାହିଟାପରା ଆଉ ଶୁଣାଗଲା ନାହିଁ। ଏହାର କାରଣ କ’ଣ ରାସ୍ତା ଅବରୋଧକାରୀ ବିରାଟ ଯନ୍ତ୍ରଟିକୁ ଜଣେ କୋଳେଇ ନେଲେ ବୋଲି? ନା, ବୃଦ୍ଧ ଜଣକ ଆଦୌ ନିଃସଙ୍ଗ ବା ନିରାଶ୍ରୟ ନୁହନ୍ତି ବୋଲି ଧାଣାଟିଏ ସୃଷ୍ଟି ହେଲା? ଯୁବକ ଜଣକ ନିଜ ସମ୍ବେଦନଶୀଳତାର ଉଦ୍‌ଘୋଷଣା ବଡ଼ ପାଟିରେ କରି ନ ଥିଲେ। ବୃଦ୍ଧ ସିତାର ବାଦକଙ୍କ ପ୍ରତି କଟୁ ଆକ୍ଷେପ ବନ୍ଦ କରିବାକୁ ସହଯାତ୍ରୀମାନଙ୍କୁ ତୀବ୍ର ସ୍ବରରେ ତାଗିଦ ମଧ୍ୟ କରିନଥିଲେ। କିନ୍ତୁ ଲାଗିଲା ନିରବରେ ସେ ଯେଉଁ ହାତ ବଢ଼ାଇଦେଲେ, ସେଥିରେ ଏକ ନିରବ ବିଜୟ ଘଟିଗଲା।
ସେ ଦିନର ଘଟଣାକୁ ସେହି ବଗିରେ ଥିବା ଲୋକେ ଦୈନନ୍ଦିନର ସାମନ୍ୟ ଘଟଣା ଭଳି ଭୁଲି ଯାଇଥିବେ। କିନ୍ତୁ ମୁଁ ଭୁଲି ପାରିନାହିଁ। କାରଣ ଏହି ସାମାନ୍ୟ ଅନୁଭବଟି ସତରେ ଅସାମାନ୍ୟ ଥିଲା।
[email protected]