ଜଣେ ଲୋକ ଜଣେ ସାଧୁଙ୍କ ନିକଟରେ ପହଞ୍ଚି କହିଲା- ମୋତେ ଏମିତି ଉପଦେଶ ଦିଅନ୍ତୁ ଯେମିତି ମୁଁ ତାକୁ କାମରେ ଲଗାଇ ସୁଫଳ ପାଇବି।
ସାଧୁ କହିଲେ- ଏବେ ସାଙ୍ଗେସାଙ୍ଗେ କାମରେ ଲଗାଇବ?

Advertisment

ଲୋକଟି କହିଲା- ଏବେ ମୁଁ ଟିକିଏ ବ୍ୟସ୍ତ ଅଛି। କାଲି ଠାରୁ କାମରେ ଲଗାଇବି।
ସାଧୁ କହିଲେ- ତେବେ କାଲିକୁ ଆସ!

ଲୋକଟି କହିଲା- କାଲି ଆସି ପାରିବି କି ନାହିଁ, ଠିକଣା ନାହିଁ। କେତେବେଳେ କୋଉ କଥା! ଆପଣ ଉପଦେଶ ଦିଅନ୍ତୁ ମୁଁ ମନେ ରଖି କାଲି ଠାରୁ କାମରେ ଳଗାଇବି।
ସାଧୁ କହିଲେ- ମୁଁ ଗୋଟିଏ ଗାଁ ବାଟ ଦେଇ ଯାଉଥିଲି। ଗାଁରେ ନିଆଁ ଲାଗିଥିଲା। ଲୋକେ ବିକଳରେ ଦୌଡ଼ାଦୌଡ଼ି କରୁଥିଲେ। ମୁଁ କହିଲି- ଆଜି କାହିଁକି ଦୌଡୁଛ? କାଲି ଦୌଡ଼ିବ! ସେମାନେ ମୋତେ ତିରସ୍କାର କରି କହିଲେ- ପାଗଳ, ଦୂର ହୁଅ।
ଲୋକଟି ନିରବ ହେଲା।

ସାଧୁ ପୁଣି କହିଲେ- ତୁମେ ନିଶ୍ଚିତ ଯେ ତୁମେ ବା ତୁମ ପରିସ୍ଥିତି ବଦଳିବା ଦରକାର ବୋଲି ତୁମେ ଭାବୁଛ ଏବଂ ଯେଉଁଥି ଲାଗି ଉପଦେଶ ଚାହୁଁଛ?
ଲୋକଟି କହିଲା- ଆଜ୍ଞା, ମୋର ବହୁତ ସମସ୍ୟା। ତେଣୁ ବଦଳିବା ନିହାତି ଦରକାର। ତେଣୁ ଉପଦେଶ ମାଗୁଥିଲି।
ସାଧୁ କହିଲେ- ତାହା ହେଲେ ଯେତେବେଳେ ତୁମକୁ ଲାଗିବ ଯେ ନିଆଁ ଲାଗିଗଲା ଭଳି ପରିସ୍ଥିତି ହେଲାଣି ଏବଂ ଏବେ ନ ଦୌଡ଼ିଲେ ରକ୍ଷା ନାହିଁ, ସେତେବେଳେ ଆସିବ। ମୁଁ ଉପଦେଶ ଦେବି। ଏବେ ‌େଯମିତି ଅଛ ସେମିତିରେ ଚଳୁଥାଅ।