ଇତିମଧୢରେ ‘ଦ କେରଳ ଷ୍ଟୋରି’ ବା ‘କେରଳ କାହାଣୀ’ ନାମକ ଚଳଚ୍ଚିତ୍ରଟି ଅଭୂତପୂର୍ବ ଲୋକପ୍ରିୟତା ତଥା ବ୍ୟାବସାୟିକ ସଫଳତା ଲାଭ କରିବା ସହିତ ଦର୍ଶକମାନଙ୍କୁ ଯେମିତି ସ୍ପର୍ଶ କରିବା ସକାଶେ ଏହା ଅଭିପ୍ରେତ ଥିଲା, ସେହିଭଳି ଛୁଇଁଛି। ସୁତରା˚, ଅସୁମାରି ଅଣ-କେରଳୀ ଭାରତୀୟ ଏହି ସିନେମା ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ ଦ୍ବାରା ପ୍ରଭାବିତ ଏବ˚ ବିଚଳିତ ଯେ ଭାରତର ଏହି ଦକ୍ଷିଣତମ ରାଜ୍ୟରେ ହଜାର ହଜାର ସ˚ଖ୍ୟାରେ ହିନ୍ଦୁ ତରୁଣୀ ସେଠାକାର ମୁସଲମାନ ଯୁବକମାନଙ୍କ ଦ୍ବାରା ପ୍ରବଞ୍ଚନାର ଶିକାର ହୋଇ ସେମାନଙ୍କୁ ବିବାହ କରୁଛନ୍ତି ଏବଂ ସେହି କ୍ରମରେ ଧର୍ମାନ୍ତରିତ ହେବା ସହିତ ଅବଲୀଳା କ୍ରମେ ‘ଇସଲାମିକ୍ ଷ୍ଟେଟ୍’ ଭଳି ଜଘନ୍ୟତମ ଆତଙ୍କବାଦୀ ସ˚ଗଠନର ଅ˚ଶ ହୋଇ ସିରିଆ ବା ଆଫଗାନିସ୍ତାନରେ କ୍ରୀତଦାସୀ ତୁଲ୍ୟ ଶଢ଼ିବାରେ ଲାଗିଛନ୍ତି।
କିନ୍ତୁ କେରଳ ଭଳି ଏକ ଅତ୍ୟନ୍ତ ଶିକ୍ଷିତ ତଥା ସଚେତନ ରାଜ୍ୟ ଏହି କାହାଣୀକୁ ଜୀର୍ଣ୍ଣ କରି ପାରୁନାହିଁ; ଯେଉଁଠାରୁ ପ୍ରଶ୍ନ ଉଠିବାରେ ଲାଗିଛି ଯେ ସିନେମାଟିରେ ଦର୍ଶା ଯାଇଥିବା ଭଳି ଏକ ଭୂଚଳନ ସମତୁଲ ସାମାଜିକ ପରିବର୍ତ୍ତନ ସେହି ରାଜ୍ୟରେ ବିନା କୌଣସି କୋଳାହଳରେ ସ˚ଘଟିତ ହୋଇପାରିବା କ’ଣ ସମ୍ଭବ? ସୁତରା˚, ପ୍ରକୃତ ‘କେରଳ କାହାଣୀ’ ଭାବେ ସେମାନେ ଯାହାକୁ ନେଇ ସମ୍ମୁଖକୁ ଆସିବାରେ ଲାଗିଲେଣି, ତହିଁରେ ଶୁଣିବାକୁ ମିଳିଥାଏ ଯେ କେରଳୀମାନେ ହିଁ ହେଉଛନ୍ତି ବିଦେଶରୁ ଭାରତ ଲାଭ କରୁଥିବା ଅର୍ଥର ସର୍ବବୃହତ୍ ପ୍ରେରକ ଗୋଷ୍ଠୀ, ଯେଉଁମାନେ ୨୦୨୦ରେ ୨.୩ ଲକ୍ଷ କୋଟି ଟଙ୍କା ଭାରତକୁ ପ୍ରେରଣ କରିଥିଲେ; ଏହି ରାଜ୍ୟର ସାକ୍ଷରଙ୍କ ହାର ଭାରତରେ ସର୍ବାଧିକ ଅର୍ଥାତ୍ ୯୬ ପ୍ରତିଶତ; ଏହି ରାଜ୍ୟର ୧ ପ୍ରତିଶତରୁ ମଧୢ କମ୍ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରନ୍ତି; ଏହିଠାରେ ଶିଶୁ ମୃତ୍ୟୁ ହାର ପ୍ରତି ୧୦୦୦ରେ ମାତ୍ର ୬ ଜଣ ଇତ୍ୟାଦି ଇତ୍ୟାଦି। ସୁତରା˚, କେରଳର ଏହି କାହାଣୀ ହୃଦ୍ବୋଧ କରାଇଥାଏ କି ଏଭଳି ଏକ ରାଜ୍ୟରେ ଏତେ ସ˚ଖ୍ୟକ ଶିକ୍ଷିତ ଓ ସଚେତନ ହିନ୍ଦୁ ତରୁଣୀ ମେଷ ସୁଲଭ ଆଚରଣ କରି ପ୍ରବଞ୍ଚନାର ଖୁଆଡ଼ ମଧୢକୁ ପଶିଯିବାର ନିର୍ବୋଧତା ପ୍ରଦର୍ଶନ କରିବା ଅସମ୍ଭବ। ସୁତରା˚, ଗୋଟିଏ ନୁହେଁ, ଏକାଧିକ କେରଳ କାହାଣୀମାନ ରହିଛି; ଯେମିତି ‘ଦ କେରଳ ଷ୍ଟୋରି’ ସହିତ ପ୍ରାୟ ସମାନ୍ତରାଳ ଭାବେ ମୁକ୍ତିଲାଭ କରିଥିବା ‘୨୦୧୮’ ଶୀର୍ଷକ ଏକ ଚମତ୍କାର ମାଲାୟାଲି ଚଳଚ୍ଚିତ୍ର, ଯହିଁରେ ୨୦୧୮ ମସିହାରେ କେରଳ ପ୍ରତ୍ୟକ୍ଷ କରିଥିବା ବନ୍ୟା ବିଭୀଷିକାକୁ ଅତ୍ୟନ୍ତ ବାସ୍ତବଧର୍ମୀ ରୂପେ ପ୍ରଦର୍ଶନ କରିବା ବେଳେ ଏହି ଦାରୁଣ ସ˚କଟ ସମୟରେ ଦୃଷ୍ଟିଗୋଚର ହୋଇଥିବା ସାହସିକତା ଓ ମାନବୀୟ ସଦ୍ଭାବନାର ମାର୍ମିକ ଚିତ୍ର ପ୍ରଦାନ କରାଯାଇଛି। ସୁତରା˚, ଅନେକ ସ୍ରୋତରୁ ପ୍ରବାହିତ ହେଉଛି ଅନେକ କାହାଣୀ; ଯାହା ଦୃଷ୍ଟି ପଟଳକୁ ସ˚ପ୍ରସାରିତ କରିବା ଉଚିତ।
ଏବେ ଆଉ ଏକ ଦୃଷ୍ଟାନ୍ତ। ଆସାମରେ କ୍ଷମତାସୀନ ବି.ଜେ.ପି. ସରକାର ‘ବହୁ ଦାର ଗ୍ରହଣ’ ବା ‘ପଲିଗାମି’କୁ ଆଇନତଃ ନିଷେଧ କରିବା ଲାଗି ପ୍ରସ୍ତୁତ ହେଉଛି। ମନେ ହୁଏ ଯେ ‘ୟୁନିଫର୍ମ ସିଭିଲ୍ କୋଡ୍’ ଲାଗୁ କରିବା ଲାଗି ବିଜେପି ଦ୍ବାରା ବାରମ୍ବାର ପ୍ରଦାନ କରାଯାଉଥିବା ପ୍ରତିଶ୍ରୁତିର ପୂରଣ ପରିପ୍ରେକ୍ଷୀରେ ଏହା ଏକ କ୍ଷୁଦ୍ର ପରୀକ୍ଷାମୂଳକ ପଦକ୍ଷେପ। ତେବେ, ଏହା ପଛରେ ନିହିତ କାରଣ କ’ଣ? କାରଣଟି ହେଲା ଏକ ଭୟ ବା ଉଦ୍ବେଗ ବା ଏପରିକି ଏକ ବଦ୍ଧମୂଳ ଧାରଣା ଯେ ଜନ୍ମ ନିୟନ୍ତ୍ରଣକୁ ନିରୁତ୍ସାହିତ କରୁଥିବା ଇସଲାମ ଧର୍ମ ପୁରୁଷମାନଙ୍କୁ ସର୍ବାଧିକ ଚାରି ଜଣ ପର୍ଯ୍ୟନ୍ତ ପତ୍ନୀ ଗ୍ରହଣ କରିପାରିବାର ସ୍ବାଧୀନତା ପ୍ରଦାନ କରୁଥିବାରୁ ଭାରତୀୟ ମୁସଲମାନମାନେ ଦ୍ରୁତ ବ˚ଶ ବିସ୍ତାର କରି ଅଚିରେ ହିନ୍ଦୁମାନଙ୍କୁ ନିଜ ଦେଶରେ ଏକ ସ˚ଖ୍ୟାଲଘୁ ସ˚ପ୍ରଦାୟରେ ପରିଣତ କରି ପକାଇବେ। କିନ୍ତୁ ଏ ସ˚ଦର୍ଭରେ ଆଉ ଏକ କାହାଣୀ ବା ବ୍ୟାଖ୍ୟାନ ମଧୢ ରହିଛି, ଯାହା ପରିସ˚ଖ୍ୟାନ ଭିତ୍ତିକ ଓ ବିଜ୍ଞାନ ସମ୍ମତ। ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫’ ବା ‘ଏନ୍.ଏଫ୍.ଏଚ୍.ଏସ୍-୫’ରୁ ଉପଲବ୍ଧ ସୂଚନା ଅନୁସାରେ ସ˚ପ୍ରତି ହିନ୍ଦୁ ମହିଳାମାନଙ୍କ ‘ଟି.ଏଫ୍.ଆର୍.’ (ପ୍ରଜନନ କ୍ଷମତା) ୧.୯ ହୋଇଥିବା ବେଳେ ମୁସଲମାନ ମହିଳାଙ୍କ କ୍ଷମତା ହେଉଛି ୨.୩। ଅର୍ଥାତ୍ ୧୦ ଜଣ ହିନ୍ଦୁ ମହିଳା ହାରାହାରି ୧୯ ସନ୍ତାନଙ୍କୁ ଜନ୍ମ ଦେଉଥିବା ବେଳେ ସେହି ସ˚ଖ୍ୟକ ମୁସଲମାନ ମହିଳା ୨୩ଟି ସନ୍ତାନଙ୍କୁ ଜନ୍ମ ଦେଉଛନ୍ତି; ଅର୍ଥାତ୍ ତାରତମ୍ୟ ଉଦ୍ବେଗଜନକ ନୁହେଁ ଏବ˚ ଏହି ବ୍ୟବଧାନରେ ମଧୢ ଲଗାତାର ହ୍ରାସ ଘଟିବାରେ ଲାଗିଛି। ସୁତରା˚, ସ˚ପ୍ରତି ଭାରତୀୟ ଜନସ˚ଖ୍ୟାର ମାତ୍ର ୧୫ ପ୍ରତିଶତ ମୁସଲମାନ ହିନ୍ଦୁମାନଙ୍କୁ ସ˚ଖ୍ୟାଗରିଷ୍ଠ ସ୍ଥାନରୁ ବିଚ୍ୟୁତ କରିବାର କୌଣସି ଆଶଙ୍କା ନାହିଁ। ସୁତରା˚, ଏହା ମଧୢ ଏକ ଭିନ୍ନ କାହାଣୀ!
ଏବେ ଭାରତୀୟ ମୁସଲମାନଙ୍କ ଦ୍ବାରା ‘ବହୁ ଦାର ଗ୍ରହଣ’ ଓ ତଜ୍ଜନିତ ସେମାନଙ୍କ ବ˚ଶ ବିସ୍ତାର ତଥା ଭାରତୀୟ ଜନସା˚ଖ୍ୟିକ ଭାରସାମ୍ୟରେ ଘଟିବାକୁ ଥିବା ସମ୍ଭାବ୍ୟ ବିଭ୍ରାଟ ଉପରେ ଦୃଷ୍ଟି ନିକ୍ଷେପ କରିବା। ଏହି ସ˚ଦର୍ଭରେ ମୁମ୍ବାଇସ୍ଥିତ ‘ଇଣ୍ତିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ ସାଇନ୍ସ’ ବା ‘ଆଇ.ଆଇ.ପି.ଏସ୍.’ ଦ୍ବାରା ପ୍ରସ୍ତୁତ ଏକ ପର୍ଯ୍ୟବେକ୍ଷଣ ଭିନ୍ନ କାହାଣୀଟିଏ କହିଥାଏ। ଏହି ଅନୁଶୀଳନରେ ୨୦୦୫, ୨୦୧୫ ଏବ˚ ୨୦୧୯ରେ ପ୍ରକାଶିତ ‘ଏନ୍.ଏଫ୍.ଏଚ୍.ଏସ୍’ର ଯଥାକ୍ରମେ ତୃତୀୟ, ଚତୁର୍ଥ ଏବ˚ ପଞ୍ଚମ ସ˚ସ୍କରଣର ସୂଚନାକୁ ଭିତ୍ତି ରୂପେ ଗ୍ରହଣ କରାଯାଇଛି। ତହିଁରେ କୁହାଯାଇଛି ଯେ ୧୯୮୦ ମସିହାରେ ୨.୫ ପ୍ରତିଶତ ଭାରତୀୟ ଏକାଧିକ ପତ୍ନୀ ଗ୍ରହଣ କରିଥିବା ବେଳେ ୨୦୨୦-୨୧ ବେଳକୁ ତାହା ମାତ୍ର ୦.୯ ପ୍ରତିଶତରେ ପହଞ୍ଚିଛି। ଜମ୍ମୁ କାଶ୍ମୀର ପରେ ସର୍ବାଧିକ ମୁସଲମାନଙ୍କୁ ଆଶ୍ରୟ ପ୍ରଦାନ କରିଥିବା ଦୁଇ ରାଜ୍ୟ ଆସାମ ଓ ପଶ୍ଚିମବଙ୍ଗରେ ବହୁ ଦାର ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ହାର ହେଉଛି ପ୍ରାୟ ୨.୪ ପ୍ରତିଶତ ଯାହା ୨୦୦୫ ବେଳକୁ ପ୍ରାୟ ୩.୪ ପ୍ରତିଶତ ଥିଲା; ଏବ˚ ଏଥିରେ ମଧୢ ଲଗାତାର ହ୍ରାସ ଘଟିବାରେ ଲାଗିଛି। ସମସ୍ତଙ୍କୁ ଚକିତ କରିଦେବା ଭଳି ତଥ୍ୟ କହିଥାଏ ଯେ ସର୍ବାଧିକ ସ˚ଖ୍ୟକ ମୁସଲମାନଙ୍କୁ ଧାରଣ କରିଥିବା ରାଜ୍ୟ ଜମ୍ମୁ କାଶ୍ମୀରରେ ଏହି ହାର ହେଉଛି ମାତ୍ର ୦.୪ ପ୍ରତିଶତ, ଭାରତର ନିମ୍ନତମ ମଧୢରୁ ଗୋଟିଏ। ଭାରତରେ ‘ବହୁ ଦାର ଗ୍ରହଣ’ ପର˚ପରା ସର୍ବାଧିକ ପ୍ରଚଳିତ ଥିବା ରାଜ୍ୟଗୁଡ଼ିକ ହେଉଛନ୍ତି ଯଥାକ୍ରମେ ମେଘାଳୟ, ମିଜୋରମ, ସିକିମ ଓ ଅରୁଣାଚଳ ପ୍ରଦେଶ, ଯେଉଁଠାରେ ଏହି ହାର ଯଥାକ୍ରମେ ୬.୧ ପ୍ରତିଶତ, ୪.୧ ପ୍ରତିଶତ, ୩.୯ ପ୍ରତିଶତ ଓ ୩.୭ ପ୍ରତିଶତ ଏବ˚ ଏହା ଦୃଷ୍ଟିଗୋଚର ହୋଇଥାଏ ସେହି ରାଜ୍ୟର ଜନଜାତି ସ˚ପ୍ରଦାୟଙ୍କ ମଧୢରେ। ‘ଆଇ.ଆଇ.ପି.ଏସ୍’ ଦ୍ବାରା ପ୍ରସ୍ତୁତ ଅନୁଶୀଳନ ଅନୁସାରେ ଭାରତର ଯେଉଁ ୨୦ଟି ଜିଲ୍ଲାରେ ‘ବହୁ ବିବାହ ପ୍ରଥା’ ସର୍ବାଧିକ ଅନୁସୃତ, ସେ ସବୁ ଜିଲ୍ଲା ଜନଜାତି ଅଧ୍ୟୁଷିତ। ଏହି ତଥ୍ୟାନୁସାରେ ବର୍ତ୍ତମାନ ଭାରତରେ ଏକାଧିକ ପତ୍ନୀ ଗ୍ରହଣକାରୀଙ୍କ ମଧୢରେ ଜନଜାତିଙ୍କ ହାର ହେଉଛି ୨.୪ ପ୍ରତିଶତ, ମୁସଲମାନଙ୍କ ହାର ୧.୯ ପ୍ରତିଶତ ଏବ˚ ହିନ୍ଦୁମାନଙ୍କ ହାର ୧.୩ ପ୍ରତିଶତ। ସୁତରା˚, ଏହା ମଧୢ ଏକ ଭିନ୍ନ କାହାଣୀ, ଯାହା କହିଥାଏ ଯେ ସଂପ୍ରତି ଭାରତୀୟ ମୁସଲମାନମାନେ ବହୁ ଦାର ଗ୍ରହଣ କରିବାରୁ ନିରନ୍ତର ଦୂରେଇବାରେ ଲାଗିଛନ୍ତି ଏବଂ ଏହା ବର୍ତ୍ତମାନ ଜନଜାତି ସଂପ୍ରଦାୟ ମଧ୍ୟରେ ଅଧିକ ପ୍ରଚଳିତ।
ଦୃଷ୍ଟିଭଙ୍ଗୀ ସହିତ କାହାଣୀ ବଦଳେ। ଏହା କହିଲା ବେଳେ ଶାନ୍ତି ସକାଶେ ନେବେଲ ପୁରସ୍କାର ଜିଣିଥିବା ପାକିସ୍ତାନୀ ମହିଳା ମଲାଲା ୟୁସୁଫଜାୟୀଙ୍କ ଏକ ସାକ୍ଷାତକାର ସ୍ମରଣକୁ ଆସିଥାଏ, ଯାହା ୨୦୨୧ ମସିହାରେ ଲଣ୍ତନରୁ ପ୍ରକାଶିତ ‘ଦ ଭଗ୍’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଅତ୍ୟନ୍ତ ସଚେତନ ଓ ପ୍ରଗତିଶୀଳ ମହିଳା ଭାବେ ସର୍ବତ୍ର ପରିଚିତ ମଲାଲା ପରିଧାନ କରିଥିବା ମଥା ଓଢ଼ଣିକୁ ଇଙ୍ଗିତ କରି ‘ଦ ଭଗ୍’ର ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ଏହା ନାରୀ ନିପୀଡ଼ନର ଏକ ପ୍ରତୀକ ନୁହେଁ କି? ଏହା ପଶ୍ଚାତ୍ମୁଖୀ ଭାବନାର ଦ୍ୟୋତକ ନୁହେଁ କି? ଏହାର ଉତ୍ତରରେ ମଲାଲା ଯାହା କହିଥିଲେ, ତାହା ହେଲା ମଥା ଓଢ଼ଣିଟି ହେଉଛି ‘ପୁସ୍ତୁନ୍’ ଜାତିର ମହିଳାମାନଙ୍କ ମର୍ଯ୍ୟାଦାର ଚିହ୍ନ। ତାଙ୍କ ଦୃଷ୍ଟିରେ ଏହା କୌଣସି ପଶ୍ଚାତ୍ମୁଖୀ ଚିନ୍ତାର ସ˚କେତ ନୁହେଁ। ସୁତରା˚, ଦୃଷ୍ଟିଭଙ୍ଗୀ ସହିତ ଯେ କୌଣସି ବିଷୟର ସ୍ବରୂପ ବଦଳିପାରେ, ତା’ ସହିତ ବ୍ୟାଖ୍ୟାନ ବଦଳେ ଏବ˚ ଏହି କ୍ରମରେ ଭିନ୍ନ କାହାଣୀ ସୃଷ୍ଟି ହେବାର ସମ୍ଭାବନା ଉଦୟ ହୁଏ। ସୁତରାଂ, ‘ଦ କେରଳ ଷ୍ଟୋରି’ ହେଉ ଅଥବା ମୁସଲମାନମାନଙ୍କ ବହୁ ଦାର ଗ୍ରହଣକୁ ନେଇ ରହିଥିବା ଧାରଣା ହେଉ; ଏ ସବୁ ସମ୍ବେଦନଶୀଳ ସଂଦର୍ଭେର ଭିନ୍ନ କାହାଣୀଗୁଡ଼ିକୁ ମଧ୍ୟ ଶୁଣିବାର ଅବକାଶ ସୃଷ୍ଟି ହେଉ।