ରାଜନୀତିରେ କିଏ କାହାଠାରୁ ଓ କାହିଁକି ବଡ଼ ସେ ପ୍ରଶ୍ନ ସର୍ବଦା ଉଠିଥାଏ। କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶ ପରେ କିଏ ଜିତିଲା, କିଏ ହାରିଲା, ସେ ସମ୍ପର୍କିତ ପ୍ରଶ୍ନ ପଚାରିବାରେ ଗଣମାଧ୍ୟମ ବ୍ୟସ୍ତ। ଗତକାଲି ଯାଏ ଯୋଉ ଦରବାରୀ ଗଣମାଧ୍ୟମ ମୋଦୀଙ୍କୁ ଟ୍ରମ୍ପ କାର୍ଡ ବୋଲି କହୁଥିଲେ, ଏବେ ସେମାନେ ଏହି ପରାଜୟର ଦଂଶନରୁ ମୋଦୀଙ୍କୁ ବଞ୍ଚାଇବା ଲାଗି ଏବଂ ଏହାର ଦୋଷକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଓ ସ୍ଥାନୀୟ ବିଜେପି ନେତାଙ୍କ ଉପରେ ଲଦିବାରେ ବ୍ୟସ୍ତ ଅଛନ୍ତି। କର୍ଣ୍ଣାଟକ ପରେ ଏବେ ଜାତୀୟ ସ୍ତରରେ ବିରୋଧୀ ଦଳର ମହାସଂଘରେ କାହାର ଓଜନ କେତେ ରହିବ, ସେ ନେଇ ଅନୁମାନ ଲଗାଯାଉଛି। କିନ୍ତୁ ରାଜନୀତିର ଦୀର୍ଘମିଆଦୀ ବୁଝାମଣାରେ ରୁଚି ରଖିଥିବା ବ୍ୟକ୍ତିମାନେ କିଏ ଜିତିଲେ ବା ହାରିଲେ ସେଥିରୁ ଧ୍ୟାନ ହଟାଇ, କ’ଣ ଜିତିଲେ, କ’ଣ ହାରିଲେ ଓ କାହିଁକି ହାରିଲେ, ସେ ସମ୍ପର୍କରେ ତର୍ଜମା କରିବା ଦରକାର।
ବିଶେଷ କରି, ଏଥର ଯେହେତୁ ଏହି ନିର୍ବାଚନ କେବଳ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନୁହେଁ, ଯେଉଁଠି କେବଳ ଗୋଟିଏ ରାଜ୍ୟରେ ଆସନ୍ତା ୫ ବର୍ଷ ପାଇଁ ସରକାର ଚୟନ ହେବେ। ଏହି ନିର୍ବାଚନରେ ବହୁତ କିଛି ବାଜି ଲାଗିଥିଲା। ଯଦି ବିଜେପି ଏଥର ବିଜୟୀ ହୋଇଥା’ନ୍ତା, ତେବେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ରାହୁଳ ଗାନ୍ଧୀଙ୍କ ପାଇଁ ଦ୍ବାର ବନ୍ଦ ହୋଇଥା’ନ୍ତା। ଆମ ଗଣତନ୍ତ୍ର ଉପରେ ହେଉଥିବା ଆକ୍ରମଣକୁ ପ୍ରତିରୋଧ କରିବା ପ୍ରାୟ ଅସମ୍ଭବ ହୋଇଥା’ନ୍ତା। ଏ ପରିପ୍ରେକ୍ଷୀରେ ଭାରତର ସ୍ବଧର୍ମକୁ ବଞ୍ଚାଇବା ଲାଗି ଜାରି କୁରୁକ୍ଷେତ୍ର ଯୁଦ୍ଧରେ କର୍ଣ୍ଣାଟକର ନିର୍ବାଚନ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଥିଲା। ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବା ପରି ସଂଘର୍ଷର ଏହା ପ୍ରଥମ ପଦକ୍ଷେପ ଥିଲା।
ନିର୍ବାଚନରେ କଂଗ୍ରେସର ବିଜୟ ପରେ ରାହୁଳ ଗାନ୍ଧୀ କହିଛନ୍ତି କି, ଏହା ହେଉଛି ଘୃଣାର ବଜାରରେ ପ୍ରେମ ଦୋକାନର ବିଜୟ। ନିର୍ବାଚନ ବିଜୟର ଉତ୍ସାହରେ କରାଯାଇଥିବା ଏହି ଘୋଷଣାରେ କିଛି ସଂଶୋଧନ ଆଣିବାର ଆବଶ୍ୟକତା ରହିଛି। ଏହା ସତ୍ୟ ଯେ, ଘୃଣାର ପରାଜୟ ଘଟିଛି, ମାତ୍ର ପ୍ରେମର ବିଜୟ ହୋଇଛି ବୋଲି ଘୋଷଣା କରିବାର ସମୟ ତଥାପି ଆସି ନାହିଁ।
ନିର୍ବାଚନର ଫଳାଫଳ ଦେଖି ଏହା ଦାବି କରାଯାଇପାରେ ଯେ, ଦରଦାମ୍ ବୃଦ୍ଧି, ଦାରିଦ୍ର୍ୟ ଓ ବେକାରି ସହ ସଂଗ୍ରାମ କରୁଥିବା ଜନତାଙ୍କୁ ସାମ୍ପ୍ରଦାୟିକ ଉତ୍କଣ୍ଠାରେ ପ୍ରତାରିତ କରିବାର ଷଡ୍ଯନ୍ତ୍ର ପରାଜିତ ହୋଇଛି। ସୌହାର୍ଦ୍ଦର ସଂସ୍କୃତିର ପ୍ରତୀକ କର୍ଣ୍ଣାଟକରେ କେବେ ହିଜାବ, କେବେ ଅଜାନ, କେବେ ଲଭ୍ ଜିହାଦ ତ କେବେ ଟିପୁ ସୁଲତାନ ବାହାନାରେ ହିନ୍ଦୁ-ମୁସଲମାନ ମଧ୍ୟରେ ଦ୍ବେଷ ବିସ୍ତାର କରିବାର ରଣନୀତି ପରାଜିତ ହୋଇଛି। ଶେଷରେ ବଜରଙ୍ଗବଲୀଙ୍କ ନାମରେ ହିନ୍ଦୁ ଭାବନାକୁ ଉତ୍ସାହିତ କରିବାର ଶସ୍ତା ଖେଳ ହାରିଯାଇଛି। ଏକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଭାବମୂର୍ତ୍ତି ଥିବା ସରକାରଙ୍କୁ ମୋଦୀଙ୍କ କିଛି ଦିନର ରୋଡ୍ ସୋ’, ଉତ୍ତେଜକ ଭାଷଣ ଓ ଚ୍ୟାନେଲ ପ୍ରଚାର ଜିତାଇଦେବ ବୋଲି ରହିଥିବା ଧାରଣା ପୁଣି ଥରେ ଭୁଲ୍ ପ୍ରମାଣିତ ହୋଇଛି।
ତଥାପି ପ୍ରେମର ବିଜୟ ହୋଇଛି ବୋଲି ଏବେଠୁ କହିବା ତରବରିଆ ହୋଇଯିବ। ପ୍ରଥମତଃ, କର୍ଣ୍ଣାଟକର ବିଜୟ ଏବେ ଏବେ ହୋଇଛି। ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ କେତେ ଆସନ ଜିତିପାରିବ ତାହା ଏବେ ଆତ୍ମବିଶ୍ବାସର ସହ କହିହେବ ନାହିଁ। ଦ୍ବିତୀୟତଃ, ପଡ଼ୋଶୀ ତେଲେଙ୍ଗାନା କିମ୍ବା ହିନ୍ଦୀଭାଷୀ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ବିଜୟର ସିଧାସଳଖ ପ୍ରଭାବ ପଡ଼ିବ ବୋଲି କୌଣସି ନିଶ୍ଚିତତା ନାହିଁ। ସମଗ୍ର ଦେଶରେ ଲୋକସଭା ନିର୍ବାଚନରେ ବିଜୟ ତ ବହୁତ ଦୂର କଥା।
ତେବେ କର୍ଣ୍ଣାଟକରେ ବିଜେପିର ପରାଜୟ ଦ୍ବାରା ଏହି ସୁଦୀର୍ଘ ଲଢ଼େଇର ରଣକ୍ଷେତ୍ରକୁ ବଞ୍ଚାଇ ରଖାଯାଇପାରିଛି। ବିଜେପି ଶାସିତ ରାଜ୍ୟରେ ଶାସକ ଦଳର ଏହି ଅପମାନଜନକ ପରାଜୟ ଦେଶର ମନୋଭାବ ଓ ବିରୋଧୀଙ୍କ ମନୋବଳ ଉପରେ ବହୁତ ପ୍ରଭାବ ପକାଇବ। ଲୋକସଭା ନିର୍ବାଚନରେ କ’ଣ ହେବ, ତାହା ବର୍ତ୍ତମାନ ସୁଦ୍ଧା କୁହାଯାଇପାରିବ ନାହିଁ, କିନ୍ତୁ ଏହା ନିଶ୍ଚିତ ଯେ କର୍ଣ୍ଣାଟକର ଏହି ନିର୍ବାଚନ ଫଳାଫଳ ୨୦୨୪ରେ କ୍ଷମତା ପରିବର୍ତ୍ତନର ପଥ ଉନ୍ମୁକ୍ତ କରିଦେଇଛି। ବିଷାକ୍ତ ହୋଇଥିବା ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କିଛି ପରିମାଣରେ ବଢ଼ିଯାଇଛି।
ଖାଲି ସେତିକି ନୁହେଁ, କର୍ଣ୍ଣାଟକ ମଧ୍ୟ ଏହି ଦ୍ବାରରେ ପହଞ୍ଚିବାର ରାସ୍ତା ଦେଖାଇଛି। ଏହି ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ବିଜେପି ସରକାରଙ୍କ ଅପାରଗତା ସାଙ୍ଗକୁ ବିଜେପି ତୁଳନାରେ କଂଗ୍ରେସ ନେତୃତ୍ବରେ ଏକତା ପରି ସାଧାରଣ କାରଣ ତ ରହିଥିଲା। କିନ୍ତୁ ଏହି ଫଳାଫଳର ଏକ ଗଭୀର ସାମାଜିକ ସଂରଚନା ବି ରହିଥିଲା ଯାହା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇପାରିବ। ନିର୍ବାଚନ ଫଳାଫଳ ବିଶ୍ଳେଷଣରୁ ଏକଥା ସ୍ପଷ୍ଟ ହୋଇଛି କି, କର୍ଣ୍ଣାଟକ ପାଇଁ ଅଣ୍ଟା ଭିଡ଼ିଥିବା ବହୁ ସଂଖ୍ୟାକ ସମ୍ପ୍ରଦାୟ କଂଗ୍ରେସ ସପକ୍ଷରେ ଠୁଳ ହୋଇଥିଲେ। ସହରାଞ୍ଚଳରେ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରାୟ ସମାନ ଭାବରେ ମୁକାବିଲା ହୋଇଥିବା ବେଳେ ଗ୍ରାମୀଣ ଇଲାକାରେ କଂଗ୍ରେସକୁ ବିଜେପି ତୁଳନାରେ ୧୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି।
ସେହିପରି ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ କଂଗ୍ରେସ ଦୁଇଗୁଣାରୁ ଅଧିକ ଭୋଟ ହାତେଇଛି। ଟିଭି ବିତର୍କରେ ଲିଙ୍ଗାୟତ ଓ ବୋକଲିଗା ଭୋଟ ବ୍ୟାଙ୍କ ଉପରେ ଚର୍ଚ୍ଚା ହୋଇଥିଲା, କିନ୍ତୁ ବାସ୍ତବରେ କର୍ଣ୍ଣାଟକର ‘ଅହିନ୍ଦା’ ଭୋଟ୍, ଅର୍ଥାତ୍ ପଛୁଆ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ କଂଗ୍ରେସକୁ ଜିତେଇଛନ୍ତି। ଯଦି ଗରିବ-ଧନୀଙ୍କ କଥା ବିଚାରକୁ ନିଆଯାଏ, ତେବେ ଉଚ୍ଚ ମଧ୍ୟବିତ୍ତଙ୍କ ମଧ୍ୟରେ ବିଜେପିକୁ ପ୍ରୋତ୍ସାହନ ମିଳିଛି, ମାତ୍ର ନିମ୍ନ ମଧ୍ୟବିତ୍ତ, ଗରିବ ଓ ଅତି ଗରିବ ଶ୍ରେଣୀର ଲୋକେ କଂଗ୍ରେସକୁ ହିଁ ପସନ୍ଦ କରିଛନ୍ତି। ଯଦି ସମାଜକୁ ଏକ ପିରାମିଡ୍ ଆକୃତିର ଧରାଯାଏ, ତେବେ ଏହାର ଉପରିଭାଗରେ ବିଜେପି ଓ ଆଧାରରେ କଂଗ୍ରେସ ରହିଛି। ଯଦି ଏହି ମଡେଲକୁ ଦେଶର ସମସ୍ତ ବିରୋଧୀ ଦଳ ଗ୍ରହଣ କରନ୍ତି, ତେବେ ୨୦୨୪ରେ କ୍ଷମତାର ନିଶ୍ଚିତ ପରିବର୍ତ୍ତନ ହୋଇପାରିବ।
ଏକଥା କୁହାଯାଇପାରିବ କି, ଏହି ସାମାଜିକ ସମୀକରଣ ଘୃଣାକୁ ପରାସ୍ତ କରିବାର ଏକ ଅସ୍ତ୍ର ନୁହେଁ। ଶେଷ ବ୍ୟକ୍ତି ହୁଏତ ବିଜେପିକୁ ଭୋଟ ଦେଇନପାରେ, କିନ୍ତୁ ତା’ ମନରୁ ସାମ୍ପ୍ରଦାୟିକତାର ବିଷ ଶେଷ ହେବ ନାହିଁ। ଏ କଥା ସତ ନିଶ୍ଚୟ। ପ୍ରେମର ବିଜୟ ପାଇଁ ୨୦୨୪ ନିର୍ବାଚନରେ ବିଜେପିର ପରାଜୟ ଆବଶ୍ୟକ ହୋଇପାରେ, ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ। ପ୍ରେମର ବିଜୟ ପାଇଁ ଲୋକଙ୍କ ମନ ଓ ହୃଦୟକୁ ଜିତିବାକୁ ପଡ଼ିବ। ଘୃଣାର ବିଷକୁ କାଟିବା ପାଇଁ ଅନ୍ତତଃ ଗୋଟିଏ ପିଢ଼ି ଯାଏ ଏକ ସୁଦୀର୍ଘ ବୈଚାରିକ ସଂଘର୍ଷ ଲଢ଼ିବାକୁ ହେବ। ନିର୍ବାଚନୀ ରାଜନୀତି ହୁଏତ ଭାରତର ସ୍ବଧର୍ମ ରକ୍ଷା ପାଇଁ ଜରୁରୀ ଏହି ଗଭୀର ସାଂସ୍କୃତିକ ସଂଘର୍ଷର ଆରମ୍ଭ ହୋଇପାରେ!