ଖାଦ୍ୟ ନଷ୍ଟ କରିବାକୁ ଗାନ୍ଧୀ ଏକ ପାପ ବୋଲି ବିବେଚନା କରନ୍ତି। କହନ୍ତି, ଯାହାର ଯେତିକି ଖାଦ୍ୟ ଦରକାର ସେତିକି ଆଣି ସବୁ ଖାଇବା ଉଚିତ। ଖାଦ୍ୟ ବଳେଇ ତାକୁ ଫିଙ୍ଗିଦେବା କେବେ ରାଷ୍ଟ୍ରହିତରେ ନଥାଏ। ଏକାଠି ବସି ଖାଇଲା ବେଳେ କିଏ କମ୍ ଖାଇଲେ ଗାନ୍ଧୀ ଯେପରି ବିରକ୍ତ ହୁଅନ୍ତି, ଜଣେ କିଏ ନ ଖାଇ ଖାଦ୍ୟ ଛାଡ଼ିଗଲେ ସେମିତି ବିରକ୍ତ ହୁଅନ୍ତି।

Advertisment

ଗାନ୍ଧୀ ଆଶ୍ରମମାନଙ୍କରେ ଏକ ଆହାରକାଳୀନ ପ୍ରାର୍ଥନା ଗାନ କରାଯାଇଥାଏ। ପ୍ରାର୍ଥନାରେ କୁହାଯାଏ, ଭୋଜନ ହିଁ ଶକ୍ତିଦାତା, ଅନ୍ନ ହିଁ ପରମ ବ୍ରହ୍ମ। ଖାଦ୍ୟ ଉଦର ଭର୍ତ୍ତି ପାଇଁ ଖିଆ ଯାଏନି, ଏହା ଏକ ଯଜ୍ଞ କର୍ମ- ଓଁ ସହ ନାବବତୁ। ସହ ନୌ ଭୁନକ୍ତୁ।

୧୯୩୦ ମସିହା ମାର୍ଚ୍ଚ ମାସରେ ଦାଣ୍ଡି ପଦଯାତ୍ରା ବେଳେ ବାଟରେ ଖାଦ୍ୟ ଅପଚୟ ଗାନ୍ଧୀଙ୍କୁ ବେଶୀ ବ୍ୟଥିତ କରିଥିଲା। ସୁରଟର ଚାଷୀମାନେ ଯାତ୍ରୀମାନଙ୍କ ପାଇଁ ମାଗଣାରେ ତରଭୁଜ, ପିଜୁଳି ଆଦି ଫଳ ପଠାଉଥିଲେ। ଗାନ୍ଧୀ କିନ୍ତୁ ଲକ୍ଷ୍ୟ କରୁଥିଲେ, ଯାତ୍ରୀମାନେ ତରଭୁଜ, ପିଜୁଳି ଅଧା ଖାଇ ଅବଶିଷ୍ଟ ଫିଙ୍ଗି ଦେଉଥିଲେ। ଖାଦ୍ୟ ଏପରି ନଷ୍ଟ ନ କରିବାକୁ ଗାନ୍ଧୀଙ୍କର ତାଗିଦ୍ ଥିଲା। କିଛି କିନ୍ତୁ ସଂଶୋଧିତ ହେଉ ନ ଥିଲା।
ସାବରମତୀ ଆଶ୍ରମରୁ ଦାଣ୍ଡି ଅଭିମୁଖେ ଲଗାତର ସତର ଦିନ ପଦଯାତ୍ରା ପରେ ଗାନ୍ଧୀ ଓ ତାଙ୍କ ସହଯାତ୍ରୀମାନେ ୧୯୩୦ ମାର୍ଚ୍ଚ ୨୯ ତାରିଖରେ ପହଞ୍ଚିଥିଲେ ସୁରଟର ‘ଭଟଗାଁ’ରେ। ଗାନ୍ଧୀ ସେଦିନ ଖୁବ୍ ଉଦାସ ଦେଖା ଯାଉଥିଲେ। ସହକର୍ମୀଙ୍କ ସହ କମ୍ କଥା ହେଉଥିଲେ।

ସେଦିନ ଭଟଗାଁର ସନ୍ଧ୍ୟା ପ୍ରାର୍ଥନା ସଭାରେ ଗାନ୍ଧୀ ଏକ ଦୀର୍ଘ ଭାଷଣ ଦେଲେ, ଯଦିଓ ପ୍ରତିଦିନ ପଦଯାତ୍ରା ଶେଷରେ ପ୍ରାର୍ଥନା ସଭାରେ ଗାନ୍ଧୀଙ୍କ ଭାଷଣ ସଂକ୍ଷିପ୍ତ ହୋଇଥାଏ ଏବଂ ସେଥିରେ ସ୍ୱରାଜ କଥା ଓ କେତେବେଳେ କେମିତି ନିଜ ବ୍ୟକ୍ତିଗତ କଥା ଥାଏ। ଏ ଭାଷଣ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଭାଷଣରେ ଗାନ୍ଧୀ କହିଲେ, ‘ମୁଁ ତୁମମାନଙ୍କୁ କୌଣସି ପ୍ରବଚନ (ସରମନ) ଦେଉନି। ପ୍ରବଚନ ଦେବାର ଯୋଗ୍ୟତା ମୋର ନାହିଁ। ମୁଁ କିନ୍ତୁ ଏକ ଆତ୍ମସମୀକ୍ଷା କଥା ତୁମମାନଙ୍କୁ ସିଧା କହୁଛି। ସିଧା କୁହେ ବୋଲି ମୋର କିଛି ଆତ୍ମୀୟ ମୋ ଠାରୁ ଦୂରେଇ ଗଲେଣି। ଇଂରେଜ ସରକାରଙ୍କୁ ମୋର ଏଇ ସିଧା କଥା ଭଲ ଲାଗୁନି। ଖାଦ୍ୟ ନଷ୍ଟ ନ କରିବାକୁ ମୁଁ ତୁମମାନଙ୍କୁ ଅନେକ ଥର କହିଛି। ଏମିତି ଏକ ପାପ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ବି ଦେଇଛି। ତୁମେ କିନ୍ତୁ କ୍ଷୀର, ପିଜୁଳି, ତରଭୁଜ ପରି ଖାଦ୍ୟର ଅପଚୟ କରି ଚାଲିଛ। ଏ ସବୁ ଖାଦ୍ୟ ଉତ୍ପାଦନ କରିବାକୁ ସୁରଟର ଅନେକ ଚାଷୀଙ୍କର ସର୍ପାଘାତରେ ମୃତ୍ୟୁ ହୋଇଥାଏ।’

ଭାଷଣ ଶେଷରେ ଗାନ୍ଧୀଜୀ ଟିକିଏ ଗମ୍ଭୀର ସ୍ୱରରେ କହିଲେ, ‘ଦାଣ୍ଡିଯାତ୍ରା ଆରମ୍ଭ କରିବା ପୂର୍ବରୁ ମୁଁ ବଡ଼ଲାଟ ଇରଵିନ୍‌ଙ୍କ ପାଖକୁ ଏକ ପତ୍ର ଲେଖିଥିଲି। ଆଜି ଭାବୁଛି ସେପରି ପତ୍ର ଲେଖିବା ମୋର ଠିକ୍ ହୋଇନି। ପତ୍ର ଲେଖି ମୁଁ ମୋ ପତ୍ର ଲେଖିବା ଅଧିକାରର ଅସଦ୍ ବ୍ୟବହାର କରିଛି। ପତ୍ରରେ ମୁଁ ଭାଇସ୍‌ରାୟଙ୍କୁ ଜଣାଇ ଥିଲି, ଆପଣ ମାସକୁ ଏକୋଇଶ ହଜାର ଟଙ୍କା ଦରମା ପାଆନ୍ତି- ଦିନକ ଦରମା ସାତ ଶହ ଟଙ୍କା। ଜଣେ ଭାରତୀୟ କିନ୍ତୁ ଦୈନିକ ମାତ୍ର ଦୁଇ ଅଣା ଆୟ କରେ। ଆପଣଙ୍କ ଦୈନିକ ଦରମାରେ ଏଠି ପାଞ୍ଚ ଛ’ ହଜାର ଲୋକ ଚଳି ପାରିବେ। ଆପଣଙ୍କ ଅତ୍ୟଧିକ ଦରମା ହଜାର ହଜାର ଭାରତୀୟଙ୍କୁ ଉପାସରେ ରଖୁଛି। ଭାରତ ପରି ଏକ ଗରିବ ଦେଶରେ ଆମେ ଆପଣଙ୍କ ଏହି ଉଚ୍ଚ ଦରମାକୁ ଗ୍ରହଣ କରି ପାରୁନୁ। ଏହା ଅପବ୍ୟୟ।

ମୁଁ କିନ୍ତୁ ମୋ ପଦଯାତ୍ରାରେ ଆଜି ଭିନ୍ନ କଥା ଦେଖୁଛି। ମୋ ଅଭ୍ୟାସ, ଚଳଣି ସହ ପରିଚିତ ଥିବା ମୋ ସହଯୋଗୀମାନେ ଖାଦ୍ୟ ନ ଖାଇ ନଷ୍ଟ କରୁଛନ୍ତି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦେଖଣାହାରୀମାନେ ଏହାକୁ ଦେଖୁଛନ୍ତି। ଏ ଦୃଶ୍ୟ ମୋତେ ମାନସିକ ଯନ୍ତ୍ରଣା ଦେଇଛି। ସମସ୍ତଙ୍କ ପାଇଁ ମୁଁ ମୋର ଆତ୍ମସମୀକ୍ଷା କରୁଛି। ସ୍ୱାଧୀନତା ଯାତ୍ରାରେ ଏ ଖାଦ୍ୟ ଅପଚୟ ଏବଂ ବଦଖର୍ଚ୍ଚ ଖାଲି ଏକ ଅପରାଧ ନୁହେଁ; ଏକ ପାପ।’
ଗାନ୍ଧୀଙ୍କର ଏପରି ଭାବପ୍ରବଣତା ଭରା ଭାଷଣ ଶୁଣିବା ପରେ ପଦଯାତ୍ରୀମାନେ ଖାଦ୍ୟ ଓ ପାଣି ନଷ୍ଟ କରିବେନି ବୋଲି ଜଣ ଜଣ ହୋଇ ସ୍ବେଚ୍ଛାକୃତ ଶପଥ ନେଇଥିଲେ।

ଦିନରେ ସର୍ବାଧିକ ପାଞ୍ଚରୁ ଅଧିକ ପ୍ରକାରର ଖାଦ୍ୟ ଗାନ୍ଧୀ ଖାଉ ନଥିଲେ। ଏହା ଗାନ୍ଧୀଙ୍କର ଏକ ବ୍ରତ ଥିଲା। ଏହାର କାରଣ ନେଇ ଗାନ୍ଧୀଜୀଙ୍କ ଉତ୍ତର ଥିଲା, ସେ ଯେତେବେଳେ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ସବୁଦିନ ପାଇଁ ଭାରତ ଫେରି ଆସିଲେ, ସେତେବେଳେ ଅନେକ ବନ୍ଧୁ ତାଙ୍କୁ ସାମାଜିକ ଉତ୍ସବରେ ଭୋଜି କିମ୍ବା ଭୋଜନ ପାଇଁ ଘରକୁ ନିମନ୍ତ୍ରଣ କରୁଥିଲେ। ଅନେକ ସୁସ୍ବାଦୁ ଗରିଷ୍ଠ ଖାଦ୍ୟ ପ୍ରସ୍ତୁତ ହେଉଥିଲା। ସେ ଖାଦ୍ୟ କିନ୍ତୁ ଶରୀର ପ୍ରତି ଉପଯୁକ୍ତ ନଥିଲା। ଅନେକ ଜାଗାରେ ପ୍ରସ୍ତୁତ ଖାଦ୍ୟ ନଷ୍ଟ ବି ହେଉଥିଲା। ଦୁଃଖ ଯେ ଅତିଥି ସତ୍କାରରେ ଥିବା ଅନେକ ବ୍ୟକ୍ତି ଖାଦ୍ୟ ନଷ୍ଟକୁ ଗମ୍ଭୀରତାର ସହ ନେଉ ନଥିଲେ। ବଳକା ଖାଦ୍ୟର କିପରି ପୁନଃ ବ୍ୟବହାର ହେବ ସେ ଚିନ୍ତାରେ ବି କେବେ ସେମାନେ ନଥିଲେ। ଖାଦ୍ୟ ସଂଯମକୁ ତେଣୁ ଗାନ୍ଧୀ ତାଙ୍କ ଦିନଚର୍ଯ୍ୟାର ଏକ ବ୍ରତ କରିଦେଇଥିଲେ।

ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ୧୯୩୪ ମସିହାରେ ପୁରୀରୁ ଆରମ୍ଭ ହୋଇଥିବା ହରିଜନ ପଦଯାତ୍ରାର କିଛି ଘଟଣା ତାଙ୍କ ‘ଗାନ୍ଧୀ ଓ ଉତ୍କଳ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପଦଯାତ୍ରାବେଳେ ଲୋକମାନେ ଦେଉଥିବା ପଇଡ଼ ପାଣି ଗାନ୍ଧୀ ପିଉଥିଲେ। ପାଚିଲା ଆମ୍ବ ଖାଉଥିଲେ। ସାଥୀମାନଙ୍କ ପାଇଁ ଥିଲା ସକାଳେ ଗାଉଁଲି ଜଳଖିଆ- ଚୁଡ଼ା, ଗୁଡ଼, ଦହି, ନଡ଼ିଆ ଇତ୍ୟାଦି। ଦି ପହର ଓ ସନ୍ଧ୍ୟାକୁ ଭାତ, ଡାଲି ଓ ତରକାରି। କେତେବେଳେ କେମିତି ଗହମ ଅଟା ମିଳିଲେ ରୁଟି ହେଉଥିଲା। ବାଟରେ ପିପିଲିର ଶିଉଳାଚକଠାରେ ଦିନେ ପଦଯାତ୍ରୀଙ୍କ ପାଇଁ ରୋଷେଇ ହୋଇଥିବା ଭାତ ବଳି ପଡ଼ିଥିଲା। ତାକୁ ଓଡ଼ିଆ କର୍ମୀମାନେ ସଜ ପଖାଳ କରି ଖାଇବାର ଦେଖି ଗାନ୍ଧୀଜୀ ଖୁସି ହୋଇ ଯାଇଥିଲେ ଏବଂ ଅନ୍ୟମାନଙ୍କୁ କହିଥିଲେ ‘ଦେଖ, ଓଡ଼ିଶାର ଲୋକମାନେ କିପରି ବଳକା ଖାଦ୍ୟର ସଦ୍ ବ୍ୟବହାର କରନ୍ତି ଏବଂ ଅନ୍ୟ ପ୍ରଦେଶର କର୍ମୀମାନେ ଏ ମନୋଭାବର ମୂଲ୍ୟ ବୁଝିବା ଉଚିତ।
ଖାଦ୍ୟ ନଷ୍ଟ ସମଗ୍ର ପୃଥିବୀରେ ସମ୍ପ୍ରତି ଏକ ବଡ଼ ସମସ୍ୟା। ଏହା ବିରୋଧରେ ଅଭିଯାନ ଅବଶ୍ୟ ଆରମ୍ଭ ହୋଇ ଗଲାଣି।
ମୋ: ୯୮୬୧୪୬୯୩୨୮