ପ୍ରତିଷ୍ଠିତ ଜାପାନୀ ସମ୍ବାଦପତ୍ର ‘ଆସାହି ସିମ୍ବୁନ୍‌’ରେ ପ୍ରଥମେ ପ୍ରକାଶିତ ଓ ପରେ ପୃଥିବୀ ସାରା ଗଣମାଧ୍ୟମ ଦ୍ବାରା ପ୍ରସାରିତ ହୋଇ ଜାପାନୀମାନଙ୍କ ସମ୍ବନ୍ଧରେ ଯେଉଁ ଏକ ଖବର ପାଠକ ପାଠିକାମାନଙ୍କ ମୁହଁରେ ବର୍ତ୍ତମାନ ସ୍ମିତହାସ୍ୟ ଉକୁଟାଇ ଚାଲିଛି, ତାହା କେତେକ ଓଡ଼ିଆ ପାଠକପାଠିକାଙ୍କ ମନରେ ଭିନ୍ନ ଏକ ଭାବନା ମଧ୍ୟ ଜାଗ୍ରତ କରୁଥିବ। ଏମାନେ ହେଉଛନ୍ତି ମନୋଜ ଦାସଙ୍କର ମନୋମୁଗ୍‌ଧକାରୀ କାଳଜୟୀ ଗଳ୍ପ ‘ଅନେକ ସ୍ମିତହସ’ ଦ୍ବାରା ସମ୍ମୋହିତ ହୋଇଥିବା ଏକାଧିକ ପିଢ଼ିର ମନୋଜପ୍ରେମୀମାନେ। ସେମାନେ ଏବେ ଆଶ୍ବସ୍ତି ଅନୁଭବ କରୁଥିବେ ଯେ ସୌଭାଗ୍ୟବଶତଃ କଥାକାର ଯେଉଁ ସମୟରେ ଏହି ଗଳ୍ପଟି ରଚନା କରିବା ପାଇଁ ବାଗ୍‌‌େଦବୀଙ୍କ ପ୍ରେରଣା ଅନୁଭବ କରିଥିଲେ, ସେଇ ସମୟ କାଳରେ ପୃଥିବୀ କୋଭିଡ୍‌-୧୯ ଭଳି ଏକ ଦୀର୍ଘକାଳୀନ ତୁଣ୍ଡିବନ୍ଧା ପାଣ୍ଡେମିକ୍‌ ଦ୍ବାରା କବଳିତ ହୋଇନଥିଲା। ନଚେତ୍‌ ତିନି ବର୍ଷ କାଳ ତୁଣ୍ଡି ପଛ ଆଡ଼େ ସ୍ମିତହସକୁ କବର ଦେବା ପରେ, ଜାପାନୀମାନେ ବର୍ତ୍ତମାନ ତୁଣ୍ଡିମୁକ୍ତ ହେବା ପରେ ବି ମୁହଁରେ ହସ ଫୁଟାଇବାକୁ ଅସମର୍ଥ ହୋଇପଡ଼ିଥିବା ଭଳି ମନୋଜଙ୍କ ଗଳ୍ପର ନାୟକ ରାଓଙ୍କ ମୁଖମଣ୍ଡଳରେ ସେ ରବିବାର ସକାଳେ ଆଉ ଏକ ହସର ଅବଶିଷ୍ଟାଂଶ ଲାଖି ରହିନଥାନ୍ତା, କି ତା’ପରର ଘଟଣାକ୍ରମର ଆବିର୍ଭାବ ଘଟିନଥାନ୍ତା, କି ମନୋଜଙ୍କ ମନରେ ଏ କାହାଣୀର ଭ୍ରୂଣ ସଞ୍ଚାର ମଧ୍ୟ ଘଟିନଥାନ୍ତା।

Advertisment

ପ୍ରକାଶିତ ସମ୍ବାଦ ଅନୁସାରେ କଠୋର ନିୟମାନୁବର୍ତ୍ତୀ ଜାତି ରୂପେ ସୁଖ୍ୟାତ ଜାପାନୀମାନେ ଦୀର୍ଘ ତିନି ବର୍ଷ କାଳ ତୁଣ୍ଡି ବା ମାସ୍କ୍‌ ଆଢୁଆଳରେ ଥାଇ କାହାରିକୁ ଆଉ ସହାସ୍ୟ ବଦନ ପ୍ରଦର୍ଶନ କରିବାର ଆବଶ୍ୟକତା ଅନୁଭବ ନ କରିବାରୁ ସେମାନଙ୍କର ମୁଖମଣ୍ଡଳରେ ସ୍ମିତହସର ଆବିର୍ଭାବ ପଥରେ ଏବେ ଦୁଇଟି ପ୍ରତିବନ୍ଧ ଦେଖାଦେଇଛି: ସେମାନେ ଆଉ ନିଜର ମୁହଁକୁ ହସହସ କରିବାର ଆବେଗ ଅନୁଭବ କରି ପାରୁନାହାନ୍ତି; ମନୁଷ୍ୟର ମୁଖମଣ୍ଡଳର ଯେଉଁ ମାଂସପେଶୀମାନଙ୍କର ସଂକୋଚନ ପ୍ରସାରଣ ଘଟି ହସ ସୃଷ୍ଟି ହୋଇଥାଏ, ଦୀର୍ଘ କାଳର ନିଷ୍କ୍ରିୟତାର ଫଳ ସ୍ବରୂପ ଜାପାନୀମାନଙ୍କର ମୁଖମଣ୍ଡଳର ସେଇ ମାଂସପେଶୀମାନଙ୍କର ଚଳତ୍‌ଶକ୍ତି ହ୍ରାସ ପାଇଛି। (ବୋଧହୁଏ ଆମେମାନେ ନିୟମର ପାଳନ ଅପେକ୍ଷା ଅଧିକ ନିୟମର ଉଲ୍ଲଂଘନ କରିଥାଉ ବୋଲି ବର୍ତ୍ତମାନ ଏଭଳି ସଂକଟରୁ ରକ୍ଷା ପାଇଯାଇଛୁ।)

କୋଭିଡ୍‌ର ଅପସାରଣ ଘଟିବା ପରେ ବର୍ତ୍ତମାନ ଜାପାନ ସରକାର ବାଧ୍ୟତାମୂଳକ ଭାବରେ ମାସ୍କ ପିନ୍ଧିବା ପାଇଁ ବଳବତ୍ତର ରହି ଆସିଥିବା କଟକଣା ଉଠାଇ ଦେବା ପରେ ହସିବା କ୍ଷମତା ହରାଇ ବସିଥିବା ଜାପାନୀମାନେ ଏବେ ସେ କ୍ଷମତା ଫେରିପାଇବା ପାଇଁ ପେସାଦାର ପ୍ରଶିକ୍ଷକମାନଙ୍କ ପାଖରେ ଭିଡ଼ ଜମାଇବା ଦେଖାଗଲାଣି ବୋଲି ଉପରୋକ୍ତ ରିପୋର୍ଟରେ ପ୍ରକାଶ ପାଇଛି (ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ତଥାପି ପ୍ରାୟ ୩୦ ଶତାଂଶ ଜାପାନୀ ସ୍ବଇଚ୍ଛାରେ ମାସ୍କ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ବୋଲି ପ୍ରକାଶ ପାଇଛି, ଯେଉଁମାନେ ନିଜ ମୁହଁରେ ସ୍ମିତହାସ୍ୟ ଉତ୍ପାଦନ କରିବାର ଆତ୍ମବିଶ୍ବାସ ହରାଇ ବସିଛନ୍ତି)। ମୁହଁରେ ହସ ଫୁଟାଇବା ପାଇଁ ଜାପାନୀମାନେ ଏପରି ବିଧିବଦ୍ଧ ଭାବରେ ତାଲିମ ଗ୍ରହଣ କରିବାକୁ ବାହାରି ପଡ଼ିବା ଆମକୁ ଅସ୍ବାଭାବିକ ମ‌େନ ହୋଇପାରେ; କିନ୍ତୁ ସେମାନେ ଯେଉଁ ବି କାର୍ଯ୍ୟ କରନ୍ତି - ଜୋତା ସିଲେଇରୁ ଜାହାଜ ନିର୍ମାଣ ପର୍ଯ୍ୟନ୍ତ - ତାହାକୁ ସର୍ବୋତ୍ତମ ଭାବରେ କରିବାକୁ ଚେଷ୍ଟା କରିଥାନ୍ତି ବୋଲି ଜାପାନୀମାନେ ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ହସିବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ତେବେ ପ୍ରଶ୍ନ ଉଠିପାରେ ହସିବାକୁ ଏପରି ଗୁରୁତ୍ବ ପ୍ରଦାନ କରାଯିବାର କାରଣ କ’ଣ? ଗୋଟିଏ କାରଣ ତ ନିଶ୍ଚିତ ରୂପେ ହେଉଛି ଯାହା ସର୍ବଦା କୁହାଯାଇଥାଏ- ହସ ହେଉଛି ସର୍ବୋତ୍ତମ ମହୌଷଧି। ଏପରିକି ତାଙ୍କର ଅଜାଣତରେ ତାଙ୍କ ମୁହଁରେ ଲାଖି ରହିଥିବା ହସ ଶେଷରେ କିପରି ରାଓଙ୍କ ମନରେ ହକର୍‌ ପିଲାଟି ପ୍ରତି ଜନ୍ମ ନେଇଥିବ‌‌ା କ୍ରୋଧକୁ ଦୂରୀଭୂତ କରିବାରେ ସହାୟକ ହୋଇଛି, ‘ଅନେକ ସ୍ମିତହସ’ର ପାଠକ ପାଠିକାମାନେ କେବଳ ଯେ ତା’ ମାଧ୍ୟମରେ ହସର ଯାଦୁକରୀ ସ୍ପର୍ଶର ଆସ୍ବାଦନ କରିଥାନ୍ତି, ତାହା ନୁହେଁ, ଏହି ଅନୁଭବ ମଧ୍ୟ କ୍ଷଣକ ପାଇଁ ସେମାନଙ୍କ ମନରେ ସାରା ସଂସାର ପ୍ରତି ଏକ ଅଜଣା ଉଦାରତା ଭରି ଦେଇଥାଏ।
କାହାଣୀର ରାଓ ହୁଅନ୍ତୁ କି କାହାଣୀର ପାଠକମାନେ ହୁଅନ୍ତୁ, ପରିବେଶରେ ହସର ଉପସ୍ଥିତି ସେମାନଙ୍କର ଆଚରଣ ବା ଆଭିମୁଖ୍ୟ ଉପରେ ଏ ଯେଉଁ ନିର୍ଣ୍ଣାୟକ ପ୍ରଭାବ ପକାଇଥାଏ, ମନସ୍ତତ୍ତ୍ବବିତ୍‌ମାନେ ତାହାର ନାମକରଣ କରିଛନ୍ତି- ‘ରେସିପ୍ରୋକାଲ୍‌ ପ୍ରାଇମିଙ୍ଗ୍‌’ (‘ପାରସ୍ପରିକ ପୂର୍ବ ପ୍ରସ୍ତୁତି’)।

କେବଳ ହସ ନୁହେଁ, ମନୁଷ୍ୟର ବିଭିନ୍ନ ଆଚରଣ ପ୍ରତି ଏହା ପ୍ରଯୁଜ୍ୟ ହୋଇଥାଏ। ଯେମିତି ତୁମ ମନରେ ଯଦି ଦୟା ଭାବ ଥାଏ, ତୁମେ ଜଣେ ଦୃଷ୍ଟିହୀନଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କରିଥାଅ; ଅପରପକ୍ଷେ ତୁମେ ଯଦି ଜଣେ ଦୃଷ୍ଟିହୀନଙ୍କୁ ରାସ୍ତା ପାର ହେବାରେ ସାହାଯ୍ୟ କର, ତାହା‌ ତୁମ ମନରେ ମଧ୍ୟ ଦୟା ଭାବ ସୃଷ୍ଟି କରିଥାଏ। ସେହିପରି ତୁମ ମନରେ ଉଦ୍ରେକ ହୋଇଥିବା ପୁଲକ ତୁମ ଓଠରେ ହସ ସୃଷ୍ଟି କରିଥାଏ; ଅପର ପକ୍ଷେ ତୁମ ଓଠରେ ହସ ଫୁଟିଲେ ମଧ୍ୟ ତୁମ ମନରେ ପୁଲକ ଜାତ ହୁଏ ବୋଲି ମନସ୍ତତ୍ତ୍ବବିତ୍‌ମା‌େ‌ନ ପରୀକ୍ଷା କରି ଦେଖିଛନ୍ତି।

ସେତିକି ନୁହେଁ, ତୁମ ପରିବେଶରେ ହସ ହସ ମୁହଁର ଉପସ୍ଥିତି ତୁମକୁ ଆନନ୍ଦିତ କରିଥିବା ବେଳେ ବିଷଣ୍ଣ ବଦନର ଉପସ୍ଥିତି ତୁମକୁ ବିଷାଦଗ୍ରସ୍ତ କରିଥାଏ। ‌‘ରେସିପ୍ରୋକାଲ୍‌ ପ୍ରାଇମିଙ୍ଗ୍‌’ ନିୟମକୁ ଅନୁସରଣ କଲା ଭଳି କାହାଣୀରେ ଅନେକ ସ୍ମିତହସମାନଙ୍କର ଉପସ୍ଥିତିର ପ୍ରଭାବ ସମସ୍ତଙ୍କ ପାଇଁ ଆନନ୍ଦବର୍ଦ୍ଧକ ହୋଇଛି। ହସିବା କୌଶଳ ଭୁଲି ଯାଇଥିବା ଜାପାନୀମାନେ ତାଲିମ ପାଇବା ପରେ ଯେତେବେଳେ ହସିବାକୁ ଆରମ୍ଭ କରିବେ, ତାହା କୃତ୍ରିମ ମନେ ହୋଇପାରେ, କିନ୍ତୁ ‘ରେସିପ୍ରୋକାଲ୍‌ ପ୍ରାଇମିଙ୍ଗ୍‌’ ନିୟମ ଅନୁଯାୟୀ ତାହା ସମ୍ପୃକ୍ତ ବ୍ୟକ୍ତିଙ୍କ ଚିତ୍ତରେ ଆନନ୍ଦ ଭାବ ସୃଷ୍ଟି କରିବା ସହିତ ସମଗ୍ର ଜାପାନୀ ସମାଜକୁ ମଧ୍ୟ ଏକ ଅଧିକ ଆନନ୍ଦମୟ ସମାଜରେ ପରିଣତ କରିବାରେ ସହାୟକ ହେବ।

ଏଭଳି ତାଲିମପ୍ରାପ୍ତ ହସ ଯଦି କାହାକୁ ଯାନ୍ତ୍ରିକ ଓ ନିରର୍ଥକ ମନେ ହେଉଥାଏ, ମନସ୍ତତ୍ତ୍ବବିତ୍‌ମାନେ ଏଥିପାଇଁ ବ୍ୟବହାର କରିଥିବା ନିମ୍ନ ବର୍ଣ୍ଣିତ ଏକ ପରୀକ୍ଷା ସେମାନଙ୍କର ଏହି ଆଶଙ୍କା ଦୂର କରିପାରେ। ଗବେଷକମାନେ କେତେକ କଲେଜ ଛାତ୍ରଙ୍କୁ ଦୁଇଟି ଦଳରେ ବିଭକ୍ତ କରି ଗୋଟିଏ ଦଳର ଛାତ୍ରମାନଙ୍କୁ ପ୍ରତ୍ୟେକ ଗୋଟିଏ ଲେଖାଁଏ ପେନ୍‌ସିଲ୍‌କୁ ଆଡ଼ ବାଗରେ ଦାନ୍ତରେ ଚାପି ଧରିବାକୁ ଏବଂ ଅନ୍ୟ ଦଳର ଛାତ୍ରମାନଙ୍କୁ ପେନ୍‌ସିଲ୍‌କୁ ସିଧା ବାଗରେ ଦାନ୍ତରେ ଚାପି ଧରିବାକୁ କହିଲେ ଯେପରି ପେନ୍‌ସିଲ୍‌ଟି ନାକ ସିଧା ମୁହାଁଇ କରି ରହିଥିବ। ଏହାଦ୍ବାରା ପ୍ରଥମ ଦଳର ଛାତ୍ରମାନଙ୍କର ମୁହଁ ହସ ହସ (‘ସ୍ମାଇଲି’ ଭଳି) ଦେଖାଯାଉଥିବା ବେଳେ ଦ୍ବିତୀୟ ଦଳର ଛାତ୍ରମାନଙ୍କର ମୁହଁ ବିରକ୍ତି ସୂଚକ ଭ୍ରୂକୁଞ୍ଚିତ (‘ଫ୍ରାଉନ୍‌’) ଦେଖାଯାଉଥିଲା।

ଛାତ୍ରମାନେ ଏହି ଅବସ୍ଥାରେ ସ୍ବଳ୍ପ ସମୟ ପାଇଁ ଥିବା ବେଳେ ଗବେଷକମାନେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନରେ ନିୟୋଜିତ କରି ସେମାନଙ୍କର ମନସ୍ତତ୍ତ୍ବ ପରୀକ୍ଷା କରିଥିଲେ। ଗବେଷକମାନେ ଫଳାଫଳ ଅନୁଶୀଳନ କରି ଯାହା ଆବିଷ୍କାର କଲେ, ତାହା ହେଲା, କୃତ୍ରିମ ହସ ଧାରଣ କରୁଥିବା ଛାତ୍ରମାନଙ୍କର ଆଚରଣ ଅଧିକ ସକାରାତ୍ମକ ଓ ଆନନ୍ଦସୂଚକ ହୋଇଥିବା ‌େବଳେ କୃତ୍ରିମ ଭ୍ରୂକୁଞ୍ଚନଧାରୀ ଛାତ୍ରମାନଙ୍କର ଆଚରଣ ଅଧିକ ନକାରାତ୍ମକ ଓ ବିଷାଦସୂଚକ ଥିଲା। ମୁହଁରେ ପେନ୍‌ସିଲ୍‌ ପୂରାଇ ସୃଷ୍ଟି କରାଯାଇଥିବା ହସ ହେଉଛି ଏକ ତାଲିମପ୍ରାପ୍ତ ହସ ଭଳି; ଯଦି ସେ ହସର ଫଳ ମଧ୍ୟ ଏପରି ଉତ୍ତମ ହୁଏ, ତେବେ ତାଲିମପ୍ରାପ୍ତ ହସ ମଧ୍ୟ ଯେ ହସହୀନ ହୋଇପଡ଼ିଥିବା ଜାପାନୀ ସମାଜର ଅଶେଷ ମଙ୍ଗଳ ସାଧନ କରିବ, ଏଥିରେ କୌଣସି ସନ୍ଦେହ ନାହିଁ।