କର୍ଣ୍ଣାଟକ ବିଜୟ ପୁରୁଣା ହୋଇଗଲାଣି। ତେବେ, କୌଣସି ରାଜ୍ୟର ବିଜୟ ନିଶ୍ଚିତ ଭାବରେ ଏପରି ଗଭୀର ଓ ବ୍ୟାପକ ଜାତୀୟ ଶିହରଣ ସୃଷ୍ଟି କରି ନାହିଁ। ଏକ ଛୋଟ ବନ୍ଦ କୋଠରି ଭିତରୁ କୌଣସି କ୍ଷୀଣ ଆଲୋକ ରେଖା ନିର୍ଗତ ହେବା ଅଥବା ଧାରଟିଏ ସତେଜ ପବନର ପତଳା ତରଙ୍ଗ ବାହାରି ଆସି ଛୁଇଁଯିବା ଭଳି ଏକ ଅବିସ୍ମରଣୀୟ ଅନୁଭବ କର୍ଣ୍ଣାଟକ ହିଁ ଦେଶକୁ ଦେଇଛି। ଏହି ସମୟରେ ଭାରତୀୟ ଗଣତନ୍ତ୍ରକୁ, ସାର୍ବଜନୀନ ଜୀବନ ଓ ସାମାଜିକ ବିମର୍ଶକୁ ଏହା ଠାରୁ ବଡ଼ ଉପହାର ଆଉ ମିଳି ନ ପାରେ। ଏହା ମାନସିକ ଅପରିଚ୍ଛନ୍ନତା, ଅଶ୍ଳୀଳ ପ୍ରଦର୍ଶନ ପ୍ରବଣତା ଓ ରାଜନୈତିକ ଅସାଧୁତା ବିରୋଧରେ ଚିତ୍କାର କଲା ଭଳି ଏକ ଘଟଣା।
ଏହା ରାହୁଳ ଗାନ୍ଧୀଙ୍କ ବିଜୟ ନୁହେଁ, ଯଦିଓ ରାହୁଳଙ୍କ ବିନା ଏହି ବିଜୟ ସମ୍ଭବ ହୋଇନଥା’ନ୍ତା। କଂଗ୍ରେସ ସହ ରାହୁଳଙ୍କ ସମ୍ପର୍କ ବେଶ୍ ଆବେଗମୟ। ସେ ହେଉଛନ୍ତି କଂଗ୍ରେସର ସବୁଠୁ ବଡ଼ ତଥା ପ୍ରଭାବଶାଳୀ ନେତା ଯାହାଙ୍କୁ କୋଣଠେସା କରିବାର ରଣନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତୁତ କରିଥିଲେ। ତେବେ ଏଥି ପାଇଁ ନୁହେଁ ଯେ ସେ ଜଣେ ‘ଲଲ୍ଲୁ’ (ବିଜେପି ବିଚାରରେ), ବରଂ ନରେନ୍ଦ୍ର ମୋଦୀ ଭଲ ଭାବରେ ଜାଣିଛନ୍ତି କି ଏହି ବ୍ୟକ୍ତି ଓ ଏହି ଦଳ ହିଁ ତାଙ୍କୁ ‘ଲଲ୍ଲୁ’ରେ ପରିଣତ କରିଦେଇ ପାରିବ। ତେଣୁ ରାହୁଳଙ୍କ ଭାବମୂର୍ତ୍ତିକୁ ଖରାପ କରିବାରେ ସେମାନେ ପର୍ଯ୍ୟାପ୍ତ ଅର୍ଥ ଓ ସମ୍ବଳ ଖଟେଇ ଥିଲେ। ପ୍ରଧାନମନ୍ତ୍ରୀ ବିଗତ କିଛି ବର୍ଷ ଭିତରେ ରାହୁଳଙ୍କ ବିରୋଧରେ ଏପରି କଳୁଷିତ ଢଙ୍ଗରେ ପରିବାରବାଦର ଅଭିଯୋଗ ଆଣିଥିଲେ ଏବଂ ପ୍ରତ୍ୟେକ ହିନ୍ଦୁତ୍ବବାଦୀ ଦେଢ଼ ଇଞ୍ଚିଆ ପୁରୁଷ ତାହାକୁ ଏଭଳି ଦୋହରାଇଲେ ଯେ ରାଜନୈତିକ କ୍ଷମତା ଦୃଷ୍ଟିରୁ ଦୁର୍ବଳ ହୋଇଯାଇଥିବା କଂଗ୍ରେସ ଗୋଟିଏ ପାଦରେ ଛିଡ଼ା ହେବା ଭଳି ସ୍ଥିତିକୁ ଚାଲି ଆସିଥିଲା। ପ୍ରଧାନମନ୍ତ୍ରୀ ଯାହା ଚାହୁଁଥିଲେ, ସେପରି ହିଁ ଘଟୁଥିଲା। ରାହୁଳଙ୍କୁ କଂଗ୍ରେସ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରୁଥିବା ବେଳେ ତାଙ୍କ ବିନା କଂଗ୍ରେସ କାମ କରିବା କଷ୍ଟକର ବୋଲି ମଧ୍ୟ ହୃଦ୍ବୋଧ ହେଉଥିଲା। ଏଥିରେ ଗାନ୍ଧୀ ପରିବାରର ନିଜସ୍ବ ଦୁର୍ବଳତା ଏବଂ ପୁରୁଖା କଂଗ୍ରେସିଆମାନଙ୍କ ଅବୁଝାପଣ ମଧ୍ୟ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଏବଂ ଏଥି ପାଇଁ କଂଗ୍ରେସକୁ ବହୁ ମୂଲ୍ୟ ମଧ୍ୟ ଦେବାକୁ ପଡ଼ିଥିଲା।
ତା’ପରେ କଂଗ୍ରେସର ଅସଲ ନେତାମାନେ ତାହାର ଉପଚାର ଖୋଜିବାକୁ ଲାଗିଲେ ଏବଂ ରାହୁଳ ତାହାକୁ ରୂପ ଦେଲେ। ସେମାନେ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କଲେ। ଏହି ଯାତ୍ରା ଆଉ କିଛି କରିଥାଉ କି ନ ଥାଉ ପଛକେ, ରାହୁଳ ଗାନ୍ଧୀଙ୍କୁ ପରିବାରବାଦ ଆରୋପରୁ ଏବଂ ତଜ୍ଜନିତ ଦ୍ବନ୍ଦ୍ବରୁ କଂଗ୍ରେସକୁ ନିଶ୍ଚିତ ଭାବରେ ମୁକ୍ତ କରିଦେଇଛି। ଆଜି ରାହୁଳ ଗାନ୍ଧୀ ନିଜ ଦମ୍ରେ କଂଗ୍ରେସର ନେତୃତ୍ବ ନେଉଛନ୍ତି, ତାହା ପାଇଁ ରାସ୍ତା ମଧ୍ୟ ଫିଟାଇ ଦେଇଛନ୍ତି। ଏବେ ଆଉ ପରିବାରବାଦ ଆରୋପର ଗୁରୁତ୍ବ ରହିନାହିଁ। ଏକଦା ରାହୁଳଙ୍କ ମା’ ଯେପରି କଂଗ୍ରେସକୁ ଛିଡ଼ା କରାଇଥିଲେ, ଏବେ ରାହୁଳ ସେପରି କରୁଛନ୍ତି। ଏହି ପରିବାର ମଧ୍ୟ ନିଜର ଦୁର୍ବଳତାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛି।
ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସବୁଠାରୁ ଅଧିକ ପକ୍କା ତଥା ବହୁମୁଖୀ ପରାଜୟ। ଏହା ତାଙ୍କର ଫମ୍ପା ନେତୃତ୍ବ, ଅର୍ଥହୀନ ବୟାନବାଜି, ସରକାରୀ ପାଣ୍ଠିର ବ୍ୟବହାର କରି ନିଜର ମହିମା ଗାନ, ମିଥ୍ୟା ଦମ୍ଭ, ଘୃଣା ଓ ସାମ୍ପ୍ରଦାୟିକତା- ଏହି ସମସ୍ତଙ୍କର ପରାଜୟ ଘଟିଛି। ମଣିଷର ଦୁର୍ବଳତାକୁ ନିଶାଣ କରି ରାଜନୀତିରେ ଯାହା କିଛି ବି ହାସଲ କରାଯାଇପାରିବ, ସେ ସବୁର ପ୍ରୟାସ ୨୦୧୪ ଠାରୁ ହିଁ ଚଳିଆସିଛି। ଭାରତୀୟ ଜନତା ପାର୍ଟିର ମନରେ ଏକ ଗର୍ବ ରହିଥିଲା ଯେ ନିର୍ବାଚନ ଯାହା ବି ହେଉ ନା କାହିଁକି, ମୋଦୀ ସେମାନଙ୍କର ଶେଷ ମୋହର। ସେ ରଣକ୍ଷେତ୍ରକୁ ପ୍ରବେଶ କଲା ମାତ୍ରେ ପାଣିପାଗ ବଦଳିଯିବ। ଏହା ବି ଘଟି ଆସୁଥିଲା; କାରଣ ସାର୍ବଜନୀନ ଜୀବନକୁ ମୋଦୀଙ୍କ ପରି ଆଉ କେହି ଏତେ ଦୂଷିତ କରିପାରିବେ ନାହିଁ। ମାତ୍ର କର୍ଣ୍ଣାଟକରେ ସେହି ଗୋଟିକୁ ପରାଜିତ ହେବାକୁ ପଡ଼ିଛି।
ଏହି ପରାଜୟରେ ଭାରତୀୟ ଜନତା ପାର୍ଟି ଦୁଃଖୀ ହୋଇଥିବ। ମାତ୍ର ତାହାର ଯଦି କିଛି ରାଜନୈତିକ ବୁଦ୍ଧିମତ୍ତା, ଦୂରଦର୍ଶିତା ଓ ଆତ୍ମସମ୍ମାନ ବଞ୍ଚି ରହିଥିବ, ତେବେ ଏହି ପରାଜୟରେ ସେମାନେ ଖୁସି ହେବା ଉଚିତ। ଏକ ରାଜନୈତିକ ଦଳ ଭାବରେ ଭାରତୀୟ ଗଣତନ୍ତ୍ରରେ ନିଜର ସ୍ଥିତି ଓ ଅସ୍ତିତ୍ବ ବଜାୟ ରଖିବାକୁ ହେଲେ, ଏହା ହିଁ ସେମାନଙ୍କ ପାଇଁ ସୁବର୍ଣ୍ଣ ଅବସର। ଭାରତୀୟ ଜନତା ପାର୍ଟିର ଲୋକତାନ୍ତ୍ରିକ ତତ୍ତ୍ବମାନେ ତୁରନ୍ତ ଏକଜୁଟ ହେବା ଦରକାର ଏବଂ ମୋଦୀ-ଶାହ ନେତୃତ୍ବର ରଙ୍ଗ ଓ ଢଙ୍ଗ ବିରୋଧରେ ସ୍ବର ଉତ୍ତୋଳନ କରିବା ଦରକାର।
ନିର୍ବାଚନରେ ହାର-ଜିତ, କ୍ଷମତା ଦଖଲ କରିବାର ମାନସିକତା କେତେ ଗର୍ହିତ ଓ ଫମ୍ପା ହୋଇପାରେ, ତାହା ପୂର୍ବରୁ ଅନେକ ଥର ପ୍ରମାଣିତ ହୋଇଛି। ଅପାର ବହୁମତ ହାସଲ କରିଥିବା ଇନ୍ଦିରା ଗାନ୍ଧୀ, ଅଶ୍ରୁତପୂର୍ବ ବହୁମତ ହାତେଇ ପାରିଥିବା ରାଜୀବ ଗାନ୍ଧୀ, ଗଭୀର ଶୁଭେଚ୍ଛାର ସହ ଗାଦିରେ ଅବସ୍ଥାପିତ ହୋଇଥିବା ମୋରାରଜୀ ଦେଶାଇ ଓ କୌଣସି ବରଦାନ ସଦୃଶ ଗୃହୀତ ହୋଇଥିବା ବିଶ୍ବନାଥ ପ୍ରତାପସିଂହ ଆଦି ହେଉଛନ୍ତି ତାହାର ଉଦାହରଣ। ଲୋକତନ୍ତ୍ରର ଯାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ସିଂହାସନ ଠାରେ ପହଞ୍ଚିବା ସରଳ ହୋଇପାରେ, ମାତ୍ର ସଂବିଧାନର ଚାଲୁଣିକୁ ଅତିକ୍ରମ କରିବା ଖେଳ କଥା ନୁହେଁ। ଯିଏ ବି ଏପରି କଥାକୁ ଭୁଲିଯାଏ କିମ୍ବା ଅହଂକାର ଯୋଗୁଁ ତାହାକୁ କବର ଦେବାକୁ ଚେଷ୍ଟା କରେ, ତାହାକୁ ଇତିହାସର ଆବର୍ଜନା ଗଦାରେ ଫିଙ୍ଗି ଦିଆଯାଇଥିବା ଦେଖାଯାଏ। ରାଜ୍ୟ ହେଉ ବା କେନ୍ଦ୍ର; ଏହି କଥା ଯେ କୌଣସି କ୍ଷମତାଧାରୀଙ୍କ ପାଇଁ ପ୍ରଯୁଜ୍ୟ। ଭାରତୀୟ ଜନତା ପାର୍ଟି ପାଇଁ କର୍ଣ୍ଣାଟକ ଏକ ସତର୍କ ଘଣ୍ଟି ନା ବିନାଶର ଅୟମାରମ୍ଭ; ତାହା ଦେଖିବାକୁ ବାକି ରହିଲା। ଯଦି ଏହି ଦଳରେ କେଉଁଠି କୌଣସି ଅଟଳ ତତ୍ତ୍ବ ବଞ୍ଚି ରହିଛନ୍ତି, ତେବେ ସେମାନଙ୍କୁ ଆଗକୁ ଆସିବା ଲାଗି ଓ ସକ୍ରିୟ ହେବା ଲାଗି ଏହା ହେଉଛି ଶେଷ ମୁହୂର୍ତ୍ତ।
ଯଦି କର୍ଣ୍ଣାଟକ ବିଜୟକୁ ନିଜର ବିଜୟ ବୋଲି ଭାବି କଂଗ୍ରେସ ବାଟ ଚାଲେ, ତେବେ ଗାତରେ ଗଳି ପଡ଼ିବ। ସଂସଦୀୟ ଗଣତନ୍ତ୍ରରେ ଲୋକେ ମତଦାନର ଭାଷାରେ ଜବାବ ଦେଇଥା’ନ୍ତି। ଏହାକୁ ବୁଝିବା ତୁମର ରାଜନୈତିକ ବୁଦ୍ଧି ଓ ଗଣତାନ୍ତ୍ରିକ ଆସ୍ଥା ଉପରେ ନିର୍ଭର କରେ। କର୍ଣ୍ଣାଟକର ଜନତା ଭାରତ ପକ୍ଷରୁ କହିଛନ୍ତି ଯେ ସେମାନେ ସାଂପ୍ରଦାୟିକ ଧ୍ରୁବୀକରଣ ପସନ୍ଦ କରନ୍ତି ନାହିଁ; ସେମାନଙ୍କୁ ସୁବିଧାବାଦୀ ରାଜନୀତି ପସନ୍ଦ ନୁହେଁ ଏବଂ ସେମାନେ ମିଥ୍ୟା ଓ ପ୍ରତାରଣାକୁ ମଧ୍ୟ ଭଲ ପାଆନ୍ତି ନାହିଁ। ଲୋକତନ୍ତ୍ରକୁ ବଜାରରେ ପରିଣତ କରିବା ପାଇଁ ମୋଦୀ-ଶାହ ରଣନୀତି ଉଦ୍ଦିଷ୍ଟ। ଏଥିରେ ନୈତିକତା, ସଚ୍ଚୋଟତା, ଆଦର୍ଶ, ସର୍ବଧର୍ମ ସମଭାବତା, ସାମାଜିକ ସଂକୀର୍ଣ୍ଣତାରୁ ସମାଜକୁ ଉପରକୁ ଉଠାଇବାର ସଂଘର୍ଷ ଓ ସାମ୍ବିଧାନିକ ମର୍ଯ୍ୟାଦା ଆଦି ପ୍ରସଙ୍ଗ ‘ଫମ୍ପା ମାଠିଆର ଅଧିକ ଶବ୍ଦ’ ଭଳି। କିନ୍ତୁ କଂଗ୍ରେସ ଓ ଅନ୍ୟ ଦଳର ସମସ୍ତ ସୁବିଧାବାଦୀ ତତ୍ତ୍ବଙ୍କୁ ଦଳରେ ସାମିଲ କରି, ସେମାନଙ୍କୁ ଟିକେଟ ଦେଇ ସରକାର ଗଢ଼ିବାରେ, ନ ଜିତିଲେ ସୁବିଧାବାଦୀଙ୍କୁ ଖରିଦ କରିବାର କଳା ଉପରେ ମୋଦୀ-ଶାହଙ୍କର ଏକାଧିକାର ନାହିଁ। କଂଗ୍ରେସ ମଧ୍ୟ ଏହା କରିବାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି; ଅନ୍ୟ ଦଳମାନେ ମଧ୍ୟ ଏ ପନ୍ଥା ଅବଲମ୍ବନ କରିବାରେ ଲାଗି ପଡ଼ିଛନ୍ତି। ଯଦି ଭାରତୀୟ ଗଣତନ୍ତ୍ରର ଏହା ହେଉଛି ଏକମାତ୍ର ଉପାୟ, ତେବେ ନିର୍ବାଚନରେ ମତଦାତାଙ୍କ ପାଖରେ ବାଛିବା ପାଇଁ ଆଉ କ’ଣ ବାକି ରହିଲା? ତେଣୁ ଲୋକତନ୍ତ୍ରର ଖେଳ ନୁହେଁ, ଖେଳର ରାସ୍ତା ବା ଧାରା ବଦଳାଇବା ଦେଶର ରାଜନୈତିକ ଭବିଷ୍ୟତ ପାଇଁ ଜରୁରୀ।
ରାହୁଳ ଗାନ୍ଧୀ କହିଛନ୍ତି, ‘ଆମେ ଘୃଣାର ବଜାରରେ ପ୍ରୀତିର ଦୋକାନ ଖୋଲିପାରିଲୁ।’ ଏଇଟା କ’ଣ ବାହାପିଆମି? ତାହା ହୋଇ ବି ପାରିଥାଏ, କାରଣ ଦେଶ ବାହାପିଆମିରେ କ୍ଷତାକ୍ତ ହୋଇପଡ଼ିଛି। ରାହୁଳ ଗାନ୍ଧୀଙ୍କୁ ଏହା ପ୍ରମାଣ କରିବାକୁ ପଡ଼ିବ କି, ଏହା ବାହାସ୍ଫୋଟ ନୁହେଁ, ବରଂ ତାଙ୍କର ଆସ୍ଥାର କଥା। ଯଦି ତାହା ଆସ୍ଥାର କଥା, ତେବେ ତୁମକୁ ତାହାର ମୂଲ୍ୟ ଦେବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ। ଜିତିବା ବା ହାରିବା; ଯଥେଷ୍ଟ ଆଗରୁ ତାହା ସମାଜରେ ନିର୍ଦ୍ଧାରିତ ହୋଇ ସାରିଥାଏ, ତା’ ପରେ ତାହା ଭୋଟ୍ର ରୂପ ନେଇଥାଏ। ଆମେମାନେ ଦେଖିଛନ୍ତି କିପରି ସମାଜକୁ ଦୁର୍ବଳ କରି ମଧ୍ୟ ନିର୍ବାଚନ ଜିତା ଯାଇପାରିବ, କିନ୍ତୁ ଆମେ ଏ କଥା ମଧ୍ୟ ଦେଖିଛନ୍ତି କି ନିର୍ବାଚନରେ ବିଜୟ ମଧ୍ୟ ଏକ ଗଣତାନ୍ତ୍ରିକ ପରାଜୟରେ ପରିଣତ ହୋଇଥାଏ। ସେଥିପାଇଁ ଗଣତନ୍ତ୍ର ଭିତରେ ଲୁଚି ରହିଥିବା ରହସ୍ୟକୁ ଚିହ୍ନିବା ଓ ତାକୁ ଆତ୍ମସ୍ଥ କରିବା ଜରୁରୀ। କାରଣ ସମାଜକୁ ଉପରକୁ ଉଠାଇବା, ତାହାକୁ ସୁସଂଗତ କରିବା, ସମତା ଓ ସମାନତା ଆଡ଼କୁ ତାହାକୁ ନେବା ଏବଂ ସମାଜକୁ ନିର୍ଭୀକ ତଥା ନିଷ୍କପଟ କରାଇବା ଇତ୍ୟାଦି ହେଉଛି ସଂସଦୀୟ ଲୋକତନ୍ତ୍ରର ଅଭିନ୍ନ ଦାୟିତ୍ବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ