କେନ୍ଦ୍ର ସରକାରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଥିବା ଅଶ୍ବିନୀ ବୈଷ୍ଣବ ନିକଟରେ ଦୃଢ଼ ଆଶା ପ୍ରକାଶ କରିବା ଦେଖାଯାଇଛି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତ ପୃଥିବୀର ବୃହତ୍ତମ ସେମିକଣ୍ଡକ୍ଟର୍ ଉତ୍ପାଦନ ସ୍ଥଳୀରେ ପରିଣତ ହେବାକୁ ଯାଉଛି। କେବଳ ସେତିକି ନୁହେଁ, ଏଠାରେ ମଧ୍ୟ ସେମିକଣ୍ଡକ୍ଟର୍ ଉତ୍ପାଦନ ଖର୍ଚ୍ଚ ପୃଥିବୀରେ ସର୍ବନିମ୍ନ ହେବ ବୋଲି ବୈଷ୍ଣବ ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ତାଇୱାନ୍ ଓ ଦକ୍ଷିଣ କୋରିଆେର କେନ୍ଦ୍ରୀଭୂତ ଥିବା ଆଜିର ଡିଜିଟାଲ୍ ସଭ୍ୟତାର ଏହି ମୌଳିକ ଅପରିହାର୍ଯ୍ୟ ଉପାଦାନର ଉତ୍ପାଦନକୁ ବିକେନ୍ଦ୍ରୀକୃତ କରିବା ନିମିତ୍ତ ଆରମ୍ଭ ହୋଇଥିବା ଉଦ୍ୟମରୁ ଲାଭ ଉଠାଇବା ପାଇଁ ଭାରତ ଅଣ୍ଟା ଭିଡୁଥିବା ବେଳେ ମନ୍ତ୍ରୀ ମହୋଦୟଙ୍କର ଏହି ଆଶାବାଦୀ ଘୋଷଣା ଆମକୁ ନିଶ୍ଚିତ ରୂପେ ପୁଲକିତ କରୁଛି; କିନ୍ତୁ ବାସ୍ତବରେ ଏହା ସାକାର ହେବାର ସମ୍ଭାବନା କେତେ, ତାହା ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରିବା ଅସମୀଚୀନ ହେବ ନାହିଁ।
‘ଚିପ୍’ ନାମରେ ଅଧିକ ପରିଚିତ ଏହି ସେମିକଣ୍ଡକ୍ଟର୍ ଓ ସ୍ବାଧୀନ ଭାରତ ଏକ ସମୟରେ ଇତିହାସରେ ଆବିର୍ଭୂତ ହୋଇଥିଲେ ବୋଲି କୁହାଯାଇପାରେ। ୧୯୪୭ରେ ଆମେରିକାର ପ୍ରସିଦ୍ଧ ‘ବେଲ୍ ଲାବ୍ସ’ ଗବେଷଣା ପ୍ରତିଷ୍ଠାନର ଏକ ଗବେଷକ ଗୋଷ୍ଠୀ ଆଧୁନିକ ଇଲେକ୍ଟ୍ରୋନିକ୍ସର ମୂଳଭିତ୍ତି ରୂପେ ପରିଚିତ ‘ଟ୍ରାନ୍ଜିଷ୍ଟାର୍’ର ଉଦ୍ଭାବନ କଲେ ଯାହା ହେଉଛି ବିଦ୍ୟୁତ୍ ପ୍ରବାହକୁ ନିୟନ୍ତ୍ରଣ କରୁଥିବା ଏକ ସ୍ବିଚ୍। ଏହାର ଗୋଟିଏ ଦଶନ୍ଧି ମଧ୍ୟରେ ଗବେଷକମାନେ କେତେଗୁଡ଼ିଏ ଟ୍ରାନ୍ଜିଷ୍ଟର୍କୁ ସଫଳ ଭାବରେ ଖଣ୍ଡିଏ ସିଲିକନ୍ ଆଧାର ଉପରେ ଖଞ୍ଜିବାରେ ସମର୍ଥ ହେଲେ, ଯାହା ହେଉଛି ବର୍ତ୍ତମାନର ସୁପରିଚିତ ‘ଇଣ୍ଟିଗ୍ରେଟେଡ୍ ସର୍କିଟ୍’ (‘ଆଇସି’) ବା ସାଧାରଣ ଭାଷାେର ‘ଚିପ୍’।
ଆମେରିକାର ବିଶାଳ ଚିପ୍ ନିର୍ମାତା କମ୍ପାନି ‘ଇଣ୍ଟେଲ୍’ର ସହ-ପ୍ରତିଷ୍ଠାତା ଗଡର୍ନ ମୁର୍ ୧୯୬୫ରେ ଏକ ପ୍ରସିଦ୍ଧ ଭବିଷ୍ୟବାଣୀ କରିଥିଲେ (ଯାହା ‘‘ମୁର୍’ସ ଲ’’ରୂପେ ଖ୍ୟାତ) ଯେ ଟ୍ରାନ୍ଜିଷ୍ଟର୍ର ଆକାରରେ ସଂକୋଚନ ଘଟାଇ ଇଞ୍ଜିନିଅର୍ମାନେ ପ୍ରତି ଦୁଇ ବର୍ଷରେ ଖଣ୍ଡିଏ ସିଲିକନ୍ ଚିପ୍ ଉପରେ ଖଞ୍ଜା ଯାଇଥିବା ଟ୍ରାନ୍ଜିଷ୍ଟର୍ ସଂଖ୍ୟାକୁ ଦ୍ବିଗୁଣିତ କରି ଦେଇପାରିେବ, ଯାହା ବଳରେ ସମ୍ପୃକ୍ତ ଚିପ୍ର କାର୍ଯ୍ୟକ୍ଷମତା ଦ୍ବିଗୁଣିତ ହୋଇଯିବ। ପରବର୍ତ୍ତୀ ସମୟରେ ମୁର୍ଙ୍କ ଏହି ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇ ଚାଲିଛି। କିନ୍ତୁ ଚିପ୍ରେ ଘଟି ଚାଲିଥିବା ଏହି ସଂକୋଚନ ସହିତ ତାଳ ଦେଇ ଚିପ୍ ନିର୍ମାଣ ପାଇଁ କାରଖାନା (‘ଫାବ୍’ ନାମରେ ପରିଚିତ) ପ୍ରତିଷ୍ଠା ଅଧିକରୁ ଅଧିକ ବ୍ୟୟ ସାପେକ୍ଷ ହେବାରେ ଲାଗିଛି। ବର୍ତ୍ତମାନ ଗୋଟିଏ ଆଧୁନିକ ‘ଫାବ୍’ ପ୍ରତିଷ୍ଠା କରିବା ନିମିତ୍ତ ଆବଶ୍ୟକ ଖର୍ଚ୍ଚ ହେଉଛି ପ୍ରାୟ ୨୦ ବିଲିଅନ୍ ଡଲାର୍ (ପ୍ରାୟ ୧,୬୦,୦୦୦ କୋଟି ଟଙ୍କା)। ପୁଣି ଏ ବ୍ୟବସାୟର ଚରିତ୍ର ଏପରି ଯେ ଏହି କାରଖାନାର ଆକାର ଯେତେ ଅଧିକ ବଡ଼ ହେବ ଚିପ୍ ନିର୍ମାଣ ଖର୍ଚ୍ଚ ସେତେ କମ୍ ହେବ; ତେଣୁ ଅକାତରେ ପୁଞ୍ଜି ନିବେଶ କରି ବିଶାଳ ‘ଫାବ୍’ ପ୍ରତିଷ୍ଠା କରି ବହୁଳ ପରିମାଣର ଚିପ୍ ନିର୍ମାଣ କଲେ ଯାଇ ତାହାର ବିକ୍ରୟ ମୂଲ୍ୟ ନୀଚା ରହି ତାହା ବଜାରରେ ପ୍ରତିଯୋଗିତାକ୍ଷମ ହୋଇପାରିବ।
ଏହି କାରଣରୁ ସରକାରୀ ଆର୍ଥିକ ସହାୟତା ଚିପ୍ ନିର୍ମାଣ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଘଟଣାଚକ୍ରରେ ଆବଶ୍ୟକ ଜ୍ଞାନ କୌଶଳ ଓ ସରକାରୀ ଆର୍ଥିକ ସହାୟତାର ମିଳନ ଘଟି ଯେଉଁ ଦେଶକୁ ପୃଥିବୀର ବୃହତ୍ତମ ଚିପ୍ ନିର୍ମାଣକାରୀ ଦେଶରେ ପରିଣତ କରିଛି, ସେ ଦେଶ ହେଉଛି ପୂର୍ବ ଏସିଆର କ୍ଷୁଦ୍ର ବିବଦମାନ ଦ୍ବୀପ ଦେଶ ତାଇୱାନ୍।
ଚିପ୍ ନିର୍ମାଣ କ୍ଷେତ୍ରରେ ତାଇୱାନ୍ର ଆଜିର ଆଧିପତ୍ୟ ଯେଉଁ ଜଣେ ବ୍ୟକ୍ତିଙ୍କର ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି, ସେ ହେଉଛନ୍ତି ସେଠାରେ ପୃଥିବୀର ସର୍ବବୃହତ୍ ଚିପ୍ ନିର୍ମାଣକାରୀ କମ୍ପାନି, ‘ତାଇୱାନିଜ୍ ସେମିକଣ୍ଡକ୍ଟର୍ ମାନୁଫାକ୍ଚରିଙ୍ଗ କମ୍ପାନି’ (‘ଟିଏସ୍ଏମ୍ସି’)ର ପ୍ରତିଷ୍ଠାତା ମରିସ୍ ଚାଙ୍ଗ୍। ଆମେରିକାରେ ଉଚ୍ଚ ଶିକ୍ଷା ଲାଭ କରି ସେଠାରେ ସେ ସମୟର ଅନ୍ୟତମ ବୃହତ୍ ଚିପ୍ ନିର୍ମାଣକାରୀ କମ୍ପାନି ‘ଟେକ୍ସାସ୍ ଇନ୍ଷ୍ଟ୍ରୁମେଣ୍ଟସ’ରେ କିଛି କାଳ ପାଇଁ କାର୍ଯ୍ୟ କରିବା ପରେ ଚାଙ୍ଗ୍ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ଚିପ୍ ନିର୍ମାଣକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କଲେ। ତାହା ହେଲା, ସେ ଚିପ୍ର ଡିଜାଇନ୍କୁ ଗ୍ରାହକମାନଙ୍କ ଉପରେ ଛାଡ଼ି ଦେଇ େସମାନଙ୍କ ଡିଜାଇନ୍ ଅନୁସାରେ କେବଳ ବିପୁଳ ପରିମାଣର ଚିପ୍ ଉତ୍ପାଦନରେ ନିଜର ସମସ୍ତ ଶକ୍ତି ଓ ସମ୍ବଳ ବିନିଯୋଗ କଲେ। ଏହାର ଫଳ ସ୍ବରୂପ ବହୁ ସଂଖ୍ୟକ ଫାବ୍-ହୀନ ଡିଜାଇନ୍ କମ୍ପାନିମାନଙ୍କର ଆବିର୍ଭାବ ଘଟିଲା, ଯେଉଁମାନଙ୍କୁ ସେଥିପାଇଁ ବିପୁଳ ପୁଞ୍ଜିନିବେଶ କରିବାକୁ ପଡ଼ିନଥାଏ; ଅସଲ ବ୍ୟୟ ବହୁଳ ଚିପ୍ ଉତ୍ପାଦନ କାର୍ଯ୍ୟ ପାଇଁ ସେମାନେ ‘ଟିଏସ୍ଏମ୍ସି’ ଉପରେ ନିର୍ଭର କଲେ।
ଏଭଳି ବନ୍ଦୋବସ୍ତ ଅନୁସାରେ ବର୍ତ୍ତମାନ ଚିପ୍ ଡିଜାଇନ୍ର ଅତ୍ୟାଧୁନିକ ଜ୍ଞାନ-କୌଶଳ ଆମେରିକାର ନିୟନ୍ତ୍ରଣରେ ରହିଥିବା ବେଳେ ଚିପ୍ ଉତ୍ପାଦନ ଏପରି ଭାବରେ ତାଇୱାନ୍ରେ କେନ୍ଦ୍ରୀଭୂତ ହୋଇଛି ଯେ ଆଜି ଡେଟା ପ୍ରୋସେସିଙ୍ଗ୍ରେ ବ୍ୟବହୃତ ଉଚ୍ଚମାନର ଲଜିକ୍ ଚିପ୍ସବୁର ପ୍ରାୟ ୯୦ ପ୍ରତିଶତ ଉତ୍ପାଦିତ ହେଉଛି ତାଇୱାନ୍ରେ। ତାଇୱାନ୍ର ଭୂଗୋଳ ଓ ରାଜନୀତି କିନ୍ତୁ ବର୍ତ୍ତମାନ ଏଭଳି ବନ୍ଦୋବସ୍ତକୁ ଆମେରିକା ସମେତ ସମସ୍ତ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ବିପଜ୍ଜନକ କରି ତୋଳିଛି। ଭୂଗୋଳ ହେଲା- ଆଣବିକ ଅସ୍ତ୍ର ସଜ୍ଜିତ ଦୁଇ ଏକଛତ୍ର କମ୍ୟୁନିଷ୍ଟ ଦେଶ ଚୀନ୍ ଓ ଉତ୍ତର କୋରିଆ ହେଉଛନ୍ତି ଗଣତାନ୍ତ୍ରିକ ତାଇୱାନ୍ର ପଡ଼ୋଶୀ; ରାଜନୀତି ହେଲା- ଚୀନ୍ ତାଇୱାନକୁ ନିଜ ଅଞ୍ଚଳ ରୂପେ ଦାବି କରିଆସୁଥିବାରୁ ସେମାନେ ଯେ କୌଣସି ମୁହୂର୍ତ୍ତରେ ତା’ ଉପରେ ଆକ୍ରମଣ କରିପାରନ୍ତି। ଅନ୍ୟାନ୍ୟ ଅତ୍ୟାଧୁନିକ ଚିପ୍ସର ୪୦ ଶତାଂଶ ଉତ୍ପାଦନ କରୁଥିବା ଦକ୍ଷିଣ କୋରିଆ ମଧ୍ୟ ନିଜର ଅବସ୍ଥିତି ଓ ଉତ୍ତର କୋରିଆ ସହିତ ତିକ୍ତ ସମ୍ପର୍କ ଯୋଗୁଁ ଚିପ୍ସ ପାଇଁ ତା’ ଉପରେ ନିର୍ଭର କରୁଥିବା ଅନ୍ୟ ସମସ୍ତ ଦେଶମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ଚିପ୍ ଉତ୍ପାଦନର ସ୍ଥାନାନ୍ତରଣ ଉଦ୍ୟମ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ଆମେରିକା ମଧ୍ୟ ଚିପ୍ ଉତ୍ପାଦନକାରୀମାନଙ୍କୁ ନିଜ ଦେଶକୁ ଆକର୍ଷିତ କରିବା ନିମିତ୍ତ ମୁକ୍ତ ହସ୍ତରେ ପ୍ରୋତ୍ସାହନ ଦେବାକୁ ଯୋଜନା କାର୍ଯ୍ୟକାରୀ କଲାଣି। ‘ଟିଏସ୍ଏମ୍ସି’ ଆମେରିକାରେ ତା’ର ଦ୍ବିତୀୟ କାରଖାନା ପ୍ରତିଷ୍ଠା କରୁଛି, ଯେଉଁଠି ୨୦୨୬ ସୁଦ୍ଧା ଉତ୍ପାଦନ ଆରମ୍ଭ ହୋଇଯିବ।
ଭାରତ ମଧ୍ୟ ତାଇୱାନ୍ ଓ ଦକ୍ଷିଣ କୋରିଆର ଚିପ୍ ନିର୍ମାତାମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲେ ହେଁ ଏଥିପାଇଁ ପ୍ରଥମ ଛେକରେ ତିନିଟି ଆବେଦନପତ୍ର ମିଳିବାର ଦେଢ଼ ବର୍ଷ ବିତିଯାଇଥିଲେ ହେଁ ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ମଧ୍ୟ ସରକାରଙ୍କର ଅନୁମୋଦନ ଲାଭ କରିପାରିନାହିଁ। ବୈଷ୍ଣବ ଦେଖିଥିବା ସ୍ବପ୍ନ ଅନୁସାରେ ୨୦୨୭ ସୁଦ୍ଧା ଭାରତ ପ୍ରାୟ ୧୫ ଲକ୍ଷ କୁଶଳୀ ସେମିକଣ୍ଡକ୍ଟର୍ କର୍ମୀ ଆବଶ୍ୟକ କରିବ; କିନ୍ତୁ ସେ ସମୟ ମଧ୍ୟରେ ଏଠାରେ ଯେତିକି ସେଭଳି କୁଶଳୀ କର୍ମୀ ଉପଲବ୍ଧ ହେବେ, ସେମାନଙ୍କ ସଂଖ୍ୟା ମାତ୍ର ପ୍ରାୟ ୮୫,୦୦୦ ମଧ୍ୟରେ ସୀମିତ ବୋଲି ଏକ ଆକଳନ ପ୍ରକାଶ ପାଇଛି। ‘ଚିପ୍’ ଉତ୍ପାଦନ ନିମିତ୍ତ ଆବଶ୍ୟକ ବିରଳ ଉପାଦାନମାନ ଠିକଣା ସମୟରେ ପାଇବା ପାଇଁ ଏକ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ ସ୍ଥାପନ କରାଯିବା ଯେଉଁଭଳି ଜରୁରୀ ସେଇଭଳି ଆୟାସସାଧ୍ୟ। ଏଥିରେ ଉଚ୍ଚ ବିଶୁଦ୍ଧତା ସମ୍ପନ୍ନ ବାଷ୍ପମାନ ଓ ୱେଫର୍ ଆଦି ଅନ୍ତର୍ଭୁକ୍ତ ଯାହାକୁ ଏବେ ବିଦେଶରୁ ଆମଦାନି କରିବାକୁ ପଡ଼ିବ। ତାଇୱାନ୍ ସରକାରଙ୍କୁ ଅନୁକରଣ କରି ଭାରତ ସରକାର ମଧ୍ୟ ଏହି ନୂତନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ୭୬,୦୦୦ କୋଟି ଟଙ୍କାର ‘ସେମିକନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କିନ୍ତୁ ଠିକ୍ ତା’ ପରେ ପରେ ‘ଇଉରୋପିଆନ୍ ୟୁନିଅନ୍’ ଘୋଷଣା କରିଥିବା ୪୩ ବିଲିଅନ୍ ଇଉରୋ ଓ ଆମେରିକା ଘୋଷଣା କରିଥିବା ୫୨ ବିଲିଅନ୍ ଡଲାର୍ ସବ୍ସିଡି ତୁଳନାରେ ଭାରତର ଏହି ପ୍ରୋତ୍ସାହନ ଦୁର୍ବଳ ମନେ ହୋଇଥାଏ। ବୈଷ୍ଣବ ଯଦି ସେ ଦେଖୁଥିବା ସ୍ବପ୍ନ ସାକାର ହେବା ଚାହାଁନ୍ତି, ତାଙ୍କୁ ଏ ସମସ୍ତ ପ୍ରତିବନ୍ଧମାନ ଲଂଘନ କରିବାର ଉପାୟ ଖୋଜିବାକୁ ପଡ଼ିବ। ତେବେ ଯାଇ ଅତୀତରେ ତାଇୱାନ୍ରେ ମରିସ୍ ଚାଙ୍ଗ୍ଙ୍କ ସ୍ବପ୍ନ ସାକାର ହୋଇଥିବା ଭଳି ଏବେ ଭାରତରେ ବୈଷ୍ଣବଙ୍କ ସ୍ବପ୍ନ ସାକାର ହେବ।