ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନା କରୋନାଜନିତ କୋଭିଡ୍‌-୧୯ ପାଣ୍ତେମିକ୍‌ର ଆବିର୍ଭାବ ଯୋଗୁଁ ଭୀତତ୍ରସ୍ତ ହୋଇ ପଡ଼ିଥିବା ଦେଶବାସୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଏକ ଆହ୍ବାନ ଦେବା ଦେଖାଯାଇଥିଲା: ‘‘ଆପଦାକୋ ଅବସର‌୍‌ ମେ ବଦଲ୍‌ ଡାଲୋ’’, ଅର୍ଥାତ୍‌ ‘‘ବିପଦକୁ ସୁଯୋଗରେ ପରିଣତ କର।’’ ମନେ ହେଉଛି ଗତ ଗୁରୁବାର ଦିନ ମାନ୍ୟବର ସୁପ୍ରିମ୍‌ କୋର୍ଟ ଶୁଣାଣି କରିଥିବା ଏକ ଆବେଦନରେ ଯଦି ସତ୍ୟତା ଥାଏ, ତେବେ ‘ଡୋଲୋ୬୫୦’ ନାମକ ଏକ ଜ୍ବର ପ୍ରଶମନ ବଟିକାର ନିର୍ମାତା ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ବାନକୁ ଯେଉଁଭଳି ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ ଆକ୍ଷରିକ ଭାବରେ କାର୍ଯ୍ୟରେ ପରିଣତ କରିଛନ୍ତି, ଦେଶରେ ଅନ୍ୟ କେହି ତା’ର ପାଖ ଆଖରେ ମଧୢ ପହଞ୍ଚି ପାରି ନ ଥିବେ।

Advertisment

କୋଭିଡ୍‌ ଆତଙ୍କ ବ୍ୟାପିଥିବା ସମୟରେ ‘ପାରାସେଟାମଲ୍‌’ ନାମକ ଜ୍ବର ଉପଶମକାରୀ ଔଷଧ କୋଟି କୋଟି ଭାରତୀୟମାନଙ୍କ ପାଇଁ ଏକ ଅପରିହାର୍ଯ୍ୟ ଔଷଧରେ ପରିଣତ ହୋଇଗଲା, ଯାହା ଏକ ନିର୍ଦ୍ଦିଷ୍ଟ କମ୍ପାନି ଦ୍ବାରା ‘ଡୋଲୋ୬୫୦’ ନାମ ବହନ କରି ବିକ୍ରି ହୋଇଥାଏ। ଦେଶରେ ବହୁଦିନ ଧରି ଅନ୍ୟ କମ୍ପାନିମାନଙ୍କ ଦ୍ବାରା ନିର୍ମିତ ‘ପାରାସେଟାମଲ୍‌’ ବଟିକାମାନ ପ୍ରସାର ଲାଭ କରି ଆସିଥିଲେ ମଧୢ ହଠାତ୍‌ ଦେଖାଗଲା ‘ଡୋଲୋ୬୫୦’ ସର୍ବାଧିକ ଲୋକପ୍ରିୟ ‘ପାରାସେଟାମଲ୍‌’ ବଟିକାରେ ପରିଣତ ହୋଇ ତା’ର ନିର୍ମାତା କମ୍ପାନି ପାଇଁ ବିପୁଳ ଲାଭ ସୃଷ୍ଟି କରିବାରେ ଲାଗିଛି। ଏହାର କାରଣ ହେଲା, ଅଧିକା˚ଶ ଡାକ୍ତର ରୋଗୀମାନଙ୍କୁ ଡୋଲୋ୬୫୦ ପାରାମେଟାମଲ୍‌ ବଟିକା ସେବନ କରିବାକୁ ପରାମର୍ଶ ଦେବା ଆରମ୍ଭ କଲେ।

ଡୋଲୋ୬୫୦ର ନିର୍ମାତାଙ୍କ ବିରୋଧରେ ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍‌ଟ ଟ୍ୟାକ୍ସେସ୍‌’ (ସିବିଡିଟି) ଆଣିଥିବା ଅଭିଯୋଗକୁ ଭିତ୍ତି କରି ସୁପ୍ରିମ୍‌ କୋର୍ଟରେ ଏକ ‘ଏନ୍‌ଜିଓ’ ଆଗତ କରିଥିବା ଉପରୋକ୍ତ ଆବେଦନ ଅନୁସାରେ ‘ଡୋଲୋ୬୫୦’ ନିର୍ମାତା କମ୍ପାନି ଡାକ୍ତରମାନଙ୍କୁ ଏଭଳି ପରାମର୍ଶ ପ୍ରଦାନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ଉପହାରମାନ ବଣ୍ଟନ କରିଛି। ଗତ ମାସରେ ନ’ଟି ରାଜ୍ୟରେ ଥିବା ସମ୍ପୃକ୍ତ ଔଷଧ କମ୍ପାନିର ୩୬ଟି ପରିସର ଉପରେ ଆୟକର ବିଭାଗ ଚଢ଼ାଉ କରିବା ପରେ ‘ସିବିଡିିଟି’ ସେହି କମ୍ପାନି ବିରୋଧରେ ଏଭଳି ଅଭିଯୋଗ କରିଥିଲା। ସେଦିନ ସୁପ୍ରିମ୍‌ କୋର୍ଟରେ ଏହି ଆବେଦନର ଶୁଣାଣିର ଏକ ଆମୋଦଦାୟକ ପାର୍ଶ୍ବ ଦୃଶ୍ୟ ସ୍ବରୂପ, ଏହି ସୂଚନା ସମ୍ବନ୍ଧରେ ଅବଗତ ହେବା ପରେ ଶୁଣାଣି କରୁଥିବା ଦୁଇ ମାନ୍ୟବର ବିଚାରପତିଙ୍କ ମଧୢରୁ ଜଣେ କହି ପକାଇଥିଲେ ଯେ ନିକଟରେ ସେ କୋଭିଡ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ସମୟରେ ଏହି ନିର୍ଦ୍ଦିଷ୍ଟ ଔଷଧ ହିଁ ସେବନ କରିଥିଲେ ଏବ˚ ଘୋଷଣା କରିଥିଲେ ଯେ ସେମାନେ ଏହି ଆବେଦନକୁ ଗୁରୁତ୍ବର ସହ ବିଚାର କରିବେ।

ଫେଡେରେସନ୍‌ ଅଫ୍‌ ମେଡ଼ିକାଲ୍‌ ଆଣ୍ତ ସେଲ୍‌ସ ରିପ୍ରେଜେଣ୍ଟେଟିଭ୍‌ସ ଆସୋସିଏସନ୍‌ ଅଫ୍‌ ଇଣ୍ତିଆ’ ତରଫରୁ ଏହି ଆବେଦନ ଦାଖଲ କରିଥିବା ଓକିଲ ଅଦାଲତଙ୍କୁ ମଧୢ ଜଣାଇଥିଲେ ଯେ ୫୦୦ ମିଲିଗ୍ରାମ୍‌ ଓଜନ ପର୍ଯ୍ୟନ୍ତ ବଟିକାର ମୂଲ୍ୟ ନିର୍ଦ୍ଧାରଣ ପ୍ରତି ଏକ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଏହା ଠାରୁ ଅଧିକ ଓଜନର ବଟିକା ସବୁର ଦର ସମ୍ପୃକ୍ତ ଔଷଧ ନିର୍ମାତା କମ୍ପାନି ଦ୍ବାରା ନିର୍ଦ୍ଧାରଣ କରାଯାଇଥାଏ। ଏହାର ଅର୍ଥ ସମ୍ପୃକ୍ତ କମ୍ପାନି ସ୍ବାଧୀନ ଭାବରେ ‘ଡୋଲୋ୬୫୦’ର ଦର ନିର୍ଦ୍ଧାରଣ କରିଥାଏ। ଯଦି ‘ସିବିଡିଟି’ ଆରୋପ କରିଥିବା ଅଭିଯୋଗରେ ସତ୍ୟତା ଥାଏ, ତେବେ ଏହି ଦରକୁ ଉଚିତ ଦର ଠାରୁ ଉଚ୍ଚା ରଖାଯାଇ ସେଥିରୁ କମ୍ପାନି ଡାକ୍ତରମାନଙ୍କୁ ପ୍ରଦାନ କରିଥିବା ଉତ୍କୋଚ ରାଶି ସ˚ଗ୍ରହ କରାଯାଇଥିବ। ଏଥିଯୋଗୁଁ ଖାଉଟିମାନଙ୍କୁ ଅର୍ଥାତ୍‌ ରୋଗୀମାନଙ୍କୁ ଏକ ଅନାବଶ୍ୟକ ଆର୍ଥିକ ବୋଝ ବହନ କରିବାକୁ ପଡ଼ିଥିବ।

ଔଷଧ କମ୍ପାନିମାନଙ୍କୁ ଏଭଳି ଅନୈତିକ କାର୍ଯ୍ୟରୁ ନିବୃତ୍ତ କରିବା ନିମିତ୍ତ କେନ୍ଦ୍ର ସରକାର ସେମାନଙ୍କ ପାଇଁ ଏକ ସାଧାରଣ ଆଚରଣ ବିଧି ପ୍ରଣୟନ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀ ଏହା ମଧୢ ଜଣାଇଛନ୍ତି ଯେ ସେମାନେ ଏଭଳି ଏକ ଆଚରଣବିଧି ପ୍ରଣୟନ ନିମିତ୍ତ ୨୦୦୯ ଠାରୁ ସରକାରଙ୍କୁ ଅନୁରୋଧ କରି ଆସୁଥିଲେ ହେଁ ସରକାର ଏ ପର୍ଯ୍ୟନ୍ତ ତାହା କରିନାହାନ୍ତି ଓ ତେଣୁ ସରକାର ତାହା ପ୍ରସ୍ତୁତ ନ କରିବା ଯାଏ ସୁପ୍ରିମ୍‌ କୋର୍ଟ ସେ ସ୍ଥାନରେ ନିଜର ଏ ସମ୍ପର୍କିତ ଏକ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ନିମିତ୍ତ ସେମାନେ ପ୍ରାର୍ଥନା କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୨ ଠାରୁ ଏ ବାବଦରେ ଡାକ୍ତରମାନଙ୍କ ଆଚରଣ ବିଧି ନିୟନ୍ତ୍ରଣ କରିବା ନିମିତ୍ତ ‘ଇଣ୍ତିଆନ୍‌ ମେଡ଼ିକାଲ୍‌ କାଉନ୍‌ସିଲ୍‌’ ଏକ ଆଚରଣ ବିଧି ବଳବତ୍ତର କରିଥିଲେ ହେଁ, ଏହା କେବଳ ସମୀକରଣର ଗୋଟିଏ ପାର୍ଶ୍ବ ଅର୍ଥାତ୍‌ ଚାହିଦା ପାର୍ଶ୍ବରେ ଥିବା ଡାକ୍ତରମାନଙ୍କ ପ୍ରତି ଲାଗୁ ହୋଇଥାଏ; କିନ୍ତୁ ଅନ୍ୟ ପାର୍ଶ୍ବ ଅର୍ଥାତ୍‌ ଯୋଗାଣ ପାର୍ଶ୍ବରେ ଥିବା ଔଷଧ କମ୍ପାନିମାନଙ୍କ ପ୍ରତି ଲାଗୁ ହୋଇନଥାଏ। ଏଭଳି ଏକ ବେତାଳିଆ ବ୍ୟବସ୍ଥାର ପରିଣାମ ଅନିବାର୍ଯ୍ୟ ଭାବରେ କିଭଳି ହେବ, ତାହାର ଏକ ନିଶ୍ଚିତ ସୂଚନା ମିଳିଥାଏ ଅର୍ଥଶାସ୍ତ୍ରର ଏକ ସୁବିଦିତ ମୌଳିକ ନିୟମରୁ, ଯାହା ‘‘ସେ’ଜ୍‌ ଲ’’ ବା ‘ସେ’ଙ୍କ ନିୟମ’ ରୂପେ ପରିଚିତ (ଫରାସୀ ଅର୍ଥନୀତିଜ୍ଞ ଜେ ବି ସେ ହେଉଛନ୍ତି ଏହି ନିୟମର ପ୍ରଣେତା)। ନିୟମଟି ହେଲା: ‘‘ଯୋଗାଣ ନିଜର ଚାହିଦା ସୃଷ୍ଟି କରିଥାଏ’’। କମ୍ପାନିମାନେ ଯେପର୍ଯ୍ୟନ୍ତ ଅବାଧରେ ଉତ୍କୋଚ ଯୋଗାଇ ଚାଲିଥିବେ, ଡାକ୍ତରମାନେ ସେ ପର୍ଯ୍ୟନ୍ତ ଧରା ନ ପଡ଼ି ଉତ୍କୋଚ ଗ୍ରହଣ କରିବାର ଉପାୟ ବାହାର କରି ଚାଲିଥିବେ। ସମାଜରେ ଏହି ଉତ୍କୋଚ-ବ୍ୟାଧିଗ୍ରସ୍ତ ବଇଦମାନେ ସକ୍ରିୟ ରହି ଚାଲିଥିବେ।

ଚିକିତ୍ସା କ୍ଷେତ୍ରରେ ଏହି ସେ’ଙ୍କ ନିୟମର ପ୍ରାଦୁର୍ଭାବର ପରିଣାମ କିଭଳି ହୋଇପାରେ, ଆବେଦନରେ ପ୍ରଦତ୍ତ ବର୍ଣ୍ଣନାରୁ ତା’ର ଏକ ସ୍ପଷ୍ଟ ଚିତ୍ର ମିଳିଥାଏ। ଏଥିରେ କୁହାଯାଇଛି ରୋଗୀଙ୍କ ପାଇଁ ପରାମର୍ଶ (ପ୍ରେସ୍‌କ୍ରିପ୍‌ସନ୍‌) ଲେଖିବା ସମୟରେ ଔଷଧ କମ୍ପାନିମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ପ୍ରଲୋଭନ ଡାକ୍ତରଙ୍କ ଆଭିମୁଖ୍ୟକୁ ପ୍ରଭାବିତ କରିଥାଏ, ଯାହା ରୋଗୀ ପାଇଁ କ୍ଷତିକାରକ ହୋଇପାରେ। ଉଦାହରଣ ସ୍ବରୂପ ଏଥିଯୋଗୁଁ ଡାକ୍ତରମାନେ କେତେକ ଅନାବଶ୍ୟକ ଔଷଧ ସେବନ ପାଇଁ ପରାମର୍ଶ ଦେଇପାରନ୍ତି କିମ୍ବା କୌଣସି ଔଷଧକୁ ଅନାବଶ୍ୟକ ଭାବେ ଅଧିକ ମାତ୍ରାରେ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇପାରନ୍ତି; କୌଣସି ଔଷଧକୁ ଅଧିକ କାଳ ଧରି ସେବନ ପାଇଁ ଉପଦେଶ ଦେଇପାରନ୍ତି କିମ୍ବା ଆବଶ୍ୟକ ନ ଥିଲେ ମଧୢ ଅଧିକ ସ˚ଖ୍ୟକ ଔଷଧ ସେବନ ପାଇଁ ଲେଖି ଦେଇପାରନ୍ତି, କିମ୍ବା ସମ୍ପୂର୍ଣ୍ଣ ଅଯୌକ୍ତିକ ଭାବରେ ବିଭିନ୍ନ ଔଷଧର ଏକତ୍ର ସେବନ ସୁପାରିସ କରିପାରନ୍ତି।

ସୁପ୍ରିମ୍‌ କୋର୍ଟ ସରକାରଙ୍କୁ ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ନିମିତ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥର ସରକାରଙ୍କର ନିଦ ଭାଙ୍ଗେ କିମ୍ବା ସୁପ୍ରିମ୍‌ କୋର୍ଟ ଏହି ବିଷାକ୍ତ ଯୋଗାଣର ଅନ୍ତ ଘଟାଇବା ପାଇଁ ନିଜର ନିର୍ଦ୍ଦେଶାବଳୀ ପ୍ରଣୟନ କରନ୍ତି, ତେବେ ‘ଡୋଲୋ୬୫୦’ ରୋଗୀର ଜ୍ବର ଉପଶମ କଲା ଭଳି ‘ଡୋଲୋ୬୫୦’ କେଳେଙ୍କାରୀ ଯୋଗୁଁ ସମଗ୍ର ସମାଜ ଭୋଗୁଥିବା ଏକ ବୃହତ୍ତର ବ୍ୟାଧିର ଉପଶମ ଘଟିଲା ବୋଲି କୁହାଯିବ।