ଶୈଶବର ସଖ୍ୟ

ସାମାନ୍ୟ କଥନ - ପ୍ରୀତୀଶ ଆଚାର୍ଯ୍ୟ

ଦୁଇ ପହରେ ଭୋଜନ ପରେ ବାପା, କୋଶଳୀ-ସମ୍ବଲପୁରୀ କବି, ହେମଚନ୍ଦ୍ର ଆଚାର୍ଯ୍ୟ କିଛି ବେଳ ବିଶ୍ରାମ ନିଅନ୍ତି। ଶୈଶବରେ ମୋ ପାଇଁ ପରମ ଆନନ୍ଦର କ୍ଷଣ ହେଲା ସେତେବେଳେ ତାଙ୍କ ସାଙ୍ଗରେ ‌େଶାଇବା। ରାତିରେ ବାପାଙ୍କ ବିଛଣାକୁ ଗଲା ବେଳକୁ ମୁଁ ଶୋଇ ସାରିଥାଏ ଏବଂ ସକାଳୁ ତାଙ୍କ ଉଠିଲା ବେଳକୁ ମୋର ନିଦ ଭାଙ୍ଗିନଥାଏ। ତେଣୁ, ତାଙ୍କର ସଖ୍ୟ ପାଇବା ଲାଗି ପ୍ରକୃଷ୍ଟ ସମୟ ହେଲା ଦୁଇ ପହର। ସେତେବେଳେ ସେ ମତେ ସଂସ୍କୃତ ଶ୍ଳୋକ ଆବୃତ୍ତି କରି ଶୁଣାନ୍ତି, ନୋହିଲେ ନିଜ ରଚିତ ଗୀତ ଗାଆନ୍ତି, ଯାହାକୁ ମୁଁ ଦୋହରାଏ, ଅଥବା ‘ରାମାୟଣ’, ‘ମହାଭାରତ’, ଆଦି ପୁରାଣ ଗପ ଶୁଣାନ୍ତି। ତିନିଟି ଯାକ ମୋ ପାଇଁ ଏକା ମାତ୍ରାରେ ସୁଖଦ, ଯଦିଓ ତିନିଟି ଯାକ ଗୋଟିଏ ଦୁଇ ପହରେ ସମ୍ଭବ ହୁଏ ନାହିଁ। ସାମାନ୍ୟ ବିରତି ପରେ ତାଙ୍କୁ ଅନ୍ୟ କାମରେ ଯିବାକୁ ପଡ଼ିଥାଏ। ସଂସ୍କୃତ ଶ୍ଳୋକ ଅବୋଧ୍ୟ କିମ୍ବା ଅଭେଦ୍ୟ ହୁଏନା, କାରଣ ବାପା ତା’ର ଅର୍ଥ ମଧ୍ୟ କରିଦିଅନ୍ତି, ଅତି ସାଧାରଣ ଭାଷାରେ।

କିଛି ଦିନର ଅନ୍ତରାଳରେ ମୁଁ ପ୍ରାୟ ୧୮ଟି ଶ୍ଳୋକ ଆବୃତ୍ତି କରି ପାରୁଥିବାର ମୋର ମନେ ଅଛି। ସବୁଗୁଡ଼ିକ ନିତିକଥା ମୂଳକ। ଗୀତ ମଧ୍ୟରେ ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଗୀତ ରହିଥାଏ। ଲାଗେ, କାହାଣୀଗୁଡ଼ିକର ଚରିତ୍ର ଯେମିତି ଆମ ଗାଁ, ସାହିରର ପରିଚିତ ଲୋକ। ଅନେକ ବର୍ଷ ପରେ ଆଜି ଯେତେବେଳେ ମୁଁ ତାକୁ ସାଉଁଟିବାକୁ ଯାଏଁ, ମନେପଡ଼େ, ସେ କେବେ କୌଣସି ଚୋର, ଡାକୁ କିମ୍ବା ଭୂତ, ପ୍ରେତର କାହାଣୀ କହୁ ନ ଥିଲେ। ଧ୍ରୁବ, ପ୍ରହଲ୍ଲାଦ, ନଚିକେତା, ଧର୍ମପଦ ଏବଂ ଏପରିକି ଆଧୁନିକ ସମୟର ଖୁଦୀରାମ ବୋଷ, ଭଗତ ସିଂହଙ୍କ ନିଃସ୍ବାର୍ଥପର ବୀର ଗାଥାର କଥା କହୁଥିଲେ।

ତାଙ୍କ କଣ୍ଠ ଥିଲା ସୁମଧୁର ଏବଂ ରାଗ ଜ୍ଞାନ ମଧ୍ୟ ଖୁବ୍‌ ଅଧିକ। ଗୀତଟିଏ ଗାଇଲା ପରେ ତାହା କେଉଁ ରାଗରେ ରଚିତ, କହନ୍ତି, ଯେମିତି ବଙ୍ଗଳାଶ୍ରୀ; ଯଦିଓ ତାହା ମୋର ମୁଣ୍ଡକୁ ପଶେନା। ଗୀତଗୁଡ଼ିକୁ ବି ମୁଁ ଦୋହରାଏ। ଏହି କାରଣରୁ ଗୀତ ଆଡ଼କୁ ଆକର୍ଷିତ ହେଲି, ଯଦିଓ ତହିଁରେ ମୋର କୌଣସି ତାଲିମ ନ ଥିଲା। ଘରକୁ କେହି କୁଣିଆଁ ଆସିଲେ ମତେ ଶ୍ଳୋକ ବୋଲିବା ପାଇଁ କୁହାଯାଏ; ମୁଁ ଗଭୀର ଆତ୍ମବିଶ୍ବାସର ସହିତ ବୋଲେ। ତେବେ, ଅନ୍ୟମାନଙ୍କ ଆଗରେ ଗୀତ ଗାଇବା ବା ଶ୍ଳୋକ ବୋଲିବା ଲାଗି ବାପା ନା କେବେ ଆଦେଶ ଦିଅନ୍ତି ନା ‌ଗାଇଲା ବେଳେ ତାକୁ ସୁଧାରିବାକୁ ମଝିରେ ଅଟକାନ୍ତି। ଏହି ସାମାନ୍ୟ ସ୍ବାଧୀନତା ବହୁତ କିଛି ଫରକ ଆଣେ। ମୁଁ ଭାବେ ଯଦି ତାଙ୍କ ତାଗିଦାରେ ଏ ସବୁ କରିଥାନ୍ତି, ତେବେ ସେ ସବୁ ମୋ ପାଇଁ ଉଲ୍ଲାସର କ୍ଷଣ ନ ହୋଇ ବୋଝ ସାବ୍ୟସ୍ତ ହୋଇଥାନ୍ତା! ସେହି କ୍ରମେ ହାଇସ୍କୁଲରେ ଏବଂ ସ୍ନାତକ ଶ୍ରେଣୀରେ ଇତିହାସ ସହିତ ସଂସ୍କୃତ ହୋଇଗଲା ମୋର ଦ୍ବିତୀୟ ଆଗ୍ରହର ବିଷୟ।

ବାପାଙ୍କ ପାଖରୁ ଗୀତ ଶୁଣିଲା ବେଳେ ତାଙ୍କର ତନ୍ମୟ ଭାବ ଦେଖି ଲାଗେ ସତେ ଯେମିତି ସେ ତତ୍‌କ୍ଷଣାତ୍‌ ଗୀତଟିକୁ ଖାସ ମୋ ପାଇଁ ଲେଖି ସାଙ୍ଗେସାଙ୍ଗେ ଗାଉଛନ୍ତିି। ଶୈଶବ ଅତିକ୍ରାନ୍ତ ହେଲା ପରେ ମା’ ଠାରୁ ଶୁଣିଲି ଯେ ମୋର ବଡ଼ ଭାଇ ଭଉଣୀମାନେ ମଧ୍ୟ ଶୈଶବରେ ବାପାଙ୍କ ସହିତ ଏଭଳି ମୁହୂର୍ତ୍ତମାନ କାଟିଛନ୍ତି। ୨୦୦୯ରେ ବାପାଙ୍କର ଦେହାନ୍ତ ହେଲା। ତାଙ୍କ ଆଲମାରିରୁ ହାତଲେଖା ପାଣ୍ଡୁଲିପିଟିଏ ମିଳିଲା- ଶୀର୍ଷକ: ‘ଶିଶୁ ଗୀତିକା’। ରଚନା କାଳ ‘୧୯୫୦ ଦଶକ’ ବୋଲି ତହିଁରେ ଉଲ୍ଲେଖ ରହିଛି। ମୋର ସବା ବଡ଼ ଭାଇଙ୍କ ଜନ୍ମ ବର୍ଷ ଥିଲା ୧୯୫୦ ମସିହା। ଅର୍ଥାତ୍‌ ‘ବାପା’ ହେବାର ପ୍ରଥମ ଓ ଅନନ୍ୟ ଅନୁଭବ ତାଙ୍କୁ ଏହି ‘ଶିଶୁ ଗୀତିକା’ ସୃଷ୍ଟିି କରିବାକୁ ପ୍ରବର୍ତ୍ତାଇ ଥିବ। ସେହି ଗୀତଗୁଡ଼ିକରେ ସାନ ଛୁଆ ପାଟିରେ କବିଙ୍କର ଜୀବନ-ଦୃଷ୍ଟି ହିଁ ପ୍ରତିଫଳିତ ହେଉଥିଲା।

ମୋର ଏହି ଶୈଶବର ଅବଧି ଆଦୌ ଦୀର୍ଘସ୍ଥାୟୀ ନ ଥିଲା; ଠିକ୍‌ ବାପାଙ୍କ ଭୋଜନାନ୍ତ ବିଶ୍ରାମ ଭଳି। ସମ୍ଭବତଃ ସ୍କୁଲରେ ନାଁ ଲେଖା ହେବା ବେଳକୁ ମୋ ଶୈଶବର ପରମାୟୁ ଶେଷ ହୋଇ ଯାଇଥିଲା। ତେଣିକି ବାପାଙ୍କ ଅନୁଶାସନର ଆକଟରେ ରହିବାକୁ ହେଲା- ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ, ସନ୍ଧ୍ୟା ବେଳକୁ ଘରକୁ ଫେରିବା, ସକାଳେ ନିତ୍ୟ କର୍ମ ସାରି ବିଲ ମଜୁରିଆମାନଙ୍କୁ କାମ ପାଇଁ ଡାକିବାକୁ ଯିବା ଏବଂ ସନ୍ଧ୍ୟାରେ ସମସ୍ତ ଗାଈ ‌ବଳଦ ଗୁହାଳକୁ ଫେରିଲେ ନା ନାହିଁ- ତା’ର ହିସାବ ରଖିବା, ଇତ୍ୟାଦି। ପିଲାମାନଙ୍କୁ କେବେ ମାଡ଼ ମାରୁ ନ ଥିବା ମୋ ବାପାଙ୍କ ଅନୁ‌ଶାସନର ପ୍ରଭାବ ଏମିତି ଥିଲା ଯେ ପ୍ରଦତ୍ତ କାମଗୁଡ଼ିକୁ ନ କରି ରହି ହେଉ ନ ଥିଲା।

ସେତେବେଳେ ଲାଗେ, ଶୈଶବର ବାପାଙ୍କ ସଖ୍ୟ ଏତେ ସ୍ବଳ୍ପାୟୁ ହେଲା କାହିଁକି? ତାହା ଦୀର୍ଘାୟୁ ହେଲେ ସନ୍ତାନ ବିଗିଡ଼ିଯିବ ବୋଲି କ’ଣ ବାପା ଆଶଙ୍କା କରୁଥିଲେ? ମୁଁ ବେଳେ ବେଳେ ଭାବେ ଯେ ବାପା କ’ଣ ଭାବୁଥିଲେ କି ଶୈଶବର ପରିସମାପ୍ତି ଏକ ନିର୍ଦ୍ଦିଷ୍ଟ ବୟସ ସହିତ ଘଟିଥାଏ, ଯେମିତି ଘଟେ ଅନ୍ୟା‌ନ୍ୟ ପ୍ରାଣୀମାନଙ୍କ କ୍ଷେତ୍ରରେ? ମୋତେ ଲାଗେ ଶୈଶବର ଏ ଚମକପ୍ରଦ କ୍ଷଣମାନ ମୋ କୈଶୋର ବା ଯୌବନକୁ ଅତିକ୍ରମଣ କରି ଆସିଥିଲେ ମୋ ଜୀବନଟି ଆହୁରି ଅଧିକ ରସମୟ ହୋଇ ଉଠି ଥାଆନ୍ତା ହୁଏ’ତ!
ବାପାଙ୍କୁ ମୁଁ ଏ ବିଷୟରେ କେବେ ପଚାରି ନାହିଁ। କିନ୍ତୁ, ବାପାଙ୍କ ପାଖରେ ଏହାର ଉତ୍ତର ଥିବ ବୋଲି ମୋ ଧାରଣା! ବାପା ଥିଲେ ବା ଏ ପ୍ରଶ୍ନର ଉତ୍ତର ମିଳନ୍ତା!
[email protected]

ସମ୍ବନ୍ଧିତ ଖବର