ଜଣେ ପ୍ରସିଦ୍ଧ ମଲ୍ଲ ବୀରଙ୍କ ଠାରେ ଭାବାନ୍ତର ଜାତ ହେଲା। ସେ ଜଣେ ଜେନ୍‌ ଗୁରୁଙ୍କ ଆଶ୍ରମକୁ ଯାଇ ସେଠାରେ ରହିବା ଲାଗି ଅନୁମତି ଲୋଡ଼ିଲେ। ଜେନ୍‌ ଗୁରୁ କହିଲେ- ଅନୁମତି ମିଳିବ। କିନ୍ତୁ ଗୋଟିଏ ମଲ୍ଲ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ବିଜୟୀ ହେବାକୁ ପଡ଼ିବ। ମଲ୍ଲ ବୀର ଜଣକ ଏହି ଆହ୍ବାନକୁ ସାଦରେ ଗ୍ରହଣ କରି ନେଲେ। କାରଣ ତାଙ୍କର ଦୃଢ଼ ବିଶ୍ବାସ ଥିଲା ଯେ ସେ ଜିତିବେ।
ମଲ୍ଲ ଯୁଦ୍ଧ ଆରମ୍ଭ ହେଲା। ମଲ୍ଲ ବୀରଙ୍କ ଆଗରେ ଆଶ୍ରମର ଯେଉଁ ଅନ୍ତେବାସୀ ଛିଡ଼ା ହେଲେ ସେ ମଧ୍ୟ କିଛି କମ୍‌ ବିଶାଳ ବପୁବନ୍ତ ନ ଥିଲେ। କିନ୍ତୁ ଏହି ମଲ୍ଲ ଯୁଦ୍ଧର ନିୟମଟି ଥିଲା ସଂପୂର୍ଣ୍ଣ ଓଲଟା। ସେଥିରେ ଉଭୟେ ପରସ୍ପରକୁ ମୁହଁ କରି ଛିଡ଼ା ହେବା ସହିତ ପରସ୍ପର ଉପରକୁ ଆକ୍ରମଣ କରିବା ଲାଗି ଉଦ୍ୟତ ହେବେ ବା ଅପରକୁ ଆହ୍ବାନ କରିବେ, କିନ୍ତୁ ଯିଏ ପ୍ରଥମେ ଆକ୍ରମଣ କରିବ, ସେ ହାରିଯିବ। ପ୍ରକୃତରେ ଏହା ଥିଲା ଆତ୍ମ ସଂଯମର ଏକ ଅଦ୍ଭୁତ ପରୀକ୍ଷା।

Advertisment

ମଲ୍ଲ ବୀର ଜଣକ ନିଜକୁ ଏଭଳି ଏକ ବିଚିତ୍ର ସ୍ଥିତିରେ କେବେ ହେଲେ ପାଇ ନ ଥିଲେ। ସେ ନିଜକୁ ରୋକିବା ଲାଗି ବହୁତ ଚେଷ୍ଟା କଲେ, କିନ୍ତୁ ପୁରୁଣା ଅଭ୍ୟାସ କାରଣରୁ ସର୍ବଦା ଉତ୍ତେଜିତ ହୋଇ ଆକ୍ରମଣ କରି ପକାଉଥିଲେ। ଏମିତି ସେ ବାରମ୍ବାର ହାରିବାରେ ଲାଗିଲେ। ତେଣୁ ତାଙ୍କୁ ଆଶ୍ରମରେ ଜାଗା ମିଳିଲା ନାହିଁ।

କିନ୍ତୁ ସେ ‌ଧୈର୍ଯ୍ୟ ହରାଇଲେ ନାହିଁ। ସେ ସଂଯମର ଅଭ୍ୟାସ କଲେ। ଦିନେ ଏଭଳି ଏକ ମଲ୍ଲଯୁଦ୍ଧ ଘଣ୍ଟା ଘଣ୍ଟା ଧରି ଚାଲିବା ସତ୍ତ୍ବେ ସେ ଆକ୍ରମଣ କଲେ ନାହିଁ କି ହାରିଲେ ନାହିଁ। ଏବେ ଗୁରୁ ତାଙ୍କୁ ଆଶ୍ରମରେ ସ୍ଥାନ ଦେବା ନିଶ୍ଚିତ ଥିଲା।

କିନ୍ତୁ ଗୁରୁ କହିଲେ- ତୁମେ ଏବେ ଏଭଳି ‌େଯାଗ୍ୟ ହୋଇଯାଇଛ ଯେ ଏହି ଆଶ୍ରମରେ ମୋ ଅଧୀନରେ ରହିବାର କୌଣସି ପ୍ରୟୋଜନ ନାହିଁ। ତୁମେ ଏବେ ଯେଉଁ ଧୈର୍ଯ୍ୟ ଓ ସଂଯମ ହାସଲ କରି ପାରିଛ, ତାହା ଆଶ୍ରମର ଅନେକ ଅନ୍ତେବାସୀଙ୍କ ଠାରେ ମଧ୍ୟ ନାହିଁ।