ପ୍ରେମ ଓ ନ୍ୟାୟର ସମ୍ରାଟ

ହିରଣ୍ୟ ମହାନ୍ତି

ଅ‌‌ନେକ ଏ କଥା ସ୍ବୀକାର କରନ୍ତି ଯେ ମୋଗଲ ବାଦଶାହ ଜାହାଙ୍ଗୀର ଇତିହାସ ଆଲୋଚନାର ଦୃଷ୍ଟିଛାୟା ଅଞ୍ଚଳରେ ରହି ଯାଇଛନ୍ତି। ମୋଗଲ ସମ୍ରାଟ ଆକବରଙ୍କ ପୁତ୍ର ଥିଲେ ଜାହାଙ୍ଗୀର। ଏକ ହିନ୍ଦୁ ପ୍ରଧାନ ଭାରତ ଭୂଖଣ୍ଡରେ ସାମାଜିକ ଓ ଧର୍ମୀୟ ଐକ୍ୟର ସଂସ୍କୃତି ନିର୍ମାଣ ଉଦ୍ୟମ କରିଥିବା ଆକବରଙ୍କ ହିନ୍ଦୁ ପତ୍ନୀ ଯୋଧାବାଇଙ୍କ ଗର୍ଭରୁ ଜାହାଙ୍ଗୀରଙ୍କ ଜନ୍ମ, ଯିଏ ବାଲ୍ୟ କାଳରେ ସଲିମ ନାମରେ ପରିଚିତ ଥିଲେ ଏବଂ ସିଂହାସନ ଆରୋହଣ କଲା ବେଳେ ନିଜ ନାମ ରଖିଥିଲେ ଜାହାଙ୍ଗୀର। କୁହାଯାଏ ଯେ ପୂର୍ବବର୍ତ୍ତୀ ତିନି ପିଢ଼ିର ବାଦଶାହମାନଙ୍କ ତୁଳନାରେ ଜାହାଙ୍ଗୀର ଥିଲେ ସର୍ବାଧିକ ରୂପବାନ ଓ ବିଦ୍ବାନ। ତାଙ୍କ ସ୍ବହସ୍ତ ଲିଖିତ ରଚନାବଳୀ ‘ଜାହାଙ୍ଗୀର ନାମା’ ନାମକ ଗ୍ରନ୍ଥରେ ସମାବିଷ୍ଟ, ଯହିଁରୁ ତତ୍କାଳୀନ ଗଣ ଜୀବନ, ଧର୍ମ ଭାବନା ଓ ପ୍ରଜାଙ୍କ ସହିତ ସମ୍ରାଟଙ୍କ ସମ୍ପର୍କ ସମ୍ପର୍କରେ ଅନେକ ଦୁର୍ମୂଲ୍ୟ ତଥ୍ୟ ମିଳିଥାଏ।

ନିକଟ‌େର ନଳିନୀ ଦାସଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଟମାସ ରୋ, ଦି ଫାଷ୍ଟ ଇଂଲିସ ଆମ୍ବାସାଡାର ଟୁ ଦି କୋର୍ଟ ଅଫ୍‌ ଜାହାଙ୍ଗୀର’ ପଢ଼ିବାର ସୁଯୋଗ ମିଳିଲା। ଜଣେ ଇତିହାସର ଛାତ୍ର ଭାବେ ଜାହାଙ୍ଗୀର ମନ ମଧ୍ୟରେ ପୁଣି ଉଜ୍ଜ୍ବଳ ହୋଇଉଠିଲେ। ନଳିନୀ ଦାସଙ୍କ ସୁଖପାଠ୍ୟ ପୁସ୍ତକରେ ବର୍ଣ୍ଣିତ ଅଛି କିଭଳି ଉର୍ଦ୍ଦୁ ଓ ପାର୍ସୀରେ ପଣ୍ଡିତ ଜାହାଙ୍ଗୀରଙ୍କୁ ପ୍ରଭାବିତ କରିବା ଲାଗି ଇଂରେଜ ବିଦ୍ବାନ ଓ ଲେଖକ ସାର୍ ଟମାସ ରୋଙ୍କ ଉଦ୍ୟମ ବିଫଳ ହୋଇଥିଲା, ଯିଏ ପ୍ରକୃତରେ ଭାରତ ସହିତ ବାଣିଜ୍ୟିକ ସଂପର୍କ ସ୍ଥାପନ କରି ଫାଇଦା ହାସଲ ଉଦ୍ଦେଶ୍ୟରେ ଏଠାରେ ପାଦ ଦେଇଥିଲେ।

ଜାହାଙ୍ଗୀରଙ୍କ ଧର୍ମ ନିରପେକ୍ଷତା, ନ୍ୟାୟ ବିଚାର, ଅତୁଲ୍ୟ ସୌନ୍ଦର୍ଯ୍ୟବୋଧ ଏବଂ ପାଣ୍ଡିତ୍ୟ ଇତ୍ୟା‌ଦି କିଂବଦନ୍ତି ସ୍ତରୀୟ ହୋଇଥିଲେ ମଧ୍ୟ ତାଙ୍କ ପରିଚୟ ଜଣେ ନାରୀ ପ୍ରେମରେ ଅନ୍ଧପ୍ରାୟ ବାଦଶ‌ାହ ରୂପେ ରହିଛି। ଆଦ୍ୟ ଯୌବନରେ ଅସାମାନ୍ୟ ରୂପସୀ ମେହରୁନ୍ନିସାଙ୍କ ଦ୍ବାରା ସେ ପାଗଳ ପ୍ରାୟ ହୋଇଯାଇଥିଲେ। କିନ୍ତୁ ଜଣେ ସାଧାରଣ ରାଜ କର୍ମଚାରୀଙ୍କ କନ୍ୟା ମେହରୁନ୍ନିସାକୁ ବିବାହ କଲେ ରାଜ ସମ୍ମାନ ହାନି ହେବା ଭୟରେ ବାଦଶାହ ଆକବର ମେହରୁନିସାଙ୍କୁ ଆଲ୍ଲିକୁଲ୍ଲି ନାମକ ଜଣେ ବ୍ୟକ୍ତିଙ୍କୁ ବାହା କରାଇ ଦେଇ ସୁଦୂର କାନ୍ଦୁଲକୁ ଏକ ପଦସ୍ଥ ରାଜକର୍ମଚାରୀ ରୂପେ ପଠାଇ ଦେଇଥିଲେ। ସଲିମ କିନ୍ତୁ ମେହରୁନ୍ନିସାଙ୍କୁ ଭୁଲି ପାରି ନ ଥିଲେ। ସମ୍ରାଟ ଆକବରଙ୍କ ମୃତ୍ୟୁ ପରେ ଜାହାଙ୍ଗୀର ତାଙ୍କୁ ପତ୍ନୀ ଭାବେ ଗ୍ରହଣ କଲେ ଓ ତାଙ୍କ ନାମ ରଖିଲେ ନୁର ଜାହାଁ ଯାହାର ଅର୍ଥ ଏ ବିଶ୍ବର ଜ୍ୟୋତି ବା ଆଲୋକ। ଏହି ପ୍ରକରଣରେ ଆଲ୍ଲିକୁଲ୍ଲିଙ୍କର ନିଧନ ପ୍ରାକୃତିକ ଅଥବା ପ୍ରା‌େୟାଜିତ; ତାହା ଘୋର ସନ୍ଦେହ ସୃଷ୍ଟି କରିଥିଲା।

ଶେଷ ପର୍ଯ୍ୟନ୍ତ ନୁର ଜାହାଁଙ୍କ ପ୍ରତି ତାଙ୍କ ଗଭୀର ଆସକ୍ତି ତାଙ୍କୁ ଜଡ଼ବତ୍‌ କରି ଦେଇଥିଲା, ଯାହାର ସୁଯୋଗ ନେଇ ନୁର ଜାହାଁ ତାଙ୍କ ନିଜ ଆତ୍ମୀୟ ସ୍ବଜନମାନଙ୍କୁ ଗୁରୁତ୍ବପୂର୍ଣ୍ଣ ରାଜପଦରେ ଅଧିଷ୍ଠିତ କରାଇ ଅମିତ କ୍ଷମତା ହାସଲ କରିଥିଲେ ଏବଂ ସେହି ଦୃଷ୍ଟିରୁ ରାଜ୍ୟ ଚଳାଉ ଥିଲେ ବୋଲି କହିଲେ ଚଳେ। ଜାହାଙ୍ଗୀର ଏହି ଆଦ୍ୟ ପ୍ରେମର ଗାଥା ଅନେକ କାଳ୍ପନିକ କାହାଣୀ ମଧ୍ୟ ସୃଷ୍ଟି କରିଛି, ଯାହା ଇତିହାସର ଧାରେ ଧାରେ ପ୍ରବାହିତ ହୋଇଥାଏ। ଏଭଳି କାହାଣୀରେ ସଲିମଙ୍କ ପ୍ରେୟସୀ ରୂପେ ଅନାରକଲିଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ସଲିମ-ଅନାରକଲିଙ୍କ ପ୍ରେମ କାହାଣୀରେ ଅନାରକଲିଙ୍କୁ ନୁର ଜାହାଁ ହେବାର ସୌଭାଗ୍ୟ ଜୁଟେ ନାହିଁ। ଏହି ପ୍ରେମ କାହାଣୀର ଅନ୍ତ ନିଦାରୁଣ ଭାବେ ବିଷାଦମୟ, ଯେଉଁଠି ପିତା ଆକବରଙ୍କ ଆଦେଶରେ ସଲିମଙ୍କ ଅନୁପସ୍ଥିତିର ସୁଯୋଗ ନେଇ ତାଙ୍କୁ ଜୀବନ୍ତ ସମାଧି ଦେଇ ଦିଆଯାଏ।
ବାର୍ଦ୍ଧକ୍ୟ ଓ ଅତ୍ୟଧିକ ମଦ୍ୟ ପାନ ହେତୁ ସଲିମ ‌ଘୋର ସ୍ନାୟବିକ ‌ଦୁର୍ବଳତାର ଶିକାର ହୋଇଥିଲେ ସୁଦ୍ଧା ତାଙ୍କ ବିଚାରବନ୍ତ ମସ୍ତିଷ୍କ ନ୍ୟାୟ ପ୍ରଦାନ କରିବାରେ ସଂପୂର୍ଣ୍ଣ ସମର୍ଥ ହୋଇ ରହିଥିଲା। ତାଙ୍କ ନ୍ୟାୟ ପ୍ରଦାନ କିଭଳି ଅନିର୍ବଚନୀୟ ଥିଲା ସେ ନେଇ ମଧ୍ୟ ଏକ ସୁନ୍ଦର ଉପାଖ୍ୟାନ ରହିଛି।

ଜାହାଙ୍ଗୀରଙ୍କ ରାଜପ୍ରାସାଦରେ ଲାଗିଥିଲା ଏକ ବିଶାଳ ଘଣ୍ଟି, ଯାହାକୁ ଯେ କୌଣସି ନ୍ୟାୟ ପ୍ରାର୍ଥୀ ଦିନର ଯେ କୌଣସି ପ୍ରହରରେ ବଜାଇ ପାରୁଥିଲା ଏବଂ ବାଦଶାହ ଜାହାଙ୍ଗୀର ତତ୍‌କ୍ଷଣାତ୍‌ ଦେଖା ଦେଇ ତୁରନ୍ତ ବିଚାର କରି ନ୍ୟାୟ ପ୍ରଦାନ କରୁଥିଲେ। ଦିନେ ବିଳମ୍ବିତ ରାତ୍ରିରେ ବାଜି ଉଠିଲା ସେହି ଘଣ୍ଟି। ବାଦଶାହ ବାହାରକୁ ଆସି ଦେଖନ୍ତି ତ ଜଣେ କ୍ରନ୍ଦନରତା ମହିଳା ନ୍ୟାୟ ପାଇବା ଆଶାରେ ସେଠାରେ ବସି ରହିଛି। ମହିଳାର ଅଭିଯୋଗ ଥିଲା ଅତ୍ୟନ୍ତ ସଙ୍ଗିନ ଏବଂ ଅବିଶ୍ବାସ୍ୟ। ଅଭିଯୋଗ ଥିଲା ଯେ ସେହି ସନ୍ଧ୍ୟାରେ ଏକ ତୀର ଦ୍ବାରା ବିଦ୍ଧ ହୋଇ ତାଙ୍କ ସ୍ବାମୀ ପ୍ରାଣ ହରାଇଛନ୍ତି ଏବଂ ସେହି ତୀରଟି ଆସିଛି ସମ୍ରାଜ୍ଞୀ ନୁର ଜାହାଁଙ୍କ ଧନୁରୁ, ଯାହାଙ୍କ ଲକ୍ଷ୍ୟ ଭ୍ରଷ୍ଟ ହୋଇ ଏଭଳି ଅଘଟଣ ଘଟାଇଛି।

ଏଭଳି ଏକ ଅଭିଯୋଗ ପରେ ସ୍ବାଭାବିକ ଭାବେ କିଛି କ୍ଷଣର ନିରବତା ବିରାଜମାନ କରିଥିଲା। ତୀର ପରୀକ୍ଷା କରି ଜାହାଙ୍ଗୀର ଜାଣି ସାରିଥିଲେ ଯେ ଅଭିଯୋଗଟି ସତ୍ୟ! ଜାହାଙ୍ଗୀର ତତ୍‌କ୍ଷଣାତ୍‌ ନ୍ୟାୟ ପ୍ରଦାନ କଲେ: ଯେମିତି ଏହି ତୀର ମୋ ପତ୍ନୀଙ୍କ ହାତରୁ ଯାଇ ତୁମ ପତିଙ୍କ ନିଧନର କାରଣ ହୋଇଛି, ସେମିତି ତୁମ ହାତରୁ ଏହା ମୋ ବକ୍ଷ ଭେଦ କରୁ। ନୁର ଜାହାଁ ବୈଧବ୍ୟ ଭୋଗିବା ହିଁ ହେବ ତାଙ୍କ ଲାଗି ପ୍ରକୃତ ଦଣ୍ଡ!
ଚମକି ପଡ଼ିଲେ ନ୍ୟାୟ ପ୍ରାର୍ଥିନୀ ମହିଳା। ସେ ଉଠି ଛିଡ଼ା ହେଲେ ଓ କହିଲେ- ସେଭଳି କୁହନ୍ତୁ ନାହିଁ ଜାହାଁପନା! ମୋ ପତିଙ୍କୁ ହରାଇ ମୁଁ ବ୍ୟକ୍ତିଗତ ଭାବେ ଅପୂରଣୀୟ କ୍ଷତି ସହିଛି ସତ, କିନ୍ତୁ ଆପଣଙ୍କ ଭଳି ଜଣେ ନ୍ୟାୟବନ୍ତ ରାଜା ସବୁ ଦିନ ସକା‌‌େଶ ବଞ୍ଚି ରହନ୍ତୁ। ଆପଣଙ୍କ ବିନା ଏ ସମଗ୍ର ରାଜ୍ୟ ଅପୂରଣୀୟ କ୍ଷତିର ଶିକାର ହେବ। ଏହା ହେଉଛି ଜାହାଙ୍ଗୀରଙ୍କ ଭଳି ଜଣେ ନ୍ୟାୟବନ୍ତ ରାଜାଙ୍କ ରାଜ୍ୟରେ ଜଣେ ସାଧାରଣ ପ୍ରଜାର ବିବେଚନାବୋଧର ଦୃଷ୍ଟାନ୍ତ।

ଜାହାଙ୍ଗୀରକୁ ଇତିହାସ ଉଚିତ ମୂଲ୍ୟ ଦେଇ ନାହିଁ ସତ, କିନ୍ତୁ ଜନସ୍ମୃତିରେ ସେ ରହି ଯାଇଛନ୍ତି ପ୍ରେମ ଓ ନ୍ୟାୟର ଜଣେ ସମ୍ରାଟ ରୂପେ!
ମୋ: ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର