ଦାରୁଣ ଦୃଶ୍ୟାନ୍ତର!

ଗଲା ଶୁକ୍ରବାର ସ˚ଧୢାରେ ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ସ˚ଘଟିତ ହୋଇଥିବା ଅତ୍ୟନ୍ତ ମର୍ମନ୍ତୁଦ ରେଳ ଦୁର୍ଘଟଣା ସମଗ୍ର ରାଷ୍ଟ୍ରକୁ ମ୍ରିୟମାଣ କରି ପକାଇଛି। ଏହି ରେଳ ଦୁର୍ଘଟଣାକୁ ଗଲା ଦୁଇ ଦଶନ୍ଧି ମଧୢରେ ସର୍ବାଧିକ ଭୟାବହ ବୋଲି ଅଭିହିତ କରାଯାଉଛି, ଯହିଁରେ ପ୍ରାୟ ୨୮୦ (ଏହା ଲେଖା ହେଲା ବେଳକୁ) ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରକାଶ ଥାଉ କି ଓଡ଼ିଶା ଦେଖିଥିବା ମୁଷ୍ଟିମେୟ ରେଳ ଦୁର୍ଘଟଣା ଭିତରେ ଏହା ସର୍ବବୃହତ୍‌, ଯେଉଁ କାରଣରୁ ପ୍ରତ୍ୟେକ ଓଡ଼ିଆ ପରିବାର, ନିଜେ ତହିଁରେ ପୀଡ଼ିତ ହୋଇଥିବା ତୁଲ୍ୟ ବିମର୍ଷବୋଧ ଦ୍ବାରା ସନ୍ତପ୍ତ! ଯଦିଓ କୌଣସି ଦୁର୍ଘଟଣା ଦୈବୀ ଇଚ୍ଛା ସମ୍ଭୁତ ଅଥବା ଦୁର୍ଭାଗ୍ୟଜନିତ ବୋଲି ପ୍ରାୟତଃ ବିଚାର କରାଯାଇଥାଏ; ତହିଁରେ ନିହିତ ମାନବୀୟ ଭୂମିକା ବା ତ୍ରୁଟି ବିଚ୍ୟୁତିକୁ ଠାବ କରିବାର ପ୍ରଯତ୍ନ କରା ନ ଗଲେ ତାହା ଯେ ଘୋର ଅବିମୃଶ୍ୟକାରିତା ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ। ସୁତରା˚, ଏଭଳି ଏକ ଅତ୍ୟନ୍ତ ବିଷଣ୍ଣ କ୍ଷଣରେ ରାଜନୈତିକ ସ˚କୀର୍ଣ୍ଣତା ପରିହାର କରି ସମଗ୍ର ଘଟଣା ଉପରେ ଏକ ଅନ୍ତର୍ଭେଦୀ ଦୃଷ୍ଟି ନିକ୍ଷେପ କରିବା ଆବଶ୍ୟକ ବୋଲି ମନେ ହୋଇଥାଏ।

ଦୁଇଟି ଯାତ୍ରୀବାହୀ ଓ ଗୋଟିଏ ମାଲ ଗାଡ଼ ମଧୢରେ ଘଟିଥିବା ଏହି ଅତ୍ୟନ୍ତ ବିରଳ ଦୁର୍ଘଟଣାର କାରଣ ନେଇ ଯଦିଓ ତତ୍‌କ୍ଷଣାତ୍‌ ଅନେକ ‘ଥିଓରି’ ଆତ୍ମପ୍ରକାଶ କରିଥିଲା, ଏ ପରିପ୍ରେକ୍ଷୀରେ ରେଳବାଇ ପକ୍ଷରୁ ହୋଇଥିବା ପ୍ରାଥମିକ ତଦନ୍ତର ରିପୋର୍ଟ ସର୍ବାଧିକ ବିଶ୍ବସନୀୟ ଭଳି ମନେ ହୋଇଥାଏ; ଯାହା ‘ସିଗ୍‌ନାଲ୍‌’ ତ୍ରୁଟି ବା ଅନ୍ୟ ଅର୍ଥରେ ମାନବୀୟ ବିଫଳତା ଆଡ଼କୁ ଇଙ୍ଗିତ କରିଥାଏ। ଏହି ରିପୋର୍ଟ ଅନୁସାରେ ଦ୍ରୁତଗାମୀ ସାଲିମାର-ଚେନ୍ନାଇ କରମଣ୍ତଳ ଏକ୍‌ସପ୍ରେସ୍‌କୁ ବାଟ ଛାଡ଼ିଦେବା ସକାଶେ ସେଇ ଧାରଣାରେ ଯାଉଥିବା ମାଲଗାଡ଼ିଟି ‘ଲୁପ୍‌ ଲାଇନ୍‌’ରେ କଡ଼କୁ ହଟିଯାଇ ଛିଡ଼ା ହୋଇ ସାରିଥିବାରୁ ସେହି ଲାଇନ୍‌ରେ ଆଉ ପ୍ରତିବନ୍ଧ ନାହିଁ ବୋଲି ସବୁଜ ସିଗନାଲ କରମଣ୍ତଳକୁ ନିରଙ୍କୁଶ ଭାବେ ଅଗ୍ରସର ହେବାକୁ ଅନୁମତି ଦେଇିଥିଲା।

କିନ୍ତୁ ଏଣେ, ଦୁର୍ଭାଗ୍ୟକୁ ଏକ ପ୍ରଯୁକ୍ତିଗତ ବିଭ୍ରାଟ କାରଣରୁ ‘ମୁଖ୍ୟ ଲାଇନ୍‌’କୁ ‘ଲୁପ୍‌ ଲାଇନ୍‌’ ସହିତ ସଂଯୋଗ କରୁଥିବା ଅ˚ଶଟି ‘ଲୁପ୍‌ ଲାଇନ୍‌’ରୁ ବିଚ୍ଛନ୍ନ ହୋଇ ନ ଥିଲା; ଯାହା ଫଳରେ କରମଣ୍ତଳ ଏକ୍‌ସପ୍ରେସ୍‌ ତା’ର ଚିରାଚରିତ ପଥରେ ସଳଖ ନ ଯାଇ ଅଗତ୍ୟା ‘ଲୁପ୍‌ ଲାଇନ୍‌’ର ମୋଡ଼ରେ ଅତ୍ୟନ୍ତ ଦ୍ରୁତ ଗତିରେ ପ୍ରବେଶ କରିଥିଲା ଏବ˚ ଭାରସାମ୍ୟ ହରାଇ ଧାରଣାଚ୍ୟୁତ ହେବା ସହିତ ପୂର୍ବରୁ ସେଠାରେ ଛିଡ଼ା ହୋଇ ରହିଥିବା ମାଲଗାଡ଼ିକୁ ପୂର୍ଣ୍ଣ ଶକ୍ତି ସହିତ ଧକ୍କା ଦେଇଥିଲା। ଏଭଳି ଏକ ଭୟାବହ ଆଘାତରେ କରମଣ୍ତଳ ଏକ୍‌ସପ୍ରେସ୍‌ର ପ୍ରାୟ ସମସ୍ତ ବଗି ବିକ୍ଷିପ୍ତ ହୋଇ ପାର୍ଶ୍ବବର୍ତ୍ତୀ ରେଳ ଧାରଣା ଉପରକୁ ଛିଟିକି ଆସି ଠିକ୍‌ ସେଇ ସମୟରେ ଯାଉଥିବା ହାଓଡ଼ା-ଯଶୋବନ୍ତପୁର ସୁପର୍‌ଫାଷ୍ଟ ଏକସ୍‌ପ୍ରେସ୍‌ର ଶେଷ ତିନିଟି ବଗିକୁ ଧକ୍କା ଦେଇ ସେଗୁଡ଼ିକୁ ମଧୢ ଲାଇନଚ୍ୟୁତ କରି ପକାଇଥିଲା। ଯଦିଓ ‘ଲୁପ୍‌ ଲାଇନ୍‌’ ନିକଟରେ ଘଟିଥିବା ଯାନ୍ତ୍ରିକ ବିଭ୍ରାଟ ହେତୁ ସିଗନାଲ ବତିଟି କିଛି ସମୟ ଭିତରେ ‘ସବୁଜ’ରୁ ‘ନାଲି’କୁ ପରିବର୍ତ୍ତିତ ହୋଇ ଯାଇଥିଲା, ଦ୍ରୁତ ଧାବମାନ କରମଣ୍ତଳକୁ ରୋକିବା କିନ୍ତୁ ଆଉ ଆୟତ୍ତସାଧୢ ନ ଥିଲା!

ସ˚ପ୍ରତି ଭାରତୀୟ ରେଳବାଇରେ ଉତ୍କର୍ଷର ନୂଆ ଅଧୢାୟମାନ ସ˚ଯୋଜିତ ହେବାରେ ଲାଗିଛି ବୋଲି ହଟଚମଟପୂର୍ଣ୍ଣ ସରକାରୀ ଦାବି, ପ୍ରଚାର ଏବ˚ ବିଜ୍ଞାପନର ପଟୁଆର ଭିତରେ ଏହି ଅଘଟଣଟି ଘଟିଯାଇ ଯେଉଁ ସ୍ବାଭାବିକ ପ୍ରଶଗୁଡ଼ିକୁ ଉଠାଇଛି, ତାହା ହେଲା ଏଭଳି ଅତ୍ୟାଧୁନିକ ଉତ୍କର୍ଷର ଦାବି ସତ୍ତ୍ବେ ଆଦିମ କାଳୀନ ଭଳି ବୋଧ ହେଉଥିବା ଦୁର୍ଘଟଣାଟିଏ ଘଟିଗଲା କିଭଳି? ଦୁଇଟି ରେଳ ଗାଡ଼ି ମଧୢରେ ଘଟିବାକୁ ଯାଉଥିବା ସ˚ଘର୍ଷକୁ ରୋକିବା ସକାଶେ ‘ରିସର୍ଚ ଡିଜାଇନ୍‌ ଏଣ୍ଡ୍‌ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍’ ପକ୍ଷରୁ ନିର୍ମିତ ଏବ˚ ବହୁଳ ବିଜ୍ଞପିତ ‘କବଚ’ ପ୍ରଯୁକ୍ତି ଏ ଦିଗରେ ବିଫଳ ହେଲା କି? ଏଭଳି ପ୍ରଶ୍ନର ଉତ୍ତରରେ ଯାହା ଜଣାପଡ଼େ ତାହା ହେଲା ୨୦୧୨ ମସିହାରୁ ‘ଟ୍ରେନ୍‌ କୋଲିଜନ୍‌ ଆଭଏଡାନ୍‌ସ ସିଷ୍ଟମ’ (ରେଳ ଧକ୍କା ଏଡ଼ାଇବା ବ୍ୟବସ୍ଥା) ବା ‘ଟି.ସି.ଏ.ଏସ୍‌.’ କ୍ଷେତ୍ରରେ ସଘନ ଉଦ୍ୟମ ଜାରି ରହି ଦୁର୍ଘଟଣା ନିରୋଧୀ ‘କବଚ’ ପ୍ରଯୁକ୍ତି ବିକଶିତ ହୋଇଛି ସତ, କିନ୍ତୁ ବାସ୍ତବତା ହେଲା ମାତ୍ର ୨.୧୩ ପ୍ରତିଶତ ରେଳପଥ ଏହି ପ୍ରଯୁକ୍ତି ଦ୍ବାରା ସୁରକ୍ଷିତ। ଏହାର ଅର୍ଥ ୯୮ ପ୍ରତିଶତ ‘କବଚ ରହିତ’ ରେଳପଥରେ ୨୨,୦୦୦ରୁ ଅଧିକ ରେଳଗାଡ଼ି ପ୍ରତ୍ୟହ ଧାବମାନ ହେବାରେ ଲାଗିଛନ୍ତି।

ଗୋଟିଏ ପଟେ ‘ବନ୍ଦେ ଭାରତ’ ଭଳି ଅତ୍ୟନ୍ତ ଦ୍ରୁତଗାମୀ ରେଳଗାଡ଼ିର ନିର୍ମାତା ଏବ˚ ବ୍ୟବହାରକାରୀ ରାଷ୍ଟ୍ର ରୂପେ ଭାରତ ଏହି ସାମର୍ଥ୍ୟର ଅଧିକାରୀ ମାତ୍ର ଆଠଟି ଦେଶଙ୍କ ‘କ୍ଲବ୍‌’ରେ ସ୍ଥାନ ପାଇଛି, ଅଥଚ ସେହି ଟ୍ରେନଗୁଡ଼ିକ ବିପଜ୍ଜନକ ଭାବେ ‘ନିଃ-କବଚ’ ରେଳ ପଥଗୁଡ଼ିକରେ ହିଁ ଛୁଟି ଚାଲିଛନ୍ତି। ହୁଏ’ତ ଯୁକ୍ତି କରାଯାଇପାରେ ଯେ ‘ବନ୍ଦେ ଭାରତ’ ରେଳଗୁଡ଼ିକ ‘କବଚ’ ପ୍ରଯୁକ୍ତି ଯୁକ୍ତ ହୋଇ ନିଜକୁ ଦୁର୍ଘଟଣାରୁ ସୁରକ୍ଷା ଦେବାକୁ ସମର୍ଥ, କିନ୍ତୁ ସମସ୍ୟାଟି ହେଲା ସେହି ପଥରେ ଚଳାଚଳ କରୁଥିବା ଅନ୍ୟାନ୍ୟ ଦ୍ରୁତଗାମୀ ରେଳଗାଡ଼ିଗୁଡ଼ିକ ‘କବଚ’ ପ୍ରଯୁକ୍ତିର ସମ୍ବେଦନଶୀଳତା ଲାଭ କରି ନାହାନ୍ତି; ସୁତରା˚, ‘ବନ୍ଦେ ଭାରତ’ ରେଳଗାଡ଼ିଗୁଡ଼ିକ ଭଳି ବିପଦ ଆଶଙ୍କା ମାତ୍ରକେ ଖଣ୍ତେ ଦୂରରୁ ଅଟକି ଯିବାରେ ସେଗୁଡ଼ିକ ଅସମର୍ଥ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ କି ସୁରକ୍ଷିତ ରେଳ ଯାତ୍ରା ଉପରେ ଗୁରୁତ୍ବ ପ୍ରଦାନ କରା ନ ଯାଇ ‘ବନ୍ଦେ ଭାରତ’ ବା ‘ବୁଲେଟ୍‌’ ଟ୍ରେନ୍‌ ଭଳି ଉଚ୍ଚାଭିଳାଷୀ ପ୍ରକଳ୍ପକୁ ସାକାର କରିବାର ପ୍ରଚେଷ୍ଟା ଏକ ଦୁର୍ବଳ ଭିତ୍ତିଭୂମି ଉପରେ ବିଳାସପୂର୍ଣ୍ଣ ସୌଧ ସ୍ଥାପନ ତୁଲ୍ୟ ଅପରିଣାମଦର୍ଶିତା ମାତ୍ର!

ଏହା ଏକ ସ˚ଯୋଗ ମାତ୍ର ନୁହେଁ ଯେ ଏହି ଦୁର୍ଘଟଣା ଘଟିବାର ମାତ୍ର ତିନି ଦିନ ପୂର୍ବରୁ (ମେ ୩୧ ତାରିଖରେ ‘ଦ ହିନ୍ଦୁ’ ଖବରକାଗଜରେ ପ୍ରକାଶିତ ଏସ୍‌. ବିଜୟ କୁମାରଙ୍କ ଦ୍ବାରା ପ୍ରସ୍ତୁତ ଏକ ତଥ୍ୟ ସମ୍ବଳିତ ରିପୋର୍ଟ ଦର୍ଶାଇଥିଲା କିଭଳି ଭାରତୀୟ ରେଳବାଇ, ବିଶେଷ କରି ‘ପୂର୍ବ ତଟ’ ଏବ˚ ‘ଦକ୍ଷିଣ ପୂର୍ବ’ ରେଳବାଇରେ କାର୍ଯ୍ୟରତ ‘ଲୋକୋ-ପାଇଲଟ୍‌’ମାନେ ଦୈନିକ ହାରାହାରି ୧୨ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବାକୁ ବାଧୢ ହେଉଛନ୍ତି। ତାଙ୍କ ରିପୋର୍ଟ ଅନୁସାରେ ଗଲା ୨୦୨୧-୨୨ ମସିହାରେ ୩୫ଟି ଏବ˚ ୨୦୨୨-୨୩ ମସିହାରେ ୪୮ଟି ଛୋଟବଡ଼ ରେଳ ଦୁର୍ଘଟଣା ଘଟିଛି। ଏହି ସମୟ ଭିତରେ ୧୬୨ଟି ମାନବୀୟ ବିଚ୍ୟୁତି ଘଟିଛି ଯହିଁରେ ୩୫ଟି ପ୍ରମାଦପୂର୍ଣ୍ଣ ଭାବେ ସିଗନାଲ ଅତିକ୍ରମ କଲା ଭଳି ଘଟଣା ଅନ୍ତର୍ଭୁକ୍ତ। ଏହାର ଏକ ବଡ଼ କାରଣ କର୍ମଚାରୀ ଅଭାବ, କାରଣ ଅତ୍ୟନ୍ତ ଏକାଗ୍ରତା ଲୋଡୁଥିବା ‘ଲୋକୋ-ପାଇଲଟ୍‌’ଙ୍କ କାର୍ଯ୍ୟ କ୍ଳାନ୍ତି ସହିତ ତ୍ରୁଟିଯୁକ୍ତ ହେବାର ଆଶଙ୍କା ମଧୢ ବୃଦ୍ଧି କରିଥାଏ।

ସେହି ରିପୋର୍ଟରୁ ଜଣାପଡ଼ିଛି ଯେ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ବିବରଣୀ ଅନୁଯାୟୀ ଭାରତୀୟ ରେଳବାଇରେ ବିଭିନ୍ନ ସ୍ତରରେ ଖାଲି ପଡ଼ିଥିବା ପଦର ସ˚ଖ୍ୟା ହେଉଛି ପ୍ରାୟ ଦେଢ଼ ଲକ୍ଷ। ଏହି ସ˚ଦର୍ଭରେ ୭୭ ଜଣ ବରିଷ୍ଠ ଅଧିକାରୀଙ୍କ ସ୍ବେଚ୍ଛାକୃତ ଅବସର ଗ୍ରହଣ ନିଷ୍ପତ୍ତି ପ୍ରଣିଧାନଯୋଗ୍ୟ, ଯହିଁରେ ସେମାନେ କାର୍ଯ୍ୟର ଚାପ ସହ୍ୟ କରି ନ ପାରି ଏଭଳି କରିଥିବା କୁହାଯାଉଛି। ରେଳ ବିଭାଗ ପକ୍ଷରୁ ଏହାକୁ ବର୍ତ୍ତମାନର ନିରଳସ କର୍ମ ସ˚ସ୍କୃତିର ପରିଣାମ ବୋଲି ଦର୍ଶାଯାଉଛି ସତ, କିନ୍ତୁ ଏହା ପଛରେ ନିହିତ ପ୍ରକୃତ କାରଣ ଯେ କର୍ମଚାରୀ ଅଭାବଜନିତ କାର୍ଯ୍ୟ ଚାପ,ଏଥିରେ ବିଶେଷ ସନ୍ଦେହ ନାହିଁ। ପ୍ରକାଶ ଥାଉ କି ଭାରତୀୟ ରେଳବାଇ ବୋର୍ଡ ମଧୢ କର୍ମଚାରୀ ଅଭାବ ଜନିତ ସମସ୍ୟା ନେଇ ଅତ୍ୟନ୍ତ ଉଦ୍‌ବିଗ୍ନ। ଏଭଳି ସ୍ଥିତିରେ ଏହି ଦୁର୍ଘଟଣା ଲାଗି ଦୋଷୀ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଦଣ୍ତର ପ୍ରାବଧାନ କଲା ବେଳେ ରେଳ ବିଭାଗର କର୍ତ୍ତୃପକ୍ଷ ଆତ୍ମନିରୀକ୍ଷଣ କରିବା ଯେ ଜରୁରୀ, ଏହା କହିବା ଅନାବଶ୍ୟକ।

ଏହି ରେଳ ଦୁର୍ଘଟଣାଟି ସେତିକି ବେଳେ ଘଟିଛି, ଯେଉଁ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଗୋଆରେ ‘ବନ୍ଦେ ଭାରତ’ ଟ୍ରେନ୍‌ର ଆଡ଼ମ୍ବରପୂର୍ଣ୍ଣ ଶୁଭାରମ୍ଭ ଉତ୍ସବରେ ଥିଲେ। ସୁତରା˚ ସହସା ଏକ ଦୃଶ୍ୟନ୍ତର ଘଟି ବାହାନଗାର ଅନ୍ଧକାର ଭିତରେ ଏକ ଭୟାବହ ରେଳ ଦୁର୍ଘଟଣା ମଞ୍ଚର କେନ୍ଦ୍ର ସ୍ଥଳକୁ ଚାଲି ଆସିଲା; ଯାହା ଫଳରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଗୋଆରୁ ସିଧା ଓଡ଼ିଶାକୁ ଆସିଲେ ଏବ˚ ଏକ ଦୁଃଖଦାୟକ ପରିସ୍ଥିତି ପ୍ରଧାନମନ୍ତ୍ରୀଙ୍କୁ ମଧୢ ଅଗତ୍ୟା ଓଡ଼ିଶା ଆସିବାକୁ ବାଧୢ କଲା। ଏହି ପରିପ୍ରେକ୍ଷୀରେ ଆଶା କରିବା ଯେ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଓ ପ୍ରଚାର ଚାଲୁ ରହିବା ସହିତ ଭୂମି ସ୍ତରରେ ଭିତ୍ତି ସୁଦୃଢ଼ କରିବାର ଉଦ୍ୟମ ମଧୢ ବଳବତ୍ତର ରହୁ; ଅନ୍ତତଃ ପକ୍ଷେ ନିରାପଦ ରେଳ ଯାତ୍ରା ସର୍ବାଧିକ ଗୁରୁତ୍ବ ଲାଭ କରୁ; ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟାନ୍ତର ଘଟିବାର ଦୁର୍ଯୋଗ ଆଉ ସୃଷ୍ଟି ନ ହେଉ!

ସମ୍ବନ୍ଧିତ ଖବର