ଶିକ୍ଷା ଓ କର୍ମକ୍ଷେତ୍ର ମଧ୍ୟରେ ସେତୁ କାହିଁ?

ଅରୁଣ ସିହ୍ନା

୧୯୫୮ ମସିହାରେ ଆଶା ଭୋସଲେ ହିନ୍ଦୀ ଚଳଚ୍ଚିତ୍ର ‘ମାଲିକ’ ପାଇଁ କଣ୍ଠଦାନ କରିଥିବା ଗୀତ ‘ପଢ଼ୋଗେ ଲିଖୋଗେ ହୋଗେ ନଵାବ/ଯୋ ଖେଲୋଗେ କୁଦୋଗେ ହୋଗେ ଖରାବ’ ଆପଣମାନଙ୍କର ମନେ ଅଛି କି? ଏହା ନବ-ସ୍ବାଧୀନ ଭାରତର ପିଲାମାନଙ୍କୁ ଏକ ସରଳ ବାର୍ତ୍ତା ପ୍ରଦାନ କରିଥିଲା କି ‘ଶିକ୍ଷା ହିଁ ଉତ୍ତମ ଜୀବନର ମାର୍ଗ’। ଆଜିର ଭାରତରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଏହା ସତ ନୁହେଁ ବୋଲି ଜାଣିବାକୁ ପାଇଛନ୍ତି। ଗୋଟିଏ ଉତ୍ତମ ଜୀବନ ପାଇବା ପାଇଁ ସେମାନଙ୍କୁ ଗୋଟିଏ ଉତ୍ତମ ବେତନ ସମ୍ବଳିତ ଉତ୍ତମ ଚାକିରି ମିଳିବା ଦରକାର ଏବଂ ସେମାନେ କେଉଁଠାରେ ବି ଏହା ପାଇପାରିବେ ନାହିଁ। ଜଣେ ଯେତେ ଅଧିକ ଶିକ୍ଷିତ ହେଉଛି, ଚାକିରି ମିଳିବାର ସମ୍ଭାବନା ସେତେ କମ୍‌ ରହୁଛି। ଅଜିମ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟର ‘ସେଣ୍ଟର ଫର ସଷ୍ଟେନେବଲ ଏମ୍ପ୍ଲଏମେଣ୍ଟ୍‌’ ତଥ୍ୟ ଅନୁସାରେ ସ୍ନାତକ ଓ ତଦୂର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେକାରି ହାର ଜାତୀୟ ହାରଠାରୁ ତିନି ଗୁଣ ଅଧିକ।
ଶିକ୍ଷିତ ବେକାରମାନେ ହତାଶ ହୋଇପଡ଼ିଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେମାନଙ୍କ ପାଠପଢ଼ା ପାଇଁ ସେମାନେ ଓ ସେମାନଙ୍କ ପରିବାର ବହୁ ଅର୍ଥ ଓ ସମୟ ବିନିଯୋଗ କରିଛନ୍ତି। ସେମାନେ କିଛି ଗୋଟେ ରୋଜଗାର ଆରମ୍ଭ କରିବାକୁ ଚାହୁଁଛନ୍ତି। ନାହିଁ ମାମୁ ଠାରୁ କଣା ମାମୁ ଭଲ। ତେଣୁ ସେମାନେ ଏମିତି ଚାକିରି ପାଇଁ ଆବେଦନ କରୁଛନ୍ତି ଯାହା ପାଇଁ ବହୁତ କମ୍‌ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ।

୨୦୧୮ରେ ଉତ୍ତରପ୍ରଦେଶ ପୁଲିସ ୬୨ଟି ଟେଲିଫୋନ୍‌ ମେସେଞ୍ଜର ପଦ ପାଇଁ ବିଜ୍ଞାପନ ଦେଇଥିଲେ, ଯାହାର କାମ ଥିଲା ସାଇକେଲରେ ଗୋଟିଏ ଥାନାରୁ ଅନ୍ୟ ଥାନାକୁ କାଗଜପତ୍ର ନେବା। ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଏଥି ପାଇଁ ଯୋଗ୍ୟ ବିବେଚିତ। ମାତ୍ର ଏହି ସରକାରୀ ପଦ ପାଇଁ ୯୩ ହଜାର ଆଶାୟୀ ଆବେଦନ କରିଥିଲେ। ସେମାନଙ୍କ ଭିତରୁ ୫୦ ହଜାର ସ୍ନାତକ (ଏପରିକି ବିଟେକ୍‌), ୨୮ ହଜାର ସ୍ନାତକୋତ୍ତର (ଏପରିକି ଏମ୍‌ବିଏ) ଓ ୩,୭୦୦ ଜଣ ପିଏଚ୍‌ଡିଧାରୀ ଥିବା ଜଣାପଡ଼ିବା ପରେ ଚୟନ ବୋର୍ଡ ହତବାକ୍‌ ହୋଇଯାଇଥିଲା। ସେହିବର୍ଷ ରେଳବାଇ ନିଯୁକ୍ତି ବୋର୍ଡ ପ୍ରାୟ ୬୩,୦୦୦ ‘ଲେଭଲ ୧’ ପଦ ପାଇଁ ବିଜ୍ଞାପନ ଦେଇଥିଲା, ଯେଉଁଥିରେ ଗ୍ୟାଙ୍ଗମ୍ୟାନ୍‌, ଗେଟ୍‌ମ୍ୟାନ୍ ଓ ପୋର୍ଟର ଭଳି ପଦ ସାମିଲ ଥିଲା। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ଥିଲା ଚତୁର୍ଥ ଶ୍ରେଣୀ ଏବଂ ଚାକିରି ଚରିତ୍ର ଥିଲା ପରିବା କାଟିବା, ମେଜ ସଫା କରିବା, ବାସନ ଧୋଇବା ଏବଂ ଚଟାଣ ସଫା କରିବା ଇତ୍ୟାଦି। ତେବେ ଏଥିପାଇଁ ୧.୯ କୋଟି ଆଶାୟୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରିଧାରୀ ଥିଲେ।

ସ୍ବଳ୍ପଶିକ୍ଷିତଙ୍କ ଚାକିରି ଲୁଟିନେବା ପାଇଁ ଏହି ସୁଶିକ୍ଷିତମାନେ କାହିଁକି ଏତେ ଆଗଭର? କାରଣ ସେମାନଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ମିଳୁନାହିଁ। ଆମେ ଏକ ଦ୍ବନ୍ଦ୍ବରେ ଜୀବନ ବିତାଉଛନ୍ତି, ଯେଉଁଠି ଅର୍ଥନୀତି ସମ୍ପ୍ରସାରିତ ହେଉଛି, କିନ୍ତୁ ନିଯୁକ୍ତି ସଂକୁଚିତ ହେଉଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ଓ ସେଣ୍ଟର ଫର ଇକୋନୋମିକ ଡାଟା ଆଣ୍ଡ୍‌ ଆନାଲିସିସ (ସିଇଡିଏ)ର ମିଳିତ ଅନୁଧ୍ୟାନରୁ ଏହା ଜଣାପଡ଼ିଛି ଯେ, ଶିଳ୍ପ ପ୍ରସ୍ତୁତୀକରଣ କ୍ଷେତ୍ରରେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୨୦୧୬-୧୭ରେ ୫.୧ କୋଟି ଥିବା ବେଳେ ୨୦୨୦-୨୧ ବେଳକୁ ତାହା ୨.୭ କୋଟିକୁ, ପାଖାପାଖି ୫୦ ପ୍ରତିଶତ ଖସି ଆସିଛି। ସବୁଠୁ ଚିନ୍ତାଜନକ କଥାଟି ହେଉଛି, ବୟନଶିଳ୍ପ, ନିର୍ମାଣ ସାମଗ୍ରୀ (ଟାଇଲ ଆଦି) ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ଶ୍ରମ ଆଧାରିତ କ୍ଷେତ୍ରରେ ଅଧିକାଂଶ ନିଯୁକ୍ତି ସଂକୋଚନ ଘଟିଛି। ବୟନଶିଳ୍ପ କ୍ଷେତ୍ରରେ ୨୦୧୬-୧୭ରେ ଥିବା ୧.୨୬ କୋଟି ନିଯୁକ୍ତି ହ୍ରାସ ପାଇ ୨୦୨୦-୨୧ରେ ୫୫ ଲକ୍ଷରେ ପହଞ୍ଚିଛି। ସେହିପରି ନିର୍ମାଣ ସାମଗ୍ରୀ କ୍ଷେତ୍ରରେ ସେହି ଅବଧି ଭିତରେ ନିଯୁକ୍ତି ୧.୧୪ କୋଟିରୁ ୪୮ ଲକ୍ଷକୁ ଖସି ଆସିଛି।

ପାଶ୍ଚାତ୍ୟ ଦେଶଗୁଡ଼ିକର ଅଭିଜ୍ଞତା ହେଲା, ଯେତେବେଳେ ଅର୍ଥନୀତି ବଢ଼ିଲା, ଶ୍ରମିକମାନେ ସ୍ଥାୟୀ ଭାବେ କୃଷି କ୍ଷେତ୍ରରୁ ବିନିର୍ମାଣ ବା ଉତ୍ପାଦନ କ୍ଷେତ୍ରକୁ ଚାଲିଗଲେ। କିନ୍ତୁ ଭାରତରେ ଏହାର ଓଲଟା ଦେଖିବାକୁ ମିଳୁଛି। ଉତ୍ପାଦନ କ୍ଷେତ୍ରରୁ ଶ୍ରମିକମାନେ କୃଷି କ୍ଷେତ୍ରକୁ ଫେରୁଛନ୍ତି। ସିଏମ୍‌ଆଇଇ-ସିଇଡିଏ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୧୬-୧୭ରୁ ୨୦୨୦-୨୧ ଯାଏ ୪ ବର୍ଷ ଭିତରେ କୃଷି କ୍ଷେତ୍ରରେ ନିଯୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ଆଉ କୃଷି କ୍ଷେତ୍ରରେ ନିଯୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଅଶିକ୍ଷିତ ଲୋକଙ୍କ ସହିତ ଶିକ୍ଷିତ ଲୋକ ମଧ୍ୟ ସାମିଲ ହୋଇଥିଲେ, ଯେଉଁମାନେ ଚାକିରି ପାଇନଥିଲେ କିମ୍ବା ଉତ୍ପାଦନ କ୍ଷେତ୍ରର ଚାକିରିରୁ ଛଟେଇ ହୋଇଯାଇଥିଲେ।

ଏଥିରୁ ସ୍ପଷ୍ଟ ହେଉଛି ଯେ ଭାରତୀୟ ଅର୍ଥନୀତି ଭୁଲ୍‌ ଦିଗରେ ଗତି କରୁଛି। ବିଶ୍ବରେ ଶ୍ରମର ସର୍ବବୃହତ୍‌ ମହାସାଗର ବିବେଚିତ ଦେଶର ଅର୍ଥନୀତି ଅଧିକରୁ ଅଧିକ ଶ୍ରମବହୁଳ (ଅଧିକ ଶ୍ରମ, କମ୍‌ ଯନ୍ତ୍ର) ହେବା ବଦଳରେ ଅଧିକରୁ ଅଧିକ ପୁଞ୍ଜିବହୁଳ (ଅଧିକ ଯନ୍ତ୍ର, କମ୍‌ ଶ୍ରମ) ଆଡ଼କୁ ମୁହାଁଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ପାଉଥିବାରୁ ୟୁପିଏ କି ଏନ୍‌ଡିଏ ସରକାର ଏହାକୁ ବିପରୀତମୁଖୀ କରିବା ପାଇଁ କିଛି ପ୍ରୟାସ କରିନାହାନ୍ତି। ସର୍ବୋପରି, ଜିଡିପିରେ ନିବେଶ ଯୋଡ଼ିହୋଇଛି। ଏପରିକି ‘ମେକ୍‌-ଇନ୍‌-ଇଣ୍ଡିଆ’ ଓ ‘ପ୍ରଡକ୍ସନ-ଲିଙ୍କଡ’ ପ୍ରୋତ୍ସାହନ ଯୋଜନାଗୁଡ଼ିକ ମଧ୍ୟ ପୁଞ୍ଜିଭିତ୍ତିକ ବିନିର୍ମାଣକୁ ପ୍ରୋତ୍ସାହିତ କରୁଛି।
ତେବେ ଜିଡିପି ହିଁ ସବୁ କିଛି ନୁହେଁ। ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହେବା ଲାଗି ଭାରତ ଏପରି ଦୌଡ଼ିବାର ଆନନ୍ଦ ଦେଶର ବେକାରି ଅଭିବୃଦ୍ଧିର ଗଭୀରତମ ଦୁଃଖକୁ ଲୁଚାଇପାରିବ ନାହିଁ। ଲୋକଙ୍କର ଅଭିବୃଦ୍ଧି ନ ହୋଇ ଅର୍ଥନୀତିର ଅଭିବୃଦ୍ଧି ହେବା ଦ୍ବାରା ଲାଭ କ’ଣ ମିଳିବ? ଭାରତର ଜନସଂଖ୍ୟାର ପ୍ରାୟ ଅଧା ହେଉଛନ୍ତି ୨୫ ବର୍ଷରୁ କମ୍‌ ବୟସର। ‘ଵାଲ୍‌ ଷ୍ଟ୍ରିଟ୍‌ ପତ୍ରିକା’ର ରିପୋର୍ଟ ଅନୁସାରେ ପ୍ରତି ବର୍ଷ ଏମାନଙ୍କ ଭିତରୁ ୧.୨ କୋଟି ଲୋକ ଶ୍ରମବଳରେ ଯୋଗ ଦେଉଥିବା ବେଳେ ମାତ୍ର ୫୫ ଲକ୍ଷ ଲୋକଙ୍କୁ ଚାକିରି ମିଳୁଛି। ଆବଧିକ ଶ୍ରମବଳ ସର୍ବେକ୍ଷଣ ଅନୁସାରେ, ୨୦୨୧ ଏପ୍ରିଲ-ଜୁନ୍‌ ଚଉଠରେ ୧୫ରୁ ୨୯ ବର୍ଷ ବୟସ ବର୍ଗର ଯୁବ ବେକାରି ହାର ୨୫.୫ ପ୍ରତିଶତ ଥିଲା। ଭାରତର ଯୁବ ଜନସଂଖ୍ୟା, ଯାହା ଜନସଂଖ୍ୟାଗତ ଲାଭାଂଶ ଭାବେ ଜଣାଶୁଣା, ତା’କୁ ବରଦାନ ବୋଲି କୁହାଯାଉଛି। ତେବେ ଅର୍ଥନୀତି ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି ନକଲେ ସେହି ବରଦାନ ଅଚିରେ ଅଭିଶାପରେ ପରିଣତ ହୋଇପାରେ।

ଏହା ଏକ ଚିନ୍ତାର ବିଷୟ ଯେ ସରକାର ଯୁବବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବା ପାଇଁ ପୁଞ୍ଜିଭିତ୍ତିକରୁ ଶ୍ରମଭିତ୍ତିକ ଉତ୍ପାଦନର ଧାରକୁ ଯିବା ପରିବର୍ତ୍ତେ କେବଳ ପ୍ରତୀକବାଦରେ ଲିପ୍ତ ରହୁଛନ୍ତି। ଉଦାହରଣ ସ୍ବରୂପ, ସରକାର ୨୦୨୨ ମଧ୍ୟଭାଗରେ ଘୋଷଣା କରିଥିଲେ କି ଆଗାମୀ ଦେଢ଼ ବର୍ଷ ଭିତରେ ନିଜର ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗରେ ଏକ ନିୟୁତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବେ। ଯେଉଁ ଦେଶରେ ୨୦୨୨ ମଧ୍ୟଭାଗରୁ ୨୦୨୩ ଶେଷ ପର୍ଯ୍ୟନ୍ତ ଦଶ ନିୟୁତରୁ ଅଧିକ ଆଶାୟୀ ଚାକିରି ଖୋଜିବେ, ସେମାନଙ୍କ ଭିତରୁ ଏକ ନିୟୁତଙ୍କୁ ସରକାରୀ ଚାକିରି ଦେଲେ ମଧ୍ୟ ପୂର୍ବ ବର୍ଷମାନଙ୍କର ବିଶାଳ ବେକାରି ସଂଖ୍ୟା ତ ଦୂରର କଥା, କେବଳ ଉକ୍ତ ଅବଧିର ବେକାରି ବି ଦୂର ହୋଇପାରିବ ନାହିଁ। ପରବର୍ତ୍ତୀ ବର୍ଷଗୁଡ଼ିକରେ ବେକାରି ହାର ଅନୁରୂପ ରହିବ। ଦେଶର ବେକାରି ସମସ୍ୟାର ସମାଧାନ କେବଳ ସରକାରୀ ନିଯୁକ୍ତି ଦ୍ବାରା ହୋଇପାରିବ ନାହିଁ, ବରଂ ଘରୋଇ ନିଯୁକ୍ତି ତାହା ମେଣ୍ଟାଇପାରିବ।

ବେକାରି ସମସ୍ୟାକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ପାଇଁ ଭାରତକୁ ଚତୁଃସୂତ୍ରୀ ରଣନୀତି ଅନୁସରଣ କରିବାକୁ ପଡ଼ିବ। ପ୍ରଥମତଃ, ବୟନଶିଳ୍ପ, ପୋଷାକ, ଚମଡ଼ା ଓ ଜୋତା, ଖାଦ୍ୟ ପ୍ରକ୍ରିୟାକରଣ ଓ କାଠ ସାମଗ୍ରୀ ଉତ୍ପାଦନ ଆଦି ଶ୍ରମଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନିଜ ନୀତି ଓ ପ୍ରୋତ୍ସାହନର ପୁନର୍ବିନ୍ୟାସ କରିବା ଆବଶ୍ୟକ। ୨୦୨୩ ମେ’ରେ ସରକାର ଶ୍ରମ ଆଧାରିତ କ୍ଷେତ୍ର ପାଇଁ ପିଏଲ୍‌ଆଇ ଯୋଜନା ଘୋଷଣା କରିଥିଲେ, ଯାହା ଏକ ଭଲ ପଦକ୍ଷେପ। ଦ୍ବିତୀୟରେ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍‌କେଭିଵାଇ) ପରି ସରକାରଙ୍କ କୌଶଳ ବିକାଶ କାର୍ଯ୍ୟକ୍ରମକୁ ସାର୍ଥକ କରିବା ଆବଶ୍ୟକ। ଏକ ସମୀକ୍ଷାରୁ ପିଏମ୍‌କେଭିଵାଇରେ ପ୍ରଶିକ୍ଷଣ ଓ ନିଯୁକ୍ତି କ୍ଷେତ୍ରରେ ବଡ଼ ଧରଣର ଅଭାବ ପରିଲକ୍ଷିତ ହୋଇଛି। ତୃତୀୟତଃ, ଶିଳ୍ପକୁ ଦକ୍ଷତା ବିକାଶର ଦାୟିତ୍ବ ବାଣ୍ଟିବା ଆବଶ୍ୟକ। ଗୁଗୁଲ୍‌ ଓ ଆଇବିଏମ୍‌ ଭଳି କମ୍ପାନି ନିଜସ୍ବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଇ ଆବଶ୍ୟକ ଦକ୍ଷତା ହାସଲ କରିପାରୁଛନ୍ତି। ତେଣୁ ଭାରତୀୟ ଶିଳ୍ପକୁ ମଧ୍ୟ ଏପରି କରିବାକୁ ପଡ଼ିବ। ଚତୁର୍ଥରେ, ବିଦ୍ୟାଳୟ/ମହାବିଦ୍ୟାଳୟ ପରି ଶିକ୍ଷାକ୍ଷେତ୍ର ଏବଂ କର୍ମକ୍ଷେତ୍ର ମଧ୍ୟରେ ଶିକ୍ଷା ଏକ ସେତୁ ଭାବରେ କାର୍ଯ୍ୟ କରିବା ଆବଶ୍ୟକ। ପାଠ୍ୟକ୍ରମଗୁଡ଼ିକୁ ଜୀବିକା ସହ ଯୋଡ଼ାଯିବା ସହିତ କାର୍ଯ୍ୟ ଆଧାରିତ ଶିକ୍ଷା ସହ ଜଡ଼ିତ ହେବା ଦରକାର।
[email protected]

ସମ୍ବନ୍ଧିତ ଖବର