ମାନବ ଜାତି ପାଇଁ ଏ ପର୍ଯ୍ୟନ୍ତ ଏକମାତ୍ର ବାସଯୋଗ୍ୟ ସ୍ଥାନ ପୃଥିବୀ ଅଗଣିତ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ସହିତ ୮୦୦ କୋଟିରୁ ଅଧିକ ଲୋକଙ୍କୁ ସ୍ଥାନ ଦେଇଛି। ଉଦ୍‌ବେଗର ବିଷୟ ଯେ ଆମର ଅପରିଣାମଦର୍ଶୀ କାର୍ଯ୍ୟକଳାପ ଯୋଗୁଁ ଆମର ଏହି ବାସସ୍ଥଳୀ କ୍ରମଶଃ ଅଧିକରୁ ଅଧିକ ବିଷାକ୍ତ ହୋଇ ଉଠୁଛି, ଆମ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଏହି ପରିବେଶ ପ୍ରଦୂଷକଗୁଡ଼ିକ ମଧ୍ୟରେ ଅନ୍ୟତମ ହେଉଛି ପ୍ଲାଷ୍ଟିକ୍‌।

Advertisment

୧୯୦୭ ମସିହାରେ ବେଲଜିୟମ୍ ରସାୟନବିତ୍ ବେକ୍‌ଲାଣ୍ଡ, ବାକେଲାଇଟ ନାମକ ଏକ ପଦାର୍ଥ ସୃଷ୍ଟି କରିଥିଲେ ଯାହା ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ ନାମରେ ବଜାରରେ ପରିଚିତ ହୋଇଥିଲା। ମୂଳତଃ କାର୍ବନ ଆଧାରିତ ପଲିମର ହୋଇଥିଲେ ମଧ୍ୟ ଏହା ଉଦ୍‌ଜାନ, ଅମ୍ଳଜାନ, ଯବକ୍ଷାରଜାନ, କ୍ଲୋରିନ୍ ଓ ଗନ୍ଧକ ଇତ୍ୟାଦି ସହିତ ସଂଯୋଜିତ ହୋଇ ଅନେକ ଯୌଗିକ ପଦାର୍ଥ ସୃଷ୍ଟି କରିଥାଏ। ଏହା ମୁଖ୍ୟତଃ ଦୁଇ ପ୍ରକାରର। ଗୋଟିଏ ହେଉଛି ଥର୍ମୋପ୍ଲାଷ୍ଟିକ ଯାହା ବାରମ୍ବାର ଢାଞ୍ଚା ପରିବର୍ତ୍ତନଶୀଳ। ପଲିଇଥଲିନ୍, ପଲିଷ୍ଟିରିନ୍‌ ଓ ପଲିଭିନାଇଲ୍‌ କ୍ଲୋରାଇଡ୍‌ ଇତ୍ୟାଦି ଏହି ଶ୍ରେଣୀ ଅର୍ନ୍ତଭୁକ୍ତ। ବୋତଲ, ବ୍ୟାଗ୍ ଇତ୍ୟାଦି ଏଥିରୁ ପ୍ରସ୍ତୁତ ହୋଇଥାଏ। ଅନ୍ୟଟି ହେଉଛି ଥର୍ମୋସେଟିଙ୍ଗ୍ ଯାହା ବିଦ୍ୟୁତ୍ ସାମଗ୍ରୀ, ଯାନ୍ତ୍ରିକ ବସ୍ତୁ ଓ ଚିକିତ୍ସା ଉପକରଣ ପ୍ରସ୍ତୁତିରେ ଲାଗିଥାଏ।

publive-image The Balance

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ

୧୯୫୦ ମସିହା ପରେ ଆଧୁନିକ ଜୀବନଶୈଳୀ ଯୋଗୁଁ ତେଜରାତି ବସ୍ତୁ, ଖାଦ୍ୟ ପଦାର୍ଥ, ପୋଷାକ, ଖାଉଟି ଜିନିଷପତ୍ର, ପ୍ରସାଧନ ଓ ସୌନ୍ଦର୍ଯ୍ୟୀକରଣ ସାମଗ୍ରୀ ଗ୍ରାହକମାନଙ୍କ ପାଖରେ ସହଜରେ ଓ ସୁରକ୍ଷିତ ଭାବରେ ପହଞ୍ଚାଇବା ପାଇଁ ସୁଲଭ ସୌଖୀନ ପ୍ଲାଷ୍ଟିକ ଖୋଳର ଚାହିଦା ବଢ଼ିଚାଲିଛି। ସ୍ୱଳ୍ପ ଖର୍ଚ୍ଚରେ, ବହୁଳ ମାତ୍ରାରେ, ଅନେକ ପ୍ରକାର ଓ ଆକାରରେ ଏହା ଉପଲବ୍‌ଧ ହେଉଥିବାରୁୁ ପୂର୍ବ ବ୍ୟବହୃତ ଓଜନିଆ ଓ ବ୍ୟୟବହୁଳ ଗ୍ଲାସ, କାଠ, ଟିଣ, କାଗଜ ଏବଂ ଆନ୍ୟାନ୍ୟ ଧାତୁ ବଦଳରେ ପ୍ଲାଷ୍ଟିକ ଆଶାତୀତ ଭାବରେ ଜନାଦୃତ ହୋଇ ବର୍ତ୍ତମାନ ଜଳ, ସ୍ଥଳ ଓ ଆକାଶରେ ପରିବ୍ୟାପ୍ତ ହୋଇଛି। ଏ ପର୍ଯ୍ୟନ୍ତ ୪୦୦ ମିଲିଅନ୍ ମେଟ୍ରିକ୍ ଟନ୍ ଉତ୍ପାଦିତ ସାମଗ୍ରୀ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ହେଉଛି ବର୍ଜ୍ୟବସ୍ତୁ ଯାହାର ସିଂହଭାଗ ବିଘଟନ ନ ହୋଇ ଧରାପୃଷ୍ଠରେ ବିକ୍ଷିପ୍ତ ଭାବରେ ଶହ ଶହ ବର୍ଷ ଧରି ପଡ଼ି ରହୁଛି। ଅଧିକାଂଶ ସମୁଦ୍ରକୁ ଯିବା ଦ୍ୱାରା ସାଗର ପ୍ରଦୂଷଣ ଗମ୍ଭୀର ହେଲାଣି। ବାର୍ଷିକ ୧୨ ମିଲିଅନ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଜଳରାଶିରେ ପ୍ରବେଶ କରୁଛି। ଏକ ଗବେଷଣାରୁ ପୂର୍ବାନୁମାନ କରାଯାଇଛି ଯେ ୨୦୫୦ ମସିହା ବେଳକୁ ଦରିଆରେ ମାଛ ଅପେକ୍ଷା ଅଧିକ ପ୍ଲାଷ୍ଟିକ ମିଳିବ। ଏ ଦିଗରେ ଭାରତ ବିଶ୍ୱର ଦ୍ୱିତୀୟ ପ୍ରଦୂଷଣକାରୀ ରାଷ୍ଟ୍ର। ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ତେଲେଙ୍ଗାନା ଇତ୍ୟାଦି ରାଜ୍ୟ ଏହାର ପ୍ରମୁଖ ଅଂଶୀଦାର।

ମଣିଷର ବିଳାସପୂର୍ଣ୍ଣ ବଦଭ୍ୟାସ ପ୍ରଦୂଷଣର ମୂଳ କାରଣ। ଥରେ ମାତ୍ର ବ୍ୟବହାର କରି ଫୋପାଡ଼ିବା ଅଭ୍ୟାସ ଏଥିପାଇଁ ଦାୟୀ। ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ହେଉଛି ମୋଟ ଉତ୍ପାଦନର ୪୦ ପ୍ରତିଶତ। ଖାଦ୍ୟପଦାର୍ଥ ପ୍ୟାକେଟରୁ ୩୨%, ପାଣି ବୋତଲରୁ ୧୫% ଓ କ୍ୟାରି ବ୍ୟାଗରୁ ୧୨% ପରିବେଶକୁ ଦୂଷିତ କରୁଥିବାର ତଥ୍ୟ ମିଳିଛି। ଉପରୋକ୍ତ ବଦଭ୍ୟାସ ପରିହାର କଲେ ପ୍ରାୟ ୬୦% ପ୍ରଦୂଷଣ ହ୍ରାସ ପାଇପାରିବ। ସେହିପରି ପୁନଃ ବ୍ୟବହାର ଓ ପୁନଃ ପ୍ରଚଳନ ଯଥାକ୍ରମେ ୩୦% ଓ ୨୦% ଚାହିଦା କମ୍‌ କରିିବ। ନଚେତ୍ ସାଙ୍ଘାତିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ବହୁ ପରୀକ୍ଷିତ ସୂଚନା ଅନୁଯାୟୀ ଖାଦ୍ୟ, ପାନୀୟ ଓ ନିଃଶ୍ୱାସ ମାଧ୍ୟମରେ ଜଣେ ବ୍ୟକ୍ତି ପ୍ରତି ସପ୍ତାହରେ ୫ ଗ୍ରାମ ପ୍ଲାଷ୍ଟିକ ଆହରଣ କରୁଛି।

କେନ୍ଦ୍ର ସରକାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ବାରମ୍ବାର ସଂଶୋଧନ କରି, ଉତ୍ପାଦନ ଓ ବ୍ୟବହାରର ମାତ୍ରା ଏବଂ ପଦ୍ଧତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପ୍ରୟାସ କରୁଥିବା ବେଳେ ରାଜ୍ୟ ସରକାର ମଧ୍ୟ ଖିଲାପକାରୀଙ୍କ ବିରୋଧରେ କଠୋର ଦଣ୍ଡ ଓ ଅଧିକ ଜରିମାନାର ପ୍ରାବଧାନ କରିଛନ୍ତି। ସର୍ବୋପରି ଆମର ଦୈନନ୍ଦିନ ଚାଲିଚଳଣି ଉପରେ ସବୁ ନିର୍ଭର କରୁଛି। ସେଥିପାଇଁ ୨୦୨୧ ମସିହା ଗ୍ଲାସ୍‌ଗୋ ସମ୍ମିଳନୀରେ ଆମ ଦେଶ ପ୍ରସ୍ତାବିତ ପରିବେଶ ଅନୁକୂଳ ଜୀବନଯାପନକୁ ସମାଧାନର ପନ୍ଥା ଭାବରେ ଆପଣେଇବା ଅପରିହାର୍ଯ୍ୟ। ବିଶ୍ୱ ବାସିନ୍ଦା ଭାବରେ ପରିବେଶକୁ ବିଷମୁକ୍ତ କରି ସ୍ୱଚ୍ଛ ଓ ସ୍ୱାସ୍ଥ୍ୟପ୍ରଦ କରିବା ଦିଗରେ ବ୍ୟକ୍ତିଗତ ପ୍ରଚେଷ୍ଟା ହେଉଛି ସବୁଠାରୁ ସରଳ, ଦୀର୍ଘସ୍ଥାୟୀ ଓ ପ୍ରଭାବଶାଳୀ ସମାଧାନ।

ମୋ: ୯୪୩୭୦୮୦୨୩୩