ଗତ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ଲାଲକିଲ୍ଲା ଭାଷଣରେ ଏକ ବଡ଼ କଥା କହିଛନ୍ତି। ସେ କହିଲେ କି, ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଆମେ କେବଳ ଅତୀତର ଗୁଣ ଗାନ କଲେ ଚଳିବ ନାହିଁ; ଏଥି ସହିତ ଆଗାମୀ ୨୫ ବର୍ଷ ପାଇଁ ଦେଶର ଲକ୍ଷ୍ୟ ପ୍ରସ୍ତୁତ କରିବାକୁ ହେବ। ଏ କଥା ପ୍ରକାଶ କଲା ବେଳେ ସେ ‘ପଞ୍ଚ ପ୍ରଣ’(ପାଞ୍ଚଟି ପଣ) କଥା ଉଠାଇଛନ୍ତି, ଯେଉଁ ପାଞ୍ଚ ସୂତ୍ର ଦେଶକୁ ଆଗକୁ ନେଇ ପାରିବ। ପ୍ରଧାନମନ୍ତ୍ରୀ ବେଳେବେଳେ ବଡ଼ କଥା କହିଥା’ନ୍ତି, ତାହା ଠିକ୍ ମଧ୍ୟ। ଜଣେ ବଡ଼ ନେତାଙ୍କୁ କୌଣସି ବଡ଼ ମୁହୂର୍ତ୍ତରେ ବଡ଼ କଥା କହିବାକୁ ପଡ଼ିବ। ମାତ୍ର ବଡ଼ କଥା କହିବା ଓ କରିବା ଭିତରେ ବହୁତ ପ୍ରଭେଦ। ବଡ଼ କଥା କହିବା କାମଟି କେହି ଜଣେ କରିପାରିବେ। ସେଥି ପାଇଁ କେବଳ ବଡ଼ କଥା କହିବାର ବାକ୍ ପଟୁତା ଓ ଟେଲିଭଜନ ପରି ବଡ଼ ପ୍ରଚାର ମଞ୍ଚ ଲୋଡ଼ା। କିନ୍ତୁ ଦେଶ ଆଗରେ ଏକ ବଡ଼ କଥା ରଖିବାର ଅର୍ଥ ହେଲା ଏକ ସ୍ପଷ୍ଟ ଦୃଷ୍ଟି; ସେଇ ଦୃଷ୍ଟିକୁ ଯୋଜନାର ସ୍ବରୂପ ପ୍ରଦାନ, ସେଇ ଯୋଜନାର କ୍ରିୟାନ୍ବୟନ ପାଇଁ ଦିଗ ନିର୍ଣ୍ଣୟ ଏବଂ ସମୟ ସମୟରେ ତାହାର ସମୀକ୍ଷା ସହିତ ଦେଶକୁ ସେଇ ଲକ୍ଷ୍ୟରେ ଆଗକୁ ବଢ଼ିବାର ପ୍ରକରଣକୁ ସୁନିଶ୍ଚିତ କରିବା। ସେଇ କଷଟି ପଥରରେ ପରଖିଲେ ମୋଦୀଙ୍କର ପଞ୍ଚ ପ୍ରଣ ଅକୁଳାଣ ଭଳି ମନେ ହୁଏ। ସୁତରାଂ, ସେହି ନିଅଣ୍ଟକୁ ପୂରଣ କରିବାର ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ପଣ ହେଲା ବଡ଼ ସଂକଳ୍ପ ଧରି ଚାଲିବା। ନରେନ୍ଦ୍ର ମୋଦୀ ପ୍ରଥମ ଥର ଲାଗି ଏଭଳି କହି ନାହାନ୍ତି। ସେ ବେଳେବେଳେ ଏମିତି ବଡ଼ ସ୍ବପ୍ନ ଦେଖିବାର କଥା କହନ୍ତି ଏବଂ ବଡ଼ ସ୍ବପ୍ନ ଦେଖାଇ ଚାଲନ୍ତି ମଧ୍ୟ। ତେବେ ଏହି କଥାରେ ଏକ ସଂଶୋଧନ କରିବା ଜରୁରୀ। ବଡ଼ ସଂକଳ୍ପ ଧରି ଚାଲ ଏବଂ ପୁରୁଣା ସଂକଳ୍ପର ହିସାବ ଦିଅ। ପ୍ରଥମ ସ୍ବପ୍ନ ପୂରଣ ହୋଇ ନ ଥିବା ବେଳେ ଦ୍ବିତୀୟ କି ତୃତୀୟ ସ୍ବପ୍ନ ଦେଖାଇବାର ଅନୁକ୍ରମ ଆରମ୍ଭ କରାଗଲେ, ଲୋକେ ସେଭଳି ସ୍ବପ୍ନ ଦେଖାଇଥିବା ନେତାଙ୍କୁ ମିଛ ସ୍ବପ୍ନର ସୌଦାଗର ବୋଲି କହିବେ; କୌଣସି ନୂତନ ସଂକଳ୍ପର ଛଳନାକାରୀ ବୋଲି କହିବେ।
ମୋ’ ପରି କୋଟି କୋଟି ଭାରତୀୟ ଆଶା ରଖିଥିଲେ ଯେ ଏଇ ଅଗଷ୍ଟ ପନ୍ଦରରେ ପ୍ରଧାନମନ୍ତ୍ରୀ ସର୍ବ ପ୍ରଥମେ ତାଙ୍କ ସ୍ବପ୍ନ ଓ ସଂକଳ୍ପର ହିସାବ ଦେବେ ଯାହାକୁ ସେ ଗତ କିଛି ବର୍ଷ ହେଲା ଦେଖାଇ ଚାଲିଛନ୍ତି ଏବଂ ଯେଉଁଥି ପାଇଁ ସେ ନିଜେ ୨୦୨୨ ଅଗଷ୍ଟ ୧୫କୁ ଏକ ସମୟ ସୀମା ରୂପେ ଧାର୍ଯ୍ୟ କରିଥିଲେ। ଏପରି ସଂକଳ୍ପର ତାଲିକା ବହୁତ ଲମ୍ବା ଏବଂ ଏଠାରେ ତାହାକୁ ଗୋଟି ଗୋଟି କରି ଗଣିବା ସମ୍ଭବ ମଧ୍ୟ ନୁହେଁ। ସବୁଠୁ ରୋଚକ ସଂକଳ୍ପ ଏହା ଥିଲା ଯେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିର ପାଳନ ଅବସରରେ ଦେଶରେ ଏପରି କୌଣସି ଘର ନ ଥିବ, ଯାହା ପକ୍କା ହୋଇ ନ ଥିବ। ଆଉ ପକ୍କା ଘରର ଅର୍ଥ ହେଲା, ଚାରି କାନ୍ଥ ଓ ଛାତ ପକ୍କା ହୋଇଥିବା ସହିତ ଘରେ ପାଇପ୍, ପାଇପ୍ରେ ପାଣି, ବିଜୁଳି ସଂଯୋଗ ଓ ସାଥିରେ ଏଲ୍ଇଡି ବଲ୍ବ ଥିବ। (ଏହି ବ୍ୟାଖ୍ୟା ମୋର ନୁହେଁ, ସ୍ବୟଂ ମୋଦୀଙ୍କର)।
କିନ୍ତୁ ଏହାର ବାସ୍ତବତାଟି ଏତେ ନିର୍ମମ ଏବଂ ସର୍ବ ଜନବିଦିତ ଯେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଏ ସମ୍ବନ୍ଧରେ ସୋରଶବ୍ଦ ବି ଉଠାଇଲେ ନାହିଁ। ଚାଷୀଙ୍କର ଆୟ ଦୁଇ ଗୁଣ କରିଦେବାର ବି ସଂକଳ୍ପ ଥିଲା। ଛଅ ବର୍ଷ ଧରି ଏପରି ଡମ୍ବରୁ ବଜାଇବା ପରେ ସରକାର ଏବେ ଏକ ଦମ୍ ଚୁପ୍। ୨୦୨୨ ସୁଦ୍ଧା ଅଭିବୃଦ୍ଧି ହାରକୁ ୮ ପ୍ରତିଶତ କରିବା, ମହିଳାମାନଙ୍କ ରୋଜଗାରକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇବା, ଉତ୍ପାଦନକୁ ଦୁଇ ଗୁଣା କରିବା ଏବଂ ରେଳବାଇକୁ ଦୁର୍ଘଟଣାମୁକ୍ତ କରିବା ଭଳି ସଂକଳ୍ପମାନ ପ୍ରଧାନମନ୍ତ୍ରୀଙ୍କ ଘୋଷଣାରେ ରହିଥିଲା। ଏଠାରେ ତା’ର ସଂପୂର୍ଣ୍ଣ ତାଲିକା ରଖି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଲଜ୍ଜିତ କରିବାକୁ ଚାହେଁ ନାହିଁ, ତେବେ ଏତିକି ମାତ୍ର ଅନୁରୋଧ କରୁଛି କି ଆଗକୁ କୌଣସି ସଂକଳ୍ପ କରିବା ପୂର୍ବରୁ ତାହାର ଯୋଜନା ମଧ୍ୟ ପ୍ରସ୍ତୁତ କରନ୍ତୁ, ତାହାର ସମୀକ୍ଷା କରନ୍ତୁ ଏବଂ ବିଶ୍ବସନୀୟତାର ସହ ତାହାର ସଫଳତା ଓ ବିଫଳତାର ବିବରଣୀ ଦେଶ ଆଗରେ ରଖନ୍ତୁ। ମୋତେ ଯଦି କୌଣସି ବଡ଼ ସଂକଳ୍ପ ନେବା କଥା କହିବେ, ତେବେ ପ୍ରତି ହାତରେ ତ୍ରିରଙ୍ଗା ବଦଳରେ କାମ ଦେବାକୁ କହିବି।
ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ସୂତ୍ର ହେଲା ଗୋଲାମିର ସଂପୂର୍ଣ୍ଣ ମୂଳପୋଛ କରିବା। ଏ କଥା ମୋତେ ବହୁତ ପସନ୍ଦ ଲାଗିଲା, କାରଣ ସ୍ବାଧୀନତା ପରେ ବିଶେଷ କରି ଶିକ୍ଷିତ ହିନ୍ଦୁସ୍ଥାନୀମାନଙ୍କର ମାନସିକ ଗୋଲାମି ମୋତେ ବହୁତ ବାଧୁଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି କଥା ଦ୍ବାରା ସୃଷ୍ଟ ଖୁସି ମନକୁ ଭେଦି ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଅନେକ ଏଭଳି ବାହାସ୍ଫୋଟିଆ କଥାମାନ ଶୁଣା ଯାଉଥିଲା, ଯାହା ଆମର ଇଂରେଜୀ ଶିକ୍ଷିତ ବର୍ଗର ମାନସିକ ଗୋଲାମିକୁ ନିଶାଣ କରିଥିଲା।
ସେ କହୁଥିଲେ ଯେ ଆମକୁ ଏକ ‘ଉନ୍ନତ ଦେଶ’ ଗଢ଼ିବାର ଅଛି(ଏହା ୟୁରୋପ ଓ ଆମେରିକା ଦ୍ବାରା ଆରୋପିତ ବିଗତ ୫୦ ବର୍ଷର ବିଚାରଧାରା), ଆମେ ‘ଆକାଂକ୍ଷୀ ସମାଜ’ ହୋଇସାରିଛେ(ଏହି ବାହାସ୍ଫୋଟ ଆମେରିକା ଠାରୁ ଉଧାର ଅଣାଯାଇଛି), ଆମ ସମାଜର ‘ପୁନର୍ଜାଗରଣ’ ହୋଇ ଚାଲିଛି(ଏହା ୟୁରୋପୀୟ ଇତିହାସର ପୁନର୍ଜାଗରଣର ନକଲ)। ତଥାପି ମୋ’ ମନରେ ପ୍ରଶ୍ନ ଉଠିଲା କି କେବଳ ମୋଦୀଙ୍କୁ କାହିଁକି ଏଥି ପାଇଁ ଦୋଷ ଦିଆଯିବ? ତାଙ୍କ ବୈଚାରିକ ପରମ୍ପରାରେ ରାଷ୍ଟ୍ର ଓ ରାଷ୍ଟ୍ରୀୟତାର ଚିନ୍ତାଧାରା ତ ସିଧାସଳଖ ଜର୍ମାନି ଓ ଇଟାଲିର ରାଷ୍ଟ୍ରବାଦର ନକଲ। ମୋତେ ଦ୍ବିତୀୟ ସୂତ୍ରର ବି ସଂଶୋଧନ କରିବାକୁ ପଡ଼ିଲା: ଗୋଲାମିର ଅନ୍ତ ଘଟାଯାଉ, ମାତ୍ର ତାହାର ଆରମ୍ଭ ଆପଣ ନିଜେ ହିଁ କରନ୍ତୁ।
ପଞ୍ଚ ପଣର ତୃତୀୟ ସୂତ୍ରଟି ହେଲା ନିଜ ବୁନିଆଦି ପାଇଁ ଗର୍ବ କରିବା। ମୋତେ ଲାଗିଲା ଯେ ପ୍ରଧାନମନ୍ତ୍ରୀ ଲାଲ କିଲ୍ଲା ବିଷୟରେ କହିବେ, ଯେଉଁଠି ଛିଡ଼ା ହୋଇ ସେ ଏ ବକ୍ତବ୍ୟ ଦେଉଛନ୍ତି; ମାତ୍ର ତା’ ସମ୍ପର୍କରେ ସେ ନିରବ ରହିଲେ। ଏମିତି ତ ତାଙ୍କ କଥାରେ ଯଥାର୍ଥତା ଅଛି ଯେ ଆଜିର ଇଂରେଜୀ ଶିକ୍ଷିତ ଭାରତୀୟଙ୍କ ଭିତରେ ନିଜ ଦେଶର ଭାଷା, ବେଶଭୂଷା, ସଂସ୍କୃତି ଓ ଆମ ଐତିହାସିକ ମୂଳଦୁଆର କୌଣସି ଧାରଣା ନାହିଁ। ପ୍ରତି ଭାରତୀୟଙ୍କୁ ନିଜ ଢଙ୍ଗରେ ଭାରତକୁ ଆବିଷ୍କାର କରିବାକୁ ହେବ। କିନ୍ତୁ ସେଭଳି ଆବିଷ୍କାର ସେତେବେଳେ ସମ୍ଭବ ହେବ, ଯଦି ଆମେ ନିଜ ବୁନିଆଦି ଭିତରୁ କ’ଣ ସବୁ ଗ୍ରହଣୀୟ ଓ କ’ଣ ସବୁ ବର୍ଜନୀୟ; ତାହାର ଏକ ତାଲିକା ପ୍ରସ୍ତୁତ କରିପାରିବା।
ଉଲ୍ଲେଖଯୋଗ୍ୟ ଯେ ଜଣେ ଶିକ୍ଷକ କଥା କଥାକେ ଆମ ସଂସ୍କୃତିର ଦୃଷ୍ଟାନ୍ତ ଦେଉଥିବେ, ଅଥଚ ତାଙ୍କ ମାଠିଆରୁ ପାଣି ପିଇବାକୁ ଚେଷ୍ଟା କରୁଥିବା ଜଣେ ନିରୀହ ଶିଶୁକୁ ପିଟି ପିଟି ମାରି ଦେବେ: ଏହା ତ ଆମ ବୁନିଆଦିର ଅନ୍ତର୍ଗତ ହୋଇ ପାରିବ ନାହିଁ! ଉତ୍ତରାଧିକାର ସୂତ୍ରରେ ଆମକୁ ମିଳିଥିବା ଅମୂଲ୍ୟ ରତ୍ନକୁ ହେଜରେ ରଖି ଆମେ ଯେଉଁ ସବୁ ବର୍ଜ୍ୟ ସାମଗ୍ରୀକୁ ଉତ୍ତରାଧିକାର ଭାବେ ପାଇଛେ, ସେ ସବୁକୁ ଫିଙ୍ଗି ଦେବାକୁ ହେବ। ତେବେ, ଉତ୍ତରାଧିକାର ଭାବେ ମିଳିଥିବା ସୁନ୍ଦରତାକୁ କେବଳ ଦୋହରାଇଲେ ଚଳିବ ନାହିଁ, ଯେତେବେଳେ ତାହାର ଉଲ୍ଲଂଘନ ହେଉଛି, ଯେତେବେଳେ ସଡ଼କରେ କୌଣସି ନିର୍ଦ୍ଦୋଷକୁ ପିଟିପିଟି ମାରି ଦିଆଯାଉଛି, ସେତେବେଳେ ଲଜ୍ଜିତ ହେବାକୁ ପଡ଼ିବ। ଏଭଳି ସ୍ଥିତିରେ ସାମୂହିକ ଲଜ୍ଜାବୋଧ ରାଷ୍ଟ୍ରୀୟ ଗର୍ବର ପୂର୍ବ ସର୍ତ୍ତ ହେବା ଊଚିତ। ତେଣୁ ତୃତୀୟ ସୂତ୍ରଟି ଏହିପରି ହେବ: ବୁନିଆଦି ପାଇଁ ଗର୍ବ ପ୍ରକଟ କର, ମାତ୍ର ପ୍ରଥମେ ତାହାର ପରିମାର୍ଜନ କରାଯିବା ଦରକାର ଏବଂ ତା’ ପରେ ଯାଇ ତା’କୁ ଉପଭୋଗ କରିବା କଥା ଆସିବ।
ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ସୂତ୍ର ହେଲା, ଏକତା ଓ ଏକଜୁଟତା ବଜାୟ ରଖିବା। କଥାଟି ସିଧାସଳଖ ଓ ଆପତ୍ତିହୀନ। ମାତ୍ର, ମୋର ତାହା ହଜମ ହେଲାନାହିଁ। ଏଠାରେ ‘ନଅ ଶହ ମୂଷା ଖାଇ ବିରାଡ଼ି ହଜ୍ କରିବାକୁ ଯାଉଛି’ ରୁଢ଼ିଟି ମନେ ପଡ଼ିଗଲା। ଯଦି ପ୍ରଧାନମନ୍ତ୍ରୀ ହିନ୍ଦୁ ଏକତାର କଥା କହେନ୍ତ, ତେବେ ତାହା ନକାରାତ୍ମକ ଲାଗିଲେ ସୁଦ୍ଧା ଅନ୍ତତଃ ବୁଝା ପଡ଼ନ୍ତା। ମାତ୍ର ବିଗତ କିଛି ଦିନ ହେଲା ଦେଶର ଏକତା ଭଙ୍ଗ କରୁଥିବା ଅଭିଯାନକୁ ଦେଖି ନିରବରେ ସହିଯାଉଥିବା ନରେନ୍ଦ୍ର ମୋଦୀ ଯଦି ରାଷ୍ଟ୍ରୀୟ ଏକତାର କଥା କହୁଛନ୍ତି, ତାହା ମନରେ ଆଲୋଡ଼ନ ସୃଷ୍ଟି କରୁଛି। ଗତ କିଛି ମାସ ହେଲା କ’ଣ ସବୁ ଘଟି ନ ଯାଇଛି!
‘୮୦ ଓ ୨୦’ର ନାରା ଦେଇ ନିର୍ବାଚନ ଲଢ଼ାଯାଇଛି, ଧର୍ମ ସଂସଦ ନାମରେ ଦେଶର ୨୦ କୋଟି ନାଗରିକଙ୍କୁ ଖତମ କରିଦେବାର ଆହ୍ବାନ ଦିଆ ଯାଇଛି, ଉପାସନା ପୀଠରେ ତ୍ରିଶୂଳ, ତଲଵାର ଆଦି ଚମକା ଯାଇଛି, ତା’ ଉପରେ ଚଢ଼ି ପତାକା ଲଗାଯାଇଛି, ନ୍ୟାୟ ନାମରେ ବୁଲଡୋଜର ଚଳା ଯାଇଛି, ପୂରା ଦେଶରେ ଘୃଣାର ଝଡ଼ ସୃଷ୍ଟିର ବ୍ୟବସ୍ଥା କରାଯାଇଛି। ନିଜ ସନ୍ତାନମାନଙ୍କ ମଧ୍ୟରେ ବିଭାଜନର ଏପରି ଷଡ୍ଯନ୍ତ୍ର ରଚନା କରାଯାଇଛି ଯେ ଭାରତ ମାତା କେବଳ କାନ୍ଦି ଚାଲିଛି। ସେଥିପାଇଁ ମୁଁ ଚତୁର୍ଥ ସୂତ୍ରର ଏହିପରି ବିସ୍ତାର କଲି: ଏକତା ଓ ଏକଜୁଟତା ଗଢ଼ି ଚାଲ, କିନ୍ତୁ କେବଳ ଶବ୍ଦରେ ନୁହେଁ, ଆଚରଣରେ ମଧ୍ୟ।
ପଞ୍ଚ ପଣର ପଞ୍ଚମ ସୂତ୍ର ମଧ୍ୟ ସେହିପରି ନିରାପଦ ଶୁଭିଲା: ନାଗରିକର କର୍ତ୍ତବ୍ୟ ନିର୍ବାହ କର। କିନ୍ତୁ କାହିଁକି କେଜାଣି ମୋତେ ସେଥିରେ ବିଦ୍ୟାଳୟରେ ପଢ଼ାଯାଉଥିବା ନଗର ବିଜ୍ଞାନ ବହିର ବାସନା ମିଳିଲା। ଇତିହାସର ପାଠ ବହିରୁ ମଧ୍ୟ ମନେ ପଡ଼ିଯାଉଛି ଯେ ପ୍ରତ୍ୟେକ ଅହଂକାରୀ ଏକଛତ୍ରବାଦୀ କେବଳ ନାଗରିକମାନଙ୍କୁ କର୍ତ୍ତବ୍ୟର କଥା କହିଥା’ନ୍ତି, ମାତ୍ର ସେମାନଙ୍କ ଅଧିକାର ସମ୍ପର୍କରେ କହନ୍ତି ନାହିଁ। ଗାନ୍ଧୀଜୀଙ୍କ ଶିକ୍ଷା ମଧ୍ୟ ମନେପଡୁଛି ଯେ ଅନ୍ୟାୟର ପ୍ରତିକାର କରିବା ପ୍ରତ୍ୟେକ ନାଗରିକର ସବୁଠାରୁ ବଡ଼ କର୍ତ୍ତବ୍ୟ ହୋଇଥାଏ। ଏଥିପାଇଁ ଅନ୍ତିମ ସୂତ୍ରରେ ମଧ୍ୟ ମୋତେ ସଂଶୋଧନ ଆଣିବାକୁ ପଡ଼ିଲା: ନିଜ କର୍ତ୍ତବ୍ୟ ପାଳନ କର, କିନ୍ତୁ ମନେ ରଖିବା ଜରୁରୀ କି ପ୍ରତିରୋଧ ବି ଏକ କର୍ତ୍ତବ୍ୟ। ତେବେ ଏ ପରିପ୍ରେକ୍ଷୀରେ ମୋଦୀଙ୍କର ଗୋଟିଏ ବକ୍ତବ୍ୟ ଶୁଣିଥିଲି ଯେ ‘ଯାହାର ମସ୍ତିିଷ୍କରେ ଲୋକତନ୍ତ୍ର ରହିଛି, ସେ ଯଦି ସଂକଳ୍ପ ନିଏ, ତେବେ ତାହା ବଡ଼ ବଡ଼ ସୁଲତାନମାନଙ୍କ ପାଇଁ ମଧ୍ୟ ସଂକଟର କ୍ଷଣ ନେଇ ଆସିଥାଏ।’ ଏଇଠି ମୁଁ ମୋଦୀଙ୍କ ସହ ଏକମତ ହେଉଛି।