ବିଗତ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଲୋକମାନଙ୍କର ଖାଦ୍ୟ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି। ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଏବଂ ଟୁଇଟର ଆଦି ସାମାଜିକ ଗଣମାଧ୍ୟମ ଲୋକମାନଙ୍କର ଖାଦ୍ୟ ସମ୍ବନ୍ଧୀୟ ଧାରଣାକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇପାରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ‘ହେଲ୍ଥ’ ନାମରେ ୧୬୧ ମିଲିଅନ୍ (ନିୟୁତ), ‘ହେଲ୍ଦି’ ନାମରେ ୧୮୭ ମିଲିଅନ୍, ‘ହେଲ୍ଥ ଓ ୱେଲ୍ନେସ୍’ ନାମରେ ୮ ମିଲିଅନ୍, ‘ହେଲ୍ଦି ଲିଭିଙ୍ଗ୍’ ନାମରେ ୪୦.୩ ମିଲିଅନ୍ ପୋଷ୍ଟ ରହିଛି। ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଥିବା ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କର ବିଜ୍ଞାପନ ଏଜେନ୍ସି, ୱେଲନେସ୍ ବିଷୟରେ ‘ବ୍ଲଗ୍’ ଲେଖୁଥିବା ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ଜିମ୍ରେ ତାଲିମ ଦେଉଥିବା ପ୍ରଶିକ୍ଷକ, ଡାଏଟିସିଆନ୍ ଏବଂ ‘ୟୁଟ୍ୟୁବର୍’ମାନେ ସଫଳତାର ସହ ଏକ ଧାରଣା ସୃଷ୍ଟି କରିଛନ୍ତି ଯେ ପତଳା ଶରୀର ହିଁ ଉତ୍ତମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ପ୍ରତୀକ। ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବା ଅପେକ୍ଷା ପତଳା ଓ ଆକର୍ଷଣୀୟ ଦିଶିବାର ଅହେତୁକ ଆଗ୍ରହ ଫଳରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ ବ୍ୟାପାରରେ ଲୋକମାନେ ମାତ୍ରାଧିକ ଭାବରେ ଘାରି ହେଉଛନ୍ତି, ଯାହାକୁ ମନସ୍ତତ୍ତ୍ୱବିଦ୍ମାନେ ‘ଅର୍ଥୋରେକ୍ସିଆ ନର୍ଭୋସା’ ନାମକ ଏକ ବିକୃତି ରୂପେ ଅଭିହିତ କରିଛନ୍ତି। ଲୋକମାନେ ଖାଦ୍ୟକୁ ନେଇ ପୂର୍ବରୁ କେବେ ଏତେ ମାତ୍ରାରେ ଦ୍ବନ୍ଦ୍ବରେ ନ ଥିଲେ। ବର୍ତ୍ତମାନ ‘ଗ୍ଲୋବାଲ୍ ହେଲ୍ଥ’ ଏବଂ ‘ୱେଲନେସ୍ ଇଣ୍ଡଷ୍ଟ୍ରି’ର ମୂଲ୍ୟ ୪.୫ ଟ୍ରିଲିଅନ୍ ଡଲାରରେ ପହଞ୍ଚିଚଲାଣି, ଯାହା ବିଶ୍ୱ ଜି.ଡି.ପି.ର ପାଞ୍ଚ ପ୍ରତିଶତରୁ ଅଧିକ।
କିଛି ବର୍ଷ ତଳେ ଭାରତୀୟମାନଙ୍କ ଭୋଜନରେ ‘କର୍ନଫ୍ଲେକ୍ସ’ ସାମିଲ ହେଲା। କ୍ରମେ ପାରଂପରିକ ଖାଦ୍ୟ ବଦଳରେ ଖାଇବା ଟେବୁଲ୍ ଉପରେ ଉପଲବ୍ଧ ହେଲା ଓଟ୍ସ, କିନ୍ୱା, ସ୍ମୁଦିସ୍ ଇତ୍ୟାଦି। ତା’ପରେ ବିଭିନ୍ନ ମଂଜି ଜାତୀୟ ଖାଦ୍ୟ ଯେପରିକି ‘ଚିଆ ସିଡ୍’, ‘ଫ୍ଲେକ୍ସ ସିଡ୍’, ରାଶି, ସୂର୍ଯ୍ୟମୁଖୀ ଓ କଖାରୁ ମଞ୍ଜିକୁ ପ୍ରତ୍ୟେକ ଦିନର ଖାଦ୍ୟରେ ସାମିଲ କରାଗଲା। କୁହାଗଲା ‘ଗ୍ରିନ୍ ଟି’ରେ ‘ଆଣ୍ଟି ଅକ୍ସିଡେଣ୍ଟ୍’ ଗୁଣବତ୍ତା ରହିଛି। ଦିନକୁ ତିନି କପ୍ ‘ଗ୍ରିନ୍ ଟି’ ପାନ କଲେ ମେଦ ହ୍ରାସ ହେବା ସହିତ ମସ୍ତିଷ୍କର କାର୍ଯ୍ୟକାରିତାରେ ଉନ୍ନତି ଆସିବ। ଏହା କ୍ୟାନସର୍ ଓ ମଧୁମେହ ରୋଗରୁ ରକ୍ଷା କରିବ ବୋଲି ମଧ୍ୟ ଦାବି କରାଗଲା। କିନ୍ତୁ ‘ଗ୍ରିନ୍ ଟି’ର ମେଦ ହ୍ରାସ କରିବା କିମ୍ବା ଉପରୋକ୍ତ ରୋଗ ନିରାକରଣ କରିବାର କ୍ଷମତା ମଧ୍ୟ ସନ୍ଦେହାସ୍ପଦ। ‘ଗ୍ରିନ୍ ଟି’ରେ ଥିବା କାଟେଚିନ୍ସ ଏବଂ ଆମେମାନେ ସାଧାରଣ ଭାବେ ପିଉଥିବା କଳା ଚା’ରେ ଥିବା ‘ଥିଆପ୍ଲାଭିନ୍’ରେ ଥିବା ‘ଆଣ୍ଟିଅକ୍ସିଡେଣ୍ଟ’ର ଗୁଣବତ୍ତା ପ୍ରାୟ ସମାନ। ସବୁ ଚା’ ‘ମେଟାବଲିଜମ୍’ ବା ବିପାଚନ କ୍ରିୟାର ଉନ୍ନତି କରେ। ଅଥଚ, ବର୍ତ୍ତମାନ ସ୍ୱାସ୍ଥ୍ୟପ୍ରଦ ସାମଗ୍ରୀ ଭାବରେ ’ଗ୍ରିନ୍ ଟି’ ସବୁଠାରୁ ଅଧିକ ବିକ୍ରି ହେଉଛି। ୨୦୨୨ ମସିହା ସୁଦ୍ଧା ‘ଗ୍ରିନ୍ ଟି’ ବଜାରର ମୂଲ୍ୟ ୧୫.୧ ବିଲିଅନ୍ ଡଲାରରେ ପହଞ୍ଚିଛି।
ଗାଈ କ୍ଷୀରକୁ ମଣିଷ ହଜାର ହଜାର ବର୍ଷ ଧରି ବ୍ୟବହାର କରିଆସୁଛି। ପୁଷ୍ଟିସାରର ଘନତ୍ୱ ଏବଂ ସଂଯୋଜନା ଦୃଷ୍ଟିରୁ ଗାଈ କ୍ଷୀର ଅନ୍ୟ କ୍ଷୀର ଠାରୁ ଅଧିକ ପୌଷ୍ଟିକ ହୋଇଥିବା ସତ୍ତ୍ୱେ ସୋୟାବିନ ଏବଂ ଆଲମଣ୍ଡରୁ ପ୍ରସ୍ତୁତ କ୍ଷୀର ଗାଈ କ୍ଷୀରର ସ୍ୱାସ୍ଥ୍ୟପ୍ରଦ ବିକଳ୍ପ ବୋଲି ସାମାଜିକ ଗଣମାଧ୍ୟମଗୁଡ଼ିକରେ ବାରମ୍ବାର କୁହାଯାଉଛି। ଗାଈ କ୍ଷୀର ପିଇବା ଦ୍ୱାରା ପାଶ୍ୱ-ପ୍ରତିକ୍ରିୟା (ଲାକ୍ଟୋ ଇନ୍ଟଲରେନ୍ସ) ଦେଖାଯାଉଥିବା ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଗାଈ କ୍ଷୀର ସ୍ୱାସ୍ଥ୍ୟପ୍ରଦ। ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଓ ମେଦ ହ୍ରାସ ପାଇଁ ‘ଗ୍ଲୁଟେନ୍’ମୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଉଛି। ଗ୍ଲୁଟେନ୍ ହେଉଚି ‘ଗ୍ଲିଆଡିନସ୍’ ଏବଂ ‘ଗ୍ଲୁଟେଲିନ’ ପରି କିଛି ପୁଷ୍ଟିସାରର ମିଶ୍ରଣ, ଯାହା ଗହମ, ବାର୍ଲି ପରି ଶ୍ୱେତସାର ଜାତୀୟ ଖାଦ୍ୟ ପଦାର୍ଥରୁ ମିଳେ। ତେବେ, ଅଳ୍ପ ଲୋକଙ୍କର ଗ୍ଲୁଟେନ୍ ଜାତୀୟ ଖାଦ୍ୟ ପ୍ରତି ଅସହିଷ୍ଣୁତା (କ୍ଷୀର ଭଳି) ଦେଖା ଯାଇଥାଏ। ସିଲିଆକ୍ ରୋଗରେ ପୀଡ଼ିତମାନେ ମଧ୍ୟ ଗ୍ଲୁଟେନ୍ମୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଗବେଷଣାରୁ ଗ୍ଲୁଟେନ୍ ମୁକ୍ତ ଖାଦ୍ୟର ମେଦ ହ୍ରାସ କରିବାର କ୍ଷମତା ଅଛି ବୋଲି ପ୍ରମାଣ ମିଳିନାହିଁ। ବର୍ତ୍ତମାନ ଆମେରିକାରେ ୧ ପ୍ରତିଶତ ବ୍ୟକ୍ତି ସିଲିଆକ୍ ରୋଗରେ ପୀଡ଼ିତ ଅଥଚ ୨୦ ପ୍ରତିଶତ ଏବଂ ୟୁ.କେ.ରେ ୫ ପ୍ରତିଶତ ବ୍ୟକ୍ତିଙ୍କର ଗ୍ଲୁଟେନ୍ ପ୍ରତି ଅସହିଷ୍ଣୁତା ଥିବା ବେଳେ ୪ ପ୍ରତିଶତ ବ୍ୟକ୍ତି ଗ୍ଲୁଟେନ୍ ମୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ଏଭଳି ଧାରଣା ଖାଦ୍ୟ ବଜାରକୁ ସାହାଯ୍ୟ କରୁଛି। ଉଦାହରଣ ସ୍ବରୂପ ଗ୍ଲୁଟେନମୁକ୍ତ ଗହମରୁ ପ୍ରସ୍ତୁତ ଖାଦ୍ୟର ମୂଲ୍ୟ ଗ୍ଲୁଟେନ୍ ଯୁକ୍ତ ଗହମରୁ ତିଆରି ଖାଦ୍ୟ ଠାରୁ ହାରାହାରି ୨୪୨ ପ୍ରତିଶତ ଅଧିକ। ପୃଥିବୀରେ ଗ୍ଲୁଟେନ୍ମୁକ୍ତ ଖାଦ୍ୟ ବଜାରର ମୂଲ୍ୟ ୭.୦୨ ବିଲିଅନ୍ ଡଲାର୍ରେ ପହଞ୍ଚିଥିବା ବେଳେ ୨୦୩୦ ମସିହା ସୁଦ୍ଧା ଏହା ୧୧.୯୫ ବିଲିଅନ୍ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।
ଜଣେ ପୁରୁଷ ପ୍ରତ୍ୟେକ ଦିନ ହାରାହାରି ୫୬ ଗ୍ରାମ୍ ଏବଂ ଜଣେ ମହିଳା ହାରାହାରି ୪୬ ଗ୍ରାମ୍ ପୁଷ୍ଟିସାର ବା ପ୍ରୋଟିନ୍ ଆବଶ୍ୟକ କରନ୍ତି। ମାଛ, ଅଣ୍ଡା, ଚିକେନ୍, ସୋୟାବିନ୍ ଏବଂ ବାଦାମ ଜାତୀୟ ଖାଦ୍ୟରୁ ପ୍ରଚୁର ପରିମାଣରେ ପ୍ରୋଟିନ୍ ମିଳିଥାଏ। ତା’ ସତ୍ତ୍ୱେ ବଜାରରେ ଉପଲବ୍ଧ ଥିବା ସୁନା ପରି ମହଙ୍ଗା ‘ପ୍ରୋଟିନ୍ ପାଉଡର’କୁ ଖାଇବାକୁ ସାମାଜିକ ଗଣମାଧ୍ୟମରେ ଅହରହ ପରାମର୍ଶ ଦିଆଯାଉଛି। ଓଜନ ହ୍ରାସ କରିବା ପାଇଁ ଲୋକେ ବହୁତ ପ୍ରକାର ଔଷଧ, ଜଡ଼ିବୁଟି ଏବଂ ଅନୁପୂରକ ଆହାର (ହର୍ବାଲ୍ ଆଣ୍ଡ୍ ଡାଏଟାରି ସପ୍ଲିମେଣ୍ଟସ୍)ର ସାହାଯ୍ୟ ନେଉଛନ୍ତି। ଏହି ଅନୁପୂରକ ଆହାରଗୁଡ଼ିକ ଶରୀରକୁ ଅତ୍ୟାବଶ୍ୟକ ପୋଷକ ଯୋଗାଇବା ସହ ମାଂସପେଶୀର ବିକାଶରେ ସାହାଯ୍ୟ କରନ୍ତି ବୋଲି କୁହାଯାଉଛି। ୨୦୨୦ ମସିହା ସୁଦ୍ଧା ଏହାର ବଜାରର ମୂଲ୍ୟ ୧୯୧ ବିଲିଅନ୍ ଡଲାରରେ ପହଞ୍ଚିଛି।
୨୦୦୯ରୁ ୨୦୨୨ ମସିହା ମଧ୍ୟରେ ଅଷ୍ଟ୍ରେଲିଆରେ ଯକୃତ ନଷ୍ଟ ହୋଇ ଯାଇଥିବା ୧୮୪ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା। ତହିଁରୁ ୪୭ ପ୍ରତିଶତ ବ୍ୟକ୍ତି ‘ହର୍ବାଲ୍’ (ଉଦ୍ଭିଦଜାତ) ଏବଂ ଡାଏଟାରି ସପ୍ଲିମେଣ୍ଟ (ଅତିରିକ୍ତ ପୋଷକ ତତ୍ତ୍ବ) ନେଇଥିଲେ ଏବଂ ୨୫ ପ୍ରତିଶତ ବ୍ୟକ୍ତି ଓଜନ ହ୍ରାସ କରିବା ଉଦ୍ଦେଶ୍ୟରେ ଔଷଧ ସେବନ କରିଥିଲେ, ଯାହା ଫଳରେ ସେମାନଙ୍କର ଯକୃତ କ୍ଷତିଗ୍ରସ୍ତ ହୋଇଥିଲା। ‘ନିଉ ଇଂଲାଣ୍ଡ୍ ଜର୍ନାଲ୍ ଅଫ୍ ମେଡିସିନ୍’ (୨୦୧୫)ରେ ପ୍ରକାଶିତ ଅଧ୍ୟୟନର ଏକ ବିବରଣୀ ଅନୁଯାୟୀ ପ୍ରତି ବର୍ଷ କେବଳ ଇଂଲାଣ୍ଡରେ ‘ଡାଏଟାରି ସପ୍ଲିମେଣ୍ଟ’ ନେଇ ୩୦ ହଜାର ଲୋକ ଜରୁରୀକାଳୀନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି। ଏମାନଙ୍କ ମଧ୍ୟରେ ୨୫ ପ୍ରତିଶତ ରୋଗୀ ଓଜନ ହ୍ରାସ ଏବଂ ୧୦ ପ୍ରତିଶତ ଶକ୍ତି ବୃଦ୍ଧି କରିବା ଔଷଧ ସେବନ କରିଥାନ୍ତି। ସମାଜରେ ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ମାତ୍ରାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଏହି ଅଧ୍ୟୟନରେ ସେମାନଙ୍କ ସଂଖ୍ୟା ପୁରୁଷମାନଙ୍କ ତୁଳନାରେ ଅଧିକ ଥିଲା। ବର୍ତ୍ତମାନ ବିଶ୍ୱ ବଜାରରେ ‘ଡାଏଟାରି ସପ୍ଲିମେଣ୍ଟ’ ୧୩୬ ମିଲିଅନ୍ ଡଲାର ମୂଲ୍ୟର ବ୍ୟବସାୟ କରୁଛି। କରୋନା ଆସିବା ପରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ବଢ଼ିଲା। ଫଳରେ ଲୋକମାନେ ମାତ୍ରାଧିକ ଭାବରେ ଭିଟାମିନ୍-ସି, ମଲ୍ଟି ଭିଟାମିନ୍, ଜିଙ୍କ୍, ଓମେଗା-୩ ଆଦି ଔଷଧ ବ୍ୟବହାର କଲେ। ୨୦୨୦ ମସିହାରେ ପ୍ରଥମ ଥର ପାଇଁ ମଧୁମେହ ଔଷଧ ଠାରୁ ଅଧିକ ଜିଙ୍କ୍ ବଟିକା ବିକ୍ରି ହେଲା। ଲଡ଼ୁ, ଆଇସ୍କ୍ରିମ୍ ଏବଂ ମିଲ୍କସେକ୍ରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ଭରପୁର ରହିଛି ବୋଲି ପ୍ରସ୍ତୁତକାରୀମାନେ ଦାବି କଲେ।
ନାରୀମାନେ କ୍ଷୀଣାଙ୍ଗୀ ଏବଂ ପୁରୁଷମାନେ ମେଦବିହୀନ ଉନ୍ନତ ମାଂସପେଶୀର ଅଧିକାରୀ ହେବା ଆଶାରେ ଭିନ୍ନ ଭିନ୍ନ ପ୍ରକାର ‘ଫ୍ୟାଡ୍ ଡାଏଟ୍’ (କ୍ଷଣସ୍ଥାୟୀ ଫେସନ୍ରେ ପ୍ରଚଳିତ ଖାଦ୍ୟ)ର ଚମତ୍କାରିତାରେ ପ୍ରଭାବିତ ହୋଇ ଦିଗହରା ହେଉଛନ୍ତି। ଆଟକିନ୍, କେଟୋ, ସାଉଥ୍ ବିଚ୍ ଆଦି ଭଳି ଖାଦ୍ୟ ଗ୍ରହଣ ପଦ୍ଧତି ଶ୍ୱେତସାର ଜାତୀୟ ଖାଦ୍ୟ ଗ୍ରହଣକୁ ସୀମିତ କରି ପୁଷ୍ଟିସାର ଖାଦ୍ୟ ଏବଂ ଫ୍ୟାଟ୍ ବା ତୈଳଯୁକ୍ତ ଖାଦ୍ୟ ଅଧିକ ଖାଇବାରେ ଗୁରୁତ୍ୱ ଦିଏ। କେତେକ ଖାଦ୍ୟ ପ୍ରଣାଳୀ ଜଟିଳ ଶ୍ୱେତସାର ଜାତୀୟ ଖାଦ୍ୟ ଅଧିକ ଖାଇବାକୁ ଅନୁମୋଦନ କରି ଆମିଷ ଓ ଚର୍ବି ଜାତୀୟ ଖାଦ୍ୟକୁ ସୀମିତ ରଖିବାକୁ ପରାମର୍ଶ ଦିଅନ୍ତି। ଜୋନ୍, ବ୍ଲଡ୍ ଟାଇପ୍, ଭେଗାନ, ପାଲିଓ, ବେବିଫୁଡ୍, କଞ୍ଚା ଖାଦ୍ୟ ଆଦି ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟାଭ୍ୟାସ ଏବେ ଲୋକପ୍ରିୟ ହେଉଛି। କେତେକ ଖାଦ୍ୟ ପଦ୍ଧତି କେବଳ ଅଣ୍ଡା ନଚେତ ବନ୍ଧାକୋବି ବା ଖାଲି ଫଳ ଖାଇବାକୁ ପରାମର୍ଶ ଦିଏ। ଫଳରେ ଗୋଟିଏ ଖାଦ୍ୟ ବାରମ୍ବାର ଖାଇବା ଫଳରେ ଲୋକେ ବେଶି ଖାଇ ପାରନ୍ତି ନାହିଁ। ଏଭଳି ଖାଦ୍ୟ ପ୍ରଣାଳୀ ସମ୍ବନ୍ଧରେ ଆଦୌ ଜ୍ଞାନ ନଥିବା ସତ୍ତ୍ୱେ ସେଲିବ୍ରିଟିମାନେ ପ୍ରଚୁର ଅର୍ଥ ବିନିମୟରେ ଏ ସବୁକୁ ଅନୁମୋଦନ କରିଥାନ୍ତି। ଏପରି ଖାଦ୍ୟ ପ୍ରଣାଳୀ ଫଳରେ ଶରୀର ଅତ୍ୟାବଶ୍ୟକ ପୋଷକରୁ ବଂଚିତ ହୁଏ।
କୌଣସି ଗବେଷଣାଲବ୍ଧ ତଥ୍ୟ ଦ୍ୱାରା ସମର୍ଥିତ ହୋଇ ନ ଥିବା ଏଭଳି ଖାଦ୍ୟଭ୍ୟାସର ଦୀର୍ଘକାଳୀନ କୁପ୍ରଭାବ ବିଷୟରେ ଆଦୌ ଆଲୋଚନା ହୁଏ ନାହିଁ। ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟରୁ ବଂଚିତ ହେଉଥିବାରୁ ଲୋକେ ଅବସାଦଗ୍ରସ୍ତ ହୋଇପଡ଼ନ୍ତି ଏବଂ ଖାଦ୍ୟ ଲାଳସାକୁ ନିୟନ୍ତ୍ରଣ କରି ନ ପାରି ଅଧିକ ଖାଇଦିଅନ୍ତି। ଫଳରେ ହ୍ରାସ ପାଇଥିବା ଓଜନର ପୁନଶ୍ଚ ବୃଦ୍ଧି ଘଟେ।
‘କୋଲେଷ୍ଟ୍ରଲ୍ ଫ୍ରି’, ‘ବେକଡ୍’, ‘ଲୋ-ଫ୍ୟାଟ୍’, ଲୋ-କାବ୍’ ଆଦି ଲେଖି ସୁନ୍ଦର ପ୍ୟାକେଜିଂ କରି ବିଭ୍ରାନ୍ତିମୂଳକ ବିଜ୍ଞାପନ ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଥାଏ। ଏହିସବୁ ଖାଦ୍ୟରେ ଶରୀରକୁ କ୍ଷତି ପହଞ୍ଚାଉଥିବା ଚିନି, ଟ୍ରାନସ୍ ଫ୍ୟାଟ୍, ମନୋସୋଡିଅମ୍ ଗ୍ଲୁଟାମେଟ୍ ଏବଂ କାରାଗିନନ୍ ଆଦି ଅତି ପ୍ରବଳ ମାତ୍ରାରେ ଥାଏ। ଅଥଚ ପ୍ୟାକେଟ୍ ଉପରେ କାରାଗିନନ୍ ବୋଲି ନ ଲେଖି ତାହାର ରାସାୟନିକ ନାମ ଇ-୪୦୭ ବୋଲି ଅତ୍ୟନ୍ତ ଛୋଟ ଅକ୍ଷରରେ ଲେଖାଯାଇଥାଏ। ‘ଭିଟାମିନ୍ ୱାଟର’ ନାମରେ ଅତ୍ୟଧିକ ଚିନି ମିଶିଥିବା ପାନୀୟ ବିକ୍ରି କରାଯାଏ। ମଇଦା, ଚିନି, ଲୁଣ, ‘ହାଇଡ୍ରୋଜେନେଟେଡ୍ ଫ୍ୟାଟ୍’ ବା ‘ଟ୍ରାନ୍ସଫ୍ୟାଟ୍’ରେ ପ୍ରସ୍ତୁତ ହେଉଥିବା ବିସ୍କୁଟ ଆଜି ଘରେ ଘରେ ଉପଲବ୍ଧ। କ୍ରିମ୍ ବିସ୍କୁଟ ଖାଇବା ଫଳରେ ପିଲାଙ୍କର ଦାନ୍ତ ଖରାପ ହୋଇଯିବା ସହିତ ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ସୃଷ୍ଟି ହେଉଛି। କେତେକ ଆଇସ୍କ୍ରିମ୍ କ୍ଷୀର ଏବଂ କ୍ଷୀରର ଲହୁଣିରୁ ପ୍ରସ୍ତୁତ ହେଉଥିବା ବେଳେ ଆଉ କେତେକ କଂପାନି କ୍ଷୀର ବ୍ୟବହାର ନ କରି ତା’ ବଦଳରେ ‘ପାମ୍ ଅଏଲ୍’ ଏବଂ ବନସ୍ପତି ଓ ଚିନି ବ୍ୟବହାର କରି ଅଶି ପ୍ରତିଶତ ଶସ୍ତାରେ ଆଇସ୍କ୍ରିମ୍ ପରି ଦିଶୁଥିବା ଓ ଲାଗୁଥିବା ମିଷ୍ଟାନ୍ନ ପ୍ରସ୍ତୁତ କରୁଛନ୍ତି। ଏଭଳି କାରବାର ବିରୋଧରେ ଅମୁଲ କମ୍ପାନି ପ୍ରତିବାଦ କଲାରୁ ବର୍ତ୍ତମାନ ସେହି କଂପାନିମାନେ ପ୍ୟାକେଟ୍ ଉପରେ ଆଇସ୍କ୍ରିମ୍ ନଲେଖି ‘ଫ୍ରୋଜନ୍ ଡେଜର୍ଟ’ ବା ‘ହିମୀକୃତ ମିଷ୍ଟାନ୍ନ’ ଲେଖିବାକୁ ବାଧ୍ୟ ହୋଇଛନ୍ତି।
ଗୋଟିଏ ଦାମୀ ନାମୀ କମ୍ପାନି ପିଲାମାନଙ୍କର ଅଭିବୃଦ୍ଧି ଏକାଗ୍ରତା ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଦାବି କରି ହେଲ୍ଥ ଡ୍ରିଙ୍କ୍ ପ୍ରସ୍ତୁତ କରୁଛି। ପ୍ରବଳ ମାତ୍ରାରେ ଚିନି ବ୍ୟବହାର କରି ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିଲେ ମଧ୍ୟ ଏହା ବହୁଳ ଭାବରେ ବିକ୍ରି ହେଉଛି। ‘ହାର୍ଭାଡ୍ ହେଲ୍ଥ ପବ୍ଲିସିଙ୍ଗ’ ଅନୁଯାୟୀ ପିଲାମାନେ ପିଉଥିବା କେତେଗୁଡ଼ିଏ ପ୍ରୋଟିନ୍ ପାଉଡର୍ରେ ଏତେ ଅଧିକ ପରିମାଣରେ କ୍ୟାଲୋରି ଥାଏ ଯେ ଗୋଟିଏ ଗ୍ଲାସ୍ କ୍ଷୀରରେ ମିଶିବା ପରେ ଏହା ୧୨୦୦ ଗ୍ରାମର କ୍ୟାଲୋରି ବହନ କରେ। ଫଳ, ପରିବା ଏବଂ ବିଭିନ୍ନ ଖାଦ୍ୟପଦାର୍ଥରୁ ପିଲାମାନେ ଆବଶ୍ୟକ ଥିବା ଶର୍କରା ପାଉଥିବା ବେଳେ ଅଧିକ ଚିନି ସେମାନଙ୍କ ସ୍ୱାସ୍ଥ୍ୟ ପକ୍ଷରେ ଅହିତକର। ୧୯୬୦ ମସିହାରେ ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଗବେଷଣାଲବ୍ଧ ଫଳାଫଳକୁ ଚିନି ପ୍ରସ୍ତୁତ କରୁଥିବା କାରଖାନାଗୁଡ଼ିକ ପ୍ରଚୁର ଅର୍ଥ ବିନିମୟରେ ଚପେଇ ଦେଇଥିବା ବେଳେ କୋକାକୋଲା କମ୍ପାନି ଚିନିଯୁକ୍ତ ପାନୀୟର ନକାରାତ୍ମକ ପ୍ରଭାବକୁ ଏଡ଼ାଇ ଯାଇ ବ୍ୟାୟାମ ହେଉଛି ସୁସ୍ଥ ଜୀବନର ଏକମାତ୍ର ରହସ୍ୟ ବୋଲି ଧାରଣା ଦେବାକୁ ଚେଷ୍ଟା କରିଥିଲା।
ଶାରୀରିକ ସଂରଚନା ଏବଂ ଆକର୍ଷଣୀୟତାକୁ ମାତ୍ରାଧିକ ଗୁରୁତ୍ୱ ଦେବା ଫଳରେ ଯୁବଗୋଷ୍ଠୀ ‘ଆନୋରେକ୍ସିଆ ନରଭୋସା’ ଏବଂ ‘ବୁଲିମିଆ ନର୍ଭୋସା’ ପରି ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ମାନସିକ ବିକୃତିରେ ପୀଡ଼ିତ ହେଉଛନ୍ତି। ବୁଲିମିଆ ରୋଗରେ ପୀଡ଼ିତ ବ୍ୟକ୍ତି ଗୁଡ଼ାଏ ଖାଦ୍ୟ ଖାଇଦିଅନ୍ତି ଏବଂ ପର ମୁହୂର୍ତ୍ତରେ ପାଟିରେ ହାତ ପୂରାଇ ବାନ୍ତି କରନ୍ତି। ଆନୋରେକ୍ସିଆ ବିକୃତି ଭୋଗୁଥିବା ବ୍ୟକ୍ତି ପୃଥୁଳ ହୋଇଯାଉଛନ୍ତି ବୋଲି ଭାବି ଖାଇବା ଛାଡ଼ି ଦିଅନ୍ତି ଏବଂ ଶୁଖି ଶୁଖି ପ୍ରାଣ ତ୍ୟାଗ କରିବା ବା କ୍ଷୁଧାର ତାଡ଼ନା ସହି ନପାରି ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ କଥା ଯାଏ।
ମୋଟାମୋଟି ଭାବରେ ଘରେ ପ୍ରସ୍ତୁତ ହୋଇଥିବା ସବୁ ପ୍ରକାର ଖାଦ୍ୟସାର ଥିବା ସନ୍ତୁଳିତ ପୌଷ୍ଟିକ ତଥା କମ୍ ଚର୍ବି-ଯୁକ୍ତ ସୁଷମ ଖାଦ୍ୟର କୌଣସି ବିକଳ୍ପ ନାହିଁ। ସକ୍ରିୟତାର ସ୍ତର ବୃଦ୍ଧି କରି ଖାଦ୍ୟରେ ଗ୍ରହଣ କରିଥିବା କ୍ୟାଲୋରି ଠାରୁ ଅଧିକ କ୍ୟାଲୋରି ଖର୍ଚ୍ଚ କରିବା ହିଁ ମେଦ ହ୍ରାସ କରିବାର ଏକମାତ୍ର ନିରାପଦ ଏବଂ ଫଳପ୍ରଦ ଉପାୟ। ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ହେବା ଭଲ। କିନ୍ତୁ ଅସଂଖ୍ୟ ପ୍ରତାରଣାମୂଳକ ପ୍ରତିଶ୍ରୁତିରେ ପ୍ରଭାବିତ ନ ହୋଇ ଯୋଗ୍ୟ ବ୍ୟକ୍ତିଙ୍କୁ ପରାମର୍ଶ କରି ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବା ଆବଶ୍ୟକ।
ମୋ: ୯୪୩୭୫୭୭୨୧୧