ଭାରତରେ ଆଡ଼ମ୍ବରପୂର୍ଣ୍ଣ ବିବାହ ସମ୍ପର୍କରେ ଗାନ୍ଧୀଙ୍କ ମତ କ’ଣ ବୋଲି ଗାନ୍ଧୀଙ୍କୁ ଅନେକ ସମୟରେ ପ୍ରଶ୍ନ ହେଉଥିଲା। ୧୯୪୨ ମସିହା ମାର୍ଚ୍ଚ ୨୨ ତାରିଖ ‘ହରିଜନ’ ପତ୍ରିକାରେ ଏକ କ୍ଷୁଦ୍ର ପ୍ରବନ୍ଧ ଲେଖି ଗାନ୍ଧୀଙ୍କ ପ୍ରତିକ୍ରିୟା ଥିଲା, ସେ ବ୍ରହ୍ମଚର୍ଯ୍ୟ କଥା କହୁଥିଲେ ବି, ସେ ଭାବନ୍ତି, ଜୀବନରେ ବିବାହ ଏକ ସ୍ୱାଭାବିକ ତଥା ସାମାଜିକ କର୍ତ୍ତବ୍ୟ। ସ୍ୱାମୀ ଓ ସ୍ତ୍ରୀ ଭିତରେ ଏହା ଏକ ପବିତ୍ର ବନ୍ଧନ। ଏ ବନ୍ଧନ ଉଭୟଙ୍କୁ ଈଶ୍ୱରଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ପାଇବା ପାଇଁ ଯୋଗ୍ୟ କରି ଦେଇଥାଏ। କିନ୍ତୁ ବିଡ଼ମ୍ବନା ଯେ ବିବାହ ଉତ୍ସବରେ ମହା ଆଡ଼ମ୍ବର, ବଦ୍ ଖର୍ଚ୍ଚ ଏବଂ ଯୌତୁକ ଦାବି ବିବାହର ପବିତ୍ରତାକୁ ନଷ୍ଟ କରି ଦେଉଛି।
ମାତ୍ର ତେର ବର୍ଷ ବୟସରେ କସ୍ତୁରବାଙ୍କ ସହ ହୋଇଥିବା ଗାନ୍ଧୀଙ୍କ ନିଜ ବାହାଘରର ଜାକଜମକ ମଧ୍ୟ କିଛି କମ୍ ନଥିଲା। ରାସ୍ତା ସାରା ବାଣ ଫୁଟିଥିଲା। ଆଲୋକ ରୋଶଣିର ପଟୁଆର ବାହାରିଥିଲା ଏବଂ ଉଭୟ ଗାନ୍ଧୀ ଓ କାପାଡ଼ିଆ ପରିବାରର ସାମାଜିକ ପ୍ରତିଷ୍ଠାକୁ ଲକ୍ଷ୍ୟ ରଖି ଭୋଜିର ଆୟୋଜନ ହୋଇଥିଲା। ଗାନ୍ଧୀଙ୍କ ବାପା କାବା ଗାନ୍ଧୀ ସେତେବେଳେ ରାଜକୋଟର ଦେୱାନ୍ ଥିଲେ। କସ୍ତୁରବାଙ୍କ ପିତା ଗୋପାଳଦାସ କାପାଡ଼ିଆ ଥିଲେ ଜଣେ ବଡ଼ ଲୁଗା ବ୍ୟବସାୟୀ ଓ ପୋରବନ୍ଦରର ପୂର୍ବତନ ମେୟର। ବ୍ୟକ୍ତିଗତ ଭାବେ ବିବାହ ଆଡ଼ମ୍ବରକୁ ନାପସନ୍ଦ କରୁଥିବା କାବା ଗାନ୍ଧୀ ବାହାଘର ଖର୍ଚ୍ଚ କମ୍ କରିବାକୁ କିନ୍ତୁ ନିଜର ଦୁଇ ପୁଅ, ‘କର୍ଷଣ’ ଓ ‘ମୋହନ’ ଏବଂ ନିଜ ପୁତୁରାର ବିବାହ ଏକା ଦିନରେ ଗୋଟିଏ ବିବାହ ମଣ୍ଡପରେ କରିଥିଲେ।
ବିବାହରେ ଖର୍ଚ୍ଚ ଏକ ସ୍ପର୍ଶକାତର ପ୍ରସଙ୍ଗ। ଯଦିଓ, ଏଇ ଖର୍ଚ୍ଚ ଧନୀ ଓ ଗରିବ ଉଭୟଙ୍କୁ ପ୍ରଭାବିତ କରିଥାଏ,ଏହାକୁ କିନ୍ତୁ ସେମାନେ ଅଣଦେଖା କରିପାରନ୍ତି ନାହିଁ। ସାମାଜିକ ପ୍ରତିଷ୍ଠା ଏବଂ ସ୍ୱାଭିମାନ ରକ୍ଷା ପାଇଁ ଉତ୍ସବରେ ଏମାନେ ଟଙ୍କା ଖର୍ଚ୍ଚ କରନ୍ତି, ଆର୍ଥିକ ଦୁର୍ଗତି ଯାହା ହେଉନା କାହିଁକି! ଏକ ନିରାଡ଼ମ୍ବର ବିବାହ ପାଇଁ ଗାନ୍ଧୀ ତେଣୁ ଏକ ଅଭିଯାନ ଆରମ୍ଭ କରିଦେଇଥିଲେ।
୧୯୨୬ ମସିହା ଫେବ୍ରୁଆରି ୨୮ ତାରିଖରେ ସାବରମତୀ ଆଶ୍ରମରେ ଏକ ବିଶେଷ ନିରାଡ଼ମ୍ବର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏ ବିବାହ ଥିଲା ବିଶିଷ୍ଟ ଶିଳ୍ପପତି ଯମନାଲାଲ ବଜାଜଙ୍କ ଝିଅ ‘କମଲା’ଙ୍କର କେଶବଦେବ ପ୍ରସାଦଙ୍କ ପୁଅ ‘ରାମେଶ୍ୱର’ଙ୍କ ସହ। ଉଭୟ ପରିବାର ବି ଏଥିରେ ସହମତ ଥିଲେ।
କମଲା ଏବଂ ରାମେଶ୍ୱରଙ୍କ ବିବାହ ଉତ୍ସବରେ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କ ସହ ଆସି ଯୋଗ ଦେବାକୁ ଗାନ୍ଧୀ ଅନେକ ବାହାର ଅତିଥିଙ୍କୁ ଆମନ୍ତ୍ରିତ କରିଥିଲେ। ଗାନ୍ଧୀ ଥିଲେ ଏ ବିବାହର ମୁଖ୍ୟକର୍ତ୍ତା। ଆଶ୍ରମରେ ଅନୁଷ୍ଠିତ ହୋଇଥିବା ପ୍ରାୟ ସମସ୍ତ ଅନ୍ତର୍ଜାତି ବିବାହରେ ଗାନ୍ଧୀ ମୁଖ୍ୟ ପୁରୋଧା ହୋଇଥାଆନ୍ତି। ଆମନ୍ତ୍ରିତ ଅତିଥିଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟର ତାଲିକା (ମେନୁ) ସେ ନିଜେ ଠିକ୍ କରିଥାନ୍ତି। ସେଥିରେ କେବଳ ଭାତ, ମିଠା ରୁଟି, ଡାଲି, ତରକାରୀ ଏବଂ ଟମାଟୋ, ନଡ଼ିଆର ଚଟଣି ଥାଏ। ମିଳୁଥିବା ସ୍ଥାନୀୟ ପରିବା, ଫଳ ଏବଂ କ୍ଷୀର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ଥରେ ଶହେ ଜଣ ଅତିଥିଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ଭୋଜିରେ ମୁଣ୍ଡ ପିଛା ମାତ୍ର ଛ ପଇସା ଖର୍ଚ୍ଚ ହୋଇଥିଲା।
କମଲା-ରାମେଶ୍ୱରର ବିବାହ ବିଧି ସେ ଦିନ ଥିଲା ନିଆରା। ନବ ଦମ୍ପତି ପରସ୍ପରକୁ ସୂତା ମାଳ ପିନ୍ଧାଇ ଥିଲେ। ବଚନ, ବିଚାର ଏବଂ କାର୍ଯ୍ୟରେ ପରସ୍ପର ପ୍ରତି ଅନୁଗତ ରହିବେ; ପରସ୍ପରର ଅଧିକାରକୁ ସମ୍ମାନ ଦେବେ ଏବଂ ସାମାଜିକ କାର୍ଯ୍ୟ ପ୍ରତି ସମର୍ପିତ ରହିବେ ବୋଲି ଶପଥ ନେଇଥିଲେ। ବିବାହ ଶେଷରେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇ ‘ଆଜ୍ ମିଲକର ଗୀତ୍ ଗାଓ’ ଓ ରାମଧୁନ୍ ଭଜନ ଗାନ କରାଯାଇଥିଲା।
ଦଂପତିଙ୍କୁ ଆଶୀର୍ବାଦ ଦେବାକୁ ଯାଇ ଗାନ୍ଧୀ ଏକ କ୍ଷୁଦ୍ର ଭାଷଣ ଦେଇଥିଲେ। ଏ ଭାଷଣରେ ପରମ୍ପରାକୁ ଅମାନ୍ୟ ନ କରି ନୂଆ ଏକ ସରଳ ବିବାହ ଉତ୍ସବ ପାଳନ ନିମନ୍ତେ ଉପସ୍ଥିତ ଅନୁଗାମୀମାନଙ୍କୁ ଗାନ୍ଧୀଙ୍କର ଏକ ଆବେଦନ ଥିଲା। ଭାଷଣରେ ଗାନ୍ଧୀ କହିଥିଲେ, ଯମନାଲାଲ ବଜାଜ ଜଣେ ବଡ଼ ଶିଳ୍ପପତି। ହଜାର ହଜାର ଟଙ୍କା ଖର୍ଚ୍ଚ କରି ସେ ତାଙ୍କର ଏକମାତ୍ର ଝିଅର ବିବାହ ଉତ୍ସବ ଧୁମଧାମରେ କରି ପାରିଥାଆନ୍ତେ। ତାଙ୍କ ମାରାୱାଡ଼ି ସମାଜରେ ବାହାଘର ଖୁବ୍ ଜାକଜମକରେ ହୁଏ। ନାଚ ଗୀତ ଓ ଭବ୍ୟ ଭୋଜିଭାତ ହୋଇଥାଏ। ଯମନାଲାଲଜୀ କିନ୍ତୁ ସ୍ୱଇଚ୍ଛାରେ ଏପରି ଏକ ଆଡ଼ମ୍ବରଶୂନ୍ୟ ବିବାହ ଉତ୍ସବ ପାଇଁ ରାଜି ହୋଇ ଯାଇଥିଲେ। ଏଥିରେ ତାଙ୍କର ଦୁଇଟା ଉପଲବ୍ଧି ହୋଇଛି। ପ୍ରଥମଟି ହେଉଛି, ସ୍ୱାର୍ଥ ଏବଂ ଦ୍ବିତୀୟଟି ହେଉଛି ପରମାର୍ଥ। ସ୍ୱାର୍ଥ ଉପଲବ୍ଧିରେ ସେ ସମାଜର ମଙ୍ଗଳ କଥା ଚିନ୍ତା କରିଛନ୍ତି ଏବଂ ପରମାର୍ଥରେ ସେ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କରି ଯାଇଛନ୍ତି।
ଭାଷଣ ଶେଷରେ ଗାନ୍ଧୀଙ୍କ ଟିପ୍ପଣୀ ଥିଲା ବେଶ୍ ତିର୍ଯ୍ୟକ୍। ଧନୀମାନଙ୍କୁ ଲକ୍ଷ୍ୟ କରି ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା, ଧନୀମାନେ ବିବାହ ଉତ୍ସବରେ ନିଜ ବୃଥା ଅହଂକାରର ପ୍ରଦର୍ଶନ ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି। ଆମର ଏ ଗରିବ ଦେଶ ପ୍ରତି ତାଙ୍କର ଯେପରି କିଛି କର୍ତ୍ତବ୍ୟ ନ ଥିଲା ପରି ମନେ ହେଉଛି। ଗରିବ ବ୍ୟକ୍ତିଟି ବି ନିଜ ଆତ୍ମୀୟର ବିବାହରେ ନିଜ ସ୍ୱାଭିମାନର ବାହାନା ନେଇ ଋଣ କରି ଖର୍ଚ୍ଚ କରୁଛି, ଯେଉଁ ଋଣକୁ ସେ ସାରା ଜୀବନ ଚେଷ୍ଟା କରି ବି ଶୁଝି ପାରୁନି। ଏହା ସଂପ୍ରତି ଏକ ବୃହତ୍ ସାମାଜିକ ଅଲକ୍ଷଣ। ଏ ଅଲକ୍ଷଣରେ ଏବେ ଯୌତୁକ ଦାବି ଯୋଡ଼ି ହୋଇ ଯାଇଛି।
ଗାନ୍ଧୀଙ୍କ ସେଦିନ ଦୁଃଖ ଥିଲା, ଯୌତୁକ ଦାବି ଏବେ ଏମିତି ଏକ କୁପ୍ରଥା ଯେଉଁଠି ବିବାହ ପାଇଁ ଝିଅଟିକୁ ବିକ୍ରି କରାଯାଏ। ଏଠି ବିକ୍ରେତା କ୍ରେତାକୁ ଟଙ୍କା ଦେଇଥାଏ। ଝିଅର ସୁଖ ନିମନ୍ତେ କନ୍ୟା ମାତାପିତାମାନେ କଷ୍ଟ ସହି ଏହି ଅର୍ଥ ରାଶି ସଂଗ୍ରହ କରିଥାନ୍ତି। କିନ୍ତୁ ସବୁଠାରୁ ବଡ଼ ବିଡ଼ମ୍ବନା ହେଲା, ବର୍ତ୍ତମାନର ଆଧୁନିକ ଯୁବକମାନଙ୍କର ସଂପତ୍ତି ଲୋଭ ବେଶି। ଏହା ଏକ ଅନୈତିକ ଇଚ୍ଛା। ପର ଠାରୁ ବିନା ପରିଶ୍ରମରେ ଅର୍ଥ ଆଣିବା ଏକ ପ୍ରକାର ଚୋରି। ଏବଂ ଯେଉଁ ପୁଅ ବିବାହ ପାଇଁ ଯୌତୁକର ସର୍ତ୍ତ ରଖେ, ସେ ପ୍ରକୃତରେ ଶିକ୍ଷିତ ନୁହେଁ। ତା’ ଶିକ୍ଷାକୁ ସେ ନିଜେ ଅସମ୍ମାନ କରେ। ତା’ ଦେଶକୁ ସେ ନିନ୍ଦିତ କରେ ଏବଂ ନାରୀତ୍ୱକୁ ଅପମାନିତ କରେ। କୁତ୍ସିତ ବିବାହ ଆଡ଼ମ୍ବର ଏବଂ ଯୌତୁକ ବିରୋଧରେ ତେଣୁ ସଘନ ଜନମତ ତିଆରି ହେବା ଦରକାର। ବିବାହର ଏ କୁପ୍ରଥାର ଦୂରୀକରଣ ନିମନ୍ତେ ଅନ୍ତର୍ଜାତି ଏବଂ ଅନ୍ତଃ ପ୍ରାଦେଶିକ ବିବାହ ଯେ ଏକମାତ୍ର ପନ୍ଥା, ଗାନ୍ଧୀ ସ୍ପଷ୍ଟ କରିଦେଇଥିଲେ। ୧୯୨୬ ମସିହା ମାର୍ଚ୍ଚ ୪ ତାରିଖ ‘ହିନ୍ଦୀ ନବଜୀବନ’ରେ ଗାନ୍ଧୀଙ୍କ ଏ ମନ୍ତବ୍ୟ ପ୍ରକାଶ ପାଇଥିଲା।
ଗାନ୍ଧୀ ଦେଇଥିବା ଚେତାବନୀର ପ୍ରାୟ ଶହେ ବର୍ଷ ପରେ ବି ଆମେ ବିବାହ ନେଇ କିଛି କୁଚଳଣିରେ ବାନ୍ଧି ହୋଇ ରହିଛୁ। ଏଥିରୁ ମୁକୁଳି ପାରୁନୁ, ନା ମୁକୁଳିବାକୁ ଚେଷ୍ଟା କରୁନୁ, ଏହା ହିଁ ବଡ଼ ପ୍ରଶ୍ନ।
ମୋ: ୯୮୬୧୪୬୯୩୨୮