ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ ଦେଶର ୨୧ଟି ପ୍ରମୁଖ ବିରୋଧୀ ଦଳ ଯୋଗ ଦେେଲ ନାହିଁ। ସେମାନଙ୍କ ଏ ଉତ୍ସବ ବର୍ଜନ କରିବା ସାଧାରଣ ଜନତାଙ୍କ ପାଇଁ ଅସ୍ବାଭାବିକ ଜଣା ପଡ଼ିପାରେ। କ’ଣ ଆବଶ୍ୟକତା ଥିଲା ଏପରି ଏକ ମହାନ୍ ଘଟଣାକୁ ବର୍ଜନ କରିବା? କିନ୍ତୁ ବିରୋଧୀ ଦଳମାେନ ଦର୍ଶାଇଥିବା କାରଣକୁ ତର୍ଜମା କଲେ ହୃଦବୋଧ ହେବ ତାଙ୍କର ଏ ପଦକ୍ଷେପ ଅଯଥାର୍ଥ ନ ଥିଲା। ବିରୋଧୀଙ୍କ ବର୍ଜନକୁ ରାଜନୀତୀକରଣ କୁହାଯାଇଛି। କିନ୍ତୁ ତା’ ଆଗରୁ ଏ ଉତ୍ସବର ରାଜନୀତି ଓ ହିନ୍ଦୁତ୍ବ କରଣ ହୋଇ ସାରିଥିଲା। ବିରୋଧୀ ଦଳମାନଙ୍କ ଯୁକ୍ତି ଥିଲା ସଂସଦର ଉଦ୍ଘାଟନ ପାଇଁ ରାଷ୍ଟ୍ରପତି ହିଁ ଉପଯୁକ୍ତ ବ୍ୟକ୍ତି।
ରାଷ୍ଟ୍ରପତି ଆସିଥିଲେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ସମାବେଶରେ ଏ ଉଦ୍ଘାଟନ ହୋଇଥାନ୍ତା। କିନ୍ତୁ ମୋଦୀ ଏହା ନ କରି ରାଷ୍ଟ୍ରପତିଙ୍କ ଅବମାନନା କରିଛନ୍ତି। ସଂବିଧାନ କ’ଣ କହୁଛି ଦେଖିବା। ଧାରା ୫୨ ଅନୁସାରେ ଦେଶରେ ଏକ ରାଷ୍ଟ୍ରପତି ରହିବେ। ଧାରା ୫୩ ଅନୁସାରେ ତାଙ୍କ ଉପରେ ସମସ୍ତ ପ୍ରଶାସନିକ କ୍ଷମତା ନ୍ୟସ୍ତ ହେବ। ସଂସଦ ଉପରେ ସଂବିଧାନର ଧାରା ୭୯ କୁହେ ଦେଶରେ ଏକ ପାର୍ଲାମେଣ୍ଟ (ସଂସଦ) ରହିବ ଯାହାର ଅଂଶ ହେଲେ ରାଷ୍ଟ୍ରପତି ଓ ୨ଟି ଗୃହ, ଲୋକସଭା ଓ ରାଜ୍ୟସଭା। ପ୍ରଧାନମନ୍ତ୍ରୀ ଏ ଧାରାରେ ସ୍ଥାନିତ ନୁହନ୍ତି। ଏହାକୁ ବିଚାର କଲେ ଜଣାପଡ଼ିବ ବିରୋଧୀ ଦଳମାନଙ୍କ ଯୁକ୍ତିରେ କିଛି ଅସଙ୍ଗତି ନ ଥିଲା। ରାଷ୍ଟ୍ରପତି ଅାସିଥିଲେ ସବୁ ବିରୋଧୀ ଦଳ ଆସିଥାନ୍ତେ ଓ ଉତ୍ସବର ଗରିମା ଓ ଗୌରବ ବୃଦ୍ଧି ପାଇଥାନ୍ତା। ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ସଂସଦର ଉଦ୍ଘାଟନକୁ ମୋଦୀଙ୍କ ଗର୍ବ ଓ ଅହଂକାରର ପ୍ରତିଫଳନ ବୋଲି କହୁଛନ୍ତି। ଏହା ସତ୍ୟ ଯେ ନୂତନ ସଂସଦ କାର୍ଯ୍ୟକାରୀ ହେବା ଆଗରୁ ଦେଶର ବର୍ଦ୍ଧିଷ୍ଣୁ ବିଭାଜିତ ମନୋଭାବର ଶିକାର ହୋଇଗଲା। ଏହା ମଧ୍ୟ ରହସ୍ୟମୟ ଯେ ସରକାରୀ ଦଳ ରାଷ୍ଟ୍ରପତିଙ୍କୁ ନ ଡାକିବା ବିଷୟରେ କିଛି ସନ୍ତୋଷଜନକ ଉତ୍ତର ବା ତଥ୍ୟ ଉପସ୍ଥାପନ କରିନାହାନ୍ତି।
ଏହା କୁହାଯାଇପାରେ ଯେ ରାଷ୍ଟ୍ରପତି ଏକ ଆଳଙ୍କାରିକ ପଦ। ପ୍ରଧାନମନ୍ତ୍ରୀ ଯାହା କହିବେ, ରାଷ୍ଟ୍ରପତି ତାହା କରିବେ। ମୋଦୀଙ୍କ ପରି ବ୍ୟକ୍ତିତ୍ବ ଥାଉଁ ଥାଉଁ ରାଷ୍ଟ୍ରପତିଙ୍କୁ ଡାକିବାର ଆବଶ୍ୟକତା କ’ଣ? ଏଭଳି ଯୁକ୍ତି କେବଳ ତ୍ରୁଟିପୂର୍ଣ୍ଣ ନୁହେଁ, ରାଷ୍ଟ୍ରପତିଙ୍କ ପ୍ରତି ଅବମାନନା ମଧ୍ୟ।
ତା’ ପରେ ଆସିବା ସେଙ୍ଗୋଲ ବା ରାଜଦଣ୍ଡ ପ୍ରସଙ୍ଗକୁ। ୭୫ ବର୍ଷ ପୂର୍ବେ ତାମିଲନାଡୁ ମଠର ଅଧୀନମ ମଠ ମହନ୍ତମାନେ ଏ ରାଜଦଣ୍ଡକୁ ଦିଲ୍ଲୀ ଆଣି ୧୪ ଅଗଷ୍ଟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ପ୍ରଦାନ କରିଥିଲେ। ରାଜତନ୍ତ୍ରରେ ଏହା କ୍ଷମତା ହସ୍ତାନ୍ତରର ସନ୍ତକ ଥିଲା। ନେହରୁ ଏହା ଗ୍ରହଣ କରିଥିଲେ ଓ ଏହାକୁ ଆଲ୍ଲାହାବାଦର ଏକ ସଂଗ୍ରହାଳୟରେ ରଖାଗଲା। ଏହା ସ୍ବାଧୀନତା ଉତ୍ସବ ପାଳନର ଅଂଶ ବିଶେଷ ନ ଥିଲା। ଏବେ ମେ ୨୭ ତାରିଖ ସନ୍ଧ୍ୟାରୁ ୨୮ ତାରିଖ ସଂସଦ ଉଦ୍ଘାଟନ ପର୍ଯ୍ୟନ୍ତ ଏହାକୁ ଏକ ଧର୍ମୀୟ ରୂପ ଦେଇ ଅତି ଆଡ଼ମ୍ବରପୂର୍ଣ୍ଣ ବାତାବରଣ ସୃଷ୍ଟି କରାଗଲା ଯାହା ଥିଲା ଅତି ବିସ୍ମୟକର ଓ ଅଦ୍ଭୁତପୂର୍ବ। ଭାରତବାସୀ ଏହାର ନାମ ଶୁଣି ନ ଥିଲା ବେଳେ ଏହାର ସ୍ଥାପନା ବେଳେ କୁହାଗଲା ଏହା ବର୍ତ୍ତମାନ ନୂତନ ଭାରତର ପ୍ରତୀକ।
ମୋଦୀ କହିଲେ ଏହା ନ୍ୟାୟ, କିଏ କହିଲା ଏହା ନୀତି ତ ଆଉ କିଏ କହିଲା ଏହା କ୍ଷମତାର ପ୍ରତୀକ। ଏପରି ରାଜଦଣ୍ଡ ରାଜାମାନେ କ୍ଷମତା ହସ୍ତାନ୍ତର ବେଳେ ବ୍ୟବହାର କରୁଥିଲେ, କେବଳ ଭାରତରେ ନୁହେଁ, ପୃଥିବୀର ଅନ୍ୟ ଦେଶମାନଙ୍କରେ ମଧ୍ୟ। ଯେତେବେଳେ ଆମେ ରାଜତନ୍ତ୍ରକୁ ହରାଇ ଗଣତନ୍ତ୍ର ସ୍ଥାପନ କଲୁ, ସେ ଗଣତନ୍ତ୍ରର ମନ୍ଦିରରେ ଏ ରାଜଦଣ୍ଡର ଆବଶ୍ୟକତା କ’ଣ? ସଂବିଧାନ ଆମର ମୂଳ ଗ୍ରନ୍ଥ। ରାଜଦଣ୍ଡ ଆମର ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନର ଗାଥା ଗାନ କରେ ନାହିଁ, ଯାହା ତରଙ୍ଗାୟିତ ହୁଏ ତ୍ରିରଙ୍ଗାରେ। ଏହା ଆମ ଗଣତନ୍ତ୍ରର ଗରିମା ଓ ଗୌରବର ପ୍ରତିବଦ୍ଧତାର ସହାୟକ ହୋଇପାରିବ ନାହିଁ। ସେଙ୍ଗୋଲ ସ୍ଥାପନ ଏକ ରାଜ୍ୟାଭିଷେକ ପରି ମନେ ହେଉଥିଲା ଓ ସେହି ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ନେହରୁଙ୍କ ‘ଟ୍ରିଷ୍ଟ ଉଇଥ୍ ଡେଷ୍ଟିନି’ ୨୮ ମେ ସବରକରଙ୍କ ଜନ୍ମ ଦିବସରେ ସମାପ୍ତ ହେଲା କି? ମୋଦୀ ତାଙ୍କ ଓଜସ୍ବିନୀ ଭାଷଣରେ କହିଲେ ନୂତନ ସଂସଦ ଆରମ୍ଭ ପରେ ନୂତନ ଭାରତ ଆରମ୍ଭ ହେଲା। ୭୫ ବର୍ଷର ଉପନିବେଶବାଦର ସମାପ୍ତି ଘଟିଲା। ଏସବୁ ନାଟକୀୟ ଘଟଣାମାନଙ୍କରେ ନା ଥିଲା କିଛି ତାତ୍ତ୍ବିକ ବା ବୌଦ୍ଧିକ ଚିନ୍ତନ, ଥିଲା କେବଳ ସତ୍ୟର ଅପଳାପ।
ପ୍ରଧାନମନ୍ତ୍ରୀ ସତ କଥା କହି ପାରିଥାନ୍ତେ ଯେ ପୁରୁଣା ସଂସଦ ଭବନରେ ସ୍ଥାନାଭାବ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଏକ ନବନିର୍ମିତ ସଂସଦର ଆବଶ୍ୟକତା ଥିଲା। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲା ବେଳେ ଏ ପରିକଳ୍ପନା ଆରମ୍ଭ ହୋଇଥିଲା। ଏ ସତ୍ୟକୁ ନ କହି ଅନେକ କିଛି ନିରର୍ଥକ ଓ ଅସତ୍ୟ ତଥ୍ୟ ପରିବେଷଣ ହୋଇଛି। କୁହାଗଲା ପୁରୁଣା ସଂସଦ ଭବନ ଥିଲା ଉପନିବେଶବାଦର ପ୍ରତୀକ। ଏହା କେବଳ ସତ୍ୟର ଅପଳାପ ନୁହେଁ ଆମ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଚରମ ଅପମାନ। ପୁରୁଣା ଭବନ ନିଶ୍ଚୟ ଉପନିବେଶବାଦୀ ସରକାରଙ୍କ ବୈଧାନିକ ଆଲୋଚନା ଓ ତର୍ଜମାର ସ୍ଥଳ ଥିଲା। କିନ୍ତୁ ସେତେବେଳେ ତ ଭାରତର ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଯାଇଥିଲା ଓ ୧୯୪୬ ପର୍ଯ୍ୟନ୍ତ ବିଭିନ୍ନ ଆଇନ ଏ ଭବନରେ ପାରିତ ହେଉଥିଲା। ତା’ ପରେ ଏହା ହେଲା ସଂବିଧାନ ପ୍ରଣୟନ ସଭା।
ଭାରତର ପ୍ରସିଦ୍ଧ ନେତା, ବୁଦ୍ଧିଜୀବୀ, ଆଇନଜୀବୀମାନେ ଏଠାରେ ବସି ସଂବିଧାନ ପ୍ରଣୟନ କଲେ ଓ ୧୯୫୦ରେ ଏହା ଗୃହୀତ ହେଲା। ଏହାର ବଳରେ ଆଜି ମୋଦୀ ଦେଶର ପ୍ରଧାନମନ୍ତ୍ରୀ। ତା’ ପରେ ଦୀର୍ଘ ୧୪ ବର୍ଷ କାଳ ଏ ସଂବିଧାନକୁ ପରିପୁଷ୍ଟ କଲେ ଜବାହରଲାଲ ନେହରୁ। ଗଣତନ୍ତ୍ରର ଭିତ୍ତି ସ୍ଥାପନ କଲେ, ସୁଦୃଢ଼ କଲେ ଓ ସଂବିଧାନର ମୁଖବନ୍ଧରେ ଥିବା ସ୍ବପ୍ନ ଓ ଲକ୍ଷ୍ୟକୁ ରୂପାୟିତ କଲେ। ସେ ବିରୋଧୀ ଦଳର ଶାଣିତ ସମାଲୋଚନାକୁ ଉତ୍ସାହିତ କରୁଥିଲେ। ସେତେବେଳେ ବିରୋଧୀ ନେତାମାନେ ଥିଲେ ଜଣେ ଜଣେ ହସ୍ତୀ: ଅଟଳ ବିହାରୀ ବାଜପେୟୀ ଏହା ନିଜେ ବର୍ଣ୍ଣନା କରିଛନ୍ତି। ସେତେବେଳେ ଦକ୍ଷିଣ, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାର ସ୍ବାଧୀନତା ପାଇଥିବା ଦେଶମାନେ, ଯାହାଙ୍କ ପାଇଁ ନେହରୁ ପ୍ରବକ୍ତା ସାଜିଥିଲେ, ଏକଛତ୍ରବାଦ ଅଭିମୁଖୀ ହେଲେ। ନେହରୁ ଦେଶରେ ଏତେ ଲୋକପ୍ରିୟ ଥିଲେ ଯେ ସେ ଚାହିଁଥିଲେ ସହଜରେ ଏକ ଏକଛତ୍ରବାଦୀ ବନି ପାରିଥାନ୍ତେ, ସେ ଛଦ୍ମ ନାମରେ ଲେଖୁଥିବା ଏକ ପ୍ରବନ୍ଧରେ ଏ କଥା ନିଜେ କହିଛନ୍ତି। କିନ୍ତୁ ଭାରତ ଥିଲା ଗଣତନ୍ତ୍ରର ଉଜ୍ଜ୍ବଳ ତାରକା। ସେ ଯେଉଁ ପରଂପରା ଓ ପରିବେଶ ସଂସଦ ଭବନରେ ସୃଷ୍ଟି କରି ପାରିଥିଲେ, ମୋଦୀ ନୂତନ ସଂସଦ ଭବନରେ ଏହା କରିପାରିବେ କି? ଯଦି ଗତ ୯ ବର୍ଷର ଅନୁଭୂତିକୁ ଅନୁଧ୍ୟାନ କରି ଅନୁମାନ କରାଯାଏ ତେବେ ତାଙ୍କ ନୂତନ ଭାରତରେ ଏ ଭବନ କଳି, ତକରାଳ, ପରସ୍ପର ଦୋଷାରାପ, ଅସହିଷ୍ଣୁତା, ଏପରିକି ହିଂସାତ୍ମକ ବ୍ୟବହାରର ଦର୍ଶକ ହେବ।
ପରିେଶଷରେ ଅସହିଷ୍ଣୁତାର ଏକ ଉଦାହରଣ। ଖବରକାଗଜରୁ ଜଣାପଡ଼ିଲା, ନୂତନ ଭବନର ଏକ ମୁଖ୍ୟ ଦ୍ବାରରେ ସର୍ଦ୍ଦାର ପଟେଲ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ଭାରତୀୟ ଗଣତନ୍ତ୍ରର ରକ୍ଷକ ଓ ପୂଜକ ନେହରୁଙ୍କ ପ୍ରତିମୂର୍ତ୍ତି କାହିଁ? ସ୍ବାଧୀନତା ସଂଗ୍ରାମର ଅଗ୍ରଣୀ ନେତା ସର୍ଦ୍ଦାର ପଟେଲ ଓ ଆମ୍ବେଦକର ଆମ ଦେଶର ଗର୍ବ। କିନ୍ତୁ ୧୯୫୦ ଓ ୧୯୬୦ ଦଶକରେ ଗଣତନ୍ତ୍ର ଯେତେବେଳେ ଜନ୍ମ ନେଇ ବଢ଼ି ଉଠୁଥିଲା, ସେମାନେ ତ ନ ଥିଲେ। ଦେଢ଼ ଦଶନ୍ଧି ଧରି ସଦ୍ୟ ଜନ୍ମିତ ଗଣତନ୍ତ୍ରର ଲାଳନପାଳନ କଲେ ନେହରୁ। ଏହି ୭୫ ବର୍ଷକୁ ଇତିହାସର ପୁନର୍ଲିଖନରେ ବାଦ ଦେଇପାରିବେ କି? ଯଦି ବାଦ ଦେବେ, କେଉଁ ଯୁକ୍ତିରେ କହିବେ ଭାରତ ଗଣତନ୍ତ୍ରର ମାତା, ‘ମଦର ଅଫ ଡିେମାକ୍ରାସି’ ଯାହାର ଡିଣ୍ଡିମ ଶୁଭୁଛି ଚାରିଆଡ଼େ କାରଣ ମୋଦୀ ବର୍ତ୍ତମାନ ଜି-୨୦ର ସଭାପତି, ଯାହା ତାଙ୍କ ପାଖକୁ କ୍ରମାନ୍ବୟରେ ଆସିଛି?
[email protected]