ଆଜିକାଲି ଅଧିକାଂଶ ଛାତ୍ରଛାତ୍ରୀ ପାଠ ପଢ଼ିବା ବେଳେ ପାଠ ମନେ ରହୁନାହିଁ ବୋଲି ବ୍ୟସ୍ତ ହେଉଛନ୍ତି। ଏହାର କାରଣ ଏକାଗ୍ରତାର ଅଭାବ। ସ୍ବାମୀ ବିବେକାନନ୍ଦ ତାଙ୍କ ପାଞ୍ଚ ବର୍ଷ ବୟସ ପୂର୍ବରୁ ‘ମୁଗ୍ଧବୋଧ ବ୍ୟାକରଣ’ର ସମସ୍ତ ସୂତ୍ର ମୁଖସ୍ଥ କରିପାରିଥିଲେ। ଛଅ ବର୍ଷ ବୟସରେ ସମଗ୍ର ରାମାୟଣ ତାଙ୍କ କଣ୍ଠସ୍ଥ ହୋଇଥିଲା। ପାଠ୍ୟ ପୁସ୍ତକଗୁଡ଼ିକର ଯେଉଁ ବିଷୟଗୁଡ଼ିକ ପଢ଼ିବା କଥା, ତାହା ତାଙ୍କୁ ପଢ଼ି ବୁଝାଇ ଦେବାକୁ ସେ ତାଙ୍କର ଗୃହ ଶିକ୍ଷକଙ୍କୁ କହୁଥିଲେ ଓ ବସି ବସି ବା ଶୋଇ ଶୋଇ ତାକୁ ଶୁଣି ସବୁ ମନେ ରଖି ପାରୁଥିଲେ। ପରୀକ୍ଷା ସମୟରେ ମାତ୍ର ଦୁଇ ତିନି ଦିନ ସମୟ ତାଙ୍କ ପ୍ରସ୍ତୁତି ପାଇଁ ଯଥେଷ୍ଟ ଥିଲା।
ସେ ଥରେ କହିଥିଲେ: ‘ପ୍ରବେଶିକା ପରୀକ୍ଷାର ଦୁଇ ତିନି ଦିନ ପୂର୍ବରୁ ଦେଖିଲି ଜ୍ୟାମିତି ଆଦୌ ଆୟତ୍ତ ହୋଇନାହିଁ। ସାରା ରାତି ଉଜାଗର ରହି ପଢ଼ିବାକୁ ଲାଗିଲି। ମାତ୍ର ଚବିଶି ଘଣ୍ଟାରେ ଚାରି ଖଣ୍ଡ ପୁସ୍ତକ ଆୟତ୍ତ କରି ପରୀକ୍ଷା ଦେଇ ଆସିଲି।’ ପ୍ରବେଶିକା ପରୀକ୍ଷା ଦେବା ପୂର୍ବରୁ ସେ ଭାରତ ଇତିହାସର ସମସ୍ତ ବହି ପଢ଼ି ସାରିଥିଲେ। ଏଫ.ଏ ପଢ଼ିବା ସମୟରେ ନ୍ୟାୟ ଶାସ୍ତ୍ରର ଯେତେ ପ୍ରକାର ଇଂେରଜୀ ପୁସ୍ତକ ଥିଲା, ସେ ସମସ୍ତ ଆୟତ୍ତ କରିଥିଲେ। ବି.ଏ ପଢ଼ିବା ବେଳେ ଇଂଲାଣ୍ଡ ଓ ଅନ୍ୟାନ୍ୟ ୟୁରୋପୀୟ ଦେଶର ପ୍ରାଚୀନ ଓ ଆଧୁନିକ ଇତିହାସ ଏବଂ ଦର୍ଶନ ଶାସ୍ତ୍ରର ସମସ୍ତ ପୁସ୍ତକ ଆୟତ୍ତ କରିଥିଲେ।
ଏକାଗ୍ରତାର ସାଧନା ଫଳରେ ତାଙ୍କର ପଠନ ଅତି ଦ୍ରୁତ ହେବା ସହିତ ଅଭୂତପୂର୍ବ ସ୍ମରଣ ଶକ୍ତିର ବିକାଶ ହୋଇଥିଲା। ସେ ଯେତେବେଳେ ପରିବ୍ରାଜକ ଭାବରେ ଭାରତ ଭ୍ରମଣ କରୁଥିଲେ, ସେତେବେଳେ କିଛି ଦିନ ପାଇଁ ମିରଟ ସହରରେ ରହୁଥିଲେ। ମିରଟର ଏକ ପାଠାଗାରରୁ ପୁସ୍ତକମାନ ନେଇ ସେ ଶୀଘ୍ର ଶୀଘ୍ର ଫେରସ୍ତ କରୁଥିଲେ। ତେଣୁ, ଗ୍ରନ୍ଥାଗାରର ପରିଚାଳକଙ୍କ ମନରେ ସନ୍ଦେହ ଉପୁଜିଲା ଯେ ସ୍ବାମୀଜୀ ଲୋକ ଦେଖାଣିଆ ଭାବରେ ଏପରି କରୁଛନ୍ତି। କିନ୍ତୁ ପରେ ତାଙ୍କର ହୃଦ୍ବୋଧ ହେଲା ଯେ ଖୁବ୍ ଅଳ୍ପ ସମୟ ଭିତରେ ସ୍ବାମୀଜୀ ଗ୍ରନ୍ଥଗୁଡ଼ିକ ପଢ଼ି ମନେ ରଖିପାରୁଛନ୍ତି। ୟୁରୋପ ଭ୍ରମଣ ସମୟରେ ସ୍ବାମୀଜୀ ଜର୍ମାନିର ବିଖ୍ୟାତ ଦାର୍ଶନିକ ପଲ୍ ଡୟସନ୍ଙ୍କ ଗୃହରେ ଅତିଥି ହେଲେ।
ଦିନେ ସ୍ବାମୀଜୀଙ୍କ ପ୍ରକୋଷ୍ଠରେ ପ୍ରବେଶ କରି ଦାର୍ଶନିକ ଡୟସନ୍ ଦେଖିଲେ ଯେ ସ୍ବାମୀଜୀ ମନ-ଧ୍ୟାନ ଦେଇ ଗୋଟିଏ ପୁସ୍ତକର ପୃଷ୍ଠାମାନ ଓଲଟାଇ ଚାଲିଛନ୍ତି। ତାଙ୍କୁ ବାରମ୍ବାର ଡାକିଲେ ସୁଦ୍ଧା ତାଙ୍କ ଠୁ କୌଣସି ଉତ୍ତର ଆସୁନାହିଁ। କିଛି କ୍ଷଣ ପରେ ସ୍ବାମୀଜୀ ବହି ଖଣ୍ଡକ ରଖି ଦେଲେ। ଡୟସନ୍ କହିଲେ- ‘ସ୍ବାମୀଜୀ, ମୁଁ ଏତେ ଡାକିଲି, ଆପଣ ଉତ୍ତର ଦେଲେ ନାହିଁ!’ ସ୍ବାମୀଜୀ କହିଲେ- ‘କିଛି ମନେ କରିବେ ନାହିଁ, ମୁଁ ମନଯୋଗ ସହକାରେ ବହିଟ ପଢୁଥିଲି। ତେଣୁ କିଛି ଶୁଣି ପାରିଲି ନାହିଁ।’ କିନ୍ତୁ ସ୍ବାମୀଜୀଙ୍କ ଏକାଗ୍ରତାର ଗଭୀରତା କେତେ ତା’ର ଆକଳନ ଡୟସନ ଲଗାଇ ପାରିଲେ ନାହିଁ। କାରଣ ସେ ଦେଖିଥିଲେ ଯେ ସ୍ବାମୀଜୀ କେବଳ ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଥିଲେ। ସ୍ବାମୀଜୀ ଏହା ବୁଝିପାରି ଡୟସନ୍ଙ୍କୁ ପୁସ୍ତକଟି ଧରାଇ ଦେଇ ଯେ କୌଣସି ପୃଷ୍ଠାରୁ ପଚାରିବାକୁ ଅନୁରୋଧ କଲେ। ଡୟସନ୍ ତାହା କରି ବିସ୍ମୟାଭିଭୂତ ହୋଇଗଲେ। କାରଣ ସ୍ବାମୀ ବିବେକାନନ୍ଦ ସବୁ ପ୍ରଶ୍ନର ଉତ୍ତର ଦେଲେ। ଡୟସନ ତହୁଁ ପଚାରିଲେ- ସ୍ବାମୀଜୀ, ଏହା କିପରି ସମ୍ଭବ! ସ୍ବାମୀଜୀଙ୍କ ଉତ୍ତର ଥିଲା, ‘ଏହାର ନାମ ଭାରତୀୟ ଏକାଗ୍ରତା।’
ସ୍ବାମୀଜୀ ବେଲୁର ମଠରେ ଥିଲା ବେଳେ ମଠର ପାଠାଗାର ପାଇଁ ‘ଏନ୍ସାଇକ୍ଲୋପେଡିଆ ବ୍ରିଟାନିକା’ କିଣାଗଲା। ଗ୍ରନ୍ଥଗୁଡ଼ିକ ସେତେବେଳେ ସ୍ବାମୀଜୀଙ୍କ ରହିବା ଘରେ ରଖାଗଲା। ସ୍ବାମୀଜୀଙ୍କ ଶିଷ୍ୟ ଶରତ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଧାରଣା ଥିଲା ଯେ ‘ଏନ୍ସାଇକ୍ଲୋପେଡିଆ ବ୍ରିଟାନିକା’ର ଗ୍ରନ୍ଥମାନ ଜଣେ ତା’ ଜୀବଦ୍ଦଶାରେ ପଢ଼ିବା ଅସମ୍ଭବ। ସେତେବେଳକୁ ସ୍ବାମୀଜୀ ଉକ୍ତ ଗ୍ରନ୍ଥାବଳୀରୁ ଦଶ ଖଣ୍ଡ ବହି ପଢ଼ି ସାରିଲେଣି। ଶରତ ଚନ୍ଦ୍ରଙ୍କୁ ତାହା ହଠାତ୍ ଅବିଶ୍ବାସ୍ୟ ଲାଗିବାରୁ ସ୍ବାମୀଜୀ ତାଙ୍କୁ ମଧ୍ୟ ସେହି ଦଶଟି ପୁସ୍ତକରୁ ଯେ କୌଣସି ବିଷୟରୁ ପଚାରିବା ଲାଗି କହିଲେ। ଶରତ ଚନ୍ଦ୍ର ମଧ୍ୟ ସ୍ବାମୀଜୀଙ୍କ ପ୍ରାଂଜଳ ଓ ପୂର୍ଣ୍ଣ ଉତ୍ତର ଶୁଣି ବିସ୍ମୟାଭିଭୂତ ହେଲେ।
ସ୍ବାମୀଜୀ କହୁଥିଲେ ଯେ ନିଷ୍ଠାର ସହିତ ବ୍ରହ୍ମଚର୍ଯ୍ୟ ପାଳନ କରିପାରିଲେ ଏକାଗ୍ରତାର ଆୟତ୍ତ ସମ୍ଭବ, ଯାହା ଏଭଳି ଶକ୍ତିି ପ୍ରଦାନ କରିଥାଏ।
ଆଜିକାଲି ଟେଲିଭିଜନରେ ଅହୋରାତ୍ର ଗୀତ, ନୃତ୍ୟ ଓ ଉତ୍ତେଜକ ଦୃଶ୍ୟ ସମ୍ବଳିତ ସିନେମା ଓ ନାଟକ ଆଦି ଚାଲିଛି। ତାହାକୁ ଦେଖି ଯୁବକଯୁବତୀମାନଙ୍କ ଚିତ୍ତ ଚାଞ୍ଚଲ୍ୟ ଘଟୁଛି, ଯାହା ଏକାଗ୍ରତାର ଅଭାବର ମୂଳ କାରଣ। ସ୍ବାମୀଜୀ ଯେଉଁ ବ୍ରହ୍ମଚର୍ଯ୍ୟ ଧାରଣର କଥା କହିଛନ୍ତି, ତାହା ଭାରତୀୟ ଜୀବନ ଧାରାର ଏକ ମୌଳିକ ଅଂଶ ଭାବେ ପ୍ରାଚୀନ କାଳରୁ ରହି ଆସିଥିଲା। ଛାତ୍ରାବସ୍ଥାରେ ମନକୁ କେବଳ ଧ୍ୟେୟ ସକାଶେ ବାନ୍ଧି ରଖିବାର ଉଦ୍ୟମ ହିଁ ବ୍ରହ୍ମଚର୍ଯ୍ୟର ମୂଳ ଆଦର୍ଶ। ଆଜି ମଧ୍ୟ ତାହା ପ୍ରଯୁଜ୍ୟ। ଯେଉଁ ଛାତ୍ରଛାତ୍ରୀମାନେ ସେତିକି କରନ୍ତି, ସେମାନେ ଏକାଗ୍ରତା ଲାଭ କରନ୍ତି ଏବଂ ଛାତ୍ର ଭାବେ ସେମାନେ ପୋଷଣ କରୁଥିବା ଉଦ୍ଦେଶ୍ୟ ଓ ଆଦର୍ଶ ଚରିତାର୍ଥ କରିବାରେ ସଫଳ ହୁଅନ୍ତି।
ମୋ: ୯୮୫୩୩୩୫୯୬୨