ଭାରତରେ ନୂତନ ସଂସଦ ଭବନ ଉଦ୍ଘାଟିତ ହୋଇଯାଇଛି। ଏହା ‘ଆତ୍ମ-ନିର୍ଭର’ ଭାରତର ପ୍ରତୀକ ଭାବେ ଛିଡ଼ା ହୋଇଛି। ପୁରୁଣା ପାର୍ଲାମେଣ୍ଟ ଭବନ ବ୍ରିଟିସ ସ୍ଥପତିଙ୍କ ଦ୍ବାରା ୟୁରୋପୀୟ ନିର୍ମାଣ ଶୈଳୀକୁ ନେଇ ଗଢ଼ା ଯାଇଥିଲା। ଏବେ ଯାହା ହେଉ ଭାରତୀୟ ସାଂସଦମାନେ ସଂପୂର୍ଣ୍ଣ ଭାରତୀୟତାକୁ ବହନ କରିଥିବା ସଂସଦ ଭବନରେ ବସିବେ। ଏହା ଖୁସିର ବିଷୟ। କିନ୍ତୁ ଏହି ନୂତନ ଭବନରେ ନୂଆ ପ୍ରକାର ସାଂସଦଙ୍କୁ ଦେଖିବାର ଆଶା ଆମେ କରି ପାରିବା କି? ମୋର କହିବାର ତାତ୍ପର୍ଯ୍ୟ ହେଲା, ଆସନ୍ତା ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ଦାଗୀ ବା ଆପରାଧିକ ପୃଷ୍ଠଭୂମିର ରାଜନେତାଙ୍କୁ ଟିକେଟ ନ ଦେଇ ନୂଆ ସଂସଦ ଭବନ ସକାଶେ ଏକ ଉଦାହରଣ ପ୍ରତିଷ୍ଠା କରିବେ କି? ନୂଆ ସଂସଦ ଭବନରେ ଆମେମାନେ ବିଚକ୍ଷଣ ଓ ଯୁବ ନେତୃତ୍ବର ପ୍ରତିନିଧିତ୍ବକୁ ଦେଖି ପାରିବା କି?
ଏଠାରେ ଉଚ୍ଚାଙ୍ଗ ବିତର୍କ ଲାଗି ଅବକାଶ ସୃଷ୍ଟି ହେବ କି? ଏହି ସଂସଦ ଭବନରେ ଅଯଥା ହଟ୍ଟଗୋଳ ଓ ତମ୍ବି ତୋଫାନ ସୃଷ୍ଟି ନ ହେଲେ ଭଲ। ସଂସଦରେ ଗଣତନ୍ତ୍ରର ସମୃଦ୍ଧ ପରଂପରା ସୃଷ୍ଟି ହୋଇଥାଏ। ଆମେ ଏବେ ବି ପୁରୁଣା ସଂସଦୀୟ ବିତର୍କଗୁଡ଼ିକୁ ମନେ ପକାଉ। ଏବେ ସେ ଭଳି ମାନର ବିତର୍କ ପ୍ରାୟତଃ ଶୁଣିବାକୁ ମିଳୁନାହିଁ। ମୋ ମତରେ ନୂତନ ସଂସଦ ଭବନଟି କେବଳ ଏକ ଇଟା ପଥରରେ ଗଢ଼ା ସ୍ଥାପତ୍ୟ ବିସ୍ମୟ ମାତ୍ର ହୋଇ ନ ରହୁ। ଏହା ମଧ୍ୟ ସମୃଦ୍ଧ ଗଣତାନ୍ତ୍ରିକ ପରଂପରା ସୃଷ୍ଟି କରୁ।
ପ୍ରଭାସ ପଟ୍ଟନାୟକ
ଶୈଳଶ୍ରୀ ବିହାର, ଭୁବନେଶ୍ବର