ଇସ୍ତଫା ତତ୍ତ୍ବ

ବାହାନଗା ରେଳ ଦୁର୍ଘଟଣା ପାଇଁ ନୈତିକ ଦାୟିତ୍ବ ସ୍ବୀକାର କରି ରେଳମନ୍ତ୍ରୀ ଇସ୍ତଫା ପ୍ରଦାନ କରିବା ଆବଶ୍ୟକ କି ନୁହେଁ, ସେ ସମ୍ବନ୍ଧରେ ଏହି ସମ୍ବାଦପତ୍ରର ଜୁନ୍‌ ୮ ତାରିଖ ସଂସ୍କରଣରେ ଉପସ୍ଥାପିତ ଏକ ବିତର୍କରେ ଦୁଇଟି ପରସ୍ପର ବିରୋଧୀ ମତାମତ ପ୍ରକାଶ ପାଇଛି। ସେଇ ବିତର୍କରେ ଆଦୌ ଭାବପ୍ରବଣ ନ ହୋଇ କେବଳ କଠୋର ତଥ୍ୟାଶ୍ରୟୀ ତର୍କ ବ୍ୟବହାର କରି କବି ରାଜେନ୍ଦ୍ର କିଶୋର ପଣ୍ଡା ରେଳ ମନ୍ତ୍ରୀଙ୍କର ଇସ୍ତଫା ପାଇଁ ଉଠୁଥିବା ଦାବିକୁ ବିରୋଧ କରିବା ଅବସରରେ ଏକ ଅତ୍ୟନ୍ତ ପ୍ରାସଙ୍ଗିକ ତଥା ସାରଗର୍ଭକ ପ୍ରଶ୍ନ ପଚାରିଛନ୍ତି: ରେଳମନ୍ତ୍ରୀଙ୍କୁ ବଦଳାଇ ଦେବା ଦ୍ବାରା ‘‘କ’ଣ ଅଧିକ ଜନମଙ୍ଗଳ ସାଧିତ ହେବ?’’ ତାଙ୍କର ଏଭଳି ପ୍ରଶ୍ନ ସ୍ପଷ୍ଟ ରୂପେ ଯେଉଁ ଏକ ବିଶ୍ବାସ ଉପରେ ପ୍ରତିଷ୍ଠିତ, ତାହା ହେଲା, ଏକ ଗଣତାନ୍ତ୍ରିକ ସରକାରଙ୍କର ପ୍ରତ୍ୟେକ କାର୍ଯ୍ୟ ଜନମଙ୍ଗଳରେ ବୃଦ୍ଧି ସାଧନ ପାଇଁ ଉଦ୍ଦିଷ୍ଟ ହୋଇଥିବା ଆବଶ୍ୟକ। ଅର୍ଥଶାସ୍ତ୍ରର ଜନମଙ୍ଗଳ ଶାଖା ‘ୱେଲ୍‌ଫେଆର୍‌ ଇକନୋମିକ୍‌ସ’ ସହିତ ସାମାନ୍ୟ ପରିଚିତ ଥିବା‌ ସମସ୍ତଙ୍କ ପାଇଁ ରା‌େଜନ୍ଦ୍ର କିଶୋରଙ୍କର ଏହି ପ୍ରଶ୍ନ ହେଉଛି ସମଗ୍ର ବିତର୍କରେ ପଚରା ଯାଇଥିବା ସର୍ବାଧିକ ମୌଳିକ ପ୍ରଶ୍ନ।

ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ମହାନ୍‌ ଇଟାଲୀୟ ଅର୍ଥନୀତିଜ୍ଞ ଭିଲ୍‌ ଫ୍ରେଡୋ ପାରିଟୋ (ସଂଯୋଗକ୍ରମେ ପାରିଟୋ ପ୍ରଥମେ ଥିଲେ ଜଣେ ବିଚକ୍ଷଣ ରେଳବାଇ ଇଞ୍ଜିନିଅର୍‌) ଏଭଳି ପ୍ରଶ୍ନର ଏକ ନୀତିଗତ ଉତ୍ତର ଦେବା ଭଳି କହିଥିଲେ ଯେ ସେଭଳି ଏକ ପରିବର୍ତ୍ତନ ଘଟାଇବା ହେଉଛି ବାଞ୍ଛନୀୟ, ଯାହା ଅନ୍ୟ କାହାରି ମଙ୍ଗଳରେ ହ୍ରାସ ନ ଘଟାଇ ଅନ୍ୟୂନ ଜଣକର ମଙ୍ଗଳରେ ବୃଦ୍ଧି ଘଟାଇଥାଏ। ଏହାର ଅର୍ଥ, ପରିବର୍ତ୍ତନ ଘଟିବା ପୂର୍ବର ସ୍ଥିତି ବା ପ୍ରାକ୍‌-ପରିବର୍ତ୍ତନ ସ୍ଥିତି ସମାଜ ମଙ୍ଗଳ ଦୃଷ୍ଟିରୁ ସର୍ବାଧିକ ସମ୍ଭବ ଉତ୍ତମ ନ ଥାଏ, ଯେଉଁ କାରଣରୁ ସମ୍ପୃକ୍ତ ପରିବର୍ତ୍ତନ ମାଧ୍ୟମରେ ସମାଜ ମଙ୍ଗଳରେ ଉନ୍ନତି ସାଧନ କରାଯାଇପାରିଥାଏ। ଏଭଳି ପ୍ରାକ୍‌-ପରିବର୍ତ୍ତନ ସ୍ଥିତିର ନାମକରଣ କରାଯାଇଛି, ‘ପାରିଟୋ ଅଣ-ସର୍ବୋତ୍ତମ ସ୍ଥିତି’। ଅପରପକ୍ଷେ ଉପସ୍ଥିତ ସ୍ଥିତିରେ ଏକ ପରିବର୍ତ୍ତନର କଳ୍ପନା କରାଯାଉ, ଯାହାଦ୍ବାରା କାହାରି ହେଲେ ମଙ୍ଗଳରେ କୌଣସି ଉନ୍ନତି ଘଟେ ନାହିଁ ଏବଂ ଅନ୍ୟୂନ ଜଣକର ମଙ୍ଗଳରେ ହ୍ରାସ ଘଟିଥାଏ। ଏଭଳି ପରିବର୍ତ୍ତନର ଫଳସ୍ବରୂପ ସମାଜର ସାମଗ୍ରିକ ମଙ୍ଗଳରେ ହ୍ରାସ ଘଟିଥାଏ। ଏହାର ଅର୍ଥ, ଏଭଳି କ୍ଷେତ୍ରରେ ପ୍ରାକ୍‌-ପରିବର୍ତ୍ତନ ସ୍ଥିତି ସମାଜ ମଙ୍ଗଳ ଦୃଷ୍ଟିରୁ ସର୍ବାଧିକ ସମ୍ଭବ ଉତ୍ତମ ଥାଏ, ଯାହାକୁ ‘ପାରିଟୋ ସର୍ବୋତ୍ତମ ସ୍ଥିତି’ ରୂପେ ବର୍ଣ୍ଣନା କରାଯାଇଥାଏ।

ବର୍ତ୍ତମାନ ରେଳମନ୍ତ୍ରୀଙ୍କୁ ହଟାଇବା ଦାବିକୁ କେନ୍ଦ୍ର କରି ଭାରତରେ ଏ ଯେଉଁ ବିତର୍କ ମୁଣ୍ଡ ଟେକିଛି, ସେଥିରେ ରେଳ ପରିଚାଳନାରେ ଗଭୀର ଜ୍ଞାନ ଓ ବ୍ୟାପକ ଅନୁଭୂତି ଥିବା ଭିଲ୍‌ ଫ୍ରେଡୋ ପାରିଟୋ ସମାଜର ସର୍ବାଧିକ ମଙ୍ଗଳ ସାଧନ ନିମିତ୍ତ କେଉଁ ପକ୍ଷକୁ ସମର୍ଥନ କରନ୍ତେ ତାହା ଅନୁମାନ କରିବା ଆଦୌ କଠିନ ନୁହେଁ; ସେ ନିଶ୍ଚିତ ରୂପେ ପରିବର୍ତ୍ତନକୁ ବିରୋଧ କରୁଥିବା ରାଜେନ୍ଦ୍ର କିଶୋରଙ୍କ ଯୁକ୍ତି ସହିତ ଏକମତ ହୁଅନ୍ତେ, କାରଣ ତାହା ହେଉଛି ତାଙ୍କ ଦୃଷ୍ଟିରେ ଉତ୍ତମ ଅର୍ଥନୀତି, ମନ୍ତ୍ରୀଙ୍କୁ ପରିବର୍ତ୍ତନ କରିବା ଦ୍ବାରା ସମାଜ ମଙ୍ଗଳରେ କୌଣସି ଉନ୍ନତି ଘଟିବ ନାହିଁ। କିନ୍ତୁ ରାଜନୀତି ହେଉଛି ଭିନ୍ନ ‌ଏକ ଖେଳ। କୁହାଯାଇଥାଏ ଅନେକ ସମୟରେ ଯାହା ଉତ୍ତମ ଅର୍ଥନୀତି, ତାହା ହୋଇଥାଏ ଅଧମ ରାଜନୀତି ଏବଂ ଏହାର ବିପରୀତ ମଧ୍ୟ ସତ‌ ହୋଇଥାଏ। ଭାରତ ଭଳି ଏକ କୋଳାହଳପୂର୍ଣ୍ଣ ଗଣତନ୍ତ୍ରରେ ରାଜନୀତି ଅର୍ଥନୈତିକ ବିଜ୍ଞତା ଦ୍ବାରା ପରିଚାଳିତ ହେବା ଅପେକ୍ଷା ଅଧିକ ପ୍ରଭାବିତ ହୋଇଥାଏ ଜନ ଭାବପ୍ରବଣତା ଦ୍ବାରା। ବାସ୍ତବରେ ଗଣତନ୍ତ୍ର ହେଉଛି ଏକ ଭାବପ୍ରବଣତାତନ୍ତ୍ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିରେ ଅଂଶ ଗ୍ରହଣକାରୀ ନେତାମାନେ ସେଥିପାଇଁ ସର୍ବଦା ନିଜର ଭାବମୂର୍ତ୍ତିକୁ ଆକର୍ଷଣୀୟ କରିବା ଉଦ୍ୟମରେ ନିୟୋଜିତ ଥାନ୍ତି। ବାହାନଗା ରେଳ ଦୁର୍ଘଟଣା ଭଳି ହୃଦୟ ବିଦାରକ ଅଘଟଣ ଯେଉଁଭଳି ତୀବ୍ର ଭାବାବେଗର ଜୁଆର ସୃଷ୍ଟି କରିଛି, ତାହା ରେଳମନ୍ତ୍ରୀଙ୍କ ଦିଗରେ ମାଡ଼ିଯିବା ସମ୍ପୂର୍ଣ୍ଣ ସ୍ବାଭାବିକ, କାରଣ ସେ ହେଉଛନ୍ତି ରେଳ ବ୍ୟବସ୍ଥାର ସର୍ବୋଚ୍ଚ କର୍ତ୍ତା।

ରେଳମନ୍ତ୍ରୀଙ୍କର କେଉଁ ‘‘କୁକର୍ମ’’ ପାଇଁ ତାଙ୍କୁ ବିଦାୟ ନେବାକୁ ପଡ଼ିବ ବୋଲି କବି ପଣ୍ଡା ପଚାରିଛନ୍ତି। ସେ ବୋଧହୁଏ ସଚେତନ ନାହାନ୍ତି ଯେ ବର୍ତ୍ତମାନର ଗଣମାଧ୍ୟମ ଯୁଗରେ ଅମର୍ତ୍ୟ ସେନ୍‌ଙ୍କ ତର୍କପ୍ରବଣ ଭାରତୀୟମାନେ (‘ଦି ଆର୍ଗୁମେଣ୍ଟେଟିଭ୍‌ ଇଣ୍ଡିଆନ୍‌’) ପ୍ରତ୍ୟେକ ଏବେ ଜଣେ ଜଣେ ରେଳ ବିଶେଷଜ୍ଞରେ ପରିଣତ ହୋଇଯାଇଛନ୍ତି। ସେମାନେ ରେଳମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ‘କୁକର୍ମ’ର ତାଲିକା ହେଉଛି ବେଶ୍‌ ଲମ୍ବା। ସେଥିରୁ କେତୋଟି ନମୁନା: ରେଳଡବା ତଳୁ ସେ ଫଟୋ ପୋଜ୍‌ ଦେଇଛନ୍ତି; ‘କବଚ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମିତ୍ତ ମଞ୍ଜୁର ଅର୍ଥ ଖର୍ଚ୍ଚ କରାଯାଇନାହିଁ; ଲକ୍ଷାଧିକ ସୁରକ୍ଷା କର୍ମଚାରୀଙ୍କ ପଦ ଖାଲି ପଡ଼ିଛି, ମନ୍ତ୍ରୀ ରେଳ ବିଭାଗ ସମେତ ତିନିତିନିଟି ବଡ଼ ବିଭାଗର ଦାୟିତ୍ବ ବହନ କରୁଛନ୍ତି… ଇତ୍ୟାଦି। ମନ୍ତ୍ରୀ ମଧ୍ୟ ସିଏଜି ରିପୋର୍ଟ ଓ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟକୁ ଅଣଦେଖା କରିଥିବାର ଅଭିଯୋଗ ହୋଇଛି।

ଏହି ପରିପ୍ରେକ୍ଷୀରେ ଅଲିମ୍ପିକ୍‌ସରେ ଅଂଶ ଗ୍ରହଣ କରିବା ପାଇଁ ତାଲିମ ନେଉଥିବା ଜଣେ କ୍ରୀଡ଼ାବିତ୍‌ଙ୍କ ସମ୍ବନ୍ଧରେ ସକ୍ରେଟିସ୍‌ ଓ କ୍ରିଟୋଙ୍କ ମଧ୍ୟରେ ହୋଇଥିବା ଏକ ‌କଥୋପକଥନ ଏଠାରେ ପ୍ରଣିଧାନଯୋଗ୍ୟ। ସକ୍ରେଟିସ୍‌: ଯେତେବେଳେ ଜଣେ ବ୍ୟକ୍ତି ଆନ୍ତରିକତାର ସହିତ ତାଲିମ ନେଉଥାଏ, ସେତେବେଳେ ସେ ବିନା ବାଛବିଚାରରେ ସମସ୍ତଙ୍କର ନିନ୍ଦା ପ୍ରଶଂସା ପ୍ରତି ଧ୍ୟାନ ଦେବା ଉଚିତ, ନା କେବଳ ତାଙ୍କର ଯୋଗ୍ୟ ପ୍ରଶିକ୍ଷକ ବା ଚିକିତ୍ସକଙ୍କ ମନ୍ତବ୍ୟ ପ୍ରତି ଧ୍ୟାନ ଦେବା ଉଚିତ? କ୍ରିଟୋ: ‌େକବଳ ଏକମାତ୍ର ଯୋଗ୍ୟ ବ୍ୟକ୍ତିଙ୍କ ମନ୍ତବ୍ୟ ପ୍ରତି। ସ: ତାହେଲେ ସେ କେବଳ ସେଇ ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ସମାଲୋଚନାକୁ ଭୟ କରିବା ଓ ପ୍ରଶଂସାକୁ ସ୍ବାଗତ କରିବା ଉଚିତ, କିନ୍ତୁ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ବ ପ୍ରଦାନ କରିବା ଉଚିତ ନୁହେଁ? କ୍ରି: ଅବଶ୍ୟ। ସ: ସେ ‌ତା’ହେଲେ ତା’ର କାର୍ଯ୍ୟକଳାପ, ବ୍ୟାୟାମ, ଖାଦ୍ୟପେୟ ଆଦିକୁ ସେଥିରେ ବିଶେଷ ଜ୍ଞାନ ଥିବା ତା’ର ପ୍ରଶିକ୍ଷକଙ୍କ ଉପଦେଶ ଅନୁସାରେ ନିୟନ୍ତ୍ରଣ କରିବା ଉଚିତ, ବାକି ଜନତାଙ୍କ ମତାମତ ଅନୁସାରେ ନୁହେଁ? କ୍ରି: ଅବଶ୍ୟ। ସ: ତୁମେ ତା’ହେଲେ କ’ଣ ଭାବୁନାହଁ କି ସବୁ ମାନବୀୟ ମତାମତକୁ ଗୁରୁତ୍ବ ନ ଦେଇ କେବଳ କେତେକ ମତାମତକୁ ସମ୍ମାନ ଦେବା ହେଉଛି ଏକ ଉତ୍ତମ ନୀତି? … କେବଳ ଉତ୍ତମ ମତାମତକୁ ଧ୍ୟାନ ଦେବା ଉଚିତ, ଅନୁତ୍ତମ ମତାମତକୁ ନୁହେଁ… ବୁଝିଥିବା ଲୋକମାନଙ୍କ ଠାରୁ ଉତ୍ତମ ମତାମତ ମିଳିଥିବା ବେଳେ ବୁଝିନଥିବା ଲୋକମାନଙ୍କ ଠାରୁ ଅନୁତ୍ତମ ମତାମତ ମିଳିଥାଏ। … ତେଣୁ ମୋର ପ୍ରିୟ ବନ୍ଧୁ, ସାଧାରଣ ଜନତା ଆମ ସମ୍ବନ୍ଧରେ କ’ଣ କହୁଛନ୍ତି, ସେ ନେଇ ଆମେ ବ୍ୟସ୍ତ ହେବା ଉଚିତ ନୁହେଁ, କେବଳ ବିଶେଷଜ୍ଞମାନେ ନ୍ୟାୟ ଅନ୍ୟାୟ ସମ୍ବନ୍ଧରେ ଯାହା କହିଥାନ୍ତି, ଆମେ ତାହାକୁ ହିଁ ଗୁରୁତ୍ବ ଦେବା ଉଚିତ। (କଳ୍ପନା କରାଯାଉ ସମ୍ପୃକ୍ତ କ୍ରୀଡ଼ାବିତ୍‌ ଜଣକ ହେଉଛନ୍ତି ଜଣେ ଜାଭେଲିନ୍‌ ଫିଙ୍ଗାଳି ଯିଏ ତାଙ୍କର ପ୍ରଶିକ୍ଷକ ଓ ଡାକ୍ତରଙ୍କ ଉପଦେଶ ପାଳନ କରି ନିଜର ଜଂଘ ମାଂସପେଶୀକୁ ଶକ୍ତ କରିବାରେ ଲାଗିଥିବାରୁ ସେ ଏଥେନ୍‌ସ ନଗରୀ ପାଇଁ ପ୍ରତିଯୋଗିତା ଜିତିବା ଅପେକ୍ଷା ନିଜର ସୁନ୍ଦର ଶରୀର ପ୍ରଦର୍ଶନ କରିବାରେ ଅଧିକ ଆଗ୍ରହୀ ବୋଲି ସାଧାରଣ ଜନତାର ସମାଲୋଚନାର – ସେମାନେ ବିଶ୍ବାସ କରନ୍ତି ଜାଭେଲିନ୍‌ ଫିଙ୍ଗିବା ପାଇଁ କେବଳ ବାହୁ ମାଂସପେଶୀ ଶକ୍ତ ହେବା ଦରକାର – ସମ୍ମୁଖୀନ ହୋଇଛନ୍ତି।)

ତେବେ ଗଣତନ୍ତ୍ର ନୁହେଁ ଏକ ବିଶେଷଜ୍ଞମାନଙ୍କ ଦ୍ବାରା ଶାସନ ତନ୍ତ୍ର। ଏହା ହେଉଛି ସାଧାରଣ ଜନତା ଦ୍ବାରା ଶାସନ ତନ୍ତ୍ର। ପେଲୋପୋନେସୀୟ ଯୁଦ୍ଧରେ ସ୍ପାର୍ଟା ଓ ପା‌ରସ୍ୟର ମିଳିତ ବାହିନୀ ନିକଟରେ ଏଥେନ୍‌ସର ଶୋଚନୀୟ ପରାଜୟ, ନଗରୀରେ ବ୍ୟାପିଥିବା ପ୍ଲେଗ୍‌ ମହାମାରୀ, ଗଣତନ୍ତ୍ରର ଦମନ ଆଦି ବିପର୍ଯ୍ୟୟ ପାଇଁ ନଗରବାସୀମାନେ ଯେତେବେଳେ ଜଣେ କାହାକୁ ଦାୟୀ କରିବାକୁ ଖୋଜିଲେ, ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହେଲା ମଇଳା ଲୁଗାପଟା ପିନ୍ଧି ବଜାରରେ ବୁଲି ବୁଲି ଅଖାଡୁଆ ପ୍ରଶ୍ନମାନ ମାଧ୍ୟମରେ ସତ୍ୟର ପ୍ରସାର କରୁଥିବା ସକ୍ରେଟିସ୍‌ଙ୍କ ଉପରେ। ଜନସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଅଦାଲତରେ ୩୬୦ ଜଣ ଯାକ ଜୁରୀ ସଦସ୍ୟ ସକ୍ରେଟିସ୍‌ଙ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କଲେ ଯାହାକୁ ସକ୍ରେଟିସ୍‌ ମୁଣ୍ଡ ପାତି ଗ୍ରହଣ କରି ବିଷ ପାନ କରି ପ୍ରାଣ ବିସର୍ଜନ କଲେ। ଯଦି ବାହାନଗା ବିପର୍ଯ୍ୟୟ ପାଇଁ ଦେଶବାସୀ ରେଳମନ୍ତ୍ରୀଙ୍କୁ ଉତ୍ତରଦାୟୀ କରନ୍ତି, ସକ୍ରେଟିସୀୟ ପରମ୍ପରା ଅନୁସରଣ କରି ସେ ଇସ୍ତଫା ଦେଇଦେବା ହେଉଛି ଗଣତନ୍ତ୍ରର ନିଷ୍ଠୁର ଆବଶ୍ୟକତା।

ସମ୍ବନ୍ଧିତ ଖବର