ପୋଷାକ ପତ୍ର, ବିଶେଷ କରି ଶାଢ଼ିକୁ ଅନେକ ଦ୍ବିତୀୟ ଚର୍ମର ଆଖ୍ୟା ଦେଇଥାନ୍ତି। ସେଭଳି ମତାବଲମ୍ବୀମାନଙ୍କ ଦୃଷ୍ଟିରେ ପରିଧାନ ଭାବେ ଶାଢ଼ି ଜଣକ ବ୍ୟକ୍ତିତ୍ବକୁ ପରିପୂର୍ଣ୍ଣ ଢଙ୍ଗରେ ଉଭୟ ଢାଙ୍କେ ଓ ଫୁଟାଏ। ଅବଶ୍ୟ ଉପରୋକ୍ତ ବକ୍ତବ୍ୟ ଯଦି ବ୍ୟକ୍ତି ପସନ୍ଦର ବିକଳ୍ପ ଚୟନକୁ ଅସ୍ବୀକାର କରୁଥିବାର ଲାଗେ, ତେବେ ତାହା ଏକ ପୁରୁଣାକାଳିଆ ଓ ଏକବାଗିଆ ଆଭିମୁଖ୍ୟ ଭାବେ ଯଥାର୍ଥରେ ସମାଲୋଚିତ ହୁଏ। କାରଣ ସୁବିଧା,ଜଳବାୟୁ, ପ୍ରୟୋଜନୀୟତା, ଅବସରଭିତ୍ତିକ ସୌଜନ୍ୟ ଓ ସ୍ବ-ରୁଚି ଆଧାରରେ ଅନେକ ଯେଉଁ ଯେଉଁ ପରିଧାନ ବାଛିଥାନ୍ତି, ସେସବୁ ଭିତରେ ଅନ୍ତର୍ଭୁକ୍ତ ସଲ୍‌ୱାର୍‌ କମିଜ୍‌, ଏକଜିକ୍ୟୁଟିଭ୍‌ ସୁଟ୍‌ ସାର୍ଟ, ଜିନ୍‌ ଜ୍ୟାକେଟ୍‌ ଓ ଆହୁରି କେତେ କ’ଣ! ଶାଢ଼ି ଆଧୁନିକ ସମୟର ଏକମାତ୍ର ଆଦୃତ ପରିଧାନ ନୁହେଁ।

Advertisment

କିନ୍ତୁ ପ୍ରାୟ ଦୁଇ ମାସ ତଳେ ଶାଢ଼ିର ନନ୍ଦନ ତତ୍ତ୍ବ ଓ ମତାଦର୍ଶର ପରାକାଷ୍ଠା ପୁଣି ଥରେ ପ୍ରକଟ ଲାଭ କରିଥିଲା ମାଞ୍ଚେଷ୍ଟର ମାରାଥନ୍‌ ଦୌଡ଼ କାଳରେ ଯେଉଁଠି ୪୧ ବର୍ଷ ବୟସ୍କା ମଧୁମିତା ଜେନା- ଦାସ ଶାଢ଼ି ପିନ୍ଧି ଦୌଢ଼ରେ ଅଂଶଗ୍ରହଣ କରିଥିଲେ। ମଧୁମିତା‌ ଓଡ଼ିଶାର। ଇଂଲଣ୍ଡରେ ସିଏ ଜଣେ ଶିକ୍ଷୟତ୍ରୀ। ସେ ମାରାଥନ୍‌ଟି ଥିଲା ପ୍ରାୟ ୪୨.୫ କି.ମି ଦୂରତାର, ଯାହାକୁ ସିଏ ଅତିକ୍ରମ କରିଥିଲେ ୪ ଘଣ୍ଟା‌ ୫୦ ମିନିଟ୍‌ରେ। ଦେଖଣାହାରୀଙ୍କ ପ୍ରେରଣାପ୍ରଦ ଓ ପ୍ରଶଂସାସୂଚକ ଉଚ୍ଚାରଣ ଥିଲା- ମଧୁ ମଧୁ। ଶାଢ଼ି ପିନ୍ଧି ଦୌଡୁଥିବାରେ ସେ ମାରାଥନ୍‌ର ସିଏ ଥିଲେ ଏକମାତ୍ର ବ୍ୟକ୍ତି, ଏକମାତ୍ର ମହିଳା। ସିଏ କହିନ୍ତି ଯେ ଯେଉଁମାନେ ଭାବନ୍ତି ଶାଢ଼ି ପିନ୍ଧି ମହିଳାମାନେ ଦୌଡ଼ି ପାରିବେନି ମୁଁ ସେମାନଙ୍କୁ ଭୁଲ୍‌ ପ୍ରମାଣିତ କଲି। କାହିଁକି ନା ମୁଁ ମଧ୍ୟ ଜାଣିଛି ଓ ଦେଖି ଆସିଛି ଯେ ଆମ ମା ଓ ଆଈମାମାନେ ଶାଢ଼ି ପିନ୍ଧି ଦୁନିଆ ଯାକର କାମ କରିବାର। ରଜ ବେଳେ ଆମ ବୋଉ, ଭଉଣୀ ଓ ଭାଉଜମାନେ ଶାଢ଼ି ପିନ୍ଧି ଅନାୟସରେ ଦୋଳି ଖେଳୁଥିବାର ଏବଂ ମାଟି ଓ ଶୂନ୍ୟ ଭିତରେ ମହାନନ୍ଦରେ ଚଳପ୍ରଚଳ ହେଉଥିବାର ବାରମ୍ବାର ଆମେ ଦେଖି ଆସିଛେ।

ନାଲି-କମଳା ରଙ୍ଗ ବିଶିଷ୍ଟ ଥିଲା ମଧୁମିତା ପିନ୍ଧିଥିବା ଶାଢ଼ି। ସମ୍ବଲପୁରୀ ଅଥବା ଖଣ୍ଡୁଆ ଶାଢ଼ି। ଭାଷା- ପରିଭାଷା ଦୃଷ୍ଟିକୋଣରୁ ସେ ଶାଢ଼ି ଭାରତର ଐତିହ୍ୟ ସାଙ୍ଗକୁ ଓଡ଼ିଶାର ଅସ୍ମିତାର, ଓଡ଼ିଶାର ଲୋକ ଓ ପ୍ରାଜାତିକ ପରିଚିତିର ପ୍ରତିନିଧିତ୍ବ କଲା ବୋଲି କହିଲେ ଭୁଲ୍‌ ହେବନି। ବିଦେଶ ମାଟିରେ ସ୍ବଦେଶୀ ମୂଳ ଦେଶର ପୋଷାକ ପିନ୍ଧିବା କମ୍‌ କଥା ନୁହେଁ। ପୁଣି ସେ ଶାଢ଼ି ସହ ଧାବିକା ମଧୁମିତାଙ୍କ ଆବେଗ, ଭାବନା ଓ ସ୍ମୃତି ବୋଳି ହୋଇ ରହିଥିଲା। ଶାଢ଼ିଟି ଥିଲା ତାଙ୍କ ମା’ଙ୍କର। ଯାହା ତାଙ୍କ ମା ପ୍ରଥମେ ପିନ୍ଧିଥିଲେ ନିଜ ବିବାହ ସମୟରେ ୪୫ ବର୍ଷତଳେ। ଅବଶ୍ୟ ମଧୁମିତା ଆଗରୁ ଟ୍ରାକ୍‌ସୁଟ୍‌ ପିନ୍ଧି ୩୭ଟି ମାରାଥନ୍‌ ଦୌଡ଼ି ସାରିଛନ୍ତି। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ନିଜେ ଜନନୀ ହେବା ପରେ ମଧୁମିତା ଦୌଡ଼ିବା କ୍ଷେତ୍ରକୁ ଆସିଲେ। କାରଣ ତାଙ୍କର ଧାରଣା ଜଣେ ମହିଳା ଘରୁ ବାହାରିବା ଦରକାର, ନିଜ ପାଇଁ ସମୟ କାଢ଼ିବା ଦରକାର। ସିଏ ପୁଣି ସେଠି ଓଡ଼ିଶୀ ନୃତ୍ୟର କୋରିଓଗ୍ରାଫି କରନ୍ତି ଓ ସେଠାକାର ପ୍ରବାସୀ ଓଡ଼ିଆ ସଂପ୍ରଦାୟର ଜଣେ ସକ୍ରିୟ ସଦସ୍ୟା।

ଶାଢ଼ି କଥା ଉଠିଲେ ମଦର ଟେରେସାଙ୍କ ଉଦାହରଣ ଅନ୍ୟ କେତେ ଜଣଙ୍କ ଭିତରେ ଆଗ ମନରେ ଉଙ୍କି ମାରେ। ନୀଳ ଧଡ଼ି ଘେରା ଧଳା ରଙ୍ଗର ଶାଢ଼ି ବେଢ଼ି ଥାଏ ତାଙ୍କ କ୍ଷଣଭଙ୍ଗୁର ଓ ଅଳ୍ପ ଓଜନର ଶରୀରକୁ; କିନ୍ତ ଅତି ମାମୁଲି ଲାଗୁଥିବା ସେ ଶାଢ଼ିଟି ସତରେ ସେବା, ପ୍ରାର୍ଥନା ଓ କରୁଣାର ଜୀବନ୍ତ ପରିପାଟୀ ଏବଂ ପବିତ୍ର ପ୍ରତୀକ। ତାଙ୍କ କାମ ଭଳି ତାଙ୍କ ପୋଷାକ ବି ସରଳ ଓ ସୁନ୍ଦର। ଯଦି କିଏ କେବେ ପ୍ରଥମ ଥର ପାଇଁ ବନାରସ ଯାଆନ୍ତି, ତେବେ ତାଙ୍କୁ ପରିବାରର ଅଭିଜ୍ଞ ଓ ବରିଷ୍ଠମାନେ କହନ୍ତି- ଗଙ୍ଗା ଆଳତି ଦେଖିବୁ, କାଶୀ ବିଶ୍ବନାଥ ଦର୍ଶନ କରିବୁ, କାଶୀ ବିଦ୍ୟାପୀଠ/ବି.ଏଚ୍‌.ୟୁ ଘେରାଏ ବୁଲି ଆସିବୁ, ସାରନାଥ ଆ‌େଡ଼ ଟିକେ ଯିବୁ; ହେଲେ ଫେରିବା ଆଗରୁ ବନାରସୀ ଶାଢ଼ି କେଇ ଖଣ୍ଡ ଆଣିବାକୁ ନ ଭୁଲୁ ଯେମିତି! ବିଖ୍ୟାତ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ଶକୁନ୍ତଳା ଓ ଦମୟନ୍ତୀ ଚିତ୍ରରେ ଶାଢ଼ି ମଣିଷର ଚର୍ମ ଠାରୁ ଅଧିକ ପ୍ରାକୃତିକ ଓ ସ୍ବାଭାବିକ ସାଜି ଚରିତ୍ର ଦ୍ବୟଙ୍କୁ ଅବିକଳ ପ୍ରକୃତି ସମ୍ପନ୍ନ କରି ଉପସ୍ଥାପନ କରେ।

ଦଶହରା ବେଳେ କଲିକତାର ପୂଜା ମଣ୍ଡପମାନଙ୍କରେ ମହିଳାମାନଙ୍କ ସାମୂହିକ ଶାଢ଼ି ପିନ୍ଧା ଏକ ପ୍ରଗତିଶୀଳ ସାଂସ୍କୃତିକ ଭଗିନୀ ଭାବର ପ୍ରଗାଢ଼ ଗଣତନ୍ତ୍ର ସୃଷ୍ଟି କରେ, ଯାହାର ବାମାବାଦୀ ବା ଫେମିନିଷ୍ଟ ଦିଗ ବେଶ୍‌ ଉଜ୍ଜ୍ବଳ। ସାବିତ୍ରୀ ସମୟରେ ଶାଢ଼ି କିଭଳି ହସ-ହର୍ଷ ଅଥବା ମାନ-ଅଭିମାନର ନିର୍ଣ୍ଣାୟକ କାରଣ ହୋଇପାରେ, ତାହା ଓଡ଼ିଶାର ଘରେ ଘରେ ଜଣା। ଆମ ଦେଶର ନିମ୍ନ ମଧ୍ୟବିତ୍ତ ପରିବାରମାନଙ୍କରେ ଶାଢ଼ିର ବିବିଧ ବ୍ୟବହାର ଶାଢ଼ିର ଜନପ୍ରିୟତା ବଢ଼େଇ ଦିଏ- ଶାଢ଼ିରୁ ତିଆରି ପରଦା ବଖୁରିକିଆ ଘର ଭିତରେ ସମସ୍ତଙ୍କ ପାଇଁ ଛୋଟ ଛୋଟ କୋଠରିମାନ ସମ୍ଭବ କରିଦିଏ, ଯାହା ପ୍ରତ୍ୟେକ ସଦସ୍ୟ ସଦସ୍ୟାଙ୍କ କାମରେ ଲାଗେ। ଚିରି ଯାଇଥିବା ଓ ଆଉ କାମରେ ଲାଗୁ ନ ଥିବା ଶାଢ଼ି ଭିନ୍ନ କାମରେ ବ୍ୟବହୃତ ହୁଏ- ଏଇ ଯେମିତି ଝୁଲଣା, ଚଦର ଓ କନ୍ଥା ଉପାଦାନ ଭାବେ। ବେଳେବେଳେ ରକ୍ଷଣଶୀଳ ଓ ରୁଢ଼ିବାଦୀ ମାନସିକତା ଶାଢ଼ିର ପିନ୍ଧିବା ଶୈଳୀକୁ ଭିତ୍ତି କରି ସଣ୍ଠଣାର ସଂଜ୍ଞା ନିରୂପଣ କରେ- ଓଢ଼ଣି ଓ କାନି ଏମିତି ଏମିତି ରହିବା ଦରକାର। ଏ ପ୍ରକାରର ସାମାଜିକ ନିୟନ୍ତ୍ରଣ ବ୍ୟକ୍ତି ସ୍ବାଧୀନତା ବିରୋଧୀ ଓ ସର୍ବଦା ବର୍ଜନୀୟ। ପ୍ରାସଙ୍ଗିକତା ଦୃଷ୍ଟିରୁ କେତେକ କ୍ଷେତ୍ରରେ ଶାଢ଼ି ଛଡ଼ା ଅନ୍ୟ ପୋଷାକ ଅଧିକ ବ୍ୟବହୃତ ହୁଏ- ମନେ କରାଯାଉ ଜଣକର ଶୀଘ୍ର ଶୀଘ୍ର ଗାଡ଼ି ବଦଳେଇବାର ଅଛି, ଧରନ୍ତୁ ମୋ ବସ୍‌ରୁ ଓହ୍ଲେଇ ସା‌େଙ୍ଗ ସାଙ୍ଗେ ବନ୍ଦେ ଭାରତ ଧରିବାର ଅଛି କିମ୍ବା ବମ୍ବେରେ ଚର୍ଚ୍ଚ ଗେଟ୍‌ରେ ଲୋକାଲ୍‌ ଟ୍ରେନ୍‌ରେ ଚଢ଼ି ଅନ୍ଧେରୀରେ ଓହ୍ଲେଇବାର ଅଛି, ତେବେ ସେ କ୍ଷେତ୍ରରେ ଶାଢ଼ି ପିନ୍ଧିଲେ ହୁଏତ ଅସୁବିଧା ହୋଇପାରେ।

ମାଞ୍ଚେଷ୍ଟର ମାରାଥନ୍‌ରେ ମଧୁମିତାଙ୍କ ଶାଢ଼ି ପିନ୍ଧା ଅଂଶ ଗ୍ରହଣ ସହ ଅନେକ ଐତିହାସିକ ପ୍ରସଙ୍ଗ ବି ଯୋଡ଼ି ହେବ, ଯାହା ଭିତରେ ସାମିଲ ଭାର‌ତ‌େର ବ୍ରିଟିସ ଉପନିବେଶବାଦ ଓ ତା’ ବିରୋଧରେ ଭାରତର ସ୍ବାଧୀନତା ଆନ୍ଦୋଳନ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ସଂଗଠିତ ହୋଇଥିବା ସେ ସଂଗ୍ରାମରେ ସ୍ବଦେଶୀ ପୋଷାକର ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ। ସେଇ ପର୍ଯ୍ୟାୟରେ ଖଦୀର ଅବଦାନ ଥିଲା ଯଥେଷ୍ଟ। ଉଭୟ ସୂତା ଓ ସୂତ୍ର, ବସ୍ତ୍ର ଓ ବିଚାର ରୂପେ ବିବେଚିତ ହେଉଥିଲେ ଖଦୀ। ବିକଳ୍ପ ବିକାଶ ଓ ଆଧୁନିକତା ପଦ୍ଧତିର ଏକ ଅହିଂସ ଆୟୁଧର ସ୍ବରୂପ ଧାରଣ କରିଥିଲା ଖଦୀ। ଖଦୀ ଥିଲା ସ୍ବାଧୀନତା ସଂଘର୍ଷର ରାଜନୀତିକ ୟୁନିଫର୍ମ। ସ୍ବଦେଶୀ ଶ୍ରମ, କଳା, ‌େକୗଶଳ ଓ ପୁଞ୍ଜି ସହ ସମ୍ପର୍କ ରଖୁଥିବା ଖଦୀର ନିବିଡ଼ ସମ୍ବନ୍ଧ ଥିଲା ହସ୍ତତନ୍ତ ସାଙ୍ଗରେ। କିନ୍ତୁ ଭାରତୀୟ ହସ୍ତତନ୍ତକୁ ହନ୍ତସନ୍ତ କରି ଉଜାଡ଼ି ଦେବାକୁ ବଦ୍ଧ ପରିକର ଥିଲା ବ୍ରିଟିସ୍‌ କଳ ଲୁଗା ବ୍ୟବସ୍ଥା ଏବଂ ସେ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ କେନ୍ଦ୍ର ଥିଲା ମାଞ୍ଚେଷ୍ଟର ସହର। ସୂତା ଶିଳ୍ପ ମାଞ୍ଚେଷ୍ଟରର ଚେହେରା ବଦଳେଇ ଦେଇଥିଲା।

୧୭୧୭ ମସିହାରେ ତାହା ଥିଲା ଏକ ବଜାର ଟାଉନ୍‌ ଓ ମାତ୍ର ୧୦,୦୦୦ ଲୋକସଂଖ୍ୟା ବିଶିଷ୍ଟ। କିନ୍ତୁ ୧୮୫୧ ମସିହା ବେଳକୁ ସେଠି ଆଗରୁ ଉଲ୍ଲେଖ କରାଯାଇଥିବା ଶିଳ୍ପ ଏମିତି ସମୃଦ୍ଧି ଆଣି ଦେଇଥିଲା ଯେ ମାଞ୍ଚେଷ୍ଟର ସହରର ଲୋକସଂଖ୍ୟା ତିନି ଲକ୍ଷ ଛୁଇଁଥିଲା ଏବଂ ବାଣିଜ୍ୟ, ବ୍ୟବସାୟ ଓ ଉତ୍ପାଦନର ପେଣ୍ଠ ସ୍ଥଳୀ ପାଲଟି ଯାଇଥିଲା ମାଞ୍ଚେଷ୍ଟର। ମାଞ୍ଚେଷ୍ଟର ପ୍ରଭୃତିର ସମୃଦ୍ଧି ଭାରତର ଶସ୍ତା ଓ ସହଜ ଲବ୍‌ଧ ଶ୍ରମ ଶକ୍ତି ତଥା କଞ୍ଚାମାଲକୁ ଶୋଷଣ କରି ସାଧିତ ହୋଇଥିଲା ବୋଲି କୁହାଯାଏ। ସେଭଳି ପୃଷ୍ଠଭୂମିରେ ୧୮୫୭୭ ଅଂଶ ଗ୍ରହଣକାରୀଙ୍କ ଭିତରେ ଏକମାତ୍ର ଶାଢ଼ି ପରିହିତା ମଧୁମିତାଙ୍କ ମାଞ୍ଚେଷ୍ଟର ମାରାଥନ୍‌ରେ ଦୌଡ଼ିବା ଥିଲା ଏକ ପ୍ରକାରେ ଇତିହାସର ଏକ ନିନ୍ଦନୀୟ ଅଧ୍ୟାୟ ବିରୋଧରେ ସଶକ୍ତ ପ୍ରତିବାଦ; ସେହି ଦୃଷ୍ଟିରୁ ମଧୁମିତାଙ୍କ ଋଷି ସନକ ମୁହୂର୍ତ୍ତ। ସେଠି ମଧୁମିତାଙ୍କ ଶାଢ଼ିର ସନ୍ଦେଶ ଥିଲା କୋମଳ, ଗଭୀର ଓ ଗମ୍ଭୀର। ଏଇ ଖବରକାଗଜରେ ୨୧ ଏପ୍ରିଲର ଅନ୍ତର୍ଦୃଷ୍ଟି ସମ୍ପନ୍ନ ସଂପାଦକୀୟଟିର ଭାଷାରେ ସେଠାରେ (ମାଞ୍ଚେଷ୍ଟରରେ) ‘ଶାଢ଼ିର ପତାକା ଉଡ଼ିଛି।’

ବାମାବାଦୀ ବିମର୍ଶର ଅନ୍ୟତମ ସ୍ବାକ୍ଷର ସ୍ଲୋଗାନ୍‌ ହେଲା- ବ୍ୟକ୍ତିଗତ ହିଁ ରାଜନୀତିକ, ବ୍ୟକ୍ତିଗତ ଧାରଣ କରେ ରାଜନୀତିକର ରୂପ। କିଏ କ’ଣ ଖାଇବେ, ପିନ୍ଧିବେ, ନିଜ ସକାଶେ ବାଛିବେ ସେ କ୍ଷେତ୍ରରେ ଅନ୍ତିମ ନିଷ୍ପତ୍ତି ନେବାର ଅଧିକାର ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ନିକଟରେ ରହିବା ଦରକାର। କାରଣ ସ୍ବାଧୀନତାର ଅସଲ ଅର୍ଥ ହେଲା ନିଜ ଦେହ ଓ ମନ ଉପରେ ଜଣେ ବ୍ୟକ୍ତିର ଅଖଣ୍ଡ ତଥା ହସ୍ତକ୍ଷେପ ରହିତ ସ୍ବାୟତ୍ତ ଶାସନ। ସେ ଭଳି ସ୍ବାଧୀନତା ମଧ୍ୟ ମଧୁମିତା ଉପଭୋଗ କରିଥିଲେ ମାଞ୍ଚେଷ୍ଟର ମାରାଥନ୍‌ରେ।

ପରିଧାନର ଭାଷା-ପରିଭାଷା ଦେଇ ସଂସ୍କୃତି, ଇତିହାସ ଓ ଐତିହ୍ୟର ଚମତ୍କାର ଜୀବନୀ ମଧ୍ୟ ଲେଖା ଯାଇପାରେ। କବୀରଙ୍କୁ ଅନେକ ସତୀର୍ଥ ଏକାଧିକ ଥର ପ୍ରବର୍ତ୍ତେଇଲେ, ଏକ ପ୍ରକାରେ ବାଧ୍ୟ ‌କରିବାରେ ଲାଗିଲେ, ଯେ ସେ ଏଇ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧନ୍ତୁ ! କବୀର ହସି ଦେଇ କହିଥିଲେ- ମନକୁ ରଙ୍ଗାଇ ପାରୁନା ବୋଲି ଯୋଗୀ ଦେହକୁ ରଙ୍ଗାଉଛ କି? ମଧୁମିତାଙ୍କ ପରିଧାନ, ଲାଗେ, ଉଭୟ ଦେହ ଓ ମନକୁ ରଙ୍ଗାଇ ପାରିଥିଲା ଏବଂ ସେ ଅବସରରେ- ଖାଲି ନିଜର ନୁହେଁ, ଅନ୍ୟ ଅନେକଙ୍କର ମଧ୍ୟ। ସେଠି ଉପସ୍ଥିତ କେହି କେହି ଗାଇବା ଆରମ୍ଭ କରି ଦେଇଥିଲେ- ଶାଢ଼ି ଜହାଁ ସେ ଅଚ୍ଛୀ!
ମୋ: ୯୪୩୭୩୦୭୦୭୯