ଆଧୁନିକ ଓଡ଼ିଶାର ଆଦ୍ୟ ନିର୍ମାତା ଭାବରେ ମଧୁସୂଦନ ଦାସ (୧୮୪୮-୧୯୩୪)ଙ୍କର ଅନେକ ଯୋଗଦାନ। ଏ ନେଇ ଚର୍ଚ୍ଚା ମଧ୍ୟ କିଛି କମ୍ ନାହିଁ। ମାତ୍ର ମହାଭାରତୀୟ ଜାତୀୟତାର ପଟଳରେ ତାଙ୍କ ଭୂମିକା ସମ୍ବନ୍ଧରେ ମଧ୍ୟ ବୌଦ୍ଧିକ ଚର୍ଚ୍ଚାର ଲୋଡ଼ା ରହିଛି। ଊନବିଂଶ ଶତାବ୍ଦୀର ଶେଷାର୍ଧ ଏବଂ ବିଂଶ ଶତାବ୍ଦୀର ପ୍ରଥମାର୍ଧ ଥିଲା ଆଧୁନିକ ଭାରତ ଗଠନର କାଳଖଣ୍ଡ। ସେହି ଅବଧିରେ ଦାଦାଭାଇ ନାରୋଜୀ, ଗୋପାଳକୃଷ୍ଣ ଗୋଖଲେ, ସୁରେନ୍ଦ୍ର ନାଥ ବାନାର୍ଜୀ ଏବଂ ବାଳ ଗଙ୍ଗାଧର ତିଳକ ଆଦି ଆଧୁନିକ ଭାରତର ନିଅଁ ଢାଳିଥିଲେ, ଯାହା ଦେଶକୁ କେବଳ ସ୍ବାଧୀନତା ଲାଭ କରିବାରେ ନୁହେଁ, ଏକ ଧର୍ମନିରପେକ୍ଷ, ସମତାବାଦୀ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବରେ ଗଢ଼ି ଉଠିବାରେ ସାହାଯ୍ୟ କରିଥିଲା। ଏହି ଭୂମିକା ସମକାଳୀନ ମଧୁବାବୁଙ୍କର ମଧ୍ୟ ରହିଥିଲା, ଯଦିଓ ପରବର୍ତ୍ତୀ ସମୟରେ ବୌଦ୍ଧିକ ଚର୍ଚ୍ଚାର ସୀମିତତା ଯୋଗୁଁ ତାଙ୍କୁ ପୂର୍ବୋକ୍ତ ରାଷ୍ଟ୍ର-ପୁରୁଷମାନଙ୍କ ଶୃଙ୍ଖଳାରେ ସ୍ଥାନ ମିଳିପାରି ନାହିଁ।
ଉଦାହରଣ ସ୍ବରୂପ ୧୯୫୦ରେ ଗୃହୀତ ସଂବିଧାନରେ ଭାରତ ଏକ ରାଷ୍ଟ୍ର ସଂଘ ହେଲା, ଯାହାର ମୂଳ ଆଧାର ହେଲା ଭାଷା ଓ ସଂସ୍କୃତିଗତ ଆଞ୍ଚଳିକ ବିବିଧତା। ମଧୁବାବୁ ତାଙ୍କ ସମଗ୍ର ରାଜନୈତିକ ଜୀବନରେ ଏହି ବିବିଧତାକୁ ଓଡ଼ିଶା ପରିପ୍ରେକ୍ଷୀରେ ନିରନ୍ତର ଚିହ୍ନାଇବାକୁ ପ୍ରୟାସ କରିଥିଲେ। ଅଙ୍ଗପ୍ରତ୍ୟଙ୍ଗ ଅବିକଶିତ ରହିଲେ, ଶରୀର କେବେ ସୁସ୍ଥ ରହି ନ ପାରେ; ଉତ୍କଳର ଭାଷା-ସଂସ୍କୃତିର ଅସ୍ମିତାକୁ ଅବହେଳା କରି ଭାରତ ମାତା କେବେ ଆଧୁନିକ ବିକାଶକୁ ଲାଭ କରି ନ ପାରେ! ଉତ୍କଳୀୟ ଅସ୍ମିତାର ତାଙ୍କର ଏହି ଦାବିକୁ ପରିଶେଷରେ ୧୯୧୯ରେ ସ୍ବତନ୍ତ୍ର ଓଡ଼ିଶା ଗଠନର ଦୀର୍ଘ ୧୭ ବର୍ଷ ପୂର୍ବରୁ ଜାତୀୟ କଂଗ୍ରେସ ସ୍ବୀକାର କଲା। ଫଳରେ ସ୍ବାଧୀନତା ଉତ୍ତାରୁ ଏହି ବିଚାର ଦେଶକୁ ଦୃଢ଼ କଲା, ଯାହାର ଅଭାବରେ ପାକିସ୍ତାନ ୧୯୭୧ରେ ଦ୍ବିଖଣ୍ଡିତ ହେଲା। ମଧୁବାବୁ ସଂଘୀୟ ଆଦର୍ଶର ସପକ୍ଷବାଦୀ ଥିଲେ। ରାଷ୍ଟ୍ରର ମଙ୍ଗଳ ଲାଗି ସବୁ ପ୍ରାନ୍ତର ଆଞ୍ଚଳିକ ଅସ୍ମିତା ସମ ପରିମାଣରେ ଗୁରୁତ୍ବପୂର୍ଣ୍ଣ ବୋଲି ସେ ବିଚାର କରୁଥିଲେ। ତେଣୁ ତାଙ୍କୁ ସଂକୀର୍ଣ୍ଣ ଆଞ୍ଚଳିକବାଦର ପ୍ରବକ୍ତା େବାଲି କୁହାଯାଇ ନ ପାରେ। ତେବେ, କେବଳ ମଧୁବାବୁ ନୁହନ୍ତି, ସେହି ସମୟରେ ଅନେକ ପ୍ରଗତିଶୀଳ ଚିନ୍ତାଧାରା ସଂପନ୍ନ ବ୍ୟକ୍ତିବିଶେଷ ତାଙ୍କ ଭଳି ବିଚାର କରୁଥିଲେ।
ଜାତୀୟତାର ସେହି ଉନ୍ମେଷ କାଳରେ ଆଉ ଅନେକଙ୍କ ଭଳି ମଧୁବାବୁ ଶୁଦ୍ଧ ଉଦାରବାଦୀ ରାଜନୀତିର ପକ୍ଷଧର ଥିଲେ ଏବଂ ଶେଷ ଯାଏଁ ତହିଁରୁ ବଦଳି ନ ଥିଲେ, ଯାହା ତାଙ୍କ ବୌଦ୍ଧିକ କ୍ରମ ବିବର୍ତ୍ତନର ଧାରାରେ ଅନେକ ବାଧା ପହଞ୍ଚାଇଥିଲା। ସେହି ବିଚାରରେ ସେ ଭାବୁଥିଲେ ଯେ ‘ଗଣତନ୍ତ୍ରର ଜନନୀ’ ଇଂରେଜ ଜାତି ଭାରତକୁ ମଧ୍ୟ ତା’ ନିଜ ଦେଶ ଭଳି ବିକାଶ ଓ ପ୍ରଗତିର ମାର୍ଗରେ ପରିଚାଳିତ କରିବେ। ଜାତୀୟବାଦୀଙ୍କ ଦାୟିତ୍ବ ହେଲା ଇଂରେଜ ସରକାରକୁ ସେହି ଲକ୍ଷ୍ୟରେ ବୌଦ୍ଧିକ ସହଯୋଗ ପ୍ରଦାନ କରିବା! ସେହି କାରଣରୁ ମଧୁବାବୁ ଇଂରେଜମାନଙ୍କୁ ଅସହଯୋଗ କରିବା କଥା କେବେ ଚିନ୍ତା କରିପାରୁନଥିଲେ। ମାତ୍ର ସମୟ କ୍ରମେ ଭାରତର ଜାତୀୟତା ବିଚାରରେ ଅନୁଭୂତ ହେଲା ଯେ ଇଂରେଜ ସରକାର ମୂଳତଃ ଉପନିବେଶବାଦୀ ଏବଂ ଭାରତରେ ଯାହା ବି କରୁଛି, ତାହା ନିଜ ସ୍ବାର୍ଥ ରକ୍ଷା ପାଇଁ; ଭାରତର ଆଧୁନିକ ପ୍ରଗତି ତାହାର ଆଦୌ ଲକ୍ଷ୍ୟ ନୁହେଁ। ୧୯୨୦ ବେଳକୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ବ୍ରିଟିସ ସରକାରକୁ ‘ଅସହଯୋଗ’ କରିବା ଲାଗି ନିଷ୍ପତ୍ତି ନିଆଗଲା।
ଏହାର ଦଶ ବର୍ଷ ଉତ୍ତାରୁ ‘ଆଇନ ଅମାନ୍ୟ’ ପାଇଁ ଆହ୍ବାନ ଦିଆଗଲା। ଏହି ଉଭୟ ଅବସରରେ ମଧୁବାବୁ ରାଜନୀତିରେ ସକ୍ରିୟ ଥିଲେ ଏବଂ ଅସହଯୋଗ କିମ୍ବା ଆଇନ ଅମାନ୍ୟର ପନ୍ଥାକୁ ବିରୋଧ କରୁଥିଲେ। ଅସହଯୋଗ ସମୟରେ ସେ ବିହାର-ଓଡ଼ିଶା ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ଏବଂ ୧୯୨୮ରେ ସାଇମନ କମିସନକୁ ବର୍ଜନ କରିବା ଭାରତୀୟ ରାଷ୍ଟ୍ରୀୟତାର ମୁଖ୍ୟ ଆହ୍ବାନ ହୋଇଥିବା ବେଳେ ଓଡ଼ିଶା ପ୍ରଦେଶ ଗଠନର ଲକ୍ଷ୍ୟକୁ ତ୍ବରାନ୍ବିତ କରିବା ଆଶାରେ ସେ ପାଟନା ଯାଇ କମିସନକୁ ସ୍ବାଗତ କରିଥିଲେ। ହେଲେ, ଏଥିପାଇଁ ତାଙ୍କୁ କ’ଣ ‘ରାଷ୍ଟ୍ରବିରୋଧୀ’ର ଅପଖ୍ୟାତ ଦିଆଯିବ? ୧୯୨୦ ପରେ ଜାତୀୟ କାର୍ଯ୍ୟରେ ପୁଲିସ ହାତରେ ଗିରଫ ହେବା, ଜେଲ ଯିବା, ଲାଠି-ଗୁଳି ଖାଇବା ଆଦି ରାଷ୍ଟ୍ରଭକ୍ତିର ପ୍ରତୀକ ରୂପେ ବିବେଚିତ ହେଲା।
ମାତ୍ର ମଧୁବାବୁ ଥରେ ବି ଜେଲ ଯାଇନଥିଲେ, ତଥାପି ତାଙ୍କ ରାଷ୍ଟ୍ରୀୟତା ସର୍ବଦା ସନ୍ଦେହର ଊର୍ଦ୍ଧ୍ବରେ। ଏ କଥା ସ୍ବାଧୀନତା ଆନ୍ଦୋଳନର ଶିଖର ନେତା ମହାତ୍ମା ଗାନ୍ଧୀ ବୁଝିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ବୈଚାରିକ ମତ ଭିନ୍ନତା ଥିବା ସତ୍ତ୍ବେ ୧୯୨୫ରେ ମଧୁବାବୁଙ୍କୁ ସାକ୍ଷାତ କରିବା ଲାଗି ତଥା ‘ଉତ୍କଳ ଟ୍ୟାନେରି’କୁ ଆର୍ଥିକ ଦୁରବସ୍ଥାରୁ ରକ୍ଷା କରିବା ଲାଗି ଦିନକ ଲାଗି କଟକ ଆସିଥିଲେ। ଗାନ୍ଧୀଜୀ ଏବଂ ଓଡ଼ିଶାରେ ଗାନ୍ଧୀ ବିଚାରର ପ୍ରମୁଖ ପୁରୋଧା ଗୋପବନ୍ଧୁ ଦାସ ବୁଝିଥିଲେ ଯେ ଜଣେ ମୌଳିକ ଚିନ୍ତକ ଭାବରେ ମଧୁସୂଦନ ଗାନ୍ଧୀ କିମ୍ବା ଆଉ କାହାର ଅନ୍ଧ-ଭକ୍ତ ହୋଇ ନ ପାରନ୍ତି! ମତ-ଭିନ୍ନତା ସତ୍ତ୍ବେ କସ୍ମିନ କାଳେ ମଧୁବାବୁ ଜାତୀୟତାର ପ୍ରବାହରେ ଅପାଙ୍କ୍ତେୟ ହେଇ ନ ପାରନ୍ତି!
କେବଳ ମଧୁବାବୁ ନୁହନ୍ତି, ଭାରତରେ ଜାତୀୟତାର ନିଅଁ ପକାଇ ଥିବା ରାଜା ରାମମୋହନ ରାୟ ଓ ଦାଦାଭାଇ ନାରୋଜୀ ମଧ୍ୟ ଭାବୁଥିଲେ ଯେ ଇଂରେଜ ସରକାରର ସହଯୋଗରେ ଦେଶ ଆଧୁନିକ ବିକାଶ ଓ ପ୍ରଗତି ଲାଭ କରିବ। ମାତ୍ର ମଧୁବାବୁ ଇଂରେଜ ସରକାର ପ୍ରତି ଉଦାର ମନୋଭାବ ରଖୁଥିବା ସତ୍ତ୍ବେ ସରକାରର ସମାଲୋଚନାରେ ଆଦୌ କାର୍ପଣ୍ୟ କରୁନଥିଲେ। ୧୮୯୬ରୁ ୧୯୧୧ ପର୍ଯ୍ୟନ୍ତ ବେଙ୍ଗଲ ଲେଜିସଲେଟିଭ କାଉନସିଲ ଏବଂ ୧୯୧୨ ରୁ ୧୯୨୬ ମଧ୍ୟରେ ବିହାର-ଓଡ଼ିଶା ଲେଜିସ୍ଲେଟିଭ୍ କାଉନସିଲର ସଭ୍ୟ ରୂପେ ତାଙ୍କ ବକ୍ତବ୍ୟରେ ଏ ନେଇ ଅନେକ ପ୍ରାମାଣିକ ଦସ୍ତାବିଜ ରହିଛି। କାଉନସିଲ ସଭ୍ୟ ପଦକୁ ସେ ସରକାର ଏବଂ ଲୋକଙ୍କ ମଧ୍ୟରେ ଏକ ଯୋଗସୂତ୍ର ବୋଲି ମନେ କରୁଥିଲେ। ୧୯୦୨ରେ ସରକାର ଭାରତୀୟ ସଭ୍ୟ ପଦକୁ ପ୍ରାୟତଃ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରି ସେ କହିଥିଲେ: ଜଣେ କଟୁ ସମାଲୋଚକର ଦାବି ଯେତେ ଅପରିପକ୍ବ ଏବଂ ଯେତେ ଅପରିଣାମଦର୍ଶୀ ହେଉ ପଛକେ, ତାକୁ ଧୈର୍ଯ୍ୟର ସହିତ ଶୁଣିବା ହେବ ପ୍ରତ୍ୟେକ ପିତୃ-ହୃଦୟ ରଖୁଥିବା ସରକାରର ଦାୟିତ୍ବ!
ମଧୁବାବୁ ପୂର୍ଣ୍ଣ ନିଷ୍ଠାର ସହିତ ଯେମିତି ରାଷ୍ଟ୍ରୀୟତାର ପରିପୂରକ ରୂପରେ ଆଞ୍ଚଳିକ ଅସ୍ମିତାର ପକ୍ଷ ନେଉଥିଲେ, ଠିକ୍ ସେମିତି ମତ-ଭିନ୍ନତାକୁ ବୌଦ୍ଧିକତାର ଉତ୍କର୍ଷ ବୋଲି ମଣୁଥିଲେ ଏବଂ ନିର୍ମୋହୀ ଭାବେ ନିଜ ସାଧ୍ୟମତେ ଦାୟିତ୍ବ ସଂପାଦନ କରୁଥିଲେ। ମହାଭାରତୀୟ ଜାତୀୟତାର ମୂଳଦୁଆ ସ୍ଥାପିତ ହେଉଥିବା ବେଳେ ତାଙ୍କର ଏଭଳି ବିଚାର ଏବଂ ଯୋଗଦାନକୁ ଅତୁଳନୀୟ ବୋଲି କହିହେବ।
[email protected]