ସନ୍ନ୍ୟାସୀ ଜଣକ ହିମାଳୟ ଉଦ୍ଦେଶ୍ୟରେ ପଦବ୍ରଜରେ ବାହାରିଛନ୍ତି। ଅତି ତୀଖ ପାହାଡ଼ିଆ ଉଠାଣି। ସନ୍ନ୍ୟାସୀଙ୍କ କାନ୍ଧେର ତାଙ୍କ ବିଛଣାର ବଣ୍ଡିଲ। ସେ ନୟାନ୍ତ। ଝାଳରେ ଉବୁଟୁବୁ। ତାଙ୍କ ଶରୀର ଏବଂ ମନ ଉଭୟ ଅବସନ୍ନ।
ସନ୍ନ୍ୟାସୀ ଦେଖିଲେ ତାଙ୍କ ସାମନାରେ ପାହାଡ଼ ଉଠୁଛି େଗାଟିଏ ଛୋଟ ଝିଅ। ତା’ ପିଠିରେ ସେ ଗୋଟିଏ କୁନି ପିଲାକୁ ବୋହିଛି। ସେ ମଧ୍ୟ ଝାଳରେ ଉବୁଟୁବୁ। ତା’ ନାକରୁ ମଧ୍ୟ ଛୁଟିବାରେ ଲାଗିଛି ଅଣଚାଶ ପବନ।
ସନ୍ନ୍ୟାସୀ ସେହି ଛୋଟ ଝିଅକୁ ଏମିତି କୌତୂହଳ ସହିତ ପଚାରିଦେଲେ- ତୋ କାନ୍ଧରେ ଏତେ ବୋଝ। ପାହାଡ଼ ଚଢ଼ିବାରେ କଷ୍ଟ ହେଉନାହିଁ?
ଝିଅଟି ସନ୍ନ୍ୟାସୀଙ୍କ ଆଡ଼କୁ ଚାହିଁ କହିଲା- ବୋଝ ତୁମ କାନ୍ଧରେ ସ୍ବାମୀଜୀ। ମୋ କାନ୍ଧରେ ଅଛି ମୋ ସାନ ଭାଇ!
ଏହି କଥାଟିକୁ ନିଜ ଆତ୍ମଜୀବନୀରେ ଲେଖିଛନ୍ତି ସ୍ବାମୀ ଭବାନୀ ଦୟାଲ। ସେ ଲେଖିଛନ୍ତି ଯେ ସେହି ଦିନ ସେଇ ସାନ ଝିଅଟି ମୋତେ ଯେଉଁ ବୁଦ୍ଧି ଦେଲା, ତାହାକୁ ମୁଁ ସାରା ଜୀବନ ହୃଦୟରେ ଲଗାଇ ରଖିଛି। ସାନ ଝିଅର କଥାର ମର୍ମ ଥିଲା ତରାଜୁରେ ଓଜନ କଲେ ସାଧୁଙ୍କ ବିଛଣା ଠାରୁ ଛୋଟ ପିଲାଟିର ଓଜନ ଅଧିକ ହୋଇପାରେ, କିନ୍ତୁ ହୃଦୟର ନିକିତିରେ ଓଜନ କଲେ ହାଲୁକା ବିଛଣାଟି ବୋଝ ଭଳି ଲାଗିବ ସିନା, ସାନ ଭାଇ ବୋଝ ଭଳି ଲାଗିବ ନାହିଁ। ଏହା ହିଁ ହେଉଛି ସ୍ନେହର ବା େପ୍ରମର ପରାକାଷ୍ଠା।