ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଅତି କଠୋର ହୃଦୟର ବ୍ୟକ୍ତିଙ୍କ ହୃଦୟ ତରଳାଇ ଦେବାର ସାମର୍ଥ୍ୟ ରଖେ। ଦୁର୍ଘଟଣାଜନିତ ତଦନ୍ତ ଅଗ୍ରଗତି, ମୃତକଙ୍କୁ ଚିହ୍ନଟ, ପରିଜନଙ୍କୁ ହରାଇବାର ଦୁଃଖକୁ ବାଦ୍ ଦେଲେ, ଯେଉଁ କଥାଟି ଗଣମାଧ୍ୟମରେ ବେଶୀ ଆଲୋଚିତ ହେଉଛି, ତାହା ହେଲା- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ସାବାସି ଦେଇଛନ୍ତି ଓ ନିଜ ପିଠି ନିଜେ ଥାପୁଡ଼ାଇବାରେ ଲାଗିଛନ୍ତି। ଏସବୁ ଚର୍ଚ୍ଚାର ପୁନରାବୃତ୍ତି ଅନାବଶ୍ୟକ। କିନ୍ତୁ, ହଁ, ଆଖ ପାଖ ପାଞ୍ଚ ଖଣ୍ଡ ଗାଁର ଲୋକଙ୍କ ଭୂମିକା ମନେ ରଖିବା ଭଳି। ଏକଥାକୁ ଦୋହରାଯାଇପାରେ। ବିପର୍ଯ୍ୟୟ ମୁକାବିଲା ଅନୁଭବ ନ ଥାଇ ଶହ ଶହ ଲୋକ ଘନ ଅନ୍ଧାରରେ ପ୍ରଥମ କେଇ ଘଣ୍ଟା ଯେଉଁଭଳି ଲୋକଙ୍କୁ ମୃତ୍ୟୁ ମୁହଁରୁ ଟାଣି ଆଣିଲେ, ସେମାନଙ୍କୁ ହିଁ ପୂରା ଘଟଣାର ହିରୋ ବୋଲି କୁହାଯାଇପାରିବ। ଏମାନଙ୍କ ସଂପର୍କରେ ଯେତେ ଅଧିକ ଆଲୋଚନା ହେବ, ଅନ୍ୟମାନେ ଭବିଷ୍ୟତରେ ଏଭଳି ମହତ କାର୍ଯ୍ୟରେ ସେତେ ଅଧିକ ଯୋଡ଼ି ହେବେ। ଆଜି କିନ୍ତୁ ଏହି ସ୍ତମ୍ଭର ଅଭିପ୍ରାୟ ହେଉଛି ରେଳ ଦୁର୍ଘଟଣାରୁ ମିଳିଥିବା କିଛି ଶିକ୍ଷା ତଥା ଅପ୍ରିୟ ସତ୍ୟ ସଂପର୍କରେ ଆଲୋଚନା କରିବା।
ବାହାନଗାରେ ଯେଭଳି ରେଳ ଦୁର୍ଘଟଣା ଘଟିଲା, ତାହା ସମ୍ଭବତଃ ଭାରତବର୍ଷରେ ଅନ୍ୟ କେଉଁଠି କେବେ ଘଟିନଥିବ। ଓଡ଼ିଶାରେ କୌଣସି ରେଳ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକ କେବେ ମୃତାହତ ହୋଇନଥିଲେ। ଏ ପର୍ଯ୍ୟନ୍ତ ଏହି ଭୟାନକ ଦୁର୍ଘଟଣା ପଛର ପ୍ରକୃତ ସତ ଉନ୍ମୋଚନ ହୋଇପାରିନାହିଁ। ମୁଖ୍ୟ ଦୋଷୀ ଚିହ୍ନଟ ହୋଇନାହାନ୍ତି। କାହାର ଦାୟିତ୍ବହୀନତା ବା ଅପାରଗତା କାରଣରୁ ୨୯୦ ନିରୀହ ଲୋକଙ୍କର ମୃତ୍ୟୁ ହେଲା, ସେ କଥା କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଳୟ କହିନାହାନ୍ତି ବା ତଦନ୍ତ ଦାୟିତ୍ବ ନେଇଥିବା ସିବିଆଇ ଏହା ଉପରୁ ପରଦା ହଟାଇ ପାରିନାହିଁ। ସେପଟେ ୧୨୦୦ରୁ ଅଧିକ ଲୋକ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବଶିଷ୍ଟ ଜୀବନ ଡର ଓ ଯନ୍ତ୍ରଣା ଭିତରେ କଟିବ, ସେମାନଙ୍କୁ ସାମାନ୍ୟ ଆଶ୍ବାସନା ଦେବା ଭଳି କୌଣସି ପଦକ୍ଷେପ ନିଆଯାଇନାହିଁ। ସରକାର ସମ୍ଭବତଃ ଏହାର ଗୁରୁତ୍ବ ଅନୁଭବ କରିନାହାନ୍ତି। ଅନ୍ୟଥା ସାମାଜିକ ସଂସ୍ଥାର ସହଯୋଗ ନେଇ ତୁରନ୍ତ କାଉନସେଲିଂ କରିବା ଦାୟିତ୍ବଟି କାହା ଉପରେ ନ୍ୟସ୍ତ କରାଯାଇସାରିଥାନ୍ତା।
ଅନ୍ୟପକ୍ଷରେ ଆଗକୁ ଏଭଳି ଘଟଣା ପାଇଁ ଓଡ଼ିଶାର ପ୍ରସ୍ତୁତି ସଂପର୍କରେ ବିତର୍କ ଜରୁରୀ। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତିଟି ଜୀବନ ମୂଲ୍ୟବାନ’ ବକ୍ତବ୍ୟ ଏଭଳି ଆଲୋଚନାକୁ ବଳ ଦେଉଛି। ବାହାନଗା ରେଳ ଦୁର୍ଘଟଣା ଅନୁରୂପ ଫର୍ମୁଲାରେ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ହେଲେ ମୁକାବିଲା ଯେଭଳି ଢଙ୍ଗରେ କରାଗଲା, ତାହା ବୟାନ କଲା ଯେ ସରକାରୀ ଭିତ୍ତିଭୂମି, ବ୍ୟବସ୍ଥା ଓ ନିଷ୍ପତ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଭିତରେ ଆକାଶ ପାତାଳ ଫରକ ରହିଛି।
ଯେଉଁ କଥାଟି ପ୍ରଥମେ ମନକୁ ଆସୁଛି, ତାହା ହେଲା, ୨୦୧୭ ମସିହାରୁ ସ୍ଥାପିତ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ କାହିଁକି ଏହି ଦୁର୍ଘଟଣାରେ ଅଧିକ ପ୍ରଭାବୀ ଭୂମିକା ନିର୍ବାହ କରିପାରିଲା ନାହିଁ? ୬୦ କିଲୋମିଟର ଦୂରରେ ଥିବା ବାରିପଦା ମେଡିକାଲ କଲେଜ ଏହି ଦୁର୍ଘଟଣା ସମୟରେ କେଉଁ କାମରେ ଲାଗିଲା? ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଥିବା ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟାରେ ପ୍ରଶାସନ କେତେ ଲୋକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିପାରିଲା? ବାଲେଶ୍ବରରେ ଏମ୍ସ ସାଟେଲାଇଟ୍ ମେଡିକାଲର ଅବଦାନ କ’ଣ? ଘଟଣାସ୍ଥଳରେ ଆଲୋକର ବ୍ୟବସ୍ଥା କରିବାକୁ ପ୍ରଶାସନ ଯେତେ ସମୟ ନେଲା, ତାହା ମଧ୍ୟ ବିଚଳିତ କରିବା ଭଳି ଗୋଟିଏ ଘଟଣା।
ସେହିପରି ଉଦ୍ଧାର ଓ ଚିକିତ୍ସା ପ୍ରକ୍ରିୟା ଆଉ ଏକ ସଙ୍କେତ ଦେଉଛି ଯେ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ଆଜି ମଧ୍ୟ ଭୁବନେଶ୍ବର ଓ କଟକରେ ହିଁ କେନ୍ଦ୍ରୀଭୂତ। ଅନ୍ୟଥା ପ୍ରଶାସନ ବାଲେଶ୍ବର ଓ ବାରିପଦା ମେଡିକାଲକୁ ସବୁଠାରୁ ଅଧିକ ବ୍ୟବହାର କରିଥାନ୍ତା। ଉଲ୍ଲେଖନୀୟ ଭିତ୍ତିଭୂମି ନଥିବାରୁ ଭଦ୍ରକ, ଯାଜପୁର ଭଳି ଦୁଇଟି ଜିଲ୍ଲା ଡିଆଁଇ ଅତି ଜଟିଳ ପରିସ୍ଥିତିରେ ସରକାର ୨୦୧ ରୋଗୀଙ୍କୁ କଟକ ମେଡିକାଲ କଲେଜ ଆଣିଲେ। ଏଇ ସମୟରେ ଅନ୍ୟ ଯେଉଁ କଥାଟି ପ୍ରଶାସନକୁ ଅଧିକ ସହଯୋଗ କରିଥାନ୍ତା, ତାହା ହେଲା ରାସ୍ତା କଡ଼ରେ ଟ୍ରମା ସେଣ୍ଟର। ଓଡ଼ିଶା ସରକାର କିନ୍ତୁ ଏଯାଏ ଏହାକୁ ପ୍ରାଥମିକତା ଦେଇନାହାନ୍ତି।
ସରକାର ସମ୍ଭବତଃ ଏକଥା ବି ଲକ୍ଷ୍ୟ କରିପାରି ନାହାନ୍ତି ଯେ ଏଭଳି ବିପର୍ଯ୍ୟୟ ଯେତେବେଳେ ଯେଉଁଠି ଘଟୁଛି, ସେବେ ଘରୋଇ ମେଡିକାଲ ବା ମେଡିକାଲ କଲେଜ ଯେଭଳି ନିଜ ଆଡୁ ତତ୍ପରତା ଦେଖାଇବା କଥା, ତାହା ପରିଲକ୍ଷିତ ହେଉନାହିଁ। ସରକାରଙ୍କ ଠାରୁ ସବୁ ସୁବିଧା ସୁଯୋଗ ନେଉଥିବା ଏହି ସଂସ୍ଥାମାନଙ୍କୁ କେହି ଥରୁଟିଏ ତାଗିଦ ବି କରନ୍ତି ନାହିଁ। ଅତଏବ ମାନି ଚାଲିବାକୁ ପଡ଼ିବ ଯେ ସବୁ ବିପର୍ଯ୍ୟୟ ଓ ବଡ଼ ଦୁର୍ଘଟଣା ବେଳେ ସରକାରୀ ମେଡିକାଲ ହିଁ ରାଜ୍ୟବାସୀଙ୍କର ଏକମାତ୍ର ଭରସା।
ଏହି ଦୁର୍ଘଟଣାରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍ର କାର୍ଯ୍ୟ ପ୍ରଶଂସନୀୟ। ହେଲେ ଏହି ସଂସ୍ଥା ପାଇଁ ବାହାନଗା ଦୁର୍ଘଟଣା ଏକ ଆହ୍ବାନମୂଳକ ଦିଗକୁ ଇଙ୍ଗିତ କରିଛି। କରମଣ୍ଡଳ ଏକ୍ସପ୍ରେସ ୨ ତାରିଖରେ ଗୋଟିଏ ଲୁହାପଥର ବୋଝେଇ ମାଲବାହୀ ଗାଡ଼ି ସହିତ ଧକ୍କା ଖାଇଲା। ଯଦି ଏହି ମାଲଗାଡ଼ି ପେଟ୍ରୋଲିୟମ୍ ଜାତ ପଦାର୍ଥ ବା ଗ୍ୟାସ ଅଥବା ଅନ୍ୟ କୌଣସି ରାସାୟନିକ ପଦାର୍ଥ ନେଉଥାନ୍ତା, ତେବେ ସ୍ଥିତି କ’ଣ ହୋଇଥାନ୍ତା! ଏହାର ମୁକାବିଲା ଲାଗି ଆମେ ଓଡ୍ରାଫ୍ ବା ଅଗ୍ନଶମ ବ୍ୟବସ୍ଥାକୁ କେତେ ପ୍ରସ୍ତୁତ କରି ରଖିଛନ୍ତି? ଏମିତିରେ ବି, ବନ୍ୟା ଓ ବାତ୍ୟା ଦୃଷ୍ଟିରୁ ସବୁ ପ୍ରସ୍ତୁତି କେବଳ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରହିଛି। ଅତଏବ ୩୦ ଜିଲ୍ଲାର ୩୧୪ ବ୍ଲକ୍ରେ ବିପର୍ଯ୍ୟୟର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାର ସମୟ ଆସିଯାଇଛି। ତେଣୁ ସରକାର ବିପର୍ଯ୍ୟୟର ନୂଆ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସେ ଅନୁଯାୟୀ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ପ୍ରଶିକ୍ଷଣ ଦିଆଯାଉ।
ବାହାନଗାରେ ଅନ୍ୟ ଯେଉଁ ଚିତ୍ରଟି ରାଜ୍ୟବାସୀଙ୍କୁ ବିସ୍ମିତ କଲା, ତାହା ହେଉଛି ରାତି ଅଧରେ ରକ୍ତଦାତାଙ୍କର ଭିଡ଼। ପ୍ରଥମ ଦୁଇ ଦିନରେ ସେଠାରେ ୭୨୧ ସହୃଦୟ ବ୍ୟକ୍ତି ରକ୍ତଦାନ କରିଛନ୍ତି। ବାଲେଶ୍ବର ଜିଲ୍ଲାରେ ୩ ହଜାର ୟୁନିଟ୍ ରକ୍ତ ରହିବା ବ୍ୟବସ୍ଥା ରହିଛି ଓ ଦୁର୍ଘଟଣା ଦିନ ୬୦୦ ୟୁନିଟ୍ ରକ୍ତ ମହଜୁଦ୍ ଥିଲା। ଏଥିରୁ ମାତ୍ର ୮ ୟୁନିଟ୍ ବ୍ୟବହାର ହୋଇଛି। ଲୋକେ ଆବେଗରେ ଆସି ରକ୍ତ ଦେବା ଗୋଟିଏ ଭଲ କଥା। ହେଲେ ଏହାକୁ ସଂଗ୍ରହ ପରେ ପ୍ରକ୍ରିୟାକରଣ ସହ ରୋଗୀ ବ୍ୟବହାର ପାଇଁ ପାଖାପାଖି ଦିନଟିଏ ଲାଗିଯାଏ। ଯେହେତୁ ସବୁ ଗୁରୁତର କଟକ ଚାଲିଆସିଲେ, ଏଣୁ ଏସବୁ ରକ୍ତ ବାଲେଶ୍ବର ଡାକ୍ତରଖାନାରେ ରହିଗଲା। ମୂଳ କଥାଟି ହେଉଛି, ରାଜ୍ୟର ସବୁ ଜିଲ୍ଲାର ସ୍ଥିତି ସମାନ ନାହିଁ କି ରକ୍ତଭଣ୍ଡାର ସାମର୍ଥ୍ୟ ବି ସେତେ ବେଶୀ ନାହିଁ। ସରକାର ଏକଥା ହେଜି ପାରୁନାହାନ୍ତି। ଏଣୁ ବିପର୍ଯ୍ୟୟ ମୁକାବିଲା ପ୍ରସଙ୍ଗ ସହିତ ରକ୍ତଭଣ୍ଡାର ସ୍ଥିତି ଓ ସଂରକ୍ଷଣ ବ୍ୟବସ୍ଥାକୁ ଯୋଡ଼ାଯିବା ଆବଶ୍ୟକ।
ଏହି ଦୁର୍ଘଟଣାରେ ବିହାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧୧୯ ବ୍ୟକ୍ତି ନିଖୋଜ ଥିବା ସଂପର୍କରେ ଅଭିଯୋଗ ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ପରିପ୍ରେକ୍ଷୀରେ ଏହି ଅଭିଯୋଗଟି ବିଚଳିତ କରୁଛି। ଏ ଲୋକମାନେ ଗଲେ କୁଆଡ଼େ? ପୁଣି ଅନେକ ଶବକୁ ଠିକଣା ମିଳୁନି। ରେଳମନ୍ତ୍ରୀ ସାଧାରଣ ବଗିରେ କେତେ ସଂଖ୍ୟକ ଲୋକ ଯାତାୟାତ କରୁଥିଲେ ତାହା ଦେଶ ସାମ୍ନାରେ ରଖିବାରେ ଅସମର୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଲୋକ ବିନା ଟିକେଟରେ ଯାତ୍ରା କରୁଥାଇପାରନ୍ତି ବୋଲି ଗୋଟିଏ ଯୁକ୍ତି ଉଠୁଛି। ହେଲେ ଉଭୟ ଆରକ୍ଷିତ ଓ ଅଣ ଆରକ୍ଷିତ କ୍ଷେତ୍ରରେ ପରିଚୟ ପତ୍ରଟିଏ ସଂଲଗ୍ନ ହୋଇଥିଲେ, ଆଜି ସମ୍ଭବତଃ ଶବ ଚିହ୍ନଟରେ ସମସ୍ୟା ନଥାନ୍ତା। ଏଣୁ ଟିକେଟ ଆରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ।
ବିଦ୍ୟାଳୟରେ ଶବ ରଖାଯାଇଥିଲା ବୋଲି ରାଜ୍ୟ ସରକାର ବାହନଗା ବିଦ୍ୟାଳୟକୁ ଭାଙ୍ଗି ଦେଇଛନ୍ତି। ଗୋଟିଏ ପଟେ ଭୂତ, ଗୁଣି ଗାରେଡ଼ି ବିରୋଧରେ ଜନମତ ସୃଷ୍ଟି ଲାଗି ସ୍ବତନ୍ତ୍ର ଆଇନ ହୋଇଛି। ବିଦ୍ୟାଳୟ ଭାଙ୍ଗି ସରକାର ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦେଇ ନାହାନ୍ତି କି? ପିଲା ଓ ଅଭିଭାବକଙ୍କ ବିଶ୍ବାସ ଜିଣିବା ପାଇଁ ସ୍କୁଲ୍ ଗୃହ ଭଙ୍ଗାଗଲା ବୋଲି କୁହାଯାଉଛି। ତେବେ ଶବ ରଖିବା ପାଇଁ ବିଦ୍ୟାଳୟ ଗୃହକୁ ବାଛିବା ନିଷ୍ପତ୍ତିଟି କାହାର? କୋଭିଡ୍, ଦୁର୍ଘଟଣା, ବାତ୍ୟା ଆଶ୍ରୟସ୍ଥଳ ଯାଏ ସବୁ କ୍ଷେତ୍ରରେ ବିଦ୍ୟାଳୟ ପ୍ରକୋଷ୍ଠକୁ ବ୍ୟବହାର କରିବାର ମାନସିକତାରୁ ସରକାର କେବେ ଓହରିବେ? ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ନଷ୍ଟ ହେବାର ଅନେକ କାରଣ ମଧ୍ୟରୁ ଏହା ଗୋଟିଏ।
କରମଣ୍ଡଳ ଏକ୍ସପ୍ରେସ ହାଓଡ଼ାରୁ ଚେନ୍ନାଇ ଯାଏ ଲମ୍ବା ରାସ୍ତା ଅତିକ୍ରମ କରେ। ଦ୍ରୁତ ବେଗରେ ଗତି କରୁଥିବା ଏହି ଟ୍ରେନ୍ର ସାଧାରଣ ବଗିରେ ଭାରତର ବେକାରି ଓ ଦାଦନ ଚିତ୍ର ଯେ କେହି ଦେଖିପାରିବେ। ନିଜ ଅଞ୍ଚଳରେ କର୍ମସଂସ୍ଥାନ ନ ପାଇ ଅଥବା ଅଧିକ ମଜୁରୀ ଆଶାରେ ଯୁବକମାନେ ଏଭଳି ନିୟମିତ ରେଳ ଯାତ୍ରା କରୁଛନ୍ତି। ଏବେ ଏମ୍ସରେ ପୁଅର ଶବ ପାଇଁ ଅପେକ୍ଷା କରିିଥିବା ପରିଜନଙ୍କୁ ଦେଖିଲେ େସସବୁ ପରିବାରର ଆର୍ଥିକ ସ୍ଥିତି ସହଜରେ ବୁଝା ପଡ଼ିଯାଉଛି। ହେଲେ ସରକାର କେଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରି ଦାୟିତ୍ବ ଝାଡ଼ି ଦେଇଛନ୍ତି। ଏହା ତାଙ୍କ ପରିବାରକୁ ସାମୟିକ ଆଶ୍ବାସନା ଦେଇପାରେ, କିନ୍ତୁ ଏହାକୁ ଦାରିଦ୍ର୍ୟ ପ୍ରତି ଆଉ ଏକ ଉପହାସ ବୋଲି କହାଯାଇପାରିବ। ଓଡ଼ିଶା ସରକାର ମଧ୍ୟ ଏ ମାନସିକତାରୁ ଓହରିଆସିବା ଉଚିତ୍। ଲୋକଙ୍କ ହାତକୁ କାମ ଯୋଗାଇବା ସରକାରଙ୍କ ଦାୟିତ୍ବ। ଅନ୍ୟଥା ରାଜ୍ୟ ଏଭଳି ଯେତେ ଅଧିକ ବିପର୍ଯ୍ୟୟ ସାମ୍ନା କରିବ, ଦାରିଦ୍ର୍ୟରୁ ଅତି ଦାରିଦ୍ର୍ୟ ଆଡ଼କୁ ସେତି ବେଶୀ ମୁହାଁଇବ। ଏମିତି ହେଲେ ନୂଆ ଓଡ଼ିଶା ନିର୍ମାଣ କେବଳ ଏକ ସ୍ବପ୍ନ ହୋଇ ରହିଯାଇପାରେ।
ମୋ: ୯୯୩୭୪ ୭୪୨୭୪