ଏହାକୁ ଆକ୍ଷରିକ ଭାବରେ ମାଣ୍ତିଆର ଜୟଗାନ ବୋଲି ବର୍ଣ୍ଣନା କରାଯାଇ ପାରେ। ମୁମ୍ବାଇରେ ଜନ୍ମିତ ଆମେରିକୀୟ-ଭାରତୀୟ ଗାୟିକା ଫାଲ୍ଗୁନୀ ଶାହ ଓ ତାଙ୍କର ଗାୟକ ପତି ଗୌରବ ଶାହଙ୍କର ସଦ୍ୟ ପ୍ରସାରିତ ଗୀତର ଶୀର୍ଷକ ହେଉଛି ‘ଆବଣ୍ତାନ୍ସ ଇନ୍ ମିଲେଟ୍ସ’ (‘ମାଣ୍ତିଆରେ ପ୍ରାଚୁର୍ଯ୍ୟ’)। ଏଠାରେ ମାଣ୍ତିଆ ଅବଶ୍ୟ ସେଇ ଜାତୀୟ ଅନ୍ୟ ସମସ୍ତ ଲଘୁ ଶସ୍ୟମାନଙ୍କର ପ୍ରତିନିଧିତ୍ବ କରିଥାଏ। ମର୍ଯ୍ୟାଦାଜନକ ‘ଗ୍ରାମି’ ପୁରସ୍କାର ପ୍ରାପ୍ତା ମଞ୍ଚନାମ ‘ଫାଲୁ’ ରୂପେ ପ୍ରସିଦ୍ଧି ଲାଭ କରିଥିବା ଏହି ଗାୟିକାଙ୍କ ଦ୍ବାରା ପ୍ରସ୍ତୁତ ଏହି ସଦ୍ୟତମ ରେକର୍ଡର ବିଶେଷତ୍ବ ହେଉଛି ଏହା ଯେ ତାଙ୍କର ଏ ଗୀତର ସହଗୀତିକାର ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ପ୍ରସ୍ତାବ ଗ୍ରହଣ କରି ମିଳିତ ଜାତିସ˚ଘ ୨୦୨୩କୁ ‘ଆନ୍ତର୍ଜାତିକ ମାଣ୍ତିଆ ବର୍ଷ’ ରୂପେ ଘୋଷଣା କରିବାକୁ ସ୍ବାଗତ କରିବା ଉପଲକ୍ଷେ ଫାଲୁ ତାଙ୍କର ଏହି ରେକର୍ଡ ପ୍ରସ୍ତୁତ କରିଛନ୍ତି। ଏହି ଗୀତ ବର୍ତ୍ତମାନ ପୃଥିବୀର ପ୍ରତ୍ୟେକ ଦେଶରେ ଶୁଣିବାକୁ ମିଳିବ।
ଏହାକୁ ମନୁଷ୍ୟର ଖାଦ୍ୟାଭ୍ୟାସରେ ଏକ ଉଜାଣି ସ୍ରୋତ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଯେଉଁ ଶସ୍ୟକୁ ଚିରାଚରିତ ଭାବରେ ଦରିଦ୍ରମାନଙ୍କର ଖାଦ୍ୟ ରୂପେ ବିବେଚନା କରାହୋଇଆସୁଥିଲା, ପୃଥିବୀର ସର୍ବାଧିକ ଧନଶାଳୀ ଦେଶରୁ ଦରିଦ୍ରତମ ଦେଶମାନଙ୍କ ପର୍ଯ୍ୟନ୍ତରେ ତାହାର ଏଭଳି ଜୟଗାନ ଗୁଞ୍ଜରିତ ହେବା ହେଉଛି ଏହାର ଏକ ନିଶ୍ଚିତ ପ୍ରମାଣ। ଆଉ ଭାରତ ଏହି ଉଜାଣି ସ୍ରୋତର ନେତୃତ୍ବ ନେବା ମଧ୍ୟ ହେଉଛି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଜାତିପ୍ରଥା ଅଧ୍ୟୁଷିତ ଭାରତୀୟ ମାନବ ସମାଜ ଭଳି ଏଠାକାର ଶସ୍ୟ ସମାଜ ମଧ୍ୟ ଜାତିପ୍ରଥାର ଶିକାର ହୋଇ ଆସିଛି ବୋଲି କୁହାଯାଇ ପାରେ। ଆମର ଶସ୍ୟ ଜଗତରେ ଯେଉଁ ଦୁଇଟି ଶସ୍ୟ ଶୀର୍ଷସ୍ଥାନ ଦଖଲ କରି ରାଜୁତି କରି ଆସିଛନ୍ତି, ସେମାନେ ହେଲେ ଧାନ ଓ ଗହମ। ମାଣ୍ତିଆଜାତୀୟ ଶସ୍ୟମାନେ ଏହି ଜାତି ପିରାମିଡ୍ର ନିମ୍ନ ଭାଗରେ ପଡ଼ିରହି ଆସିଥିଲେ। ସୂକ୍ଷ୍ମ ଶସ୍ୟ ରୂପେ ବିବେଚିତ ଚାଉଳ ଓ ଗହମ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ରୂପ ପରିଗ୍ରହଣ କରି ସମାଜର ସ୍ବଚ୍ଛଳ ସୂକ୍ଷ୍ମ ବର୍ଗର ଖାଇବା ଥାଳି ମଣ୍ତନ କରୁଥିବା ବେଳେ ଖଦଡ଼ା ଶସ୍ୟ ରୂପେ ନାମିତ ମାଣ୍ତିଆ, ବାଜରା, ଯଅ ଆଦିି ଶସ୍ୟ ହୋଇ ଆସିଛି ସମାଜର ଉଭୟ ଆର୍ଥିକ ଓ ସା˚ସ୍କୃତିକ ଦୃଷ୍ଟିରୁ ସ୍ଥୂଳ ବିବେଚିତ ଅସ୍ବଚ୍ଛଳ ବର୍ଗର ପ୍ରଧାନ ଖାଦ୍ୟ। ଏହି ଖଦଡ଼ା ଶସ୍ୟମାନଙ୍କ ପ୍ରତି ଏଭଳି ନାକଟେକା ଯାଇଥାଏ ଯେ, ଯେଉଁମାନେ ଏହାକୁ ମୁଖ୍ୟ ଖାଦ୍ୟ ରୂପେ ବ୍ୟବହାର କରି ଆସିଛନ୍ତି, ସେମାନେ ଏହାକୁ ତ୍ୟାଗ କରି ଚାଉଳ, ଗହମ ଭଳି ସୂକ୍ଷ୍ମ ଶସ୍ୟ ବ୍ୟବହାର କରିବାକୁ ସମର୍ଥ ହେଲେ ତାହାକୁ ନିଜ ପାଇଁ ଏକ ସା˚ସ୍କୃତିକ ପଦୋନ୍ନତି ରୂପେ ବିଚାର କରିଥାନ୍ତି।
ଅବଶ୍ୟ ଶସ୍ୟ ବ୍ୟବହାରରେ ଘଟିଥିବା ଏହି ପରିଚଳନ ପାଇଁ ଭାରତୀୟ ରାଷ୍ଟ୍ର ମଧ୍ୟ ଅନେକା˚ଶରେ ଦାୟୀ ବୋଲି କୁହାଯାଇ ପାରେ। ୧୯୬୦ ଦଶକରେ ଦେଶ ସମ୍ମୁଖୀନ ହୋଇଥିବା ଉତ୍କଟ ଖାଦ୍ୟାଭାବ ମେଣ୍ଟାଇବା ଉଦ୍ଦେଶ୍ୟରେ ଦେଶରେ ଅଧିକ ଅମଳକ୍ଷମ ଧାନ ଓ ଗହମ ଚାଷ ବ୍ୟାପକ ଭାବରେ ଆରମ୍ଭ କରାଗଲା, ଯାହା ‘ସବୁଜ ବିପ୍ଳବ’ ରୂପେ ସୁପରିଚିତ। ଏହି ଦୁଇ ଶସ୍ୟର ଉତ୍ପାଦନରେ ଚମକପ୍ରଦ ବୃଦ୍ଧି ଘଟିବା ପରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସରକାର ଏହି ଶସ୍ୟକୁ ଶସ୍ତାରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ନିକଟରେ ପହଞ୍ଚାଇ ଦେଲେ, ଯାହା ସେମାନଙ୍କର କ୍ଷୁଧା ନିବାରଣ କରିବାରେ ସଫଳ ହେଲା, କିନ୍ତୁ ଏହି ସୂକ୍ଷ୍ମ ଶସ୍ୟର ସ୍ବାଦରେ ଅଭ୍ୟସ୍ତ ହେବା ପରେ ସେମାନେ ଆଉ ଖଦଡ଼ା ଶସ୍ୟ ନିକଟକୁ ଫେରିବାକୁ ଚାହିଁଲେ ନାହିଁ। କେବଳ ଆର୍ଥିକ ଦୁର୍ବଳ ଶ୍ରେଣୀ ନୁହେଁ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଯେଉଁମାନେ ସେମାନଙ୍କ ଆହାରରେ ଆ˚ଶିକ ଭାବରେ ଏହି ଖଦଡ଼ା ଶସ୍ୟକୁ ସ୍ଥାନ ଦେଇଥିଲେ, ସେମାନେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଚାଉଳ, ଗହମ ଅଭ୍ୟାସ ଦ୍ବାରା କବଳିତ ହେଲେ।
‘ଇଣ୍ଟର୍ନେସ୍ନାଲ୍ କ୍ରପ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫର୍ ସେମି ଏରିଡ୍ ଟ୍ରପିକ୍ସ’ (‘ଇକ୍ରିସାଟ୍’) ଅନୁସାରେ ଭାରତରେ ଘଟିଥିବା ଏହି ଖାଦ୍ୟାଭ୍ୟାସ ପରିବର୍ତ୍ତନର ଫଳ ସ୍ବରୂପ ୧୯୬୨ରେ ଭାରତରେ ମୁଣ୍ତପିଛା ମାଣ୍ତିଆ ଇତ୍ୟାଦି ଖଦଡ଼ା ସଶ୍ୟ ବ୍ୟବହାର ପରିମାଣ ପ୍ରାୟ ୪୦ କିଗ୍ରା ଥିବା ବେଳେ ୨୦୧୦ ବେଳକୁ ତାହା ହ୍ରାସ ପାଇ ହୋଇ ଯାଇଥିଲା ପ୍ରାୟ ୪ କିଗ୍ରା ମାତ୍ର, ଅର୍ଥାତ୍ ପୂର୍ବ ପରିମାଣର ଏକ-ଦଶମା˚ଶ ମାତ୍ର। ଭାରତୀୟମାନଙ୍କର ଖାଇବା ଥାଳିରେ ଦେଖା ଯାଇଥିବା ଏହି ଉଲ୍ଲେଖନୀୟ ପରିବର୍ତ୍ତନ ଅନିବାର୍ଯ୍ୟ ଭାବରେ ଭାରତର କୃଷି କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ୧୯୬୦ ଦଶକରେ ୩୭ ନିୟୁତ ହେକ୍ଟର୍ ଜମିରେ ଖଦଡ଼ା ଶସ୍ୟ ଚାଷ ହେଉଥିବା ବେଳେ ୨୦୧୦ ଦଶକରେ ତାହା ୧୪ ନିୟୁତ ହେକ୍ଟର୍କୁ ସ˚କୁଚିତ ହୋଇ ଯାଇଥିଲା।
ଏବେ ତା’ହେଲେ ହଠାତ୍ ଏହି ଅଲୋଡ଼ା ଖଦଡ଼ା ଶସ୍ୟ ସମସ୍ତଙ୍କ ଆଦର ଲାଭ କରିବାକୁ ଆରମ୍ଭ କରିଛି କାହିଁକି? ପାରମ୍ପରିକ ଭାବରେ ଅସବର୍ଣ୍ଣ ବିବେଚିତ ଏହି ଶସ୍ୟମାନେ ବର୍ତ୍ତମାନ ସବର୍ଣ୍ଣ ହୋଇଗଲେ କେମିତି? କାରଣ ହେଉଛି, ସ୍ବାସ୍ଥ୍ୟ ସଚେତନ ସ୍ବଚ୍ଛଳ ବର୍ଗ ନିଜର ଖାଦ୍ୟ ଲାଳସାର ଶିକାର ହୋଇ ମଧୁମେହରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ଆଦି ଜୀବନଶୈଳୀ-ବ୍ୟାଧିମାନଙ୍କୁ ନିମନ୍ତ୍ରଣ କଲା ପରେ ବର୍ତ୍ତମାନ ଏହି ଖଦଡ଼ା ଖାଦ୍ୟରେ ଜୀବନ ରକ୍ଷାକାରୀ ସଞ୍ଜୀବନୀ ସଦୃଶ ଗୁଣର ଉପସ୍ଥିତି ଆବିଷ୍କାର କରିଛନ୍ତି।
ସ୍ବାସ୍ଥ୍ୟ ଗବେଷକମାନେ ଅନୁଶୀଳନ ପରେ ଅନୁଶୀଳନରୁ ଆବିଷ୍କାର କରିଛନ୍ତି ଯେ ଏହି ଖଦଡ଼ା ଶସ୍ୟମାନଙ୍କରେ ପୁଷ୍ଟିସାର, ଜୀବସାର ଆଦି ଭରି ହୋଇ ରହିଥିବା ସହିତ (ସୂକ୍ଷ୍ମ ଶସ୍ୟମାନଙ୍କରେ ମୁଖ୍ୟତଃ ଶ୍ବେତସାର ଅଧିକ ମାତ୍ରାରେ ଉପସ୍ଥିତ ଥାଏ, ଯାହା ମଧୁମେହ ଆଦି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ) ଲୌହ ଭଳି ସୂକ୍ଷ୍ମ ପୁଷ୍ଟିବର୍ଦ୍ଧକ ପଦାର୍ଥମାନ ମଧ୍ୟ ଉପସ୍ଥିତ ଥାଏ। ଆଜିକାଲି ଏହା ଜଣାଶୁଣା ଯେ ଗହମ ଭଳି ଶସ୍ୟରେ ଉପସ୍ଥିତ ଥିବା ଗ୍ଲୁଟେନ୍ କେତେକଙ୍କ ଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ; ଖଦଡ଼ା ଶସ୍ୟମାନ ସମ୍ପୂର୍ଣ୍ଣ ରୂପେ ଗ୍ଲୁଟେନ୍ମୁକ୍ତ ହୋଇଥିବାରୁ ଏଭଳି ବ୍ୟକ୍ତିମାନଙ୍କ ପାଇଁ ଏହି ଶସ୍ୟମାନ ଆଶୀର୍ବାଦ ସ୍ବରୂପ ହୋଇଥାନ୍ତି। ଏହି ଶସ୍ୟମାନଙ୍କର ‘ଗ୍ଲାଇସେମିକ୍ ଇଣ୍ତେକ୍ସ’ ଅତ୍ୟନ୍ତ ନୀଚା ହୋଇଥିବାରୁ ମଧୁମେହ ପୀଡ଼ିତମାନଙ୍କ ପାଇଁ ଏଥିରୁ ପ୍ରସ୍ତୁତ ଖାଦ୍ୟ ଅତୀବ ଉପଯୁକ୍ତ ବିବେଚିତ ହୋଇଥାଏ। ଏହି ଖାଦ୍ୟ ରକ୍ତଶର୍କରା, ରକ୍ତଚାପ, କୋଲେଷ୍ଟେରଲ୍ ଆଦିକୁ ନିୟନ୍ତ୍ରଣ କରିବାରେ ଉପଯୋଗୀ ହେବା ସହିତ ହୃତ୍ପିଣ୍ତକୁ ସୁରକ୍ଷା ପ୍ରଦାନ କରିଥାଏ ଏବ˚ ସେଥି ସହିତ ହଜମ କ୍ରିୟାରେ ଉନ୍ନତି ଘଟାଇଥାଏ।
ସ୍ବଚ୍ଛଳ ବର୍ଗ ଖଦଡ଼ା ଶସ୍ୟର ମହିମା ଆବିଷ୍କାର କରି ତାକୁ ଆପଣାଇ ସବର୍ଣ୍ଣ ସଶ୍ୟରେ ପରିଣତ କରିବା ପରେ ତାହାର ନୂତନ ନାମକରଣ କରିବା ମଧ୍ୟ ଦେଖାଗଲାଣି: ‘ନ୍ୟୁଟ୍ରି ସେରିଏଲ୍’, ‘ସୁପର୍ ଫୁଡ୍’ କିମ୍ବା ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ୨୦୨୩-୨୪ ବଜେଟ୍ ଅଭିଭାଷଣରେ କହିଥିବା ଭଳି- ‘ଶ୍ରୀ ଅନ୍ନ’। ଯିଏ ଯେଉଁ ନାମରେ ତାକୁ ଡାକୁନା କାହିଁକି, ଏହି ଖଦଡ଼ା ଶସ୍ୟମାନଙ୍କର ବ୍ୟବହାର ଯେତେ ଅଧିକ ପ୍ରସାର ଲାଭ କରିବ, ମାନବ ସମାଜର ସ୍ବାସ୍ଥ୍ୟ ପାଇଁ ତାହା ସେତେ ଅଧିକ ମଙ୍ଗଳପ୍ରଦ ହେବ। ମୋଦୀ-ଫାଲୁ ଗୀତ ଯଦି ଏହି ପ୍ରସାରରେ ସହାୟକ ହୁଏ, ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ।