ସଂସାରରେ ଅନେକ ନିଶା ଭିତରୁ ‘କମ୍‌ ସମୟରେ ଅଧିକ ଟଙ୍କା ଅର୍ଜନ କରିବାର ଲୋଭ’ ମଧ୍ୟ ଗୋଟିଏ। ଏଭଳି ମନୋଭାବର ସୁଯୋଗ ନେଇ ‘ଚିଟ୍‌ ଫଣ୍ଡ’ ଠକେଇମାନ ହୋଇଗଲା। ନିଜ ମୂଳଧନକୁ କମ୍‌ ସମୟ ଭିତରେ ଦ୍ବି-ଗୁଣିତ ବା ତା’ ଠାରୁ ଅଧିକ କରିବାର ନିଶା ‘ଚିଟ୍‌ ଫଣ୍ଡ’ରେ ଟଙ୍କା ଜମା ରଖିବାକୁ ପ୍ରଲୁବ୍‌ଧ କରି ଶେଷରେ ସେମାନଙ୍କୁ ସର୍ବସ୍ବାନ୍ତ କରି ପକାଇଲା। ତେବେ ‘ଚିଟ୍‌ ଫଣ୍ଡ’ ଠକେଇ କଥା ମନରୁ ନ ଯାଉଣୁ ଏବେ ଆଉ ଏକ ନିଶା ଯୁବପିଢ଼ି ଏବଂ ଅବସରପ୍ରାପ୍ତ ଳୋକଙ୍କୁ ଘାରିଛି, ଯାହାର ନାମ ହେଲା- ଷ୍ଟକ୍‌ ମାର୍କେଟରେ ଟଙ୍କା ଲଗେଇ ରାତିକେ ହାତୀଏ ଅର୍ଜିବାର ଇଚ୍ଛା। ଦେଖାଯାଉଛି ଯେ ଋଣ କରି ଅନେକ ଲୋକ ଷ୍ଟକ୍‌ ମାର୍କେଟରେ ଟଙ୍କା ଲଗାଉଛନ୍ତି ଏବଂ ସର୍ବସ୍ୱାନ୍ତ ମଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ମଞ୍ଚରେ ଅନେକ ତଥାକଥିତ ବିଶାରଦ ଷ୍ଟକ୍‌ ମାର୍କେଟ ସଂପର୍କରେ ପରାମର୍ଶମାନ ଦେଇ ଅନେକ ଅର୍ଥ ଉପାର୍ଜନ କରୁଛନ୍ତି ଏବଂ ଏମାନଙ୍କ ମଧ୍ୟରେ ଥିବା କେତେକ ଠକ ପରାମର୍ଶଦାତାଙ୍କୁ ଭରସା କରି କିଛି ଲୋକ ନିଜର ଟଙ୍କା ସେମାନଙ୍କୁ ହସ୍ତାନ୍ତର କରି ସର୍ବସ୍ୱାନ୍ତ ହେବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି।

Advertisment

୨୦୨୦ ମସିହାର କଥା। ଆମେରିକାରେ ନିର୍ଦ୍ଦିଷ୍ଟ ୭ ଜଣ ବ୍ୟକ୍ତି ୨୦୨୦ ମସିହାରେ ହଠାତ ‘ଟ୍ୱିଟର’ ଏବଂ ‘ୟୁଟ୍ୟୁବ’ ମାଧ୍ୟମରେ ନିଜକୁ ଅର୍ଥନୀତି ବିଶାରଦ ବୋଲି ପରିଚୟ ଦେଇ ‘ସେୟାର ଟ୍ରେଡିଙ୍ଗ’ରୁ ଉପାର୍ଜିତ ବିପୁଳ ଅର୍ଥରେ କିଭଳି ଦାମିକା ଘର ଓ ଗାଡ଼ି କିଣିଛନ୍ତି ତାହା ଦେଖାଇ ଲୋକମାନଙ୍କୁ ପ୍ରଭାବିତ କରିଥିଲେ ଯେ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ଦ୍ୱାରା ପ୍ରଦତ୍ତ ଷ୍ଟକ୍‌ ଏବଂ ସେୟାର ସମ୍ପର୍କିତ ସୂଚନା ସବୁ ଉପରେ ବିଶ୍ୱାସ କରି ଅର୍ଥ ଉପାର୍ଜନ କରନ୍ତୁ। ଅସଂଖ୍ୟ ଲୋକ ସେମାନଙ୍କୁ ମାନିଲେ। କିନ୍ତୁ ଅସଲ କଥା ହେଲା ଏଇ ୭ ଜଣ ବିଗତ କେତେ ବର୍ଷ ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ସେୟାରରେ ଅତି କମ୍‌ ଦାମରେ ନିଜର ମୂଳଧନ ଲଗାଇଥିଲେ। ଏବେ ଏମାନଙ୍କ ପ୍ରଚାର ପ୍ରସାର ଦ୍ୱାରା ସେମିତି କିଛି କାରଣ ନ ଥାଇ ଯେତେବେଳେ ସାଧାରଣ ଜନତା ସେଇ ସେୟାରଗୁଡ଼ିକୁ କିଣିଲେ, ସେଇ ସେୟାର ମୂଲ୍ୟ ହୁତ୍‌ହୁତ୍‌ ହେଇ ବଢ଼ିବାକୁ ଲାଗିଲା। ଏଇ ସୁଯୋଗରେ ସେହି ୭ ଜଣ କମ୍‌ ଦାମରେ ନିବେଶ କରିଥିବା ସେୟାରକୁ ଖୁବ୍‌ ବର୍ଦ୍ଧିତ ଦରରେ ବିକ୍ରି କରି କୋଟି କୋଟି ଟଙ୍କା ଅର୍ଜନ କରିବା ପରେ ଧୀରେ ଧୀରେ ‘ୟୁଟ୍ୟୁବ’ ଏବଂ ‘ଟ୍ୱିଟର’ରୁ ଉଭାନ ହେଇଗଲେ। ଏଣେ ଯେଉଁମାନେ ଉଚ୍ଚା ଦରରେ ସେୟାର କିଣିଥିଲେ ସେମାନେ ଠକାମିରେ ପଡ଼ି ନିଜର ସର୍ବସ୍ବ ହରାଇଲେ।

ଏହି ଘଟଣାର ସମୀକ୍ଷା କରି ଠୋସ ପ୍ରମାଣ ସହ ଆମେରିକାର ‘ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ କମିସନ’ ୨୦୨୨ ଡିସେମ୍ବରରେ ଏହି ୭ ଜଣ ଠକଙ୍କୁ ଧରି ୧୦୦ ନିୟୁତ ଡଲାର (ପାଖାପାଖି ୮୫୦ କୋଟି)ର ଜରିମାନା ଲଗାଇଛନ୍ତି। ଆମେରିକା ଭଳି ଦେଶ ଯେଉଁଠି ସେୟାର ମାର୍କେଟରେ ନିବେଶକାରୀଙ୍କ ବିନିବେଶର ସୁରକ୍ଷା ସକାଶେ କଡ଼ା ନିୟମ ଥାଏ, ସେଠାରେ ଯଦି ଏମିତି ଘଟି ପାରୁଛି, ତେବେ ଅନ୍ୟାନ୍ୟ ଦେଶରେ କ’ଣ ଯେ ନ ଘଟିବ ତାହା କହି ହେଉନାହିଁ। ଏଇ ଯେମିତି ୨୦୧୮ରେ ସାମାଜିକ ଗଣମାଧ୍ୟମ ଜରିଆରେ ମିଛ ତଥ୍ୟ ପ୍ରସାର କରି ଏକ କମ୍ପାନିର ସେୟାରର ମୂଲ୍ୟକୁ ବଢ଼ାଇ ଦେଇ ସାଧାରଣ ଜନତାଙ୍କୁ ଠକିଥିବା ଅଭିଯୋଗରେ ଭାରତୀୟ ସେୟାର ବଜାରକୁ ନିୟନ୍ତ୍ରଣ କରୁଥିବା ସରକାରୀ ସଂସ୍ଥା ‘ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ’ ବା ‘ସେବି’ ୨ ଜଣକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କେବଳ ଏତିକି ନୁହେଁ, ଗଲା ମାର୍ଚ୍ଚ ମାସରେ ୪୪ଟି କମ୍ପାନି ତଥା ‘ୟୁଟ୍ୟୁବ’ ଚ୍ୟାନେଲକୁ ବିଧିବଦ୍ଧ ଭାବେ ବନ୍ଦ କରିବା ପାଇଁ ‘ସେବି’ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆଦେଶ ମଧ୍ୟ ଦିଆଯାଇଛି।

ଏଇ କିଛି ମାସ ତଳେ ଏଭଳି ବିଭ୍ରାନ୍ତିକର ପରାମର୍ଶ ଦେବାରେ ଲିପ୍ତ ଥିବା ଜଣେ ନାମୀଦାମୀ ‘ସୋସିଆଲ ମିଡିଆ ଇଂଫ୍ଲୁଏନ୍‌ସର’ (ସାମାଜିକ ଗଣମାଧ୍ୟମ ଦ୍ବାରା ପ୍ରଭାବିତ କରୁଥିବା ଲୋକ)ଙ୍କୁ ‘ସେବି’ ଦ୍ୱାରା ୬ କୋଟି ଟଙ୍କାର ଜରିମାନା ଲଗାଯାଇଛି। କଥା ହେଲା କିଛି କମ୍ପାନିର ‘ପ୍ରମୋଟର’ ଏବଂ ‘ସାମାଜିକ ଗଣମାଧ୍ୟମ ଇଂଫ୍ଲୁଏନ୍‌ସର’ ମିଶି ଅଭିସନ୍ଧିମୂଳକ ଭାବେ କମ୍ପାନି ସପକ୍ଷରେ ଖବର ପ୍ରକାଶ କରୁଥିବା ଦ୍ବାରା କମ୍ପାନିର ସେୟାର ମୂଲ୍ୟରେ ଅହେତୁକ ବୃଦ୍ଧି ହେଉଛି, ଯଦ୍ଦ୍ବାରା ବିପୁଳ ଲାଭ ତ ପାଉଛନ୍ତି କଂପାନି ବା ‘ସୋ‌ସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର’, କିନ୍ତୁ ସର୍ବସ୍ବାନ୍ତ ହେଉଛନ୍ତି ଏ ସଂଦର୍ଭରେ ବିଶେଷ ବା କୌଣସି ଧାରଣା ନ ଥାଇ ପୁଂଜି ଖଟାଇଥିବା ସାଧାରଣ ଲୋକେ। ତେଣୁ, ସେୟାର ମାର୍କେଟରେ ନିବେଶ ପାଇଁ ତତ୍‌ସମ୍ବନ୍ଧୀୟ ଜ୍ଞାନର ଆବଶ୍ୟକତା ରହିଛି, ଏପରିକି କେତେକ ସ୍ଥଳରେ ଉପଯୁକ୍ତ ଟ୍ରେନିଂ ମଧ୍ୟ ଦରକାର। ବଡ଼ କଥା ହେଲା, ସେୟାର ମାର୍କେଟକୁ ଜୁଆ ଖେଳ ପରି ଭାବି ରାତାରାତି ଧନବାନ ହେବାର ସ୍ବପ୍ନ ଦେଖିବା ବନ୍ଦ ହେବା ଜରୁରୀ।

ଭାରତୀୟ ସେୟାର ବଜାରରେ ମୁଖ୍ୟତଃ ୬ ପ୍ରକାରର ଟ୍ରେଡିଙ୍ଗ ହୋଇଥାଏ, ଯାହାକୁ ଆମେ ଇନ୍‌ଟ୍ରା ଡେ ଟ୍ରେଡିଙ୍ଗ, ଡେଲିଭେରି ଟ୍ରେଡିଙ୍ଗ, ସ୍ୱିଙ୍ଗ ଟ୍ରେଡିଙ୍ଗ, ପୋଜିସନାଲ ଟ୍ରେଡିଙ୍ଗ, ଫଣ୍ଡାମେଣ୍ଟାଲ ଟ୍ରେଡିଙ୍ଗ ଏବଂ ଟେକ୍‌ନିକାଲ ଟ୍ରେଡିଙ୍ଗ ବୋଲି କହିଥାଉ। ୟା ଭିତରୁ ଅତି ଶୀଘ୍ର ଟଙ୍କା ଅର୍ଜନ କରିବାରେ ‘ଇନ୍‌ଟ୍ରା ଡେ ଟ୍ରେଡିଙ୍ଗ’ ଲୋକପ୍ରିୟତା ହାସଲ କରିଛି। ସେଥିରେ ପୁଣି ‘ଫ୍ୟୁଚର ଏଣ୍ଡ ଅପ୍‌ସନ୍‌ସ ମାର୍କେଟ’ରେ ‘ଇନ୍‌ଟ୍ରା ଡେ ଟ୍ରେଡିଙ୍ଗ’ ଅଧିକ ଲୋକପ୍ରିୟ ହୋଇଛି। ୨୫ ଜାନୁଆରି, ୨୦୨୩ରେ ‘ସେବି’ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୯ ମସିହାରେ ଭାରତରେ ପାଖାପାଖି ୮ ଲକ୍ଷ ଲୋକ ସେୟାର ମାର୍କେଟ ‘ଫ୍ୟୁଚର ଏଣ୍ଡ ଅପ୍‌ସନ୍‌ସ ମାର୍କେଟ’ରେ ଦୈନିକ ଟ୍ରେଡିଙ୍ଗ କରୁଥିଲେ। ଏହି ସଂଖ୍ୟା ବଢ଼ି ୨୦୨୨ ସୁଦ୍ଧା ୪୬ ଲକ୍ଷରେ ପହଂଚିଛି। ଅର୍ଥାତ୍‌ ସେୟାର ମାର୍କେଟରେ ଟଙ୍କା ଲଗାଇ ମୁନଫା ଅର୍ଜନ କରିବାର ନିଶା ବିଗତ ୩ ବର୍ଷ ଭିତରେ ୫୦୦% ବଢ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ବୟସଗତ ଗୋଷ୍ଠୀ ହିସାବରେ ଦେଖିଲେ ସେୟାର ଟ୍ରେଡିଙ୍ଗରେ ଦୈନିକ ଭାଗ ନେଉଥିବା ଲୋକଙ୍କ ଭିତରୁ ୩୦ରୁ ୪୦ ବର୍ଷ ବୟସ ପାଖାପାଖି ୪୦% ଏବଂ ୨୦ରୁ ୩୦ ବର୍ଷ ବୟସ ପାଖାପାଖି ୩୬% ଅଛନ୍ତି। ଉଲ୍ଲେଖ ଥାଉ କି ୨୦୧୯ ମସିହାରେ ୨୦ରୁ ୩୦ ବର୍ଷ ବୟସର ଜନସଂଖ୍ୟାର ଭାଗ ୧୧% ଥିଲା ବେଳେ ତାହା ୨୦୨୨ ସୁଦ୍ଧା ଆସି ୩୬%ରେ ପହଞ୍ଚିଲାଣି, ଅର୍ଥାତ୍‌ ୨୦ରୁ ୩୦ ବର୍ଷ ବୟସ ବର୍ଗର ଲୋକେ ଗଲା ୩ ବର୍ଷ ଭିତରେ ଏହି ଦିଗରେ ବହୁଳ ପରିମାଣରେ ଟାଣି ହେଇ ଆସୁଛନ୍ତି। ବିଗତ ୩ ବର୍ଷ ହେବ ସେୟାର ଟ୍ରେଡିଙ୍ଗରେ ଭାଗ ନେଉଥିବା ୫୦ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ହାରାହାରି ୨୦ ପ୍ରତିଶତ। ଆଉ ଏକ କଥା ହେଲା ଦୈନିକ ସେୟାର ଟ୍ରେଡିଙ୍ଗରେ ୮୦% ପୁରୁଷ ଭାଗ ନେଉଥିଲା ବେଳେ ମହିଳାଙ୍କ ସଂଖ୍ୟା ୨୦ ପ୍ରତିଶତ। ପ୍ରଶ୍ନ ଉଠେ ଯେ ଗଲା ୩ ବର୍ଷ ଭିତରେ ଏମିତି କ’ଣ ହେଲା ଯେ ସାଧାରଣ ଲୋକେ ସେୟାର ମାର୍କେଟରେ ଭିଡ଼ ଜମାଇବାକୁ ଲାଗିଛନ୍ତି।

ତାହାର ପ୍ରମୁଖ କାରଣ ହେଲା ସାମାଜିକ ଗଣମାଧ୍ୟମ ଦ୍ବାରା ଏ ଦିଗରେ ଲୋଭର ସୃଷ୍ଟି। କିନ୍ତୁ ସାଧାରଣ ଜ୍ଞାନ ହେଲା ସମସ୍ତେ ଯଦି ପୁଳାପୁଳା ଲାଭ କରି ପକାଇବେ ତେବେ ତାହା ଅର୍ଥନୀତିର ନିୟମ ବିରୋଧୀ ହେବ ନାହିଁ କି? କାରଣ ଦଳେ ଲାଭ କଲେ ଆଉ ଦଳେ କ୍ଷତି ସହିବାକୁ ବାଧ୍ୟ, ଏହା ସାଧାରଣ କଥା। ‘ସେବି’ ଦ୍ୱାରା ପ୍ରକାଶିତ ରିସର୍ ରିପୋର୍ଟର ତଥ୍ୟ ଅନୁସାରେ ସେୟାର ମାର୍କେଟରେ (ଫ୍ୟୁଚର ଏଣ୍ଡ ଅପସନ୍‌ ବଜାରରେ) ଟ୍ରେଡିଙ୍ଗ କରୁଥିବା ପ୍ରତ୍ୟେକ ୧୦ ଜଣରେ ୯ ଜଣ (୯୦%) କ୍ଷତି ସହିଥାନ୍ତି; ଯହିଁରେ ପ୍ରତ୍ୟେକଙ୍କ ବାର୍ଷିକ କ୍ଷତିର ପରିମାଣ ହାରାହାରି ୧ ଲକ୍ଷ ୨୫ ହଜାର ଟଙ୍କା। ୨୦୨୨ରେ ସେୟାର ମାର୍କେଟରେ ଦୈନିକ ଟ୍ରେଡିଙ୍ଗରେ ଯେତିକି ଲାଭ ଅର୍ଜନ ହୋଇଛି, ତାହାର ୧୫ ଗୁଣ କ୍ଷତିରେ ଯା‌ଇଛି। ଏକ ପରିସଂଖ୍ୟାନ ହେଲା ଯେଉଁ ୧୦% ଲାଭ କରନ୍ତି, ତହିଁରୁ ୨୦ ବର୍ଷ ବୟସରୁ କମ୍‌ ବୟସ୍କ ଟ୍ରେଡରଙ୍କ ସଂଖ୍ୟା ପାଖାପାଖି ୫%, ୨୦-୩୦ ବର୍ଷ ବୟସ୍କଙ୍କ ସଂଖ୍ୟା ପାଖାପାଖି ୧୧%, ୩୦-୪୦ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୨୭%, ୪୦-୫୦ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୨୫%, ୫୦-୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୧୬%, ୬୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ସଂଖ୍ୟା ପ୍ରାୟ ୧୬ ପ୍ରତିଶତ। ଏଥିରୁ ସ୍ପଷ୍ଟ ଯେ, ସେୟାର ବଜାରରୁ ରାତାରାତି ମାଲାମାଲ ହୋଇଯିବାର ଲକ୍ଷ୍ୟ ସବୁ ବୟସ ବର୍ଗରେ ଊଣାଅଧିକେ ରହିଛି, କିନ୍ତୁ ସଫଳତା ଖୁବ୍‌ କମ୍‌ ସଂଖ୍ୟକ ଲୋକଙ୍କୁ ମିଳୁଛି।

ଉଲ୍ଲେଖ ଥାଉ କି ସେୟାର ମାର୍କେଟ ସମ୍ପର୍କୀୟ ସୂଚନା ଏବଂ ପୁଂଜି ନିବେଶ ଜନିତ ଉପଦେଶ ଦେବା ପାଇଁ ‘ସେବି’ ତରଫରୁ ସ୍ୱୀକୃତି ପ୍ରାପ୍ତ ଏଜେଣ୍ଟ ଅଛନ୍ତି। ସେମାନଙ୍କୁ ‘ରେଜିଷ୍ଟ୍ରେଡ୍‌ ଇନ୍‌ଭେଷ୍ଟମେଣ୍ଟ ଆଡ୍‌ଭାଇଜର୍ସ (ଆର. ଆଇ. ଏ) ବୋଲି କୁହାଯାଏ। ଦେଶରେ ଏ ଯାବତ ୧୩୨୬ ଜଣ ସ୍ୱୀକୃତିପ୍ରାପ୍ତ ‘ଆର.ଆଇ.ଏ’ ଅଛନ୍ତି। କିନ୍ତୁ ଏକ ତଥ୍ୟ ଅନୁସାରେ ସାମାଜିକ ଗଣମାଧ୍ୟମରେ ଷ୍ଟକ ମାର୍କେଟ ତଥା ଇନ୍‌ଭେଷ୍ଟମେଣ୍ଟ ସଂପର୍କରେ ପରାମର୍ଶ ଦେଉଥିବା ଚ୍ୟାନେଲ ସଂଖ୍ୟା ପ୍ରାୟ ୨୪,୦୦୦। କିନ୍ତୁ ଏହାର ଅର୍ଥ ଏଇଆ ନୁହେଁ କି ପୁଂଜି ବା ଜମା ନିବେଶ ବାବଦରେ ଉପଦେଶ ଦେଉଥିବା ସବୁ ଲୋକ ନିହାତି ଆର.ଆଇ.ଏ ହେବା ଆବଶ୍ୟକ! କିନ୍ତୁ ଆଇନତଃ ପୁଂଜି ନିବେଶ ଉପଦେଷ୍ଟା ହେବା ସକାଶେ ବ୍ୟକ୍ତିଙ୍କୁ ଆର.ଆଇ.ଏ ହେବା ନିତାନ୍ତ ଆବଶ୍ୟକ। ଏ କଥା ସାଧାରଣ ଲୋକେ ଜାଣିବା ଆବଶ୍ୟକ। ସୋସିଆଲ ମିଡିଆ ଚ୍ୟାନେଲ ପରିଚାଳନା କରୁଥିବା ଲୋକଙ୍କର ଶିକ୍ଷାଗତ ଯୋଗ୍ୟତା ହେଉ କିମ୍ବା ଷ୍ଟକ ମାର୍କେଟ ଜନିତ ଅଭିଜ୍ଞତା ହେଉ; ସେ ବାବଦରେ ସାଧାରଣ ଲୋକ ଅବଗତ ନ ଥାନ୍ତି, ଅଥଚ ସେମାନଙ୍କୁ ବିଶ୍ବାସ କରି ଠକାମିରେ ପଡ଼ନ୍ତି।

ଏହା ମଧ୍ୟ ସତ ଯେ ସେୟାର ମାର୍କେଟ ସମ୍ପର୍କୀୟ ଜ୍ଞାନ, ଅଭିଜ୍ଞତା ଏବଂ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରଫେସନେଲ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର ମାର୍କେଟ ବିଷୟରେ ପରାମର୍ଶ ଦେଉଛନ୍ତି। କିନ୍ତୁ, ଏମାନଙ୍କ ସଂଖ୍ୟା କମ୍‌ ଓ ସେମାନଙ୍କୁ ଠାବ କରିବା କଷ୍ଟକର। ଅବଶ୍ୟ ‘ସେବି’ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏଭଳି ଧାରାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ନିୟମ ତିଆରି କରାଗଲାଣି। କିନ୍ତୁ ସବୁଠାରୁ ବଡ଼ କଥା ହେଲା ଲୋକେ ଏ ନେଇ ସଚେତନ ହେବା ଅଧିକ ଜରୁରୀ।
ସମସ୍ତେ ମନେରଖିବା ଉଚିତ ଯେ କୌଣସି ସେୟାରରେ ଟଙ୍କା ନିବେଶ କରିବା ପୂର୍ବରୁ କମ୍ପାନିର ଆର୍ଥିକ ସ୍ୱାସ୍ଥ୍ୟ, ତା’ର ବ୍ୟବସାୟ, ପୁରୁଣା ତଥ୍ୟ ଏବଂ ପରିସଂଖ୍ୟାନ ଇତ୍ୟାଦି କିଛିଟା ମୌଳିକ ବିଷୟ ଉପରେ ଧ୍ୟାନ ଦେବା ଅତି ଆବଶ୍ୟକ; କମ୍ପାନିର ‘ବାଲାନ୍‌ସ ସିଟ୍‌’ ତଥା ଅନ୍ୟାନ୍ୟ ତଥ୍ୟକୁ ନିଜେ ପରଖିବା ନିତାନ୍ତ ଆବଶ୍ୟକ। ସେୟାର ମାର୍କେଟରେ ଟଙ୍କା ନିବେଶ କରି ଲାଭବାନ ହେବା ସମ୍ଭବ, କିନ୍ତୁ ସେଥି ଲାଗି ସେୟାର ବଜାରରେ ନିବେଶ କରିବା ନେଇ ବିଦ୍ୟା, ବୁଦ୍ଧି, ଜ୍ଞାନ, ଠିକଣା ପରାମର୍ଶ ଏବଂ ସର୍ବୋପରି ସାଧାରଣ ଜ୍ଞାନର ଉପଯୋଗ କରିବା ଆବଶ୍ୟକ। ମନେ ରଖିବା ଉଚିତ ଯେ ସେୟାର ବଜାର ଅର୍ବାଚୀନମାନଙ୍କ ଜୁଆ ଖେଳ ନୁହେଁ।
ମୋ: ୯୭୯୧୧୨୧୦୬୮