ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଥିଲା ହୃଦୟକୁ ସ୍ତବ୍ଧ କରିଦେବା ଭଳି ଏକ ଲୋମହର୍ଷଣକାରୀ ଘଟଣା। ଯେଉଁମାନେ ତାହା ପ୍ରତ୍ୟକ୍ଷ ଭାବେ ଦେଖିଲେ ବା ଖବରକାଗଜରୁ ପଢ଼ିଲେ ଅଥବା ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରୁ ପୁଙ୍ଖାନୁପୁଙ୍ଖ ବିବରଣୀ ଜାଣିଲେ; ସେହି ସମସ୍ତଙ୍କ ହୃଦୟ ଯେ ଅବର୍ଣ୍ଣନୀୟ ଭାବେ ବିଦୀର୍ଣ୍ଣ ହୋଇଥିବ, ଏଥିରେ ଦ୍ବିରୁକ୍ତି ନାହିଁ। ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେହି ନରକ ଯନ୍ତ୍ରଣା ମଧ୍ୟ ଦେଇ ଗଲେ ଏବଂ ଏବେ ମଧ୍ୟ ଯାଉଛନ୍ତି, ସେମାନେ ସମସ୍ତେ ଯେ ଆମ ଆତ୍ମାର ଅବିଚ୍ଛେଦ୍ୟ ଅଂଶ, ଏହା କିଏ ବା ଅନୁଭବ କରିନାହିଁ!
ଏହା ପଛରେ ଥିବା ମନୁଷ୍ୟକୃତ କାରଣ ତ ଖୋଜାଯିବ! ହୁଏ’ତ କାହାର ଜାଣତ ବା ଅଜାଣତ ବା ଅବହେଳାଜନିତ ଦୋଷ ମଧ୍ୟ ଠାବ କରାଯାଇପାରେ। କିନ୍ତୁ, ଏ ପ୍ରକାର ବିଭୀଷିକା ଅନ୍ତରାଳରେ କୌଣସି ନା କୌଣସି ଅପଶକ୍ତିର ଭୂମିକା ରହିଥିବା ବିଷୟ ମଧ୍ୟ ଗଭୀର ଦୀର୍ଘଶ୍ବାସ ତଳେ ଆମମାନଙ୍କ ମୁହଁରୁ ବାହାରି ଯାଉଛି। ଅଦୃଷ୍ଟ ନିକଟରେ ଆତ୍ମସମର୍ପଣ କରି ଦେଇଥିବା ମୁଦ୍ରାରେ ଅନେକ ଆକାଶକୁ ଚାହିଁ ସଜଳ ନେତ୍ରରେ କହୁଛନ୍ତି- ଯାହା ପ୍ରଭୁଙ୍କ ଇଚ୍ଛା! ଏତିକି ବେଳେ ମନରେ ପ୍ରଶ୍ନ ଉଠିଥାଏ ଯେ ସତରେ କ’ଣ ଏଭଳି ଦାରୁଣ ବିପର୍ଯ୍ୟୟ ପ୍ରଭୁଙ୍କ ଇଚ୍ଛାରେ ଘଟିଥାଏ? କାହିଁକି କେଜାଣି ଏଭଳି କଥାକୁ ହଠାତ୍ ସ୍ବୀକାର କରିହୁଏ ନାହିଁ। ଯଦିଓ ସ୍ବୟଂ ଈଶ୍ବର ହେଉଛନ୍ତି ବିଶ୍ବନିୟନ୍ତା; ତଥାପି ମନେହୁଏ ଯେ କେଉଁ ଏକ ଈଶ୍ବର-ବିରୋଧୀ ପ୍ରକାଣ୍ଡ ଅପଶକ୍ତି ଏହାକୁ ଘଟାଇଥିବ! ଲାଗେ ଯେ ବିଶ୍ବ ବ୍ରହ୍ମାଣ୍ଡରେ ଗୋଟିଏ ପଟେ ଈଶ୍ବରଙ୍କ ଶୁଭାନୁଧ୍ୟାୟୀ ଶକ୍ତି କାର୍ଯ୍ୟରତ ଥିବା ବେଳେ ତାହାକୁ ବିବର୍ଣ୍ଣ ଓ ବିକୃତ କରିଦେବା ପାଇଁ ବିଦ୍ୟମାନ ଆଉ ଏକ ଅଦୃଶ୍ୟ ଆସୁରିକ ସତ୍ତା! ସୁତରାଂ, ମଙ୍ଗଳମୟ ଭଗବାନଙ୍କ ଇଚ୍ଛାନୁଯାୟୀ ଏସବୁ କଦାପି ଘଟୁ ନ ଥିବ। ବରଂ ଏଭଳି ବିଭୀଷିକାରେ ଯେଉଁମାନେ ଆକସ୍ମିକ ଭାବେ ବର୍ତ୍ତି ଯାଇଥିବେ, ସେମାନେ ଯୋଡ଼ ହସ୍ତରେ ପ୍ରଭୁଙ୍କୁ ସୁମରଣ କରିଥିବେ, ଈଶ୍ବରଙ୍କ କାରୁଣିକ ସ୍ପର୍ଶର ପ୍ରତ୍ୟକ୍ଷ ଅନୁଭୂତି ସେହିମାନେ ହିଁ ନିଜର ଅବଶିଷ୍ଟ ଜୀବନ ବର୍ଣ୍ଣନା କରି ଚାଲିବେ।
ବିଭିନ୍ନ ଲୋକ ବିଭିନ୍ନ ଭାବରେ ଭଗବାନଙ୍କୁ ଦେଖନ୍ତି, ବିଚାର କରନ୍ତି ବା ତାଙ୍କର କଳ୍ପନା କରନ୍ତି। କିନ୍ତୁ ସାଧାରଣ ଦୃଷ୍ଟିକୋଣ ହେଲା ଈଶ୍ବରଙ୍କୁ ଜଗତର ମଙ୍ଗଳ ଏବଂ ସୁରକ୍ଷା ସକାଶେ ସର୍ବ ମୂଳରେ ବିଦ୍ୟମାନ ଅସାମାନ୍ୟ ଶକ୍ତି ରୂପେ ଦେଖିବା। ତେଣୁ, ତାଙ୍କ କରୁଣାର ବିନ୍ଦୁ ଲାଭ କରିବା ସକାଶେ ଆମେ ପ୍ରାର୍ଥନା କରୁ। ଆମେ ଏହା ମଧ୍ୟ ବିଶ୍ବାସ କରୁ ଯେ ପୃଥିବୀ ଉପରେ ଅପଶକ୍ତିର ଭାର ଅସମ୍ଭାଳ ଭାବେ ବୃଦ୍ଧି ପାଇଲେ ସେହି କରୁଣାମୟ ଈଶ୍ବର ହିଁ ତ୍ରାଣକର୍ତ୍ତା ଭାବେ ଧରାପୃଷ୍ଠରେ ଅବତରଣ କରିବେ। ସେଥି ଲାଗି କେତେ କେତେ ବିଭୀଷିକା ଘଟି ଚାଲିଥିଲେ ବି ସେ ସବୁ ମଣିଷ ମନରୁ ଈଶ୍ବରଙ୍କ ପ୍ରତି ଥିବା ବିଶ୍ବାସକୁ ଦୂର କରି ପାରିନାହିଁ। ଆଡଲ୍ଫ ହିଟଲରର ଇହୁଦୀ ମେଧ ଯଜ୍ଞରେ ପ୍ରାୟ ୬୦ ଲକ୍ଷ ଜ୍ୟୁ ନିପାତ ହୋଇଗଲେ ସିନା, ସେମାନଙ୍କ ଈଶ୍ବର ବିଶ୍ବାସ ଟଳିଲା ନାହିଁ। ଏବେ ବି ଇହୁଦୀମାନେ ପ୍ରଗାଢ଼ ଭାବେ ଗୋଟିଏ ଈଶ୍ବର ବିଶ୍ବାସୀ ଜାତି!
ରେଳ ଦୁର୍ଘଟଣା ତ ଘଟିଗଲା। ଆଉ ତା’ ପରେ? ତା’ ପରେ ଦେଖାଗଲା ଅଗଣିତ ଲୋକ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବାରେ ମନପ୍ରାଣ ଢାଳିଦେଲେ। ରକ୍ତଦାନ ସକାଶେ ରାତି ତମାମ ଦୀର୍ଘ ଧାଡ଼ିରେ ଛିଡ଼ା ହେଲେ। ଭୋକ ଓ ଶୋଷ ଭୁଲି ଦୁର୍ଗତଙ୍କ ସେବାରେ ଲାଗିଗଲେ। ଏମାନେ ସମସ୍ତେ କିଏ? ପ୍ରତି ଦିନ ନିଜ ତେଲଲୁଣ ସଂସାରରେ ବୁଡ଼ି ରହିଥିବା, ବେଳେ ବେଳେ ଟିକିଏ ସ୍ବାର୍ଥକୁ ନେଇ କଳହ କରୁଥିବା ବା କେତେବେଳେ କେତେବେଳେ ସୁବିଧାବାଦୀ ଭଳି ନିଜ ବାଟରେ ଖସି ଯାଉଥିବା ସାଧାରଣ ମଣିଷ ଏମାନେ? ନା, ଏମାନେ ସମସ୍ତେ ସେହି କ୍ଷଣରେ ପାଲଟି ଯାଇଥିଲେ ଈଶ୍ବରଙ୍କ ପ୍ରତିନିଧି। ଏହି ସମସ୍ତଙ୍କ ହୃଦୟରେ ବିଜୁଳି ଭଳି ଚମକି ଉଠିଥିଲା ଈଶ୍ବରଙ୍କ ପ୍ରତ୍ୟକ୍ଷ ପ୍ରକାଶ। ଏହି ତ୍ରାଣକର୍ତ୍ତାମାନେ ମଧ୍ୟ ନିଜ ନିଜ ହୃଦୟରେ ଯେଉଁ ନୈସର୍ଗିକ ପୁଲକ ଅନୁଭବ କରିଥିେବ, ତାହାର ମଧ୍ୟ ପଟାନ୍ତର ନାହିଁ!
ମୁଁ ଭାବେ ଭାଗ୍ୟ ଓ ଭଗବାନ- ଏ ଉଭୟ ଏକ ଓ ଅଭିନ୍ନ। ବିଧାତାର ଭିଆଣ ହେଉଛି ଭାଗ୍ୟ। ଏବଂ ଭାଗ୍ୟ ଚକ୍ରରେ ପଡ଼ି ଯେତେବେଳେ ମନୁଷ୍ୟ ସନ୍ତପ୍ତ ହୁଏ, ସେତିକି ବେଳେ କେତେ ରୂପରେ ଓ କେତେ ଭାବରେ ସନ୍ତପ୍ତ ପ୍ରାଣକୁ ଶୀତଳ କରିବା ଲାଗି ଈଶ୍ବରଙ୍କ କରୁଣା ଝରି ଆସେ। ଏହାକୁ ମନୁଷ୍ୟ ବୁଝିଥାଏ ବୋଲି ପ୍ରାର୍ଥନାରେ ଈଶ୍ବରଙ୍କ ଦୟାକୁ ମାଗଣ କରିଥାଏ। ସେଥି ଲାଗି ଜର୍ମାନିର ଅସ୍ବିଜ୍ ଇହୁଦୀ ଯାତନା ଶିବିରରେ କୌଣସି ଜଣେ ଇହୁଦୀ କାନ୍ଥରେ ଲେଖିଥିବା ଦେଖିବାକୁ ମିଳିଥିଲା- ‘ହେ ଈଶ୍ବର, ଯାତନା ଭୋଗିବା ଯଦି ଆମ ଭାଗ୍ୟ ଭୋଗ, ତେବେ ଏତିକି ଦୟା କର; ଯାତନା ସହିବାର ଶକ୍ତି ଅନ୍ତତଃ ଆମକୁ ପ୍ରଦାନ କର।’
ଲେଖା ଶେଷରେ ଏହ ଲେଖକ ମଧ୍ୟ ଈଶ୍ବରଙ୍କୁ ସେହି ପ୍ରାର୍ଥନା କରିବ। ଦୁର୍ଘଟଣାରେ ପୀଡ଼ିତ ସମସ୍ତଙ୍କୁ ଦୁଃଖ ସହିବାର ଶକ୍ତି ଦିଅ ପ୍ରଭୁ!
ମୋ: ୯୯୩୭୩୬୫୬୯୮