ଅଭିନବ ଶିକ୍ଷା

କଥାଟିଏ - ଯାଯାବର

ଜଣେ ସୁଫି ସନ୍ଥ ଥିଲେ। ଦୂର ସ୍ଥାନରୁ ଜଣେ ମହାନ ବିଦ୍ବାନ ଆସି ତାଙ୍କୁ କହିଲେ- ମହାତ୍ମା କିଛି ଶିକ୍ଷା ଦିଅନ୍ତୁ।
ସୁଫି ସନ୍ଥ ଚିରାଚରିତ ଭାବେ କହିଲେ- ନା। ମୁଁ କାହାକୁ କିଛି ଶିକ୍ଷା ଦିଏନାହିଁ।
ଏବେ ବିଦ୍ବା‌ନ କହିଲେ- ଶିକ୍ଷା ନ ନେଇ ମୁଁ କିନ୍ତୁ ଯାଉନାହିଁ।

ତାଙ୍କ ଅଟଳ ଜିଦି ଦେଖି ସୁଫି ସନ୍ଥ କହିଲେ- ଯଦି ଶିକ୍ଷା ଦେବି, ତେବେ ଗୋଟିଏ ସର୍ତ୍ତରେ। ମୋ ଶିକ୍ଷାକୁ ପ୍ରଶ୍ନ କଲା କ୍ଷଣି ମୁଁ ଶିକ୍ଷା ଦେବା ବନ୍ଦ କରିଦେବି। ବିଦ୍ବାନ ରାଜି ହେଲେ।
ସୁଫି କହିଲେ- ବେଶ୍, ତୁମେ ତୁମର ଦାମିକା ପୋଷାକ ଖୋଲ। ମୋର ଏ ଚିରା ଫଟା କପଡ଼ା ପିନ୍ଧ। ମୋର ଏ ଫଟା ମୁଣି କାନ୍ଧରେ ପକାଅ। ଏ ଛୋଟ ମିଠାଇ ପୁଡ଼ିଆଟିକୁ ମଧ୍ୟ ଧର। ତୁମେ ଏବେ ବଜାର ଭିତରକୁ ଯାଅ। ଦେଖିବ କିଛି ଲୋକ ତୁମକୁ ପାଗଳ ବୋଲି କହି ପଥର ମାରିବେ। ଯେଉଁମା‌ନେ ପଥର ମାରିବେ ତୁମେ ତାଙ୍କୁ ଏ ମିଠେଇ ଦେବ।
ବିଦ୍ବାନ ପଚାରିବାକୁ ଭାବୁଥିଲେ- ୟେ ପୁଣି କି ପ୍ରକାର ଶିକ୍ଷା? କିନ୍ତୁ ସର୍ତ୍ତକୁ ମନେ ପକାଇ ଚୁପ୍ ରହିଲେ।
ସଂଧ୍ୟାକୁ ବିଦ୍ବାନ ଫେରିଲେ। ସେ ସୁଫି ସନ୍ଥଙ୍କୁ ସମ୍ମାନ ଜଣାଇ କହିଲେ- ମହାତ୍ମା, ଆପଣ ହିଁ ମୋର ଗୁରୁ।
ସୁଫି ପଚାରିଲେ- ଏମିତି କ’ଣ ହେଲା କି?

ବିଦ୍ବାନ କହିଲେ- ପ୍ରଥମ କଥା ହେଲା, ଆପଣ ଯେଉଁ ଶିକ୍ଷା ଦେବେ ବୋଲି ମୁଁ ଭାବୁଥିଲି, ଆପଣ ସେ ପ୍ରକାର ଶିକ୍ଷା ନ ଦେଇ ନିଜେ ଯାହା ଉଚିତ ମନେ କଲେ, ସେ ଶିକ୍ଷା ଦେଲେ। ଦ୍ବିତୀୟରେ ଆପଣଙ୍କ ଶିକ୍ଷା ଯେ କେବଳ ନୂତନ ଜ୍ଞାନ ଦେଲା ତାହା ନୁହେଁ, ଏହା ମୋ ଜୀବନକୁ ବଦଳାଇ ଦେଲା। କେବଳ ସେତିକି ନୁହେଁ ମୋତେ ପଥର ମାରିଥିବା ଅନେକ ଲୋକଙ୍କୁ ବି ବଦଳାଇ ଦେଲା।

ସମ୍ବନ୍ଧିତ ଖବର