କଂଗ୍ରେସରୁ ମହାପ୍ରସ୍ଥାନ

ଆଲୋକର ସନ୍ଧାନେ - ଅଭୟ ଦ୍ୱିବେଦୀ

‘ମୁଁ କଂଗ୍ରେସ ଦଳରୁ ମଇ ୧୬ ତାରିଖରେ ଇସ୍ତଫା ଦେଇସାରିଛି। ସମସ୍ତଙ୍କୁ ଏକଜୁଟ କରି ମୋଦୀ ସରକାରଙ୍କ ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ପ୍ରସ୍ତୁତ କରିବୁ, ତାହା ହିଁ ଆମର ଲକ୍ଷ୍ୟ।’ ମଇ ୨୪ ତାରିଖରେ ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନାମାଙ୍କନ ପତ୍ର ଦାଖଲ କରିବାର କିଛି ମୁହୂର୍ତ୍ତ ପରେ କପିଳ ସିବଲ ସମସ୍ତଙ୍କୁ ଚକିତ କଲା ଭଳି ଏହା ଘୋଷଣା କରିଥିଲେ। ମଇ ୧୪ ତାରିଖରେ ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ସୁନୀଲ ଝାକର ଫେସବୁକ୍ ଲାଇଭ୍‌ରେ ‘ଗୁଡ୍‌ ଲକ୍ ଆଣ୍ଡ ଗୁଡ୍‌ ବାୟ କଂଗ୍ରେସ’ ମନ୍ତବ୍ୟ ଦେଇ କଂଗ୍ରେସ ସହିତ ପଚାଶ ବର୍ଷର ସଂପର୍କ ଛିନ୍ନ କରିଥିଲେ। ତିନି ମାସ ପୂର୍ବେ, ଫେବ୍ରୁଆରି ୧୫ ତାରିଖରେ, କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଦଳରୁ ଇସ୍ତଫା ଦେଇ ୪୬ ବର୍ଷର ସଂପର୍କ ତୁଟାଇଥିଲେ। ଜାନୁଆରି ୨୪ ତାରିଖରେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ରାଜ୍ୟର ବରିଷ୍ଠ ନେତା ରତନଜିତ ପ୍ରତାପ ନାରାୟଣ ସିଂହ ୩୨ ବର୍ଷ ପରେ ଦଳ ପରିତ୍ୟାଗ କରିଥିଲେ। କଂଗ୍ରେସ ଦଳର କନିଷ୍ଠ ଅଥଚ ଟାଣୁଆ ନେତା ହାର୍ଦ୍ଦିକ ପଟେଲ ମଇ ମାସରେ ଦଳରୁ ଇସ୍ତଫା ଦେଇଛନ୍ତି।

୨୦୨୧ ନଭେମ୍ବରରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ୨୦୨୦ ମାର୍ଚ୍ଚ ମାସରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏମାନେ ଏକଦା ସୋନିଆ ପରିବାରର ନିକଟତମ ସଦସ୍ୟ ଭାବେ ପରିଚିତ ଥିଲେ। କପିଳ ସିବଲଙ୍କ ଇସ୍ତଫା ପରେ କଂଗ୍ରେସର ମହାସଚିବ କେ.ସି. ଭେନୁଗୋପାଳ ସଫେଇ ଦେଇଛନ୍ତି- ‘କଂଗ୍ରେସ ଏକ ବିଶାଳ ସଂଗଠନ। ଏଥିରେ ସର୍ବଦା କିଛି ଯାଉଥିବେ, ଆସୁଥିବେ। ସେଥିରେ ଦଳୀୟ କାର୍ଯ୍ୟଧାରାରେ ଆଦୌ ପାର୍ଥକ୍ୟ ଆସିବ ନାହିଁ। କଂଗ୍ରେସ ଦଳ କେନ୍ଦ୍ରରେ ଦୀର୍ଘକାଳ କ୍ଷମତାରେ ରହି ଆସିଛି। ଦୁଇଟି ନିର୍ବାଚନରେ ହାରିବା ପରେ କ୍ଷମତାଲୋଭୀମାନେ ଏହି ଶୂନ୍ୟତାକୁ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ଦଳ ଛାଡ଼ିବା ପାଇଁ ବ୍ୟଗ୍ର ହେଉଛନ୍ତି।’ ଦଳୀୟ ଚିନ୍ତାଧାରା ଆଧାରରେ ଯୁକ୍ତି ଅକାଟ୍ୟ ହୋଇପାରେ, କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ପ୍ରତୀୟମାନ ହୁଏ।

ଅନେକଙ୍କର ମନେ ଥିବ- ୨୦୨୦ ମସିହାରେ କଂଗ୍ରେସର ୨୩ ଜଣ ବରିଷ୍ଠ ସଦସ୍ୟ ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଏକ ପତ୍ର ଲେଖିଥିଲେ। ତାହାର କିଛି ଅଂଶ ଏଠାରେ ଉଦ୍ଧାର କରାଗଲା- ‘ଆମେ ନିମ୍ନସ୍ୱାକ୍ଷରକାରୀ, ଯେଉଁମାନେ କଂଗ୍ରେସରେ ଦୀର୍ଘ ଜୀବନ ଅତିବାହିତ କରିଛୁ, ଏହି ଅବସରରେ ଦେଶର ରାଜ୍ୟନୈତିକ ସ୍ଥିତି ଏବଂ କଂଗ୍ରେସ ଦଳର ସାଂଗଠନିକ ସଙ୍କଟ ଉପରେ ଆମର ଚିନ୍ତା ପ୍ରକଟ କରୁଛୁ।… ୨୦୧୪ ଏବଂ ୨୦୧୯ ବିଧାନସଭା ଏବଂ ସାଧାରଣ ନିର୍ବାଚନରେ କଂଗ୍ରେସର ଭୋଟ୍‌ ହାର ଲଗାତାର ହ୍ରାସ ପାଇଛି। ଏହାର ବିଭିନ୍ନ କାରଣ ତୁରନ୍ତ ଚିହ୍ନଟ କରିବାର ଆବଶ୍ୟକତା ରହିଛି। ନଚେତ୍, ଯାହା ସ୍ପଷ୍ଟ ହୋଇଯାଉଛି, ସ୍ଥିତିରେ ଆହୁରି ଅବନତି ଘଟିବ।… ନେତୃତ୍ୱର ସଙ୍କଟ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାଙ୍କ ମନୋବଳ ଭାଙ୍ଗିଦେବା ସହ ଦଳକୁ ଆହୁରି ଦୁର୍ବଳ କରିଦେଉଛି।’ ଏହି ପତ୍ରରେ ଦଳର ବରିଷ୍ଠ ନେତାମାନେ ନେତୃତ୍ୱର ସଙ୍କଟ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। କିନ୍ତୁ ଦଳ ତରଫରୁ ସେମାନଙ୍କୁ ବିଦ୍ରୋହୀ ଅଭିହିତ କରାଯାଇ ମୁଖ୍ୟ କାର୍ଯ୍ୟଧାରାରୁ ବାସନ୍ଦ କରାଗଲା।

ପ୍ରଶ୍ନ ଉଠେ- କଂଗ୍ରେସ ଦଳରେ ନେତୃତ୍ୱର ସଙ୍କଟ ଆସିଲା କାହିଁକି? କେହି ହୁଏତ ମତ ରଖି ପାରନ୍ତି, ଏହା କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ସେ ସଂପର୍କରେ ପ୍ରଶ୍ନ କରିବା ସମୀଚୀନ ନୁହେଁ। କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦେଶର ସାମଗ୍ରିକ ପ୍ରଗତି ଓ ବିକାଶ ନିମନ୍ତେ ଦୃଢ଼ ଏବଂ ସ୍ଥିର ସରକାର ଯେପରି ଅପରିହାର୍ଯ୍ୟ, ଶକ୍ତିଶାଳୀ ବିରୋଧୀ ଦଳ ସମତୁଲ ଅନିବାର୍ଯ୍ୟ। କୌଣସି ଆଂଚଳିକ ଦଳର ପରିସର ବ୍ୟାପକ ହୋଇ ନ ଥିବାରୁ ଜାତୀୟ ସ୍ତରରେ କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳର ଭୂମିକା ଗ୍ରହଣ କରିବାର ସାମର୍ଥ୍ୟ ରଖେ। ତେଣୁ କଂଗ୍ରେସ ଦଳର ଭାଗ୍ୟ ଓ ଭବିଷ୍ୟତ ସହିତ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତ୍ୟକ୍ଷ ଭାବେ ସଂଶ୍ଳିଷ୍ଟ।
ସ୍ୱାଧୀନତା ପ୍ରାପ୍ତି ପର ଠାରୁ ମୁଖ୍ୟତଃ ଗାନ୍ଧୀ-ନେହରୁ ପରିବାର ହାତରେ କଂଗ୍ରେସ ଦଳର ନେତୃତ୍ୱ ରହିଆସିଛି ଏବଂ କର୍ମକର୍ତ୍ତା ଓ କର୍ମୀ ସମସ୍ତେ ତାହା ବିନା ଦ୍ୱିଧାରେ ଗ୍ରହଣ କରିନେଇଛନ୍ତି।

୨୦୨୦ ମସିହା ପୂର୍ବରୁ ନେତୃତ୍ୱର ପରାକାଷ୍ଠାକୁ ନେଇ ଗୋଷ୍ଠୀବଦ୍ଧ ଭାବେ କେବେ ପ୍ରଶ୍ନ ଉଠି ନ ଥିଲା। ଦୀର୍ଘ ୭୫ ବର୍ଷ ମଧ୍ୟରେ କଂଗ୍ରେସ ଦଳ ୬୦ ବର୍ଷ ଶାସନରେ ରହିଛି। କ୍ରମାଗତ ଦୀର୍ଘ ୩୦ ବର୍ଷ ଶାସନ କରିବା ପରେ ପ୍ରଥମ ଥର ୧୯୭୭ ମସିହାରେ ଦଳ ପରାଜୟ ସ୍ୱୀକାର କରିଥିଲା। କିନ୍ତୁ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହ ସରକାରର ପତନ ପରେ ଇନ୍ଦିରା ଗାନ୍ଧୀ ପୁନଶ୍ଚ ୧୯୮୦ ମସିହାରେ କ୍ଷମତା ସିଂହାସନ ଅକ୍ତିଆର କରିନେଲେ। ୧୯୮୯ ମସିହାରେ ବିଶ୍ୱନାଥ ପ୍ରତାପ ସିଂହ ଶାସନ କ୍ଷମତାକୁ ଆସିଲେ ମଧ୍ୟ ଗୋଟିଏ ବର୍ଷ ମଧ୍ୟରେ ସରକାରର ପତନ ଘଟିଲା। ଏହା ପରେ କଂଗ୍ରେସ ସମର୍ଥନରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହେଲେ ସତ, କିନ୍ତୁ ସେ ମଧ୍ୟ ଗୋଟିଏ ବର୍ଷ କ୍ଷମତାରେ ରହିପାରିଲେ ନାହିଁ।

୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ଦେବଗୌଡ଼ା ଏବଂ ଗୁଜରାଲଙ୍କ ସମୟରେ ଦଳ ଶାସନରେ ନ ଥିଲେ ମଧ୍ୟ ସରକାରଙ୍କୁ ସମର୍ଥନ ଜଣାଇ ଶାସନ ବ୍ୟବସ୍ଥାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୯୮ ମସିହାରେ ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ଗ୍ରହଣ କରିବା ପରେ କଂଗ୍ରେସର ଜୟଯାତ୍ରା ଆରମ୍ଭ ହେଲା। ସଂଯୋଗବଶତଃ ୧୯୯୮ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ଥିଲେ ଦେଶର ପ୍ରଧାନମନ୍ତ୍ରୀ।

ସ୍ୱାଧୀନ ଭାରତରେ ବାଜପେୟୀଙ୍କ ଶାସନକାଳକୁ ସୁବର୍ଣ୍ଣ ଯୁଗ ଭାବେ ଅଭିହିତ କରାଯାଏ। ସେ ଥିଲେ ତିନି ଥର ପ୍ରଧାନମନ୍ତ୍ରୀ- ୧୯୯୬ ମସିହାରେ ୧୩ ଦିନ, ୧୯୯୮ ମସିହାରେ ୧୩ ମାସ ଏବଂ ୧୯୯୯ରୁ ପାଞ୍ଚ ବର୍ଷ। ତାଙ୍କ ସମୟରେ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଯେଉଁ ଶିଖରରେ ଉପନୀତ ହୋଇଥିଲା, ଆଜି ତାହା ମାନଦଣ୍ଡ ଭାବେ ଗ୍ରହଣ କରାଯାଉଛି। ପୋଖରଣ ପରମାଣୁ ବିସ୍ଫୋରଣ, କାରଗିଲ ଯୁଦ୍ଧରେ ଜୟ ଲାଭ, ଜାତୀୟ ରାଜପଥର ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ସର୍ବଶିକ୍ଷା ଅଭିଯାନ- ସଫଳତାର ଏ ତାଲିକା ବହୁ ଲମ୍ବା। ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି- ଏ ତିନିଟି କ୍ଷେତ୍ରର ବିକାଶ ହେଉଛି ସୁଶାସନର ପ୍ରମୁଖ ଅଙ୍ଗ। ଅଟଳ ବିହାରୀ ବାଜପେୟୀ ଏହି ଅଙ୍ଗଗୁଡ଼ିକୁ ସକ୍ରିୟ, ସତେଜ ଏବଂ ସୁଦୃଢ଼ କରିଥିଲେ।

ତାଙ୍କ ଶାସନ କାଳରେ ଦେଶର ଆର୍ଥିକ କ୍ଷେତ୍ର ଅତ୍ୟନ୍ତ ସୁଦୃଢ଼ ଥିଲା। ଆର୍ଥିକ ପ୍ରଗତିର ପ୍ରଭାବ ଆମେ ଦୁଇଟି କ୍ଷେତ୍ରରୁ ଆକଳନ କରିଥାଉ- କର୍ମନିଯୁକ୍ତି ଏବଂ ଭିତ୍ତିଭୂମିର ବିକାଶ। ବାଜପେୟୀଙ୍କ ଛଅ ବର୍ଷ ଶାସନକାଳ ମଧ୍ୟରେ ୬ କୋଟି କର୍ମନିଯୁକ୍ତି ଆଜି ଅନ୍ୟମାନଙ୍କ ପାଇଁ ଅପହଂଚ ଆଦର୍ଶ ହୋଇ ରହିଯାଇଛି।

ବାଜପେୟୀଙ୍କ ଶାସନକାଳ ଉତ୍କର୍ଷର ଉତ୍ତୁଙ୍ଗ ଶିଖର ସ୍ପର୍ଶ କରିଥିବା ସତ୍ତ୍ବେ, ୨୦୦୪ ଏବଂ ୨୦୦୯ ନିର୍ବାଚନରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ଉପା’ ମେଣ୍ଟ ବାଜପେୟୀଙ୍କ ଏନ୍‌ଡିଏକୁ ପରାସ୍ତ କରି କ୍ରମାଗତ ଦୁଇଥର ସରକାର ଗଠନ ପାଇଁ ସମର୍ଥ ହୋଇଗଲା। ଏହା ଥିଲା ସୋନିଆ ଗାନ୍ଧୀଙ୍କ ସର୍ବଶ୍ରେଷ୍ଠ ସଫଳତାର କାହାଣୀ, ଯାହା ପରବର୍ତ୍ତୀ ସମୟରେ ଚରମ ବିଫଳତାର କାରଣ ପାଲଟିଗଲା। କ୍ରମାଗତ ଦୁଇଟି ନିର୍ବାଚନରେ ଜୟଲାଭ କରିବା ପରେ ସୋନିଆ ଗାନ୍ଧୀଙ୍କ ମନରେ ହୁଏତ ଭ୍ରମ ସୃଷ୍ଟି ହୋଇଥିବ, କୌଣସି ରାଜବଂଶର ଦାୟାଦ ଭାବେ କଂଗ୍ରେସ ଦଳ ଓ ଦିଲ୍ଲୀ ସିଂହାସନ ଉପରେ ତାଙ୍କର ବଂଶଗତ ଏକଚାଟିଆ ଅଧିକାର ରହିଛି। ମୋଗଲ ଶାସନକାଳରେ ଶେରଶାହା ସୁରୀ ଯେମିତି ପାଞ୍ଚ ବର୍ଷ ପାଇଁ ଧସେଇ ପଶିଥିଲେ, ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ସମସ୍ତଙ୍କୁ, ଏପରି କି କଂଗ୍ରେସ ଦଳର ପି.ଭି. ନରସିଂହ ରାଓଙ୍କୁ ମଧ୍ୟ ସେ ସେହି ନିକିତିରେ ବାହ୍ୟ ଶକ୍ତି ଭାବେ ତଉଲିବାକୁ ଲାଗିଲେ। ନ ହେଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ଶବ ଶୋଭାଯାତ୍ରାକୁ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ବାରଣ କରାଯାଇ ନ ଥାନ୍ତା କି ଅନ୍ତିମ ସଂସ୍କାର ନିମନ୍ତେ ଦିଲ୍ଲୀରୁ ହାଇଦ୍ରାବାଦ ପଠାଯାଇ ନ ଥାନ୍ତା।

ବିଡ଼ମ୍ବନା, ରାହୁଳ ଗାନ୍ଧୀ ମଧ୍ୟ ସେହି ଢାଞ୍ଚାରେ ପଡ଼ିଗଲେ। ସେ ଧରିନେଲେ, କୌଣସି ବିଫଳତା ନିମନ୍ତେ ସେ ଉତ୍ତରଦାୟୀ ନୁହନ୍ତି। ଗୋଟିଏ ଦୃଷ୍ଟାନ୍ତ: ‘ସାଂସଦ ଆଦର୍ଶ ଗ୍ରାମ ଯୋଜନା’ ଆଧାରରେ ରାହୁଳ ଗାନ୍ଧୀ ୨୦୧୪ ମସିହାରେ ଆମେଥି ବିଧାନସଭା ନିର୍ବାଚନମଣ୍ଡଳୀର ଜଗଦୀଶପୁରକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ। ସେହି ସମୟରେ ଗ୍ରାମବାସୀମାନେ ଉଚ୍ଛ୍ୱସିତ ହୋଇ ନବବଧୂ ବେଶରେ ଗ୍ରାମକୁ ସଜେଇ ରାହୁଳ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ। ଆଶା କରିଥିଲେ- ସେମାନଙ୍କ ଭାଗ୍ୟ ବଦଳିଯିବ। କିନ୍ତୁ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଗଲା। ପାଞ୍ଚ ବର୍ଷ ମଧ୍ୟରେ ରାହୁଳ ଗାନ୍ଧୀ ଥରୁଟିଏ ସେହି ଗ୍ରାମକୁ ଆସିଲେ ନାହିଁ। ସାଂସଦ ଉନ୍ନୟନ ପାଣ୍ଠିରୁ ଗ୍ରାମରେ ଟଙ୍କାଟିଏ ଖର୍ଚ୍ଚ ହେଲା ନାହିଁ। ରାସ୍ତାରେ ମୁଠାଏ ମାଟି ପଡ଼ିଲା ନାହିଁ। ୨୦୧୯ ନିର୍ବାଚନ ପୂର୍ବରୁ ଗ୍ରାମର ମୁଖିଆ ଜିତେନ୍ଦ୍ର ଯାଦବ, ରାହୁଳଙ୍କ ପ୍ରତି ବୀତସ୍ପୃହ ହୋଇ ସଦଳବଳ ବିଜେପିରେ ଯାହା ଯୋଗ ଦେଲେ। ରାହୁଳ ଥାଆନ୍ତି କଂଗ୍ରେସର ସଭାପତି।

ସେହି ସମୟରେ ଜିତେନ୍ଦ୍ର ଯାଦବ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ରାହୁଳ ଗାନ୍ଧୀଙ୍କ ଚରିତ୍ର ପଞ୍ଜିକା ଭାବେ ଗ୍ରହଣ କରାଯାଇପାରେ- ଯେଉଁ ନେତା ଗୋଟାଏ ଗ୍ରାମକୁ ସଜାଡ଼ି ପାରିଲେ ନାହିଁ, ସେ ଏଡ଼େ ବଡ଼ ଦଳ ଓ ଏଡ଼େ ବଡ଼ ଦେଶକୁ କେମିତି ସମ୍ଭାଳିବେ? ନିର୍ବାଚନରେ ରାହୁଳ ଗାନ୍ଧୀ ଆମେଥିରୁ ପରାସ୍ତ ହୋଇ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ। ସୋନିଆ ଗାନ୍ଧୀଙ୍କ ଉପରେ କଂଗ୍ରେସ ଆସ୍ଥା ପ୍ରକଟ କରି ଆସିଛି ଏବଂ ସେ ମଧ୍ୟ ସଙ୍କଟ କାଳରେ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। କିନ୍ତୁ ତାଙ୍କ ସହିତ ପୁତ୍ର ରାହୁଳ ଯୋଡ଼ି ହୋଇଯିବା ପରେ ସଙ୍କଟ ସମାଧାନର ରାସ୍ତା ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି। କଂଗ୍ରେସ ଦଳ ପାଇଁ ସଙ୍କଟ ହେଉଛନ୍ତି ରାହୁଳ ଗାନ୍ଧୀ। ସେ ଯେତେଦିନ ପର୍ଯ୍ୟନ୍ତ ଅପରିପକ୍ୱ, ଅସ୍ଥାୟୀ ନେତୃତ୍ୱ ନେଉଥିବେ, ଜିତେନ୍ଦ୍ର ଯାଦବ ଓ କପିଳ ସିବଲ ମାନଙ୍କ ମହାପ୍ରସ୍ଥାନ ଦଳକୁ କ୍ରମଶଃ ଦୁର୍ବଳ କରୁଥିବ।
ମୋ: ୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର