ଦେଶାନ୍ତରୀ ବିତ୍ତଶାଳୀ

ଗଲା ସପ୍ତାହରେ ‘ହିନ୍‌ଲି ପ୍ରାଇଭେଟ୍‌ େଵଲ୍‌ଥ ମାଇଗ୍ରେସନ୍‌’ ନାମକ ଯେଉଁ ଆକଳନ-ଭିତ୍ତିକ ରିପୋର୍ଟଟି ଆମ ଦେଶରେ ଏକ ମୃଦୁ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହା ହେଲା ୨୦୨୩ ମସିହାରେ ପ୍ରାୟ ୬,୫୦୦ ‘ହାଇ ନେଟ୍‌ଵର୍ଥ’ ବା ‘ଅଲ୍‌ଟ୍ରା ରିଚ୍‌’ ବା ‘ଅମିତ ବିତ୍ତଶାଳୀ’ ଭାରତୀୟ ମାତୃଭୂମି ପରିତ୍ୟାଗ କରି ବିଦେଶରେ ବସବାସ କରି ପାରନ୍ତି। ପ୍ରକାଶ ଥାଉ କି ପୁ˚ଜି ବିନିବେଶ କରିବା ସକାଶେ ଯେଉଁମାନଙ୍କ ନିକଟରେ ସର୍ବନିମ୍ନ ଏକ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୮ କୋଟି ୨୦ ଟଙ୍କା) ମହଜୁଦ ଥିବ କେବଳ ସେହିମାନେ ହିଁ ଏହି ‘ଅଲଟ୍ରା ରିଚ୍‌’ ପର୍ଯ୍ୟାୟଭୁକ୍ତ ହୋଇଥାଆନ୍ତି। ଉଲ୍ଲେଖଯୋଗ୍ୟ ଯେ ଗଲା ବର୍ଷ ଅର୍ଥାତ୍‌ ୨୦୨୨ ମସିହାରେ ପ୍ରାୟ ୭,୫୦୦ ଏହି ଭଳି ଅମିତ ବିତ୍ତଶାଳୀ ଭାରତୀୟ ସ୍ବଦେଶ ଛାଡ଼ିଥିଲେ। ସେହି ଦୃଷ୍ଟିରୁ ଆମ ଦେଶ ଧାରାବାହିକ ଭାବେ ବିପୁଳ ସ˚ପଦ ସହିତ ସ˚ପଦ ସ୍ରଷ୍ଟା ଶୂନ୍ୟ ହୋଇ ଚାଲିବା ସ୍ବାଭାବିକ ଭାବେ ଉଦ୍‌ବେଗ ସୃଷ୍ଟି କରିଥାଏ; ଯାହାର କାରଣ ଓ ସମ୍ଭାବ୍ୟ ପରିଣାମ ସ˚ପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୁଏ।

ଏହି ପ୍ରେକ୍ଷାପଟରେ ପ୍ରଥମେ ‘ହିନ୍‌ଲି ରିପୋର୍ଟ’ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଉ। ତହିଁରେ ପ୍ରତି ବର୍ଷ ଦେଶାନ୍ତରୀ ହେଉଥିବା ଅମିତ ବିତ୍ତଶାଳୀଙ୍କ ସ˚ଖ୍ୟା ଆଧାରରେ ଯେଉଁ ତାଲିକାଟି ପ୍ରକାଶିତ, ତାହାର ସର୍ବାଗ୍ରେ ଦୃଶ୍ୟମାନ ହୋଇଥାଏ ଚୀନ ଏବ˚ ତା’ ପଛକୁ କ୍ରମାନ୍ବୟରେ ଭାରତ, ୟୁ.କେ., ରୁଷିଆ, ହଂକଂ ଏବଂ ବ୍ରାଜିଲ ଭଳି ଦେଶ। ସେହି ରିପୋର୍ଟ ଅନୁସାରେ ଗଲା ବର୍ଷ ପ୍ରାୟ ୧୦,୮୦୦ ସ˚ପଦ ସ୍ରଷ୍ଟାଙ୍କୁ ହରାଇଥିବା ଚୀନ ଚଳିତ ବର୍ଷ ୧୩,୫୦୦ଙ୍କୁ ହରାଇ ଦେଇପାରେ! ସୁତରା˚, ଭାରତ ସକାଶେ ଯାହା କିଞ୍ଚିତ ଆଶ୍ବାସନାମୂଳକ ତାହା ହେଲା ଚୀନ ତୁଳନାରେ ଭାରତର ହାନି କମ୍‌ ଏବ˚ ପୂର୍ବ ବର୍ଷ ଠାରୁ ଚଳିତ ବର୍ଷ ଏମାନଙ୍କ ସ˚ଖ୍ୟାରେ ହ୍ରାସ ଘଟିଛି। ଏହା ସତ ଯେ ଦେଶ ପରିତ୍ୟାଗ କରିବାକୁ ଉଦ୍ୟତ ବିତ୍ତଶାଳୀମାନଙ୍କୁ ନିବର୍ତ୍ତାଇବା ଲାଗି ଭାରତ ସରକାର ମଧୢ ତତ୍ପରତା ପ୍ରକାଶ କଲେଣି, ଯାହା ଗଲା ବଜେଟ୍‌ରେ ଧନୀକମାନଙ୍କୁ ପ୍ରଦାନ କରାଯାଇଥିବା ଟିକସ ରିହାତି ଏବ˚ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା କେତେକ ପ୍ରୋତ୍ସାହନମୂଳକ ପଦକ୍ଷେପରେ ପ୍ରତିଫଳିତ। ତେବେ, ଏହା ଦ୍ବାରା ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ନ ଘଟିବା ମଧୢ ଚିନ୍ତାର କାରଣ ହୋଇଥାଏ।
କହିବା ବାହୁଲ୍ୟ ଯେ ଏଭଳି ବିତ୍ତଶାଳୀମାନଙ୍କୁ ଅନେକ ସମାଲୋଚକ ସୁବିଧାବାଦୀ ବା ସ୍ବାର୍ଥପର ଅଥବା ଦେଶପ୍ରେମ-ଶୂନ୍ୟ ବ୍ୟକ୍ତିବିଶେଷ ଭାବେ ଚିତ୍ରଣ କରନ୍ତି। କିନ୍ତୁ ଏକ ବାସ୍ତବତା ହେଲା ବିଦେଶରେ ବସବାସ କରୁଥିବା ଏହି ଭାରତୀୟ ମୂଳୋଦ୍ଭବମାନେ ସୁଯୋଗ ପାଇଲା ମାତ୍ରକେ ତ୍ରିରଙ୍ଗା ଉଡ଼ାଇ ଭାରତକୁ ଅକୁଣ୍ଠ ସମର୍ଥନ ଜ୍ଞାପନ କରନ୍ତି; ଯେଉଁଠାରେ ବସବାସ କରନ୍ତି ସେଠାରେ ମନ୍ଦିର ନିର୍ମାଣ କରନ୍ତି; ଯେଉଁଠାରେ ଏକତ୍ର ଅବସ୍ଥାନ କରନ୍ତି ସେଠାରେ ଭାରତର ଏକ କ୍ଷୁଦ୍ର ପ୍ରତିରୂପ ସ୍ଥାପନ କରିବାର ଚେଷ୍ଟା କରନ୍ତି; ଯାହାର ଅର୍ଥ ନିଜ ମଧୢରେ ସେମାନେ ରାଷ୍ଟ୍ରୀୟତା ପ୍ରଜ୍ଜ୍ବଳନ କରି ରଖନ୍ତ; କିନ୍ତୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ସେମାନେ ଚାହିଁ ନ ଥାଆନ୍ତି। ସୁତରାଂ, ପ୍ରଶ୍ନ ଉଠିଥାଏ ଯେ ଏହାର କାରଣ କ’ଣ ହୋଇପାରେ?

ଏହାର କାରଣ ପଞ୍ଚବିଧ: ଯହିଁରୁ ପ୍ରଥମଟି ହେଉଛି ଅର୍ଥନୈତିକ; ଯେଉଁଥିରେ ଆମ ଦେଶର କଠୋର ଏବ˚ ମାତ୍ରାଧିକ ଟିକସ ସ˚ପଦ ସ୍ରଷ୍ଟାମାନଙ୍କୁ ଅହେତୁକ ଭାବେ ଭାରାକ୍ରାନ୍ତ କରୁଥିବାର ଅଭିଯୋଗ ହୋଇଥାଏ। ତେଣୁ ସେମାନଙ୍କ ସକାଶେ କୋହଳ ଟିକସ ଏବ˚ ଉଦ୍ୟୋଗ ଅନୁକୂଳ ବାତାବରଣ ଧାରଣ କରିଥିବା ରାଷ୍ଟ୍ରଗୁଡ଼ିକ ଅଧିକ ପସନ୍ଦଯୋଗ୍ୟ ଗନ୍ତବ୍ୟରେ ପରିଣତ ହେବାରେ ଲାଗିଛନ୍ତି। ଦ୍ବିତୀୟ କାରଣଟି ରାଜନୈତିକ; ଯହିଁରେ ପକ୍ଷପାତଶୂନ୍ୟ ସ୍ଥିର ସରକାର, ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ଶାସନ ଏବ˚ ପରିଷ୍କୃତ ରାଜନୀତି ଦୃଷ୍ଟିଗୋଚର ହେଉଥିବା ଦେଶମାନ ଏଭଳି ଦେଶାନ୍ତରୀ ବିତ୍ତଶାଳୀମାନଙ୍କ ଲାଗି ଆକର୍ଷଣୀୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ, ମଧୢ-ପ୍ରାଚ୍ୟର ଦୁବାଇ, ସିଙ୍ଗାପୁର, ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶ ସର୍ବାଧିକ ପ୍ରିୟ ଗନ୍ତବ୍ୟ ସ୍ଥଳ ପାଲଟିଛନ୍ତି। ଚତୁର୍ଥ କାରଣଟି ସାମାଜିକ; ଅର୍ଥାତ୍‌ ଭାରତର ଅନେକତ୍ର ବଦ୍ଧମୂଳ ହୋଇ ରହିଥିବା ଜାତି, ଧର୍ମ, ସ˚ପ୍ରଦାୟ ଏବ˚ ଲିଙ୍ଗ ଭିତ୍ତିକ ପାତରଅନ୍ତର ଅନେକ ଉଦ୍ୟୋଗୀଙ୍କୁ ନିରୁତ୍ସାହିତ କରୁଛି; ଏବଂ ଭବିଷ୍ୟତ ପିଢ଼ିର ସନ୍ତାନମାନଙ୍କ ସକାଶେ ମୁକ୍ତ ଏବ˚ ସ୍ବଚ୍ଛନ୍ଦ ବାତାବରଣର ସନ୍ଧାନରେ ସେମାନେ ଦେଶ ପରିତ୍ୟାଗ କରିବାର ନିଷ୍ପତ୍ତି ନେଉଛନ୍ତି।

ପଞ୍ଚମ କାରଣଟି ମାନସିକ; ଯହିଁରେ ନିଜ ଜନ୍ମଭୂମିକୁ ଚିର ଦିନ ସକାଶେ ପରିତ୍ୟାଗ କରିବା ନେଇ ଆବେଗିକ ଉଦ୍‌ବେଳନ ଆଉ ବିଶେଷ ପରିଦୃଷ୍ଟ ହେଉନାହିଁ; ସମଗ୍ର ପୃଥିବୀ ଗୋଟିଏ ବଜାର ପ୍ରାଙ୍ଗଣରେ ପରିଣତ ହେବା ପରେ ଅସ˚ଖ୍ୟ ଉଦ୍ୟୋଗୀଙ୍କ ସକାଶେ ରାଷ୍ଟ୍ରଗୁଡ଼ିକ ମଧୢରେ ରହିଥିବା ଭୌଗୋଳିକ ସୀମାରେଖା ଦ୍ରବୀଭୂତ ହୋଇ ସାରିଲାଣି; ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ବ୍ୟବସାୟ କରି ଯେଉଁ ଅପୂର୍ବ ସଫଳ ଉଦ୍ୟୋ‌ଗୀମାନେ ଅମିତ ସଂପଦ ସୃଷ୍ଟି କରି ପାରିଛନ୍ତି, ସେମାନଙ୍କ ସକାଶେ ଏକ ପ୍ରକାଣ୍ତ କାରଖାନା ବା ସେହିଭଳି ବିଶାଳ ଭିତ୍ତିଭୂମିଗତ ନିର୍ମାଣ କରି ଭୂମିଲଗ୍ନ ହୋଇ ରହିବାର କୌଣସି ଆବଶ୍ୟକତା ବା ବାଧୢବାଧକତା ମଧୢ ନାହିଁ। ଏଭଳି ଏକ ସ୍ଥିତି ସେମାନଙ୍କୁ ପୃଥିବୀର ଯେ କୌଣସି କୋଣରୁ ନିଜ ବ୍ୟବସାୟ ପରିଚାଳନା କରିବାର ସ୍ବାଧୀନତା ପ୍ରଦାନ କରିଛି। କେବଳ ସେତିକି ନୁହେଁ ବିମାନ ‘ନେଟ୍‌ଵର୍କ’ର ସଘନତା ପୃଥିବୀର ଗୋଲାର୍ଧ ବିଭାଜନକୁ ଏଭଳି ଧ୍ବ˚ସ କରି ଦେଲାଣି ଯେ ପ୍ରାଚ୍ୟରେ ପ୍ରାତଃ ଭୋଜନ କରି ପାଶ୍ଚାତ୍ୟରେ ଦିବାହାର କରିବା ଅନେକ ବିତ୍ତଶାଳୀମାନଙ୍କ ନିୟମିତ ଅଭ୍ୟାସରେ ମଧୢ ପରିଣତ ହେଲାଣି। ସୁତରା˚, ଏଭଳି ଏକ ସ୍ଥିତିରେ ସମସ୍ୟାର ମୂଳ କାରଣଗୁଡ଼ିକୁ ହୃଦୟଙ୍ଗମ କରି ଉଦ୍ୟୋଗ ଅନୁକୂଳ ବାତାବରଣ ସୃଷ୍ଟି, ସ˚ପଦ ସ˚ରକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମିର ବିକାଶ ଓ ସାମାଜିକ ବିଦ୍ବେଷର ଅବସାନ ଦିଗରେ ପ୍ରଚେ‌ଷ୍ଟା କରାଯିବା ଅତ୍ୟନ୍ତ ଆବଶ୍ୟକ।

କହିବା ବାହୁଲ୍ୟ ଯେ ଅଷ୍ଟମ ବା ନବମ ଦଶକରେ ବିଦେଶ ଭୂମିର ନାମୋଚ୍ଚାରଣ ମାତ୍ରକେ ଆମ ଦେଶରେ ଯେଉଁ ଚାଞ୍ଚଲ୍ୟ ସୃଷ୍ଟି ହେଉଥିଲା, ତାହା ଏବେ ଆଉ ନାହିଁ। ଏହି ପରିପ୍ରେକ୍ଷୀରେ ମହେଶ ଭଟ୍ଟଙ୍କ ଦ୍ବାରା ନିର୍ମିତ ସୁପର ହିଟ୍‌ ସିନେମା ‘ନାମ’ (୧୯୮୬) ସ୍ମରଣକୁ ଆସିଥାଏ, ଯାହାର ଏକ ମର୍ମଭେଦୀ ଦୃଶ୍ୟରେ ଦେଖିବାକୁ ମିଳେ କିଭଳି (ପ୍ରବାସୀ) ଭାରତୀୟମାନଙ୍କ ଦ୍ବାରା ଭରପୂର ବିଦେଶର କୌଣସି ଏକ ପ୍ରେକ୍ଷାଳୟରେ ପଙ୍କଜ ଉଦାସଙ୍କ ଏକ ଚିତ୍ତାକର୍ଷକ ଗଜଲ ସମସ୍ତ ଶ୍ରୋତାଙ୍କ ଚକ୍ଷୁରୁ ଅବାରିତ ଅଶ୍ରୁ ବର୍ଷଣ କରାଇବାରେ ଲାଗିଛି; ଏହାର କାରଣ ହେଉଛି ଗଜଲର ବିଷୟବସ୍ତୁ, ଯହିଁରେ ବର୍ଣ୍ଣିତ ଅଛି କିଭଳି ନିଜ ଜନ୍ମଭୂମିରୁ ବିଳମ୍ବରେ ଆସିଥିବା ଏକ ଚିଠି ଦ୍ବାରା ଏହାର ପ୍ରାପକ ଜଣେ ପ୍ରବାସୀ ଭାରତୀୟ ଆବେଗ ଦ୍ରବୀଭୂତ ହୋଇ ଯାଉଛନ୍ତି! କିନ୍ତୁ ଏବେ ଚିଠିର ସ୍ଥାନ ନେଲାଣି ନିମିଷକେ ପହଞ୍ଚି ଯାଉଥିବା ଇ-ମେଲ; ସାତ ଦରିଆର ଅପର କୂଳରେ ରହୁଥିବା ଆତ୍ମୀୟସ୍ବଜନଙ୍କ ସହିତ ପ୍ରତ୍ୟକ୍ଷ କଥାବାର୍ତ୍ତା ଓ ଦେଖାଚାହାଁକୁ ସମ୍ଭବ କଲାଣି ଭିଡିଓ କଲି˚; ଆବଶ୍ୟକ ପଡ଼ିଲେ ତତ୍‌କ୍ଷଣାତ୍‌ ବିମାନରେ ଉଡ଼ି ଆସି ପହଞ୍ଚିଯିବା ମଧୢ ଏବେ ସମ୍ଭବ! ସୁତରା˚, ଆଜିର ପ୍ରବାସୀ ଭାରତୀୟମାନଙ୍କ ଚକ୍ଷୁ ସେଭଳି ଗଜଲ ଦ୍ବାରା ଲୋତକାର୍ଦ୍ର ହେବାର ସମ୍ଭାବନା ଆଉ ନାହିଁ। ତେଣୁ, ଅନେକଙ୍କ ମତରେ ଦେଶାନ୍ତର ହେବାର ନିଷ୍ପତ୍ତି ଗ୍ରହଣ ଏବେ ଅଧିକ ସହଜ ହୋଇଯାଇଛି।

ତେବେ, କେତେକଙ୍କ ମତରେ ଯାହା ସାନ୍ତ୍ବନାମୂଳକ ତାହା ହେଲା ଭାରତରେ ‘ଅଲଟ୍ରା ରିଚ୍‌’ମାନଙ୍କ ସ˚ଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ସେହି ଦୃଷ୍ଟିରୁ ବର୍ଷକୁ ହାରାହାରି ପ୍ରାୟ ୬,୦୦୦ ଅମିତ ବିତ୍ତଶାଳୀ ଦେଶ ଛାଡ଼ିବା ଏତେ ଉଦ୍‌ବେଗଜନକ ହେବା କଥା ନୁହେଁ। ୨୦୨୨ ମସିହା ସୁଦ୍ଧା ଭାରତରେ ‘ଅଲଟ୍ରା ରିଚ୍‌’ଙ୍କ ସ˚ଖ୍ୟା ଥିଲା ୭ ଲକ୍ଷ ୯୭ ହଜାର ୭୧୪, ଯାହା ଏହି ବର୍ଷ ଶେଷ ବେଳକୁ ହୋଇଯିବ ୧.୬୫ ନିୟୁତ ଏବ˚ ଏହା ସହିତ ଗଲା ପାଞ୍ଚ ବର୍ଷ ମଧୢରେ ଭାରତୀୟ ‘ଅଲଟ୍ରା ରିଚ୍‌’ଙ୍କ ସ˚ଖ୍ୟାରେ ୧୦୭ ପ୍ରତିଶତ ବୃଦ୍ଧି ଘଟି ଯାଇଥିବ।

ସମ୍ବନ୍ଧିତ ଖବର