ଗତ ଏପ୍ରିଲ ୩ ତାରିଖ ୨୦୨୩, ସୋମବାର ଦିନ ପ୍ରିୟ ପାଠକ ବନ୍ଧୁମାନଙ୍କୁ ‘‘ନିର୍ବାଚନ ରାଜନୀତିର ଅପରାଧୀକରଣ’’ ବିଷୟରେ ଜଣାଇବା ପରେ ଅନେକ ପାଠକ ଉଦ୍ବେଗ ପ୍ରକାଶ କରିଥିଲେ। ଏହାର ବହୁ ପୂର୍ବରୁ ‘‘ନିର୍ବାଚନ ବାବା ଓ ଚାଳିଶ ଚୋର’’ ଶୀର୍ଷକ ଆଉ ଏକ ଲେଖା ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିଲା। ସେଥିରେ କିପରି ୪୦ଟି ବିଭିନ୍ନ ଉପାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ସରକାର ଓ ନିର୍ବାଚନ କମିସନଙ୍କୁ ଠକିଥାନ୍ତି ତା’ର ଏକ ତାଲିକା ଦିଆଯାଇଥିଲା। ସ୍ବାଧୀନତା ସଂଗ୍ରାମ କାଳରେ ଗାନ୍ଧୀଙ୍କ ମନରେ ମଧ୍ୟ ଏପରି ଆଶଙ୍କା ଥିଲା। ତେଣୁ ସେ ସମାଜର ଶତ୍ରୁ ସାତଟି ସାମାଜିକ ପାପ ବା ସୋସିଆଲ ସିନ୍ ଚିହ୍ନଟ କରି ତା’ଠାରୁ ଦୂରରେ ରହିବା ପାଇଁ ଭାରତୀୟମାନଙ୍କୁ ପରାମର୍ଶ ଦେଇଥିଲେ। ସେଥିରୁ ଗୋଟିଏ ହେଲା- ନୀତିହୀନ ରାଜନୀତି। ଯେତେବେଳେ ନୀତିମାନଙ୍କ ରାଜା ରାଜନୀତି ନୀତିହୀନ ହୋଇଯାଏ ସେତେବେଳେ ଗଣତନ୍ତ୍ର ଦୁର୍ବଳ ଓ ସମାଜ ଦୁର୍ନୀତିଗ୍ରସ୍ତ ହୋଇଯାଏ ଏବଂ ଭୁଶୁଡ଼ି ପଡ଼େ। ଆମ ଦେଶର ରାଜନୀତି କ୍ଷେତ୍ରରେ ୭ଟି ଜାତୀୟ, ୫୪ଟି ରାଜ୍ୟସ୍ତରୀୟ ଓ ପ୍ରାୟ ତିନି ହଜାର ପଞ୍ଜିକୃତ ପାର୍ଟି ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ନୀତି, ଆଦର୍ଶ ହୀନ ରାଜନୀତି କରନ୍ତି। ଗାନ୍ଧୀଙ୍କ ମନ୍ତବ୍ୟ ଅନୁସାରେ ଏମାନେ ସମସ୍ତେ ପାପୀ, ମହାପାପୀ ଦେଶଦ୍ରୋହୀ। ଗଣତନ୍ତ୍ରର ହତ୍ୟାକାରୀ।
ସେଇ ସାତଟି ସାମାଜିକ ପାପ ମଧ୍ୟରୁ ବାକି ଛଅଟି ହେଲା- ବିବେକହୀନ ବିଜ୍ଞାନ, ଚରିତ୍ରହୀନ ଜ୍ଞାନ, ନୈତିକତା ବିହୀନ ବ୍ୟବସାୟ, ବିନା ଶ୍ରମରେ ସମ୍ପତ୍ତି ଅର୍ଜନ, ତ୍ୟାଗହୀନ ପୂଜା ଓ ମାନବିକତା ହୀନ ଭୋଗ ବିଳାସ। ଆମର ସାମାଜିକ ଓ ରାଜନୈତିକ ଜୀବନ ଉଭୟେ ଏହାଦ୍ବାରା ପ୍ରଭାବିତ। ଉଦାହରଣ ସ୍ବରୂପ ରାଜେନୖତିକ ଦଳମାନଙ୍କରେ ଏବେ ଆଦର୍ଶବାଦର ବିଲୟ ହେଲାଣି। ସୁବିଧାବାଦୀ ନେତାମାନେ ପୋଷାକ ବଦଳାଇବା ପରି ଦଳ ବଦଳଉଛନ୍ତି, ମତ ବଦଳଉଛନ୍ତି, ରୂପ ରଙ୍ଗ, ସ୍ବର ବଦଳଉଛନ୍ତି। ସମାଜବାଦ, ସାମ୍ୟବାଦ, ପୁଞ୍ଜିବାଦ, ବାମ, ଦକ୍ଷିଣ, ମଧ୍ୟମାର୍ଗ ବିଷୟରେ ଆଉ ଚର୍ଚ୍ଚା େହଉନାହିଁ। ନିର୍ବାଚନରେ ଜିତିବା ପାଇଁ ରଣନୀତିଜ୍ଞମାନଙ୍କୁ ଭଡ଼ାରେ ଅଣାଯାଉଛି। ସେମାନେ ବତାଉଛନ୍ତି କ’ଣ କଲେ ଅଧିକ ଭୋଟ ମିଳିବ। ସତେ ଯେମିତି ନିର୍ବାଚନ ଏକ ମହାଭାରତ ମହାଯୁଦ୍ଧ କ୍ଷେତ୍ର ଏବଂ କ୍ଷମତା ଦଖଲ ଜୀବନର ମହାମନ୍ତ୍ର।
ସେଇ ଚକ୍ରବ୍ୟୂହରେ ବଳି ପଡୁଛନ୍ତି କେତେ ଅଭିମନ୍ୟୁ। ଅଣନିଃଶ୍ବାସୀ ହେଇ ପଡୁଛନ୍ତି ସଂଖ୍ୟାଲଘୁ ନୀତି, ଆଦର୍ଶବାଦୀ ନେତାମାନେ। ପ୍ରଚାର ଓ ପ୍ରାଚୀର ପତ୍ର, ବାହୁବଳ, ଅର୍ଥବଳ, ଗାଳି ଗୁଲଜ, କଳି କୋଳାହଳ, ବିଲ୍ ଚିରିବା, ମାଇକ୍ ଚଉକି ଫିଙ୍ଗା ଫୋପଡ଼ା, ସଭ୍ୟଙ୍କ ଅସଭ୍ୟ ଭାଷାରେ ହଜିଯାଉଛି ନୀତି, ଆଦର୍ଶର ସ୍ବର। ସେଇଥିପାଇଁ ଗଣତନ୍ତ୍ରକୁ ‘ଥ୍ରି ଚିଅର୍ସ’ ବା ତିନି ତାଳି ଜାଗାରେ ‘ଟୁ ଚିଅର୍ସ’ ବା ଦୁଇଟି ତାଳି ମିଳିଥାଏ। କାରଣ ଏହା ଏକ ସର୍ବୋତ୍ତମ ଆଦର୍ଶ ପ୍ରଶାସନିକ ବ୍ୟବସ୍ଥା ନୁହେଁ ଏବଂ ଏହି ପ୍ରକ୍ରିୟାରେ ନିର୍ବାଚିତ ଜନ ପ୍ରତିନିଧିମାନେ ‘ରୋଲ୍ ମଡେଲ’ ବା ପ୍ରେରଣାର ସ୍ରୋତ ହୋଇପାରିବେ ନାହିଁ। ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ଅଢ଼େଇ ହଜାର ବର୍ଷ ପୂର୍ବେ ଏହିପରି ମତାମତ ଦେଇଥିଲେ।
ଏଇ ପରିପ୍ରେକ୍ଷୀରେ ୯ ଜୁଲାଇ ୧୯୯୩ ମସିହାରେ ଭାରତ ସରକାର ତତ୍କାଳୀନ କେନ୍ଦ୍ର ଗୃହ ସଚିବ ଏନ୍. ଏନ୍. ଭୋରାଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲେ। ନିର୍ଦ୍ଦେଶ ଥିଲା, କମିଟି ଅପରାଧ ସିଣ୍ଡିକେଟ୍ ଓ ମାଫିଆଙ୍କ ପ୍ରଭାବରୁ କିପରି େଦଶର ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାକୁ ମୁକ୍ତ ରଖାଯାଇପାରିବ ସେ ସମ୍ପର୍କରେ ଅଧ୍ୟୟନ କରି ସରକାରଙ୍କୁ ପରାମର୍ଶ ଦେବେ। ଦୁଇ ବର୍ଷ ପରେ ଅଗଷ୍ଟ ୧୯୯୫ ମସିହାରେ କମିଟି ରିପୋର୍ଟ ପାର୍ଲମେଣ୍ଟର ଉଭୟ ଗୃହରେ ପେସ ହେଲା। ବହୁ ଉଦାହରଣ ଦେଇ ରିପୋର୍ଟ କହିଥିଲା କି ଦେଶର ଅପରାଧୀ ଗ୍ୟାଙ୍ଗ୍, ପୁଲିସ ଅମଲାତନ୍ତ୍ର ଓ ରାଜନେତାଙ୍କ ମଧ୍ୟରେ ଏକ ନେକ୍ସସ ବା ଭିତରି ସଂପର୍କ ରହିଛି। ଏବଂ ପ୍ରଚଳିତ ଅପରାଧିକ ନ୍ୟାୟ ପ୍ରଣାଳୀ ଦୋଷୀକୁ ଉପଯୁକ୍ତ ସମୟରେ ଦଣ୍ଡ ଦେବା ପାଇଁ ଅକ୍ଷମ। ଏହା ପରେ ଡକା ହେଲା ସର୍ବଦଳୀୟ ସଭା।
ଆଲୋଚନର ବିଷୟବସ୍ତୁ ଥିଲା- ଜନପ୍ରତିନିଧିଙ୍କ ପାଇଁ ଏକ ଆଚାର ଓ ନୈତିକତା ସମିତି ଗଠନ, ରାଜନୈତିକ ଦଳମାନଙ୍କ ପାଇଁ ଏକ ଆଦର୍ଶ ଆଚରଣ ସଂହିତା, ଅପରାଧ ଇତିହାସ ଥିବା ପ୍ରାର୍ଥୀମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକଟ ନ ଦେବା ପାଇଁ ଓ ଶୁଦ୍ଧ, ନିର୍ମଳ ରାଜନୀତି ପାଇଁ ନିର୍ଦ୍ଦେଶ, ପ୍ରତ୍ୟେକ ଦଳର ପାଣ୍ଠିର ଅଡିଟ୍, ଆଇନ ବ୍ୟବସ୍ଥାର ସରଳୀକରଣ ଓ ସଂଶୋଧନ ଇତ୍ୟାଦି। ଏହା ପରେ ପାର୍ଲାମେଣ୍ଟରେ ଗଠିତ ହେଲା ଇଥିକ୍ସ କମିଟି ବା ଆଚାର ସମିତି। ଏହି ସମିତିର ଲକ୍ଷ୍ୟ ଥିଲା ଅନୈତିକ ଆଚରଣରେ ଲିପ୍ତ ସଭ୍ୟ, ସାଂସଦଙ୍କ ଉପରେ ଦୃଷ୍ଟି ରଖିବା। ଏହି କମିଟିକୁ ୩୦ ମେ ୧୯୯୭ରେ ତତ୍କାଳୀନ ଉପରାଷ୍ଟ୍ରପତି ଓ ରାଜ୍ୟସଭା େଚଆରମ୍ୟାନ କେ. ଆର. ନାରାୟଣନ୍ ଉଦ୍ଘାଟନ କରିଥିଲେ। ସଭ୍ୟମାନଙ୍କ ମଧ୍ୟରେ ଶାସକ ଓ ବିରୋଧୀ ଦଳ େନତା, ଡେପୁଟି ଲିଡର ଓ ଚିଫ୍ ହୁଇପ୍ ଥିଲେ। ନିଜ ମନ୍ତବ୍ୟରେ ଶ୍ରୀ ନାରାୟଣନ୍ କହିଥିଲେ ଆଚାର ସମିତି ଗଠନ ଦ୍ବାରା ସଂସଦରେ ସଭ୍ୟମାନଙ୍କର ଆଚରଣରେ ଗୁଣାତ୍ମକ ପରିବର୍ତ୍ତନ ଘଟିବ ଓ ସାଧାରଣ ଜୀବନରେ ନୂଆ ଆଦର୍ଶ ପ୍ରତିଷ୍ଠିତ ହେବ। ଏହା ପରେ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ବିଧାୟକ, କୁଳପତି, ଜଣାଶୁଣା ବୁଦ୍ଧିଜୀବୀ, ସମାଜ ଶାସ୍ତ୍ରୀ, ପୂର୍ବତନ ବିଚାରପତି, ଆଇନଜ୍ଞ ମାନଙ୍କ ମତାମତ ଗ୍ରହଣ କରିଥିଲେ। ଏହି ପ୍ରସଙ୍ଗରେ ଜୟପ୍ରକାଶ ନାରାୟଣଙ୍କ ଦଳୀୟ ବଦଳରେ ଜାତୀୟ ସରକାର ପ୍ରସ୍ତାବ ବି ଉଠିଥିଲା।
ଅଧିକାଂଶଙ୍କର ମତ ଥିଲା ଯେ ନିର୍ବାଚିତ ପ୍ରତିନିଧିମାନଙ୍କର ଅନୈତିକ ଆଚରଣରେ ଅଙ୍କୁଶ ଲଗାଇବା ଦାୟିତ୍ବ ଅନ୍ୟକୁ ନ ଦେଇ ବିଧାନସଭା, ରାଜ୍ୟସଭା ଓ ଲୋକସଭା ନିଅନ୍ତୁ। ଏବଂ ଏଥିପାଇଁ ଇଥିକ୍ସ କମିଟି ବା ଆଚାର ସମିତିକୁ ପାର୍ଲାମେଣ୍ଟର ସ୍ଥାୟୀ ସଂସ୍ଥା କରାଯାଉ। ତା’ ସହ ନିର୍ବାଚନ ପରିଚାଳନାରେ ମଧ୍ୟ ସଂସ୍କାର ଆବଶ୍ୟକତା ରହିଚି। ପ୍ରତ୍ୟେକ ରାଜନୈତିକ ଦଳ ଓ ପ୍ରାର୍ଥୀ ତାଙ୍କ ସମ୍ପତ୍ତି ଓ ଆୟବ୍ୟୟ ତଥା ଆପରାଧିକ ଇତିହାସର ବିବରଣୀ ଦିଅନ୍ତୁ। ଏହି ଭିତ୍ତିରେ ଅଭିଯୁକ୍ତ ପ୍ରାର୍ଥୀଙ୍କୁ ନିନ୍ଦା ଓ ଭର୍ତ୍ସନା ସହ ଗୃହରୁ ବହିଷ୍କାର କରାଯାଉ। ଏହା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ହେବ ଏବଂ ସେମାନେ ନିଜକୁ ସୁଧାରି ପାରିବେ। ନୀତିହୀନଙ୍କ ସ୍ଥାନରେ ନୀତିବାନ୍ ବ୍ୟକ୍ତିମାନେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିପାରିବେ। ବିଧାନସଭା, ବିଧାନ ପରିଷଦ, ରାଜ୍ୟସଭା ଓ ଲୋକସଭାରେ ଏକ ଶାନ୍ତ ପରିବେଶରେ ସକାରାତ୍ମକ ଗଠନମୂଳକ ଆଲୋଚନା ହୋଇପାରିବ। ମାନ୍ୟବରମାନେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପରୁ କ୍ଷାନ୍ତ ରହିବେ। ଦଳ ଅପେକ୍ଷା ଦେଶ ଗୁରୁତ୍ବ ପାଇବ। ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଦୂରତା ହ୍ରାସ ପାଇବ। ନିର୍ବାଚିତ ପ୍ରତିନିଧିମାନଙ୍କ ବ୍ୟବହାରରେ ଉଷ୍ମତା କମିବ ଓ ଆନ୍ତରିକତା ବଢ଼ିବ। ସାଂସଦ, ବିଧାୟକମାନେ ବିତଣ୍ଡା ବଦଳରେ ବିତର୍କ କରିବେ, ତର୍କ ସଂଗତ ଗବେଷଣା, ଅଧ୍ୟୟନ ଆଧାରିତ ଯୁକ୍ତି ଉପସ୍ଥାପନ କରିବେ। ଏଥିପାଇଁ ଆଚାର ସମିତି ଅଧିକ ସକ୍ରିୟ ହେବା ଆବଶ୍ୟକ। କାରଣ ଅନେକ ଜନ ପ୍ରତିନିଧିଙ୍କର ଆଚରଣରେ ପରିବର୍ତ୍ତନର ସୂଚନା ମିଳୁନାହିଁ। ଦେଶର ସମସ୍ୟା ସଂସଦ ଜାଗାରେ ସଡ଼କରେ ଆଲୋଚିତ ହେଉଚି।
ଭାରତ ନିର୍ବାଚନ ଆୟୋଗ ଏ ସମ୍ପର୍କରେ ଅଧିକ ତତ୍ପର ଥିବା ଜଣାପଡ଼େ। ୧୯୬୦ ମସିହାରେ ତତ୍କାଳୀନ ଇଲେକ୍ସନ କମିସନ କେରଳ ରାଜ୍ୟ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳଙ୍କ ସମ୍ମତିରେ ପ୍ରାର୍ଥୀ ଓ ପାର୍ଟିମାନଙ୍କ ପାଇଁ ଏକ ଆଦର୍ଶ ଆଚରଣ ସଂହିତା ପ୍ରସ୍ତୁତ କରିଥିଲେ। ଏବଂ ସଭା, ଶୋଭାଯାତ୍ରା, ରୋଡ୍ ସୋ, ଭାଷଣ, ସ୍ଲୋଗାନ, ପୋଷ୍ଟର ବ୍ୟବହାର ଉପରେ ଲଗାମ ଲାଗିଥିଲା। କିନ୍ତୁ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ନ ଥିଲା। ୧୯୯୧ ମସିହାରେ କମିସନ୍ ବିଭିନ୍ନ ଦଳଙ୍କ ସହ ଆଲୋଚନା କରି ଏହାକୁ ସାରା ଦେଶରେ ପ୍ରଚଳନ କଲେ। ଏଥିପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ ହେଲେ। ନିର୍ବାଚନ ଘୋଷଣା ପରେ ପରେ ଆଦର୍ଶ ଆଚାର ସଂହିତା ଲାଗୁ ହେଲା କିନ୍ତୁ ଏହା ପଛରେ ସାଂବିଧାନିକ ସୁରକ୍ଷା ନ ଥିବାରୁ ଏହା ଏକ ଦନ୍ତହୀନ ପ୍ରାଣୀ ହେଇରହିଚି। ଦିନକୁ ଦିନ ରାଜନୀତି କ୍ଷେତ୍ର ଅଧିକରୁ ଅଧିକ କଳୁଷିତ ହେବାରେ ଲାଗିଛି। ତା’ ସହ ଗଣତନ୍ତ୍ର ବି ବଦନାମର ବୋଝ ବହନ କରି ଚାଲିଚି।
ମୋ: ୯୯୩୭୦୨୭୦୧୭