ଚଳିତ ଜୁନ୍ ମାସ ଚାରି ତାରିଖ ଅପରାହ୍‌ଣରେ ସୁରିନାମର ରାଜଧାନୀ ପାରାମାରିବୋ ଆକାଶରେ ଭାରତୀୟ ବାୟୁସେନାର ବିମାନ ଯେତେବେଳେ ଚକ୍କର କାଟୁଥିଲା, ବିମାନ ଝର୍କାରୁ ଦୃଶ୍ୟମାନ ‘ତମାଳତାଳି - ବନରାଜିନିଳା’ ବିମଣ୍ଡିତ ଦୂର ଅଦୂର ଦିଗନ୍ତ ମନେ ହେଉଥିଲା ଭାରି ଚିହ୍ନା ଚିହ୍ନା। ଜୋହାନ୍ ଆଡୋଲ୍‌ଫ ପେଙ୍ଗେଲ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦରରେ ଅବତରଣ କଲାବେଳକୁ ଲାଗିରହିଥିଲା ତୁହାକୁ ତୁହା ବର୍ଷା, ଆକାଶରେ ମେଘ ଓ ଖରାର ଲୁଚକାଳି ଖେଳ। ଭାରତ ଭାରତ ଲାଗିଲା ସେ ଦେଶ। ଓଡ଼ିଶା ଓଡ଼ିଶା ବୋଲି କହିଲେ ଭୁଲ୍‌ ହେବ ନାହିଁ।

Advertisment

ଭାରତର ରାଷ୍ଟ୍ରପତି ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଝିପିଝିପି ବର୍ଷାର ଲାଳିତ୍ୟ ଭିତରେ ରାଜକୀୟ କାୟଦାରେ ପାଛୋଟିଲେ ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଶ୍ରୀ ଚନ୍ଦ୍ରିକା ପ୍ରସାଦ ସନ୍ତୋଖି। ରାଷ୍ଟ୍ରପତି ଭାବରେ ଶ୍ରୀ ସନ୍ତୋଖି ସଂସ୍କୃତ ଭାଷାରେ ଶପଥ ପାଠ କରିଥିବା କଥା କାହାକୁ ଅଜଣା ନାହିଁ।

ଜୁନ୍ ପାଞ୍ଚ ତାରିଖ- ସୁରିନାମ ଇତିହାସର ଏକ ସ୍ୱର୍ଣ୍ଣାକ୍ଷର। ପ୍ରାୟ ପାଞ୍ଚ ଶହ ଜୀବିକାନ୍ୱେଷୀଙ୍କୁ ଧରି କଲିକତା ବନ୍ଦରରୁ ବାହାରିଥିବା ‘ଲାଲାରୁଖ୍’ ନାମକ ଜାହାଜ ୧୮୭୩ ମସିହା ଜୁନ୍ ପାଞ୍ଚ ତାରିଖରେ ସୁରିନାମରେ ପହଞ୍ଚିଥିଲା। ଜାହାଜରେ କିଛି ଲୋକ ଅବଶ୍ୟ ପ୍ରାଣ ହରାଇଥିଲେ। କିନ୍ତୁ ଅନ୍ୟମାନେ ପହଞ୍ଚୁ ପହଞ୍ଚୁ ପ୍ରତାରିତ ହୋଇଛନ୍ତି ବୋଲି ଉପଲବ୍‌ଧି କଲେ। ଶିରୀରାମଙ୍କ ସୁନାଭୂଇଁ ପରିବର୍ତ୍ତେ ସୁରିନାମରେ ସେମାନେ ପାଦ ଦେଇଥିଲେ। ତଥାପି ସେମାନେ ହାରି ନଥିଲେ ଜୀବନ ଯୁଦ୍ଧରେ। ସୁରିନାମର ମାଟି ପାଣି ପବନ ସହିତ ନିଜକୁ ମିଶାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ଆହୁରି ଅନେକ ଭାରତୀୟ ସେଠାରେ ଆସି ପହଞ୍ଚିଥିଲେ। ସୁରିନାମ ଲୋକସଂଖ୍ୟାର ସତେଇଶ ପ୍ରତିଶତରୁ ଅଧିକ ହେଉଛନ୍ତି ମୂଳ ହିନ୍ଦୁସ୍ତାନୀ। ଭାରତୀୟମାନଙ୍କର ସୁରିନାମ ଆଗମନର ସାର୍ଦ୍ଧ ଶତବାର୍ଷିକୀ ପାଳନ ଉତ୍ସବର ଗରିମା ବୃଦ୍ଧି କରିଥିଲା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି।
ସୁରିନାମ ନଦୀ ତଟସ୍ଥ ମେରାଇନ୍ ଟ୍ରାପ୍ ନାମକ ସ୍ଥାନରେ ‘ଲାଲାରୁଖ୍’ ଜାହାଜରୁ ଏକ ଶହ ପଚାଶ ବର୍ଷ ତଳେ ଭାରତୀୟମାନେ ଓହ୍ଲାଉଥିବା ଦୃଶ୍ୟର ଅଭିନୟ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।

ଉଭୟ ଦେଶର ରାଷ୍ଟ୍ରପତି ଓ ଜନସାଧାରଣ ମୁହୂର୍ତ୍ତ ମଧ୍ୟରେ ମହାକାଳକୁ ଧରି ରଖିବାର ସେହି ପ୍ରୟାସକୁ ବେଶ୍ ପସନ୍ଦ କରିଥିଲେ। ଏକ ଭାରତୀୟ ଗ୍ରାମର ପ୍ରତିରୂପ ମଧ୍ୟ ପ୍ରସ୍ତୁତ କରାଯାଇଥିଲା, ଯାହାର ଶୋଭା ଥିଲା ଖୁବ୍ ଆକର୍ଷଣୀୟ। ‘ବାବା-ମାଇ’ ନାମକ କୀର୍ତ୍ତି ପାରାମାରିବୋ ସହରର ନାଭିକେନ୍ଦ୍ର ଇଣ୍ଡିପେଣ୍ଡେନ୍‌ସ ସ୍କୋୟାର ନିକଟରେ ଅବସ୍ଥିତ। ଭାରତୀୟ ବାପାମା’ମାନେ କେତେ କଷ୍ଟ ସ୍ୱୀକାର କରି ସେହି ବିଦେଶୀ ମାଟିରେ ଦେଶୀ ହୋଇଯାଇଥିଲେ, ତାହା ଉତ୍ତର ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ। ରାଷ୍ଟ୍ରପତି ସନ୍ତୋଖିଙ୍କ ସହିତ ମହାମହିମ ଦ୍ରୌପଦୀ ମୁର୍ମୁ ସେଠାକୁ ଯାଇ ‘ବାବା-ମାଇ’ ପ୍ରତିମାରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ଅନ୍ୟ କେତେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ମଧ୍ୟ ସେ ଯୋଗଦେଇଥିଲେ।

ସେଦିନଟି ବିବିଧ କାର୍ଯ୍ୟକ୍ରମରେ ସ୍ଫୀତ ଥିଲା। ପ୍ରତିନିଧିମଣ୍ଡଳୀ ସ୍ତରୀୟ ବୈଠକ ପରେ ଏକ ବିଶେଷ ଉତ୍ସବରେ ଭାରତର ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା। ରାଜକୀୟ ମଧ୍ୟାହ୍ନଭୋଜି ପୁଣି ଆୟୋଜନ କରାଯାଇଥିଲା ରାଷ୍ଟ୍ରପତିଙ୍କ ସମ୍ମାନରେ। ମନ୍ତ୍ରୀ ପରିଷଦର ସଦସ୍ୟ ରାଜଦୂତମଣ୍ଡଳୀଙ୍କ ବ୍ୟତୀତ ଅନେକ ବୁଦ୍ଧିଜୀବୀ, କବି, କଳାକାର ଓ ଶିଳ୍ପୀ ଏହି ଭୋଜିରେ ଯୋଗଦେଇଥିଲେ। ସୁରିନାମ ବିବିଧତାରେ ଭରା ଏକ ଦେଶ। ଏହି ଦେଶର ପାଞ୍ଚଟି ଅଞ୍ଚଳର ଖାଦ୍ୟପେୟ ଭିନ୍ନ ଭିନ୍ନ କାଉଣ୍ଟରରେ ରଖାଯାଇଥିଲା। ଖାଦ୍ୟପାନୀୟ ଥିଲା ବେଶ୍ ସ୍ୱାଦିଷ୍ଠ। ଖାଦ୍ୟ ମଧ୍ୟରେ ଏକ ଶାଗ ପରଷାଯାଇଥିଲା ଯାହାର ସ୍ୱାଦ ଓଡ଼ିଶାର ପୋଇଶାଗ ପରି।

ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମାନନୀୟା ଦ୍ରୌପଦୀ ମୁର୍ମୁ। ଉପସ୍ଥିତ ଦର୍ଶକଗଣଙ୍କ ମଧ୍ୟରୁ ସର୍ବାଧିକ ଥିଲେ ପ୍ରବାସୀ ଭାରତୀୟ। ଶ୍ରୀମତୀ ମୁର୍ମୁଙ୍କ ଶାନ୍ତ, ସରଳ ସ୍ୱଭାବ ଭିତରେ ସେମାନେ ଯେମିତି ନିଜ ଚେର ଖୋଜୁଥିଲେ, ଅନ୍ୱେଷଣ କରୁଥିଲେ ଭାରତର ଆତ୍ମା। ମହୋଦୟା ବକ୍ତବ୍ୟ ଦେବା ଆରମ୍ଭ କଲାକ୍ଷଣି କରତାଳିରେ କମ୍ପିଲା ସଭାସ୍ଥଳୀ। ତେବେ ସେ ଯେତେବେଳେ କହିଲେ “ଏଠାରେ ମୋତେ ଘରେ ଥିଲା ଭଳି ଲାଗୁଛି”, ସଭାସଦ୍‌ଙ୍କ ଉଲ୍ଲାସ କହିଲେ ନ ସରେ। ପ୍ରଲମ୍ବିତ ହର୍ଷୋଲ୍ଲାସରେ ମୃଦୁ ମୁଖରିତ ହେଲା ଚଉପାଶ। ଉଭୟ ରାଷ୍ଟ୍ରପତିଙ୍କ ସଂକ୍ଷିପ୍ତ ସମ୍ବୋଧନ ଅନ୍ତେ ଜମିଥିଲା ନୃତ୍ୟସଙ୍ଗୀତର ଆସର। ଗଣପତି ବନ୍ଦନାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗଙ୍ଗା-ଯମୁନା ବନ୍ଦନା କଥକ ନୃତ୍ୟ ସହିତ ଜାଭାର ମୂଳବାସୀ ତଥା ଡଚ୍ ଓ ଆଫ୍ରିକୀୟମାନଙ୍କ ଦ୍ୱାରା ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା।

ତହିଁ ଆରଦିନ ଅର୍ଥାତ୍ ଜୁନ୍ ଛ’ ତାରିଖରେ ରାଷ୍ଟ୍ରପତି ମହୋଦୟା ‘ଲାଲାରୁଖ୍’ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଭାରତୀୟମାନଙ୍କର କଳାକାରିଗରି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରରେ ସୁସଜ୍ଜିତ ହୋଇଥିଲା ସଂଗ୍ରହାଳୟଟି। ସେଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଥିଲା ଏକ ହାତଲେଖା ହିନ୍ଦୀ ଶବ୍ଦକୋଷ। କାଳେ ଉତ୍ତରପିଢ଼ି ହିନ୍ଦୀ ଭୁଲିଯିବେ, ସେଥିପାଇଁ ହିନ୍ଦୀ ଶବ୍ଦ ଏବଂ ତା’ର ଅର୍ଥ ସୁନ୍ଦର ହସ୍ତାକ୍ଷରରେ ଲିଖିତ ହୋଇ ରହିଛି ଏକ ପୃଥୁଳ ପୁସ୍ତକରେ। ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାର ଏମନ୍ତ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ। ରାଜଧାନୀ ସହରଠାରୁ ପ୍ରାୟ ପଚାଶ କିଲୋମିଟର ଦୂର ‘ମେରିନ୍ ବର୍ଗ’ ଯାଇ ଏକ ସହିଦ ସ୍ମାରକୀରେ ସେ ପୁଷ୍ପାଞ୍ଜଳି ଦେଇଥିଲେ। ହିନ୍ଦୁସ୍ତାନୀ କୃଷି-ଶ୍ରମିକମାନେ ସେଠାରେ ୧୯୦୨ ମସିହା ଜୁଲାଇ ୩୦ ତାରିଖରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିଲେ। ସେହି ସ୍ଥାନଟି ଓଡ଼ିଶାର ଯେକୌଣସି ଏକ ଗାଁ ପରି। ସହିଦ ସ୍ମାରକୀ ନିକଟସ୍ଥ ରକ୍ତକଇଁରେ ପରିପୂର୍ଣ୍ଣ ଅଗଭୀର ପୋଖରୀଟି ଯେମିତି ସହିଦମାନଙ୍କୁ ଜଣାଉଥିଲା ଶୋଣିତ ଶାଣିତ ସଲାମ୍। ମେରିନ୍ ବର୍ଗରୁ ପାରାମାରିବୋ ଫେରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି ମହୋଦୟା।

ହିନ୍ଦୀ ସିନେମା ଖୁବ୍ ଲୋକପ୍ରିୟ ସୁରିନାମରେ। ଲୋକପ୍ରିୟ ପୁଣି ଗଙ୍ଗା, ଗାନ୍ଧୀ, ଗଣପତି, ଯୋଗ ଓ ଆୟୁର୍ବେଦ। ଦକ୍ଷିଣ ଆମେରିକାର ଉତ୍ତର-ପୂର୍ବ ଉପକୂଳରେ ଅବସ୍ଥିତ ଏହି କ୍ଷୁଦ୍ର ଦେଶଟି ଭାରତ ବାହାରେ ଭାରତ ଯେପରି। ଏହା ଭାରତର ଏକ ମିତ୍ର ଦେଶ। ମହାମହିମଙ୍କ ସୁରିନାମ ଗସ୍ତ ଯେ ଏହି ମିତ୍ରତାକୁ ଆହୁରି ନିବିଡ଼ କରିବ, ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଦୃଢ଼ତର କରିବ ଏବଂ ସର୍ବୋପରି ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟକୁ କରିବ ଅଧିକ ଅନ୍ତରଙ୍ଗ, ଏପରି ଆଶା ପୋଷଣ କରିବା ଅମୂଳକ ନୁହେଁ।
ମୋ: ୯୪୩୭୧୪୩୮୯୬