ଯେଉଁ ଗୋଟିଏ ବାକ୍ୟ ଗଲା ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିନ୍ନ ସ˚ଦର୍ଭରେ ଦୋହରାଇଥିଲେ, ତାହା ହେଲା- ଉଭୟ ଭାରତ ଏବ˚ ଆମେରିକାର ‘ଡି.ଏନ୍‌.ଏ.’ରେ ଗଣତନ୍ତ୍ର ବିଦ୍ୟମାନ। କହିବା ଅନାବଶ୍ୟକ ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏଭଳି ମନ୍ତବ୍ୟ ପ୍ରଦାନର ପୂର୍ବାପର ସ୍ଥିିତିକୁ ନେଇ ଏଭଳି ଘମାଘୋଟ ଆଲୋଚନାମାନ ହୋଇ ସାରିଲାଣି ଯେ ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକା ଶ˚ସିତ ବିଷୟ ସ˚ପର୍କରେ ଅବଗତ ଥିବେ।

Advertisment

ଭାରତ ଏକ ଗଣତନ୍ତ୍ର ହୋଇଥିବା ସତ୍ତ୍ବେ ସେଠାରେ ସ˚ଖ୍ୟାଲଘୁ ସ˚ପ୍ରଦାୟ ସମ୍ମୁଖୀନ ହେଉଥିବା ବିଦ୍ବେଷର ଅଭିଯୋଗ ସମ୍ବନ୍ଧରେ ‘ଦ ଵାଲ ଷ୍ଟ୍ରଟ୍‌ ଜର୍ନାଲ’ର ସାମ୍ବାଦିକା ସାବ୍ରିନା ସିଦ୍ଦିକିଙ୍କ ଗୋଟିଏ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସ˚କ୍ଷିପ୍ତ ଉତ୍ତର ରଖିଥିଲେ, ତାହାର ଗୋଟିଏ ଅ˚ଶ ଥିଲା ଉପରୋକ୍ତ ମନ୍ତବ୍ୟ। କିନ୍ତୁ, ସେ ଦିନ ପ୍ରଧାନମନ୍ତ୍ରୀଙ୍କ ସକାଶେ ଅସ୍ବସ୍ତିର କାରଣ ହୋଇଥିବା ଏହି ପ୍ରଶ୍ନକର୍ତ୍ତ୍ରୀ ସାବ୍ରିନା ସିଦ୍ଦିକି ଇତିମଧୢରେ ଯେଉଁଭଳି ଭାବେ ସାମାଜିକ ଗଣମାଧୢମ ଓ ଭାରତର ଅଧିକା˚ଶ ଇଲେକ୍ଟ୍ରୋନିକ୍‌ ଗଣମାଧୢମ ମଞ୍ଚରେ ଘୃଣା ଏବ˚ ଧମକ ର˚ଜିତ ମନ୍ତବ୍ୟମାନର ଶିକାର ହେବାରେ ଲାଗିଛନ୍ତି, ତାହା କେବଳ ହ୍ବାଇଟ୍‌ ହାଉସ ପକ୍ଷରୁ ଆନୁଷ୍ଠାନିକ ଏବ˚ ବିଧିବଦ୍ଧ ନିନ୍ଦାବାଦକୁ ଜନ୍ମ ଦେଇନାହିଁ; ତାହା ଭାରତର ଗଣତନ୍ତ୍ର ଧାରଣକାରୀ ଡି.ଏନ୍‌.ଏ.କୁ ମଧୢ ପ୍ରଶ୍ନାକୁଳ କଲାଣି। ସୁତରା˚, ଏ ସ˚ଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ତେବେ, ଏ ପରିପ୍ରେକ୍ଷୀରେ ସୃଷ୍ଟ ତର୍କ-ବିତର୍କମାନ ବର୍ତ୍ତମାନର ଧ୍ରୁବୀକୃତ ରାଜନୈତିକ ପରିବେଶରେ ସ୍ପଷ୍ଟ ଭାବେ ଦ୍ବିଧା ବିଭକ୍ତ। ତହିଁରେ ଗୋଟିଏ ପକ୍ଷ କହିଥାନ୍ତି ଯେ ୨୦୧୪ ମସିହା ଠାରୁ ଏ ଯାବତ୍‌ କ୍ଷମତାସୀନ ହୋଇ ରହି ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ହେଲେ ସାମ୍ବାଦିକ ସମ୍ମିଳନୀକୁ ସ˚ବୋଧନ ନ କରି ତାଙ୍କର ପୂର୍ବବର୍ତ୍ତୀ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏକ ନିକୃଷ୍ଟ ବ୍ୟତିକ୍ରମରେ ପରିଣତ ହୋଇଛନ୍ତି, ଯାହା ଭାରତରେ ଗଣତନ୍ତ୍ରର ସ୍ବାସ୍ଥ୍ୟକୁ ସନ୍ଦେହ ଘେରକୁ ନେଇ ଆସିଛି; କେବଳ ସେତିକି ନୁହେଁ, ଭାରତରେ ନିର୍ଭୀକ ସାମ୍ବାଦିକତାର କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗର ପ୍ରାବଲ୍ୟ ମଧୢରେ ଯେଉଁମାନେ ସ˚ପ୍ରତି ପଲ୍ଲବିତ ହେବାରେ ଲାଗିଛନ୍ତି, ସେମାନେ ହେଲେ ସରକାରଙ୍କ ଅକୁଣ୍ଠ ସ୍ତବ ଗାନ କରୁଥିବା ‘କୋଳାଶ୍ରିତ ଗଣମାଧୢମ’। ସୁତରା˚, ସେମାନଙ୍କ ମତରେ ‘ପ୍ରଶ୍ନ’ ଏବ˚ ‘ସମାଲୋଚନା’ମୁକ୍ତ ସ୍ବଚ୍ଛନ୍ଦ ବାତାନୁକୂଳିତ ବାତାବରଣରେ ଅଭ୍ୟସ୍ତ ପ୍ରଧାନମନ୍ତ୍ରୀଙ୍କ ସକାଶେ ସାବ୍ରିନା ସିଦ୍ଦିକିଙ୍କ ପ୍ରଶ୍ନଟି ନିତାନ୍ତ ଅପ୍ରୀତିକର ମନେ ହୋଇଥିବ, ଯାହାର ଉତ୍ତର ପ୍ରଧାନମନ୍ତ୍ରୀ ଏକ ଶାସ୍ତ୍ରସୁଲଭ କ୍ଷୁଦ୍ର ବ୍ୟାଖ୍ୟାନ ଦ୍ବାରା ଉପସ୍ଥାପନ କଲେ ସିନା, ସାଧାରଣ ଜନ-ଜୀବନରେ ତାହା ପ୍ରତିଫଳିତ ହେଉ ନ ଥିବାରୁ ହୃଦୟକୁ ସ୍ପର୍ଶ କରି ନ ଥାଏ!

କିନ୍ତୁ ଉପରୋକ୍ତ ମତାମତକୁ ଗ୍ରହଣ କରୁ ନ ଥିବା ଅସ˚ଖ୍ୟ ଏହା କହିଥାନ୍ତି ଯେ ଆନ୍ତର୍ଜାତିକ ସମୁଦାୟ ସମକ୍ଷରେ ଭାରତର ଭାବମୂର୍ତ୍ତିକୁ ମଳିନ କରିବା ସକାଶେ ନିରନ୍ତର ପ୍ରୟାସରତ ରହିଥିବା ପାଶ୍ଚାତ୍ୟ ଗଣମାଧୢମର ଏକ ପ୍ରତିନିଧି ସ୍ଥାନୀୟ ସମ୍ବାଦପତ୍ର ହେଉଛି ‘ଦ ଵାଲ ଷ୍ଟ୍ରିଟ୍‌ ଜର୍ନାଲ’। ଏହାର ସାମ୍ବାଦିକା ଜଣକ କର୍ତ୍ତବ୍ୟ ନିର୍ବାହ କରିବାର ଆଢୁଆଳରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ କରିବାର ନିର୍ଦ୍ଦିଷ୍ଟ ‘ଆଜେଣ୍ତା’ ବା ଅଭିସନ୍ଧି ବହନ କରିଥାଆନ୍ତି। ଏହି ସ˚ଦର୍ଭରେ ସାମ୍ବାଦିକତା ଲାଗି ପୁରସ୍କାର ବିଜୟୀ ସେବାଷ୍ଟିଆନ ଜଙ୍ଗରଙ୍କ ଏକ ଚର୍ଚ୍ଚିତ ପୁସ୍ତକ ‘ଵାର ଏଣ୍ତ ଦ ଟ୍ରାଇବ୍‌’ରୁ ଉଦ୍ଧାର କରି ଏହି ପକ୍ଷବାଦୀମାନେ କହିଥାଆନ୍ତି ଯେ ଜଣେ ସାମ୍ବାଦିକର ପ୍ରକୃତ ଧର୍ମ ହେଉଛି ଅତ୍ୟନ୍ତ ନିର୍ଲିପ୍ତ ଭାବେ କେବଳ ତଥ୍ୟ ପରିବେଷଣ କରିବା; ତା’ ଜରିଆରେ ସମାଜରେ ପରିବର୍ତ୍ତନ ଘଟାଇବାର ମହତ୍ତ୍ବାକା˚କ୍ଷା ବହନ କରିବା ନୁହେଁ। ସେମାନଙ୍କ ଦୃଷ୍ଟିରେ ଉପରୋକ୍ତ ସ˚ଜ୍ଞା ଅନୁସାରେ ସାବ୍ରିନା ସିଦ୍ଦିକି ଆଦର୍ଶ ସ୍ଥାନୀୟ ସାମ୍ବାଦିକା ନୁହନ୍ତି; ବର˚ ସେ ହେଉଛନ୍ତି ଜଣେ ପକ୍ଷପାତୀ ସକ୍ରିିୟତାବାଦୀ ଏବ˚ ପାଶ୍ଚାତ୍ୟ ଗଣମାଧୢମ ଦ୍ବାରା ପ୍ରାୟୋଜିତ ‘ମୋଦୀଙ୍କ ଭାରତ’ ବିରୋଧୀ ପ୍ରଚାର-ତନ୍ତ୍ରର ଗୋଟିଏ କବ୍‌ଜା!

ଏହି ଘଟଣାକୁ ନେଇ ଆଲୋଚନାର ତୀବ୍ରତା ମଧୢରେ ସାବ୍ରିନାଙ୍କ ‘ଧର୍ମ’ ଏବ˚ ‘ମୂଳ’ (ଭାରତରେ ଜନ୍ମ ତଥା ପାକିସ୍ତାନ ଏବ˚ ଆମେରିକାରେ ପ୍ରତିପାଳିତ) ଉପର ବର୍ଣ୍ଣିତ ଭାରତ ବିରୋଧୀ ଚକ୍ରାନ୍ତ ତତ୍ତ୍ବକୁ ଆହାର ଯୋଗାଇଥାଏ। କିନ୍ତୁ ଏହି ନିଷ୍କର୍ଷର ବିରୋଧୀମାନେ ଯାହା କହିବାରେ ଲାଗିଛନ୍ତି ତାହା ହେଲା ଜଣେ ସାମ୍ବାଦିକର ଧର୍ମ ତା’ର ଉପାସ୍ୟ ଈଶ୍ବରଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇ ନ ଥାଏ, ବର˚ ଜଣେ କ୍ଷମତାସ˚ପନ୍ନ ବ୍ୟକ୍ତିଙ୍କୁ ନିର୍ଭୀକ ଭାବେ ପ୍ରଶ୍ନ କରିବାର ସାହସରେ ନିହିତ ଥାଏ। ଏହି ମର୍ମରେ ସେମାନଙ୍କ ଗୂଢ଼ ପ୍ରଶ୍ନ ଯେ ଗଣତନ୍ତ୍ର ଏହି ମୋଦୀ ସମର୍ଥକମାନଙ୍କ ‘ଡି.ଏନ୍‌.ଏ.’ର ଗଭୀରତାରେ ରୋପିତ ନା କେବଳ ଉପର ଠାଉରିଆ ରୂପେ ସେମାନଙ୍କ ପତଳା ମଳି ଚମ ତଳେ ରହିଛି ଏବଂ ଗୋଟିଏ ମାତ୍ର ପ୍ରଶ୍ନରେ ଆହତ ହୋଇ ଚିତ୍କାର କରୁଛି?

ଏଥିରେ ଦ୍ବିମତ ହେବାର ଅବକାଶ ନାହିଁ ଯେ ଏକ ଆଦର୍ଶ ଗଣତନ୍ତ୍ରର ମୂଳ ପିଣ୍ତ ହେଉଛି ଉଦାରତା ଏବ˚ ସହିଷ୍ଣୁତା, ଯାହା ସମାଲୋଚନା ଏବ˚ ପ୍ରଶ୍ନକୁ ସ୍ବାଗତ କରିଥାଏ। କିନ୍ତୁ ସ˚ପ୍ରତି ଭାରତ ସମେତ କେତେକ ରାଷ୍ଟ୍ରରେ ଗଣତନ୍ତ୍ର ଯେଉଁ ରୂପରେ ଦୃଶ୍ୟମାନ, ତହିଁରେ ଶାସକ ଦଳର ନେତା ଜଣେ ‘ଆଲ୍‌ଫା ମେଲ୍‌’ ସଦୃଶ ବଳିଷ୍ଠ ବ୍ୟକ୍ତିତ୍ବ ଏବ˚ ପ୍ରଶ୍ନାତୀତ ପତିଆରା ଏବ˚ ଏକାଧିପତ୍ୟର ଅଧିକାରୀ, ଯହିଁରେ ତାଙ୍କ ନିକଟତମ ବଳୟରେ ରହିଥିବା ତଥାକଥିତ ପରାମର୍ଶଦାତା ବା ଉପଦେଷ୍ଟାମାନେ ତାଙ୍କୁ ଅପ୍ରିୟ ଉପଦେଶ ଦେବାର ଧୃଷ୍ଟତା କରନ୍ତି ନାହିଁ; ତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ପଚାରିବାର ଆସ୍ପର୍ଦ୍ଧା ପ୍ରଦର୍ଶନ ତ ଦୂରେ ଥାଉ। ଏଭଳି ପରିସ୍ଥିତି ସେମାନଙ୍କୁ ଦିଗ୍‌ବିଜୟୀ ଆଲେକଜାଣ୍ତରଙ୍କ ତୁଲ୍ୟ ଘୋର ‘ସମାଲୋଚନା-ଅସହିଷ୍ଣୁ’ କରି ଗଢ଼ି ତୋଳେ; ଯିଏ ନିଜର ପରମ ବିଶ୍ବସ୍ତ ଓ ହିତୈଷୀ ବନ୍ଧୁ କ୍ଲେଟିଅସଙ୍କ ଯଥାର୍ଥ ସମାଲୋଚନାକୁ ସହ୍ୟ କରି ନ ପାରି ବର୍ଚ୍ଛା ନିକ୍ଷେପ କରି ହତ୍ୟା କରିଥିଲେ।

ସେହି ଦୃଷ୍ଟିରୁ ଆଲେକଜାଣ୍ତର ଗଣତାନ୍ତ୍ରିକ ମୂଲ୍ୟବୋଧର ସ˚ପୂର୍ଣ୍ଣ ବିପରୀତ ରୂପକଳ୍ପ ବା ‘ମେଟାଫର’ ନୁହନ୍ତି କି? ବର˚ ଗଣତନ୍ତ୍ରର ମୂଳ ଆଦର୍ଶ ଯେମିତି କି ବିବିଧ ମତାନୁରାଗ, ଔଦାର୍ଯ୍ୟ ଏବ˚ ସହିଷ୍ଣୁତା ଇତ୍ୟାଦି ପରିପ୍ରେକ୍ଷୀରେ ସନ୍ଥ କବୀର ହିଁ ଅଧିକ ପ୍ରଜୁଯ୍ୟ ଭଳି ମନେ ହୁଅନ୍ତି। କବୀର ତାଙ୍କର ଏକ ଅତ୍ୟନ୍ତ ଲୋକପ୍ରିୟ ଦୋହାରେ ଯାହା କହିଛନ୍ତି, ତାହାର ସାରମର୍ମ ହେଲା ନିନ୍ଦୁକମାନଙ୍କୁ ସର୍ବଦା ଗୃହାଙ୍ଗନରେ ସଯତ୍ନ ସ୍ଥାନ ପ୍ରଦାନ କରିବା ଉଚିତ, କାରଣ ସେହିମାନଙ୍କ ନିର୍ଦ୍ଦୟ ବାଣୀ ହିଁ ଜଣଙ୍କର ସ୍ବଭାବ ଓ ଆଚରଣକୁ ନିର୍ମଳ କରିବ। କିନ୍ତୁ କଥା ହେଲା, କବୀରଙ୍କ ଏଭଳି ମାର୍ମିକ ଉପଦେଶକୁ ପାଳନ କରିବା ଲାଗି ଯେଉଁ ଧୈର୍ଯ୍ୟ ଓ ସହନଶୀଳତାର ଆବଶ୍ୟକତା ରହିଛି, ତାହା ଏବେ ସାଧାରଣ ସ୍ତରରେ ମଧୢ ଅତ୍ୟନ୍ତ ବିରଳ, ଉଚ୍ଚାସନ ଅଧିଷ୍ଠିତଙ୍କ କଥା ନ କହିବା ଭଲ! କିନ୍ତୁ ଏହା ମଧୢ ସତ୍ୟ ଯେ ‘ଡି.ଏନ୍‌.ଏ.’ରେ ଗଣତନ୍ତ୍ରର ସତ୍ତା ଥିଲେ ହିଁ ଜଣେ କବୀର-ପନ୍ଥୀ ହୋଇପାରିବ, ଯେଉଁଠି ସମାଲୋଚନା ପ୍ରତି ସହିଷ୍ଣୁତା ସ୍ବଭାବଗତ ହୋଇଯିବ।