ସୁଖର କଥା, ଯେ ଏଇ ଜୁନ୍ ୨୧ ତାରିଖ, ସୁରେନ୍ଦ୍ର ମହାନ୍ତିଙ୍କ ୧୦୧ତମ ଜନ୍ମଦିବସ ଅବସରରେ, ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶ ପାଇଛି, ତାଙ୍କର ପ୍ରଥମ ସାତଟି ଗଳ୍ପ ପୁସ୍ତକର ଏକତ୍ର ସଂକଳନ- ‘ସୁରେନ୍ଦ୍ର ରଚନା ସମଗ୍ର: ଗଳ୍ପ-୧’। ସେହି ଅବସରରେ, ତାଙ୍କର ବାକି ଛଅଟି ଗଳ୍ପ ପୁସ୍ତକ ଏବଂ ଅନ୍ୟାନ୍ୟ ଅସଂକଳିତ ଗଳ୍ପକୁ ନେଇ ଏହାର ଦ୍ୱିତୀୟ ତଥା ଶେଷ ଭାଗ ଶୀଘ୍ର ପ୍ରକାଶ ପାଇବ ବୋଲି ସୂଚିତ ହୋଇଛି।
ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମଶତବାର୍ଷିକୀ ଅବସରରେ, ତାଙ୍କର ସମଗ୍ର ରଚନାର ସଂକଳନ ପାଇଁ ‘ଆମ ଓଡ଼ିଶା’ ସଂକଳ୍ପ ନେଇଛି ଏବଂ ଏହା କାର୍ଯ୍ୟକାରୀ ହେଉଛି ତାଙ୍କର ଉତ୍ତରାଧିକାରୀମାନଙ୍କର ପ୍ରତ୍ୟକ୍ଷ ସହଯୋଗରେ। ଏହି ଯୋଜନାରେ, ଠିକ୍ ବର୍ଷକ ତଳେ, ତାଙ୍କର ଶତତମ ଜନ୍ମଦିବସ ଅବସରରେ ପ୍ରକାଶ ପାଇଥିଲା- ଶ୍ରୀଜଗନ୍ନାଥ ତଥା ଓଡ଼ିଶାର ଇତିହାସକୁ ନେଇ ସେ ରଚନା କରିଥିବା ତିନିଟି ଉପନ୍ୟାସ- ‘ନୀଳଶୈଳ’, ‘ନୀଳାଦ୍ରିବିଜୟ’ ଓ ‘କୃଷ୍ଣାବେଣୀରେ ସନ୍ଧ୍ୟା’ର ଏକତ୍ର ସଂକଳନ। ତାହା ଥିଲା ‘ସୁରେନ୍ଦ୍ର ରଚନା ସମଗ୍ର’ର ପ୍ରଥମ ଅର୍ଘ୍ୟ। ସେହିପରି ଏବର୍ଷ, ଏପ୍ରିଲ-୨୮, ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପ୍ରକାଶ ପାଇଥିଲା, ମଧୁବାବୁଙ୍କୁ ନେଇ ସେ ଲେଖିଥିବା ଦୁଇ ଚରିତ ଉପନ୍ୟାସ- ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ର ଏକତ୍ର ସଂକଳନ। ତାହା ଥିଲା- ‘ସୁରେନ୍ଦ୍ର ରଚନା ସମଗ୍ର’ର ଦ୍ୱିତୀୟ ଅର୍ଘ୍ୟ। ସେହି କ୍ରମରେ, ଜୁନ୍ ୨୧ ତାରିଖ, ୧୦୧ତମ ଜନ୍ମ ଦିବସରେ ପ୍ରକାଶ ପାଇଛି ଏହି ତୃତୀୟ ଅର୍ଘ୍ୟ।
‘ସୁରେନ୍ଦ୍ର ରଚନା ସମଗ୍ର: ଗଳ୍ପ’ର ଏହି ପ୍ରଥମ ଭାଗରେ ସଂକଳିତ ହୋଇଛି, ତାଙ୍କର ପ୍ରଥମ ସାତଟି ଗଳ୍ପପୁସ୍ତକର ମୋଟ ୭୧ଟି ଗଳ୍ପ। ସେହି ଗଳ୍ପ ପୁସ୍ତକଗୁଡ଼ିକ ହେଉଛି- ‘ମହାନଗରୀର ରାତ୍ରି’ (୧୯୫୦), ‘କୃଷ୍ଣଚୂଡ଼ା’ (୧୯୫୧), ‘ରୁଟି ଓ ଚନ୍ଦ୍ର’ (୧୯୫୪), ‘ଶେଷ କବିତା’ (୧୯୫୫), ‘ସବୁଜପତ୍ର ଓ ଧୂସରଗୋଲାପ’ (୧୯୫୮), ‘ମରାଳର ମୃତ୍ୟୁ’ (୧୯୬୨) ଓ ‘ଦୁଇ ସୀମାନ୍ତ’ (୧୯୭୧)।
ଏହି ସାତଟି ଗଳ୍ପ ପୁସ୍ତକର ୭୧ଟି ଗଳ୍ପ ମଧ୍ୟରୁ, ଅତି ବେଶୀରେ ଛଅ-ସାତଟି ଗଳ୍ପ ଅଧିକ ଲୋକପ୍ରିୟ ଓ ଅଧିକ ଚର୍ଚ୍ଚିତ। ସେଗୁଡ଼ିକ ହେଉଛି- ‘କୃଷ୍ଣଚୂଡ଼ା’ ପୁସ୍ତକର ‘ସାରିପୁତ୍ତ’ ଓ ‘କୃଷ୍ଣଚୂଡ଼ା’; ‘ଶେଷକବିତା’, ‘ସବୁଜପତ୍ର ଓ ଧୂସରଗୋଲାପ’ ଓ ‘ମରାଳର ମୃତ୍ୟୁ’ର ତିନି ଶୀର୍ଷକ ଗଳ୍ପ; ‘ସବୁଜପତ୍ର ଓ ଧୂସରଗୋଲାପ’ର ‘ପିତା ଓ ପୁତ୍ର’ ଓ ‘ବାସିମଡ଼ା’। କିନ୍ତୁ ଏହାର ଊର୍ଦ୍ଧ୍ୱରେ, ଅବଶିଷ୍ଟ ଗଳ୍ପ ଯେ ସୁରେନ୍ଦ୍ର ମହାନ୍ତିଙ୍କର ଏକ ବୃହତ୍ତର ପରିଚିତି ସୃଷ୍ଟି କରିବାରେ ସକ୍ଷମ, ଏହା ନିଃସନ୍ଦେହ।
‘ମହାନଗରୀର ରାତ୍ରି’ ଓ ‘କୃଷ୍ଣଚୂଡ଼ା’ ସୁରେନ୍ଦ୍ର ମହାନ୍ତିଙ୍କର ପ୍ରଥମ ଦୁଇ ଗଳ୍ପ ପୁସ୍ତକ। ‘ମହାନଗରୀର ରାତ୍ରି’ରେ, ଶୀର୍ଷକ ଗଳ୍ପ (୧୯୪୯) ବ୍ୟତୀତ ଅଛି ଆଉ ପାଞ୍ଚଟି ଗଳ୍ପ- ‘ଭାଗାବଣ୍ଡ୍’ (୧୯୫୦), ‘ଭାରତ ଆବିଷ୍କାର’ (୧୯୪୬), ‘ସମ୍ପାଦକ’ (୧୯୪୮), ‘ଅପରାଜିତ’ (୧୯୪୬) ଓ ‘ଅତିଥି’ (୧୯୪୮)। ସେହିପରି, ‘କୃଷ୍ଣଚୂଡ଼ା’ରେ ସଂକଳିତ ହୋଇଥିଲା ୧୦ଟି ଗଳ୍ପ। ‘ସାରିପୁତ୍ତ’ (୧୯୪୯) ଥିଲା ତାହାର ପ୍ରଥମ ଗଳ୍ପ ଏବଂ ‘କୃଷ୍ଣଚୂଡ଼ା’ (୧୯୪୮) ଶେଷଗଳ୍ପ। ‘ଭାଗାବଣ୍ଡ୍’ ଗଳ୍ପଟି ସେଥିରେ ପୁନର୍ମୁଦ୍ରିତ ହୋଇଥିଲା। ‘ସାରିପୁତ୍ତ’, ‘ଭାଗାବଣ୍ଡ୍’ ଓ ‘କୃଷ୍ଣଚୂଡ଼ା’ ବ୍ୟତୀତ, ସେଥିରେ ଥିବା ଅନ୍ୟ ସାତଟି ଗଳ୍ପ ଥିଲା- ‘ଦୁଇବନ୍ଧୁ’ (୧୯୫୦), ‘କାଳିମାଟି’ (୧୯୪୭), ‘ପତାକା ଉତ୍ତୋଳନ’ (ଅଗଷ୍ଟ, ୧୯୪୭), ‘ମହାମାନବର ସାଗରତୀରେ’ (୧୯୪୮), ‘ନୟନପୁର ଏକ୍ସପ୍ରେସ’ (୧୯୫୦), ‘ଅମ୍ବାପଲ୍ଲୀ’ (୧୯୫୦) ଏବଂ ‘ମଣିଷ ଓ ଅର୍ଥନୀତି’ (୧୯୪୧)।
କିନ୍ତୁ ‘କୃଷ୍ଣଚୂଡ଼ା’ର ପ୍ରକାଶ ପରେ ତାଙ୍କ ଗଳ୍ପ ସଂପର୍କରେ ଗୋଟିଏ ଅଭିଯୋଗ ଆସିଥିଲା, ଯାହାର ଉଲ୍ଲେଖ ସେ କରିଛନ୍ତି, ତାଙ୍କର ଚତୁର୍ଥ ଗଳ୍ପ ପୁସ୍ତକ ‘ଶେଷ କବିତା’ (୧୯୫୫)ର ‘ଭୂମିକା’ରେ। ସେ କହିଛନ୍ତି, “କୃଷ୍ଣଚୂଡ଼ା ପ୍ରକାଶିତ ହେବାର ଅବ୍ୟବହିତ ପରେ, ମୋର ଶ୍ରଦ୍ଧା ଓ ସମ୍ମାନାସ୍ପଦ ଜଣେ ବିଶିଷ୍ଟ ସାହିତ୍ୟିକ ଲେଖିଥିଲେ- ଓଡ଼ିଶାର ମାଟି, ଓଡ଼ିଆର ଦୈନନ୍ଦିନ ଜୀବନ, ତାର ଆଶା ଆକାଂକ୍ଷା, ତାର ଅନୁଭୂତି ଓ ପ୍ରକାଶ ସହିତ ମୋର ଗଳ୍ପଗୁଡ଼ିକର କୌଣସି ସମ୍ବନ୍ଧ ନାହିଁ। ‘ପ୍ରାୟ ସବୁ ଗଳ୍ପର ଘଟନାର ସ୍ଥାନ, କାଳ, ପାତ୍ର, ଓଡ଼ିଶା ଲୋକଙ୍କ ଜୀବନର ନିତି ଦେଖା ବେଢ଼ାଠୁଁ ଦୂରରେ। ‘ସାରିପୁତ୍ତ’ ବୌଦ୍ଧଯୁଗର ରାଜଗୃହର କାହାଣୀ, ‘ଦୁଇବନ୍ଧୁ’ କଲିକତାର, ‘କାଳିମାଟି’ ଚୌଦ୍ୱାରର ନୁହେଁ, ‘ମହାମାନବର ସାଗର ତୀରେ’ କଲିକତାର, ‘ନୟନପୁର ଏକ୍ସପ୍ରେସ୍’ ସମ୍ଭବତଃ ବଙ୍ଗଦେଶର, ‘ଅମ୍ବାପଲ୍ଲୀ’ ବୌଦ୍ଧଯୁଗର ବୈଶାଳୀର, ‘ଭାଗାବଣ୍ଡ’ ବି କଲିକତାର।”
ସେଦିନ ଏ ସମାଲୋଚନାକୁ ଅସ୍ୱୀକାର କରିନଥିଲେ ସୁରେନ୍ଦ୍ର ମହାନ୍ତି। ସେ କହିଥିଲେ, “ଏ ସମାଲୋଚନା ଆଂଶିକ ଭାବରେ ସତ୍ୟ। ଓଡ଼ିଆ ଭାଷାରେ ମୁଁ ହୁଏତ ‘ନିତିଦିନିଆ ବେଢ଼ା’ଠାରୁ ବହୁଦୂରରେ, ଅଣଓଡ଼ିଆ ମଣିଷଙ୍କ କଥା ଓଡ଼ିଆ ଭାଷାରେ ଲେଖିଛି। କିନ୍ତୁ ଅନୁଭୂତି କ୍ଷେତ୍ରରେ ଓଡ଼ିଆ-ଅଣଓଡ଼ିଆର ସୀମାରେଖା ଅତି ଅବାସ୍ତବ। ସାହିତ୍ୟର ଭିତ୍ତି କେତେକ ସାର୍ବଜନୀନ ଅନୁଭୂତି। ଯଦି ସେ ଅନୁଭୂତି, କଲିକତାର ଚୌରାଙ୍ଗୀର ଭାଗାବଣ୍ଡ୍, ରାଜଗୃହର ପୁତ୍ରବିଚ୍ଛେଦାତୁରା ଜନନୀ ବା ଜାମ୍ସେଦପୁରର ନମ୍ବରୀ ମଜଦୁରର ମାଧ୍ୟମରେ ଓଡ଼ିଆ ଭାଷାରେ ପ୍ରକାଶ ପାଏ, ତା’ହେଲେ ଓଡ଼ିଆ ସାହିତ୍ୟର ସେଥିରେ ଲାଭ ଛଡ଼ା କ୍ଷତି ନାହିଁ।”
ସେହି ସମାଲୋଚନା ବା ସେହି ଅଭିଯୋଗର ଉତ୍ତରରେ, ସେଥିରେ ସେ ଆଉ ଯାହା ଲେଖିଥିଲେ, ତାହା ହେଉଛି, “ଆଧୁନିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସ ସାହିତ୍ୟରେ କେତେକ ବ୍ୟତିକ୍ରମକୁ ଛାଡ଼ିଦେଲେ, ସାଧାରଣରେ ଯାହା ଦେଖିବାକୁ ମିଳେ ସେସବୁ ପରିକଳ୍ପନା ଓ ବ୍ୟଞ୍ଜନାରେ ଊନବିଂଶ ଶତାବ୍ଦୀର। ଆଧୁନିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସ ତଥାପି ବାଉଁଶବଣ ଘେରା କାଦୁଅ ପଚପଚ ପଲ୍ଲୀ ଗାଁର କିଆଗୋହିରୀ ଟପି ପାରି ନାହିଁ। କଥାବସ୍ତୁ ପୁଣି, ପ୍ରେମର ସେହି ନାକକାନ୍ଦଣା, ଅସ୍ତିତ୍ୱ ନଥିବା ଜମିଦାରଙ୍କ ଶୋଷଣ, କଲିକତା ଚଟକଳର ପ୍ରବାସୀ ଓଡ଼ିଆ କୁଲି ଓ ଗାଁରେ ଛାଡ଼ିଆସିଥିବା ତା’ର ନିରିମାଖୀ ସ୍ତ୍ରୀ ପ୍ରତି ଗାଁ ମାମଲତକାରର ଲୁବ୍ଧ ଦୃଷ୍ଟି ମଧ୍ୟରେ ଆବଦ୍ଧ। ... ଦୁଇଟି ମହାଯୁଦ୍ଧ ପରେ, ବିଶ୍ୱବ୍ୟାପୀ ମଣିଷର ଚିନ୍ତା କ୍ଷେତ୍ରରେ ଯେଉଁ ଦ୍ୱନ୍ଦ୍ୱ, ଆଶଙ୍କା ଓ ସନ୍ଦେହ ପ୍ରକାଶ ପାଇଅଛି, ଯଦି ଏକବିଂଶ ଶତାବ୍ଦୀର କୌଣସି ପାଠକ, ବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ ଓ ଉପନ୍ୟାସରୁ ତା’ର କୌଣସି ସଙ୍କେତ ଆହରଣ କରିବାର ପ୍ରୟାସ କରନ୍ତି, ତା’ହେଲେ ନିଶ୍ଚୟ ହତାଶ ହେବେ। ମୁଁ ତେଣୁ ଆଧୁନିକ, ଆନ୍ତର୍ଜାତିକ ମଣିଷର କଥା ଲେଖିଛି; ଯଦିଓ ସେ ଆଧୁନିକ ମଣିଷକୁ ଓଡ଼ିଆ ବୋଲି ଚିହ୍ନିବାରେ କାହାରି କାହାରି ଅସୁବିଧା ହୋଇପାରେ। ମନେ ରଖିବାର ଅଛି, ଆଜି ଯାନ୍ତ୍ରିକ ଯୁଗରେ ମଣିଷ ପ୍ରମିତ (ଷ୍ଟାଣ୍ଡାର୍ଡାଇଜ୍ଡ) ହୋଇ ଯାଇଛି।” ଏଣୁ ସୁରେନ୍ଦ୍ର ମହାନ୍ତିଙ୍କର ଏଇ ଉକ୍ତିର ଆଧାରରେ ହିଁ, ଆଜି ଏକବିଂଶ ଶତାବ୍ଦୀରେ, ସୁରେନ୍ଦ୍ର ମହାନ୍ତିଙ୍କ ବିଂଶ ଶତାବ୍ଦୀ ମଧ୍ୟଭାଗର ସେହି ଗଳ୍ପଗୁଡ଼ିକୁ ବୁଝିବାକୁ ହେବ।
ଏହି ପରିପ୍ରେକ୍ଷୀରେ ତାଙ୍କ ‘କୃଷ୍ଣଚୂଡ଼ା’ ଗଳ୍ପ ବିଶେଷ ଗୁରୁତ୍ୱପୂର୍ଣ୍ଣ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ସୁରେନ୍ଦ୍ର ମହାନ୍ତି କେବଳ ଗାଳ୍ପିକ (ସାହିତ୍ୟିକ) ନଥିଲେ; ସେ ମଧ୍ୟ ଥିଲେ ସାମ୍ବାଦିକ। ପରବର୍ତ୍ତୀ କାଳରେ, ଏହି ଦୁଇ ଧାରାରେ ରାଜନୀତି ଯୋଡ଼ି ହୋଇ, ସୃଷ୍ଟି କରିଥିଲା ତ୍ରିବେଣୀ। ସାହିତ୍ୟିକ ଜୀବନର ଉନ୍ମେଷ କାଳରେ ହିଁ ସାମ୍ବାଦିକତା ଜୀବନକୁ ତାଙ୍କର ଅନୁପ୍ରବେଶ ଘଟିଥିଲା ବୋଲି ସେ ତାଙ୍କ ଜୀବନସ୍ମୃତି ‘ପଥ ଓ ପୃଥିବୀ’ରେ ଲେଖିଛନ୍ତି। ତାହାକୁ ସେ ଏକ ‘ଉତ୍ତରଣ’ ବୋଲି ମଧ୍ୟ କହିଛନ୍ତି। ‘ପଥ ଓ ପୃଥିବୀ’ର ‘ଆଦି’ ଭାଗ, ଅଧ୍ୟାୟ-୧୧ ‘ସାମ୍ବାଦିକତାର ଖଡ଼ିପାଠ’। ସେଥିରେ ସେ ଲେଖିଛନ୍ତି, “ସାହିତ୍ୟିକ ଜୀବନର ଉନ୍ମେଷ କାଳରେ ହିଁ ନିତାନ୍ତ ଆକସ୍ମିକ ଭାବରେ ଅଲକ୍ଷିତରେ ମୋର ଉତ୍ତରଣ ଘଟିଲା ସାମ୍ବାଦିକତାର ଉତ୍ତେଜନାପୂର୍ଣ୍ଣ ଜଗତକୁ।” ଇଂରାଜୀ ଦୈନିକ ‘ନିଉ ଓଡ଼ିଶା’ରୁ ଆରମ୍ଭ ହୋଇଥିଲା ସେହି ଉତ୍ତେଜନାପୂର୍ଣ୍ଣ ଅନୁପ୍ରବେଶ। ତାହା ବନ୍ଦ ହୋଇଯିବା ପରେ, ମଧୁ ମହାନ୍ତି ତାଙ୍କୁ ନେଇ ପହଞ୍ଚାଇ ଥିଲେ ସାପ୍ତାହିକ ‘ଅବ୍ଜରଭର୍’ରେ। ପରେ ମଧୁ ମହାନ୍ତିଙ୍କ କନିଷ୍ଠା କନ୍ୟା ରେଣୁକାଙ୍କ ସହିତ ତାଙ୍କର ବିବାହ ହେଲା ଏବଂ ତା’ ପରେ ସେ ହେଲେ ତାଙ୍କ ‘ଜନତା’ ସାପ୍ତାହିକର ସଂପାଦକ।
‘ପଥ ଓ ପୃଥିବୀ’ର ଷୋଡ଼ଶ ଅଧ୍ୟାୟ ‘ନିଜେ ହିଁ ନାୟକ’। ସେଥିରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, “ମୁଁ ମୋର ଆଦ୍ୟ ଯୌବନରୁ ଜୀବନକୁ ନିବିଡ଼ ଭାବରେ ଅନୁଭବ କରିବାକୁ ଚେଷ୍ଟା କରୁଥିଲି। ମୁଁ ଅନୁଭବ କରିଛି, ଜଣେ ଲେଖକ ଯଦି ନିଜକୁ ନାୟକ କରି ତା’ ଜୀବନର ଦୈନନ୍ଦିନ ଅନୁଭୂତିକୁ ଗଳ୍ପ ଆକାରରେ ଲେଖିବାକୁ ଚେଷ୍ଟା କରିବ, ତା’ହେଲେ ସେତେ ଗଳ୍ପ ଲେଖିବାକୁ ତା’ର ଶାରୀରିକ କ୍ଷମତା ସୁଦ୍ଧା ରହିବ ନାହିଁ। କିନ୍ତୁ ସେଥିପାଇଁ ପୁରୁଣା ଆଙ୍ଗିକ ଓ ଶୈଳୀ ଚଳିବ ନାହିଁ। ଆଙ୍ଗିକ ଓ ଶୈଳୀ କଳାସୃଷ୍ଟିରେ ଅବଶ୍ୟ ବଡ଼ କଥା ନୁହେଁ; ବଡ଼କଥା ହେଉଛି, ତାହାର ଆତ୍ମା। ତଥାପି, ପୁରାତନ ଆଙ୍ଗିକ ଓ ଶୈଳୀରେ ନୂତନ ବକ୍ତବ୍ୟ ଠିକ୍ ଉତୁରେ ନାହିଁ। ଏହି ନୂତନର ସନ୍ଧାନରେ କିନ୍ତୁ, ଲେଖକକୁ ଚେତନ-ଜଗତରୁ ତାର ଅବଚେତନକୁ ଓହ୍ଲାଇ ନିଭୃତ ମନର ଜଗତ୍କୁ ଫେରିଯିବାକୁ ହେବ; ଯେଉଁଠି କୋଳାହଳ ନାହିଁ... ଚିତ୍କାର ନାହିଁ... ଆଲୋକ ନାହିଁ... ସୂର୍ଯ୍ୟ ନାହିଁ- ସବୁ କୁହୁଡ଼ିବୋଳା! ତା’ରି ଭିତରେ ଯେଉଁମାନେ ଛାଇଛାଇଆ ସିଲହୋଟ ପରି ଦିଶୁଛନ୍ତି, ସେଇମାନେ ହେବେ ତା’ର ଚରିତ୍ର। ଏହି ତତ୍ତ୍ୱକୁ ଭିତ୍ତିକରି ମୁଁ ଗଳ୍ପ ଲେଖା ଆରମ୍ଭ କଲି- ବହୁ ବର୍ଷର ବ୍ୟବଧାନ ପରେ।”
ସୁରେନ୍ଦ୍ର ମହାନ୍ତିଙ୍କ ପ୍ରଥମ ଗଳ୍ପପୁସ୍ତକ ‘ମହାନଗରୀର ରାତ୍ରି’ରେ ଅଛି ‘ସମ୍ପାଦକ’ ଶୀର୍ଷକ ଏକ ଗଳ୍ପ। ତାହାର ନାୟକ ‘ସ୍ୱଦେଶ’ ନାମକ ଏକ ସମ୍ବାଦପତ୍ରର ସମ୍ପାଦକ। ନିଜକୁ ନାୟକ କରି ସେ ଯେଉଁସବୁ ଗଳ୍ପ ଲେଖିଥିଲେ, ଏହା ସେଥିମଧ୍ୟରୁ ଗୋଟିଏ। କିନ୍ତୁ ଦ୍ୱିତୀୟ ଗଳ୍ପପୁସ୍ତକ ‘କୃଷ୍ଣଚୂଡ଼ା’ର ଶେଷ ତଥା ଶୀର୍ଷକ ଗଳ୍ପ ‘କୃଷ୍ଣଚୂଡ଼ା’ ହିଁ ଏହାର ପ୍ରକୃଷ୍ଟ ଉଦାହରଣ।
‘କୃଷ୍ଣଚୂଡ଼ା’ର ଗଳ୍ପନାୟକ ସଦାନନ୍ଦ ଏକାଧାରରେ, ‘ସଂଗ୍ରାମ’ ସମ୍ବାଦପତ୍ରର ସଂପାଦକ, ପ୍ରୁଫ୍ରିଡର, ସବୁ। ଗଳ୍ପର କଥାବସ୍ତୁ ଅନୁସାରେ- ସଦାନନ୍ଦ ପ୍ରୁଫ୍ ଦେଖୁଛି। ବାହାରେ ଆଦ୍ୟ ଆଷାଢ଼ର ଅବିରାମ ବର୍ଷାର ଧାରା ଟିକିଏ କମି ଆସିଛି। କିନ୍ତୁ ସେ କ୍ଳାନ୍ତ, ଅବସାଦଗ୍ରସ୍ତ। ଅଥଚ ‘ସଂଗ୍ରାମ’ର ଆହୁରି ଚାରିପୃଷ୍ଠା, ଅର୍ଥାତ୍ ୧୬ କଲମ୍ ବାକି ଅଛି। ତାହା ପୂରଣ କରିବାକୁ ପଡ଼ିବ। ସୁରେନ୍ଦ୍ର ମହାନ୍ତିଙ୍କ ବର୍ଣ୍ଣନା ଅନୁସାରେ, “କ୍ଳାନ୍ତିରେ, ଅବସାଦରେ ସଦାନନ୍ଦ କାଗଜର ପ୍ରୁଫ୍ ଟେବୁଲ୍ର ଗୋଟାଏ ପାଖକୁ ଠେଲିଦେଲା। ପ୍ରୁଫ୍ ଦେଖି ଦେଖି, ଗତ କେତେଟା ବର୍ଷ ଭିତରେ ସେ କିପରି ଅସ୍ୱାଭାବିକ ଭାବରେ ନୈରାଶ୍ୟବାଦୀ ସିନିକ୍ ପାଲଟି ଯାଇଛି। ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଠି ଖାଲି ଭୁଲ୍, ଆଉ ଭୁଲ୍, ପୁଣି ଭୁଲ୍।”
ଗଳ୍ପର ପରବର୍ତ୍ତୀ ଘଟଣାକ୍ରମ ଅନୁସାରେ- ଖୋଲା ଝରକାବାଟେ ସେତିକିବେଳେ ସଦାନନ୍ଦର ଆଖି ପଡ଼ିଲା ବାହାରର ପୃଥିବୀରେ। ଝରକା ଦେହକୁ ଲାଗି ଗୋଟିଏ କୃଷ୍ଣଚୂଡ଼ା ଗଛ। ସାବଜା ଗଛର ଶ୍ୟାମଳ ଶୀର୍ଷ ଲୁଚି ଯାଇଛି କୃଷ୍ଣଚୂଡ଼ାର ଛବିଳ ଆବରଣ ତଳେ।
ସୁନ୍ଦର... ନା ଖାଲି ସୁନ୍ଦର କହିଲେ ଅନେକ କିଛି ଅପୂର୍ଣ୍ଣ ରହିଯିବ। ସୁନ୍ଦର, କୋମଳ, କାନ୍ତ, ମଧୁର ଓ କମନୀୟ କୃଷ୍ଣଚୂଡ଼ାର ସେ ରକ୍ତିମ ବିକାଶ।
ଆଷାଢ଼ର ଆକାଶରେ କଳାହାଣ୍ଡିଆ ମେଘ ଯେପରି ମାଟି ଛୁଉଁଚି, ଆଉ ମେଘର କୋଳରେ କୃଷ୍ଣଚୂଡ଼ା। ବୈଷ୍ଣବ-ସାଧକଙ୍କର ଅତସୀ କୁସୁମ କୃଷ୍ଣ, ଚୂଡ଼ାରେ ଯେପରି ପିନ୍ଧିଛନ୍ତି ସଦ୍ୟ ଫୁଟନ୍ତ କୃଷ୍ଣଚୂଡ଼ାର ଗୁଚ୍ଛ।
କିନ୍ତୁ ଆହୁରି ଷୋଳ କଲମ୍ ବାକି।
ସଦାନନ୍ଦ ହିଂସ୍ର ଭାବରେ ଝରକାଟା ବନ୍ଦ କରିଦେଲା। କିନ୍ତୁ ତାର ମନେପଡ଼ିଲା- ସେ ଦିନେ ତମସାର ଜୁଡ଼ାରେ ନିଜ ହାତରେ ପିନ୍ଧାଇଥିଲା କୃଷ୍ଣଚୂଡ଼ାର ସ୍ତବକ। ସେଦିନ ତମସା ଆସିଥିଲା ନବବଧୂ ସାଜି। ସେଦିନ ବି ଥିଲା ଏମିତି ଏକ ବର୍ଷଣକ୍ଳାନ୍ତ ଆଷାଢ଼ର ଅଳସ ମଧ୍ୟାହ୍ନ।
ଆଜି କିନ୍ତୁ ହାତରୁ ସେ ଚପଳତା ମରିଗଲାଣି।
କିନ୍ତୁ ଆହୁରି ଷୋଳ କଲମ୍ ଯେ ବାକି। ତାହା ପୂରଣ ହେବ କେମିତି?
ହଠାତ୍ ସଦାନନ୍ଦର ମନକୁ ଆସିଲା- ଏ କୃଷ୍ଣଚୂଡ଼ାର କଥା କ’ଣ ଖବରକାଗଜରେ ଲେଖି ହେବନି?... ଏଇ କାନ୍ତ, ଲଳିତରଙ୍ଗା କୃଷ୍ଣଚୂଡ଼ା... ଯାହାର ରକ୍ତିମ ବିଳାସରେ ଆଷାଢ଼ର ଏଇ ନିରବ, ମେଦୁର ମଧ୍ୟାହ୍ନ ଚପଳ ହୋଇ ଉଠିଛି!
କିନ୍ତୁ, ପୁଣି ସଦାନନ୍ଦର ମନକୁ ଆସିଲା- ନା, ସମ୍ପାଦକର ପୃଥିବୀରେ କୃଷ୍ଣଚୂଡ଼ା ଏକ ଅବାନ୍ତର ସୃଷ୍ଟି। ସମୁଦାୟ ପୃଥିବୀ ହୁଏତ ଉପହାସ କରିବ, ଖବରକାଗଜ ସ୍ତମ୍ଭରେ କୃଷ୍ଣଚୂଡ଼ାର ବର୍ଣ୍ଣନା!
ଏ ଗଳ୍ପର ପରିଣତିରେ, ସେଦିନ ନିଭୃତ ରାତିରେ, ସଦାନନ୍ଦ କିପରି କୃଷ୍ଣଚୂଡ଼ା ଗଛରେ ଚଢ଼ି କୃଷ୍ଣଚୂଡ଼ା ତୋଳିବାକୁ ଯାଇ ବିଫଳ ଓ ଅପ୍ରତିଭ ହୋଇଛି, ତାହା ବର୍ଣ୍ଣିତ ହୋଇଛି।
ଜୀବନସ୍ମୃତି ‘ପଥ ଓ ପୃଥିବୀ’ର ‘ନିଜେ ହିଁ ନାୟକ’ ଅଧ୍ୟାୟରେ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି, “କୃଷ୍ଣଚୂଡ଼ାରେ ଅଛି ମୋର ସାମ୍ବାଦିକ ଓ ସାହିତ୍ୟିକ ସତ୍ତା ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର।”
ଏବଂ କହିବା ବାହୁଲ୍ୟ, ଏ ଗଳ୍ପଟି ସୁରେନ୍ଦ୍ର ମହାନ୍ତିଙ୍କର ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିଛି। ସେ ପରିଚିତ ହୋଇଛନ୍ତି ‘କୃଷ୍ଣଚୂଡ଼ାର କଥାକାର’ ଭାବରେ।
ମୋ: ୯୪୩୭୦ ୩୪୮୦୪