କେବଳ ନିଷ୍କାମ କର୍ମରେ ବିଶ୍ବାସୀ ଜୀବ ଖଚରମାନଙ୍କୁ କେନ୍ଦ୍ର କରି ଗଲା ସପ୍ତାହରେ ପ୍ରକାଶିତ ଏବ˚ ପ୍ରସାରିତ ଦୁଇ ବିପରୀତଧର୍ମୀ ଆବେଗ ସୃଷ୍ଟିକାରୀ ସମ୍ବାଦ ଅନେକତ୍ର ଯେଉଁଭଳି ହର୍ଷ-ବିମର୍ଷର ଏକ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି, ତାହା ସମ୍ଭବତଃ ପୂର୍ବରୁ କଦାଚିତ୍‌ ଦେଖିବାକୁ ମିଳି ନ ଥିଲା। ସେହି ସମ୍ବାଦ ଦ୍ବୟ ହେଲେ: ଚାରି ଧାମ ଯାତ୍ରା ଅବସରରେ ଦର୍ଶନାର୍ଥୀମାନଙ୍କୁ କେଦାରନାଥ ପହଞ୍ଚାଇ ଖଚରଗୁଡ଼ିକ ସେମାନଙ୍କ ମାଲିକମାନଙ୍କ ସକାଶେ ଯେତିକି ଅର୍ଥ ଉପାର୍ଜନ କରିଛନ୍ତି, ତାହା ସେହି ଉଦ୍ଦେଶ୍ୟରେ ଲାଗିଥିବା ହେଲିକପ୍‌ଟରଗୁଡ଼ିକର ଆୟ ଠାରୁ ୪୬ ପ୍ରତିଶତ ଅଧିକ ଏବ˚ ଦ୍ବିତୀୟଟି ହେଲା ଶ୍ରଦ୍ଧାଳୁମାନଙ୍କୁ ବହନ କରି ତୀଖ ପାର୍ବତ୍ୟ ଉଠାଣି ରାସ୍ତାରେ ଅବିଶ୍ରାନ୍ତ ଭାବେ ଚାଲୁଥିବା ଅନେକ ଖଚର ବାଟରେ ଟଳି ମଧ୍ୟ ପଡୁଛନ୍ତି। ସୁତରାଂ, ଏହି ସମ୍ବାଦ ଯୋଡ଼ିକ ଦ୍ବାରା ଖଚରଗୁଡ଼ିକ ଗୋଟିଏ ପଟେ ‘ସାବାସି’ ପାଉଥିବା ବେଳେ ଅନ୍ୟ ପଟେ ମାର୍ମିକ ସମବେଦନାର ପାତ୍ର ମଧ୍ୟ ହୋଇଛନ୍ତି। ଏହା ବ୍ୟତୀତ ଆଉ ଯାହା ଉଜାଗର ହୋଇଛି, ତାହା ହେଲା ମନୁଷ୍ୟର ସଦା ଅତୃପ୍ତ ଲୋଭର ଏକ ବିକଳ ଚିତ୍ର। ଚଳିତ କେଦାରନାଥ ଯାତ୍ରାରେ ଖଚର ‘ଅପରେଟର’ ବା ମାଲିକମାନେ ଏକ ଅତ୍ୟନ୍ତ ଉଚ୍ଚ ୮୨.୬ କୋଟି ଟଙ୍କା ଉପାର୍ଜନ କରିଥିବା ବେଳେ ସେମାନଙ୍କର ଆକାଶମାର୍ଗୀ ପ୍ରତିଦ୍ବନ୍ଦ୍ବୀ ମାତ୍ର ୫୬.୪ କୋଟି ଟଙ୍କା ଆୟ କରିବାରେ ସମର୍ଥ ହୋଇଛନ୍ତି।

Advertisment

ଏଠାରେ ପ୍ରକାଶ ଥାଉ କି ସ˚ପ୍ରତି ରୁଦ୍ରପ୍ରୟାଗ ଜିଲ୍ଲାରେ ପ୍ରାୟ ୭,୯୩୩ଟି ପ˚ଜୀକୃତ ଖଚର ଉଭୟ ମାଲ ଏବ˚ ମନୁଷ୍ୟଙ୍କ ପରିବହନରେ ନିୟୋଜିତ ଅଛନ୍ତି। ସୁତରାଂ, ସ୍ବାଭାବିକ ଭାବେ ଏକ ଧାରଣା ଜନ୍ମିଥାଏ ଯେ ମନୁଷ୍ୟ ସେବାରେ ସମର୍ପିତ ହୋଇ ଆପଣା ଜାତି ସକାଶେ ବିଜୟ କେତନ ଉଡ଼ାଇଥିବା ଏହି ଖଚରଗୁଡ଼ିକ ମାଲିକମାନଙ୍କ ଦ୍ବାରା ଆଦର ପାଉଥିବେ; ନିର୍ଦ୍ଦୟ ନିପୀଡ଼ନର ଶିକାର ହେଉ ନ ଥିବେ! କିନ୍ତୁ ଘୋର ବିଡ଼ମ୍ବନାର ବିଷୟ ହେଲା ଉପରୋକ୍ତ ଧାରଣାକୁ ଭ୍ରମାତ୍ମକ ପ୍ରମାଣିତ କରି ଏହି ଅସହାୟ ଏବଂ ପ୍ରତିବାଦ-ସାମର୍ଥ୍ୟହୀନ ପ୍ରାଣୀଗୁଡ଼ିକ ଅଚିନ୍ତନୀୟ ଅତ୍ୟାଚାରର ଶିକାର ହେଉଥିବାର ଦୃଶ୍ୟ ସମ୍ବଳିତ ‘ଭିଡିଓ’ମାନ ସ˚ପ୍ରତି ଭାଇରାଲ ହେବାରେ ଲାଗିଛି। ଏହି ‘ଭିଡିଓ’ଗୁଡ଼ିକରେ ଦେଖିବାକୁ ମିଳିଥାଏ କିଭଳି କେତେକ ଖଚର-ମାଲିକ ସେମାନଙ୍କ ଏହି ପୋଷା ପ୍ରାଣୀଗୁଡ଼ିକ ଠାରୁ ଆହୁରି ଅଧିକ କାର୍ଯ୍ୟ ହାସଲ କରିବା ଲାଗି ସେମାନଙ୍କୁ ଜଡ଼-ଯନ୍ତ୍ରରେ ପରିଣତ କରିବାକୁ ପ୍ରୟାସରତ; ଯହିଁରେ ଖଚରଗୁଡ଼ିକର ପାଟିକୁ ଜବରଦସ୍ତ ବନ୍ଦ କରି ନାକ ପୁଡ଼ାରେ ଗଞ୍ଜେଇ ସିଗାରେଟ ପୂରାଇ ଧୂଆଁ ଶୋଷି ନେବା ଲାଗି ସେଗୁଡ଼ିକୁ ବାଧୢ କରାଯାଉଛି, ଯଦ୍ଦ୍ବାରା ଗଞ୍ଜେଇ ନିଶାରେ ନିର୍ବେଦ ପ୍ରାଣୀଗୁଡ଼ିକ ଲୋଟି ନ ପଡ଼ିବା ପର୍ଯ୍ୟନ୍ତ ସେମାନଙ୍କ ଅକ୍ଳାନ୍ତ କେଦାରନାଥ ଗସ୍ତ ଜାରି ରଖିପାରିବେ! ଆଉ ଏକ ଭିଡିଓରେ ଦେଖିବାକୁ ମିଳିଥାଏ ଏଭଳି ବିଶ୍ରାମହୀନ କାର୍ଯ୍ୟର ଅନ୍ତ ପରିଣତି ସ୍ବରୂପ ଖଚରଗୁଡ଼ିକ ରାସ୍ତା ମଝିରେ ହଠାତ୍‌ ଟଳି ପଡ଼ି ଅନ୍ତିମ ନିଃଶ୍ବାସ ନେଉଥିବା ବେଳେ ସେମାନଙ୍କୁ ଛିଡ଼ା କରାଇବା ସକାଶେ ମାଲିକମାନଙ୍କ ଦ୍ବାରା ପଡୁଥିବା ଘନଘନ ପ୍ରହାର ବା ସେମାନଙ୍କୁ ସେହି ଅବସ୍ଥାରେ ରାସ୍ତାରେ ଘୋଷାଡ଼ି ନିଆ ଯାଉଥିବାର ଦୃଶ୍ୟ। ଡେରାଡୁନର ସ୍ଥାନୀୟ ଗଣମାଧୢମ ଦ୍ବାରା ପ୍ରକାଶିତ ରିପୋର୍ଟ କହିଥାଏ ଯେ ଚଳିତ ବର୍ଷ ଏଭଳି ପ୍ରାୟ ଚାରି ଶହ ଖଚରଙ୍କ ମୃତ୍ୟୁ ଘଟିଲାଣି। ଅବଶ୍ୟ, ‘ଭିଡିଓ’ଗୁଡ଼ିକ ଭାଇରାଲ ହେବା ପରେ ରୁଦ୍ର ପ୍ରୟାଗ ପୁଲିସ କେତେକ ଖଚର ମାଲିକଙ୍କୁ ଗିରଫ କରିଛି। କିନ୍ତୁ ଏକ ଅତ୍ୟନ୍ତ ପବିତ୍ର ତୀର୍ଥ ଯାତ୍ରା ସହିତ ଏଭଳି ଏକ ହୃଦୟହୀନ ଆଚରଣ (ମନୁଷ୍ୟର) ଏବ˚ ତଜ୍ଜନିତ ନରକୀୟ ଯନ୍ତ୍ରଣା ସମ୍ବଳିତ ପ୍ରସଙ୍ଗ ଯୋଡ଼ି ହୋଇଯାଇ ଏଭଳି ଅସ୍ବସ୍ତି ସୃଷ୍ଟି କରିଛି ଯେ କେଦାରନାଥ ଯାତ୍ରାକୁ ସୁନିୟୋଜିତ କରିବା ଲାଗି ଦାବି ପ୍ରବଳ ହେବାରେ ଲାଗିଲାଣି।

ସମସ୍ତେ ହୁଏ’ତ ଅବଗତ ନ ଥିବେ ଯେ କେଉଁ ଏକ ଅଭିଶପ୍ତ କ୍ଷଣରେ ଏକ ପ୍ରାକୃତିକ ବିଡ଼ମ୍ବନା ସ୍ବରୂପ ଗଧର ଔରସ ଏବ˚ ଘୋଡ଼ାର ଗର୍ଭରୁ ଖଚର ନାମକ ପ୍ରାଣୀ ଦାସତ୍ବର ଦୁର୍ଭାଗ୍ୟ ଭୋଗ କରିବାର କପାଳ ଲିଖନ ନେଇ ଜନ୍ମ ନେଇଥିଲା। ଏହା ସହିତ ପ୍ରକୃତି ମଧ୍ୟ ତା’ ଠାରେ ଦାସ ହେବା ସକାଶେ ସବୁ ପ୍ରକାର ଗୁଣ ମଧୢ ଭରି ଦେଇଥିଲା; ଯେମିତି କି ଖଚର ଉଭୟ ଘୋଡ଼ା ଏବ˚ ଗଧଙ୍କ ଠାରୁ ଅଧିକ ଶାନ୍ତ; ଗଧ ଠାରୁ କମ୍‌ ଜିଦ୍‌ଖୋର ଅଥଚ ଅଧିକ ବୁଦ୍ଧିମାନ; ପ୍ରକୃତିଗତ ଭାବେ ଗୋଟିଏ କ୍ରୋମୋଜମର ଅଭାବରୁ ଖଚରଗୁଡ଼ିକ ନପୁ˚ସକ ଏବ˚ ବନ୍ଧ୍ୟା; ଏମାନେ ଘୋଡ଼ା ଠାରୁ ଅଧିକ ପରିଶ୍ରମୀ ଏବ˚ ଏମାନଙ୍କ ଖୁରା ଘୋଡ଼ା ତୁଳନାରେ ଅଧିକ ଶକ୍ତ, ଯାହା ସେମାନଙ୍କୁ ଦୁର୍ଗମ ପାର୍ବତ୍ୟ ରାସ୍ତାର ନାବିକ ଭୂମିକାରେ ଅବତୀର୍ଣ୍ଣ କରାଇଛି; ଏହାର ଚମ ଘୋଡ଼ା ଚମ ତୁଳନାରେ କମ୍‌ ସମ୍ବେଦନଶୀଳ ତଥା ପ୍ରତିକୂଳ ପାଣିପାଗର ପ୍ରାଦୁର୍ଭାବ ଦୃଷ୍ଟିରୁ ଅଧିକ ସହନଶୀଳ; ଖଚର ସ୍ବଭାବତଃ ସ୍ବଳ୍ପାହାରୀ ଏବ˚ ଦାସତ୍ବ ଭୋଗିବା ସକାଶେ ବେଶ୍ ଦୀର୍ଘଜୀବୀ, ଅର୍ଥାତ୍‌ ହାରାହାରି ଆୟୁଷ ପ୍ରାୟ ପଚାଶ ବର୍ଷ। ସୁତରାଂ, ପୁରୁଷ ଗର୍ଦ୍ଦଭ ଏବ˚ ନାରୀ ଅଶ୍ବର ଏଭଳି ଗୁଣଧାରୀ ଭାଗ୍ୟହୀନ ସନ୍ତାନଟି ଆବହମାନ କାଳରୁ ମନୁଷ୍ୟର ସେବାରେ ନିୟୋଜିତ ହେବା ଭଳି ଘଟଣାରେ ବିସ୍ମୟର କାରଣ ନାହିଁ; ଯହିଁରେ ତାକୁ ଉଭୟ ଦ୍ରବ୍ୟ ଓ ମାନବ ପରିବହନକାରୀର ଭୂମିକାରେ ଦେଖିବାକୁ ମିଳିଥାଏ। ତେବେ, ଖଚର ଦ୍ବାରା ମାନବ ପରିବହନ ଯେ ଏଭଳି ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇପାରେ; ସେ ଧାରଣା ସମ୍ଭବତଃ ପୂର୍ବରୁ ନ ଥିଲା, ଯାହା ଏବେ ପ୍ରମାଣିତ ହୋଇଛି। କୁହାଯାଉଛି ଯେ କୋଭିଡ୍‌ ହେତୁ କେଦାରନାଥ ଯାତ୍ରା ବର୍ଷାଧିକ କାଳ ବନ୍ଦ ରହିଥିବା କାରଣରୁ ଗଲା ବର୍ଷ ଓ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସ˚ଖ୍ୟାରେ ପ୍ରଭୂତ ବୃଦ୍ଧି ଘଟି ଖଚରଙ୍କ ଦ୍ବାରା ପ୍ରଚୁର ଅର୍ଥ ଉପାର୍ଜନକୁ ସମ୍ଭବ କରାଇଛି।

ପ୍ରକାଶ ଥାଉ କି ଉତ୍ତର-ଆଫ୍ରିକା ଠାରୁ ଆରମ୍ଭ କରି ଦକ୍ଷିଣ-ଏସିଆ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ଏବେ ସୁଦ୍ଧା ଖଚରମାନେ ଅନେକ ଜନଜାତି ସ˚ପ୍ରଦାୟର ଚଳଣିର ଏକ ଅବିଚ୍ଛେଦ୍ୟ ଅ˚ଶ ହୋଇ ରହିଛନ୍ତି। ମଣିଷ ଏବ˚ ଖଚରଙ୍କ ମଧ୍ୟରେ ରହି ଆସିଥିବା ସ˚ପର୍କକୁ କେନ୍ଦ୍ର କରି ଗଢ଼ି ଉଠିଛି ଅସ˚ଖ୍ୟ ମାର୍ମିକ ଲୋକକଥା; ଯେମିତି ଦକ୍ଷିଣ କ୍ୟାରୋଲିନାର ଏହି ଲୋକକଥାଟି: ନିଜ ପୋଷା ଖଚରକୁ ନିର୍ଧୂମ ଖଟାଉଥିବା ଜଣେ ଚାଷୀ ଈଶ୍ବର ବିଶ୍ବାସୀ ହୋଇଥିବାରୁ ତାକୁ ପ୍ରତ୍ୟେକ ରବିବାର ବିଶ୍ରାମ ଦେବାର ବ୍ୟବସ୍ଥା କରିଥାଆନ୍ତି। ଥରେ କିନ୍ତୁ ଜଣେ ଆତ୍ମୀୟଙ୍କ ଶେଷକୃତ୍ୟରେ ଭାଗ ନେବାକୁ ରବିବାର ଦିନ ହିଁ ବାହାରିବାକୁ ହେଲା। ତେଣୁ, ଖଚର ପିଠିରେ ହାଉଦା ବାନ୍ଧିବା ସକାଶେ ସେ ନିଜ ପୁଅକୁ ପଠାଇଲେ। ତରୁଣ ପୁତ୍ର ଖଚର ପିଠିରେ ହାଉଦା ଥୋଇବା ମାତ୍ରକେ ଖଚରଟି କହି ଉଠିଲା- ‘ଆଜି ପରା ରବିବାର!’ ଏତିକିରେ ତଟସ୍ଥ ତରୁଣ ହାଉଦା ପିଙ୍ଗି ଊର୍ଦ୍ଧ୍ବଶ୍ବାସରେ ଦୌଡ଼ିଲା ବାପାଙ୍କ ପାଖକୁ ଓ କଥା କହୁଥିବା ଖଚର ବିଷୟରେ କହିଲା। ‘ଭାଗ୍‌ ମୂର୍ଖ’ ବୋଲି ତାକୁ ମୃଦୁ ଗାଳିଟିଏ ଦେଇ କୃଷକ ନିଜେ ହାଉଦା ବାନ୍ଧିବାକୁ ଯାଇ ସବୁ ଦିନ ଭଳି ଆଦେଶ ଦେଲେ- ‘ସିଧା ଛିଡ଼ା ହୁଅ।’ ଏବେ ଖଚର ଶୁଖିଲା କଣ୍ଠରେ କହିଲା- ଆଜି କ’ଣ ରବିବାରର ଜଳଖିଆ ମିଳିବ ନାହିଁ କି? ଏଥରକ ଦୌଡ଼ି ପଳାଇବାର ପାଳି ବାପାଙ୍କର। ଏବେ ସେ ଯାଇ ନିଜ ପତ୍ନୀଙ୍କୁ ଏଭଳି ଅବିଶ୍ବାସ୍ୟ କଥାଟି କହୁଥିବା ବେଳେ ତାଙ୍କ ପତ୍ନୀ ହଠାତ୍‌ ଶୁଣିବାକୁ ପାଇଲେ ଯେ ତାଙ୍କ ପୋଷା ବିରାଡ଼ିଟି ଦୀର୍ଘଶ୍ବାସ ପକାଇ ଘରର କୁକୁରକୁ କହୁଛି- ‘ଦେଖ, ଖଚର କଥା କହେ ବୋଲି ଏମାନେ ଏବେ ଜାଣିଲେ!’

ଏହି ମର୍ମସ୍ପର୍ଶୀ ଲୋକଗଳ୍ପଟି ପ୍ରତୀକ ଧର୍ମୀ। ତାହା ଇଙ୍ଗିତ କରିଥାଏ ଯେ ଖଚରମାନେ ଯେଉଁ ଭାଷାରେ କଥା କହନ୍ତି ବା ଯେଉଁ ନିରବ ଆର୍ତ୍ତନାଦ କରନ୍ତି; ତାହା ପ୍ରାୟତଃ ମଣିଷର ହୃଦୟ ଏବ˚ କର୍ଣ୍ଣ-କୁହର ଭେଦ କରି ନ ଥାଏ। ଦାସତ୍ବରୁ ମୁକ୍ତି ଲାଗି ଖଚରର ନିରନ୍ତର ଜଣାଣ ଈଶ୍ବରଙ୍କ ଠାରେ ପହଞ୍ଚି ଯାଉଥିବ ଅବା, କିନ୍ତୁ ମନୁଷ୍ୟକୁ ସ୍ପର୍ଶ କରି ନ ଥାଏ!