କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ବିଣ୍ଟାଲ ପିଛା ୬,୪୦୦ ଟଙ୍କା ଦରରେ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ କରାଯିବା ଦାବିରେ ହରିୟାଣାର କୃଷକମାନେ ନିକଟରେ ଆନ୍ଦୋଳନ କରିଥିେଲ। ଏହା ୨୦୨୦-୨୧ କୃଷକ ଆନ୍ଦୋଳନ ସମୟରୁ ଜଳିଆସୁଥିବା ନିଆଁର ଝୁଲ ମାତ୍ର। ଏକ ବର୍ଷରୁ ଅଧିକ ସମୟ ଧରି ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଦିଲ୍ଲୀ ସୀମାରେ କୃଷକମାନେ ଶୀତ, ଗ୍ରୀଷ୍ମ ଓ ବର୍ଷାରେ ଆନ୍ଦୋଳନ ଚଳାଇବା ପରେ ସରକାର ଏକ ପ୍ରତିଶ୍ରୁତି ଦେଇଥିଲେ। ୨୩ଟି ଫସଲ (୭ ଶସ୍ୟ, ୫ ଡାଲି, ୭ ତୈଳବୀଜ ଓ ୪ ବାଣିଜ୍ୟିକ ଫସଲ) ପାଇଁ ଆଇନଗତ ଭାବରେ ଏସ୍‌ଏମ୍‌ସି ଧାର୍ଯ୍ୟ କରିବା ଦାବିର ସମୀକ୍ଷା ପାଇଁ ଏକ କମିଟି ଗଠନ କରିବେ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଚାଷୀମାନେ ଘରକୁ ଫେରିଥିଲେ। କୃଷକଙ୍କ ଦାବି ପରେ ସରକାର ତିନିଟି କୃଷି ଆଇନକୁ ରଦ୍ଦ କରି ଦେଇଥିଲେ ଏବଂ ସେମାନଙ୍କ ବିରୋଧ ଶେଷ ହୋଇଯିବ ବୋଲି ଭାବିଥିଲେ। ମାତ୍ର ବିଧିବଦ୍ଧ ଭାବେ ଏମ୍‌ଏସ୍‌ପି ଧାର୍ଯ୍ୟ ପାଇଁ ସେମାନଙ୍କ ଦାବିକୁ ସରକାର ଗ୍ରହଣ ନକଲା ଯାଏ ସେମାନେ ସନ୍ତୁଷ୍ଟ ହେବେ ନାହିଁ ଏବଂ ତାହା ନହେଲେ ଆନ୍ଦୋଳନ ପୁଣି ଆରମ୍ଭ ହେବ ବୋଲି କହିଥିଲେ।

Advertisment

ନିକଟରେ ହରିୟାଣା ଚାଷୀଙ୍କ ଦ୍ବାରା ଚଣ୍ଡିଗଡ଼-ଦିଲ୍ଲୀ ଜାତୀୟ ରାଜପଥ ଅବରୋଧ ଘଟଣା କ୍ରୋଧିତ ଚାଷୀଙ୍କର ସହରକୁ ପ୍ରତ୍ୟାବର୍ତ୍ତନ କରିବାର ମୁହୂର୍ତ୍ତ ଆସନ୍ନ ହେଲା ବୋଲି ସୂଚାଇଥିଲା। କେନ୍ଦ୍ର ସରକାର ସୂର୍ଯ୍ୟମୁଖୀ ମଞ୍ଜି ପାଇଁ କ୍ବିଣ୍ଟାଲ ପିଛା ୬,୪୦୦ ଟଙ୍କାର ଏମ୍‌ଏସ୍‌ପି ସ୍ଥିର କରିଥିଲେ ମଧ୍ୟ ଚାଷୀଙ୍କ ଉତ୍ପାଦ କିଣୁଥିବା କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ ବ୍ୟବସାୟୀମାନଙ୍କ ଭିତରୁ କେହି ବି ସେହି ଦରରେ ତାହା କିଣୁନାହାନ୍ତି। କେନ୍ଦ୍ର ସରକାର ତ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରନ୍ତି ନାହିଁ। ଘରୋଇ ବ୍ୟବସାୟୀମାନେ ତ ଏହାକୁ ୩,୬୦୦ରୁ ୪,୨୦୦ ଟଙ୍କା ଦରରେ କିଣି ଆସୁଛନ୍ତି। ପୂର୍ବ ବର୍ଷମାନଙ୍କରେ ସୂର୍ଯ୍ୟମୁଖୀ ମଞ୍ଜି କିଣୁଥିବା ରାଜ୍ୟ ସରକାର ତାହା କିଣିବା ବନ୍ଦ କରିଦେଇଥିଲେ। ତେବେ କୃଷକଙ୍କ ବିରୋଧ ପରେ ହିଁ ରାଜ୍ୟ ସରକାର ସୂର୍ଯ୍ୟମୁଖୀ ମଞ୍ଜି କିଣିବା ଆରମ୍ଭ କରିଛନ୍ତି। ମାତ୍ର ସୂର୍ଯ୍ୟମୁଖୀ ମଞ୍ଜିକୁ କ୍ବିଣ୍ଟାଲ ପିଛା ୪,୮୦୦ ଟଙ୍କା ଏମ୍‌ଏସ୍‌ପିରେ କିଣାଯାଉଛି ଏବଂ ଏମ୍‌ଏସ୍‌ପି ଓ ହାରାହାରି ବଜାର ମୂଲ୍ୟ ମଧ୍ୟରେ ରହିଥିବା ପାର୍ଥକ୍ୟର କ୍ଷତିପୂରଣ ବାବଦରେ କ୍ବିଣ୍ଟାଲ ପିଛା ହଜାରେ ଟଙ୍କା ଅଧିକ ଦିଆଯାଉଛି। ତେଣୁ ଏପରି ଭାବେ କ୍ବିଣ୍ଟାଲ୍‌ ପିଛା ମୋଟ ୫,୮୦୦ ଟଙ୍କା ମଧ୍ୟ ଧାର୍ଯ୍ୟ ଏମ୍‌ଏସ୍‌ପି ଠାରୁ ୬୦୦ ଟଙ୍କା କମ୍‌ ହେଉଛି। ଚାଷୀମାନେ ୬,୪୦୦ ଟଙ୍କାର ଏମ୍‌ଏସ୍‌ପି ଚାହୁଁଥିଲେ ଏବଂ ସେଥିପାଇଁ ରାସ୍ତା ଅବରୋଧ କରିଥିଲେ। ପରିଶେଷରେ ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ୫,୦୦୦ ଟଙ୍କାରେ, ଅର୍ଥାତ୍‌ କ୍ଷତିପୂରଣ ବାବଦ ହଜାରେ ଟଙ୍କା ମିଶି ମୋଟ ୬,୦୦୦ ଟଙ୍କାରେ କିଣିବାକୁ ଘୋଷଣା କରିବା ପରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନ ବନ୍ଦ ରଖିବାକୁ ରାଜି ହୋଇଥିଲେ।

ଏହା ସ୍ପଷ୍ଟ ଯେ ସୂର୍ଯ୍ୟମୁଖୀ ଚାଷୀଙ୍କୁ ଏମ୍‌ଏସ୍‌ପି ଦେବାକୁ କେହି ପ୍ରସ୍ତୁତ ନ ଥିଲେ। କାରଣଟି ମଧ୍ୟ ବେଶ୍‌ ସରଳ: ଏମ୍‌ଏସ୍‌ପି ହେଉଛି ମେରୁଦଣ୍ଡବିହୀନ। ଏହାର କୌଣସି ଆଇନଗତ କ୍ଷମତା ନାହିଁ। ସେହି ସର୍ବନିମ୍ନ ମୂଲ୍ୟ ଚାଷୀଙ୍କୁ ଦେବାକୁ କ୍ରେତା ବାଧ୍ୟ ନୁହେଁ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଦର ଓ ମୂଲ୍ୟ ଆୟୋଗ (ସିଏସିପି) ପ୍ରତିବର୍ଷ ୨୩ଟି ଫସଲ ପାଇଁ ଏମ୍‌ଏସ୍‌ପି ସ୍ଥିର କରିଥା’ନ୍ତି, ମାତ୍ର ତାହା କେବଳ ଏକ ଆନୁମାନିକ ମୂଲ୍ୟ। ଯଦି ଏହା ଆଇନଗତ ହୋଇଥା’ନ୍ତା, ତେବେ ଚାଷୀମାନେ ତାହା ପାଇ ଉପକୃତ ହୋଇଥା’ନ୍ତେ। ଯଦି ଏମ୍‌ଏସ୍‌ପି ମିଳିବ ବୋଲି ଚାଷୀମାନେ ଆଗୁଆ ଜାଣିପାରନ୍ତେ, ତେବେ ସେମାନେ ଅଧିକ ପରିମାଣ କ୍ଷେତରେ ସବୁଠୁ ଲାଭଜନକ ଫସଲ ଉତ୍ପାଦନ ବୃଦ୍ଧି କରିବାକୁ ଉତ୍ସାହିତ ହୁଅନ୍ତେ।

ଏମ୍‌ଏସ୍‌ପି ନିର୍ଦ୍ଧାରଣ କରିବାରେ ସିଏସିପିର ପ୍ରଥମ ଉଦ୍ଦେଶ୍ୟ ହେଉଛି ‘ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ଏବଂ ଜାତୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ଢାଞ୍ଚାର ବିକାଶ ପାଇଁ ଉତ୍ପାଦନକାରୀ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା’। ତେଣୁ ପ୍ରଶ୍ନଟି ହେଉଛି: ହରିୟାଣା ସରକାର ଏମ୍‌ଏସ୍‌ପି ଦେବାକୁ ମନା କରିବା ସୂର୍ଯ୍ୟମୁଖୀ ଚାଷୀଙ୍କ ପାଇଁ ନିରୁତ୍ସାହଜନକ ନୁହେଁ କି? ଏହା ସେମାନଙ୍କୁ ସୂର୍ଯ୍ୟମୁଖୀ ଫସଲ ପ୍ରତି ବିମୁଖ କରିବ ନାହିଁ କି? ସେହିପରି ଏହା ଫସଲର ବିବିଧୀକରଣର ଗତିକୁ ହ୍ରାସ କରିବାକୁ ଯାଉନାହିଁ କି? ଏଠାରେ ଉଲ୍ଲେଖଯୋଗ୍ୟ, ଫସଲର ବିବିଧୀକରଣ ହେଉଛି ଏକ ଜାତୀୟ ପ୍ରାଥମିକତା। ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ପରି ସବୁଜ ବିପ୍ଳବ ରାଜ୍ୟଗୁଡ଼ିକରେ ଫସଲ ଢାଞ୍ଚା ବଦଳାଇବା ପାଇଁ କେନ୍ଦ୍ର ସରକାର ସେମାନଙ୍କ ସହ ଯୋଗାଯୋଗ ରଖି କାମ କରୁଛନ୍ତି। ପର୍ଯ୍ୟାପ୍ତ ଧାନ ଓ ଗହମ ଉତ୍ପାଦନ କରି ଏହି ରାଜ୍ୟଗୁଡ଼ିକ ସମଗ୍ର ଦେଶକୁ ଖାଦ୍ୟ ଯୋଗାଇଥିଲେ। ଏହାର ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିଥିଲା: ଏଥି ଯୋଗୁଁ ସେହି ସବୁ ରାଜ୍ୟଗୁଡ଼ିକରେ ଭୂତଳ ଜଳସ୍ତର ଅତି ନିମ୍ନକୁ ଖସି ଆସିଛି। ବିଶେଷ କରି ଧାନ ହେଉଛି ମାତ୍ରାଧିକ ଜଳ ଶୋଷଣକାରୀ ଫସଲ। ସେହି ସବୁ ରାଜ୍ୟର ଚାଷୀମାନେ ଯଦି ସେମାନଙ୍କ କ୍ଷେତରେ ଧାନ-ଗହମ ଫସଲ ଚକ୍ରକୁ ଜାରି ରଖନ୍ତି, ତେବେ କିଛି ଦଶନ୍ଧି ଭିତରେ ସେମାନେ ହୁଏତ ନିଜ ଜମିରେ ଅନ୍ୟ କୌଣସି ଫସଲ ଉପୁଜାଇବା ପାଇଁ ପାଣି ପାଇବେ ନାହିଁ।
ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ, ଜାତୀୟ ପ୍ରାଥମିକତା ଅନୁଯାୟୀ ହରିୟାଣା ସରକାର କାର୍ଯ୍ୟ କରୁନାହାନ୍ତି। ଫସଲ ବିବିଧତା ପାଇଁ ସୂର୍ଯ୍ୟମୁଖୀ ହେଉଛି ଏକ ଆଦର୍ଶ ଫସଲ। ଏହା ଏକ ଅତି ଉଚ୍ଚକୋଟୀର ବହୁମୁଖୀପ୍ରବଣ ଫସଲ ହୋଇଥିବାରୁ ତାହାକୁ ଯେ କୌଣସି ମୃତ୍ତିକା ଓ ଜଳବାୟୁରେ ଚାଷ କରାଯାଇପାରିବ। ଏଥି ସହିତ ତାହା ବିଭିନ୍ନ ଫସଲ ଢାଞ୍ଚା ସହିତ ଖାପ ଖାଇ ପାରିବ। ସର୍ବୋପରି ସୂର୍ଯ୍ୟମୁଖୀ ଫସଲ ଧାନ ଓ ଗହମ ଚାଷ ଅପେକ୍ଷା କୃଷକକୁ ଅଧିକ ଲାଭ ଦେଇଥାଏ।

ଏମିତି ଦେଖିବାକୁ ଗଲେ, ହରିୟାଣା ସରକାରଙ୍କ ଆଭିମୁଖ୍ୟ ବାସ୍ତବରେ ବଡ଼ ଅଦ୍ଭୁତ। ସେହି ସମାନ ସରକାର ୨୦୧୮ ଜୁଲାଇରେ ଏକ ନୀତି ଘୋଷଣା କରିଥିଲେ, ଯେଉଁଥିରେ ସରକାର ପ୍ରତି ବର୍ଷ ରାଜ୍ୟରେ ଉତ୍ପାଦିତ ହେଉଥିବା ସମସ୍ତ ସୂର୍ଯ୍ୟମୁଖୀ ମଞ୍ଜିକୁ ଏମ୍‌ଏସ୍‌ପିରେ କିଣିନେବାର ପ୍ରାବଧାନ ରହିଥିଲା। ଏଥି ସହିତ ରାଜ୍ୟରେ ଅମଳ ହୋଇଥିବା ସମସ୍ତ ସୂର୍ଯ୍ୟମୁଖୀ ମଞ୍ଜିର ପ୍ରକ୍ରିୟାକରଣ ପାଇଁ ରାଜ୍ୟରେ ତୈଳ ନିଃସାରଣ ୟୁନିଟ୍‌ ସ୍ଥାପନା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ୨୦୧୭ରେ ସରକାର ମୋଟ ଉତ୍ପାଦିତ ସୂର୍ଯ୍ୟମୁଖୀ ମଞ୍ଜିର ମାତ୍ର ୨୦ ପ୍ରତିଶତ କିଣିଥିଲେ। ୨୦୧୮ରେ ଏହି ପରିମାଣ ୫୦ ପ୍ରତିଶତ ଓ ୨୦୧୯ରେ ଶତ ପ୍ରତିଶତ ହୋଇଥିଲା।
ସରକାରଙ୍କ ଘୋଷଣା ଅନୁଯାୟୀ, ହରିୟାଣାରେ ସୂର୍ଯ୍ୟମୁଖୀ ଚାଷ କରାଯାଉଥିବା କ୍ଷେତର ପରିମାଣ ୨୦୧୮-୧୯ରେ ୯,୪୪୦ ହେକ୍ଟର ଥିଲା ବେଳେ ୨୦୨୦-୨୧ରେ ତାହା ୧୨,୨୯୦ ହେକ୍ଟରକୁ ବୃଦ୍ଧି ପାଇଥିଲା। ସେହିପରି ୨୦୨୧-୨୨ରେ ତାହା ୧୩,୦୨୦ ହେକ୍ଟର ଓ ୨୦୨୨-୨୩ରେ ୧୪,୧୬୦ ହେକ୍ଟରରେ ପହଞ୍ଚିଥିବା ଜଣାଯାଇଛି। ସୂର୍ଯ୍ୟମୁଖୀ ଚାଷରେ ଏ ବୃଦ୍ଧି ମୁଖ୍ୟତଃ ଉତ୍ତର ହରିୟାଣାର କୁରୁକ୍ଷେତ୍ର, ଅମ୍ବାଲା ଓ କର୍ଣ୍ଣଲ ଆଦି ଜିଲ୍ଲାରେ ଦେଖିବାକୁ ମିଳିଛି ଯେଉଁଠି ଧାନ-ଗହମ ଚାଷ ଯୋଗୁଁ ଭୂତଳ ଜଳସ୍ତର ପ୍ରଭାବିତ ହୋଇ ସେଥିରେ ମାତ୍ରାଧିକ ହ୍ରାସ ଦେଖାଦେଇଥିଲା। ତେବେ ଫସଲ ବିବିଧୀକରଣ ଠିକଣା ବାଟରେ ଯାଉଥିବା ପରି ମନେ ହେଉଥିଲା। ଅପରପକ୍ଷେ, ଏହା ତ୍ବରାନ୍ବିତ ହେବାକୁ ଯାଉଥିବା ବେଳେ ହରିୟାଣା ସରକାର ନିଜ ରାସ୍ତାରେ ଏକ ଗାତ ଖୋଳିଦେଲେ।

ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ ବନ୍ଦ କରିବା ପାଇଁ ହରିୟାଣା ସରକାରଙ୍କ ଯୁକ୍ତି ବଡ଼ ବିଚିତ୍ର। ସରକାରଙ୍କ କହିବା କଥା ହେଲା, ଯଦି ସରକାର ସୂର୍ଯ୍ୟମୁଖୀ ମଞ୍ଜି ଏମ୍‌ଏସ୍‌ପିରେ କ୍ରୟ କରନ୍ତି, ତେବେ ପଞ୍ଜାବରୁ ସୂର୍ଯ୍ୟମୁଖୀ ଆସି ହରିୟାଣାର କୃଷି ଉତ୍ପାଦ ବଜାରରେ ଉଛୁଳା ପରିସ୍ଥିତି ସୃଷ୍ଟି କରିବ। ତେବେ ପଡ଼ୋଶୀ ରାଜ୍ୟରୁ କୃଷି ଉତ୍ପାଦର ଚୋରା ଚାଲାଣ ଭୟରେ କ’ଣ ଫସଲ ବିବିଧତାର ଜାତୀୟ ଉଦ୍ଦେଶ୍ୟକୁ ଛାଡ଼ି ଦିଆଯାଇ ପାରିବ? ଏହାକୁ ଭଲରେ ନିରୀକ୍ଷଣ କଲେ, ଏହି ବିଚିତ୍ର ସମସ୍ୟାର ସମାଧାନ ମଧ୍ୟ ଆଇନଗତ ଭାବରେ ନିଶ୍ଚିତ ହୋଇଥିବା ଏମ୍‌ଏସ୍‌ପିରେ ରହିଛି। ଯଦି ସବୁ ରାଜ୍ୟର ଚାଷୀଙ୍କୁ ସମାନ ମୂଲ୍ୟ ଦିଆଯାଆନ୍ତା, ତେବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଫସଲ ଉତ୍ପାଦର ଚୋରା ଚାଲାଣ ହୁଅନ୍ତା ନାହିଁ।

ସର୍ବୋପରି ସୂର୍ଯ୍ୟମୁଖୀ ଫସଲ ପାଇଁ କ୍ଷେତ ପରିମାଣ ଓ ଅମଳ ବୃଦ୍ଧି ଦ୍ବାରା ଭାରତ ଅନ୍ୟ ଦେଶରୁ ସୂର୍ଯ୍ୟମୁଖୀ ତେଲ ଆମଦାନିକୁ ହ୍ରାସ କରିପାରିବ। ସମ୍ପ୍ରତି ଦେଶରେ ବାର୍ଷିକ ପ୍ରାୟ ୨୪ ଲକ୍ଷ ଟନ୍‌ ସୂର୍ଯ୍ୟମୁଖୀ ତେଲର ଆବଶ୍ୟକତା ହେଉଛି, ସେଥି ମଧ୍ୟରୁ ୬୦ ପ୍ରତିଶତ ପରିମାଣର ତେଲ ୟୁକ୍ରେନ୍‌, ରୁଷିଆ ଓ ଆର୍ଜେଣ୍ଟିନାରୁ ଆମଦାନି ହେଉଛି। କର୍ଣ୍ଣାଟକ, ତାମିଲନାଡୁ ଓ ଦକ୍ଷିଣ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ସାଧାରଣତଃ ସୂର୍ଯ୍ୟମୂଖୀ ତେଲର ବହୁଳ ବ୍ୟବହାର ଦେଖାଯାଏ। ଯଦି ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ଏକ ଆଇନଗତ ସୁନିଶ୍ଚିତ ଏମ୍‌ଏସ୍‌ପି ରହନ୍ତା, ତେବେ ଦେଶ ଗୋଟିଏ ଗୁଳିରେ ଦୁଇଟି ଶିକାର କରିପାରନ୍ତା। ଏହା ଫସଲର ବିବିଧତାକୁ ତ୍ବରାନ୍ବିତ କରିବା ସହ ତୃତୀୟ ସର୍ବାଧିକ ଖାଇବା ତେଲରେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରନ୍ତା।