କିଛି ଦିନ ତଳେ ଆମେ ପ୍ରଚଣ୍ତ ଗ୍ରୀଷ୍ମପ୍ରବାହ ମଧ୍ୟ ଦେଇ ଗତି କରୁଥିଲେ। ଏବେ ଆଷାଢ଼ ମାସ, କିନ୍ତୁ ଅସହ୍ୟ ଖରା। ଜ୍ୟେଷ୍ଠ ମାସରେ ବହୁ ମାତ୍ରାରେ କାଳ ବୈଶାଖୀ। ଦେଶ ଉତ୍ତପ୍ତ ହୋଇ ଜଳ ଓ ଖାଦ୍ୟ ଉତ୍ପାଦନକୁ ବ୍ୟାହତ କରୁଛି। ଅନେକ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି। ଏକ ଆକଳନ ଅନୁଯାୟୀ ୨୦୦୪ ଠାରୁ ୨୦୨୧ ମଧ୍ୟରେ ତାପମାତ୍ରା ଜନିତ ମୃତ୍ୟୁ ଭାରତରେ ଶତକଡ଼ା ୫୫ ଭାଗ ବୃଦ୍ଧି ପାଇଅଛି। ବିଶ୍ବରେ ଏ ପ୍ରକାର ମୃତ୍ୟୁ ହାର ଶତକଡ଼ା ୬୮ ଭାଗ ବୃଦ୍ଧି ପାଇଅଛି।

Advertisment

ଜଳବାୟୁ ପରିବର୍ତ୍ତନ ବନ୍ୟା ଓ ମରୁଡ଼ିର କାରଣ ହେଉଅଛି। ଏଥିରେ ଦରିଦ୍ର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୁଅନ୍ତି। ଗତ ବର୍ଷର ବନ୍ୟା ପାକିସ୍ତାନ ଆର୍ଥିକ ଅବସ୍ଥାର ମେରୁଦଣ୍ତକୁ ଦୋହଲାଇ ଦେଇଅଛି। ଆମ ଦେଶରେ ବଢ଼ି ଓ ମରୁଡ଼ି ଦ୍ବାରା କୃଷି ଉପରେ ନିର୍ଭର କରୁଥିବା ଶତକଡ଼ା ୬୦ ଭାଗ ଲୋକ କ୍ଷତିଗ୍ରସ୍ତ ହୁଅନ୍ତି। ସେମାନଙ୍କ ମଧ୍ୟରୁ ଅଧିକା˚ଶ ଦରିଦ୍ର ଶ୍ରେଣୀର। ଜଳବାୟୁ ଜନିତ ସମସ୍ୟାର ନିୟନ୍ତ୍ରଣ ଦେଶର ପ୍ରଧାନ ଓ ଜରୁରୀ ସମସ୍ୟା। ଏଥି ସହିତ ଜଳସ˚ପଦର ସୁଚାରୁ ପରିଚାଳନା ଓ ସୁରକ୍ଷା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ।

କୃଷି ଉପରେ ନିର୍ଭରଶୀଳ ବ୍ୟକ୍ତିମାନେ ଦେଶର ମଧୁର ଜଳର ଶତକଡ଼ା ୮୦ ଭାଗ କୃଷି ଉପରେ ଉପଯୋଗ କରନ୍ତି। ଜଳବାୟୁ ପରିବର୍ତ୍ତନ ସେଇମାନଙ୍କୁ ଅଧିକ ପରିମାଣରେ ପ୍ରଭାବିତ କରେ। କୃଷି ନିମନ୍ତେ ପର୍ଯ୍ୟାପ୍ତ ଜଳ, ବୃଷ୍ଟି ବା ଜଳସେଚନ ମାଧ୍ୟମରେ ପ୍ରାପ୍ତ ହେଉ ନଥିବାରୁ କେତେକ ସ୍ଥାନରେ କୃଷକମାନେ ଭୂତଳ ଜଳ ଅଧିକ ବ୍ୟବହାର କରୁଛନ୍ତି। ସହରାଞ୍ଚଳରେ ମଧ୍ୟ ବହୁତଳ ପ୍ରାସାଦ ନିର୍ମାତାମାନେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଫଳତଃ ଭୂତଳ ଜଳ ଅଧିକରୁ ଅଧିକ ନିମ୍ନଗାମୀ ହେଉଛି। ଜଳସ˚ପଦ ଗ୍ରୁପ୍‌ଙ୍କ ଆକଳନ ଅନୁଯାୟୀ ୨୦୬୦ ବେଳକୁ ଆମ ଦେଶ ନିଜ ଆବଶ୍ୟକତାର କେବଳ ଶତକଡ଼ା ୫୦ ଭାଗ ଜଳ ପ୍ରାପ୍ତ ହେବ। ଆମ ଦେଶର କୃଷି ଉତ୍ପାଦନ ଏହା ଫଳରେ ବ୍ୟାପକ ଭାବରେ ବ୍ୟାହତ ହେବ।

ଏହି ସମସ୍ୟାର ସମାଧାନ ନିମନ୍ତେ ସରକାର ବିବିଧ ଯୋଜନାମାନ ପ୍ରଣୟନ କରୁଛନ୍ତି। କୃଷି ଉପରେ ନିର୍ଭରଶୀଳତା ଓ ଅତ୍ୟଧିକ ଜଳ ବ୍ୟବହାର କରୁଥିବା ଚାଷ ଉପରେ ନିର୍ଭରଶୀଳତା ହ୍ରାସ ନିମନ୍ତେ ଉଦ୍ୟମ ଆରମ୍ଭ ହେଲାଣି। ଏ ଜଳ ସମସ୍ୟାର ସମାଧାନ ନିମନ୍ତେ କେତେଗୁଡ଼ିଏ ପନ୍ଥା ଅବଲମ୍ବନ କରିବାକୁ ହେବ। ଆମ ଦେଶରେ ବିରାଟ ଉପକୂଳ ରହିଛି। ସମୁଦ୍ର ଜଳକୁ ବିଶୋଧନ କରି ମଧୁର ଜଳରେ ପରିଣତ କରି ଉପକୂଳ ଅଞ୍ଚଳରେ ବ୍ୟବହାର ନିମନ୍ତେ ଯୋଗାଇ ଦେବାର ବ୍ୟବସ୍ଥା ହେବା ଆବଶ୍ୟକ। ଏହା ଅବଶ୍ୟ ଏକ ବ୍ୟୟସାପେକ୍ଷ ବ୍ୟବସ୍ଥା। କିନ୍ତୁ ଏ ଦିଗରେ ବ୍ୟୟ ଜନହିତକର ଓ ଆବଶ୍ୟକ।

ଦ୍ବିତୀୟରେ ବର୍ଷା ସମୟରେ ବହୁ ପରିମାଣରେ ଜଳ ନଦୀମାନଙ୍କ ପ୍ରବାହରେ ସମୁଦ୍ରକୁ ଚାଲିଯାଉଅଛି। ବର୍ଷା ଜଳକୁ ଅଟକାଇ ରଖି, ସାରା ବର୍ଷ ବ୍ୟବହାର କରିପାରିଲେ ଜଳ ସମସ୍ୟା ବହୁ ପରିମାଣରେ ହ୍ରାସ ପ୍ରାପ୍ତ ହେବ। ଏହା ଏକ ଦୀର୍ଘମିଆଦୀ ବ୍ୟବସ୍ଥା। ଭବିଷ୍ୟତର ବିବାଦକୁ ଆଖି ଆଗରେ ରଖି ଏଥିନିମନ୍ତେ ଯୋଜନା ଆବଶ୍ୟକ। ପୂର୍ବ କାଳରେ ବହୁ ପରିମାଣରେ ପୁଷ୍କରିଣୀ ଥିଲା ଓ ସେଗୁଡ଼ିକ ବର୍ଷା ଜଳକୁ ଧାରଣ କରୁଥିଲେ। ସହରୀକରଣ ପ୍ରକ୍ରିୟା ପରେ, ସହରାଞ୍ଚଳରେ ପୁଷ୍କରିଣୀ ପ୍ରାୟ ଲୋପ ପାଇବାକୁ ବସିଲାଣି। ଗ୍ରାମାଞ୍ଚଳରେ ଥିବା ପୁଷ୍କରିଣୀମାନେ ପାନୀୟ ଜଳ ଯୋଗାଇବାକୁ ଅସମର୍ଥ। ଏହାର କିଛି ବିକଳ୍ପ ସୃଷ୍ଟି କରି ବର୍ଷା ଜଳରୁ ସି˚ହଭାଗ ନିଜ ବ୍ୟବହାର ନିମନ୍ତେ ସାରା ବର୍ଷ ଧରି ରଖିବା ନିହାତି ଆବଶ୍ୟକ।

ବର୍ତ୍ତମାନ ଦେଶରେ ଓ ବିଶେଷତଃ ଆମ ଓଡ଼ିଶାରେ ଶିଳ୍ପୀକରଣର ଯୁଗ ଆରମ୍ଭ ହୋଇଛି। ଶିଳ୍ପମାନେ ନିଜର ଆବଶ୍ୟକ ଠାରୁ ଅଧିକ ଜଳ ନଦୀମାନଙ୍କରୁ ନେଉଛନ୍ତି ଓ ଶିଳ୍ପାଞ୍ଚଳର ଆଖପାଖରେ ନଦୀ ପ୍ରାୟ ଶୁଖିଲା ରହି ଜନସାଧାରଣଙ୍କୁ ବ୍ୟବହାରରୁ ବଞ୍ଚିତ କରୁଛି। ଶିଳ୍ପ ପ୍ରତିଷ୍ଠା ସମୟରେ ସେମାନଙ୍କର ଆବଶ୍ୟକତା ସଠିକ୍‌ ଆକଳନ କରି ସେତିକି ମାତ୍ର ଜଳ ବ୍ୟବହାର ନିମନ୍ତେ ସେମାନଙ୍କୁ ଦିଆଯାଉ ଏବଂ ଶିଳ୍ପମାନେ ନିଜର ଦୂଷିତ ପଦାର୍ଥ ନଦୀକୁ ଛାଡ଼ିବା ବନ୍ଦ କରାଯାଉ। ନଦୀ ଜଳ ଦୂଷିତ କରିବାର ଅଧିକାର କୌଣସି ଶିଳ୍ପର ନାହିଁ। ଏ ସମ୍ବନ୍ଧରେ ଆଇନ ଥିଲେ ମଧ୍ୟ ତା’ର ପ୍ରୟୋଗ ଠିକ୍‌ ଭାବରେ ହେଉନାହିଁ।
ଆମ ଓଡ଼ିଶାର ଧାନ ଚାଷ ହିଁ ମୁଖ୍ୟ ଚାଷ। ଧାନ ଚାଷରେ ଜଳର ଆବଶ୍ୟକତା ଅନ୍ୟ ଚାଷମାନଙ୍କ ଅପେକ୍ଷା ଅଧିକ। ଆମ ଦେଶର ଚାଷର ପ୍ରଣାଳୀ ଓ ଅଭ୍ୟାସର ପରିବର୍ତ୍ତନ ଆବଶ୍ୟକ। ସ୍ବଳ୍ପ ଜଳ ଆବଶ୍ୟକ କରୁଥିବା ଫସଲ ଅଧିକା ଚାଷ କରିବା ଆବଶ୍ୟକ। ତାହା ଲାଭଜନକ ମଧ୍ୟ ହେବ। ଜନସାଧାରଣ ଏଥିନିମନ୍ତେ ନିଜର ଖାଦ୍ୟାହାର ପରିବର୍ତ୍ତନ କରିବା ଆବଶ୍ୟକ ପଡ଼ିବ। ବର୍ତ୍ତମାନ ବାଜରା ଜାତୀୟ ଖାଦ୍ୟ ଉତ୍ପାଦନ ଓ ତା’ର ପ୍ରକ୍ରିୟାକରଣ ବୃଦ୍ଧି ଉପରେ କେନ୍ଦ୍ର ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏ ଦିଗରେ ଉଦ୍ୟମ ହେବା ଆବଶ୍ୟକ।

ସର୍ବଶେଷରେ ଅଧିକ ବୃକ୍ଷ ରୋପଣ ଓ ଜଙ୍ଗଲ ପରିସୀମା ବୃଦ୍ଧି ଏକ ନିଛକ ଆବଶ୍ୟକତା। ଅଧିକ ଜଙ୍ଗଲ ହେଲେ ଅଳ୍ପ କିଛି ଅଧିକା ବର୍ଷା ହେବ ଓ ଅଧିକ ବୃକ୍ଷ ରୋପଣ ଅମ୍ଳଜାନ ପ୍ରଦାନରେ ସହାୟକ ହେବ। ପ୍ରସ୍ତାବଗୁଡ଼ିକ ଅନେକ ଦୀର୍ଘମିଆଦୀ ଓ ବ୍ୟୟସାପେକ୍ଷ, କିନ୍ତୁ ଭବିଷ୍ୟତର ସମସ୍ୟାକୁ ଦୃଷ୍ଟିରେ ଏ ଦିଗରେ ଏ ଦିନୁ ଧ୍ୟାନ ଦେବା ଉଚିତ। ନଚେତ ନେଡ଼ି ଗୁଡ଼ କହୁଣୀକି ବୋହିଯିବା ଭଳି ଅବସ୍ଥା ଉପୁଜିବ।
ମୋ: ୯୯୩୭୪୨୨୫୨୧