ପୂର୍ବ ଭଳି କରି ଦିଅନ୍ତୁ

ଗୋଟିଏ ଗାଁରେ ଉଭା ହେଲେ ଜଣେ ଦେବପୁରୁଷ। ସେ ଗାଁ ଲୋକଙ୍କୁ କହିଲେ- ବାବୁମାନେ, ଯାହା ପାଇଲେ ମନ ଖୁସି ହେବ ବୋଲି ଭାବୁଛ, ତାହା ମୋ’ ଠାରୁ ମାଗି ଦିଅ।
ଏହା ଶୁଣି ସମସ୍ତେ ଉତ୍‌ଫୁଲ୍ଲିତ ହୋଇ ମାଗି ଚାଲିଲେ। ସମସ୍ତଙ୍କ ମୁହଁରୁ ଟଙ୍କା, ସୁନା, ଘର-ବାଡ଼ି, ଜାଗା-ଜମି, ସୁନ୍ଦରୀ ପତ୍ନୀ ଛଡ଼ା ଆଉ କିଛି ଶୁଭୁ ନ ଥିଲା। ଦେବପୁରୁଷ ସମସ୍ତଙ୍କୁ ତଥାସ୍ତୁ ବୋଲି କହୁଥିଲେ ଏବ˚ ତତ୍‌କ୍ଷଣାତ୍‌ ବର ଫଳି ଯାଉଥିଲା। ଗାଁର ସବୁ ଲୋକ ମାଗି ସାରିଲା ପରେ ଦେବପୁରୁଷ ଗାଁ ଛାଡ଼ି କୁଆଡ଼େ ଚାଲିଗଲେ।

କିଛି ବର୍ଷ ପରେ ସେଇ ଗାଁରେ ପୁଣି ଥରେ ଦେବପୁରୁଷ ଉଭା ହେଲେ। ଏବେ ଗାଁରେ ଶୋଭା ପାଉଥିଲା ଉଚ୍ଚ ଉଚ୍ଚ ଅଟ୍ଟାଳିକା, ସୁନ୍ଦର ରାସ୍ତା-ଘାଟ। ଗାଁଟି ଅସମ୍ଭବ ଭାବେ ସମୃଦ୍ଧ ଦିଶୁଥିଲା। କିନ୍ତୁ ଗାଁ ଲୋକଙ୍କ ମୁହଁ ବିରସ ଦିଶୁଥିଲା। ଦେବପୁରୁଷ ସେମାନଙ୍କୁ ପଚାରିଲେ- କ’ଣ ହେଲା? କାହିଁକି ସମସ୍ତେ ଏଡ଼େ ଉଦାସ? ତୁମେମାନେ ତ ଖୁସିରେ ରହିବା ଲାଗି ଯାହା ଚାହୁଁଥିଲ ପାଇଲ! ଏବେ ପୁଣି ସମସ୍ୟା ‌େକଉଁଠି?
ଲୋକଙ୍କ ଉତ୍ତର ଥିଲା- ମହାତ୍ମା, ସବୁ କିଛି ପାଇଗଲା ପରେ ଆଉ କିଛି ଅପ୍ରାପ୍ତ ରହିଲା ନାହିଁ। ଆମେ ସମସ୍ତେ ସମାନ ହୋଇଗଲୁ। ଜୀବନରେ କିଛି କରିବାର ସ୍ପୃହା ରହିଲା ନାହିଁ। ଜିଣିବାର କ୍ଷଣ ଆସିଲା ନାହିଁ। ଜୀବନ ଏମିତି ରସହୀନ ହୋଇଯିବ ବୋଲି ଆମେ ଭାବୁ ନ ଥିଲୁ।

ସେମାନଙ୍କ ଭିତରୁ ବୁଦ୍ଧିଆ ଲୋକଟି କହିଲା- ପ୍ରକୃତରେ ଭଗବାନଙ୍କ ସୃଷ୍ଟିରେ ରହିଥିବା ତାରତମ୍ୟ ହିଁ ବଞ୍ଚିବାର ସ୍ପୃହା ଯୋଗାଇଥାଏ। ଦୁଃଖ ସହିତ ପୁଲକ, ରୋମାଞ୍ଚ, ଆନନ୍ଦ ବି ଯୋଗାଇ ଥାଏ। ତେଣୁ ଆମକୁ ପୂର୍ବ ଭଳି କରି ଦିଅନ୍ତୁ। ଆମେ ସେମିତି ଜିଇବୁ।

ସମ୍ବନ୍ଧିତ ଖବର