କଥିତ ଅଛି ଯେ ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଇ˚ରେଜୀ ‘ଷ୍ଟେଟ୍ସମ୍ୟାନ’, ଆବିଷ୍କାରକ ଓ ଲେଖକ ସାର୍ ଵାଲଟର ରାଲେ ମହାରାଣୀ ଏଲିଜାବେଥଙ୍କ ଅତ୍ୟନ୍ତ ପ୍ରିୟଭାଜନ ହୋଇ ତାଙ୍କର ଅନ୍ୟତମ ସର୍ବାଧିକ ଅନ୍ତରଙ୍ଗ ‘ପାଖ ଲୋକ’ରେ ପରିଣତ ହୋଇ ପାରିଥିବାରୁ ଥରେ ରାଲେଙ୍କ କନ୍ୟା ଖୁସି ପ୍ରକଟ କରି ପିତାଙ୍କୁ ଅତ୍ୟନ୍ତ ଭାଗ୍ୟବାନ ବୋଲି କହନ୍ତେ, ରାଲେ ତାକୁ ସତର୍କ କରାଇ ଦେଇ ଯାହା କହିଥିଲେ, ତାହା ହେଲା: ଝିଅ, ଉଦ୍ୟାନରେ ବୁଲୁଥିବା ବେଳେ ଯେଉଁ ରାଣୀଙ୍କ ହସ୍ତ ମୋ କାନ୍ଧ ଉପରେ ଭରା ଦେଇଥାଏ, ସେହି ହସ୍ତ ଅକସ୍ମାତ୍ ମୋ ମସ୍ତକକୁ ସ୍କନ୍ଧଚ୍ୟୁତ ମଧୢ କରି ଦେଇପାରେ! କହିବା ଅନାବଶ୍ୟକ ଯେ ରାଲେ ସୁଲଭ ଏଭଳି ଅନ୍ତର୍ଦୃଷ୍ଟି ପ୍ରାୟତଃ କୌଣସି କ୍ଷମତାଶାଳୀ ବ୍ୟକ୍ତିଙ୍କ ‘ପାଖ ଲୋକ’ମାନଙ୍କ ଠାରେ ପରିଦୃଷ୍ଟ ହୋଇ ନ ଥାଏ; ଯେଉଁ କାରଣରୁ ମହିମାର ଆଲୋକରେ ଉଦ୍ଭାସିତ ହେଉଥିବା ଏହି ‘ପାଖ ଲୋକ’ମାନେ ଯେ ଭବିଷ୍ୟତ୍ରେ କେବେ ଅନ୍ଧକାର ମଧୢକୁ ନିକ୍ଷେପିତ ହୋଇପାରନ୍ତି; ତାହା ପୂର୍ବାନୁମାନ କରି ପାରି ନ ଥାଆନ୍ତି।
ଉଲ୍ଲେଖଯୋଗ୍ୟ ଯେ ଵାଲଟର ରାଲେଙ୍କ ସହିତ ତାହା ହିଁ ଘଟିଥିଲା; ଘଟଣା ଚକ୍ରରେ ସେ ମହାରାଣୀଙ୍କ ଶୁଭ ଦୃଷ୍ଟିରୁ ବହିଷ୍କୃତ ହେବା ସହିତ ‘ଟାଵାର ଅଫ୍ ଲଣ୍ତନ’ରେ କିଛି କାଳ ବନ୍ଦୀ ରହିବା ପରେ ଏକ ଅପା˚କ୍ତେୟର ଜୀବନ କାଟିଥିଲେ ଏବ˚ ପରିଶେଷରେ ଶିରଚ୍ଛେଦ ଦଣ୍ତାଦେଶ ସହିତ ତାଙ୍କ ଜୀବନର ସମାପ୍ତି ଘଟିଥିଲା। ପ୍ରଶ୍ନ ହୋଇପାରେ ରାଲେଙ୍କ ପ୍ରସଙ୍ଗ ଏଠାରେ କାହିଁକି? ଏହାର କାରଣ ଗଲା ୨୬ ତାରିଖରେ ଗୁଲାମ ନବୀ ଆଜାଦଙ୍କ ଦ୍ବାରା କ˚ଗ୍ରେସ ପରିତ୍ୟାଗ ଏବ˚ ସେହି ସ˚ଦର୍ଭରେ କ˚ଗ୍ରେସ ଅଧୢକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ଲେଖିଥିବା ଏକ ପାଞ୍ଚ ପୃଷ୍ଠା ସମ୍ବଳିତ ପତ୍ର; ଯହିଁରେ ବ୍ୟକ୍ତ ହୋଇଥିବା କ୍ଷୋଭ ଏବ˚ ଅଭିମାନରୁ ଏକଦା ସୋନିଆ ଗାନ୍ଧୀଙ୍କ ଅତ୍ୟନ୍ତ ‘ପାଖ ଲୋକ’ ରୂପେ ପରିଚିତ ଆଜାଦଙ୍କ ଗଭୀର ମର୍ମଦାହ ଅନୁଭବ କରି ହୋଇଥାଏ ଏବ˚ ରାଲେଙ୍କ ଅନ୍ତର୍ଦୃଷ୍ଟିକୁ ସ୍ମରଣକୁ ଆଣିଥାଏ।
ଗୁଲାମ ନବୀ ଆଜାଦଙ୍କ ପତ୍ରରେ ରହିଥିବା ଦୁଇ ମୁଖ୍ୟ ବିନ୍ଦୁ ମଧୢରୁ ଗୋଟିଏ କହିଥାଏ ଯେ ଅଭିଜ୍ଞ କ˚ଗ୍ରେସୀଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିଚାରବିମର୍ଶ ପ୍ରସୂତ ନିଷ୍ପତ୍ତି କ˚ଗ୍ରେସକୁ ୨୦୦୪ ଏବ˚ ୨୦୦୯ ମସିହାରେ ଦୁଇ ଦୁଇ ଥର ନିର୍ବାଚନୀ ସଫଳତା ପ୍ରଦାନ କରିଥିବା ସତ୍ତ୍ବେ ସା˚ପ୍ରତିକ କ˚ଗ୍ରେସରେ ସେହି ପର˚ପରା ପରିଦୃଷ୍ଟ ହେଉନାହିଁ। ବର୍ତ୍ତମାନ କ˚ଗ୍ରେସର ଉପାଧୢକ୍ଷ ରାହୁଳ ଗାନ୍ଧୀଙ୍କୁ ବେଢ଼ି ‘ପାଖ ଲୋକ’ଙ୍କ ଏକ ନୂଆ ବଳୟ ବା ‘କୋଟେରି’ର ଆବିର୍ଭାବ ଘଟିଛି, ଯେଉଁ ସ୍ଥିତିରେ ଅଭିଜ୍ଞ କ˚ଗ୍ରେସୀ ଏବ˚ ସେମାନଙ୍କ ବିଦଗ୍ଧ ପରାମର୍ଶମାନ ଅଲୋଡ଼ା ହୋଇ ପଡ଼ିଛନ୍ତି। ଗୁଲାମ ନବୀଙ୍କ ମତରେ ଏହା ହେଉଛି କ˚ଗ୍ରେସର ବିପର୍ଯ୍ୟୟରେ ନିହିତ ଥିବା ମୁଖ୍ୟ କାରଣ। ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବିନ୍ଦୁରେ ସେ ରାହୁଳ ଗାନ୍ଧୀଙ୍କ ରାଜନୈତିକ ଅପରିପକ୍ବତାକୁ ତର୍କ-ସିଦ୍ଧ କରିବା ଲାଗି ୨୦୧୩ ମସିହା ସେପ୍ଟେମ୍ବର ମାସର ସେହି ଆଲୋଡ଼ନ ସୃଷ୍ଟିକାରୀ ଘଟଣାର ଅବତାରଣା କରିଛନ୍ତି, ଯହିଁରେ ଦେଖିବାକୁ ମିଳିଥିଲା ଯେ ଏକ ନୂଆ ‘ଅର୍ଡିନାନ୍ସ’ ଜାରି କରାଯିବା ସ˚ଦର୍ଭରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସି˚ହ ଓ ତାଙ୍କ କ୍ୟାବିନେଟ୍ ସଦସ୍ୟଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ସେହି ସମୟର କ˚ଗ୍ରେସ ଉପାଧୢକ୍ଷ ରାହୁଳ ଗାନ୍ଧୀ ଝଡ଼ ଭଳି ପ୍ରବେଶ କରି ଅର୍ଡିନାନ୍ସକୁ ‘ନିର୍ବୋଧ’ ବୋଲି ଆଖ୍ୟା ଦେଇ ତାହାକୁ ଚିରି ଫିଙ୍ଗି ଦିଆଯିବା ଉଚିତ ବୋଲି ସଜୋରେ ମତ ବ୍ୟକ୍ତ କରିଥିଲେ।
କହିବା ବାହୁଲ୍ୟ, ଏହା ୟୁପିଏ ସରକାର ସକାଶେ ଏକ ଘୋର ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା। ଶ˚ସିତ ପତ୍ରରେ ଗୁଲାମ ନବୀ କହିଛନ୍ତି ଯେ ରାହୁଳ ଗାନ୍ଧୀଙ୍କ ଏତାଦୃଶ କାର୍ଯ୍ୟ କ˚ଗ୍ରେସର ବିପର୍ଯ୍ୟୟ ସକାଶେ ପଥ ଉନ୍ମୁକ୍ତ କରିଛି। କହିବାରେ ଦ୍ବିଧା ନାହିଁ ଯେ ଗୁଲାମ ନବୀଙ୍କ ଅଭିଯୋଗ ଯଥାର୍ଥ; କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ସେହି ସମୟରେ ଗୁଲାମ ନବୀଙ୍କ ମୁଖରୁ କାହିଁକି ଅସନ୍ତୋଷ ବା ପ୍ରତିବାଦର ସ୍ବର ଉଚ୍ଚାରିତ ହୋଇ ନ ଥିଲା? ଏହାର ଉତ୍ତର ମଧୢ ସ୍ପଷ୍ଟ। ସେହି ସମୟରେ ଗୁଲାମ ନବୀ ଥିଲେ ସୋନିଆ ଗାନ୍ଧୀ ବା ଗାନ୍ଧୀ ପରିବାରର ବିଶ୍ବସ୍ତତମ ବ୍ୟକ୍ତିମାନଙ୍କ ମଧୢରୁ ଅନ୍ୟତମ, ଯେଉଁମାନେ ସେହି ସମୟରେ କ˚ଗ୍ରେସ କ୍ଷମତା କେନ୍ଦ୍ରକୁ ଘେରି ଏକ ଦୁର୍ଭେଦ୍ୟ ‘କୋଟେରି’ ସ˚ରଚନା କରିଥିଲେ। ଏହାର ଅର୍ଥ, ଦୁର୍ଭେଦ୍ୟ ‘କୋଟେରି’ ଦ୍ବାରା ଦଳ ମଧୢରେ ପ୍ରଭାବ ବିସ୍ତାରର ଧାରା ଅବ୍ୟାହତ ରହିଛି; କେବଳ ଯେଉଁ ପ୍ରଭେଦଟି ଘଟିଛି, ତାହା ହେଲା ବର୍ତ୍ତମାନର ନୂତନ ‘କୋଟେରି’ରେ ଗୁଲାମ ନବୀ ଏବ˚ ତାଙ୍କ ସମଧର୍ମାମାନେ ଅସ୍ପୃଶ୍ୟ ହୋଇ ପଡ଼ିଛନ୍ତି, ଯାହା ତାଙ୍କ କ୍ଷୋଭ ବା ମର୍ମଦାହର କାରଣ।
ଏହା ଅବଶ୍ୟ ସତ ଯେ କତିପୟ ବରିଷ୍ଠ କ˚ଗ୍ରେସ ନେତାଙ୍କ ପରେ ଗୁଲାମ ନବୀଙ୍କ ଦ୍ବାରା କ˚ଗ୍ରେସ ପରିତ୍ୟାଗ ଏକ ଜନ ଧାରଣା ସୃଷ୍ଟି କଲାଣି ଯେ ଯେ କ˚ଗ୍ରେସ ନୌକା ଏବେ ସଲିଳ ସମାଧି ଲାଭ କରିବାର ଦୁର୍ବିଷହ ମୁହୂର୍ତ୍ତରେ ଉପନୀତ। ପ୍ରକାଶ ଥାଉ କି ଗୁଲାମ ନବୀ ଆଜାଦ ଦୀର୍ଘ ଅର୍ଧ ଶତାବ୍ଦୀ ଧରି ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଭାବେ କ˚ଗ୍ରେସ ସହିତ ସ˚ଶ୍ଳିଷ୍ଟ ଥିଲେ ଏବ˚ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଡକ୍ଟର ମନମୋହନ ସି˚ହଙ୍କ ପର୍ଯ୍ୟନ୍ତ ଚାରି ଜଣ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ପଦ ଧାରଣ କରିଥିଲେ। ଏହା ବ୍ୟତୀତ ସେ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ରୂପେ ତିନି ବର୍ଷ କାଳ ଦାୟିତ୍ବ ନିର୍ବାହ କରିଥିଲେ। ସେ ଥିଲେ କ˚ଗ୍ରେସର ‘କାଶ୍ମୀର ଚେହେରା’।
କିନ୍ତୁ ଏହା ମଧୢ ଏକ ବାସ୍ତବତା ଯେ ତାଙ୍କ ସୁଦୀର୍ଘ ରାଜନୈତିକ କ୍ୟାରିଅର ସତ୍ତ୍ବେ ସେ କାଶ୍ମୀରରେ ବିଶାଳ ଜନାଧାର ସୃଷ୍ଟି କରି ପାରିନାହାନ୍ତି। ପ୍ରକାଶ ଥାଉ କି ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ରୂପେ କ୍ଷମତାସୀନ ହେବା ପରେ ଯାଇ ସେ ସେଠାରେ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିଲେ; ଏବ˚ ଅଷ୍ଟମ ଦଶକରେ ଯେଉଁ ଦୁଇ ଥର ସେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି, ସେହି ଦୁଇ ଥର ଯାକ ତାଙ୍କ ସ˚ସଦୀୟ କ୍ଷେତ୍ର ଥିଲା ମହାରାଷ୍ଟ୍ରର ଵାସିମ୍। ଏଭଳି ଏକ ସ୍ଥିତିରେ ତାଙ୍କ ପ୍ରସ୍ଥାନ ଦ୍ବାରା ଯେ କ˚ଗ୍ରେସର ଜନ ସମର୍ଥନରେ ବିଶେଷ କ୍ଷୟ ଘଟିନାହିଁ; ଏହା କହିବା ଅନାବଶ୍ୟକ। ବର˚, ତେସ୍ତରି ବର୍ଷ ବୟସ୍କ ଗୁଲାମ ନବୀଙ୍କ ଲାଗି ଭବିଷ୍ୟତ୍ ଅନିଶ୍ଚିତ ହୋଇ ପଡ଼ିଛି। କାରଣ ବିଶେଷ ଜନାଧାର ସୃଷ୍ଟି କରି ପାରି ନ ଥିବା ଏହି ବର୍ଷୀୟାନ ନେତାଙ୍କ ଲାଗି ଏକ ନୂତନ ଦଳ ଗଠନର ପ୍ରୟାସ ଏକ ପର୍ବତତୁଲ୍ୟ ଆହ୍ବାନ।
ଅବଶ୍ୟ, ଗୁଲାମ ନବୀ ଆଜାଦ ରାଜ୍ୟସଭାରୁ ଅବସର ନେବା ସମୟରେ ତାଙ୍କୁ ବିଦାୟ ଜ୍ଞାପନ କରି ପ୍ରଧାନମନ୍ତ୍ରୀଙ୍କ ଲୋତକଭରା ଅଭିଭାଷଣରୁ ଅନେକ ଅନୁମାନ କରନ୍ତି ଯେ ଏହା ପରେ ଗୁଲାମ ନବୀଙ୍କ ହୃଦୟରେ ମୋଦୀ ଅନୁରକ୍ତିର ଏକ ଝର ସୃଷ୍ଟି ହୋଇ ତାଙ୍କୁ ବିଜେପି ମୁହାଁ କରିପାରେ। କିନ୍ତୁ ପ୍ରଶ୍ନ ହେଲା, କ˚ଗ୍ରେସ ତ୍ୟାଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ତୁଲ୍ୟ ସେ ବିଜେପିର କେନ୍ଦ୍ର ଭାଗରେ ରହିବାର ସୁଯୋଗ ଲାଭ କରିବେ ନା ଆଉ ଜଣେ କ˚ଗ୍ରେସ ରୁଷ୍ଟ ଆର୍.ପି.ଏନ୍. ସି˚ହଙ୍କ ଭଳି ବିଜେପିରେ ଅପା˚କ୍ତେୟ ହୋଇ ରହିଯିିବେ?
ଏଥିରେ ସନ୍ଦେହର ଅବକାଶ ନାହିଁ ଯେ ସେହି ପତ୍ରରେ ଦଳ ସ˚ପର୍କରେ ଗୁଲାମ ନବୀଙ୍କ ବକ୍ତବ୍ୟ ସ˚ପୂର୍ଣ୍ଣ ଯଥାର୍ଥ ଏବ˚ ସ˚ପ୍ରତି କ˚ଗ୍ରେସ ତାର ସୁଦୀର୍ଘ ଇତିହାସରେ ସର୍ବାଧିକ ସ˚କଟମୟ କ୍ଷଣ ଦେଇ ଗତି କରୁଛି। ଏପରି କି କ˚ଗ୍ରେସର ଆସନ୍ନ ବିଲୟ ନେଇ ଅନେକ ରାଜନୈତିକ ବିଶେଷଜ୍ଞ ଶୋକ ଲେଖମାନ ଲେଖିଲେଣି। ଏଣେ, ଏକ ଅପସୃୟମାନ କ˚ଗ୍ରେସ ଦ୍ବାରା ସୃଷ୍ଟ ଶୂନ୍ୟସ୍ଥାନ ପୂରଣ କରିବାକୁ ଅରବିନ୍ଦ କେଜ୍ରିଵାଲଙ୍କ ନେତୃତ୍ବରେ ‘ଆମ ଆଦ୍ମୀ ପାର୍ଟି’ ଉଦ୍ୟତ। ଏଭଳି ସ୍ଥଳେ ଅଧିକା˚ଶ ଏକମତ ଯେ ଯଦି ‘ଗାନ୍ଧୀ’ ପରିବାରବାଦ କବଳରୁ କ˚ଗ୍ରେସ ମୁକ୍ତ ନ ହୁଏ, ତେବେ ତାର ଅସ୍ତିତ୍ବ ସ˚କଟ ଉତ୍କଟତର ହୋଇ ଚାଲିବ। କିନ୍ତୁ ଆଉ ଏକ ବିଡ଼ମ୍ବିତ ସତ୍ୟ ହେଉଛି, ଗାନ୍ଧୀ ପରିବାରର ନେତୃତ୍ବରୁ ମୁକ୍ତି ଚାହୁଁଥିବା ଦଳୀୟ ସଦସ୍ୟଙ୍କ ସ˚ଖ୍ୟା ଅତ୍ୟନ୍ତ ନଗଣ୍ୟ ଏବ˚ ସେହି ମୁଷ୍ଟିମେୟମାନେ ଗୁଲାମ ନବୀଙ୍କ ଭଳି ଜନାଧାରଶୂନ୍ୟ। ସୁତରା˚, ଏହା ସ୍ପଷ୍ଟ ଯେ କେବଳ ‘ଗାନ୍ଧୀ’ମାନେ ଇଚ୍ଛା କଲେ ଯାଇ କ˚ଗ୍ରେସ ଗାନ୍ଧୀ ମୁକ୍ତ ହୋଇପାରିବ। କିନ୍ତୁ କ˚ଗ୍ରେସର ବିଚିତ୍ର ସ୍ଥିତି ହେଲା ଦଳୀୟ ନେତୃତ୍ବରୁ ‘ଗାନ୍ଧୀ’ମାନେ ଅପସରି ଗଲେ ଦଳ ଏକ କକ୍ଷଚ୍ୟୁତ ଗ୍ରହ ଭଳି ଉଦ୍ଭ୍ରାନ୍ତ ହୋଇ ଘୂରି ବୁଲିବ। ତେଣୁ ଏକ ପରମ ସତ୍ୟ ହେଲା ଗାନ୍ଧୀ ପରିବାରର ଅସ୍ତିତ୍ବ ଥିବା ଯାଏ ତାହା କ˚ଗ୍ରେସର ଶୀର୍ଷରେ ହିଁ ରହିବ। କେବଳ ଗୁଲାମ ନବୀଙ୍କ ଭଳି ‘ପାଖ ଲୋକ’ମାନେ ଯାହା ବଦଳି ଚାଲିଥିବେ। ଏ କଥା ସମସ୍ତଙ୍କର ଶୀଘ୍ର ହୃଦ୍ବୋଧ ହୋଇଯିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/editorial.jpg)