ଦେଶରେ ଏକ ‘ସମାନ ନାଗରିକ ସ˚ହିତା’ ପ୍ରଣୟନ ନିମିତ୍ତ କେନ୍ଦ୍ର ସରକାର ଆରମ୍ଭ କରିଥିବା ଉଦ୍ୟମକୁ କେନ୍ଦ୍ର କରି ଦେଶର ରାଜନୈତିକ ଦଳମାନଙ୍କ ମଧ୍ୟରେ ଘୋର ଆଲୋଡ଼ନ ସୃଷ୍ଟି ହେବା ଦେଖାଯାଇଛି। କେତେକ ଦଳ ଏହି ଉଦ୍ୟମ ପ୍ରତି ଅନୁକୂଳ ମନୋଭାବ ପ୍ରକାଶ କରିଥିବା ବେଳେ ଅନ୍ୟ କେତେକ ଦଳ ଏଥିପ୍ରତି ବିରୋଧ ପ୍ରକଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏଥି ପ୍ରତି ଦେଶର ଜନସାଧାରଣଙ୍କର ମନୋଭାବ କ’ଣ ତାହା ଜାଣିବା ନିମିତ୍ତ ଏକ ପ୍ରମୁଖ ନିଉଜ୍‌ ଚାନେଲ୍‌ ଏକ ପ୍ରତିଷ୍ଠିତ ସର୍ବେକ୍ଷଣ ସ˚ସ୍ଥା ଦ୍ବାରା ଏକ ଦେଶବ୍ୟାପୀ ସର୍ବେକ୍ଷଣ କରାଇଥିଲା। ସୋମବାର ଦିନ ଏହି ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁସାରେ ‘ସମାନ ନାଗରିକ ସ˚ହିତା’ (‘ୟୁସିସି’) ପ୍ରଣୟନ ଉଦ୍ୟମ ପ୍ରତି କେତେକ ବିରୋଧୀ ଦଳ ବିରୋଧ ପ୍ରଦର୍ଶନ କରିବାକୁ ନାପସନ୍ଦ କରିଛନ୍ତି ସ˚ଖ୍ୟାଗରିଷ୍ଠ ୫୩ ଶତା˚ଶ ଉତ୍ତରଦାତା ଓ ପସନ୍ଦ କରିଛନ୍ତି ସ˚ଖ୍ୟାଲଘୁ ୩୬ ଶତା˚ଶ ଉତ୍ତରଦାତା। ଏହାର ଅର୍ଥ ଦେଶରେ ଏକ ‘ସମାନ ନାଗରିକ ସ˚ହିତା’ ପ୍ରଣୟନ ପ୍ରସ୍ତାବ ପ୍ରତି ସ˚ଖ୍ୟାଗରିଷ୍ଠ ଜନସମର୍ଥନ ରହିଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ‘ସମାନ ନାଗରିକ ସ˚ହିତା’ ପ୍ରତି ପ୍ରତର୍ଶିତ ଏହି ସ˚ଖ୍ୟାଗରିଷ୍ଠ ଜନସମର୍ଥନ ଦେଶର ସମ୍ବିଧାନରେ ନିହିତ ଥିବା ଏ ସମ୍ପର୍କିତ ନିର୍ଦ୍ଦେଶର ପ୍ରତିନିଧିତ୍ବ କରିବା ଭଳି ମନେ ହୋଇଥାଏ। ସମ୍ବିଧାନର ଚତୁର୍ଥ ଭାଗ ସ୍ଥିତ ଧାରା-୪୪ରେ କୁହାଯାଇଛି ‘‘ଭାରତର ସମଗ୍ର ଅଞ୍ଚଳରେ ନାଗରିକମାନଙ୍କ ପାଇଁ ଏକ ସମାନ ନାଗରିକ ସ˚ହିତା ନିଶ୍ଚିତ କରିବା ନିମିତ୍ତ ରାଷ୍ଟ୍ର ଉଦ୍ୟମ କରିବା ଉଚିତ।’’ ଅବଶ୍ୟ ସମ୍ବିଧାନର ଚତୁର୍ଥ ଭାଗ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅନୁସରଣ କରିବା ନିମିତ୍ତ ରାଷ୍ଟ୍ର ପ୍ରତି ଉଦ୍ଦିଷ୍ଟ କେତେକ ଆଦର୍ଶ ନିୟମ ବହନ କରିଥାଏ, ଯାହା ‘ଡିରେକ୍ଟିଭ୍‌ ପ୍ରିନ୍‌ସିପ୍ଲସ୍‌ ଅଫ୍‌ ଷ୍ଟେଟ୍‌ ପଲିସି’ ରୂପେ ସୁପରିଚିତ। ଏହା ମଧ୍ୟ ସୁବିଦିତ ଯେ ଏହାକୁ କାର୍ଯ୍ୟକାରୀ କରିବା ନିମିତ୍ତ ସରକାର ଆଇନଗତ ଭାବରେ ବାଧ୍ୟ ହୋଇ ନଥାନ୍ତି ଓ ସରକାରଙ୍କୁ ଏଥିପାଇଁ ବାଧ୍ୟ କରିବାକୁ କେହି ଅଦାଲତର ଦ୍ବାରସ୍ଥ ହୋଇ ପାରିବ ନାହିଁ, କାରଣ ଏହା ହେଉଛି ଅଦାଲତର କ୍ଷମତା ପରିସର ବହିର୍ଭୁକ୍ତ ଏକ ସାମ୍ବିଧାନିକ ନିର୍ଦ୍ଦେଶ।

ତେବେ ଅତୀତରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ଏହି ନିର୍ଦ୍ଦେଶକୁ ଏକ ଦିଗ୍‌ଦର୍ଶକ ରୂପେ ଗ୍ରହଣ କରି ଏ ସମ୍ପର୍କରେ ନିଜର ଅନୁକୂଳ ମତ ସୁସ୍ପଷ୍ଟ କରିବା ଦେଖାଯାଇଛି। ଉଦାହରଣ ସ୍ବରୂପ ୧୯୮୫ରେ ପ୍ରସିଦ୍ଧ ଶାହ ବାନୋ ମାମଲାର ବିଚାର ସମୟରେ ଦେଶରେ ଏକ ‘ସାଧାରଣ ନାଗରିକ ସ˚ହିତା’ ପ୍ରଣୟନ ନିମିତ୍ତ ସୁପ୍ରିମ୍‌ କୋର୍ଟ ଆହ୍ବାନ ଦେଇଥିବା ବେଳେ ଏହାର ଦଶ ବର୍ଷ ପରେ ୧୯୯୫ରେ ସରଳା ମୁଦ୍‌ଗଲ୍‌ ମାମଲାରେ ରାୟ ପ୍ରଦାନ କରି ସେଇ ସର୍ବୋଚ୍ଚ ଅଦାଲତ ଏହି ଆହ୍ବାନକୁ ପୁଣି ଦୋହରାଇଥିଲେ। ସରଳା ମୁଦ୍‌ଗଲ୍‌ ରାୟରେ ସୁପ୍ରିମ୍‌ କୋର୍ଟ ଏହା କହିବାକୁ ମଧ୍ୟ ପଛାଇ ନ ଥିଲେ ‘‘ଯେତେବେଳେ ନେତାମାନଙ୍କ ମଧ୍ୟରୁ ଏପରି ଜଣେ ରାଷ୍ଟ୍ରନେତାଙ୍କର ଆବିର୍ଭାବ ଘଟିବ ଯିଏ ବ୍ୟକ୍ତିଗତ ଲାଭକ୍ଷତି ଊର୍ଦ୍ଧ୍ବକୁ ଉଠି ପରିବର୍ତ୍ତନକୁ ଗ୍ରହଣ କରିବା ନିମିତ୍ତ ଜନସାଧାରଣଙ୍କୁ ଜାଗ୍ରତ କରି ପାରିବେ,’’ ସେତେବେଳେ ଯାଇ ଏକ ସମାନ ନାଗରିକ ସ˚ହିତା ବାସ୍ତବତାରେ ପରିଣତ ହେବ। ଉପରୋକ୍ତ ସର୍ବେକ୍ଷଣର ଫଳାଫଳରୁ ମନେହୁଏ ସର୍ବୋଚ୍ଚ ଅଦାଲତ ଆଶା କରିଥିବା ଭଳି ଦେଶର ଜନସାଧାରଣ ବର୍ତ୍ତମାନ ଏକ ସମାନ ନାଗରିକ ସ˚ହିତା ପାଇବା ପାଇଁ ଜାଗ୍ରତ ହୋଇଛନ୍ତି।

ତେବେ କେତେକ ରାଜନୈତିକ ଦଳ ଏକ ସମାନ ନାଗରିକ ସ˚ହିତାର ଆବିର୍ଭାବକୁ ତଥାପି ବିରୋଧ କରୁଛନ୍ତି କାହିଁକି? ବର୍ତ୍ତମାନ ବିବାହ, ବିବାହ ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ, ଉତ୍ତରାଧିକାର, ତତ୍ତ୍ବାବଧାନ ଆଦି ନିୟନ୍ତ୍ରଣ ନିମିତ୍ତ କେତେକ ଧର୍ମ ନିଜ ନିଜର ବ୍ୟକ୍ତିଗତ ଆଇନ ଅନୁସରଣ କରିଥାନ୍ତି। ଏକ ‘ସମାନ ଆଚରଣ ସ˚ହିତା’ ବଳବତ୍ତର ହେଲେ ଏ ସମସ୍ତ ବ୍ୟାପାରରେ ତାହା ଉପରୋକ୍ତ ବ୍ୟକ୍ତିଗତ ଧର୍ମୀୟ ଆଇନମାନଙ୍କୁ ଅସିଦ୍ଧ କରି ଏକ ଏକକ ଆଇନ ରୂପେ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତି ଲାଗୁ ହେବ। ଯଦି ଏକ ‘ୟୁସିସି’ କାର୍ଯ୍ୟକାରୀ ହୁଏ ଏହା ପ୍ରତ୍ୟେକ ନାଗରିକ ପାଇଁ ଏକ ସମାନ ସର୍ବନିମ୍ନ ବିବାହ ବୟସ ଲାଗୁ କରିବ, ବହୁପତ୍ନୀ ଗ୍ରହଣ ନିଷିଦ୍ଧ କରିବ ଏବ˚ ଆନ୍ତର୍ଧର୍ମ ବିବାହ ସମ୍ପର୍କିତ ସମସ୍ୟାମାନ ସମାଧାନ କରିବ।

ବ୍ୟକ୍ତିଗତ ଧର୍ମୀୟ ଆଇନମାନ କାର୍ଯ୍ୟ କରୁଥିବା ଯୋଗୁଁ ଯେଉଁମାନେ ସର୍ବାଧିକ ବାଛବିଚାରର ସମ୍ମୁଖୀନ ହୋଇଥାନ୍ତି, ସେମାନେ ହେଉଛନ୍ତି ଭାରତର ମହିଳା ନାଗରିକମାନେ। ଉଦାହରଣ ସ୍ବରୂପ ଯେ ପର୍ଯ୍ୟନ୍ତ ତିନି-ତଲାକ୍‌ ପଦ୍ଧତି ବେଆଇନ ଘୋଷିତ ହୋଇ ନଥିଲା, ସେ ପର୍ଯ୍ୟନ୍ତ ଜଣେ ବିବାହିତା ହିନ୍ଦୁ ମହିଳାଙ୍କ ପାଇଁ ବିବାହ ଅପେକ୍ଷାକୃତ ସୁରକ୍ଷିତ ଥିବା ବେଳେ ସମାନ ପରିସ୍ଥିତିରେ ଥିବା ଜଣେ ମୁସଲମାନ ବିବାହିତା ମହିଳାଙ୍କ ବିବାହ କ୍ଷଣଭଙ୍ଗୁର ବିବେଚିତ ହେଉଥିଲା। ‘ୟୁସିସି’ ସମସ୍ତ ଭାରତୀୟ ନାରୀମାନଙ୍କୁ ଏ ସମସ୍ତ ବ୍ୟାପାରରେ ସମାନ ଆଇନଗତ ସୁରକ୍ଷା ପ୍ରଦାନ କରିବ।

‘ୟୁସିସି’କୁ ବିରୋଧ କରୁଥିବା ରାଜନୈତିକ ଦଳମାନେ କହନ୍ତି ଯେ ‘ୟୁସିସି’ ପ୍ରଣୟନ ପଛରେ ଥିବା ଅସଲ ଉଦ୍ଦେଶ୍ୟ ହେଉଛି ଏ ସମସ୍ତ ବ୍ୟାପାରରେ ସ˚ଖ୍ୟାଲଘୁ ସମ୍ପ୍ରଦାୟ ଉପଭୋଗ କରିଆସୁଥିବା କେତେକ ବିଶେଷ ଅଧିକାର ସେମାନଙ୍କ ଠାରୁ ଛଡ଼ାଇ ନେଇ ସ˚ଖ୍ୟାଗରିଷ୍ଠ ମତଦାତାମାନଙ୍କର ପ୍ରିୟପାତ୍ର ହେବା। ପ୍ରକୃତ ସତ୍ୟ କିନ୍ତୁ ହେଉଛି ‘ୟୁସିସି’ର ପ୍ରଣୟନ ଭାରତର ନାଗରିକ ହୋଇଥିବା ପ୍ରତ୍ୟେକ ଧର୍ମାବଲମ୍ବୀମାନଙ୍କୁ ବିଭିନ୍ନ ଭାବରେ ପ୍ରଭାବିତ କରିବ। ଉଦାହରଣ ସ୍ବରୂପ ଯଦି ‘ୟୁସିସି’ ପ୍ରଣୟନ କରାଯାଏ, ତେବେ ବର୍ତ୍ତମାନ ବଳବତ୍ତର ଥିବା ‘ହିନ୍ଦୁ ମ୍ୟାରେଜ୍‌ ଆକ୍ଟ (୧୯୫୫)’ ଓ ହିନ୍ଦୁ ସକ୍‌ସେସନ୍‌ ଆକ୍ଟ (୧୯୫୬)’ରେ ସ˚ଶୋଧନ ଲୋଡ଼ା ହେବ। ଯେମିତି ଧାରା-୨(୨)ରେ ଅନୁସୂଚିତ ଜନଜାତିଙ୍କୁ ପ୍ରଦାନ କରାଯାଇଥିବା ଛାଡ଼କୁ ରଦ୍ଦ କରିବାକୁ ହେବ।

ସେହିପରି ଧାରା-୫(୫) ଓ ଧାରା-୭ରେ ପାରମ୍ପରିକ ପ୍ରଥାମାନଙ୍କୁ ପ୍ରଦାନ କରାଯାଇଥିବା ଅଗ୍ରାଧିକାରକୁ ମଧ୍ୟ ଉଚ୍ଛେଦ କରିବାକୁ ହେବ। ଅନୁରୂପ ଭାବରେ ‘ୟୁସିସି’ କାର୍ଯ୍ୟକାରୀ ହେଲେ ଇସଲାମର ସାରିଆ ଆଇନ ଅନୁସାରେ ନିର୍ଦ୍ଧାରିତ ବିବାହର ସର୍ବନିମ୍ନ ବୟସରେ ପରିବର୍ତ୍ତନ ଘଟିବ ଏବ˚ ବହୁପତ୍ନୀ ଗ୍ରହଣ ନିଷିଦ୍ଧ ହେବ। ଶିଖମାନଙ୍କର ବିବାହ ‘ଆନନ୍ଦ ମ୍ୟାରେଜ୍‌ ଆକ୍ଟ (୧୯୦୯)’ ଦ୍ବାରା ନିୟନ୍ତ୍ରିତ ହେଉଥିବା ବେଳେ, ସେମାନଙ୍କର ବିବାହ ବିଚ୍ଛେଦ ‘ହିନ୍ଦୁ ମ୍ୟାରେଜ୍‌ ଆକ୍ଟ୍‌’ ଦ୍ବାରା ନିୟନ୍ତ୍ରିତ ହୋଇ ଆସୁଥିଲା। ଏ ସମସ୍ତ ‘ୟୁସିସି’ ଦ୍ବାରା ପରିଚାଳିତ ହେବ। ‘ପାର୍ସି ମ୍ୟାରେଜ୍‌ ଆଣ୍ତ୍‌ ଡିଭୋର୍ସ ଆକ୍ଟ (୧୯୩୬)’ ଅନୁସାରେ ଅନ୍ୟ ସମ୍ପ୍ରଦାୟରେ ବିବାହ କରୁଥିବା ପାର୍ସି ମହିଳାମାନେ ପାର୍ସି ପ୍ରଥା ଓ ପରମ୍ପରା ଉପରେ ସେମାନଙ୍କର ସମସ୍ତ ଅଧିକାର ହରାଉଥିଲେ; ‘ୟୁସିସି’ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବ। ପାର୍ସିମାନେ ପୋଷ୍ୟ କନ୍ୟା ପାଇଁ କୌଣସି ଅଧିକାରକୁ ସ୍ବୀକୃତି ପ୍ରଦାନ କରି ନ ଥାନ୍ତି, କେବଳ ପୋଷ୍ୟ ପୁତ୍ରମାନଙ୍କ ପାଇଁ ତାହା ପ୍ରଦାନ କରିଥାନ୍ତି; ‘ୟୁସିସି’ ଏହି ପାତରଅନ୍ତରରେ ଅନ୍ତ ଘଟାଇବ। ‘ଖ୍ରୀଷ୍ଟିଆନ୍‌ ଡିଭୋର୍ସ ଲ’ର ଧାରା- ୧୦ଏ(୧) ଅନୁସାରେ ଆପୋଷରେ ବିବାହ ବିଚ୍ଛେଦ ପାଇଁ ସର୍ବନିମ୍ନ ଦୁଇ ବର୍ଷର ପୃଥକ୍‌ ବାସ ଆବଶ୍ୟକ ହୋଇଥାଏ; ‘ୟୁସିସି’ ସେଥିରେ ପରିବର୍ତ୍ତନ ଘଟାଇବ।

ଏଥିରୁ ସ୍ପଷ୍ଟ ଯେ କୌଣସି ସ˚ଖ୍ୟାଲଘୁ ସମ୍ପ୍ରଦାୟକୁ ନିଶାଣ କରିବା ପରିବର୍ତ୍ତେ କେତେକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଇଲାକାରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଓ ବିଶେଷ କରି ନାରୀମାନଙ୍କୁ ସମାନ ଆଇନଗତ ଅଧିକାର ପ୍ରଦାନ କରିବା ହେଉଛି ଏକ ‘ୟୁସିସି’ର ଉଦ୍ଦେଶ୍ୟ। ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ କରି ସମ୍ବିଧାନ ପ୍ରଣେତାମାନଙ୍କର ସ୍ବପ୍ନକୁ ସାକାର କରିବା ଉଚିତ।